Unknown

 

 

 

 

 

 

 

 

 

 

 

ଏଇ ଫୁଲ ଏଇ ବାସ୍ନା

ଚଉଧୁରୀ ରଂଜିତା ପ୍ରହରାଜ

 

ଉତ୍ସର୍ଗ

 

ଯାହାର ସ୍ତନ୍ୟପାନରେ ମଣିଷ ହୋଇଛି,

ଯିଏ ସ୍ନେହ ଶ୍ରଦ୍ଧା ଦେଇ ମୋତେ କଲମ ଧରାଇଛି,

ସେହି ପରମାରାଧ୍ୟା, ପରମ ପୂଜ୍ୟା

ବୋଉ ହାତରେ ।

 

–ରଂଜିତା–

 

ଆକାଶ ଛାତିରେ ଧଳାବଉଦ ଭାସିଗଲେ ତା’ର ଛାଇ କଳା ହୋଇ ମାଟିଉପରେ ପଡ଼େ । ମନଭିତରେ ଅନେକ କଥା ଚପେଇ ରଖିଲା ପରେ ଘସିମାଜି ସହଜ କଥାଟିଏ ଓଠରୁ ଖସିପଡ଼େ । ଭାବିଥିବା କଥାରୁ କହିଥିବା କଥା ଭିନ୍ନ ହୋଇଯାଏ । ଏ ବିଚିତ୍ର ପୃଥିବୀଟା ତ ଏଇମିତି । ଏ ପୃଥିବୀ କାହାକୁ ଏତିକି ସ୍ୱାଧୀନତା ଦିଏ ନାହିଁ, ଏ ମଣିଷ ଆପେଆପେ ଭୟାଳୁ ହୋଇଯାଏ, କ୍ରୀତଦାସ ହୋଇଯାଏ । ଜନ୍ମବେଳେ ନୁହେଁ–ଜନ୍ମହେବା ପରେ ପରେ, ମଣିଷ ଯେତେ ଯେତେ ଅଧିକ ଏ ପୃଥିବୀକୁ ଚିହ୍ନେ, ଏ ମଣିଷକୁ ଜାଣେ, ସେ ସେତେ ସେତେ ଭୟାଳୁ ହୁଏ, ଛଳନାପ୍ରିୟ ହୁଏ, ହିପୋକ୍ରିସ ଶିଖେ । ନିରୀହ ଶିଶୁଟିଏ ହୋଇ ଯିବାକୁ ମଣିଷ କେତେ ଆତୁର ନହୁଏ ! କେତେ ଅଧୀର ନହୁଏ, ଫେରିଯିବାକୁ । ସେ ଛାଡ଼ିଆସିଥିବା ଶୈଶବର ମଧୁରତା ଭିତରକୁ । କାରଣ ସେତେବେଳେ ସେ ଅସହାୟ ନୁହେଁ–ବରଂ ନିର୍ଭୟ । ଘୃଣ୍ୟ ହିପୋକ୍ରିସି ଠାରୁ ବହୁତ ଦୂରରେ । ସେ ନିଜେ ଯାହା, କେବଳ ସେୟା ବୋଲି ପରିଚୟ ଦିଏ, ସେ ଯାହାଭାବେ, ସେୟାହିଁ କୁହେ, ତା’ର ରଙ୍ଗ ଯାହା ସେ ସେଇ ରଙ୍ଗହିଁ ଦୁନିଆକୁ ଦେଖାଏ ।

 

ଟିକି କଳିଟିଏ ପରି କଅଁଳ, ମହମବତୀର ସାନ ଶିଖାଟିଏ ପରି ପବିତ୍ର, ଛୋଟ କିଶୋରୀଟିଏ ସିଏ, ଚୁଙ୍ଗୁଡ଼ି । ନିହାତି ଚଗଲୀ ବୋକୀ ଆଉ ଲାଜକୁଳୀ ଝିଅଥିଲା ଏଇ ଚୁଙ୍ଗୁଡ଼ି ।

 

ସେ ତା’ ଜୀବନର ପ୍ରତ୍ୟୁଷର କଥା ।

 

ଗୋଲାପ ଡାଳରେ କଣ୍ଟାନାହିଁ, ବର୍ଷାଦିନେ ବିଜୁଳିପରେ ଘଡ଼ଘଡ଼ି ମାରେ ନାହିଁ–ଚିନ୍ତାନାହିଁ, ଦୁଃଖନାହିଁ, ସବୁ ସୁନ୍ଦର, ମଧୁର, ସମାହିତ ।

 

ବାପାବୋଉ ଚିନୁଅପା ଆଉ ସାନଭାଇ ସିକୁକୁ ନେଇ ତା’ର ଛୋଟ ପୃଥିବୀ । ଘରକୁ କିଏ ବନ୍ଧୁବାନ୍ଧବ ଆସିଲେ ଚୁଙ୍ଗୁଡ଼ି ଲୁଚେ । ବାପା ବିରକ୍ତ ହୁଅନ୍ତି, ବୋଉ ଗାଳିଦିଏ, ଚିନୁ ଅପାର ସାଙ୍ଗମାନେ ହସନ୍ତି, ଥଟ୍ଟାକରନ୍ତି । କାହାରି ସହିତ ମିଶେନାହିଁ । କାହାରି ସହିତ ଗପ କରେନାହିଁ । ସମସ୍ତେ କୁହନ୍ତି ଗୋଠଛଡ଼ା । ପଦେ କଥାରେ କାନ୍ଦିପକାଏ, ପଦେ କଥାରେ ହସିଦିଏ ।

 

ଭଲ ପାଠପଢ଼େ, ଶ୍ରେଣୀରେ ପ୍ରଥମ ହୁଏ । ଶିକ୍ଷକମାନେ ସ୍ନେହ କରନ୍ତି, ପ୍ରଶଂସା କରନ୍ତି । ଘରେ ତାକୁ ସ୍ନେହ କରନ୍ତି ସିନା, ପ୍ରଶଂସା କରନ୍ତି ନାହିଁ ।

 

ତା’ର ପ୍ରଥମ ଆଉ ପ୍ରଧାନ କାରଣ ହେଲା ସେ କଳିହୁଡ଼ୀ । ପୁଣି ଏ କଳି ତାହାର ଆଉ କାହା ସହିତ ନୁହେଁ । ତା’ଠୁ ଗୋଟିଏ ବର୍ଷ ଛୋଟ, ସିକୁ ସହିତ ।

 

ସିକୁ ହାଇଁପାଇଁ ହୁଏ ଚୁଙ୍ଗୁଡ଼ି ସହିତ ଖେଳିବାକୁ । ଚୁଙ୍ଗୁଡ଼ିର ଅନେକ ଖେଳନା । ପ୍ଲାଷ୍ଟିକ୍ କଣ୍ଢେଇ, ରବର ବଲ୍‌, କାଠ ପୁଅ, ଛୋଟ ପିଢ଼ା, ଟିଣ ରକେଟ୍‌, କେତେକଅଣ ।

 

ଚୁଙ୍ଗୁଡ଼ି କିନ୍ତୁ ସାଙ୍ଗରେ ଖେଳାଏ ନାହିଁ ସିକୁକୁ । ମାଡ଼ମାରି ବିଦାକରିଦିଏ ।

 

ଖସିଯାଉଥିବା ଚିରାପ୍ୟାଣ୍ଟ୍‍ଟାକୁ ବାରମ୍ବାର ଟେକୁ ଟେକୁ ସିକୁ ରାହାଧରି କାନ୍ଦେ ।

 

ଚୁଙ୍ଗୁଡ଼ି ପୁଣି ଜିଭଦେଖେଇ ମୁହଁ ବିକୃତ କରି ଖତେଇହୁଏ ସିକୁକୁ ।

 

ସିକୁ ଆହୁରି ଜୋର୍‌ରେ କାନ୍ଦି ।

 

ସମସ୍ତେ ଗାଳିଦିଅନ୍ତି ଚୁଙ୍ଗୁଡ଼ିକୁ । ଚିନୁଅପା ସିକୁକୁ ପାଖକୁ ଡାକେ, କୁହେ ‘‘ତୁ ମୋ ସହିତ ଖେଳେ, ଚୁଙ୍ଗୁଡ଼ିଟା ଅସନିଟା । ବର୍ଷକୁ ଥରେ ଗାଧାଏ । ତା’ ଦେହ ଗନ୍ଧ । ତୁ ତା’ ସହ ଆଉ କେବେ ଖେଳିବୁନି’’ ଅଳ୍ପସମୟପରେ ସିକୁ ଭୁଲିଯାଏ । ଚୁଙ୍ଗୁଡ଼ିର ବାଲିଘର ତୋଳା ଦେଖେ । ଆସ୍ତେ ଆସ୍ତେ ନିକଟକୁ ଘୁଞ୍ଚିଆସେ । ଛୁଇଁଦିଏ, ଚୁଙ୍ଗୁଡ଼ି ଛାତିରେ ନିଆଁ ଲାଗିଯାଏ । ଏଇଟୋକା ତାକୁ ଗାଳି ଖୋଇଥିଲା, ତା’ର ମନେପଡ଼ିଯାଏ । ସେ ବାଲିଛାଟେ । ସିକୁ ଆଖି ନାକ କାନ ପାଟିରେ ବାଲି ପୂରେଇ କାନ୍ଦି କାନ୍ଦି ଘରକୁଯାଏ । ବୋଉ ରାଗେ । ବାପା ଗାଳିଦିଅନ୍ତି । ଚୁଙ୍ଗୁଡ଼ି ପିଠିରେ ଦୁଲୁଦୁଲୁ ବସେ । ଚୁଙ୍ଗୁଡ଼ି ରାହାଧରି କାନ୍ଦେ । ଅନେକ ସମୟପରେ ସିକୁ ଆସେ । ବୁଝାଏ ସେ ଆଉ କେବେ ଘରେ ଚୁଙ୍ଗୁଡ଼ି ନାଁରେ କିଛି କହିବ ନାହିଁ । କୁହେ ଚୁଙ୍ଗୁଡ଼ି ଅପା ତା’ର ଭାରିଭଲ ସେ ତାକୁ ଯେତେ ମାରିଲେବି କାନ୍ଦିବ ନାହିଁ କୁହେ ।

 

କେତୋଟି ମୁହୂର୍ତ୍ତ ଭାଇଭଉଣୀ ମିଶି ବାଲିଘର ତୋଳନ୍ତି, ସଢ଼େଇ ଉପରେ ପିଟିପିଟି ବାଲିରେ ଚୁଲି ତିଆରି କରନ୍ତି । ପୁଣି ଯୋଉକଥାକୁ ସେଇକଥା । ରମ୍ପାରମ୍ପି ହୋଇ ଘରକୁ ଫେରନ୍ତି-

 

ଚୁଙ୍ଗୁଡ଼ିର ବୟସ ସେତେବେଳେ ଆଠବର୍ଷ ।

 

ଦୁନିଆ ସୁନ୍ଦର । ପୃଥିବୀର ସବୁ ସୁନ୍ଦର । ମାଟି ଗୋଡ଼ି ଗଛପତ୍ର ଫୁଲ ଚଢ଼େଇ ବର୍ଷା ଆକାଶ ସବୁ ! ଏବଂ ସୁନ୍ଦର ଜ୍ୟୋତିମାମୁ ।

 

ଜ୍ୟୋତିମାମୁ ଚୁଙ୍ଗୁଡ଼ିର ଖୁଡ଼ୀଙ୍କର ସାନଭାଇ ।

 

ପଢ଼ନ୍ତି ଦୂରସହରରେ । ଛୁଟିରେ ମଝିରେ ମଝିରେ ଆସନ୍ତି । ରୁହନ୍ତି ଅନେକ ଦିନ ଚୁଙ୍ଗୁଡ଼ି ଘରେ । କଣ୍ଢେଇ, ଚକୋଲେଟ୍, ମଜାଗପ ବହି କଲମ ଆଣନ୍ତି ଚୁଙ୍ଗୁଡ଼ିପାଇଁ । ଚୁଙ୍ଗୁଡ଼ି ଖୁସିହୁଏ । ଜ୍ୟୋତିମାମୁ ଭଲ ।

 

ବିନୁକାକା ପୋଲିସ୍ ଇନିସ୍‌ପେକ୍ଟର । ରୁହନ୍ତି ଅନ୍ୟ ସହରରେ । ଖୁଡ଼ୀଥା’ନ୍ତି ଏଇଠି । ବୋଉ ପାଖରେ । ବିନୁ କାକା ଆସିଲେ ବୋଉ ଗଦାଗଦା ବଡ଼ିପକାଏ । ରାତିଅଧରୁ ଉଠି ଚୂନାକୁଟେ ପିଠା ଛାଣେ । କେତେ ରକମର ପିଠା ।

 

ଚୁଙ୍ଗୁଡ଼ି ଗୋଟିଏ ବୋକି ଝିଅ ।

 

ତଥାପି ବୁଝେ, ଅନୁଭବ କରେ, ଗୋଟିଏ ଛାଇତଳେ ରହୁଥିଲେବି ଖୁଡ଼ୀ କେମିତି ଏକ ଭିନ୍ନ ମଣିଷ । ବୋଉଠାରୁ ଢେର୍ ଭିନ୍ନେ ।

 

ଖୁଡ଼ୀ ସୁନ୍ଦର ସୁନ୍ଦର ପରିସ୍କାର ଶାଢ଼ି ପିନ୍ଧନ୍ତି ।

 

ବୋଉକୁ ସେମିତି ରୂପରେ କେବେଦିନ ଦେଖିନାହିଁ ସେ ।

 

ଚୁଙ୍ଗୁଡ଼ି ଆଖିବୁଜି ଅନୁଭବ କରେ । ମନେକରେ ସବୁ । ବଡ଼ିଭୋରୁ ଶେଯଛାଡ଼େ ବୋଉ । ଦୁଆରେ ଗୋବର ପାଣି ପକାଏ । ଗାଈଗୁହାଳ ପୋଛେ । ପାଉଁଶକାଢ଼େ ଚୁଲିରୁ । ପାଉଁଶ ନେଇ ଓଦା ଗୁହାଳ ସୁଖାଏ । ଗୁହାଳ ପହଁରେ । ଚୁଲିଲିପେ । ତା’ପରେ ବାଡ଼ି ଗଡ଼ିଆ ତୁଠକୁ ଯାଏଁ । ଶୀତବର୍ଷାକୁ ଖାତିରି ନାହିଁ । ଓଦା ସରସର ଲୁଗାପିନ୍ଧି ହାତେ ଲମ୍ବର ଓଢ଼ଣା ଟାଣି ବୋଉ ଗାଧୁଆତୁଠରୁ ଘରକୁ ଫେରେ ।

 

ରକ୍ତଟିପା ପରି ଗୋଲସିନ୍ଦୂର ବିନ୍ଦୁଟା ଝଟକୁ ଥାଏ ତା’ର ଗୋରା ଚଉଡ଼ା କପାଳଟାରେ-। ଅଣ୍ଟା ତଳକୁ ଦୋଳିଖେଳୁଥାଏ ତା’ର ବାଳ ଗୋଛାକ ।

 

ଚୁଙ୍ଗୁଡ଼ି ଅନୁଭବ କରେ, ଭଲଲୁଗା ନ ପିନ୍ଧିଲେବି ଖୁଡ଼ୀଙ୍କଠାରୁ ତା’ ବୋଉ ସୁନ୍ଦର, ଢେର୍ ସୁନ୍ଦର । ବୋଉ ଗାଧୋଇ ସାରି ଚୁଲିମୁଣ୍ଡକୁ ଯାଏଁ ।

 

ଚା’କରେ, ଚୁଡ଼ାଭାଜେ କେବେକେବେ କରେ ଗଇଁଠା । ଖୁଡ଼ୀଙ୍କପାଇଁ ଅଣ୍ଡା ସିଝାଏ । ସମସ୍ତଙ୍କୁ ଖାଇବାକୁ ଦିଏ । ବୋଉ ଆଇଁଷ ଖାଏ ନାହିଁ, ହଜାରେ ଉପାସ ବ୍ରତ କରେ । ଖୁଡ଼ୀଙ୍କର ଥଣ୍ଡାଦେହ । ଅଣ୍ଡା ଖାଇବା ନିହାତ ଜରୁରୀ । ସେଇଥିପାଇଁ ସେ ସକାଳ ନ’ଟା ଆଗରୁ ଉଠିପାରନ୍ତି ନାହିଁ ।

 

ବୋଉର ଅଣ୍ଟାରୋଗ, ଆଣ୍ଠୁଗଣ୍ଠି ବାତ, ଥଣ୍ଡା ବାଜିଲେ ସେ ରୋଗ ବେଶି ବଢ଼େ ।

 

ତଥାପି ସେ ଥଣ୍ଡାହୁଏ । ଥଣ୍ଡା ହେବାକୁ ବାଧ୍ୟହୁଏ ।

 

ଘରର ବଡ଼ବୋହୂ ।

 

ବଡ଼ଘରର ଝିଅ ହେଲେବି ଗରିବଘରର ବୋହୂ । ଘିଅଦୁଧରେ ହାତ ଧୋଇଥିଲେବି ତୋରାଣି ପିଇ ନିଜକୁ ଦୁଃଖୀ ମନେକରେନାହିଁ । ବଡ଼ ମନ ରହିଆସିଚି, ବଦଳି ନାହିଁ ।

 

ଚୁଙ୍ଗୁଡ଼ି ତା’ ବୋଉକୁ ଭଲପାଏ ।

 

ବୋଉ ଯେତେବେଳେ ତା’ର ରୋଗିଣା ଦେହଟାକୁ ଘୋଷାରି ଘୋଷାରି ରୁଟିସେକେ, ଚୁଙ୍ଗୁଡ଼ି ସହିପାରେ ନାହିଁ । ତାକୁ ଅକାରଣରେ ରାଗଲାଗେ । ଚୁଙ୍ଗୁଡ଼ି ଥରେ ଥରେ ତା’ ବୋଉକୁ ପଚାରେ, ସେ କାହିଁକି ଖୁଡ଼ୀଙ୍କପରି ନୂଆଲୁଗା ପିନ୍ଧୁନି ?

 

ବୋଉ କିଛି କୁହେ ନାହିଁ, ହସେ । ତା’ ହସ ଚୁଙ୍ଗୁଡ଼ିକୁ ବିରକ୍ତ କରେ । ସତକୁସତ ଥରେ ଖୁଡ଼ୀଙ୍କର ସାବିତ୍ରୀ ପୂଜା ବନାରସୀ ପାଟଟା ଲୁଚେଇ ଆଣି ବୋଉକୁ ପିନ୍ଧିବାକୁ ବାଧ୍ୟ କରିଥିଲା ଚୁଙ୍ଗୁଡ଼ି ।

 

ବିନୁ କାକା ବିରକ୍ତ ହେଲେ । କାନମୋଡ଼ି ଦେଲେ ଚୁଙ୍ଗୁଡ଼ିର । ଚୁଙ୍ଗୁଡ଼ି ସକେଇ ସକେଇ କାନ୍ଦିଲା । ଏକଜିଦିଆ ଚୁଙ୍ଗୁଡ଼ି ଲୁଚି ଲୁଚି ଯାଇ ଖୁଡ଼ୀଙ୍କର ସବୁଠୁ ସୁନ୍ଦର ପାଟଶାଢ଼ିଟା ବ୍ଲେଡ଼୍‍ଦାଗ ଦେଇ କାଟିଦେଲା । ଖୁଡ଼ୀ ଦେଖିଲେ । ଭୀଷଣ ରାଗିଗଲେ । ବୋଉକୁ ଗାଳି ଦେଲେ । ବୋଉ ସହିତ କଜିଆ କଲେ । ବୋଉ ତାଙ୍କୁ କିଛି କହିଲା ନାହିଁ । ଚୁଙ୍ଗୁଡ଼ିର ଚୁଟିଧରି ଆଖିବୁଜି ପିଟିପକେଇଲା । ମାରି ମାରି ଦରମରା କରି ଦେଲା । ‘‘ମରିଯା–ତୁ ମରିଗଲେ ମୁଁ ଖୁସିହେବି’’ ଚୁଙ୍ଗୁଡ଼ି ଭେଁଭେଁ ରଡ଼ି ଛାଡ଼ି କାନ୍ଦିଲା । ବୋଉ କିଛି ଶୁଣିଲାନି । ତା’ ଉପରେ ତା’ ଉପରେ ଗୋଇଠା, ବିଧା ଚାପୁଡ଼ା ମାରିପକେଇଲା ଚୁଙ୍ଗୁଡ଼ିକୁ । ତଥାପି ନ’ବର୍ଷ ବୟସ୍କା ଚୁଙ୍ଗୁଡ଼ି ମୁଣ୍ଡରେ ପଶିଲା ନାହିଁ ଯେ, ତା’ର ବାପା ଗାଁ ପ୍ରାଇମେରୀ ସ୍କୁଲ୍‍ରେ ମାଷ୍ଟର ଥିଲେ । ଟ୍ରେନ୍‌ ଆକ୍‌ସିଡ଼େଣ୍ଟରେ ଗୋଡ଼ଦି’ଟା କଟିଯିବା ଦିନୁ ଚାକିରି ଯାଇଚି । ପ୍ରାଇଭେଟ ଟ୍ୟୁସନ କେତୋଟି ମଧ୍ୟ ହାତଛଡ଼ା ହାଇ ସାରିଚି । ତା’ପରେ, ଉପାର୍ଜନର ଏକମାତ୍ର ପନ୍ଥା ଯୋଉ କେଇଗୁଣ୍ଠ ଜମି, ସେଥିରୁ ଅଧେ କିନ୍ତୁ କାକାଙ୍କର । ତାଙ୍କର ପରମଦୟାରୁ ସେ ସେହି ଜମି ଅଧକ ଆଜିପର୍ଯ୍ୟନ୍ତ ଦାବି କରି ନାହାନ୍ତି । ମଝିରେ ମଝିରେ ଆର୍ଥିକ ସାହାଯ୍ୟ ମଧ୍ୟ ଦେଉଛନ୍ତି ।

 

ଚୁଙ୍ଗୁଡ଼ିର କଅଁଳ ସରଳ ଛାତିତଳେ ଏକଥା କିଛି ଆନ୍ଦୋଳନ ଆଣେନାହିଁ । ତା’ର ଛୋଟିଆ ଶାନ୍ତ ମନତଳେ ଏ କଥା କିଛି ପଶେନାହିଁ । ସେ ସେମିତି ମାଡ଼ଖାଇ କାନ୍ଦି କାନ୍ଦି ଖଟତଳେ ଗଳିଗଲା । ଦେହହାତ ଫୁଲିଯାଇଚି । ଓଠ ଫାଟି ରକ୍ତ ଝରୁଚି । ସୁଁ ସୁଁ ହୋଇ କେତେବେଳେ ତାକୁ ନିଦ ଲାଗି ଯାଇଚି, ଜାଣିପାରି ନାହିଁ ସେ । ଓଠ ଉପରେ କାହା ଓଠର ସ୍ପର୍ଶପାଇ ଚେଇଁ ଉଠିଲା ସେ । କାହା ଆଖିରୁ ଲୁହ ତା’ ଗାଲ ଉପରେ ଦାଗ ଆଙ୍କି ଦେଇଚି । ଚୁଙ୍ଗୁଡ଼ି ଉଣ୍ଡାଳି ଆଣିଲା କିଏ–ବୋଉ !! ହଁ ବୋଉ । ବୋଉ ତା’ର ହାଡ଼ୁଆ ହାତରେ ଚୁଙ୍ଗୁଡ଼ିର ପିଠି ସାଉଁଳେଇ ଆଣି ମନକୁମନ କାନ୍ଦୁଚି । ଏଇବୋଉ ତାକୁ ରାକ୍ଷସୀ ପରି ନିଷ୍ଠୁର ଭାବରେ ପିଟି ପକେଇ ଥିଲା । ଏବେ ସେଇବୋଉ ତା’ ପାଖକୁ ଲାଗି ଶୋଇଚି । ତା’ ଆଖିରେ ଲୁହ । ସେଇ ଲୁହର ସ୍ରୋତରେ ଚୁଙ୍ଗୁଡ଼ି ଶରୀରର ସମସ୍ତ ଯନ୍ତ୍ରଣା ଅପସରି ଗଲା–ସମସ୍ତ କ୍ଷତ ନିଶ୍ଚିହ୍ନ ହୋଇଗଲା । କିଛି ବୁଝିବା ଆଗରୁ ବୋଉ ଛାତିରେ ମୁହଁ ଗୁଞ୍ଜି ପୁଣିଥରେ ନିଦରେ ହଜିଗଲା ସେ । ବୋଉ କହୁଥିବା କଥାଗୁଡ଼ିକ ତା’ କାନକୁ ଝାପ୍‍ସା ଶୁଣା ଯାଉଥିଲା ‘‘ମୋ ସୁନାକୁ କେତେ ମାରିଲି-! ମତେ ମରଣ ହୋଇଯାଉ, ମୋ ଧନକୁ କେତେ ମାରିଲି, ମୁଁ ମରିଯାଏଟି ।’’

 

ଖୁଡ଼ୀଙ୍କ ବାପଘର ଧନୀ ନୁହଁନ୍ତି । କିନ୍ତୁ ସ୍ୱାମୀ ତାଙ୍କର ସମର୍ଥ, ଉପାର୍ଜନକ୍ଷମ ।

 

ବୋଉର ବାପଘର ବଡ଼ଲୋକ ହେଲେବି ସେ କେବେ ତାଙ୍କର ସାହାଯ୍ୟ ପ୍ରାର୍ଥୀ ହୋଇ ନାହିଁ । ଖୁଡ଼ୀଙ୍କର ଗୋଟିଏ ଭାଇ । ଏଇ ଜ୍ୟୋତିମାମୁ । ଅନେକ ସମୟରେ ଆସନ୍ତି, ରହନ୍ତି । ଚୁଙ୍ଗୁଡ଼ିକୁ ସେଦିନଗୁଡ଼ାକ ଭଲଲାଗେ । ଜ୍ୟୋତିମାମୁଙ୍କୁ ଦେଖିଲେ ଚିନୁଅପା ଓଠ ଚିପି ଚିପି ହସେ-। ଜ୍ୟୋତିମାମୁ ସେମିତି ହସନ୍ତି । ଜ୍ୟୋତିମାମୁ ଗୋରା, ଲମ୍ବା ସୁନ୍ଦର । ତାଙ୍କୁ ହସିଲେ ମାନେ-

 

ଜ୍ୟୋତିମାମୁ ଭଲ, ତାଙ୍କର ସବୁଭଲ ।

 

ଚୁଙ୍ଗୁଡ଼ିକୁ ସେ କାଖକରନ୍ତି, କୋଳରେ ବସାନ୍ତି, ଗେଲକରନ୍ତି, ଗପକୁହନ୍ତି ପାଖରେ ଶୁଆନ୍ତି । ଜ୍ୟୋତିମାମୁଙ୍କର ହାତଗୁଡ଼ାକ କି ଟାଣ !

 

ଏଣୁ ବାହା ଟେକନ୍ତି, ଚୁଙ୍ଗୁଡ଼ି ଝୁଲେ । ତଥାପି ହଲେନାହିଁ ତାଙ୍କର ହାତ । ଜ୍ୟୋତିମାମୁଙ୍କର ଭାରିବଳ । ବାଘବି ପାରିବ ନାହିଁ ତାଙ୍କୁ ।

 

ଜ୍ୟୋତିମାମୁ ବାଘ । ମହାବଳ ବାଘ ।

 

ତାଙ୍କ ପାଖକୁ ଯିବାକୁ ବୋଉ ମନାକରେ ଚିନୁଅପାକୁ । ଚିନୁଅପା ଲୁଚି ଲୁଚି ଯାଏଁ । ଲୁଚି ଲୁଚି ବାଘ ପାଖକୁ ଯାଏଁ । ଚୁପି ଚୁପି ଗପକରେ । ଚିପି ଚିପି ହସେ, ମିଟିମିଟି ଅନାଏ । ବାଘ ହେଣ୍ଟାଳ ଛାଡ଼େ । ଜିଭଚାଟେ ଆଖିରେ ନିଆଁ ଜଳାଏ । ଆଉ କ’ଣ ହୁଏ ଦେଖିବାକୁ ଭୟଲାଗେ ଚୁଙ୍ଗୁଡ଼ିକୁ, ଚୁଙ୍ଗୁଡ଼ି ଖେଳିବାକୁ ଚାଲିଯାଏ ।

 

ଜ୍ୟୋତିମାମୁ ଆସିଲେ ଚିନୁଅପା ହସେ । ଖୁସିହୁଏ, ବୋଉର କାମରେ ସାହାଯ୍ୟ କରେ । ଆଉ ଦି’ତିନିଟା ଭଲ ତରକାରୀ ରାନ୍ଧେ । ଭଲ ଜଳଖିଆ କରେ । ସଫା ଲୁଗା ପିନ୍ଧେ ଭଲ ମୁଣ୍ଡ ବାନ୍ଧେ । ଚୁଙ୍ଗୁଡ଼ିକୁ ଭଲଲାଗେ । ନହେଲେ ଚିନୁଅପାଟା ସବୁବେଳେ ଗମ୍ଭୀର । ମୁହଁଟା ଥମ୍‍ଥମ୍ । ଆଖିଗୁଡ଼ାକ ଛମଛମ, ଜକଜକ । ଓଠଗୁଡ଼ାକ ଶୁଖିଲା ଫିକାଫିକା । ଚିନୁଅପା ବଡ଼ ଚୁପ୍‌ଚାପ୍ ପ୍ରକୃତିର ଝିଅ । ବି.ଏ. ପରୀକ୍ଷାରେ ଫେଲ୍ ହେବା ଦିନରୁ ତା’ର ଏ ଚୁପ୍‌ଚାପ୍ ଢଙ୍ଗଟା ବେଶି ବଢ଼ିଚି ।

 

ଚୁଙ୍ଗୁଡ଼ି ତା’ର ଏ ଢଙ୍ଗକୁ ଭଲପାଏ ନାହିଁ । ଏ ଢଙ୍ଗ ତା’ର ଢେର୍‍ ପୁରୁଣା ହେଇଗଲାଣି-

 

ଜ୍ୟୋତିମାମୁ ଆସିଲେ ତା’ର ଏ ଢଙ୍ଗ ଛାଡ଼ିଯାଏ ।

 

ସେ ହସେ । ଖୁସିହୁଏ । ଖୁସିହୁଏ ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ିର ଚାଲି ପାରୁନଥିବା ବାପା ହ୍ୱିଲ୍‌ଚେୟାରରେ ଆସି ଗାଳିଦିଅନ୍ତି ଚିନୁଅପାକୁ । ଚିନୁଅପା ଶୁଣେ । ବେଖାତିରରେ ଅନ୍ୟଆଡ଼େ ଅନେଇରହି ବାପାଙ୍କ ଗାଳିଶୁଣେ ।

 

ବାପାଙ୍କ ଗାଳି ତାକୁ କାଟେନାହିଁ । ତାକୁ ବାଧେନାହିଁ । କିଛି ଫଳ ହୁଏନାହିଁ ସେ ଗାଳିର-

 

ଜ୍ୟୋତିମାମୁ ସହରକୁ ଚାଲିଯା’ନ୍ତି ।

 

ଚିନୁଅପା ଲୁଚେଇ ଲୁଚେଇ, ଚିଠିଲେଖେ ଜ୍ୟୋତିମାମୁଙ୍କ ପାଖକୁ । ଜ୍ୟୋତିମାମୁ, ଚିନୁଅପାର ସାଙ୍ଗ ହୋଇ ‘ଇତି’ ଜାଗାରେ ଝିଅନା ଲେଖି ଚିଠି ଦିଅନ୍ତି ଅପାପାଖକୁ ।

 

ଅନେକଦିନରେ ଚୁଙ୍ଗୁଡ଼ି ଜାଣିଲା ଜ୍ୟୋତିମାମୁ ଚିନୁ ଅପାକୁ ଭଲ ପାଆନ୍ତି । ତାକୁ ବାହା ହେବେ । ଚିନୁଅପା ଜ୍ୟୋତିମାମୁଙ୍କୁ ଗେଲ କରୁଥିଲା, ଚୁଙ୍ଗୁଡ଼ି ଦେଖିଦେଲା, ସତ ବୁଝିଲା ଚିନୁଅପା ଜ୍ୟୋତିମାମୁଙ୍କୁ ଭଲପାଏ ।

 

ଚୁଙ୍ଗୁଡ଼ିକୁ ତା’ ବୋଉ ଭଲପାଏ, ସେ ତାକୁ ଗେଲକରେ । ଚିନୁଅପା ଜ୍ୟୋତିମାମୁଙ୍କୁ ଗେଲକଲା ସେ ତାଙ୍କୁ ନିଶ୍ଚୟ ବାହାହବ । ଚୁଙ୍ଗୁଡ଼ି ମନେମନେ ଖୁସି ହେଲା ।

 

ଜ୍ୟୋତିମାମୁ ଭଲ । ସେ ଚିନୁ ଅପାକୁ ବାହାହେବେ, ଚିନୁଅପା ଭଲ ।

 

ଜ୍ୟୋତିମାମୁ ବରବେଶ ହେଲେ ସୁନ୍ଦର ମାନିବ ।

 

ସୁନ୍ଦର ମାନିବ ଚିନୁଅପା ।

 

କଥାଟା ସାଙ୍ଗସାଥୀ ସମସ୍ତଙ୍କୁ କହିଦେଲା ଚୁଙ୍ଗୁଡ଼ି ।

 

ବାହାହେଲେ ଭାରି ମଜା, ଚୁଙ୍ଗୁଡ଼ି ଦେଖିଚି, ତଳସାହିର ସୁନାର ବଡ଼ଭଉଣୀ ବାହାଘରକୁ କେତେ ବାଜା, ବାଣ ଭୋଜି ଆଲୁଅ–ଚୁଙ୍ଗୁଡ଼ି ଖୁସିରେ ନାଚିଯାଏ ।

 

ବେଳେବେଳେ ଚୁଙ୍ଗୁଡ଼ିଭାବେ, ଏଥର ଜ୍ୟୋତିମାମୁ ତାକୁ ବେଶିଭଲ ପାଇବେ ନାହିଁ । ତା’ପାଇଁ ବେଶି ସମୟ ଦେଇ ପାରିବେ ନାହିଁ । ଭଲପାଇବେ ତା’ ଅପାକୁ, ଦିନରାତି ସବୁବେଳେ ଗପ କରିବେ ତା’ ସହ । ସବୁ କୁଣ୍ଢେଇ, କାଚଗୁଲି, ଚକୋଲେଟ୍‌ ଦେବେ ସେଇ ଅପାକୁ ! ଚୁଙ୍ଗୁଡ଼ି ଯଦି ଜ୍ୟୋତିମାମୁଙ୍କୁ ବାହାହୋଇ ପାରନ୍ତା !!

 

ଯା–ଚୁଙ୍ଗୁଡ଼ି ଏ ସବୁ କ’ଣ ଭାବୁଚି ? ଚୁଙ୍ଗୁଡ଼ି ତଥାପି ଖୁସିହୁଏ । ତା’ ଅପା କ’ଣ ତାକୁ କୁଣ୍ଢେଇ ଦବନି ? ନିଶ୍ଚୟ ଦବ, ଖେଳଣାରେ ଖେଳିବାକୁ କହିବ ।

 

ବର୍ଷାହୁଏ, ବର୍ଷାଛାଡ଼େ । ଖୁଦୁରୁକୁଣୀ ଓଷା କରେ ଚୁଙ୍ଗୁଡ଼ି । ଭାଦ୍ରମାସର ଅସରା ଅସରା ବର୍ଷାକୁ ନମାନି ଚୁଙ୍ଗୁଡ଼ି ରାତିଅଧରୁ ଦଉଡ଼େ ଫୁଲ ତୋଳି । ମାଳତି ଲତା ମାଡ଼ିଥାଏ ଡେଙ୍ଗା ଆମ୍ବଗଛରେ । ଚୁଙ୍ଗୁଡ଼ି ଗଛରେ ଚଢ଼େ । ସରୁ ସରୁ ନହକା ଡାଳରେ ବାଦୁଡ଼ିପରି ଝୁଲି ଝୁଲି ଫୁଲରେ ଅଣ୍ଟିଭରେ । ଅଣ୍ଟିରେ ଫୁଲଧରି ତଳକୁ ଆସେ । କଇଁଫୁଟେ ଦଳଗଡ଼ିଆରେ । ଜୋକ ସାପକୁ ନମାନି ପଙ୍କ ଗଡ଼ିଆକୁ ଡେଇଁପଡ଼େ ଚୁଙ୍ଗୁଡ଼ି । କଇଁଫୁଲ କଢ଼ ମେଞ୍ଚାକୁମେଞ୍ଚା କୁଣ୍ଢକରି ଧରି ପହଁରି ଆସେ କୂଳକୁ ।

 

ବର୍ଷାରେ ଭିଜିଭିଜି ସାଇସାଇ ବୁଲି ଫୁଲତୋଳେ ।

 

ଖଇଛଡ଼ାରେ ପୂରେଇ ପାଣି ସିଞ୍ଚେ । ବଡ଼ବଡ଼ ସୁନ୍ଦର ମାଳ ଗୁନ୍ଥେ । ଖୁଦୁରୁକୁଣୀ ସଜାଏ । ହଳଦୀ ମାଖି ଗାଁ ଦାଣ୍ଡ ପୋଖରୀରେ ମୁଣ୍ଡଧୋଇ ଗାଧାଏ । ତୁଠରେ ମାଟି କାଦୁଅରେ ପିତୁଳା କରି ବାଲୁଙ୍କା ପୂଜେ । ରାତିରେ ଦୀପ ଆଲୁଅରେ ମୁଣ୍ଡଝୁଙ୍କେଇ ଝୁଙ୍କେଇ ତଅପୋଇ ବହି ପଢ଼ି ଖୁଦୁରୁକୁଣୀ ପୂଜେ ଚୁଙ୍ଗୁଡ଼ି । ବେଳେବେଳେ ତଅପୋଇର ଦୁଃଖ କଥା ସୁରକରି ଗାଉଗାଉ କଣ୍ଠଟା ରୁଦ୍ଧ ହୋଇଯାଏ, ଆଖିଗୁଡ଼ାକ ଆପେଆପେ ଛଳଛଳ ହୋଇଯାଏ । ବହିପଢ଼ୁ ପଢ଼ୁ ସୁରଟା କେମିତି ବେତାଳିଆ ହୋଇ ମଝିରେ ମଝିରେ ଝୁଣ୍ଟିପଡ଼େ, ସ୍ଥିର ରହିଯାଏ ।

 

ସେତେବେଳେ ଚୁଙ୍ଗୁଡ଼ିର ବୟସ ଦଶ ।

 

ବର୍ଷାଦିନେ ବୋଉର ରୋଗଟା ବେଶି ବାହାରେ । ଆଣ୍ଠୁଗଣ୍ଠି ଦରଜ ହୁଏ । ଗୋଟିଏ ଜାଗାରେ ପଡ଼ିଥାଏ । ବସିଉଠି ପାରେନି । ଖୁଡ଼ୀ କିଛି କରନ୍ତିନି । ଚିନୁ ଅପା ଆସେ । ସମସ୍ତଙ୍କୁ ଖାଇବାକୁ ଦିଏ । ସିକୁଟା ତା’ହାତରେ ବୁଝେ ନାହିଁ । ସେ ଖାଇଲାବେଳେ ବୋଉ ତା’ ଶେଯରୁ ଘୁଷୁରି ଘୁଷୁରି ଆସେ । ଏଇ ସମୟରେ ଜ୍ୟୋତିମାମୁ ଆସିଲେ ଚିନୁଅପା ଆଉ କାହା କଥାଭାବେ ନାହିଁ । ବୋଉ ଉଠିବାକୁ ବାଧ୍ୟହୁଏ । ଘୁଷୁରି ଘୁଷୁରି ସବୁକାମରେ ।

 

ଚୁଙ୍ଗୁଡ଼ିକୁ ଭଲଲାଗେ ନାହିଁ ।

 

ଚୁଙ୍ଗୁଡ଼ି ରାତିରେ ଶୋଇ ଶୋଇ ସ୍ୱପ୍ନଦେଖେ । ସମୁଦ୍ରଟା ମାଡ଼ିଆସୁଚି । ତା’ର କାଳିଆ କାଳିଆ ଭୟଙ୍କର ଲହରୀଗୁଡ଼ାକ ଭସେଇନଉଚି ତାକୁ । ସେ ନିଦରେ ବାଉଳି ହୁଏ । ଚିତ୍କାର କରେ । କୁଣ୍ଢେଇଧରେ ତା’ ବୋଉକୁ । ବୋଉପିଠିରେ ହାତବୁଲାଏ । ଶୋଇଯାଏ ପୁଣି ସ୍ୱପ୍ନଦେଖେ । ତା’ ବୋଉ ନାଲି ବନାରସୀ ପାଟ ପିନ୍ଧିଚି । ଦେବୀପରି ଝଟକୁଚି, ତା’ର ବୋଉ । ତା’ର ଅଣ୍ଟା ରୋଗଟା ପୂରାପୂରି ଭଲହୋଇ ଯାଇଚି । ଚିନୁଅପା ବାହାହୋଇଯାଇଚି ଜ୍ୟୋତି ମାମୁଙ୍କୁ । ବାପାଙ୍କର ଆକ୍‌ସିଡ଼େଣ୍ଟରେ କଟି ଯାଇଥିବା ଗୋଡ଼ଦି’ଟା ପୁଣି ଭଲ ହୋଇ ଯାଇଚି ବାପା ଚାଲିପାରୁଚନ୍ତି । ବୋଉ ହସି ପାରୁଚି । ଚିନୁଅପା କଥା କହି ପାରୁଚି ।

 

ଚିଙ୍ଗୁଡ଼ିର ନିନ୍ଦ୍ରିତ ଓଠ ଉପରେ ହସର ବିଜୁଳି ମାରେ । ପୁଲକର କନକଚମ୍ପା ଫୁଟେ । ସେ କଥା ବୋଉ ଦେଖିପାରେ ନାହିଁ । ସାରା ଦିନର ବିରାମହୀନ କ୍ଳାନ୍ତି ତାକୁ ଅଚେତ କରି ଦେଇଥାଏ ।

 

ବୋଉ ଅଣ୍ଟାରେ ହାତଛନ୍ଦି । ତା’ ଛାତିରେ ମୁହଁ ଗୁଞ୍ଜି ଗଭୀର ପ୍ରଶାନ୍ତିରେ ଶୋଇ ଯାଇଥାଏ ଚୁଙ୍ଗୁଡ଼ି । ସାରା ଦୁନିଆର ଦୈନ୍ୟ, ସାରା ଜୀବନର ଦୁଃଖ ପାସୋରି ଯାଏଁ । ମନେହୁଏ ଦୁନିଆରେ ଅପ୍ରୀତିକର କିଛି ଘଟୁ ନାହିଁ । କୋଉଠି କିଛି ଅଘଟଣ ଘଟୁନାହିଁ । ସବୁ ଅସ୍ପଷ୍ଟ, ସବୁ ପ୍ରଶାନ୍ତ । ସବୁ ସମାହିତ । ନିଦ ଭାଙ୍ଗିଲାବେଳକୁ, ବୋଉ ଉଠିସାରିଥାଏ ।

 

ଟୁଂ ଟାଂ ଶବ୍ଦ ଆସୁଥାଏ ରୋଷେଇଘରୁ ।

 

ବୋଉ ତାକୁ ଉଠାଏ ନାହିଁ । ଲୁଗାଖଣ୍ଡେ ଘୋଡ଼େଇଦେଇ ଉଠିଯାଏ ନିଜେ । ପାଣିକାଢ଼େ । ହାଣ୍ଡି ମାଠିଆରେ ପାଣିଭରେ । ବାସନମାଜେ, ବାପାଙ୍କୁ ଦାନ୍ତ ଘଷିବାକୁ ପାଣିଦିଏ, ଗାଧାଏ, ଚା’କରେ ଘରଲିପେ, ବାହାରେ ଗୋବର ପାଣି ଛାଟେ, କାନ୍ଥ ଦୁଆର ‘ଚଉକା’ ଦିଏ । ଠାକୁର ପୂଜାକରେ । ସାରା ପୃଥିବୀର କେତେକେତେ କାମ ଅପେକ୍ଷା କରି ରହିଥାନ୍ତି ତା’ର ହାଡ଼ୁଆ ହାଡ଼ୁଆ ଗୋରା ଶିରାଳ ହାତ ଦି’ଟାକୁ ।

 

ଚୁଙ୍ଗୁଡ଼ି ଶେଯରେ ଶୋଇ ଶୋଇ ସବୁ ଜାଣେ, ଉଠେ ନାହିଁ, ଉଠି ଲାଭ ନାହିଁ । ସେ ବୋଉକୁ କିଛି ସାହାଯ୍ୟ କରିପାରିବ ନାହିଁ । ବୋଉ ତାକୁ କିଛି କାମ କରିବାକୁ ଦବନାହିଁ । ବାହାରେ ଭୀଷଣ ଶୀତ, ଚୁଙ୍ଗୁଡ଼ିର ଘୋଡ଼ିହବାକୁ କିଛି ନାହିଁ । ଏମିତିକି ସାଧା ଚାଦରଟେବି ନାହିଁ । ଲୁଗାଟାକୁ ଛାତି ଉପରୁ ମୁହଁ ଆଡ଼କୁ ଟାଣିଆଣେ ଚୁଙ୍ଗୁଡ଼ି । ମୁହଁ ଲୁଚେଇ ଶୋଇଯାଏ । ଖରାପଡ଼ିଲେ ଉଠେ । ବାଡ଼ିପାଖ ପିଜୁଳି ଗଛମୂଳେ ଯାକିଯୁକି ହୋଇ ବସେ । ହାତ ଦି’ଟାକୁ ଛାତି ଉପରେ ଛକି ପକାଇ ଖରାପୁଏଁ । ଶୀତଦିନିଆ କଳିଆ ଖରା ଦେହକୁ ଉଷୁମଲାଗେ, ଭଲଲାଗେ । ସେଠି ଜମା ହୁଅନ୍ତି ସାହିର କେତେକେତେ ଝିଅ । ନାଲିଆ ସୂର୍ଯ୍ୟ କେମିତି ଆସ୍ତେ ଆସ୍ତେ ଧଳାହୁଏ ସେଇ କଥା ନିରେଖି ନିରେଖି ଦେଖେ ଚୁଙ୍ଗୁଡ଼ି । ଦେଖନ୍ତି ତା’ର ସାଙ୍ଗମାନେ । ଚୁଙ୍ଗୁଡ଼ି ଆଜିକାଲି ଗପେ, ଗପକରେ ୟାଡ଼ୁସାଡ଼ୁ ଅନେକକଥା । ଚିନୁଅପା କଥା, ଜ୍ୟୋତିମାମୁଙ୍କ କଥା–ସେ ଦିହିଁଙ୍କ ବାହାଘର କଥା । ଚୁଙ୍ଗୁଡ଼ିର ସାଙ୍ଗମାନେ ହସାହସି ହୁଅନ୍ତି, ଖୁସି ହୁଅନ୍ତି । ମେଞ୍ଚାକୁମେଞ୍ଚା ପାଉଁଶ ପାଟିରେ ପୂରେଇ ଦାନ୍ତ ଘଷନ୍ତି, ପୁଚ୍‌ ପୁଚ୍‌ ଛେପ ପକାନ୍ତି ।

 

ବୋଉ ଚୁଙ୍ଗୁଡ଼ିକୁ ପାଉଁଶ ଦେଇଯାଏ । ସଜନା ମୂଳେ ଗଦାଗଦା ପାଉଁଶ କୁଢ଼ାଏ ବୋଉ । ସେଇଥିରୁ ଖଣ୍ଡେ ଆଣି କେବେକେବେ ଦାନ୍ତ ଘଷେ ଚୁଙ୍ଗୁଡ଼ି । ବାଉଁଶକଣି ବାଡ଼ରୁ ଭାଙ୍ଗି ଜିଭ ଛେଲେ । ଛୋଟ ପିତ୍ତଳ ଗଡ଼ୁରେ ପାଣିକାଢ଼ି ମୁହଁଧୁଏ ।

 

ଖୁଡ଼ୀ ବ୍ରସ୍‍ରେ ଦାନ୍ତ ଘଷନ୍ତି, ପାଉଡ଼ରରେ । ଚୁଙ୍ଗୁଡ଼ି ଜାଣିଚି ସେ ପାଉଡ଼ରରେ ଗୋଡ଼ିନଥାଏ ଭାରି ବାସନା ଆଉ ମିଠା ସେ ପାଉଡ଼ର । ସିକୁ ଲୁଚେଇ ଲୁଚେଇ ଖାଇଦିଏ ବୋଲି ଖୁଡ଼ୀ ତାକୁ କେବେ ବାହାରେ ରଖନ୍ତି ନାହିଁ । ଚୁଙ୍ଗୁଡ଼ିର ବେଳେବେଳେ ସେ ପାଉଡ଼ର ଚାଖିବାକୁ ଇଚ୍ଛାହୁଏ ପୁଣି ଡରିଯାଏ ଚୁଙ୍ଗୁଡ଼ି, ବୋଉ ମାରିବ, ଗାଳିଦବ ।

 

ଚୁଙ୍ଗୁଡ଼ି ଦାନ୍ତ ଘଷିସାରି ରୁଟିଖାଏ । କେବେକେବେ ପଖାଳ ଆଉ ବାଇଗଣ ପୋଡ଼ା । ସବୁ ଭଲଲାଗେ ଚୁଙ୍ଗୁଡ଼ିକୁ । ତାକୁ ବୋଉ ଖୁଆଇଦିଏ । ମୁଣ୍ଡ ବାନ୍ଧିଦିଏ ବୋଉ ।

 

କାନ୍ଧରେ ବେଗ୍‌ ଝୁଲେଇ ଚୁଙ୍ଗୁଡ଼ି ସ୍କୁଲ୍‍କୁ ଯାଏଁ । ଫେରେ ଚାରିଟାରେ । ଥରେ ଥରେ ଚୁଙ୍ଗୁଡ଼ି ଗୋଇଠି କଚାଡ଼ି କାନ୍ଦେ । ବୋଉର କାନିଧରି ମେଁ ମେଁ ହୋଇ ଗୋଡ଼ାଏ । ଜୋକଭଳି ଲାଗିଥାଏ । ସ୍କୁଲ୍‍ ଯିବନି ବୋଲି ଧମକଦିଏ । ତଥାପି ବୋଉ ତାକୁ ଦଶପଇସିଟେ ଦିଏ ନାହିଁ । ତା’ପାଖରେ ହୁଏତ ନ ଥାଏ । ସେ ଦେଇପାରେ ନାହିଁ । ଜ୍ୟୋତିମାମୁ ଥିଲେ ତାକୁ ‘ଚାରଣା’ ଦିଅନ୍ତି ।

 

ଚୁଙ୍ଗୁଡ଼ି ସ୍କୁଲ୍‍ରେ ବୁଟଭଜା ଖାଏ, ଖାଏ ଆଇସ୍‌କ୍ରିମ୍‌ ।

 

ବୋଉ ବିରକ୍ତ ହୁଏ, ଚୁଙ୍ଗୁଡ଼ିକୁ ମାରେ । ଜ୍ୟୋତିମାମୁ ପାଠପଢ଼ନ୍ତି କାଳାଙ୍କ ପଇସାରେ-। କାକା ଖୁଡ଼ୀଙ୍କ ଉପରେ ନିର୍ଭର କରି ତାଙ୍କ ଜୀବନର ଢେଉଢ଼େଉକା ସୁଅ ଅନେକ ବାଧାବିଘ୍ନର ସମ୍ମୁଖୀନ ହେଉଚି । ତାଙ୍କୁ ସବୁଦିନେ ହଇରାଣ କରୁଥିବା ଚୁଙ୍ଗୁଡ଼ି ଉପରେ ସମସ୍ତେ ବିରକ୍ତ ହୁଅନ୍ତି-

 

‘‘ସେ ପରା ତୋରିପରି ପାଠ ପଢ଼ୁଛନ୍ତି, ପଇସା କୋଉଠୁ ପାଇବେ ?’’

 

ଚୁଙ୍ଗୁଡ଼ି କେବେ ପଇସା ମାଗେ ନାହିଁ । ଜ୍ୟୋତିମାମୁ ଆପେଆପେ ଦିଅନ୍ତି ନ ନେଲେ ମନଦୁଃଖ କରନ୍ତି । ‘କଟି’ ପକାନ୍ତି । କଥା କୁହନ୍ତି ନାହିଁ । ଚୁଙ୍ଗୁଡ଼ି ଡରିଯାଏ । ଜ୍ୟୋତିମାମୁ ଘରେଥିବା ଦିନତକ ଚୁଙ୍ଗୁଡ଼ିକୁ ଚମତ୍କାର ଲାଗେ । ସେ କଥା ନ କହିଲେ ଚୁଙ୍ଗୁଡ଼ିକୁ ଆଉ କିଛି ଭଲ ଲାଗେ ନାହିଁ । ସେଇକଥା ଭାବି ଚୁଙ୍ଗୁଡ଼ି ଜ୍ୟୋତିମାମୁଙ୍କ ହାତରୁ ପଇସାରଖେ । ସେ କଥା ବୋଉ ବୁଝେନାହିଁ । ବାପା ବୁଝନ୍ତି ନାହିଁ, ଦୋଷ ଦିଅନ୍ତି ଚୁଙ୍ଗୁଡ଼ିର । ଚୁଙ୍ଗୁଡ଼ିର ରାଗ ହୁଏ ଜ୍ୟୋତିମାମୁଙ୍କ ଉପରେ । ଚୁଙ୍ଗୁଡ଼ିର ସପ୍ତମ ହେଲା ବେଳକୁ ଜ୍ୟୋତିମାମୁଙ୍କର ଶେଷବର୍ଷ ଏମ୍‌. ଏ. ଚୁଙ୍ଗୁଡ଼ିର ବୟସ ଦଶବର୍ଷ ହେଲା ବେଳକୁ ଜ୍ୟୋତିମାମୁଙ୍କର ଚବିଶି । ଜ୍ୟୋତିମାମୁ ଚୁଙ୍ଗୁଡ଼ିର କାନେକାନେ ବୁଝାନ୍ତି, ତାଙ୍କର ଚାକିରି ହେଲେ ସେ ତାକୁ ବହୁତ କୁଣ୍ଢେଇ ଦେବେ । ବେଶି ପଇସା ଦେବେ ସ୍କୁଲ୍‍କୁ । ଚୁଙ୍ଗୁଡ଼ି ବଡ଼ବଡ଼ ଡିମା ଡିମା ଆଖିରେ ଚାହିଁରହେ ତାଙ୍କ ମୁହଁକୁ, ଖୁସିହୁଏ । ଠାକୁରଙ୍କୁ ଡାକେ, ‘‘ହେ ଠାକୁର ! ଜ୍ୟୋତିମାମୁଙ୍କର ଚାକିରି କରିଦିଅ !!’’

 

ବାପାଙ୍କପାଇଁ ପରିବାସିଝା ରୁଟି ।

 

ଖୁଡ଼ୀଙ୍କପାଇଁ ଅଣ୍ଡା, ଡାଲି ଅରୁଆଭାତ ।

 

ଚିନୁଅପାର ପେଟରୋଗ । ତା’ପାଇଁ ସୋରିଷ ଫୁଟା ଡାଲି, ଉଷୁନାଭାତ ।

 

ସମସ୍ତଙ୍କ ପାଇଁ ଅଲଗାଅଲଗା କରି ହାଲିଆ ହୋଇ ଯାଇଥିବା ବୋଉ ଠାକୁରଘରେ ପ୍ରାର୍ଥନା କରେ ‘‘ଜ୍ୟୋତିର ଚାକିରି ଶୀଘ୍ରହେଉ’’ । ଖୁଡ଼ୀଙ୍କର ଟାଣଟାଣ କଥା ତା’ର ନରମ ଅନ୍ତରରେ ଯୋଉ ଗହୀର ଗାର ଟାଣିଦିଏ ତା’ରି ଯନ୍ତ୍ରଣାରେ ବୋଉ ଲୁଚି ଲୁଚି ଆଖିରୁ ପାଣି ଗଡ଼ାଏ । କାକା କୁହନ୍ତି ଜ୍ୟୋତିର ପାଠପଢ଼ା ଦାୟିତ୍ୱ ତାଙ୍କ ଉପରେ । ତା’ର ଚାକିରିଟା ହୋଇଗଲେ ଚିନୁଅପାର ବାହାଖର୍ଚ୍ଚଟା ସେ ତୁଲେଇ ପାରିବେ ।

 

ଚୁଙ୍ଗୁଡ଼ି ସ୍ୱପ୍ନ ଦେଖେ ଜ୍ୟୋତିମାମୁ ଚାକିରି କଲେ ତାକୁ ବେଶି ମିଠେଇ ଦେବେ । କୁଣ୍ଢେଇଦେବେ । ମଜାମଜା ଗପବହି ଦବ ପଢ଼ିବାପାଇଁ–ବେଶି ପଇସାଦେବେ ସ୍କୁଲ୍‍ରେ ବୁଟଭଜା ଆଇସ୍‌କ୍ରିମ୍, ବରକୋଳି, ଖଟା କିଣି ଖାଇବାକୁ ଚିନୁଅପାର ସ୍ୱପ୍ନ ସବୁଠୁ ରଙ୍ଗୀନ, ସବୁଠୁ ମଧୁର । ଜ୍ୟୋତି କଥା ଦେଇଚି ।

ତା’ର ଚାକିରି ହେଲାପରେ ସେ ତାକୁ ରାଣୀ କରି ଦବ ।

ଜ୍ୟୋତିମାମୁ ଭାବନ୍ତି, ଚାକିରିଟା ମିଳିଗଲେ ସେ ଏଠୁ ଉଡ଼ିଯିବ !!

ଜ୍ୟୋତିମାମୁ ଲେକ୍‌ଚରର ହେଲେ ।

ବୋଉ ଠାକୁରଘରେ ମୁଣ୍ଡିଆ ମାରିଲା ।

ଚୁଙ୍ଗୁଡ଼ି ଖୁସି ହେଲା । ଚିନୁଅପା ଖୁସିର ଅନାଗତ ମଧୁରତମ ମୁହୂର୍ତ୍ତଗୁଡ଼ାକର ରଙ୍ଗୀନ ନିଶାରେ ଆଖିବୁଜି ଦେଲା ।

କିନ୍ତୁ ଇଏ କ’ଣ ହେଲା ?

ଜ୍ୟୋତିମାମୁ ଆଉ ଆସିଲେନି । ଅନେକଦିନ ପର୍ଯ୍ୟନ୍ତ ଆସିଲେ ନାହିଁ । ଚିନୁଅପା ଗଦାଗଦା ଚିଠି ଲେଖିଲା । ଉତ୍ତର କୌଣସିଟାର ଆସିଲା ନାହିଁ । ଚୁଙ୍ଗୁଡ଼ି ମନଦୁଃଖ କଲା କିନ୍ତୁ ବେଶି ଦୁଃଖକଲା ଚିନୁଅପା ।

ଦିନକୁଦିନ ବେଶି ଗମ୍ଭୀର ବେଶି ଉଦାସୀ ବେଶି ଚୁପ୍‍ଚାପ୍ ହୋଇଗଲା ।

ଯୋଉଠି ଠିଆହୁଏ ଦୁଃଖର ଛାଇଟିଏ ଲମ୍ବିଯାଏ । ମୁଖର ତା’ର ସୂକ୍ଷ୍ମ ଚେତନାଟିଏ କୋଉଦିନରୁ । ଅନେକ ଯୁଗ ତଳୁ ଯେମିତି ଶୋଇଯାଇଚି । ଶୀତ ସକାଳର ମସୃଣ ହଳଦୀ ଖରା, ଲିଭିଯାଇଚି ମାଟି ଉପରୁ ।

 

ସେଦିନ ଚୁଙ୍ଗୁଡ଼ି ସ୍କୁଲ୍‍ରୁ ଫେରିଲା ପରେ ଦେଖିଲା, ବାପା ଭୀଷଣ ବିରକ୍ତ ହେଉଛନ୍ତି ଚିନୁଅପା ଉପରେ । ବୋଉ ଆଖିରେ ଲୁଗା ଗୁଞ୍ଜି କାନ୍ଦୁଚି । ଖୁଡ଼ୀ କ’ଣ ସବୁ ଚିତ୍କାର କରି କହୁଚନ୍ତି-। ଚିନୁଅପା ମୁହଁ ତଳକୁ କରି ଠିଆ ହେଇଚି । ତା’ ଆଖିରେ ଟୋପେବି ଲୁହନାହିଁ-। ସେମିତି ଚୁପ୍‌ହୋଇ ଠିଆହେଇଚି ସିଏ । କିନ୍ତୁ ସେ ଯେମିତି କେବେ ଆଉ ହସିପାରିବ ନାହିଁ ।

 

ଚୁଙ୍ଗୁଡ଼ି କିଛି ବୁଝିପାରିଲା ନାହିଁ ।

 

ବୁଝିପାରିଲା ଏତିକି ଯେ ଚିନୁଅପା କ’ଣ ଖୁବ୍‌ ଗୋଟାଏ ଦୋଷକରି ପକେଇଚି ଯୋଉଥିପାଇଁ ସାରା ପରିବାରଟା ତା’ ବିରୁଦ୍ଧରେ ଏକଜୁଟ । ଚିନୁଅପାର ପଦପାତ ଜୀବନ–ରାସ୍ତାର ବାମପଟରୁ ଟିକେ ଏପଟ ସେପଟ ହୋଇଯାଇଚି, ଚିନୁଅପାର ଭବିଷ୍ୟତ୍ ପୁସ୍ତକପାଇଁ ସୂଚିପତ୍ର ପ୍ରସ୍ତୁତରେ ଭୟଙ୍କର ତ୍ରୁଟି ଭରିଦେଇଚି ସିଏ ନିଜେ । ତା’ ବିରୁଦ୍ଧରେ ସମସ୍ତଙ୍କର ଅଜସ୍ର ଅଭିଯୋଗ । ଚୁଙ୍ଗୁଡ଼ି କିଛି ବୁଝିପାରେ ନାହିଁ । ଖୁଡ଼ୀ ଦୋଷୀ କରୁଛନ୍ତି ବୋଉଙ୍କୁ, ବାପାଙ୍କୁ । କିନ୍ତୁ କୋଉଥିପାଇଁ ? ତାଙ୍କରିପାଇଁ ଚିନୁଅପାର ବିପର୍ଯ୍ୟୟ, ଏଇଥିପାଇଁ ? କିମ୍ବା, ଚିନୁଅପା ପରି ଗୋଟାଏ ଝିଅକୁ ଜନ୍ମ ଦେଇଥିବାର ଦୋଷ ଯୋଗୁଁ, ବୁଝିପାରିଲା ନାହିଁ ଚୁଙ୍ଗୁଡ଼ି ।

 

ତେବେ ଚିନୁଅପାର ଶୁଖିଲା ଭାବଶୂନ୍ୟ ଫିକା ନିସ୍ତେଜ ମୁହଁ ଦେଖି ଚୁଙ୍ଗୁଡ଼ି ଛାତିରେ ବ୍ୟଥାର କଣ୍ଟାଟିଏ ଟପ୍‌ହୋଇ ଫୁଟିଗଲା । ତାକୁ ଚିନୁଅପାର ଏ ମୁହଁ ଜମାରୁ ଭଲଲାଗେ ନାହିଁ । କେତେଦିନ ପରେ ଜାଣିଲା, ଚିନୁଅପାର କ’ଣ ଛୁଆହବ !

 

ବେଶ୍‌ ତ, ଭଲକଥା ଏଥିପାଇଁ ଚିନୁଅପା ଏତେ କାନ୍ଦୁଚି କାହିଁକି ?

 

ଚୁଙ୍ଗୁଡ଼ି ଖୁସିରେ ହସି ହସି ଫାଟିପଡ଼େ । ସିକୁ କାନରେ ଚୁପି ଚୁପି କଥାଟା ଭଲକରି ବୁଝେଇ ଦିଏ । ଗାଲରେ ପାପୁଲି ରଖି ଚିନ୍ତାକରେ, ଅପାର ପୁଅହବ ନା ଝିଅହବ !

 

ସିକୁକୁ ଆଙ୍ଗୁଠି ଧରାଏ । ସିକୁ ଆଖିବୁଜି ଆଙ୍ଗୁଠି ଧରେ । ଝିଅ ବାହାରିଲେ ଚୁଙ୍ଗୁଡ଼ି ମୁହଁ ଆମ୍ବିଳାକରେ । ଲୁଚେଇ କହିଦିଏ ସିକୁକୁ ‘‘ବିଶିଆଙ୍ଗୁଠିଟା ପୁଅ, ମଝିଆଙ୍ଗୁଠିଟା ଝିଅ’’ ସିକୁ ଏଥର ବିଶିଆଙ୍ଗୁଠିଟା ଧରେ । ଚୁଙ୍ଗୁଡ଼ି ଖୁସିହୁଏ । ଦୌଡ଼ି ଦୌଡ଼ି ଚାଲିଯାଏ ଖେଳିବାକୁ । ଚିନୁଅପା ଚୁପ୍‌ଚାପ୍‌ ବସେ, ଶୁଏ । ଭିତରୁ କବାଟ ଦେଇ ଘରେ ପଶିଯାଏ । ଡାକି ଡାକି ତଣ୍ଟି ଶୁଖିଗଲେ କବାଟ ଖୋଲେ ନାହିଁ । ବାହାରେ ନାହିଁ । ଖାଏ ନାହିଁ ।

 

ମନହେଲେ ଘରୁବାହାରି ଗଡ଼ିଆ ତୁଠରେ ବସେ । ଦୂରଆକାଶକୁ ଅନେଇରହି କୋଉ ଦୂରର ମଣିଷକୁ ଝୁରେ ।

 

ଖୁଡ଼ୀ ତାଙ୍କ ବାପଘରକୁ ଗଲେ । ତାଙ୍କର ଏକମାତ୍ର ଭାଇ ଜ୍ୟୋତିର ବାହାଘର ।

 

କୋଉ ସୁନାନାକୀ ରାଜାଝିଅ ଖୁଡ଼ୀଙ୍କର ଭାଉଜ ହୋଇ ଆସିଲା । ଜ୍ୟୋତିମାମୁଙ୍କର ସ୍ତ୍ରୀ ହୋଇ ଆସିଲା । ଜ୍ୟୋତିମାମୁ ଚିନୁଅପାକୁ ବାହାହେଲେ ନାହିଁ ।

 

ଚିନୁଅପା କାନ୍ଦିଲା ନାହିଁ । ମଟମଟ କରି ସମସ୍ତଙ୍କ ମୁହଁକୁ ଅନେଇଲା ।

 

ଲୁହ ଢାଳି ଢାଳି ଖଟ ଉପରେ ମୁହଁ ମାଡ଼ି ଶୋଇଲା ନାହିଁ, ବୋକାଙ୍କପରି କାନ୍ଥକୁ ଆଉଜି ଠିଆହେଲା । ତା’ର ନିଷ୍କମ୍ପ ଓଠରେ ହତାଶର ଅପରାଜିତା ଫୁଟିଲା, ତା’ ନିଃଶ୍ୱାସରେ ଦୁଃଖର କଳା ନାଗୁଣୀ ଫଣା ଉଠେଇଲା । ତା’ ଆଖିରେ ସାରା ପୃଥିବୀର ଜମାଟବନ୍ଧା ବୀଭତ୍ସ ପ୍ରତିଫଳନ ।

 

ଚୁଙ୍ଗୁଡ଼ି ସବୁ ଦେଖିଲା । ସବୁ ଅନୁଭବ କଲା । ସବୁକଥା ବୁଝିଲା ନାହିଁ ।

 

ଆଜିକାଲି ଚିନୁଅପାକୁ ଦେଖିଲେ ତା’ର ଦୟାହୁଏ । ତା’ର କ’ଣ ହୋଇଚି ଠିକ୍‌ ଜାଣିପାରେନି । ତେବେ ଏତିକି ବୁଝେ ଯେ, ସେ ଖୁବ୍‌ ଦୁଃଖ କରୁଚି । ସେ ସେହି ଦୁଃଖର ଅତିରିକ୍ତ ପ୍ରବଣତାରେ ହସକାନ୍ଦ ସବୁ ଭୁଲିଯାଇଚି । ତାକୁ ଛାଡ଼ି, ତା’ ଦୁଃଖର ନିବୁଜ ଅନ୍ଧାର କୋଠରିକୁ ଛାଡ଼ି, ଏଇ ଦିନରାତି ହଉଥିବା ବିରାଟ ପୃଥିବୀଟାରେ ଯେ ଜହ୍ନଉଏଁ, ସୂର୍ଯ୍ୟହସେ, ଫୁଲ ଫୁଟେ, ରଙ୍ଗୀନ ଚଢ଼େଇ ସବୁ ଆକାଶକୁ କାକଳୀରେ ମୁଖରିତ କରି ଫୁଲମାଳପରି ଉଡ଼ିଯା’ନ୍ତି, ସବୁ ତା’ର ଧାରଣାର ବାହାରେ । ତା’ ଭାବନାର ବହିର୍ଭୂତ । ତା’ କଳ୍ପନାଠାରୁ ଅନେକ ଫରକ । ତା’ର ବିଶ୍ୱାସ ହୁଏ ନାହିଁ ।

 

ଚୁଙ୍ଗୁଡ଼ି ଆଜିକାଲି ତା’ ନିଜଘରକୁ ଭଲପାଏ ନାହିଁ । ଘରର ସବୁ ମଧୁରତା ସବୁ ଆକର୍ଷଣ କେମିତି ହଠାତ୍‌ ତାକୁ ବିକୃତ ଆଉ ମିଛ ମନେ ହେଲା । ସବୁ ତିକ୍ତ ସବୁ ଭୟଙ୍କର ସବୁ ଅପ୍ରୀତିକର । ତା’ର ଧାରଣା ହେଲା, ଘର ବୋଲି ଯେଉଁ ଛୋଟିଆ ପୃଥିବୀରେ ସିଏ ରହୁଚି ସେଠି ସମସ୍ତେ ଅଭିଶାପଗ୍ରସ୍ତ ବିକୃତ ଜୀବ । ସେଠି ସମସ୍ତେ ଅଶାନ୍ତି ସମସ୍ତେ ଯନ୍ତ୍ରଣାକ୍ଳିଷ୍ଟ । ଏ ସବୁ କଥା ଚିନ୍ତାକଲେ ତା’ର ଟିକି ଅନ୍ତର ବେଦନାରେ ଭରିଯାଏ । ତା’ର ଦୁଇ ଛୋଟ ଛୋଟ ଗମ୍ଭୀର ନୀଳ ଆଖିରେ ଯନ୍ତ୍ରଣାର ପରଳ ମାଡ଼ିଯାଏ, ଛାତିରେ ତା’ର ଉଠେ ଅଜଣା ଦୁଃଖର କୋହ ।

 

ଖରାଦିନେ ଆମ୍ବ ଫଳେ ।

 

ଚୁଙ୍ଗୁଡ଼ି ଖରାବେଳସାରା ବୁଲି ବୁଲି ଗଛକୁ ଟେକା ମାରେ । ଡାହି ସୁବିଧା ଦେଖି ଗଛରେ ଚଢ଼େ । ଅଣ୍ଟିରେ ପୂରେଇ ଆମ୍ବଆଣେ । ଜାମା କଷକରେ । ଗାଳିଖାଏ । ଆମ୍ବ ବହି ବ୍ୟାଗ୍‌ରେ ରଖି ସ୍କୁଲ୍‍କୁ ନେଇ ବ୍ଲେଡ଼୍‍ରେ କାଟି ସାଙ୍ଗମାନଙ୍କୁ ବାଣ୍ଟେ । ନିଜେ ଖାଏ । ଆମ୍ବିଳା ଆମ୍ବଗୁଡ଼ାକ ଖଣ୍ଡଖଣ୍ଡ କରି ଚୋବେଇ ମୁହଁ ଅସନାରେ, ବିକୃତ କରେ, ଆମ୍ବଗଛରେ ଚଢ଼ି ବାଛି ବାଛି ପାଚିଲା ଆମ୍ବ ତୋଳେ । ବୋଉକୁ ଦିଏ । ବୋଉ କେବେକେବେ ଗାଳିଦିଏ, ମାରିବାକୁ ଗୋଡ଼ାଏ । ପୁଣି କେବେ ଖୁସିହୁଏ । ଖରାଦିନେ ମଲ୍ଲୀଫୁଟେ । ଚୁଙ୍ଗୁଡ଼ିକୁ ମଲ୍ଲୀଫୁଲର ମହକ ଭଲଲାଗେ, ସବୁଠୁ ଭଲଲାଗେ । ଚୁଙ୍ଗୁଡ଼ି କୂଅମୂଳ ମଲ୍ଲୀଗଛରେ ପାଣିଦିଏ । ମେଞ୍ଚାମେଞ୍ଚା ମଲ୍ଲୀଫୁଲ ତୋଳେ, ହାର ଗୁନ୍ଥେ । ଝୁଲେଇ ଦିଏ ଠାକୁରଘର କାନ୍ଥରେ । କେବେକେବେ ଖୁଡ଼ୀ ମାଗିନିଅନ୍ତି ସେ ମାଳଟା । ଖୁଡ଼ୀଙ୍କର ଛୋଟ ଛୋଟ ବାଳ । ଖୁଡ଼ୀଙ୍କୁ ସେ ଫୁଲ ମାନେ ନାହିଁ । କ୍ଲିପ୍‌ଟାଏ ଅଟକେଇ ରଖନ୍ତି ତାକୁ । ଚୁଙ୍ଗୁଡ଼ିର ଇଚ୍ଛାହୁଏ ସେ ମାଳ ସେ ଝୁଲାଇ ଦିଅନ୍ତା ବୋଉର ବାଳରେ । ବୋଉର ଖୋସାରେ ଗୁଡ଼େଇ ଦିଅନ୍ତା ସେ ମଲ୍ଲୀଫୁଲର ଗଜରାଟାକୁ । ବୋଉ କେବେ ପିନ୍ଧେନାହିଁ । ଚୁଙ୍ଗୁଡ଼ି ପିନ୍ଧେଇ ଦେଲେ, ସାଙ୍ଗେ ସାଙ୍ଗେ ଖୋଲିଦିଏ, ଉଜେଇଁ ନେଇ ଫୋପାଡ଼ି ଦିଏ-। ଚୁଙ୍ଗୁଡ଼ିର ମନଟା ଅକାରଣରେ ବେଦନାଦ୍ର ହୋଇଯାଏ । ଅକାରଣରେ ଅନେକ ରାଗିଯାଏ ତା’ ବୋଉ ଉପରେ ।

 

ଖରାଦିନେ ସକାଳୁଆ ସ୍କୁଲ୍‍ହୁଏ । ଚୁଙ୍ଗୁଡ଼ି ସକାଳୁ ଉଠେ । ଅନ୍ଧାରଥାଏ, ଲଣ୍ଠନ ଲଗେଇ ଆମ୍ବଗୋଟେଇ ଯାଏଁ । ତାକୁ ଡର ଲାଗେ ନାହିଁ, ଏକା ଯାଏଁ । ଚୁଙ୍ଗୁଡ଼ି କିନ୍ତୁ ଜାଣିଚି ଓପର ଆମ୍ବତୋଟାରେ ଭୂତ ଅଛି, ଘୁଅଖାଇ ଡାଆଣୀ ଅଛି । ପୁଣି ପାଚିଲାଆମ୍ବ ଖାଇବାକୁ କୋଉଠୁ କୋଉଠୁ ସବୁ ଅଜଣା ଭୂତ ରୁଣ୍ଡ ହୁଅନ୍ତି ଆମ୍ବ ଗଛମୂଳେ । ସାଇର ସବୁପିଲା ଏ କଥାକୁ ବିଶ୍ୱାସ କରନ୍ତି । ଡିମା ଡିମା ଆଖିରେ ଚୁଙ୍ଗୁଡ଼ି ଆଗରେ ବଖାଣି ବସନ୍ତି ଭୂତମାନଙ୍କର ଭୟଙ୍କର କାରବାର ବିଷୟରେ । ତଥାପି ଚୁଙ୍ଗୁଡ଼ି ଡରିଯାଏ ନାହିଁ । ତୋଟାକୁ ତୋଟା ଗୋହିରିକି ଗୋହିରି ବୁଲି ଆମ୍ବ ସାଉଁଟେ । ବାଦୁଡ଼ି ଖଣ୍ଡିଆ, ପାଚିଲା, ଦରପାଚିଲା ଆମ୍ବ ମେଞ୍ଚାକୁମେଞ୍ଚା ଆଣେ । ଆମ୍ୱ ଲଗେଇ ପଖାଳ ଖାଏ । ସ୍କୁଲ୍‍କୁ ଯାଏଁ । ସ୍କୁଲ୍‍ ଛୁଟିହୁଏ ଦିନ ଦି’ଟାରେ ଉଦୁଉଦିଆ ଖରା । ସେଇ ଖରାରେ ଘରକୁ ଫେରେ ଚୁଙ୍ଗୁଡ଼ି । ମୁଣ୍ଡ ଫାଟିଗଲା ପରି ଲାଗେ । ତତଲା ବାଲିରେ ପାଦ ଫୋଟକା ହୋଇଗଲା ପରି ଅନୁଭବ କରେ । ମୁହଁ ସିଝିଯାଇ ଏଣ୍ଡୁଅ ମୁହଁପରି ନାଲି ହୋଇଯାଏ । ଦଉଡ଼ି ଦଉଡ଼ି, ବହିବ୍ୟାଗ୍‌ ମୁଣ୍ଡ ଉପରେ ଥୋଇ, ନାଳପାଣି ଆଞ୍ଜୁଳା ଆଞ୍ଜୁଳା ମୁଣ୍ଡରେ ଛାଟି ସ୍କୁଲ୍‍ରୁ ଘରକୁ ଫେରେ ଚୁଙ୍ଗୁଡ଼ି । ଏକାଏକା, କୋଉ ସାଙ୍ଗ ସହିତ ନୁହେଁ । ସେହି ଗୋଠଛଡ଼ା ଢଙ୍ଗ ତା’ର ସବୁଦିନେ । ଆଗରେ ପଛରେ ତା’ର ଦଳଦଳ ପିଲା । ଜୋତା ଅଛି ସେମାନଙ୍କ ପାଦରେ । ଚୁଙ୍ଗୁଡ଼ି ଥରେ ଥରେ ସେଆଡ଼କୁ ଚାହେଁ । କିନ୍ତୁ ଖାତିର କରେ ନାହିଁ, ମନରେ ସେକଥା ପୂରେଇଲେ ନିଜ ଅଭାବଟା ଛାତିରେ ଖେଞ୍ଚି ହୋଇଯାଏ । ସେମାନଙ୍କ ହାତରେ ସୁନ୍ଦର ସାନ ସାନ ଛତା । ଚୁଙ୍ଗୁଡ଼ିର ଇଚ୍ଛାହୁଏ ସେଥିରେ ଟିକେ ମୁଣ୍ଡଗୁଞ୍ଜି ଚାଲିବାକୁ । ବେଳେବେଳେ ଡାକନ୍ତି ଚୁଙ୍ଗୁଡ଼ିକୁ ତା’ର ସାଙ୍ଗମାନେ । ଚୁଙ୍ଗୁଡ଼ି କିନ୍ତୁ ନାହିଁ କରେ । ତାକୁ ଭଲଲାଗେନି ସେମାନଙ୍କର ଦୟା । ସେଥିପାଇଁ ସେ ପଛକୁ ରହିଯାଏ । ସମସ୍ତଙ୍କ ମଝିରେ ଥାଇ ଯେମିତି ସେ କୋଉଥିରେ ନ ଥାଏ । ସମସ୍ତଙ୍କ ସହିତ ସମାନ ହେଲେବି ସେ ଯେମିତି ସ୍ୱତନ୍ତ୍ର । ବାରିହୋଇପଡ଼େ, ସେ କେମିତି ଭିନ୍ନେ, କେମିତି ଅଲଗା ।

 

ସ୍କୁଲ୍‍ରୁ ଫେରି ଚୁଙ୍ଗୁଡ଼ି ଗଡ଼ିଆରେ ଡିଏଁ । ଝାଳୁଆ ଦେହକୁ ଘୋଷାରି ଘୋଷାରି ଗଡ଼ିଆରେ ଖେଳେ । ପଡ଼ିଥାଏ ଚାରିଟା ପର୍ଯ୍ୟନ୍ତ । ବୋଉ ଡାକେ । ବିରକ୍ତ ହୁଏ । ସେ ଯେମିତି ବୁଡ଼ୁଥାଏ । ଗଡ଼ିଆର ଏ ମୁଣ୍ଡରେ ବୁଡ଼ି ପାଣି ଭିତରେ ଭିତରେ ଯାଇ ମୁଣ୍ଡ ଟେକେ ସେପାଖରେ । ଚିତ୍‌ହୋଇ ମଲାଙ୍କ ପରି ଭାସୁଥାଏ । ଚୁଙ୍ଗୁଡ଼ିକୁ ପହଁରାରେ କେହି ପାରିବେ ନାହିଁ । ମାଛବି ନୁହେଁ । ପାଣିରେ ଗୋଡ଼ ପିଟି ପିଟି, ମୁଣ୍ଡ ବୁଡ଼େଇ ହାତ ଲମ୍ବେଇ ପାଣିରେ ଭାସେ ଚୁଙ୍ଗୁଡ଼ି ।

 

ବୋଉ ବାଡ଼ିଧରି ଗୋଡ଼ାଏ ।

 

ଗଡ଼ିଆରୁ ଉଠିଲାବେଳକୁ ଚୁଙ୍ଗୁଡ଼ିର ମୁହଁ ନୀଳ ନୀଳ ଶେଥା ଦିଶୁଥାଏ । ବୋଉ ନିଆଁ ହୋଇଯାଏ, ଅଜସ୍ର ଗାଳିଖାଏ ଚୁଙ୍ଗୁଡ଼ି । ବୋଉ ମୁଣ୍ଡଦେହ ପୋଛିଦିଏ । ଶୁଖିଲା ଜାମାଦିଏ ପିନ୍ଧିବାକୁ । ଖୋଇଦିଏ । ଘର ଅନ୍ଧାର କରି ଶୋଇବାକୁ କୁହେ । ଚୁଙ୍ଗୁଡ଼ି କିନ୍ତୁ ଶୁଏ ନାହିଁ । ଶୋଇପାରେ ନାହିଁ ।

 

ବୋଉ ତା’ କାମସାରି ଆସେ । ଚୁଙ୍ଗୁଡ଼ିକୁ ପାଖରେ ଲଗାଇ ଶୁଆଏ । ହାତ ବିଞ୍ଚଣା ବୁଲାଏ । ଗୁଣୁଗୁଣୁ ହୋଇ ଗୀତ ଗାଏ । ନିଜ ପାପୁଲିକୁ ଚୁଙ୍ଗୁଡ଼ି ମୁଣ୍ଡରେ ଥାପୁଡ଼ାଏ । ଚୁଙ୍ଗୁଡ଼ିର ପିଠି ଆଉଁଶେ ।

 

ଚୁଙ୍ଗୁଡ଼ି ଆଖିଖୋଲି ପଡ଼ିଥାଏ ବୋଉ ଚାହିଁଥିବା ପର୍ଯ୍ୟନ୍ତ । ବୋଉର ଆଖିପତା ଯୋଡ଼ି ହେଲେ ତା’ର ଆଖି ଖୋଲିଯାଏ । ମନଉଡ଼େ । ଚୁପ୍‌କରି ଉଠି ଖସିଆସେ । ପାଦ ଚିପି ଚିପି ସନ୍ତର୍ପଣରେ ଘର କବାଟ ଆଉଜେଇଆଣି ଦୌଡ଼େ ଗଡ଼ିଆ ଆଡ଼େ । ଗଡ଼ିଆ ତୁଠରେ ବସେ । ଜିଆ ଖୋଳି କଣ୍ଟାରେ ଗୁନ୍ଥି ଲାଠି ପକେଇ ମାଛଧରେ । ଗଡ଼ିଆ ପାଣିରେ ତେରେଣ୍ଡା ଭାସେ, ମାଛ ଆସେ ଥୋପପାଖକୁ । ପାଟିମାରି ପୁଣି ଫେରେ । କିନ୍ତୁ ଛାଡ଼ିଯାଇ ପାରେ ନାହିଁ । ନାକେଇ ରହିଥାଏ । ସୁବିଧାଦେଖି ଥୋପଗିଳେ । ତେରେଣ୍ଡା ପାଣିରେ ବୁଡ଼ିଯାଏ । ଚୁଙ୍ଗୁଡ଼ି ଲାଠିଟାକୁ ମାଟି ଉପରକୁ ଛାଟିଦିଏ । ଖୁସିରେ କୁରୁଳିଉଠେ ଚୁଙ୍ଗୁଡ଼ି–ବଡ଼ମାଛ ଧରି ଆସେ ନାହିଁ ତାକୁ । କରାଣ୍ଡି ଖିଆ ବନିଶୀରେ ରୋହିମାଛ ଧରିବାର ଆଶା ମଧ୍ୟ କରେ ନାହିଁ ସେ । କରାଣ୍ଡି ଧରି ତା’ କୁନି ଅନ୍ତରରେ ଖୁସିରେ ଗୋଲାପ ଫୁଟେ । ବୋଉର ନିଦ ଭାଙ୍ଗେ ନାହିଁ । କେବେକେବେ ଭାଙ୍ଗିଯାଏ ମଧ୍ୟ । ବୋଉ ଡାକ ଛାଡ଼େ । ବାପା ଗାଳିଦିଅନ୍ତି । ମାରିବେ ବୋଲି ଧମକାନ୍ତି । ଚୁଙ୍ଗୁଡ଼ି କିନ୍ତୁ ସେ ଧମକକୁ ଡରେ ନାହିଁ । ସେ ଲୁଚେଇ ଲୁଚେଇ ହସେ । ପୁଣି ମନଦୁଃଖ କରେ । ବାପା ତା’ର ନିଜ ଚେଷ୍ଟାରେ ଠିଆହୋଇ ପାରନ୍ତି ନାହିଁ । ପାଦଟିଏ ଚାଲି ପାରନ୍ତି ନାହିଁ । ଆଉ ସେ ଯେ ଚୁଙ୍ଗୁଡ଼ିକୁ ମାରିପାରିବେ ନାହିଁ, ଏକଥା ଭଲ ଭାବରେ ଜାଣିଚି ଚୁଙ୍ଗୁଡ଼ି । ତଥାପି ସେ ଡରିଯାଏ । ହାତ ପାପୁଲି ମଳି ଡରିଲା ପରି ଅଭିନୟ କରି ସେଠୁ ଖସେ । ଚୁପ୍‍ହୋଇ ଶୋଇଯାଏ । ମିଛିମିଛିକା ଆଖି ବୁଜୁବୁଜୁ କେତେବେଳେ ତାକୁ ନିଦ ଘୋଟିଯାଏ ଜାଣିପାରେନି ।

 

ନିଦଭାଙ୍ଗିଲା ବେଳକୁ ସନ୍ଧ୍ୟା ନଇଁ ଆସିଥାଏ । ଚାରିଆଡ଼େ ନିସ୍ତବ୍ଧ–ନିରବ ଚୁପ୍‌ଚାପ୍‌ ।

 

ବୋଉ ଲଣ୍ଠନ ପୋଛୁଥାଏ । ଡିବି ଲଗାଏ, ସଞ୍ଜଦିଏ, ଆଳତିକରେ । ଚୁଙ୍ଗୁଡ଼ି ଠାକୁରଘରେ ପ୍ରାର୍ଥନା ବୋଲେ । ପଢ଼ିବସେ, ବୋଉ ତା’ କାମରେ ଲାଗିଯାଏ । ସବୁଦିନପରି ଅଟା ଚକଟେ । ରୁଟିସେକେ । ଖୁଡ଼ୀଙ୍କପାଇଁ ଦୁଧ ଆଉଟେ ସିକୁର ଅଝଟ ବୁଝେ ।

 

ସିକୁ ସତରେ ଦୁଷ୍ଟ ପୁଅଟିଏ । ବେଶିଗେହ୍ଲା–ବେଶି ଜିଦିଆ । ବୋଉକୁ ହଇରାଣ କରେ-। ବିରକ୍ତକରେ । ତଥାପି ବୋଉ ତାକୁ ଭଲପାଏ, ଆଦର କରେ । ଚୁଙ୍ଗୁଡ଼ିକୁ ବୋଉ ଭାରି ଅବୁଝା ଲାଗେ । ବଡ଼ ପ୍ରତିବାଦହୀନ ଜୀବନ ତା’ର । ଚୁଙ୍ଗୁଡ଼ି ଛାଁକୁ ଛାଁ ରାଗିଯାଏ ସିକୁ ଉପରେ ବିରକ୍ତ ହୁଏ । ଚିନୁଅପା ଆଗରୁ ଦିନେ ଦିନେ ଘର ଓଳେଇ ଦଉଥିଲା । କାହାକୁ କେମିତି ଖାଇବାକୁ ବାଢ଼ି ଦଉଥିଲା । ଏବେ ଆଉ କିଛି କରେ ନାହିଁ । ଘରୁ ବାହାରେ ନାହିଁ ।

 

ଚୁଙ୍ଗୁଡ଼ି ଅନୁଭବ କରେ । ଏବେ ଘରଟାରେ କେମିତି ଏକ ଦୁଃଖର ଛାୟା ମାଡ଼ିଯାଇଚି-। ଏକ ସର୍ବଗ୍ରାସୀ ଦୁଃଖ ପରିବାରଟାରେ ତା’ର କାୟା ବିସ୍ତାର କରି ରହିଚି । କାହାରି ମୁହଁରେ ହରଷ ନାହିଁ କାହା ଚେହେରାରେ ଚମକ ନାହିଁ । କାହାର ଆଖିରେ ଆଶାର ଜ୍ୟୋତି ନାହିଁ-। ସମସ୍ତଙ୍କ ମୁହଁ ଭାରାକ୍ରାନ୍ତ । ଯନ୍ତ୍ରଣାରେ, ଭୟରେ ବିକୃତ ଦେଖାଯାଏ । ଚୁଙ୍ଗୁଡ଼ି ବେଶି ଗହୀର କରି କିଛି ବୁଝେ ନାହିଁ । ତେବେ ଏତିକି ବୁଝେ ଯେ, ଚିନୁଅପା ପାଇଁ କିଛିଗୋଟେ ଗଣ୍ଡଗୋଳ ହୋଇଚି-। ଚିନୁଅପା ଲାଗି ତାଙ୍କର ଚିରପରିଚିତ ବାୟୁମଣ୍ଡଳରେ ଏକ ବିସ୍ଫୋରଣ ସଂଗଠିତ ହୋଇ ଯାଇଚି-

 

ଚିନୁଅପା ଭଲ ପାଉଥିଲା ଜ୍ୟୋତିମାମୁଙ୍କୁ । ସେ ଜ୍ୟୋତିମାମୁଙ୍କୁ ଗେଲକରୁଥିଲା । ସମସ୍ତେ କହୁଥିଲେ ସେ ଜ୍ୟୋତିମାମୁଙ୍କୁ ବାହାହବ । ମାତ୍ର ଜ୍ୟୋତିମାମୁ ଚିନୁଅପାଙ୍କୁ କାହିଁକି ବାହାହେଲେ ନାହିଁ, ସେକଥା ବୁଝେନାହିଁ । ତେବେ ଏତିକି ବୁଝେ ଯେ, ବାହା ନ ହୋଇ ଜ୍ୟୋତିମାମୁ କିଛି ଭଲ କଲେନି । ଚିନୁଅପା ତାଙ୍କୁ ମନେକରୁଚି । ତାଙ୍କୁ ଝୁରିହଉଚି । ତାଙ୍କରିପାଇଁ ଦୁଃଖ କରୁଚି, ଦୁଃଖ ପାଉଚି ।

 

ଜ୍ୟୋତିମାମୁ ବାହାହେଇ ସାରିଲେଣି, ଅନ୍ୟ ଝିଅକୁ । ଚିନୁଅପା ଏବେ ଆଉ ଯେତେ କାନ୍ଦିଲେବି କିଛି ଲାଭ ହେବନି । ଆଗ ଆଗ ଚିନୁଅପା ମୁହଁଲୁଚେଇ କାନ୍ଦୁଥିଲା । ଦୌଡ଼ିଆସୁଥିଲେ ଜ୍ୟୋତିମାମୁ ଆଦରକରି ପଚାରୁଥିଲେ । ରାଣଦେଇ ବୁଝାଉଥିଲେ । ନିଜ ପାପୁଲିରେ ତା’ ଆଖିରୁ ଲୁହ ପୋଛି ଦଉଥିଲେ ସେ ଲୁହ ଝରୁଥିଲା ତା’ର ଡୋଳାଉପରୁ । ମାତ୍ର ଆଜି ଚିନୁଅପାର ଛାତିରୁ ଝରୁଚି ରକ୍ତ ।

 

ଜ୍ୟୋତିମାମୁଙ୍କୁ ଆଉ ବାହାହୋଇ ପାରିବନି ଚିନୁଅପା ।

 

ତେବେ ଏତେ କାନ୍ଦୁଚି କାହିଁକି ? ଏମିତି ମୁହଁ ଶୁଖେଇ ହସୁଚି କାହିଁକି ?

 

ଚିନୁଅପା ସୁନ୍ଦରୀ । ଜ୍ୟୋତିମାମୁ ବାହାହେଲେନି ବୋଲି ତାକୁ କ’ଣ ଆଉ ବର ମିଳିବନି ବାହାହବାକୁ ?

 

ବାହାନହେଲେ କ’ଣ କାନ୍ଦନ୍ତି ? ବାହାଘରବେଳେ, ଶାଶୂଘରକୁ ଗଲାବେଳେ ଝିଅମାନେ ସୁଁ ସୁଁ ହୋଇ ବାହୁନି କାନ୍ଦିବାର ଶୁଣିଚି, ଦେଖିଚି ଚୁଙ୍ଗୁଡ଼ି । ମାତ୍ର ବାହାହେବାପାଇଁ, ବୋଉଠୁ ଦୂରେଇ ଯାଇ ଶାଶୂଘରକୁ ଚାଲି ଯିବାପାଇଁ କେହି କାନ୍ଦୁଥିବାର ଜାଣିନାହିଁ ସେ । ଚୁଙ୍ଗୁଡ଼ି ମନେମନେ ଆଶ୍ଚର୍ଯ୍ୟ ହୋଇଯାଏ । ତାକୁ ଏ ସବୁ କିଛି ଭଲ ଲାଗେନାହିଁ । ମନେମନେ ବିରକ୍ତ ହୁଏ ଚିନୁଅପା ଉପରେ ।

 

ଚିନୁଅପାଟା ଅଦ୍ଭୁତଟାଏ, ଫୁଲେଇଟାଏ ।

 

ଚୁଙ୍ଗୁଡ଼ି ମନେମନେ ଠିକ୍‌ କରିନିଏ, ସେ କେଭେ ବାହାହେବନି !!

 

ପୁଣିଭାବେ, ବାହାନହେଲେ ତାକୁ କିଏ ଚକୋଲେଟ୍ ଦବ ? କୁଣ୍ଢେଇ ଦବ ? ଗେହ୍ଲାକରିବ ?

 

ହଁ, ସେ ବାହାହବ । ନିଶ୍ଚୟ ବାହାହେବ । ଚୁଙ୍ଗୁଡ଼ି ତା’ ନିଜ ବାହାଘର କଥାଭାବେ । ମନକୁମନ ନିଜଭାବନାରେ ଫିକ୍‌ ଫିକ୍‌ ହସେ ।

 

ଚିନୁଅପା ବାହାହବାକୁ କାନ୍ଦୁଚି ।

 

ସେ ବାହାହବା କଥା ମନେକରି ମନକୁମନ ହସୁଚି ।

 

ଚିନୁଅପାକୁ କ’ଣ ବର ମିଳିବ ନାହିଁ ?

 

ଚୁଙ୍ଗୁଡ଼ିକୁ ସତରେ କ’ଣ କିଏ ବାହାହବାକୁ ରାଜିହବ ?

 

ତା’ର ସ୍କୁଲ୍‍ସାଙ୍ଗ ସେହି ଗୋରାହେଇ ଧେଡ଼ିଆ ଟୋକା ତପନ ତାକୁ ଥରେ କହିଥିଲା ବାହା ହେବବୋଲି । ତା’ ପାଟିରୁ ଏକଥା ଶୁଣି ଚୁଙ୍ଗୁଡ଼ି ଖାଲି ହସିଥିଲା । ଉତ୍କୁଳିତ ଝରଣା ପରି ହସି ହସି ଗଡ଼ିଯାଇଥିଲା ଚୁଙ୍ଗୁଡ଼ି । ତପନ ବୋକାଙ୍କ ପରି ଅନେଇ ରହିଥିଲା ତା’ର ଏଇସବୁ । ଚୁଙ୍ଗୁଡ଼ି ହସ ବନ୍ଦକରି ତପନ ମୁହଁକୁ ଚାହିଁ ପଚାରିଥିଲା ‘‘ତୁ କ’ଣ ମତେ କୁଣ୍ଢେଇ ଦେଇ ପାରିବୁ ? ନିତି ନିତି ଚକୋଲେଟ୍‌ ଦେଇପାରିବୁ ?’’ ତପନ ଗାଲଟିପି ଦେଲା ଚୁଙ୍ଗୁଡ଼ିର । କହିଥିଲା–‘‘ତତେ ମୁଁ ଗୋଟେ ଜିଇଁଲା କୁଣ୍ଢେଇ ଦେବି । ସେ ତୋ କୋଳରେ ବସିବ, ହସିବ, ଖେଳିବ’’ ଚୁଙ୍ଗୁଡ଼ି ବିଶ୍ୱାସ କଲାନାହିଁ । କରିପାରିଲା ନାହିଁ । କୁଣ୍ଢେଇ କୋଉଠି କଥା କୁହନ୍ତି ? ହସନ୍ତି ? ସୁଦୁ ମିଛ । ତପନ ସବୁବେଳେ ମିଛକୁହେ । ସୁଦୁ ମିଛୁଆଟା ଗାଲୁଆଟା ଆଉ ଗୁଲିଆଟା ଏଇ ତପନ ! ତା’ ସବୁଜ ସାଙ୍ଗେ ସାଙ୍ଗେ ‘କଟି’ ପକେଇ ଦେଲା ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ି ଖୁସି ହୋଇଗଲା, ତାକୁ ନିଶ୍ଚୟ ବର ମିଳିବେ । କେହି ନହେଲେ ତପନଟା ଚାକିରି କଲେ ସେ ତାକୁ ବାହାହବ ।

 

ଜ୍ୟୋତିମାମୁ ଚାକିରି କରି ସାରିଲା ପରେ ଚିନୁଅପାକୁ ଭୁଲିଗଲେ । ଚିନୁଅପା ଆଉକାହାକୁ ବାହାହୋଇ ପଡ଼ୁନି ?

 

ଚିନୁଅପାକୁ ବରମିଳୁନାହିଁ । ବରମିଳିବେ ନାହିଁ, ଏକଥା ଚୁଙ୍ଗୁଡ଼ି ଜାଣିଲା ବାପା ବୋଉଙ୍କ ଗପ୍‍ସପ୍‍ରୁ । ରାତିରେ ଚୁଙ୍ଗୁଡ଼ି ଘାଲେଇ ରହି ବାପା ବୋଉଙ୍କ ଗପ ଶୁଣିନେଲା ।

 

ଏକଥା ଶୁଣିବି କମ୍‌ ଖୁସି ହୋଇ ନଥିଲା ଚୁଙ୍ଗୁଡ଼ି ।

 

ଚିନୁ ଅପାକୁ ବର ମିଳିବେ ନାହିଁ, ଚିନୁଅପା ବାହା ହେବ ନାହିଁ । ସବୁଦିନ ରହିବ ତାଙ୍କରି ପାଖରେ । ତା’ର ପୁଅହବ । ସେ ବି ରହିବ ଏଇଠି । ଚୁଙ୍ଗୁଡ଼ି ଅତିରିକ୍ତ ଆନନ୍ଦରେ ଆଖି ବୁଜି ଦିଏ ।

 

ସେଦିନ ଆଉ ଗୋଟାଏ ଅଭିଶାପର ଦିନ ।

 

ବାହାରେ ଶରତଋତୁର ଜହ୍ନ । ଧଳାଧଳା ବଉଦ ଘେରିରହିଚି ଜହ୍ନକୁ । ବେଳେବେଳେ ଘୋଡ଼େଇ ଦଉଚି । ଚୁଙ୍ଗୁଡ଼ି ଦାଣ୍ଡଖଳାରେ ଖେଳୁଥିଲା । ଖପରାରେ ମାଟିଉପରେ ଗାରକାଟି ଘର କରୁଥିଲା । ଭଙ୍ଗା ଖପରା ଖଣ୍ଡକୁ ଫୋପାଡ଼ି ଫୋପାଡ଼ି ତା’ ପଛରେ ଗୋଟାଏ ଗୋଡ଼କୁ ଜାକିଧରି ଆଉ ମାତ୍ର ଗୋଟିଏ ଗୋଡ଼ରେ ଡିଏଁ । ଗାରମାଡ଼ିବ ନାହିଁ, ଖପରାକୁ ମାଡ଼ିବ ନାହିଁ । ଚୁଙ୍ଗୁଡ଼ିର ଭାରି ଲକ୍ଷ୍ୟ, ସହଜେ ହାରେ ନାହିଁ । ଦିନରେ ଏଇଖେଳ ଖେଳେ ଚୁଙ୍ଗୁଡ଼ି । ରାତିରେ ଖପରା ଗାର ମାଟି ଉପରେ ବାରି ହେବନାହିଁ । ସେଇଥିପାଇଁ ରାତିରେ ଗୁଡ଼ୁ ଗୁଡ଼ୁ ଖେଳେ । ଚୁଙ୍ଗୁଡ଼ିର ଭାରିରାହା-। ରାହାନେଇ ଗଲେ ଆରପଟରେ ନିଶ୍ଚୟ ଜଣେ ଦି’ଜଣ ମରିବେ । ଚୁଙ୍ଗୁଡ଼ିକୁ ନିଜପଟରେ ନେବାକୁ ସମସ୍ତେ ହାଇଁପାଇଁ । ଘରଭିତରୁ ପାଟି ଶୁଭିଲା । ବାପାଙ୍କର ଗର୍ଜନ ଶୁଭିଲା-। ବୁଝିପାରିଲା, ଚିନୁଅପା ଉପରେ ଗାଳି ହଉଚି । ଦୌଡ଼ିଆସିଲା ଘରକୁ । ସେଇ ଏକା କଥା-। ଚିନୁଅପା କାନ୍ଥକୁ ଆଉଜି ଛିଡ଼ା ହୋଇଚି । ବୋଉ ଆଖିରେ ଲୁଗାଦେଇ କାନ୍ଦୁଚି । ବାପା ଡାହାଣ ହାତରେ କପାଳ ଚିପୁଚନ୍ତି । ମଝିରେ ମଝିରେ କ’ଣସବୁ ବକି ଯାଉଚନ୍ତି । ମୁହଁ ବିକୃତ କରି କେତେକଅଣ କହି ଯାଉଚନ୍ତି । ତାଙ୍କ ଆଖିରୁ ଲୁହ ଝରୁନାହିଁ, ବେଶ୍‌ ରକ୍ତାଭ ଦେଖାଯାଉଚି ତାଙ୍କର ଆଖିଦି’ଟା । ରାଗରେ, ଦୁଃଖରେ, ଉତ୍ତେଜନାରେ, ନିଃସହାୟତାରେ ଚିନୁଅପା ବୋଉ ମୁହଁକୁ ଚାହୁଁଚି, ଚାହୁଁଚି ବାପାଙ୍କ ମୁହଁକୁ । ବଡ଼ ଅସହାୟ କରୁଣ ସେ ଚାହାଣି । ବାପା ପୁଣି କ’ଣ କହୁଚନ୍ତି-। ସେ ଚିନୁଅପାର ମୁହଁକୁ ଚାହୁଁନାହାନ୍ତି । ତା’ ଆଖି ସହିତ ଥରେବି ମିଶୁନାହିଁ ତାଙ୍କର ଆଖି-। ସେମିତି ତଳକୁ ଚାହିଁ, କଡ଼କୁ ଚାହିଁ, ଉପରକୁ ଦେଖି କ’ଣ ସବୁ କହି ଯାଉଚନ୍ତି ବାପା । ବୋଉ କିଛି କହୁ ନାହିଁ । କାନ୍ଦୁଚି ଖାଲି । ଚିନୁଅପା କାନ୍ଦୁନି, ହସୁନି, କିଛି କହୁନି । ତା’ର କିଛି କହିବାକୁ ନାହିଁ-। ପ୍ରତିରୋଧ କରିବାକୁ ନାହିଁ । ପ୍ରତିବାଦ କରିବାକୁ କିଛି ହେଲେ ନାହିଁ ତା’ର । ତା’ର ଭୁଲ୍ ସେ ବୁଝି ପାରୁଚି ଯେମିତି । ପ୍ରାୟଶ୍ଚିତ୍ତର ପଥନାହିଁ । ସେ ସବୁ ବୁଝୁଚି । କିଛି ଉପାୟ ନାହିଁ-। ତା’ର ଭବିଷ୍ୟତ୍ ଅନ୍ଧାର । ଶୂନ୍ୟତାର ସ୍ତୂପୀକୃତ ଦୁଃଖ । ସେହି ସ୍ତୂପୀକୃତ ଅନ୍ଧାରକୁ ନେଇ ସେ ଅନ୍ୟ କେଇଜଣଙ୍କର ଭାଗ୍ୟାକାଶକୁ ଅମାବାସ୍ୟାର ଅନ୍ଧାରରେ ଘନୀଭୂତ କରି ଦେବାକୁ ଅପେକ୍ଷା କରିଚି ଯାହା । ସେତିକି ତା’ର କ୍ଷମତାରେ । ସେତିକି ତା’ର ସାମର୍ଥ୍ୟ–ଆଉ କିଛି ନାହିଁ ।

 

ଚିନୁଅପା ଉଠିଲା । ସବୁ ଦିନପରି ଅଳସିଆ ଢଙ୍ଗରେ ଠିଆହେଲା । ସେମିତି ଉଦାସୀ ଆଖିରେ କ୍ଷଣକପାଇଁ ନିରେଖି ଦେଲା ବୋଉକୁ ବାପାଙ୍କୁ । ସେମାନଙ୍କର ଶେଥା ପଡ଼ିଯାଇଥିବା ମୁହଁର କାଗଜ ଉପରୁ ଦୁଃଖର ହତାଶାର ଲିପି ପଢ଼ିଲା ବୋଧହୁଏ । କେମିତି ନିଶ୍ଚିନ୍ତ ଲାଗିଲା ତା’ର ଚାହାଣି । ଭିଡ଼ିମୋଡ଼ି ହୋଇ ତା’ ରୁମ୍‍କୁ ଗଲା ଚିନୁଅପା । ଭିତରୁ କବାଟ ବନ୍ଦ କରିଦେଲା ।

 

ଏଇଟାତ ତା’ର ନିତିଦିନିଆ କଥା । ସବୁଦିନିଆ କାମ । କାହାରି ମୁଣ୍ଡ ବଥାଇଲା ନାହିଁ-। କେହି ବିକୃତ ହେବାର କାରଣ ଖୋଜିପାଇଲେନି ।

 

ସବୁଦିନିଆ ଧରାବନ୍ଧା ନିୟମରେ ବୋଉ ଥରେ ଦି’ଥର ଡାକିଲା । ସବୁଦିନ ପରି ଜବାବ ଆସିଲା ନାହିଁ । ବାପା ତାଙ୍କର ଚକଲଗା ଚଉକିରେ ବସି କବାଟ ପାଖରେ ଖାଇବାକୁ ଡାକିଲେ ।

 

ସବୁ ନିରବ ।

 

ସକାଳ ହେଲା । ସୁନେଲି ଅରୁଣାଲୋକରେ ଶରତ ସକାଳ ଝଲସି ଉଠିଲା । ଭିଣା ତୁଳାପରି ଧଳା ଧଳା ହାଲୁକା ବଉଦ ସବୁ ଆକାଶ ଛାତିରେ ଭାସିଲା । ହଳଦିବସନ୍ତ କୁଳୁରୁ କୁଳୁ କରି ବୋବେଇଲା ଡାଳରୁ ଡାଳ ଗଛରୁ ଗଛକୁ ଡେଇଁ ଡେଇଁ ବୁଲି ବୁଲି ।

 

ସକାଳ ନ’ଟା ବାଜିଲା । ଖୁଡ଼ୀଙ୍କ ଘର ଦରଜା ଖୋଲିଲା । ଖୋଲିଲା ନାହିଁ ଚିନୁଅପାର ଦୁଆର ।

 

ବୋଉ ଡାକିଲା । ଅନେକ ଡାକିଲା ଦୁଆର କଡ଼ାକୁ ହଲେଇ ହଲେଇ ଝଞ୍ଜିରଟାକୁ କବାଟରେ ପିଟି ପିଟି ବଡ଼ପାଟିରେ ଚିନୁଅପାର ନାଁ ଧରି ଡାକିଲା ବୋଉ । ଡାକିଲା, ଅନେକ ଡାକିଲା । ଦୁଆର ପାଖରେ ‘ଚା’ ଥୋଇଦେଇ ଅନ୍ୟକାମରେ ମନଦେଲା ବୋଉ ।

 

ଦୁଆର ପାଖରେ ଥୁଆହୋଇଥିବା ‘ଚା’ ଥଣ୍ଡା ହେଲା ।

 

ଖୁଡ଼ୀ ଗାଧୋଇସାରି ଖିଆପିଆ ସାରିଲେ । ବାପା, ସିକୁକୁ ଖାଇବାକୁ ଦେଇସାରି ବୋଉ ପୁଣି ଆସିଲା ଚିନୁଅପାର ଦୁଆର ପାଖୁ ।

 

ବାପା ଡାକିଲେ, ଖୁଡ଼ୀ ଡାକିଲେ । ହାତମୁଠାରେ ପିଟିପିଟି ଡାକିଲେ ।

 

ତଥାପି ଚିନୁଅପା ନିରବ । ତା’ କବାଟ ଖୋଲିଲା ନାହିଁ ।

 

କେମିତି ଖୋଲିଥାନ୍ତା ଯେ ? ତା’ର ବଞ୍ଚିଥିବା ଦେହଟା ପରଦିନ ରାତିରୁ ଲୁଗାର ଫାଶତଳେ ଶୋଇଯାଇଚି ସବୁଦିନପାଇଁ ।

 

ଶୋଇଯାଇଚି–ସବୁଦିନପାଇଁ ।

 

ଚିନୁଅପା ମରିଗଲା । ଆତ୍ମହତ୍ୟା କରିଦେଲା । ନକରି ତା’ର ଅନ୍ୟ ଉପାୟ କିଛି ନଥିଲା ସମସ୍ତେ କହିଲେ । ଚିନୁଅପା ମରିଗଲା ! ବେକରେ ଲୁଗା ଫାଶକରି ଚାଳଉପରୁ ଝୁଲି ପଡ଼ିଚି ଚିନୁଅପା । ଆଖିଦୁଇଟା ଡିମାଡିମା ହୋଇ ବାହାରିପଡ଼ିଚି ପଦାକୁ । ମୁହଁ ନୀଳ । ଜିଭଟା ପଦାକୁ ବାହାରି ଯାଇଚି । ଦାନ୍ତରେ କାମୁଡ଼ି ହୋଇ ଯାଇଚି ଜିଭଟା । ଓଠ ଫାଙ୍କଦେଇ ଚବକାଏ ରକ୍ତ ବହି ଆସିଚି ବେକ ଆଡ଼କୁ, ଖୁଖି କଳା ହୋଇ ଯାଇଚି । ବାଳଗୁଡ଼ାକ ଖୋଲିଯାଇ ମୁହଁଟାକୁ ଅଧାଘୋଡ଼ା କରି ଦେଇଚି ! ଚିନୁଅପାର ମୁହଁଟା ଏମିତି ଭୟଙ୍କର କାହିଁକି ଦିଶୁଚି !!

 

ସେଦିନ ବୋଉ, ସିକୁ, ଚୁଙ୍ଗୁଡ଼ି ସମସ୍ତେ ମିଶି ଚିନୁଅପାର ମରିଯାଇଥିବା ସୁନ୍ଦର ଦେହଟାକୁ ନିହାତ ଅନ୍ତରଙ୍ଗଭାବେ ଜାବୁଡ଼ି ଧରି ଅନେକ ବେଳ ପର୍ଯ୍ୟନ୍ତ ବାହୁନି ବାହୁନି କାନ୍ଦିଥିଲେ । ବାପାଙ୍କ ନିଜ ଛାତିଟାକୁ ପାପୁଲିରେ ଚାପି କାନ୍ଦିଥିଲେ ଆଖି ଫୁଲି ଯାଇଥିଲା ତାଙ୍କର-

 

ଚୁଙ୍ଗୁଡ଼ିର କଅଁଳ ମନରେ ଗୋଟାଏ ବିରାଟ ପୋଡ଼ାଦାଗ ହୋଇଗଲା ।

 

ଚିନୁଅପା ମରିଗଲା । ସତ ଲାଗେନି ତାକୁ ।

 

ସୂର୍ଯ୍ୟ ସବୁଦିନପରି ଠିକ୍‌ ସମୟରେ ଆକାଶକୁ ଆସିବ ଯିବ । ଠିକ୍‌ ପନ୍ଦର ଦିନକୁ ପନ୍ଦର ଦିନ ଜହ୍ନ ଖେଳିବ–ବର୍ଷାହବ–ଖରାହବ ସନ୍ଧ୍ୟା–ରାତି ସବୁ ସବୁ । ଠିକ୍‌ ଆଗପରି !

 

ଚିନୁଅପା ଆଉ କେବେ ଆସିବ ନାହିଁ ।

 

ମରିଗଲେ ଆଉ ଫେରନ୍ତି ନାହିଁ, ଏକଥା ସେତେବେଳେ ଏତେ ନିଷ୍ଠୁରଭାବେ ବିଶ୍ୱାସ କରୁ ନଥିଲା ଚୁଙ୍ଗୁଡ଼ି । ନିଜ ଅଜାଣତରେ ସେ ଚିନୁଅପାକୁ ପ୍ରତୀକ୍ଷା କରିଚି । ତା’ର ଆଶାଅଛି ଯେକୌଣସି ମୁହୂର୍ତ୍ତରେ ତା’ର ଚିନୁଅପା ସହିତ ସାକ୍ଷାତ ହୋଇଯାଇପାରେ । ସେଇଦିନୁ ବୋଉକୁ କେବେ ହସୁଥିବାର ଦିନେ ଦେଖିନି । ସବୁବେଳେ ଅନ୍ୟମନସ୍କ । ଭାରୀ ଭାରୀ । ବୋଉ ଏଥିପାଇଁ ଦାୟୀକରେ ବାପାଙ୍କୁ ।

 

ବାପା ଦୋଷ ଦିଅନ୍ତି ବୋଉର ।

 

ବୋଉ କୁହେ ବାପାଙ୍କର ଅସାମର୍ଥ୍ୟ ଅଯୋଗ୍ୟ ପିତୃତ୍ୱପାଇଁ ଚିନୁଅପାର ବିପର୍ଯ୍ୟୟ । ବାପା କୁହନ୍ତି ବୋଉର ଅନୁଚିତ ନିର୍ବେଦତା ପାଇଁ ଚିନୁଅପାର ଜୀବନ ଯବନିକା ଏମିତି ଅସମୟରେ ଅତର୍କିତ ଭାବରେ ପଡ଼ିଗଲା ।

 

ବାପା ବୋଉଙ୍କ ଭିତରେ କଳିହୁଏ ।

 

ସିକୁଟା ମେଁ ମେଁ ହୋଇ କାନ୍ଦେ ।

 

ଚିନୁଅପା ମରିଯିବାର ଦୁଃଖ ସମସ୍ତଙ୍କ ଛାତିରେ ଅଜସ୍ର ତୀରହୋଇ ଫୁଟି ଯାଇଚି । ଚୁଙ୍ଗୁଡ଼ିକୁ କିଛି ଭଲଲାଗେ ନାହିଁ । ପାପୁଲିରେ ମୁହଁ ଲୁଚେଇ ସିଏବି କାନ୍ଦେ ।

 

ଚୁଙ୍ଗୁଡ଼ି କାନ୍ଦିଲେ ସହିପାରେନି ତପନ ।

 

ଆସେ, ପାଖରେ ବସେ । ଚୁଙ୍ଗୁଡ଼ିର କାନ୍ଦ ବଢ଼େ । ପାପୁଲି ମୁହଁରେ ଚାପି ଲୁହଗଡ଼ାଏ ସେ । ତପନ ଚୁଙ୍ଗୁଡ଼ିର ହାତଟା ମୁହଁ ଉପରୁ ଛଡ଼େଇ ଦେଇ ନିଜ ହାତରେ ଲୁହପୋଛେ । କୁତ୍‌କୁତ୍ କରେ । ଚୁଙ୍ଗୁଡ଼ି ହସେ । ତପନ ତାକୁ ବୁଝାଏ । ତପନ ତାକୁ ଖୁବ୍‌ ଭଲ ପାଏ ବୋଲି କୁହେ । ଯିଏ ମରିଯାଏ ସିଏ ଫେରେନାହିଁ । ଚିନୁଅପା ଫେରିବନାହିଁ । ବଞ୍ଚିଥିବା ମଣିଷ ହସଖୁସିରେ ରହିଲେ ଭଗବାନ ଖୁସିହେବେ । କାନ୍ଦିବାଠାରୁ ପାପ ଆଉ କିଛି ନାହିଁ । ମନଦୁଃଖ କରିବାଠାରୁ ଭୁଲ୍ ଆଉ କିଛି ନାହିଁ ।

ତପନ ଚୁଙ୍ଗୁଡ଼ିକୁ ଡାକେ । ହାତଧରି ଟାଣିନିଏ ଚୁଙ୍ଗୁଡ଼ିର ।

ଚୁଙ୍ଗୁଡ଼ି ତପନ ସହିତ ଲୁଚକାଳି ଖେଳେ । ରୁମାଲ ବାନ୍ଧେ ତପନ ଆଖିରେ । ଗୋଡ଼ାଏ ଚୁଙ୍ଗୁଡ଼ିକୁ ଛୁଇଁଦବାକୁ । ଚୁଙ୍ଗୁଡ଼ି ଛୁଆଁ ଦିଏ ନାହିଁ, ଚୁଙ୍ଗୁଡ଼ିକୁ ଧରିପାରେ ନାହିଁ ତପନ । ସେ ଦଉଡ଼େ-। ଛକି ଛକି ତପନର ଠିକ୍‌ ପଛରେ ତାଳିଟେ ମାରିଦେଇ ପୁଣି ଦୂରେଇ ଯାଏଁ । ତପନ ଚମକେ-। ଚତୁର ହୋଇଯାଏ । ତାଳିଶୁଣି ବୁଲିପଡ଼ି ହାତପହଁରାଏ । ଧରିନିଏ ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ହାରିଯାଏ-। ମନଦୁଃଖ କରେ । ସେ ହୁଏ ଚୋର । ତପନ ତା’ ଆଖିରେ ଭିଡ଼ିଦିଏ ରୁମାଲ ଟାଣକରି । ଚୁଙ୍ଗୁଡ଼ିର ଗୋରାମୁହଁ ନାଲି ପଡ଼ିଯାଏ । ତପନ ମନଦୁଃଖ କରେ । କାନଧରେ, ଭୁଲ୍‍ମାଗେ । ପୁଣି ହୁଗୁଳା କରି ବାନ୍ଧେ । ସବୁ ଦେଖି ପକାଏ ଚୁଙ୍ଗୁଡ଼ି । ଦେଖିପକାଏ ତପନ କୋଉଠି ଅଛି । ଛୁଇଁଦିଏ ତପନକୁ । ତପନ ହୁଏ ଚୋର ।

ଚୁଙ୍ଗୁଡ଼ି ଧରାପଡ଼ି ଚୋର ହେଲେ ମନଦୁଃଖ କରେ । ତାକୁ କାନ୍ଦମାଡ଼େ ।

ତପନ ଧରାପଡ଼ି ଚୋର ହେଲେ ଖୁସିହୁଏ । ବେଶି ହସେ ।

ଚୁଙ୍ଗୁଡ଼ିକୁ କଷ୍ଟହୁଏ ତପନକୁ ଧରିବାକୁ । ମାତ୍ର ତପନକୁ ସେତିକି ବେଶି ଖୁସି କରାଏ । ଚୁଙ୍ଗୁଡ଼ିକୁ ଗୋଡ଼େଇ ଗୋଡ଼େଇ ଧରିପକେଇ ଚୋର କରି ଦେବାକୁ ସବୁଠୁ ବେଶି ମଜାଲାଗେ ତାକୁ ।

 

ତପନ ଭଲପାଠ ପଢ଼େ ନାହିଁ । ଖେଳୁଆଡ଼ ଏଇ ତପନ । ଅଙ୍କ ଆସେ ନାହିଁ, ରଚନା ଲେଖିପାରେ ନାହିଁ ବୋଲି ସ୍କୁଲ୍‍ରେ ମାଡ଼ଖାଏ ତପନ । ଏକଗୋଡ଼ିଆ ଠିଆହୁଏ । କାନଧରି ଉଠବସ ହୁଏ । ଖରାରେ ଆଣ୍ଠୁମାଡ଼ି କାନଧରି ବସେ । ସବୁ ଦିନେ ସ୍କୁଲ୍‍ରେ ତା’ପାଇଁ କିଛିନା କିଛି ପନିଶ୍‍ମେଣ୍ଟ ରହିଥାଏ ।

 

ଚୁଙ୍ଗୁଡ଼ି କ୍ଲାସ୍‍ର ଫାର୍ଷ୍ଟପିଲା । ତାକୁ ଏସବୁ ଦେଖିବାକୁ ମଜାଲାଗେ ।

 

ଚୁଙ୍ଗୁଡ଼ି ବେଳେବେଳେ ତପନ ମାଡ଼ଖାଇଲାବେଳେ ହସେ ।

 

କିନ୍ତୁ ବେଳେବେଳେ ମନଦୁଃଖ କରେ । ସାର୍‌ ଯେତେବେଳେ କାନମୋଡ଼ି ଠାଏଠାଏ ଚାପଡ଼ା ବସାନ୍ତି, ତପନର ଗୋରା ମୁହଁ ନାଲି ପଡ଼ିଯାଏ । ଚୁଙ୍ଗୁଡ଼ି ସହିପାରେ ନାହିଁ । ଇଚ୍ଛାହୁଏ ତା’ରିପାଇଁ ମାଡ଼ଖାଇ ତାକୁ ଉଦ୍ଧାର କରିବାକୁ । ତା’ରି ପନିଶ୍‍ମେଣ୍ଟକୁ ଅଧାଅଧା ବାଣ୍ଟି ନେବାକୁ । ତା’ ଯନ୍ତ୍ରଣାରୁ କିଛି ନିଜେ କିଣି ନବାକୁ ।

 

ପରଦିନ ତପନକୁ ନିଜ ଅଙ୍କଖାତା ବଢ଼େଇଦିଏ । ରଚନା ଲେଖିଦିଏ । ସବୁ କପିକରି ପକାଏ ତପନ । ଆଉ ମାଡ଼ଖାଏ ନାହିଁ । ପନିଶ୍‌ମେଣ୍ଟରୁ ତ୍ରାହି ପାଇ ଯାଏଁ । ଥରେ ତପନର ରଚନାଖାତାରେ ଚୁଙ୍ଗୁଡ଼ି ଅକ୍ଷର ଧରାପଡ଼ିଗଲା । ତପନକୁ ପାଖକୁ ଡାକି ସାର୍‌ ପଚାରିଲେ । ତପନ ଜମାରୁ କହିଲା ନାହିଁ ଚୁଙ୍ଗୁଡ଼ିର ନାଁ । ନହକା ସରୁଆ ବେତରେ ତପନକୁ ପିଟି ପକେଇଲେ ସାର୍‌ । ତଥାପି ତା’ ପାଟିରୁ ବାହାରିଲା ନାହିଁ ଚୁଙ୍ଗୁଡ଼ିର ନାଁ । ତପନକୁ ସେଦିନ ଚାରିଟା ପରେ ଆହୁରି ଘଣ୍ଟାଏ ସ୍କୁଲ୍‍ରେ ଅଟକି ରହିବାର ଦଣ୍ଡାଦେଶ ହେଲା ।

 

ପେଟୁ ତପନ ଅଟକି ରହିବ ସ୍କୁଲ୍‍ ଛୁଟିପରେ ଆହୁରି ଘଣ୍ଟାଏ ।

 

ସ୍କୁଲ୍‍ର ଶେଷଘଣ୍ଟା ବାଜିଲା ।

 

ସବୁପିଲା ସ୍କୁଲ୍‍ଗେଟ୍ ପାରିହୋଇ ଘରକୁ ଫେରିଲେ । ଚୁଙ୍ଗୁଡ଼ି କିନ୍ତୁ ସେଇ ଗେଟ୍‌ ପାଖରେ ଠିଆହୋଇ ରହିଲା ।

 

ଘଣ୍ଟାକ ପରେ ତପନ ଛୁଟିପାଇଲା । ଘରକୁ ଯିବାର ଅନୁମତି ପାଇଲା ।

 

ଗେଟ୍‌ ପାଖରେ ଚୁଙ୍ଗୁଡ଼ିକୁ ଦେଖି ପଚାରିଲା ‘‘ତୁ ଯାଇନୁ ? ତତେ ଭୋକ ହଉନି ?

 

–ନା–

 

ତତେତ ସାର୍‌ ଦଣ୍ଡ ଦେଇ ନାହାନ୍ତି ?

 

–ନା, କିନ୍ତୁ ମୁଁ ତତେ ଦଣ୍ଡ ଦବାକୁ ଅଟକି ରହିଚି । ଅପେକ୍ଷା କରିଚି । ତୁ କାହିଁକି ଆଜି କ୍ଲାସ୍‍ରେ ମାନିଲୁ ନାହିଁ ଯେ ତୋ ଖାତାରେ ମୋର ଅକ୍ଷର ଥିଲା ? ତପନ ଏଥର ଚୁଙ୍ଗୁଡ଼ି ପାଖକୁ ଲାଗିଆସିଲା । ତୁଟା ଭାରି ହୁଣ୍ଡୀ ଚୁଙ୍ଗୁଡ଼ି । ଜାଣିଚୁ କପି କରିଥିବା ଲୋକର ଯେତିକି ଦୋଷ କପି ଯୋଗେଇ ଥିବା ଲୋକର ସେତିକି । ତୋ ଅକ୍ଷର ଜାଣିଥିଲେ ସେ ପେଟୁ ମାଷ୍ଟର ତତେ ପିଟିପକେଇ ଥାନ୍ତା ! ସ୍କୁଲ୍‍ ଛୁଟିପରେ ତତେ ମୋ ସହ ଅନ୍ଧାର ଘରଟାରେ ବନ୍ଦକରି ଅଟକେଇ ରଖିଥା’ନ୍ତା । –ଘଣ୍ଟାଏ । ବେଶ୍‌ତ ! ଭଲ ହୋଇଥାନ୍ତା । ତୋର ମୋର ଗପ କରିଥାନ୍ତେ । ଇଟିକିଲି ମିଟିକିଲି, ଫୁଲପ୍ରଶ୍ନ, ଶୁଆସାରୀ ଖେଳ ଖେଳିଥାନ୍ତେ । କାହାକୁ ପନିଶ୍‍ମେଣ୍ଟ ବାଧି ନଥାନ୍ତା–‘‘ଚୁଙ୍ଗୁଡ଼ିର ବେଶ୍‌ ସହଜ କଣ୍ଠସ୍ୱର ।’’

 

ତପନ ଚୁଙ୍ଗୁଡ଼ି କାନ୍ଧରେ ହାତରଖିଲା–ନିଜ ପାପୁଲିରେ ଦୀପ କରି ସେଥିରେ ତା’ ପାଟି ଆଉ ଚୁଙ୍ଗୁଡ଼ିର କାନ ନେଇ ଚୁପି ଚୁପି କହିଲା ‘‘ତା’ ହୋଇଥିଲେ ପିଲାମାନେ ତୋ ନାଁକୁ ମୋ ନାଁ ମିଶାଣ ଚିହ୍ନ ଦେଇ ଗାଧୁଆଘର କାନ୍ଥରେ ଲେଖିଦେବେ ।’’ ଚୁଙ୍ଗୁଡ଼ି ସାଙ୍ଗେ ସାଙ୍ଗେ ଚିହିଁକି ଉଠିଲା-। ଉଚ୍ଚସ୍ୱରରେ କହିଲା, ଯାଉନୁ ବାଞ୍ଛୁ ! ଆମ କ୍ଲାସ୍‍ରେ କୋଉ ପିଲାଟାକୁ ଆଗ ଭଲ ମିଶାଣ ଆସେ କହିଲୁ ? କିଏ ମତେ ପାରିବ ? ତୁ ବି ତ ଗଧ । ବଡ଼ ମିଶାଣ ଦେଲେ ତୁ ବି ଭୁଲ୍ କରିବୁ-। ତପନ ହସିଥିଲା କିଛି କହି ନଥିଲା । ଦୁହେଁ ଦୁଇପଟକୁ ଚାଲିଯାଇଥିଲେ । ତପନ ସହିତ ସ୍କୁଲ୍‍ ଖେଳଛୁଟିବେଳେ ଚୁଙ୍ଗୁଡ଼ି ଲୁଚିଆସି ନାଳ କଡ଼ରେ ବୁଲେ । ତପନ ଆମ୍ବଗଛରେ ଚଢ଼େ-। ବରକୋଳି କଣ୍ଟା ନମାନି ଚଟପଟ ମାଙ୍କଡ଼ ପରି ଚଢ଼ିଯାଏ ତପନ । କୋଳି ପକାଏ । ଅଣ୍ଟିରେ ଗୋଟେଇ ରଖେ ଚୁଙ୍ଗୁଡ଼ି । ତପନ ମଜା କରିବାକୁ, କୋଳିଖାଇ ମଞ୍ଜି ଛାଟେ ତା’ ଉପରକୁ-। ସତକୁସତ ରାଗିଯାଏ ଚୁଙ୍ଗୁଡ଼ି । ଦଉଡ଼ି ଦଉଡ଼ି ଏକା ଚାଲିଆସେ ସ୍କୁଲ୍‍କୁ । ତପନ ଫେରିଲା ପରେ କଥା କୁହେନି ତା’ ସହିତ କାନ୍ଦେ । ମନେକରେ ଅପାକୁ । ମନେକରେ ଜ୍ୟୋତିମାମୁଙ୍କୁ । ତାକୁ କିଛି ଭଲ ଲାଗେନି ।

 

ଘରକୁ ଆସେ । ଘର ! ଚୁଙ୍ଗୁଡ଼ି ନିଜଘରେ ବେଶି ନିରାଶ୍ରୟ ହୋଇଯାଏ । ବୋଉର ଅଣ୍ଟାଦରଜ ବଢ଼େ । ଗୋଡ଼ ଧରେ । ଆଣ୍ଠୁଗଣ୍ଠି ବିନ୍ଧେ । ବୋଉ ଶେଯରେ ଲାଗିପଡ଼େ । ମିଟିମିଟି ଅନାଏ । ବଡ଼ କରୁଣ, ସ୍ଥିର ନିସ୍ପନ୍ଦ ସେ ଚାହାଣି । ଏତେ କାମିକା ମଣିଷଟା ନିରବ ନିଥର ହୋଇ ଗୋଟିଏ ଜାଗାରେ ପଡ଼ିରହିଥାଏ । ମନେ ହୁଏ ଯେମିତି ପୃଥିବୀରେ କିଛି ଘଟୁନାହିଁ । ପବନ ଚଳାଚଳ ବନ୍ଦ ହୋଇ ଯାଇଚି । ସମୁଦ୍ର ଛାତିରେ ଢେଉ ପିଟୁନାହିଁ, କିଛିନାହିଁ କିଛିନାହଁ । ଏମିତିକି ନିୟମରେ ନିଜ ଚାରିପଟରେ ଚକା ଭଉଁରି ଖେଳୁଥିବା ପୃଥିବୀଟାବି ଚୁପ୍‌ ହୋଇ ଯାଇଚି ବୋଉ ସହିତ ।

 

ବୋଉ କିଛି କାମ କରିପାରେ ନାହିଁ ।

 

ଚୁଙ୍ଗୁଡ଼ିର ପରୀକ୍ଷା ।

 

ଖୁଡ଼ୀଙ୍କର ଖାଇବା ପିଇବା ଅସୁବିଧା ହେଲା । ସେ ଚାଲିଗଲେ କାକାଙ୍କ ପାଖକୁ । କିନ୍ତୁ ବୋଉର ଦେହ ଭଲ ହେଲା ନାହିଁ । ଦିନକୁଦିନ ବେଶି ଦୁର୍ବଳ ହୋଇ ପଡ଼ିଲା ବୋଉ । କିଛି ଖାଇଲା ନାହିଁ । ଔଷଧ ଟିକିଏ ପାଇଲା ନାହିଁ ।

 

ଚୁଙ୍ଗୁଡ଼ି ସ୍କୁଲ୍‍ ବନ୍ଦ କଲା । ନିଜେ ରୋଷେଇ କରି ବାପାଙ୍କୁ ଖାଇବାକୁ ଦେଲା । ସିକୁକୁ ଦୁଧ ପେଇଲା । କାନ୍ଦିଲେ, ଫୁଲ, ପତର, ନିଜ ଖେଳଣା ଦେଇ ଝୁଲେଇଲା । ବୋଉକୁ ‘ଚା’ କରିଦେଲା । ତଥାପି ବୋଉର କମିଲା ନାହିଁ ।

 

ଚୁଙ୍ଗୁଡ଼ି ନିଜର କଅଁଳ ଛୋଟ ଛୋଟ ପାପୁଲିରେ ବୋଉର ମୁଣ୍ଡ ଚିପିଦିଏ । ହାତପାଦ ଆଉଁଶି ଦିଏ । ବୋଉ ଚାହେଁ ହାତଠାରି ମନାକରେ । ଶୋଇପଡ଼ିବାକୁ କୁହେ । ଚୁଙ୍ଗୁଡ଼ି କାନ୍ଦିଲା, ଅନେକ କାନ୍ଦିଲା । ବାଡ଼ିପାଖ କନିଅର ଗଛରୁ ଥାକଥାକ ହଳଦୀ ରଙ୍ଗର ଫୁଲତୋଳି ବିଲ ମଝି ବରଗଛ ମୂଳ ସିନ୍ଦୂରମଣ୍ଡିକି ପୂଜାକଲା । ପଣାଦେଲା । ପତାକା ମନାସିଲା । କେହି ଶୁଣିଲେ ନାହିଁ-

 

ସିନ୍ଦୂର ମୁଣ୍ଡିତ ପଥରଟା !! ତୁଚ୍ଛା ପଥର ମୁଣ୍ଡାଟା !!

 

ତା’ର କାନନାହିଁ ହାତ ନାହିଁ, ପାଟି ନାହିଁ । ଖାଲି ରୁପାର ଆଖିଦି’ଟା !

 

ସେ ଆଖିଦି’ଟାବି, କାକା ଚାକିରି ପାଇଲା ପରେ ବାପା ଦେଇଚନ୍ତି ବୋଲି, ଶୁଣିଚି । ସେ ସମସ୍ତଙ୍କ ଦୁଃଖ ଦେଖିବ । ସବୁ ଦେଖିବ, ଖୁସିହବ, ଆଉକିଛି ନୁହେଁ ।

 

କାହାକୁ କିଛି ନ କହି ଦିନେ ଚୁପ୍‌କିନି ବୋଉ ଚାଲିଗଲା । ଚିନୁଅପା ପାଖକୁ ।

 

ବୋଉର ସୁନ୍ଦର ଗୋରା ଦେହଟାକୁ ସେମାନେ ଗୁଡ଼େଇ ଧରି ମଶାଣିକୁ ନେଇଗଲେ । ଚୁଙ୍ଗୁଡ଼ିକୁ ଛାଡ଼ିଲେ ନାହିଁ । କିନ୍ତୁ ଚୁଙ୍ଗୁଡ଼ି ଜାଣିଲା, ସେଠି ତାକୁ ନିଆଁ ଲଗେଇ ପୋଡ଼ିଦବାକୁ ନେଇ ଯାଇଛନ୍ତି ।

 

ଚୁଙ୍ଗୁଡ଼ି ଦେଖିଲା–ଆକାଶ ଉପରକୁ ନିଆଁର ଶିଖା ଉଠିଚି । ଭାରି ଭୟଙ୍କର ନିଷ୍ଠୁର ସେ ନିଆଁର ଶିଖା । ଭାରି ବାସ୍ତବ ଆଉ କଠୋର । ସେଇ ଆଡ଼କୁ ଚାହିଁରହି ଚୁଙ୍ଗୁଡ଼ି ଆଖିରୁ ଝରି ପଡ଼ୁଥିଲା ଅଜସ୍ର ଲୁହର ଅସରା ଅସରା ବର୍ଷା । ଲୋକମାନେ ମଶାଣିରୁ ଫେରିଲା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା । ଚୁଙ୍ଗୁଡ଼ି ଅତି ସନ୍ତର୍ପଣରେ ଲୁଚି ଲୁଚି ଚାଲିଗଲା ମଶାଣିକୁ ସେଇଠିକି, ଯୋଉଠି ବୋଉର ଦୁର୍ଲ୍ଲଭ ଦେହଟା ପାଚିଆଏ ପାଉଁଶ ପାଲଟି ଯାଇଚି । ସବୁ ଶୂନଶାନ୍ । ସବୁ ସ୍ତବ୍ଧ । ଶିଖା ଲିଭିଆସିଲାଣି । ପାଉଁଶତଳେ ରଡ଼ନିଆଁ ଡହକୁଚି । ଖଣ୍ଡେକାଠ ବଳିପଡ଼ି କୁହୁଳୁଚି, ଅଳ୍ପ ଅଳ୍ପ ଧୂଆଁ ବାହାରୁଚି ସେଇଠୁ । ଚୁଙ୍ଗୁଡ଼ି ଉଚ୍ଚସ୍ୱରରେ ଭୋ ଭୋ ହୋଇ କାନ୍ଦି ପକେଇଲା । କିଛି ନଥିବାର ଶୂନ୍ୟତାରେ ହାହାକାର କରିଉଠିଲା ତା’ର ଶାନ୍ତ କୋମଳ ଅନ୍ତରଟି । ଚୁଙ୍ଗୁଡ଼ି ସେହିଦିନ ପ୍ରଥମଥର ପାଇଁ ଅନୁଭବ କଲା, ସେ ନିହାତ ଏକୁଟିଆ ହୋଇ ଯାଇଚି ଏ ବିରାଟ ପୃଥିବୀଟାରେ, ତା’ର ନିଜର ବୋଲି କେହି ଜଣେ ହେଲେ ନାହାନ୍ତି । ଯୋଉମାନେ ତା’ର ହୋଇଥିଲେ, ଯୋଉମାନଙ୍କୁ ଚୁଙ୍ଗୁଡ଼ି ତା’ର ନିଜର ବୋଲି ଭାବୁଥିଲା ସେମାନେ ସମସ୍ତେ ଜଣକ ପରେ ଜଣେ ନିହାତ ସ୍ୱାର୍ଥପରଭାବେ ନିପଟ ପର ହୋଇଗଲେ ।

 

ଜ୍ୟୋତିମାମୁ ଆଉ ଆସନ୍ତି ନାହିଁ ।

 

ଚିନୁଅପା ଆଉ ଆସିବ ନାହିଁ ।

 

ଏବଂ ଆସିବ ନାହିଁ ତା’ ବୋଉ ।

 

ଚୁଙ୍ଗୁଡ଼ି ପାପୁଲିରେ ମୁହଁ ଲୁଚେଇ ଚିତ୍କାର କରି କାନ୍ଦେ । ତଥାପି କାହା କାନରେ ପଡ଼େନାହିଁ ସେ କାନ୍ଦ । ବାପା ବଲବଲ କରି ଚାହାନ୍ତି । କିଛି କହନ୍ତି ନାହିଁ । ତାଙ୍କ ଆଖିରୁ ଠିକ୍‌ ଲୁହ ଝରୁନଥାଏ । ସାରା ମୁହଁଟାରୁ ଯନ୍ତ୍ରଣାର, ନିରାଶାର ଦୁଃଖର ରକ୍ତ ଉକୁଟି ଆସୁଥାଏ । ବାପାବି ବଦଳି ଯାଇଚନ୍ତି ଏବେ ।

କେମିତି ନିର୍ଜୀବ ହୋଇ ବସନ୍ତି । ଚାହାନ୍ତି ଖାଲି । ହସନ୍ତି ନାହିଁ, ରାଗନ୍ତି ନାହିଁ । କିଛି କହନ୍ତି ନାହିଁ ।

ବୋଉ ଥିଲାବେଳେ ତା’ ସହ ପାଟି ଲଗଉଥିଲେ ।

ଚିନୁଅପା ଥିଲାବେଳେ ତା’ ଉପରେ ରାଗରେ କମ୍ପି ଉଠୁଥିଲେ ।

ବାପା ଚୁଙ୍ଗୁଡ଼ି ଉପରେ ରାଗନ୍ତି ନାହିଁ, ରାଗିପାରନ୍ତି ନାହିଁ ।

ଚୁଙ୍ଗୁଡ଼ି ଏଥର ସକାଳୁ ଉଠେ । ଭୋରୁ–ବଡ଼ିଭୋରୁ ତା’ ବୋଉ ଯେତିକି ବେଳୁ ଉଠୁଥିଲା, ଠିକ୍‌ ସେତିକି ବେଳୁ । ବାସନ ମାଜେ । ପାଉଁଶ କାଢ଼େ । ଚୁଲିଲିପେ । ଘର ଓଳାଏ । ରୋଷେଇ କରେ । ବାପାଙ୍କୁ ଦାନ୍ତ ଘଷିବାକୁ ପାଣିଦିଏ । ସିକୁକୁ ଦୁଧ ପିଆଏ । ସିକୁକୁ ଖୁଆଇଦିଏ-। ବାପାଙ୍କୁ ଖାଇବାକୁ ଦିଏ । ସ୍କୁଲ୍‍କୁ ଯାଏଁ । ନିଜେ କେବେ ଖାଏ, କେବେ ଖାଏ ନାହିଁ-। ବହିବ୍ୟାଗ୍ କାନ୍ଧରେ ଝୁଲାଇ ସ୍କୁଲ୍‍କୁ ଚାଲିଯାଏ ।

ଚୁଙ୍ଗୁଡ଼ି ଦେଖେ–ତା’ ଚାରିଆଡ଼କୁ ଚାହେଁ । ବୋଉ ତା’ର ଚାଲିଗଲାବେଳେ ସଙ୍ଗରେ କିଛିହେଲେ ନେଇଯାଇ ନାହିଁ । ସେଇ ଘର । ସେଇ ବାଡ଼ି । ସେଇ ପିଜୁଳି ସଜନା ଗଛ । ସେଇ ବାଡ଼ି ଗଡ଼ିଆ କୂଅମୂଳର ମଲ୍ଲୀବୁଦା ସେମିତି ରହିଚି ସବୁ । ତଥାପି ସେ ଅନୁଭବ କରେ ବୋଉ ତା’ର ତା’ ସହ ସବୁ ନେଇ ଯାଇଚି । ସବୁ ମୁଖରତା, ସବୁ ହରଷ, ସବୁରି ଦେହରୁ ଜୀବନ ସବୁରି ଓଠରୁ ହସ ।

ବେଶ୍‌ ନିରୀହ, ଶାନ୍ତ ଚୁପ୍‌ଚାପ୍‌ ମଣିଷଟିଏ ଥିଲା ଏ ବୋଉ ।

ଲୋଟଣି ପାରାପରି ଦିନରାତି ନିଜ କାମକୁ ନେଇ ବ୍ୟସ୍ତ ରହୁଥିଲା ସିଏ ।

 

କାମଛଡ଼ା ଜୀବନରେ ଅନ୍ୟ କିଛି ଜାଣିନାହିଁ । ଦୁଃଖ ଛଡ଼ା ଜୀବନରେ ଆଉ କିଛି ପାଇନାହିଁ । ତଥାପି ତା’ର ଗୌଣ ମନେ ହେଉଥିବା ଉପସ୍ଥିତି ଯେ ଏତେ ତୀକ୍ଷ୍ଣ ଏତେ ପ୍ରଖର–ଚୁଙ୍ଗୁଡ଼ି ଅନୁଭବ କରୁଚି । ଏକ ଭୟଙ୍କର ସର୍ବଗ୍ରାସୀ ଖାଁ ଖାଁ ରାବ ସାରା ପୃଥିବୀରେ ଘେରି ଯାଇଚି-। ବିରାଟ ଶୂନ୍ୟତା । ଚୁଙ୍ଗୁଡ଼ି ଦୁଃଖରେ ଆଖି ବୁଜିଦିଏ । ତା’ର ଯୋଡ଼ିହୋଇ ଯାଇଥିବା ଦୁଇପତା ମଝିରୁ ଝରିଆସେ ଅଜସ୍ର ଲୁହ ଟୋପା ।

 

ଆଖିଖୋଲେ ଚୁଙ୍ଗୁଡ଼ି । ଦେଖେ, ତା’ ଚାରିପଟରେ ବିରାଟ ପରିବର୍ତ୍ତନ । ତା’ ପୃଥିବୀରେ ଭୟଙ୍କର ପ୍ରଳୟ ବହିଯାଇଚି ଯେମିତି ।

 

ବାପା ବଦଳି ଯାଇଚନ୍ତି । ଚବିଶିଘଣ୍ଟା ତାଙ୍କର ଚକଲଗା ଚଉକି ଉପରେ ଆଖିବୁଜି ଆଉଜି ବସିଯାଆନ୍ତି । ଦିନରାତି ବାପା ସବୁବେଳେ ଏତେକ’ଣ ଚିନ୍ତା କରନ୍ତି, ଚୁଙ୍ଗୁଡ଼ି ବୁଝିପାରେ ।

 

ସେ ହୁଏତ ଭାବୁଚନ୍ତି ତାଙ୍କର ଅସମର୍ଥ ଜୀବନ କଥା ।

 

ସେ ହୁଏତ ଭାବୁଚନ୍ତି ବୋଉକଥା ।

 

ସେ ହୁଏତ ଚିନ୍ତା କରୁଚନ୍ତି ଚିନୁଅପା କଥା ।

 

ସେ ହୁଏତ ଏସବୁପାଇଁ ମନେମନେ ନିଜକୁ ଦାୟୀ କରୁଚନ୍ତି । ଦାୟୀ କରୁଚନ୍ତି ନିଜର ଭାଗ୍ୟକୁ, ଭାଗ୍ୟ କଥା ମନେ ପଡ଼ିଲେ ମନରେ ଆସେ ତପନ ।

 

ସେ ଚୁଙ୍ଗୁଡ଼ିକୁ ବୁଝାଏ, ଭାଗ୍ୟ ବୋଲି କିଛି ନାହିଁ । ଯଦିବା ଥାଏ, ତାହାକୁ ମଣିଷହିଁ ନିୟନ୍ତ୍ରଣ କରେ, ମଣିଷ ନିଜର ଭାଗ୍ୟ ନିଜେ ଗଢ଼େ । ନିଜେ ଲଗେଇ ଥିବା ମଞ୍ଜିର ଫଳ ନିଜେ ଖାଏ । ଭାଗ୍ୟବାଦୀ ଲୋକକୁ ସେ ଘୃଣାକରେ । ସେମାନେ ମୂର୍ଖ ଅଶକ୍ତ ଭୟାତୁର ।

 

ଚୁଙ୍ଗୁଡ଼ି ମନେମନେ ତା’ରି କଥାକୁ ବିଶ୍ଳେଷଣ କରେ ।

 

ସେ କଥା ତା’ ମନକୁ ପାଏ ନାହିଁ । ଭାଗ୍ୟ ଗଢ଼ିବା କ୍ଷମତା ହାତରେ ଥିଲେ ପୃଥିବୀରେ ‘ଦୁଃଖ ଶବ୍ଦଟା ନଥାନ୍ତା । ନିଜେ ଫଳଖାଇବାର ନିଶ୍ଚିତତା ଥିଲେ କେହି ପିତା ଫଳର ମଞ୍ଜି ରୋପନ୍ତେ ନାହିଁ । ସବୁରି ଓଠରେ ଫୁଟୁଥାନ୍ତା ହସର ଫୁଲ । ସବୁ ଫଳ ମିଠା ହୋଇଥାନ୍ତା । ଚିନୁଅପା କ’ଣ ତା’ ଭାଗ୍ୟକୁ ଜାଣିଶୁଣି ଏମିତି କରି ଗଢ଼ିଲା ?

 

ଯଦି ଭାଗ୍ୟ ଗଢ଼ିବା କ୍ଷମତା ବୋଉ ହାତରେ ଥା’ନ୍ତା, ବୋଉ କ’ଣ ତା’ ଜୀବନଟାସାରା ଏମିତି ଦୁଃଖ ପାଇ ପାଇ କଟେଇ ଦେଇଥାନ୍ତା ?

 

ତା’ ବୋଉ ଦୁଃଖିନୀ । ଦୁଃଖିନୀ ତା’ର ଚିନୁଅପା ।

 

ତପନ ୟା କଥା ଶୁଣି ହସେ । ଉଚ୍ଚ ସ୍ୱରରେ ହସେ । ଦୁଃଖ ସୁଖବି ମଣିଷ ମନର ଭ୍ରମ, ଦୁଃଖ ବୋଲି କିଛି ନାହିଁ ଏ ଦୁନିଆରେ । ମଣିଷ ଲୁହଢ଼ାଳିବା ପାଇଁ ସୃଷ୍ଟି ହୋଇନାହିଁ, ସୃଷ୍ଟି ହୋଇଚି ହସିବାକୁ । ଜୀବନକୁ ଖେଳପଡ଼ିଆ ଭାବିଥିଲେ ଆଉ କାନ୍ଦିବାର ଦୁର୍ବଳତା ଆସେନାହିଁ ।

 

ତପନ ଭଲ ଖେଳାଳି ।

 

ଖାଲି ଜୀବନକୁ ନୁହେଁ, କ୍ଲାସ୍‍ରୁମ୍‍କୁବି ସେ ଖେଳପଡ଼ିଆ ମନେକରି ମାଡ଼ ଖାଇଚି କାନମୋଡ଼ା ଖାଇଚି । ସେକଥା ମନେକରି ଫିକ୍‍ କରି ହସିଦେଲା ଚୁଙ୍ଗୁଡ଼ି ।

 

ତପନ ଚୁଙ୍ଗୁଡ଼ିଠୁ ବର୍ଷ ଦି’ବର୍ଷ ବଡ଼ହବ । ଚୁଙ୍ଗୁଡ଼ିର ବୟସ ଏଗାର । ତା’ ବୟସ ତୁଳନାରେ ସେ ବୁଦ୍ଧିରେ ଟିକେ ପଛୁଆ, ପିଲାଳିଆ । ତପନ ତାକୁ ବୋକୀ କୁହେ ।

 

ଚୁଙ୍ଗୁଡ଼ି ଆଶ୍ଚର୍ଯ୍ୟ ହୁଏ, ତପନର ଏତେ ବୁଦ୍ଧି କୋଉଠୁ ଆସିଲା ?

 

ତପନ ଯେ ତାକୁ ଏତେକଥା ବୁଝେଇ ଦେଇ ପାରୁଚି, ତପନର ଏତେ ବୁଦ୍ଧି କୋଉଠି ଥିଲା ଆଜି ପର୍ଯ୍ୟନ୍ତ ?

 

ସୁଖର ବିପରୀତ ଶବ୍ଦ ଖସୁ କହୁଥିବା ତପନ ଚୁଙ୍ଗୁଡ଼ି ସହିତ ସାଙ୍ଗ ହେଲାପରେ ହଠାତ୍‌ ଏତେ ବୁଦ୍ଧିଆ ହୋଇ ଯାଇଚି । ଚୁଙ୍ଗୁଡ଼ି ଏଇ କଥାଟା ଜଣେଇ ଦେଲା ତପନକୁ ।

 

ତପନ ମୁହଁ ଶୁଖେଇ ହାତ ଯୋଡ଼ିଲା !

 

ତୁ ଯଦି ସବୁଦିନେ ମତେ ଏମିତି କହିବୁ, ସତ କହୁଚି ତୋ ସହ ଆଉ ପାଟି ଖୋଲିବି ନାହିଁ । ତୁ ଭଲ ପଢ଼ୁ, କିଏ ମନା କରୁଚି ? ତା’ ବୋଲି ଦିନରାତି ଏମିତି ଚିଡ଼େଇବୁ ? ଖୁଣ୍ଟାଦବୁ ? ଥରେ ଚାଲ ତ ପଡ଼ିଆ ଉପରକୁ–ମୁଁ ପଡ଼ିଆରେ ଥିଲେ କେମିତି ଜମିଯିବ ଦେଖିବୁ !! ସ୍ପୋର୍ଟସ୍‌ରେ ଦେଖିଲୁ ତ କେମିତି ସବୁ ଆଇଟମ୍‍ରେ ଫାର୍ଷ୍ଟ । କାଲି ଆ, ଦେଖିବୁ ମ୍ୟାଚ୍‌ । ତୁ ଆଗ ବଲ୍ ଉଠେଇ ପାରିବୁନା ? ଫୁଟାଣି କାଢ଼ୁଚୁ ?

 

ସତରେ ତପନ ! ତୋତେ ପଡ଼ିଆରେ ଦେଖିବାକୁ ମୋର ତ ଭାରି ଇଚ୍ଛା । ତତେ ମୁଁ ସ୍କୁଲ୍‍ ପଡ଼ିଆ ମଝିରେ ଆଣ୍ଠୁତଳେ ଗୋଡ଼ିରଖି ନିଲ୍‌ଡ଼ାଉନ୍‌ ହେବାର ଦେଖିଚି ଖାଲି । ସେତେବେଳେ ତୋ ମୁହଁଟା ଭାରି ବିକଳ ଦେଖାଯାଏ । ଭାରି ମଜାଲାଗେ ସତରେ । କିନ୍ତୁ ପଡ଼ିଆ ମଝିରେ ବଲ୍‌ପଛରେ ଗୋଡ଼େଇବାର ତ କେବେ ଦେଖିପାରୁନି !

 

ତପନ ଅଭିମାନ କରେ ‘‘ତୁ କାହିଁକି ବା ଦେଖିବୁ ? ମୁଁ ଜାଣେ, ତୁ ମୋ ମ୍ୟାଚ୍‌ ଦେଖି ଯିବୁନି ! ମୁଁ ଜିତିଗଲେ ତୁ ଖୁସିହବୁନି । ଖାଲି ମୁଁ ନିଲ୍‌ଡ଼ାଉନ୍‌ ହେଲେ, ସାର୍‌ଙ୍କଠାରୁ ମାଡ଼ ଖାଇଲେ ତୋର ମଜା, ତୋର ଖୁସି’’ । ତପନ ଭୁଲ୍ ବୁଝିଲା । ଚୁଙ୍ଗୁଡ଼ି ତପନର ହାତଧରେ । ‘‘ଆରେ ଶୁଣୁ । ସତକୁସତ ରାଗିଗଲୁ ମୁଁ ଛୁଟିପରେ ଆଉ ଘରକୁ ନ ଯାଇ ରହି ପାରିବି ନାହିଁ । ତୁ ତ ଜାଣିଚୁ, ମୁଁ ଗଲେ ବାପାଙ୍କୁ ଖାଇବାକୁ ଦେବି–ଘର ସଫା କରିବି । ସ୍କୁଲ୍‍ ଫେରନ୍ତା ସିକୁକୁ ଖାଇବାକୁ ଦେବି । ସେ ଟ୍ୟୁସନ ଯିବ । କେତେ କେତେ କାମ ! କେମିତି ଯିବି କହିଲୁ ? ତୋ ପରି ତ ମୋର ମା’ନାହିଁ-। ମୋ ବାପା ତ ଆଉ ତୋ ବାପାଙ୍କପରି କାର୍ ଚଢ଼ି ବୁଲୁ ନାହାନ୍ତି ? ଏମିତିକି ନିଜ ପାଦରେ ଉଠି ଠିଆ ହେବାର ବଳ ନାହିଁ ତାଙ୍କର । ଆଉ ତୁ କିଛି ନ ବୁଝି ରାଗିବୁ ! ମନଦୁଃଖ କରିବୁ-।’’ ଚୁଙ୍ଗୁଡ଼ି କଣ୍ଠରେ ଅଜସ୍ର କ୍ରନ୍ଦନର ସ୍ତୂପୀକୃତ ଜଡ଼ତା । ସେ ଆଖି ଛଳଛଳ କରି ସତକୁସତ କାନ୍ଦେ-। ତପନ ତା’ ପାଖୁ ଲାଗି ଠିଆହୁଏ । ‘‘ଚୁଙ୍ଗୁଡ଼ି ! ତୁ ପଛେ ମ୍ୟାଚ୍‌ ଦେଖି ଯା’ନା ! କିନ୍ତୁ କାନ୍ଦେନି ଜମା ! ମୋ ସୁନା ଚୁଙ୍ଗୁଡ଼ି ପରା !’’ ଚୁଙ୍ଗୁଡ଼ି ବେଶି ବେଶି କାନ୍ଦେ । ଅନେକ ବୁଝାଏ ତପନ । ଚୁଙ୍ଗୁଡ଼ି ମାନେ ନାହିଁ-। ତା’ର କାନ୍ଦ ବନ୍ଦ ହୁଏ ନାହିଁ ।

 

ତପନ ରାଗିଯାଏ । କିଛି ଉପାୟ ନ ଦେଖି ତା’ର ପାପୁଲି ଉପର ପାଖରୁ ପୁଳେ ଚିମୁଟିଧରେ; ଜୋର୍‌ରେ । ଚୁଙ୍ଗୁଡ଼ିକୁ କାଟେ । ପାଟିକରେ ଚୁଙ୍ଗୁଡ଼ି ।

 

‘‘କାଟୁଚି । ଛାଡ଼ିଦେ । ଛାଡ଼ିଦେରେ ମାଙ୍କଡ଼–

 

‘‘କହ ! ଆଉ କାନ୍ଦିବୁନି ! ହସ–ହସ ଆଗ !’’

 

ଚୁଙ୍ଗୁଡ଼ି ବାଧ୍ୟହୋଇ ହସେ । ତପନ ଛାଡ଼ିଦିଏ । ଚୁଙ୍ଗୁଡ଼ି ଚାଲିଯାଏ ।

 

ଚୁଙ୍ଗୁଡ଼ିର କାନ୍ଦିବାକୁ ଅନେକ ଦୁଃଖ ।

 

ଘରେ ଚୁଙ୍ଗୁଡ଼ି କାନ୍ଦିପାରେ ନାହିଁ । ୟାକୁ କାନ୍ଦୁଥିବର ଦେଖିଲେ କାନ୍ଦୁରା ସିକୁ ବେଶି କାନ୍ଦିବ, ତାକୁ ଆଉ ବୁଝେଇ ହବନି ।

 

ଆଜିକାଲି ଚୁଙ୍ଗୁଡ଼ି ସିକୁ ସହିତ ଲାଗେ ନାହିଁ, ତାକୁ କନ୍ଦାଏ ନାହିଁ । ମାରେ ନାହିଁ । ସାଙ୍ଗରେ ଖେଳାଏ, ଗପକହି ପାଖରେ ଶୁଆଏ । ଗାଧୋଇ ଦିଏ, ମୁଣ୍ଡ କୁଣ୍ଡେଇ ଦିଏ । ସାଙ୍ଗରେ ଖୁଆଏ, ସାଙ୍ଗରେ ଧରି ସ୍କୁଲ୍‍ଯାଏଁ ।

 

ଚୁଙ୍ଗୁଡ଼ି ଘର ଗୋଟାକର ସବୁକାମ ତୁଲାଏ । ତୁଲାଇବାକୁ ବାଧ୍ୟହୁଏ ।

 

ତା’ ସାଙ୍ଗକୁ ସ୍କୁଲ୍‍, ପାଠ, ପରୀକ୍ଷା । ଘର ଗୋଟାକର କାମ ! ଦିନରେ ବେଳ ହୁଏନି ପାଠ ପଢ଼ିବାକୁ ! ଚୁଙ୍ଗୁଡ଼ି ଅନେଇ ରହିଥାଏ ରାତିକୁ । ରାତିଅନିନ୍ଦ୍ରା ହୋଇ ପାଠପଢ଼େ ଚୁଙ୍ଗୁଡ଼ି । ଝୁଲିଝୁଲି ଇତିହାସ ପଢ଼େ । ନଇଁପଡ଼ି, ପେଟେଇରହି ଅଙ୍କକଷେ ।

 

ସିକୁ ଶୋଇଯାଇଥାଏ । ନିଦ ଭାଙ୍ଗିଲେ, ନିଦୁଆ କଣ୍ଠରେ ପଚାରେ ଏତେବେଳ ଯାଏଁ ଶୋଇନୁ ଅପା ?

 

ଚୁଙ୍ଗୁଡ଼ି ଡିବିଟା ଫୁଙ୍କିଦେଇ ଆଖିବୁଜେ । ନିଦ ହୋଇଯାଏ । ଦିନେ ଦିନେ ଶୋଇପାରେ ନାହିଁ । ମନରେ ଆସେ ବୋଉ । ବୋଉର ଉଷୁମ ହାତଟା ମନେପଡ଼େ । ମନେ ପଡ଼େ ତା’ର ମିଠା ମିଠା କଥା । ତକିଆରେ ମୁହଁ ଗୁଞ୍ଜି ଅନେକ ବେଳଯାଏଁ କାନ୍ଦେ ଚୁଙ୍ଗୁଡ଼ି । କେହି ଜାଣନ୍ତି ନାହିଁ, ବୁଝନ୍ତି ନାହିଁ । ସେଇମିତି କାନ୍ଦି କାନ୍ଦି କେତେବେଳେ ନିଦ ହୋଇଯାଏ ତାକୁ, ସେ ଜାଣିପାରେନି ।

 

ଦିନେ ଝଡ଼ପରି ପହଞ୍ଚିଗଲେ ଜ୍ୟୋତିମାମୁ ।

 

କ’ଣ କାମଅଛି ତାଙ୍କର । ଚୁଙ୍ଗୁଡ଼ି ଘରେ ଚାରିଦିନ ରହିବେ ।

 

ବାପା ଶୁଣିଲେ, କିଛି କହିଲେ ନାହିଁ । ହଁ ନୁହେଁ, ନାହିଁ ମଧ୍ୟ ନୁହେଁ ।

 

ଚୁଙ୍ଗୁଡ଼ିକୁ ଲାଗିଲା ବାପା ଯେମିତି ଖୁସିହେଲେ ନାହିଁ ।

 

ଜ୍ୟୋତିମାମୁଙ୍କୁ ଦେଖି ଖୁସି ହେଲେ ନାହିଁ ବାପା ।

 

ଜ୍ୟୋତିମାମୁ ଆସିଲେ ବାପା ହସୁଥିଲେ, ଖୁସି ହଉଥିଲେ । ତାଙ୍କୁ ପାଖରେ ବସେଇ ଭଲମନ୍ଦ କେତେକଅଣ ଗପ କରୁଥିଲେ । ଏଥରକ କିଛି କହିଲେ ନାହିଁ ।

 

ଚୁଙ୍ଗୁଡ଼ିର ଏବେ ଟିକେ ଟିକେ ବୁଦ୍ଧି ହେଲାଣି ।

 

ବେଶିକିଛି ବୁଝେ ନାହିଁ । ଏତିକି ଜାଣେ, ଚିନୁଅପା ମଲା ପରେ, ବୋଉ ମରିଗଲା ପରେ, ବାପା ଆଉ କୋଉଥିରେ ଖୁସିହୁଅନ୍ତି ନାହିଁ । କୋଉଥିରେ ହସନ୍ତି ନାହିଁ । ତାଙ୍କ ମୁହଁ ଉପରେ କେବେଦିନେ ହରଷର ଜହ୍ନ ଉଏଁ ନାହିଁ । ଖୁସିର ଖରା ଝଟକେ ନାହିଁ ।

 

ତଥାପି ଜ୍ୟୋତିମାମୁ ଆସିଲେ ।

 

ଚୁଙ୍ଗୁଡ଼ିପାଇଁ ନୂଆ କଲମ, କାଡ଼୍‌ବୋରୀ, ଚକୋଲେଟ୍‌ ଆଣିଥିଲେ ।

 

ସବୁଦିନପରି ତାକୁ ନେଇ ନିଜଖାତାରେ ଲୁଚେଇ ରଖିଲା ନାହିଁ । ସିକୁକୁ ଦେଲା ଆର ଅଧକ ରଖିଦେଲା ସିକୁପାଇଁ । ନିଜେ ଖାଇଲା ନାହିଁ ।

 

ସିକୁ ! କେତେ ନିଜର ତା’ର ! କେତେ ନିକଟର !

 

ଗୋଟିଏ ପେଟରେ ଦିହେଁ ଥିଲେ । ଗୋଟିଏ ଘରେ ଦିହେଁ ରହୁଚନ୍ତି । ଦୁହିଁଙ୍କ ଦେହରେ ଗୋଟିଏ ରକ୍ତ । ଦୁହିଁଙ୍କ ନିଃଶ୍ୱାସରେ ଗୋଟିଏ ପବନ ।

 

ଚୁଙ୍ଗୁଡ଼ି ସିକୁକୁ ଆବେଗରେ ଛାତିରେ ଯାକେ ।

 

ସିକୁ କାନ୍ଦେ ନାହିଁ, ଖୁସିହୁଏ, ହସେ ।

 

ବାପା ସିକୁକୁ ମଝିରେ ମଝିରେ ଡାକନ୍ତି । ପାଖରେ ବସାନ୍ତି । ପିଠି କୁଣ୍ଡେଇ ଦବାକୁ କହନ୍ତି । ସ୍କୁଲ୍‍କଥା, ପାଠ ପଢ଼ାକଥା ପଚାରି ବୁଝନ୍ତି ।

 

ବାପା ସିକୁକୁ ସ୍ନେହ କରନ୍ତି । ଆଦର କରିବାର ଉପାୟ ତାଙ୍କର ନାହିଁ । ସ୍ନେହ ଦେଖେଇହବାର କ୍ଷମତା ନାହିଁ ତାଙ୍କର । ସିକୁ ସେ କଥା ବୁଝେନାହିଁ । ନୂଆ ସାର୍ଟ ଜୋତା କିଣିଦବାକୁ ବାପାଙ୍କ ପାଖରେ ଅଝଟକରେ । ବାପା ତାକୁ ଭୁଲେଇ ଦିଅନ୍ତି ।

 

ସିକୁକୁ ଡାକିନିଏ ଚୁଙ୍ଗୁଡ଼ି । ଚୁଙ୍ଗୁଡ଼ି ଚାଲିଗଲା ପରେ ଆଖିପୋଛନ୍ତି ବାପା ।

 

ଚୁଙ୍ଗୁଡ଼ି ବୁଝେ । ଚୁଙ୍ଗୁଡ଼ି କାନ୍ଦେ ।

 

ଜ୍ୟୋତିମାମୁ ଆସିଲେ ଆଗ ଖୁସି ହଉଥିଲା ଚୁଙ୍ଗୁଡ଼ି ।

 

ଘର ଭଲ ଲାଗୁଥିଲା, ସବୁ ଭଲ ଲାଗୁଥିଲା ତାକୁ ।

 

ଜ୍ୟୋତିମାମୁ ବଦଳି ନାହାନ୍ତି ବଦଳି ଯାଇଚନ୍ତି ବାପା ।

 

ଜ୍ୟୋତିମାମୁ ସେମିତି ଓଠ ଚିପିଚିପି ହସୁଚନ୍ତି ।

 

ଚୁଙ୍ଗୁଡ଼ିକୁ ଭଲ ଲାଗୁଚି ।

 

ଚୁଙ୍ଗୁଡ଼ି ହାତର ରନ୍ଧାଖାଇ ଖୁସି ହଉଚନ୍ତି ଜ୍ୟୋତିମାମୁ ।

 

ପ୍ରଶଂସା କରୁଚନ୍ତି ଚୁଙ୍ଗୁଡ଼ିର ।

 

ଚୁଙ୍ଗୁଡ଼ି ବୋକା ବୋକା ଆଖିରେ ଜ୍ୟୋତିମାମୁଙ୍କ ମୁହଁକୁ ଦେଖେ । ଅନୁଭବ କରେ । ଜ୍ୟୋତିମାମୁ ବେଶ୍‌ ଖୁସି ଅଛନ୍ତି । ଚିନୁଅପା ମରିଗଲା, ସେକଥା କ’ଣ ମନେକରନ୍ତି ନାହିଁ ଜ୍ୟୋତିମାମୁ ? ଚୁଙ୍ଗୁଡ଼ି ତା’ ନିଜ ଭିତରର ମଣିଷଟା ପାଖରେ ଆଶ୍ଚର୍ଯ୍ୟ ହୋଇଯାଏ ।

 

ଚିନୁଅପା ସୁନ୍ଦର କଳିଟିଏ । ବିସ୍ତୃତ ଜଙ୍ଗଲ ଭିତରେ ସାନ ହରିଣୀଟିଏ । ନିରୀହ ଶାନ୍ତ ରଜନୀଗନ୍ଧାର ସ୍ତବକଟିଏ । ତାକୁ ଦେଖି ଜ୍ୟୋତିମାମୁ ପାପୁଲି ବଢ଼େଇଲେ । ତା’ର ବିକଶିଆସିଥିବା ପାଖୁଡ଼ାରୁ ମହକ ଗୋଟାଇ ନେବାକୁ ଲୁବ୍‌ଧ ହେଲେ । ତା’ରି ମହକରେ ପାଗଳ ହେଲେ ସେ । ନିଜ ହାତରେ ଆଉଁଶିନେଇ କଳିଟି ପାପୁଲିରେ ଥୋଇ ଚୁମା ଦେଲେ ପାପୁଲିରେ ଚକଟି ଦଳି ଫିଙ୍ଗିଦେଲେ ତଳକୁ–

 

ଜ୍ୟୋତିମାମୁ ନିର୍ବୋଧା ବୁଝିପାରିଲେ ନାହିଁ, ଚିହ୍ନି ପାରିଲେ ନାହିଁ । ସେ ଫୁଲରେ ଆଉରି ଅନେକ ମହୁ, ଅନେକ ମହକ–ସବୁ ଧ୍ୱଂସ ହୋଇଗଲା, ମିଳେଇ ଯାଇ ଲୀନ ହୋଇଗଲା, ନିଶ୍ଚିହ୍ନ ହୋଇଗଲା ।

 

ସେଦିନ ରାତିରେ ଚୁଙ୍ଗୁଡ଼ି ରୁଟି ସେକିଲା । ସିକୁକୁ ଖୁଆଇ ଦେଲା । ବାପାଙ୍କୁ ଖାଇବାକୁ ଦେଲା । ବାହାରେ ଏକାଦଶୀର ଜହ୍ନ । ବାପା ବାହାର ପିଣ୍ଢାରେ ତାଙ୍କର ଚକଲଗା ଚଉକିରେ ବସିଥିଲେ । ସିକୁଟା ଢୋଳେଇ ଢୋଳେଇ ଶୋଇ ଯାଇଥିଲା ବିଛଣାରେ ।

 

ଜ୍ୟୋତିମାମୁ ଖାଇ ସାରିଲେଣି ।

 

ଖାଇନାହିଁ ଏକା ଚୁଙ୍ଗୁଡ଼ି । ଦୁଧ ଆଉଟୁଚି ।

 

ଜ୍ୟୋତିମାମୁ ଦୁଧ ପିଅନ୍ତି । ଶୋଇଲାବେଳେ ଦୁଧ ଗିଲାସଟା ବୋଉ ଦେଇ ଆସୁଥିଲା ତାଙ୍କୁ । ଚୁଙ୍ଗୁଡ଼ି ମନେରଖିଚି ।

 

ଚୁଙ୍ଗୁଡ଼ି ଦୁଧ ଆଉଟିଲା । ଜ୍ୟୋତିମାମୁ ତା’ର ଅତିଥି । ତାଙ୍କୁ ସେ ଠିକ୍‌ ତା’ ବୋଉ ପରି ଆଦର କରିବ । ତାଙ୍କ କଥା ଠିକ୍‌ରେ ବୁଝିବ ।

 

ବାପା ବାହାରେ, ଚଉକିକୁ ଆଉଜି ଆଖିବୁଜି ଘୁଙ୍ଗୁଡ଼ି ମାରୁଚନ୍ତି ।

 

ସିକୁଟା କେତେବେଳୁ ଶୋଇ ପଡ଼ିଲାଣି ।

 

ଘରଟା ଖାଁ ଖାଁ ଲାଗୁଚି ।

 

ଲଣ୍ଠନଟା ଜଳୁଚି ମଝି ପିଣ୍ଢାରେ । ଚୁଲିମୁଣ୍ଡରେ ଡିବିଟା ।

 

ଲଣ୍ଠନର ଛାଇଟା ବଡ଼କରି ପଡ଼ିଛି ବାଁ ପଟ କାନ୍ଥରେ । ଭୟଙ୍କର ଦିଶୁଚି । ଦିଶୁଚି ଭୂତପରି, ଅସୁରୁଣୀ ପରି । ଚୁଙ୍ଗୁଡ଼ି କିନ୍ତୁ ଆଜି ଡରୁନାହିଁ । ତାକୁ ଆଜି ବେଶ୍‌ ନିର୍ଭୟ ଲାଗୁଚି । ଜ୍ୟୋତିମାମୁ ଅଛନ୍ତି । ତାଙ୍କର ଭାରି ବଳ ।

 

ସେ ଏକ ମୁଥାରେ ଭୂତକୁ ବିଦା କରିଦେବେ ।

 

ଏକ ଘୁଷିରେ ବୁଢ଼ୀ ଅସୁରୁଣୀର ଦାନ୍ତ ଭାଙ୍ଗିଦେବେ ।

 

ଚୁଙ୍ଗୁଡ଼ି ହାତରେ ପୂରାଗ୍ଲାସ୍ ଦୁଧ ଧରି ଯାଉଚି । ଯାଉଚି ଜ୍ୟୋତିମାମୁଙ୍କ ପାଖକୁ । ଗୋଟାଏ ହାତରେ ଦୁଧଗ୍ଲାସ୍ । ଆର ହାତରେ ଡିବି ।

 

ଜ୍ୟୋତିମାମୁ ଦୁଆରମୁହଁରେ ଟୁଲ ପକେଇ ବସିଥିଲେ ।

 

ଆକାଶକୁ ଚାହିଁ ଜହ୍ନ ଦେଖୁଥିଲେ ।

 

ଚୁଙ୍ଗୁଡ଼ିକୁ ଜହ୍ନ ଦେଖିବାକୁ ଆଗ ଭଲ ଲାଗୁଥିଲା ।

 

ଏବେ କିନ୍ତୁ ଜହ୍ନ ଦେଖିଲେ ମନେପଡ଼େ ବୋଉକଥା ।

 

ଜ୍ୟୋତିମାମୁ ଓଠଚିପି ହସୁଚନ୍ତି । ଜ୍ୟୋତିମାମୁ ଜହ୍ନକୁ ଚାହିଁ ହସୁଚନ୍ତି ।

 

ଚୁଙ୍ଗୁଡ଼ିକୁ ଆଜିକାଲି ଜହ୍ନକୁ ଚାହିଁଲେ କାନ୍ଦମାଡ଼େ ।

 

ଜହ୍ନଦେଖି ହସୁଚନ୍ତି ଜ୍ୟୋତିମାମୁ ।

 

ତପନ କୁହେ, ଚୁଙ୍ଗୁଡ଼ି ସହିତ ସାଥିହୋଇ ଜହ୍ନ ଦେଖିଲେ ସେ ଗୀତ ଗାଇବ ।

 

ତପନ ଭଲଗୀତ ଗାଏ । ସ୍କୁଲ୍‍ରେ ସେ ଆଗ ପ୍ରାର୍ଥନା ଗାଏ । ପଛରେ ସମସ୍ତେ ପାଳି ଧରନ୍ତି । ତପନର କଣ୍ଠ ମିଠାଲାଗେ ଚୁଙ୍ଗୁଡ଼ିକୁ, ଭଲଲାଗେ ।

 

ଚୁଙ୍ଗୁଡ଼ି ଦୁଧଗ୍ଲାସ୍ ଧରି ଠିଆହୋଇଚି । ଜ୍ୟୋତିମାମୁ ସେମିତି ଆକାଶକୁ ଅନେଇ ରହିଚନ୍ତି ।

 

ଚୁଙ୍ଗୁଡ଼ି ପଚାରିଦେଲା ‘‘ଜହ୍ନ ଦେଖୁଚ ?’’

 

ଜ୍ୟୋତିମାମୁ ଚମକି ପଡ଼ିଲେ, ‘‘ତୁ ?’’

 

ଜ୍ୟୋତିମାମୁ ନ ଚିହ୍ନିଲା ପରି ଘଡ଼ିଏ ଚାହିଁରହିଲେ ଚୁଙ୍ଗୁଡ଼ିର ନିଷ୍କମ୍ପ ନିରୀହ ମୁହଁକୁ । ଯେମିତି ଏ ଝିଅଟିକି ସେ ଠିକ୍‌ ଆଜିହିଁ ଭେଟୁଚନ୍ତି ନୂଆକରି !

 

ଜ୍ୟୋତିମାମୁଙ୍କର ମୁହଁ ଜହ୍ନଆଲୁଅରେ ଝଲସୁଚି । ଆଖିଗୁଡ଼ାକ ଚିକଚିକ ଦିଶୁଚି । ଲମ୍ବା ଲମ୍ବା ନିଃଶ୍ୱାସ ନଉଚନ୍ତି ଜ୍ୟୋତିମାମୁ । ମୁହଁ ତଳକୁ କଲେ । କ୍ଷଣିକପାଇଁ ଚୁପ୍ ହୋଇଯାଇ କହିଲେ, ଜହ୍ନ ନୁହେଁ ! ଜହ୍ନତ ଗୋଟିଏ । ନିତି ଦେଖି ଦେଖି ବିରକ୍ତ ଲାଗେ । ଭାରି ଦେହ ଘୋଷରା ।

ପୁରୁଣା କଥା ଏଇ ଜହ୍ନ ଦେଖିବାର ଅନୁଭୂତି । ମୁଁ ତାରା ଦେଖୁଚି, ତାରା ଗଣୁଚି । କୂଳଉଛୁଳା ଝରଣା ପରି ସାରା ଦେହଟା ଝୁଙ୍କେଇ ଝୁଙ୍କେଇ ଫେଁ ଫେଁ ହୋଇ ହସେ ଚୁଙ୍ଗୁଡ଼ି ।

‘‘ତାରା କ’ଣ କେବେ ଗଣିହୁଏ ଜ୍ୟୋତିମାମୁ ? ତମେ କ’ଣ ସତରେ ଗଣିପାରିବ ? କେହି ପାରିବେନି । ରଜାବି ପାରିବେନି । ଠାକୁରବି ପାରିବେନି ।’’ ଖୁବ୍‌ ବଡ଼ବଡ଼ ଆଖି କରେ ଚୁଙ୍ଗୁଡ଼ି ।

ଜ୍ୟୋତିମାମୁତ କାହିଁ ହସୁ ନାହାନ୍ତି । ତାଙ୍କ ମୁହଁଟା ପୂର୍ବଠୁ ଆହୁରି ଗମ୍ଭୀର ଆହୁରି ଥମ୍‍ଥମ୍ । ଚୁଙ୍ଗୁଡ଼ି ଭାବିଲା ଜ୍ୟୋତିମାମୁ ଚିନୁଅପାକୁ ମନେ ପକାଉଚନ୍ତି । –ତୁମର ଚିନୁଅପା ମନେପଡ଼ୁଚି ଜ୍ୟୋତିମାମୁ ? ତା’ରି କଥା ତୁମେ ଭାବୁଚ, ମୁଁ ଜାଣିଚି ।

ନା–ତୁ କିଛି ଜାଣିନୁ । କିଛି ଜାଣିପାରୁନୁ ତୁ, କିଛି ବୁଝିବାକୁ ଚାହୁଁନୁ । ମୁଁ ଭାବୁଚି ତୋରି କଥା । ଚିନୁଅପା କଥା ନୁହେଁ । ଦିନରାତି ସବୁବେଳେ ମୁଁ ଭାବେ ତୋରି କଥା । ମୁଁ ଆସିଚି ଖାଲି ତୋରିପାଇଁ ।

–ବାଃ, ଏ କଥାତ ମୁଁ ଜାଣିଚି । ସିକୁଟାତ ତମକଥା ମୋଟୁରୁ ମାନେ ନାହିଁ । କାନ୍ଦୁରାଟା-। ଆଉ ଏଠି କିଏ ଅଛି ଯେ !

ଚୁଙ୍ଗୁଡ଼ି ମନେମନେ ଖୁସିହେଲା । ତା’ ଜ୍ୟୋତିମାମୁ ତାକୁ ସବୁବେଳେ ଭଲପା’ନ୍ତି । ଆଦର କରନ୍ତି । ଆଜିବି ଭଲପାଉଚନ୍ତି ତାକୁ । ତା’ରି କଥା ଭାବନ୍ତି ବେଶି । ତାକୁ ମନେ ପକାନ୍ତି । ତା’ରିପାଇଁ, ତାକୁ ଦେଖିବାକୁ ଆସିଚନ୍ତି । ଚୁଙ୍ଗୁଡ଼ି ମନେମନେ କୁରୁଳି ଉଠେ ।

 

ଜ୍ୟୋତିମାମୁ ଟୁଲଉପରୁ ଉଠି ଠିଆହେଲେ । ବାଁ ହାତରେ ଟୁଲଟା ଧରି ଘରଭିତରେ ପଶିଲେ । ହାତ ଘୋଳି ହେଲାଣି ଚୁଙ୍ଗୁଡ଼ିର । ଦୁଧ ଗ୍ଲାସ୍‍ଟା ଟେବୁଲ୍‌ ଉପରେ ରଖୁ ରଖୁ ଜ୍ୟୋତିମାମୁ ହାତଟା ଧରିନେଲେ ତା’ର । ବାଁ ହାତରୁ ଡିବିଟା ଖସିପଡ଼ିଲା । ଲିଭିଗଲା । ଜ୍ୟୋତିମାମୁ ଗାଳିଦେଲେ ନାହିଁ । ଚୁଙ୍ଗୁଡ଼ିକୁ ଟାଣି କୋଳରେ ବସାଇଲେ । ଚୁଙ୍ଗୁଡ଼ି କିଛି କହିଲା ନାହିଁ । ଘର ଭିତରଟା ଅନ୍ଧାର ।

 

ବାହାରେ ଜହ୍ନ । ଜ୍ୟୋତ୍ସ୍ନାର ଜୁଆର ବାହାରେ ।

 

ଜ୍ୟୋତିମାମୁ ଚୁଙ୍ଗୁଡ଼ି ଗାଲରେ ଗାଲ ଲଗାଇଲେ । କାନପାଖୁ ମୁହଁନେଲେ ତା’ର । ‘ତୁ ମତେ ଭଲପାଉ ଚୁଙ୍ଗୁଡ଼ି ?’ ଚୁଙ୍ଗୁଡ଼ି ସେହି ଅନ୍ଧାର ଭିତରେ ମୁଣ୍ଡ ଟୁଙ୍ଗାରି ସତକଥାଟା ଜଣେଇଦେଲା । ଜ୍ୟୋତିମାମୁ ଚୁଙ୍ଗୁଡ଼ିକୁ ନିଜ ଛାତିରେ ଚାପି ଧରିଲେ ।

 

ଅଣନିଃଶ୍ୱାସୀ ଲାଗିଲା ଚୁଙ୍ଗୁଡ଼ିକୁ । ଛାଟିପିଟି ହୋଇ ତାଙ୍କ କୋଳରୁ ତଳକୁ ଡେଇଁ ପଡ଼ିଲା ସେ ।

 

ଛାଡ଼ିଦେଲେ ନାହିଁ ଜ୍ୟୋତିମାମୁ ।

 

ପଛପଟ ଫ୍ରକ୍‍ରେ ହାତଦେଇ ଭିଡ଼ି ଆଣିଲେ । ବୋତାମ କେତେଟା ଫଟ୍‌ ଫଟ୍‌ ହୋଇ ଛିଡ଼ିଗଲା । ଫ୍ରକ୍‍ଟା ଚିରିଗଲା ଫାଳହୋଇ । ଚୁଙ୍ଗୁଡ଼ିର ଏଇ ଗୋଟିକ ଭଲ ଫ୍ରକ୍ । ଆର ଦି’ଟା, ପୁରୁଣା । ଜ୍ୟୋତିମାମୁ ଆସିଚନ୍ତି । ୟାର ଚିରା ଜାମାଦେଖି ମନଦୁଃଖ କରିବେ । ସେଇଥିପାଇଁ ଏଇଟା ପିନ୍ଧିଦେଇଥିଲା । ସେଇଟା ଚିରିଗଲା । ଚୁଙ୍ଗୁଡ଼ିକୁ କାନ୍ଦମାଡ଼ିଲା ।

 

ଜ୍ୟୋତିମାମୁ ଶନିପାତ ରୋଗୀ ମୁନ୍ଦାଏ ପାଣି ମାଗିଲା ପରି କଣ୍ଠସ୍ୱରକୁ ବିକଳ କରି ଫିସ୍‌ ଫିସ୍‌ ହୋଇ ଥରିଥରି ଚୁଙ୍ଗୁଡ଼ିକୁ ପଚାରୁଚନ୍ତି ।

 

‘‘ତୁ ମତେ ଭଲପାଉ ଚୁଙ୍ଗୁଡ଼ି ? ତୁ ମୋ କଥା ଭାବୁ ? ସତକହ ! ମୋ ରାଣ ! ମୋ ରାଣ କହ । ମୋ ମୁଣ୍ଡ ଛୁଇଁ ସତକହ !!’’

 

ଚୁଙ୍ଗୁଡ଼ି କିଛି କହୁନାହିଁ । ସୁଁ ସୁଁ ହୋଇ କାନ୍ଦୁଚି, ତା’ର ଚିରି ଯାଇଥିବା ଜାମାଟା ଲାଗି ।

 

ସେଇକଥା କହିଲା ଜ୍ୟୋତିମାମୁଙ୍କୁ ।

 

‘‘ମୁଁ ତତେ ନୂଆଜାମା ଦେବି–ଯାହା ଚାହିଁବୁ ସବୁଦେବି !! ତୁ ଆଗକହ’’

 

ଚୁଙ୍ଗୁଡ଼ି କିଛି କହିଲା ନାହିଁ ।

 

ଜ୍ୟୋତିମାମୁ ତାକୁ ଶୂନ୍ୟେ ଶୂନ୍ୟେ ଟେକିନେଲେ । ଖଟରେ ଶୁଆଇ ଦେଲେ । ତାଙ୍କ ଦେହର ସମସ୍ତ ଭାର ଲଦିଦେଲେ ଚୁଙ୍ଗୁଡ଼ିର ଛାତିଉପରେ–

 

ଚୁଙ୍ଗୁଡ଼ି କାକୁତି ହେଲା, ଛାଡ଼ିଦିଅ ଜ୍ୟୋତିମାମୁ ! ତମେ ଏବେ ବେଶି ମୋଟା ହେଇଯାଇଚ, ଓଜନ ହେଇଯାଇଚ । ମୋ ହାଡ଼ ଭାଙ୍ଗିଯିବ ଜ୍ୟୋତିମାମୁ ! ଉଠିଯାଅ ! ମତେ ଛାଡ଼ିଦିଅ ! ମୁଁ ଆଉ କାନ୍ଦିବିନି ! ଚିରା ଜାମାଟା ସିଲେଇ କରିଦେବି–

 

ଛାଡ଼ିଦିଅ । ଛାଡ଼ିଦିଅ ଜ୍ୟୋତିମାମୁ !!

 

ଚୁଙ୍ଗୁଡ଼ି ଆଉ ପାଟିକରି ପାରିଲା ନାହିଁ । ଜ୍ୟୋତିମାମୁ ତାଙ୍କର ମୋଟା ଛାତିଲା ଓଠ ଦିଟାରେ ଚୁଙ୍ଗୁଡ଼ିର ପାଟିଟାକୁ ଚାପିଦେଲେ । ଚୁଙ୍ଗୁଡ଼ି ଉଁ–ଚୁଁ କିଛି କହିପାରିଲାନି । ତା’ର ଲମ୍ବା ନଖରେ ଜ୍ୟୋତିମାମୁଙ୍କ ଗାଲରୁ ପୁଳାଏ ମାଂସ ଉଠେଇନେଲା ଚୁଙ୍ଗୁଡ଼ି । ଜ୍ୟୋତିମାମୁଙ୍କ ଆକ୍ରମଣ ହୁଗୁଳା ହୋଇଗଲା ।

 

ଏକା ନିଃଶ୍ୱାସରେ ଚୁଙ୍ଗୁଡ଼ି ଦୌଡ଼ିଲା । ଦୌଡ଼ିଲା ଦାଣ୍ଡପାଖ ଖଳାପାଖୁ ।

 

ଆକାଶରେ ପରିଷ୍କାର ସୁନେଲି ଜହ୍ନ ।

 

ନଡ଼ିଆପତ୍ର ଚିକ୍‌ଚିକ୍‌ ମାରୁଚି । ଆମ୍ବଗଛର ଛାଇରେ ଛାପିଛାପି ଦିଶୁଚି ମାଟି । ପିଜୁଳି ମୂଳେ ବସିଲା ଚୁଙ୍ଗୁଡ଼ି । ତାକୁ ଆଜି ନିହାତ କ୍ଳାନ୍ତ ଲାଗୁଚି । ପିଜୁଳିଗଛକୁ ଆଉଜି ବସିଲା ଚୁଙ୍ଗୁଡ଼ି । ମୁହଁଟେକି ଆକାଶକୁ ଚାହିଁଲା ।

 

ଜହ୍ନରେ ବସି ତା’ ବୋଉ ବୁଲୁଚି । ବୁଲୁଚି ତା’ର ଚିନୁଅପା । ଚୁଙ୍ଗୁଡ଼ି ମରିଗଲେ ଯିବ ଜହ୍ନ ଭିତରକୁ । ଦେଖିବ ବୋଉକୁ, ଦେଖିବ ଚିନୁଅପାକୁ ।

 

 

ଜ୍ୟୋତିମାମୁ ତାକୁ କାହିଁକି ଏମିତି କଲେ ?

 

ଜ୍ୟୋତିମାମୁ କେମିତି ଭିନ୍ନେ ଲାଗିଲେ ଚୁଙ୍ଗୁଡ଼ିକୁ ।

 

ତାକୁ କିଛି ଭଲ ଲାଗିଲାନି । ଭଲ ଲାଗିଲାନି ଜ୍ୟୋତିମାମୁଙ୍କର ଏ ଢଙ୍ଗ ।

 

ଅନେକ ସମୟ ପିଜୁଳିମୂଳେ ଆଉଜି ବସିଲା ଚୁଙ୍ଗୁଡ଼ି ।

 

ତାକୁ ଘରକୁ ଯିବାକୁ ଡର ଲାଗୁଥିଲା ।

 

ସେ ଡର ଭୂତର ।

 

ସେ ଡର ଅସୁରୁଣୀର ।

 

ସେ ଡର ଜ୍ୟୋତିମାମୁଙ୍କର ।

 

ଥରି ଥରି ଚୁଙ୍ଗୁଡ଼ି ଉଠିଲା । ବାପାଙ୍କ ପାଖୁ ଆଉଜି ବସିଲା । ନିଦ ଭାଙ୍ଗିଗଲା ତାଙ୍କର ‘‘ଏତେ ବେଳ ଯାଏଁ ଶୋଇନୁ ?’’

 

ବାପା ଚୁଙ୍ଗୁଡ଼ିର ପିଠି ସାଉଁଳେଇଲେ । ‘‘ପିଲାଟା କେତେ ଝଡ଼ିଗଲା ।’’

 

ଚୁଙ୍ଗୁଡ଼ି ବାପାଙ୍କ ହାତଟା ନିଜ ମୁହଁ ଉପରେ ଚାପିନେଇ ଭେଁ ଭେଁ ହୋଇ କାନ୍ଦି ପକେଇଲା । ବାପା କାନ୍ଦିବାର କାରଣ ପଚାରିଲେ ନାହିଁ ।

 

ଲୁହ ପୋଛିଦେଲେ, ‘‘ଆ–ଶୋଇବା’’ ବାସ୍‌ ସେତିକି ।

 

ସେ ହୁଏତ ଭାବିଲେ ବୋଉକଥା ମନେ କରୁଚି ଚୁଙ୍ଗୁଡ଼ି । ବାପା ନିଜ ଆଖିରୁ ଲୁହ ପୋଛୁଥିଲେ ।

 

ବାପାଙ୍କ ସହ ଶୋଇବାକୁ ଭିତରେ ପଶେ ଚୁଙ୍ଗୁଡ଼ି ।

 

ରାତିରେ ଆଉ ନିଦ ହୁଏନି । ମନେପଡ଼େ ଜ୍ୟୋତିମାମୁଙ୍କର ସେଇ ବାଜେ ବ୍ୟବହାରଟା । ପରଦିନ ସ୍କୁଲ୍‍ରେ ଏଇ କଥାଟା ଜଣେଇଦେଲା ତପନକୁ ।

 

ତପନ ମୁହଁ ଗମ୍ଭୀର କଲା ।

 

ବୁଝେଇ ଦେଲା, ତା’ ଜ୍ୟୋତିମାମୁ ଭଲନୁହଁନ୍ତି । ତା’ ପାଖକୁ ଚୁଙ୍ଗୁଡ଼ିକୁ ଯିବାକୁ ମନାକରେ ତପନ । ତପନ ପୁଣି ରାଗିଯାଏ । ମୁହଁ ନାଲି ପଡ଼ିଯାଏ ତପନର । ଜ୍ୟୋତିମାମୁଙ୍କ ଛାତିରେ ଛୁରି ବସେଇଦବ କୁହେ । ଚୁଙ୍ଗୁଡ଼ି ନାହିଁକରେ, ଆଉକେବେ ଜ୍ୟୋତିମାମୁଙ୍କ ସହ କଥା କହିବ ନାହିଁ କୁହେ, ତାଙ୍କ ପାଖୁ ଯିବନାହିଁ କୁହେ ।

 

ତପନକୁ ଖୁବ୍‌ ବିଶ୍ୱାସ କରେ ଚୁଙ୍ଗୁଡ଼ି ।

 

ସେ ବିଶ୍ୱାସକରେ ସତ ବୁଝେ, ଜ୍ୟୋତିମାମୁ ଖରାପ ଲୋକ ।

 

ତପନକୁ ବିଶ୍ୱାସ କରେ ଚୁଙ୍ଗୁଡ଼ି । ବିଶ୍ୱାସକରେ ତା’ର ପ୍ରତିକଥାକୁ । ସବୁ ପ୍ରତିଶ୍ରୁତିକୁ । ଦିନକୁଦିନ ତପନଟା ବେଶି ଭଲଲାଗେ । ଭଲଲାଗେ ତା’ର ସବୁ ।

 

ଏଇ ଦି’ବର୍ଷ ଭିତରେ ତପନଟା ଲମ୍ବାରେ ବଢ଼ିଯାଇଚି ବେଶ୍‌ କିନ୍ତୁ ପତଳାଟା । ପତଳା ହେଲେ କ’ଣହେଲା, ଖୁବ୍‌ ଟାଣୁଆ–ହାତ ରଗଡ଼ି ଦେଲେ ଟିପ ଦରଜ ହୋଇଯିବ । କଲମ ଧରି ହେବନି । ସେଇ ଭୟରେ ତପନର କୋଉ କଥାକୁ ମନା କରିବାକୁ ସାହସ କରେନି ଚୁଙ୍ଗୁଡ଼ି । ତା’ ସହ ଲୁଚି ଲୁଚି ବୁଲେ ।

 

ବାପାଙ୍କୁ ମିଛକହି ତପନର ମ୍ୟାଚ୍‌ ଦେଖିବାକୁ ଯାଏଁ ।

 

ପ୍ରାୟ ସବୁଥର ଜିତେ ତପନ । ତପନ ସହିତ ଖେଳୁଥିବା ଅନ୍ୟ ଖେଳାଳି ହାରିଯାଏ । ଚୁଙ୍ଗୁଡ଼ି ତାଳିମାରେ । ଖୁସିହୁଏ ।

 

ଘରକୁ ଫେରିଲାବେଳେ ତପନ ସାଙ୍ଗରେ ଆସେ । ଘରଠୁ ଅଳ୍ପଦୂରରେ ଛାଡ଼ିଦିଏ । ଚାଲିଯାଏ ।

 

ଚୁଙ୍ଗୁଡ଼ି ଘରକାମ କରେ । ସବୁକରେ । ଲଣ୍ଠନ ଧରି ପଢ଼ିବସେ ।

 

ବହିରେ ପଡ଼େ ଆଉ କାହାର ଛାଇ ।

 

ଅକ୍ଷରଗୁଡ଼ାକ ପାଖରେ ଦିଶେ ଆଉ କାହାର ମୁହଁ ।

 

ସେ ତପନକୁ ଭାବେ । ମନେକରେ ତପନ କଥା ।

 

ସିକୁ ବଡ଼ ହୋଇଗଲାଣି । ନବମରେ ପାଠପଢ଼େ ।

 

ଚୁଙ୍ଗୁଡ଼ିର ଦଶମ, ତପନର ଦଶମ ।

 

ସିକୁ ଆଉ ଏକଜିଦିଆ ହୋଇ ରାହାଧରି କାନ୍ଦେ ନାହିଁ । ବେଶ୍‌ ଗମ୍ଭୀର, ଭଦ୍ର ହୋଇ ଯାଇଚି ସିଏ । ଚୁଙ୍ଗୁଡ଼ି ଖୁସିହୁଏ ।

 

ଚୁଙ୍ଗୁଡ଼ି ଭଲପାଏ ସିକୁକୁ ।

 

ଭଲପାଏ ତପନକୁ ।

 

ସିକୁକୁ ପାଖରେ ବସାଇ ଚୁଙ୍ଗୁଡ଼ି ଅଙ୍କ ବୁଝାଏ । ଇତିହାସ ପ୍ରଶ୍ନଦିଏ ।

 

ସାହିତ୍ୟ ପ୍ରଶ୍ନଉତ୍ତର ଡାକେ ।

 

ଚୁଙ୍ଗୁଡ଼ି କେବେ ସ୍କୁଲ୍‍ବନ୍ଦ କରେ ନାହିଁ । ସିକୁର ପାଠ ପ୍ରତି ତା’ ନିଜପାଠ ଅପେକ୍ଷା ବେଶି ନଜର ଦିଏ ଚୁଙ୍ଗୁଡ଼ି । ବେଶି ଯତ୍ନକରେ ।

 

ନିଜ ଅସୁସ୍ଥତାକୁ ଖାତିର କରେ ନାହିଁ ଚୁଙ୍ଗୁଡ଼ି । ଗୁରୁତ୍ୱ ଦିଏ ନାହିଁ ।

 

ସିକୁ ଅସୁସ୍ଥ ହେଲେ ଉଭୟ ସ୍କୁଲ୍‍ ବନ୍ଦକରନ୍ତି ।

 

ତାକୁ ଏକା ଛାଡ଼ି ସ୍କୁଲ୍‍ ଚାଲିଯିବାକୁ ଇଚ୍ଛାହୁଏନି ଚୁଙ୍ଗୁଡ଼ିର । ୟା ଛଡ଼ା ତା’ରବା କିଏ ଅଛି ? ବାପା ଥିଲେବି, ପାଣି ଟୋପାଏ ଦେଇ ପାରିବେ ନାହିଁ ତାକୁ ।

 

ଚୁଙ୍ଗୁଡ଼ିକୁ ଭଲଲାଗେ ନାହିଁ ।

 

ଚୁଙ୍ଗୁଡ଼ି ସ୍କୁଲ୍‍କୁ ଯାଏଁ ନାହିଁ ।

 

ସିକୁ ପାଖରେ ବସେ । ତାକୁ ସାଗୁ କରି ପିଆଏ, ଔଷଧଦିଏ । ତା’ ମୁଣ୍ଡ ଚିପେ ପାଦ ଆଉଁଶେ । ସିକୁ ବାଉଳିହୁଏ କେତେକଅଣ ।

 

ବୋଉ ବୋଉ ଡାକଛାଡ଼େ । ଚୁଙ୍ଗୁଡ଼ି ଶୁଣେ । ଲୁଚି ଲୁଚି କାନ୍ଦେ । ନିଜ ଲୁହ ନିଜ ପାପୁଲିରେ ପୋଛେ । ସେବି ମନେକରେ ତା’ ବୋଉକୁ । ତା’ ଚିନୁଅପାକୁ !

 

ସିକୁ ବିଛଣା ପାଖରେ ବସି ଚୁଙ୍ଗୁଡ଼ି ଠାକୁରକୁ ଡାକେ, ସିକୁର ଦେହ କେମିତି ଶୀଘ୍ର ଭଲ ହୋଇଯାଉ । ବିଲ ମଝିରେ ସିନ୍ଦୂର ମୁଣ୍ଡିକି ଦୁଧ ପୂଜାକରେ । ଫୁଲଚଢ଼ାଏ, ସିକୁର ଦେହ ଶୀଘ୍ର ଭଲ କରିଦିଅ ।

 

ସିକୁ ଭଲ ହୋଇଯାଏ ।

 

ପୁଣି ସ୍କୁଲ୍‍ଯାଏଁ ସିକୁ । ସ୍କୁଲ୍‍ଯାଏଁ ଚୁଙ୍ଗୁଡ଼ି ।

 

ଅନେକ ଦିନର ବ୍ୟବଧାନ ପରେ ସ୍କୁଲ୍‍ରେ ତପନକୁ ଦେଖି ତା’ ପାଖକୁ ଦୌଡ଼ିଯାଏ ଚୁଙ୍ଗୁଡ଼ି । ତାକୁ ଦେଖି ତପନ ମୁହଁ ବୁଲାଇ ନିଏ । ସେ ଅଭିମାନ କରେ ।

 

ଚୁଙ୍ଗୁଡ଼ି ତାକୁ ବୁଝାଇଦିଏ ନିଜର ଅସୁବିଧା ।

 

କିଛିବି ଶୁଣେ ନାହିଁ ତପନ । ଚୁଙ୍ଗୁଡ଼ି ଶେଷକୁ ନିରୁପାୟ ହୋଇ କାନ୍ଦେ ।

 

ତପନର ରାଗ ସେ ଲୁହଧାରରେ ମିଶି ଧୋଇଯାଏ ।

 

ସେ ଚୁଙ୍ଗୁଡ଼ିକୁ କଥାଦିଏ, ଯାହାଯାହା ପାଠ ପଢ଼ା ହୋଇ ଯାଇଚି ସବୁତକ ବୁଝେଇଦବ ସିଏ । ସବୁ ଅଙ୍କ ବତେଇଦବ ।

 

ଚୁଙ୍ଗୁଡ଼ି ଫେଁ ଫେଁ ହୋଇ ହସେ । ‘‘ତତେ କେବେଠୁ ଅଙ୍କକଷି ଆସିଲାଣି ? ତୁ କେବେଠୁ ଏତେ ପଣ୍ଡିତ ହୋଇଗଲୁଣି ? ମୁଁ ଏଇ କେତେଦିନ ନଥିଲି ଯେ, ପିଠି ଦେଖାତ ତୋର, ମୁଁ ବେତଦାଗ ଗଣିବି !!’’

 

ତପନ ମୁହଁ ଶୁଖାଏ ।

 

ଚୁଙ୍ଗୁଡ଼ି ହସେ । ତପନ ହାତରେ ହାତଛନ୍ଦି ପଚାରେ ‘‘ରାଗିଲୁ ?’’

 

ଚୁଙ୍ଗୁଡ଼ି ଟ୍ୟୁସନ ହୁଏନାହିଁ । କେବେ ହୋଇନାହିଁ ।

 

ଅଙ୍କ ଟ୍ୟୁସନ ହୁଏ ସିକୁ ।

 

ସିକୁ ଭଲ ପାଠ ପଢ଼େ । ଅଙ୍କରେ ଟିକେ ଦୁର୍ବଳ । ଟ୍ୟୁସନ ହେଲେ ଭଲ କରୁଚି ।

 

ଚୁଙ୍ଗୁଡ଼ି ଭାବେ । ହୁଏତ ତା’ର ଟ୍ୟୁସନଟା ଆର ମାସରୁ ବନ୍ଦ ହୋଇଯିବ ।

 

କିଛି ଉପାୟ ନାହିଁ ।

 

କାକା ଦୁଇମାସ ହେବ ପଇସାଟିଏ ପଠାଇ ନାହାନ୍ତି ।

 

ଆଉ କେତେଦିନ ଏମିତି ଚଳିହବ ! ଚୁଙ୍ଗୁଡ଼ିର ଛୋଟିଆ ଅନ୍ତରଟା ବେଦନାରେ ଭାରାକ୍ରାନ୍ତ ହୋଇଯାଏ ।

 

ତା’ର ବୃତ୍ତିଟଙ୍କା ନ ମିଳିଥିଲେ ଏଇ ଦି’ଟା ମାସ କେମିତି ଚଳିଥାନ୍ତା । ଭାବିପାରେନି ଚୁଙ୍ଗୁଡ଼ି । ବାପାଙ୍କର ସାର୍ଟଟିଏ ନଥିଲା । ଜିଦିକରି ଚୁଙ୍ଗୁଡ଼ି ତାଙ୍କପାଇଁ ସାର୍ଟଟିଏ କଲା ।

 

ସେ ପଇସା ସବୁ ସରିଗଲାଣି । ବଳିଚି ଆଉ ଦୁଇଟା ଦଶଟଙ୍କା । ଆଗରେ ଗଣେଶପୂଜା । ଚୁଙ୍ଗୁଡ଼ିର ଜାମାଟା ଚିରିଗଲାଣି । ଭାବିଥିଲା ଫ୍ରକ୍‌ଟିଏ କରିବ ଏଥର ।

 

କିନ୍ତୁ ସିକୁର ଟ୍ୟୁସନ ?

 

ତା’ର ଜାମାଟିଏ ନ ହେଲେ ଚଳିଯିବ । ଆଉ କେବେ ସୁବିଧା ଦେଖି କରିନବ ନୂଆ ଜାମା ଖଣ୍ଡେ ।

 

ମାତ୍ର ସିକୁ ପରୀକ୍ଷାରେ ଖରାପ କଲେ–

 

ଆଉ କିଛି ଅଧିକ ଭାବିପାରେନି ଚୁଙ୍ଗୁଡ଼ି ।

 

ସିକୁ ବୁଝେ । ତା’ର ଦୁଇ ମାସର ଟ୍ୟୁସନ ପଇସା ଦିଆଯାଇ ନାହିଁ । ଦବାର ଉପାୟବି ନାହିଁ । ଚାଳିଶ ଟଙ୍କା । ଚାରିଖଣ୍ଡ ଦଶଟଙ୍କିଆ ନୋଟ୍‌ । କାହାକୁ ମାଗିବ ?

 

କେମିତିବା ଦବ କିଏ ?

 

ତା’ର ଅସମର୍ଥ ପଙ୍ଗୁ ବାପାକୁ ମାଗି ଲାଭନାହିଁ । ମାଗି ଲାଭ ନାହିଁ ତା’ର ସ୍କୁଲ୍‍ପଢ଼ା ଭଉଣୀଟାକୁ ।

 

ଜାଣି ଜାଣି ଆଉ ଟ୍ୟୁସନକୁ ଆଉ ଗଲାନାହିଁ ସିକୁ ।

 

ଚୁଙ୍ଗୁଡ଼ି ପଚାରିଲେ କୁହେ । ସାର୍ ତାଙ୍କ ଗାଁକୁ ଯାଇଚନ୍ତି । ତା’ର ଏଇ ଶାନ୍ତ ସ୍ନେହମୟୀ ଭଉଣୀଟିର ମନରେ ନିଜ ଅବସ୍ଥାକୁ ସଚେତନ କରେଇ ଦେଇ ଆଘାତ ଦେବାକୁ ଇଚ୍ଛାହୁଏନି ସିକୁର । ସେ ମିଛକୁହେ । ଚୁଙ୍ଗୁଡ଼ି ବୁଝେନାହିଁ ।

 

ଦିନେ ତା’ର ଏ ମିଛ ଧରା ପଡ଼ିଲା ।

 

ଦାଣ୍ଡଦୁଆର କବାଟରେ ଠକ୍‌ ଠକ୍‌ ଶବ୍ଦ ଶୁଣି କବାଟ ଖୋଲିଲା ଚୁଙ୍ଗୁଡ଼ି, ବାସନ ମାଜୁଥିଲା । କଳାକରେଇ, ଡେକ୍‌ଚି । ହାତ ପାପୁଲିରେ, ଗାଲରେ କଳାଦାଗ ।

 

–ସିକୁ କାହିଁକି ଟ୍ୟୁସନ ଯାଉନି ?

 

ସିକୁର ଟ୍ୟୁଟର ଶାଶ୍ୱତ ପଚାରୁଥିଲେ ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ଚିହ୍ନିଲା, ଦୁଇହାତ ଯୋଡ଼ି ନମସ୍କାର କଲା । ବୁଝିଲା, ସିକୁ ତାକୁ ମିଛ କହିଚି । କାହିଁକି କହିଚି ସେକଥାବି ବୁଝିଲା ।

 

ଘରଭିତରକୁ ଦୌଡ଼ିଗଲା । ଟିକେ ସମୟରେ ଫେରିଆସିଲା ।

 

ହାତରେ ତା’ର ଦି’ଟା ନୂଆ ଚିକ୍‌ଚିକ୍‌ ଦଶଟଙ୍କିଆ ନୋଟ୍‌ ।

 

ଚୁଙ୍ଗୁଡ଼ି ହାତ ବଢ଼େଇଲା ଶାଶ୍ୱତ ଆଡ଼େ ।

 

ଶାଶ୍ୱତ ଚାହିଁଲେ ଚୁଙ୍ଗୁଡ଼ି ହାତର ଟଙ୍କାକୁ ।

 

ଚୁଙ୍ଗୁଡ଼ିର ମୁହଁକୁ, ଚୁଙ୍ଗୁଡ଼ିର ଆଖିକୁ ।

 

ତା’ ମୁହଁରେ ସନ୍ତୋଷ । ଆଖିରେ ତୃପ୍ତି ।

 

ମନରେ ଭାବନାର ସ୍ତୂପ ।

 

ଏତିକି ଘର ସମ୍ବଳ ଥିଲା । କାକା ପଠେଇ ନାହାନ୍ତି । ଚାରିଦିନ ପରେ ସ୍କୁଲ୍‍ଦରମା ଗଣେଶ ପୂଜାପାଇଁ ସ୍କୁଲ୍‍ଚାନ୍ଦା–ସିକୁର, ତା’ର ।

 

ଯାହାବି ହେଉ, ସିକୁର ଟ୍ୟୁସନ ଦରକାର । ସେତେବେଳ କଥା ଦେଖାଯିବ । ଗଣେଶ ପୂଜା ଚାନ୍ଦା ନ ଦେଇ, ସ୍କୁଲ୍‍କୁ ନ ଯାଇ ଘରେ ରହିଯିବ ଚୁଙ୍ଗୁଡ଼ି ପୂଜାଦିନ । କିନ୍ତୁ ସ୍କୁଲ୍‍ ଦରମା ନ ଦେଲେ ନାଁ କଟିଯିବ । ନାଁ କଟିଯିବ ସିକୁର ।

 

ସିକୁର ସ୍କୁଲ୍‍ଚାନ୍ଦା ନ ଦେଲେ ମନଦୁଃଖ କରିବ ସିକୁ । ପିଲାଟା ଆଜିଠୁ ଖୁସିରେ ନାଚୁଚି ।

 

କାକାଙ୍କର ପୁଅ ହୋଇଚି । ପ୍ରଥମ ପୁଅ ।

 

ସେ ଆଉ ଟଙ୍କା ପଠାଇ ନାହାଁନ୍ତି ।

 

ଶାଶ୍ୱତ ଚାହିଁଚନ୍ତି । ଆଖି ଛଳଛଳ ଦିଶୁଚି ତାଙ୍କର ।

 

କ’ଣ ଯେମିତି ବହୁତ ଭାବି ଚାଲିଚନ୍ତି ସିଏ । ଚୁଙ୍ଗୁଡ଼ି ଟଙ୍କାଟା ସେମିତି ତାଙ୍କରି ଆଡ଼କୁ ବଢ଼େଇ ଧରିଚି । ଶାଶ୍ୱତ କହୁଚନ୍ତି ‘‘ମୁଁ ଟଙ୍କା ମାଗିବାକୁ ଆସି ନଥିଲି, ତମେ ଭୁଲ୍‍ ବୁଝିଲ ! ପରୀକ୍ଷା ଅଳ୍ପଦିନ । ତା’ର ଟ୍ୟୁସନ ବନ୍ଦ କରିବା ଭଲ ହେଉନି । ସେଇକଥା କହିବାପାଇଁ ଆସିଥିଲି-। ସିକୁକୁ ସେଇକଥା କହିଦବ । ମୁଁ ଯାଉଚି ।

 

ଶାଶ୍ୱତ ବୁଲିପଡ଼ି ଚାଲିଗଲେ । ଚୁଙ୍ଗୁଡ଼ି କ୍ଷଣିକପାଇଁ ସ୍ତବ୍ଧ ହୋଇ ଛିଡ଼ାହୋଇ ରହିଲା । ପଛରୁ ଡାକିବ ଭାବି ମଧ୍ୟ ଡାକି ପାରିଲା ନାହିଁ ।

 

‘‘ସିକୁ ! ସାର୍‌ ଆସିଥିଲେ, ତୁ ମତେ ମିଛକହି ଠକୁଥିଲୁ । ଆଜିଠୁ ଟ୍ୟୁସନ ଯା–ଟଙ୍କା ମୁଁ ଦଉଚି । ତୁ ଛୋଟପିଲା, ତୁ କାହିଁ ଏତେକଥା ଭାବୁଚୁ ? ମୋ ପାଖରେ କ’ଣ ଟଙ୍କା ନାହିଁ ବୋଲି ଭାବୁଚୁ ? ମାସକର ଦେଇଦବୁ । ଏ ମାସରଟା ସୁବିଧା କରି ଦେଇଦେବି, ମନଦେଇ ପଢ଼ିବୁ !’’

 

ସିକୁ ହସିଲା । ଚୁଙ୍ଗୁଡ଼ି ହାତରୁ ଟଙ୍କାଦେଇ ରଖିଲା ପକେଟରେ ।

 

ତା’ ଚୁଙ୍ଗୁଡ଼ି ଅପା ଭଲ । ସିକୁ ପୁଣି ଟ୍ୟୁସନଗଲା ।

 

ଚୁଙ୍ଗୁଡ଼ି ବାଁହାତରେ କପାଳ ଚିପି ଚିପି କ’ଣ ଯେମିତି ଭାବିଲା ।

 

ଭାବିବାକୁ ତା’ର ଅନେକ କଥା । ଚିନ୍ତା କରିବାକୁ ତା’ର ଅନେକ ଅସୁବିଧା ଲୁହ ଢାଳିବାକୁ ତା’ର ଅନେକ ଦୁଃଖ ।

 

ତଥାପି ସେ ଖୋଲାଖୋଲି କାନ୍ଦିପାରେ ନାହିଁ ।

 

କାନ୍ଦିବାର ସୁବିଧା କିମ୍ବା ସ୍ୱାଧୀନତା ତାକୁ ମିଳେନାହିଁ ।

 

ଘରେ ବାପାଙ୍କ ପାଖରେ କାନ୍ଦିଲେ ସେ ମନଦୁଃଖ କରିବେ । ନିଜକୁ ବେଶି ନିକର୍ତ୍ତବ୍ୟ ମନେକରିବେ । ତାଙ୍କ ମନରେ ଦୁଃଖଦବାକୁ ଇଚ୍ଛାକରେନି ଚୁଙ୍ଗୁଡ଼ି । ନିଜ ଛାତିର ରକ୍ତକ୍ଷରତାକୁ ତାଙ୍କ ନିକଟରେ ମୁକୁଳାକରି ଦେଖେଇ ତାଙ୍କ କ୍ଷତର ଯନ୍ତ୍ରଣାକୁ ଅଧିକ ବଢ଼େଇ ଦେବାକୁ ଭଲଲାଗେନି ତାକୁ । ସେ ଜନ୍ମରୁ ଦୁଃଖୀ । ଦୁନିଆ ତାଙ୍କପାଇଁ ରଙ୍ଗୀନ ହେଲେବି ନିଷ୍କମ୍ପ । ଚିର ଗତିଶୀଳ ଦୁନିଆରେ ସେ ଗୋଟାଏ ଗତିହୀନ ସୃଷ୍ଟି ।

 

ନିଜଉପରେ ନିର୍ଭରକରି ଠିଆହୋଇ ପାରନ୍ତି ନାହିଁ । ଏଇ ସୁନ୍ଦର ପୃଥିବୀଟାକୁ ଦେଖିପାରନ୍ତି ନାହିଁ । ଅନୁଭବ କରିପାରନ୍ତି ନାହିଁ ।

 

ୟାଠୁ ବଳି ଦୁଃଖ, ୟାଠୁ ବଳି କଷ୍ଟ ଆଉ କ’ଣବା ଥାଇପାରେ ?

 

ଚୁଙ୍ଗୁଡ଼ି ମନଦୁଃଖ କରେ ।

 

ଚୁଙ୍ଗୁଡ଼ି କାନ୍ଦିପାରେନି ସିକୁ ଆଗରେ । ବର୍ଷଟିଏ ଜମାରୁ ବୟସରେ ବଡ଼ ହେଲେବି ଚୁଙ୍ଗୁଡ଼ି ତା’ଠୁ ଶହେବର୍ଷ ବଡ଼ ବୋଲି ଅନୁଭବ କରେ । ସେ ସିକୁର ମା’, ଭଉଣୀ, ସାଙ୍ଗ, ସବୁ ! ତା’ ଆଗରେ କାନ୍ଦିଲେ ସେ ମନଦୁଃଖ କରିବ । ପିଲାଟାର ଛୋଟ ଅନ୍ତର ଭାଙ୍ଗିପଡ଼ିବ । ଜୀବନଉପରୁ ବିଶ୍ୱାସ ହରେଇ କିଛି କରିବାକୁ ସାହସ କରିବନି ସିଏ ।

 

ସ୍କୁଲ୍‍ରେ ଲୁଚି ଲୁଚି କାନ୍ଦିହୁଅନ୍ତା ବେଶ୍‌, ଯଦି ତପନଟା ସେଠି ନଥାନ୍ତା !

 

ତପନକୁ ଦେଖିଲେ ଚୁଙ୍ଗୁଡ଼ିର ବେଶି କାନ୍ଦିବାକୁ ଇଚ୍ଛାହୁଏ । କାହାର ଆଶ୍ୱାସନା ପାଇଲେ ତା’ର ସବୁ ରୁଦ୍ଧବେଦନା ଆତ୍ମପ୍ରକାଶର ବାଟଖୋଜନ୍ତି ।

 

ତପନ ତାକୁ ବୁଝାଏ । ଆପଣାର, ଅନ୍ତରଙ୍ଗ ଆତ୍ମୀୟତା ମିଶେଇ ସାନ୍ତ୍ୱନା ଦିଏ । କାହାର ଆନ୍ତରିକତା ପାଇଁ ଚୁଙ୍ଗୁଡ଼ିର ସ୍ନେହକାଙ୍ଗାଳ ହାହାକାର କରୁଥିବା ସର୍ବହରା ଅନ୍ତରଟା ସବୁବେଳେ ବିକଳ ।

 

ତା’ ଅନ୍ତରର ଦରଜ ବୁଝେ ତପନ ।

 

ତପନ ତାକୁ ଆଶାଦିଏ, ଆଶ୍ୱାସନାଦିଏ । ବଞ୍ଚିବାପାଇଁ ଶିଖାଏ ।

 

ପାପୁଲିରେ ଲୁହପୋଛିଦିଏ ଚୁଙ୍ଗୁଡ଼ିର ଆଖିରୁ, ଗାଲରୁ ।

 

ଚୁଙ୍ଗୁଡ଼ି କେମିତି କେଜାଣି ଅନୁଭବକରେ, ଏ ବିରାଟ ଦୁନିଆରେ ସେ ଏକାନ୍ତ ଏକୁଟିଆ ନୁହେଁ । ତାକୁ କେହିଜଣେ ହେଲେ ସ୍ନେହ କରିବାକୁ ଅଛି, ତା’ ଦୁଃଖରେ ଦୁଃଖ କରିବାକୁ ଅଛି । ତା’ ଆଖିର ଲୁହ ଏ ପୃଥିବୀର କାହାକୁ ଜଣକୁ ହେଲେ ଅସହ୍ୟ ଲାଗୁଚି, ଅସ୍ଥିର କରୁଚି ।

 

ତା’ପାଇଁ ତପନର ଆନ୍ତରିକତା ତାକୁ ଭଲଲାଗେ । ତା’ର ବଞ୍ଚିରହିବାକୁ ଇଚ୍ଛାହୁଏ । ବଞ୍ଚେ ବାପାଙ୍କପାଇଁ, ସିକୁପାଇଁ ।

 

ଏବଂ ବଞ୍ଚେ ତପନପାଇଁ ।

 

ବାପା ତାକୁ ଭଲପା’ନ୍ତି । ଭଲପାଏ ସିକୁ ।

 

ଚୁଙ୍ଗୁଡ଼ି ଅନୁଭବ କରେ, ତପନବି ତାକୁ ଭଲପାଏ ।

 

ତପନ ଭଲ । ଶାନ୍ତ, ଭଦ୍ର, ଗମ୍ଭୀର !

 

ତପନ ବଡ଼ଲୋକ । ତା’ ବାପା ଖୁବ୍‌ଧନୀ । ତା’ କଥା ଚିନ୍ତାକରିବାକୁ ଆଖି ପାଏନି ଚୁଙ୍ଗୁଡ଼ିର । ଖୁବ୍‌ ବଡ଼ଲୋକ ଏଇ ତପନ । ବଡ଼ଲୋକପଣ ନାହିଁ ତା’ର ।

 

ଗରିବ ଚୁଙ୍ଗୁଡ଼ିର ସେ ସାଙ୍ଗ ।

 

ଗରିବ ଚୁଙ୍ଗୁଡ଼ି !

 

ଚୁଙ୍ଗୁଡ଼ି ଏ ମାସରେ ଦରମା ଦେଇ ପାରିବ ନାହିଁ । ତା’ର ନାଁ କଟିଯିବ ।

 

ନାଁ କଟିଯିବ ସିକୁର । ଆଉ କେହି ସ୍କୁଲ୍‍କୁ ଆସିବେ ନାହିଁ । ଚୁଙ୍ଗୁଡ଼ିକୁ ଏସବୁକଥା ଭାବିଲେ କାନ୍ଦମାଡ଼େ । ଅତିବିକଳ ହୋଇ ମୁହଁଲୁଚେଇ କାନ୍ଦେ ସିଏ ।

 

ସିକୁ ଫେରେ ଟ୍ୟୁସନରୁ । ବହିଥୋଇ ଖେଳିବାକୁ ଯାଏଁ । ଚୁଙ୍ଗୁଡ଼ି ଘର ଓଳାଏ ସଞ୍ଜଦିଏ । ଠାକୁରଘରେ ଆଳତିକରେ । ପ୍ରାର୍ଥନା ବୋଲେ । ଠାକୁରଘରେ ବୋଉର ଛାଇ ଦେଖେ-। ଚିନୁଅପାର ଘରପାଖରେ ଭାସିଯାଏ ଚିନୁଅପାର ସୁନ୍ଦର ପୂରାପୂରା ଦେହଟା, ସୁନ୍ଦର ଗମ୍ଭୀର ଗୋରା ମୁହଁଟା ।

 

ଚୁଙ୍ଗୁଡ଼ି ଉଠେ । ଘରେ ଧୂପ ଜଳାଏ । ତା’ କାମରେ ଲାଗିଯାଏ ସେ ।

 

ସେ ଆଜିକାଲି ଆଉ ଖେଳେ ନାହିଁ । ପିଲାଦିନର ସବୁଖେଳ ହଜିଗଲାଣି କାହିଁ କେଉଁଠି-। ଖାଲି ଅଛି ଜ୍ୟୋତିମାମୁ ଦେଇଥିବା ସୁନ୍ଦର କାଚର କୁଣ୍ଢେଇଟା । ତାକୁ ବାକ୍‌ସରେ ରଖିଦେଇଚି ଚୁଙ୍ଗୁଡ଼ି । ରହିଚିତ ରହିଚି । ସେଟାକୁ ତା’ର ଗୋଟାଏ ଜନ୍ମଦିନକୁ ଦେଇଥିଲେ ଜ୍ୟୋତମାମୁ-। ଚାବିଦିଆ କୁଣ୍ଢେଇ । ଚାବି ଦେଲେ ନାଚେ । କାଚକୁଣ୍ଢେଇଟା ଚିକ୍‌ଚିକ୍‌ ସୁନ୍ଦର ।

 

ହାତରୁ ପଡ଼ିଗଲେ ଭାଙ୍ଗିଯିବ । ଯେତେ ଚାବି ଦେଲେ ଆଉ ନାଚିବ ନାହିଁ । ସେଥିପାଇଁ ଚୁଙ୍ଗୁଡ଼ି ସେଥିରେ ଖେଳେନାହିଁ । ସିକୁ ଦୂରରେ ରହି ଦେଖେଇ ପୁଣି ଲୁଚେଇ ଦିଏ । ଛୁଆଁଇ ଦିଏ ନାହିଁ । ଦେଖେଇ ଦେଇ ଖାଲି କନ୍ଦାଏ ତାକୁ । ବୋଉ ଛଡ଼େଇ ନେଇ ଲୁଚେଇ ଦେଇଥିଲା ଘରେ । ସେଇଦିନୁ ରହିଛି । ରହିଯାଇଚି ।

 

ଚୁଙ୍ଗୁଡ଼ି ଘର ଝାଡ଼ିଲା । ତା’ ନିଜର ବହି ଥାକଥାକ କରି ସଜେଇ ରଖିଲା । ବହି ସଜାଇଲା ସିକୁର । ସିକୁ ବହିରେ ଚୁଙ୍ଗୁଡ଼ି ଦେଇଥିବା ଟଙ୍କା ସେମିତି ଥୁଆହୋଇଚି । ସାର୍‍କୁ ନ ଦେଇ ଟଙ୍କା ବହିଭିତରେ ରଖିଚି ସିକୁ । ସିକୁ ଘରକୁ ଫେରିଲା ପରେ ପଚାରିଲା ଚୁଙ୍ଗୁଡ଼ି । ସାର୍‍ଙ୍କୁ ଟଙ୍କା ଦେଇନୁ ଯେ ?

 

ମନାକଲେ । ଅନେକ ଅନୁରୋଧ ପରେବି ନେଲେନାହିଁ । ନେବେ ନାହିଁ କହିଲେ । ଚୁଙ୍ଗୁଡ଼ି ବୁଝିଲା ତାଙ୍କର ସିକୁକୁ ପଢ଼ାଇବାର ମନନାହିଁ । ଏ କଥା ମଧ୍ୟ ବୁଝେଇଦେଲା ସିକୁକୁ । ପରୀକ୍ଷାତ ଅଳ୍ପଦିନ, ନିଜେ ପଢ଼ାପଢି କର । ନିଜେ ନିଜକୁ ଦେଖ । ଆଉ ତାଙ୍କପାଖୁ ଟ୍ୟୁସନକୁ ଯା’ନା । ସେ ଆଶା କରିଥିଲେ ଦୁଇମାସର ଟଙ୍କା । ମାସକର ବାକି ରଖିଲାରୁ ସେ ରାଗିଚନ୍ତି । ଗରିବ ଆମେ ଅଲାଜୁକ ହୋଇ ପାରିବାନି ।

 

ଚୁଙ୍ଗୁଡ଼ି ମନରେ ଆଘାତ ପାଇଲା । ପରଦିନ ମନକୁ ଦମ୍ଭକରି ତପନକୁ କହିଲା–ମତେ ସାହାଯ୍ୟ କରିପାରିବୁ ତପନ ? ତୋର ଧର୍ମ ହବ !! ମତେ କୋଡ଼ିଏଟା ଟଙ୍କା ଦେଇପାରିବୁ ? ମୁଁ ତତେ ଠିକ୍‌ ପାଞ୍ଚଦିନ ପରେ ଦେବି–’’ ବିପଦବେଳେ ମଣିଷ ବେଶି ଦୁଃସାହସୀ ହୋଇଯାଏ । ଅଭାବବେଳେ ମଣିଷ ବେଶି ଅଲାଜୁକ ହୋଇଯାଏ । ଚୁଙ୍ଗୁଡ଼ି ନିଜପାଇଁ ଏଇକଥାଗୁଡ଼ାକ ବାଛୁଥିଲା ।

 

ତପନ ଆଖିରେ ଖୁସିର ବିଜୁଳି ମାରୁଚି ।

 

କି ଏକ ବିଚିତ୍ର ଆନନ୍ଦରେ ସାରା ଦେହ ରିମିଝିମ କରିଯାଉଚି ତା’ର ।

 

‘‘ତତେ ମୁଁ ଦେବିନି ତ ଆଉକାହାକୁ ଦେବି ?’’

 

ଚୁଙ୍ଗୁଡ଼ି ଖୁସି ନ ହେଲେବି ଆଶ୍ୱସ୍ତ ହେଲା । ସେ ଏଇଟଙ୍କା ସହ ଆଉ କୋଡ଼ିଏ ଟଙ୍କା ମିଶେଇ ଶାଶ୍ୱତକୁ ଦେବ ।

 

ସ୍କୁଲ୍‍ଫେରିଲା ବାଟରେ ଶାଶ୍ୱତ ସାର୍‍ଙ୍କ ଘର । ଚୁଙ୍ଗୁଡ଼ି ଗେଟ୍‍ଖୋଲି ଭିତରେ ପଶିଲା-। ଦାଣ୍ଡକବାଟ ଭିତରପଟୁ ବନ୍ଦଥିଲା । କଡ଼ା ଠକ୍‌ ଠକ୍‌ କଲା ଚୁଙ୍ଗୁଡ଼ି ଶାଶ୍ୱତସାର୍‌ କବାଟ ଖୋଲିଲେ । ଚୁଙ୍ଗୁଡ଼ି ଅନୁଭବ କଲା ତାକୁ ଦେଖି ଖୁବ୍‌ ଚମକି ପଡ଼ିଲେ ଶାଶ୍ୱତ ସାର୍‌-। ସେ ଯେମିତି ମୋଟେ ଭାବି ନଥିଲେ କବାଟ ବାଡ଼ଉଥିବା ଲୋକ ଏଇ ଝିଅଟି ହୋଇଥିବ ବୋଲି-!

 

‘‘ଆପଣଙ୍କ ଟଙ୍କା !’’

 

–ତମକୁ କିଏ କହିଲା ଆଣିବାକୁ ?

 

‘‘ନା–ଆଜି ମୁଁ ଦୁଇମାସର ନେଇଆସିଚି । କ୍ଷମାକରିବେ ? ଭାରି ଅସୁବିଧା ଥିଲା । କାଲି ଦେଇପାରି ନଥିଲି ।’’

 

ଶାଶ୍ୱତଙ୍କର କଣ୍ଠ ନରମିଗଲା । ଭିତରକୁ ନମ୍ରଭାବରେ ଡାକିଲେ ତାକୁ । ନିର୍ବିକାର ପଦପାତରେ ଚୁଙ୍ଗୁଡ଼ି ଗଲା ।

 

ଛୋଟିଆ ଘର ଦି’ ବଖରା । ସରୁବାରଣ୍ଡା ମଝିରେ । ଗୋଟିଏ ଘରେ ରୁହନ୍ତି ଶାଶ୍ୱତସାର୍‌ । କ’ଣ ଛୋଟ ଚାକିରିଟିଏ କରନ୍ତି କୋଉ ଅଫିସ୍‍ରେ । ଆର ବଖରାଟିରେ ତାଙ୍କର ଆଉଜଣେ ସାଙ୍ଗ ରୁହନ୍ତି ।

 

ଶାଶ୍ୱତ ସାର୍‍ଙ୍କ ଘରେ କିଛି ଆସବାବପତ୍ର ନାହିଁ । ଛୋଟ ଦଉଡ଼ିଆ ଖଟଖଣ୍ଡେ, ଟେବୁଲଟିଏ, ଚେୟାର ଖଣ୍ଡେ, ଖଟତଳକୁ ଆଟାଚି ବେଗ୍‌ ଗୋଟେ ।

 

ସାର୍ଟ ଦି’ଖଣ୍ଡ କାନ୍ଥ ହ୍ୟାଙ୍ଗରରେ ଝୁଲୁଚି ।

 

ବ୍ଲୁର ଡୋରିଆ ସାର୍ଟ ପିନ୍ଧିଚନ୍ତି ଶାଶ୍ୱତସାର୍‌ ।

 

ଏମିତି ସାର୍ଟଟିଏ ତା’ ଭାଇ ସିକୁକୁ ସୁନ୍ଦର ମାନନ୍ତା ।

 

ସାର୍ ବସିଲେ ଖଟଉପରେ ।

 

ଚୁଙ୍ଗୁଡ଼ିକୁ ଚଉକିରେ ବସିବାକୁ ଦେଖେଇଦେଲେ ସେ ।

 

ଚୁଙ୍ଗୁଡ଼ି କ୍ଷଣେ ବସିଲା । ଟଙ୍କାଟା ଟେବ୍ଲଉପରେ ଥୋଇ ଠିଆହେଲା ।

 

‘‘ମୁଁ ଯାଉଚି । ଡେରିହେଲେ ବାପା ବ୍ୟସ୍ତ ହେବେ’’

 

–କିନ୍ତୁ ଟଙ୍କାଟା ସାଙ୍ଗରେ ନେଇଯାଅ । ମୁଁ ସବୁ ଜାଣିଚି । ତମଘର କଥା ସବୁ ଶୁଣିଚି ଫଜଲୁଠାରୁ । ଫଜଲୁ ଶାଶ୍ୱତ ସାର୍‍ଙ୍କ ସହିତ ଅନ୍ୟ ବଖରାଟାରେ ରହୁଥିବା ତାଙ୍କର ମୁସଲମାନ ବନ୍ଧୁ ।

 

ଚୁଙ୍ଗୁଡ଼ି ବେଶି ଚିଡ଼ିଗଲା । ସେ ଗରିବ । ଅନ୍ୟର ସାହାଯ୍ୟ ନ ଲୋଡ଼ିଲେ ସେ ଏ ବିରାଟ ପୃଥିବୀଟାରେ ବଞ୍ଚିବ ନାହିଁ । କିନ୍ତୁ ତା’ର ଅସହାୟତା ପାଇଁ କାହାରି ଦୟା ସେ ସହି ପାରିବ ନାହିଁ । ତା’ର ନିଃସ୍ୱତାକୁ ଅନ୍ୟର କରୁଣା ବିଦ୍ରୂପ ପରି ମନେହୁଏ । ମନେହୁଏ ଉପହାସ ପରି ।

 

ଚୁଙ୍ଗୁଡ଼ିର ଅସହାୟତା ବେଶି ବଢ଼େ ।

 

ଚୁଙ୍ଗୁଡ଼ି କିଛି କହିଲାନାହିଁ । ଉଠି ଠିଆହେଲା । ଚୁପ୍‌ଚାପ୍‌ ।

 

–ମୁଁ କହିଦଉଚି, ସିକୁଠାରୁ ମୁଁ ପଇସା ରଖିବି ନାହିଁ ।

 

–କାରଣ ସିକୁ ଗରିବ, ଏଇଆ ନା ?

 

–ଚୁଙ୍ଗୁଡ଼ି !! ତମେ ଭୁଲ୍‍ବୁଝିଲ । ଜାଣିନ ତୁମେ । ମତେ ଅନ୍ୟକିଛି ଭାବିବ ନାହିଁ । ମୁଁ ଗରିବ–ନିହାତ ଗରିବ– । ଘରେ ମୋର ମା’ ଛଡ଼ା କେହି ନାହାନ୍ତି । ଏତେ ଅସୁବିଧା ଯେ ତାକୁବି ମୁଁ ପାଖକୁ ଆଣି ରଖିପାରୁନି । ଦରମା ଟଙ୍କା ନିଜକୁ ନିଅଣ୍ଟ । କୋଡ଼ିଏ ତାରିଖ ବେଳୁ ଧାର କରିବା ଆରମ୍ଭ ହୋଇଯାଏ । ସେଇଥିପାଇଁ କେତୋଟି ଟ୍ୟୁସନ ଧରିଚି । ତେବେ ମୁଁ ଅମଣିଷ ନୁହେଁ । ସିକୁ ମୋର ଭାଇପରି । ତା’ର ପଢ଼ା ଦାୟିତ୍ୱ ମୋ ଉପରେ ଦେଲେ ମୁଁ ଖୁସିହେବି । ନିଜକୁ ଧନ୍ୟ ମନେକରିବି । ମୋର ବାପାନାହିଁ । ବାପାର ସ୍ନେହ କ’ଣ ଜାଣିନି । ଭାଇ ନାହିଁ, ଭଉଣୀ ନାହିଁ । ମା’ ଛଡ଼ା କେହି ନାହିଁ ।

 

ଚୁଙ୍ଗୁଡ଼ି ଗୁମ୍‌ ହୋଇ ସବୁ ଶୁଣିଲା । ମୁଣ୍ଡଟେକି ଚାହିଁଲା ସାର୍‍ଙ୍କ ମୁହଁକୁ । ତାଙ୍କର ମଖି ଛଳଛଳ । ଓଠ ଥରଥର ।

 

ତାଙ୍କର ଆତୁର ମୁହଁରୁ ଚୁଙ୍ଗୁଡ଼ି ତାଙ୍କ କଥାର ଆନ୍ତରିକତା ବୁଝିଲା । ତାଙ୍କର ପ୍ରତି କଥାର ସତ୍ୟତାକୁ ଶତକଡ଼ା ଶହେଭାଗ ଅନୁଭବ କଲା । ବିଶ୍ୱାସ କଲା ।

 

‘‘ମୋର ମା’ ନାହିଁ । ଥିଲା । ଖୁବ୍‌ ଭଲପାଉଥିଲା ମତେ । ବାପା ଅଛନ୍ତି । ନଥିଲା ପରି ତଥାପି ମୁଁ ତାଙ୍କରିପାଇଁ ବଞ୍ଚିଚି । ସିକୁକୁ ସେ ଭାରିଭଲପାଏ । ଚୁଙ୍ଗୁଡ଼ିରବି ଅନେକ ଦୁଃଖ । ତା’ର ବଡ଼ଭାଇ ନାହିଁ, ଭଉଣୀ ନାହିଁ, ସିକୁଟା ଛୋଟ । ନିହାତ ପିଲାଳିଆ । ଚୁଙ୍ଗୁଡ଼ି ନିଜ ଅଜାଣତରେ କହିବାକୁ ନ ଭାବି ଏତେ କଥା କହିପକେଇଲା କେମିତି ! ଏକା ନିଃଶ୍ୱାସରେ ବଖାଣି ଦେଇଗଲା ତା’ର ସବୁଦୁଃଖ ।

Unknown

 

ଶାଶ୍ୱତ ସାର୍ ତାକୁ ବୁଝେଇଲେ–

 

–ଦୁଃଖ ସମସ୍ତଙ୍କର ଅଛି । କିସା ଗୌତମୀ ଦୁଃଖ ନଥିବା ଘରୁ ସୋରିଷ ମୁଠାଏ ପାଇ ନଥିଲେ । ଦୁଃଖକୁ ଛାଡ଼ି ମଣିଷ ଜୀବନ କ’ଣ କେବେ ସମ୍ଭବ ହେଲାଣି ? ଦୁଃଖ ତମର ଅଛି, ମୋର ଅଛି, ଦୁନିଆଯାକର ଅଛି ! ତାକୁ ଧୈର୍ଯ୍ୟହରା ନ ହୋଇ ସହି ନେବାଟା ବାହାଦୁରି । ଦୁର୍ବଳ ଲୋକକୁ ଦୁଃଖ ଡରାଏ । ମୁଣ୍ଡ ତଳକୁ କଲେ ଲହରୀ ହାରମାନେ । ତମେ ନିଜଉପରେ ବିଶ୍ୱାସରଖ । ନିଜକୁ, ଏ ପୃଥିବୀକୁ ଭଲପାଇ ସିଖ । ତମେ ଠିକ୍‌ ପାରିବ । ସବୁ କରିପାରିବ ତୁମେ-। ଖୁବ୍‌ ବଡ଼ ହୋଇପାରିବ । ଜୀବନରେ ନିଶ୍ଚୟ ସଫଳ ହେବ ତୁମେ ।

 

ଚୁଙ୍ଗୁଡ଼ି ଭାବେ, କେଜାଣି !

 

ଟଙ୍କା ଫେରେଇ ଆଣେ ଚୁଙ୍ଗୁଡ଼ି । କୌଣସି ପ୍ରକାରେ ସେ ଟଙ୍କା ରଖନ୍ତି ନାହିଁ ସେ ।

 

ସିକୁ ପୁଣି ପଢ଼ିବାକୁ ଯାଏଁ ।

 

ମଝିରେ ମଝିରେ ଆସନ୍ତି ଶାଶ୍ୱତ ସାର୍ । ଏକା ଆସନ୍ତି । ପଚାରି ବୁଝନ୍ତି ଚୁଙ୍ଗୁଡ଼ିର ପଢ଼ାଖବର । ବେଳେବେଳେ ସାଙ୍ଗରେ ଥା’ନ୍ତି ତାଙ୍କର ସେହି ମୁସଲମାନ ବନ୍ଧୁ ଫଜ୍‌ଲୁ ।

 

ଚୁଙ୍ଗୁଡ଼ି ବସିବାକୁ କୁହେ । ବାପାଙ୍କ ପାଖରେ ସପଦିଏ । ବାପା ଗପ କରନ୍ତି । ପଚାରନ୍ତି ଚାକିରି କଥା ! ରାଜନୀତିକଥା । ବଞ୍ଚିରହିବାର ଜଟିଳ ପ୍ରଶ୍ନଗୁଡ଼ାକ ଉପରେ ଆଲୋଚନା ହୁଏ । ବାପା ଶୁଣନ୍ତି ସେ କେମିତି ଦିନରାତି ପରିଶ୍ରମ କରି କମ୍ପିଟିଟିଉ ପାଇଁ ପ୍ରସ୍ତୁତ ହେଉଚନ୍ତି ! ଫଜ୍‌ଲୁ କେମିତି ତାଙ୍କର ପି. ଏଚ. ଡ଼ି. ନେଇ ବୁଡ଼ି ରହୁଚନ୍ତି ।

 

ଚୁଙ୍ଗୁଡ଼ି ମଝିରେ ଚା’ଦିଏ । କେବେକେବେ ଦିଏନାହିଁ ।

 

ଶାଶ୍ୱତସାର୍‌ ଟିକେ ଲାଜକୁଳା ।

 

ତଳକୁ ମୁହଁକରି ବସନ୍ତି । ଚୁଙ୍ଗୁଡ଼ିକୁ ହସମାଡ଼େ । ଲୁଚେଇ ଲୁଚେଇ ହସେ ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ି ତପନକୁ କଥାଦେଇଥିଲା । ପାଞ୍ଚଦିନ ପରେ ଟଙ୍କାଟା ଫେରେଇଦବ ।

 

ପାଞ୍ଚମାସ ବିତିଗଲାଣି । ଫେରେଇ ପାରୁନି । ସାର୍‍ ଟଙ୍କାଟା ନେଲେ ନାହିଁ ସିନା ବାପାଙ୍କର ଅକସ୍ମାତ୍‌ ଦେହ ଖରାପରେ ଟଙ୍କାଟା ସରେଇ ଦେଲା ଚୁଙ୍ଗୁଡ଼ି । ଗଣେଶପୂଜାକୁ ସିକୁପାଇଁ ନେଳିଆ ଡୋରିଆ ସାର୍ଟ୍ ଖଣ୍ଡେ କରିଦେଲା । ଏମିତି ସାର୍ଟ୍‍ଟିଏ ସାର୍ ପିନ୍ଧିଥିଲେ ଦେଖିଥିଲା ଚୁଙ୍ଗୁଡ଼ି ।

 

ସୁନ୍ଦର ମାନୁଚି ସିକୁକୁ ।

 

ଫାଇନାଲ୍ ପରୀକ୍ଷା ଅଳ୍ପଦିନ ଅଛି ଚୁଙ୍ଗୁଡ଼ିର ।

 

ଚୁଙ୍ଗୁଡ଼ି ତପନ ସହିତ ଗପକରୁଚି । ତାକୁ ଅଙ୍କ ବତେଇଦେଉଚି । ସାହିତ୍ୟ, ବିଜ୍ଞାନ, ଇତିହାସ ନୋଟ୍ ବୁଝେଇ ଦଉଚି ।

 

ତପନ ଭାରି ପ୍ରଗଳ୍‍ଭ ହୋଇଯାଇଚି ଏ ଭିତରେ ।

 

କେତେ କଥା କହିଯାଉଚି ଚୁଙ୍ଗୁଡ଼ିକୁ ।

 

ଚୁଙ୍ଗୁଡ଼ି ଆଜିକାଲି ବେଶି ସୁନ୍ଦର ଦିଶୁଚି । ବେଶି ସୁନ୍ଦର ହୋଇଯାଇଚି ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ି ସତ ବୁଝେ ନାହିଁ । ବିଶ୍ୱାସ ହୁଏ ନାହିଁ ତା’ର ।

 

ତପନକୁ ଖୁସି କରିବାକୁ ମିଛରେ ହସେ ।

 

ତପନ ପାଖରେ ନିଜକୁ ଭାରି ଛୋଟ ମନେକରେ ଚୁଙ୍ଗୁଡ଼ି । ତା’ ନିଜକଥା ସେ ରଖିପାରି ନାହିଁ । ତା’ ଟଙ୍କା ସେ ଠିକ୍‌ ସମୟରେ ଫେରେଇ ପାରି ନାହିଁ ତାକୁ । ଆଜି ପର୍ଯ୍ୟନ୍ତବି ଫେରେଇ ପାରୁ ନାହିଁ । ଚୁଙ୍ଗୁଡ଼ିକୁ ଅସ୍ୱସ୍ତି ଲାଗେ । ଉପାୟ ନାହିଁ । କ୍ଷମତା ନାହିଁ ତା’ର । କାକାଙ୍କପାଖୁ ଚିଠି ଲେଖିଚି । ଏ ମାସରେ କିଛିହେଲେ ନ ପଠାଇଲେ ସେ ମରିଯିବ । ସିକୁର ପଢ଼ା ବନ୍ଦ ହୋଇଯିବ ।

 

ଆଶା ରଖିଚି, କାକା ନିଶ୍ଚୟ ପଠେଇବେ । ତାହାହେଲେ ତପନକୁ ତା’ର ପଇସା ଫେରେଇ ଦେଇପାରିବ । ଶାନ୍ତିରେ ନିଃଶ୍ୱାସ ନେବ ଚୁଙ୍ଗୁଡ଼ି । ତପନ ସହିତ ଖୋଲାଖୋଲି ଗପ କରିପାରିବ । ଦୁଃଖ କହିପାରିବ । ତପନ ଟଙ୍କା ମାଗି ନାହିଁ ।

 

କାକାଙ୍କଠାରୁ ଉତ୍ତର ଆଶାରେ ନିତି ଡାକବାଲାକୁ ଅପେକ୍ଷାକରେ ଚୁଙ୍ଗୁଡ଼ି । କିଛି ନାହିଁ-

 

ଶେଷକୁ ନିଜେ ଆସିଲେ ବିନୁକାକା । ଚୁଙ୍ଗୁଡ଼ି ଖୁସିରେ ନାଚିଗଲା । ଅଜଣା ଆଶ୍ୱାସନାରେ ଆଖି ଆପେଆପେ ମୁଦି ହୋଇଗଲା ତା’ର । କଳମ ଶାଗ କରେଇଟାକୁ ଲୁଚେଇଦେଇ, ଚୁଙ୍ଗୁଡ଼ି କାକାଙ୍କପାଇଁ ଅରୁଆ ଭାତ ରାନ୍ଧିଲା । ଡାଲି କଲା, ସିକୁକୁ ବଜାର ପଠେଇ ମାଛ ଆଣିଲା ସନ୍ଧ୍ୟା ହେଲା । ତଥାପି କାକା ଟଙ୍କା ଦଉ ନାହାନ୍ତି କାହିଁକି ?

 

କାକା ଟଙ୍କା ଦବାକୁ ଆସି ନାହାନ୍ତି । ତାଙ୍କର ଚୁଙ୍ଗୁଡ଼ି ବାପାଙ୍କ ସହିତ କିଛି କଥାବାର୍ତ୍ତା ଅଛି । ବାପାଙ୍କ ପାଖରେ କାଠଚଉକି ପକାଇ ବିନୁକାକା ତାଙ୍କର କଥା ଆରମ୍ଭ କଲେ । ତାଙ୍କର ପୁଅଟିଏ ହେଲାଣି । ଚୁଙ୍ଗୁଡ଼ି ବାପାଙ୍କର ଦେହର ଅବସ୍ଥା ଯାହା, କେତେବେଳେ କ’ଣ ହେବ କହିହବନି । ତାଙ୍କପରେ, ସିକୁ ଆଉ କାକାଙ୍କ ପୁଅ ଭିତରେ ଭବିଷ୍ୟତରେ ଯେମିତି କିଛି ଅସନ୍ତୋଷ ନ ଉପୁଜୁ, ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ନହଉ, ସେ ଶୃଙ୍ଖଳା କରିବା ଦାୟିତ୍ୱ ତାଙ୍କର ।

 

ବାପା ଦୀର୍ଘଶ୍ୱାସ ଛାଡ଼ିଲେ । ବୁଝି ପାରିଲେ କାକାଙ୍କ ଉଦ୍ଦେଶ୍ୟ ।

 

କାକା ଭିନ୍ନେ ହେବାକୁ ଚାହୁଁଛନ୍ତି ।

 

ଏମାନେ ଯେଉଁ କେତେ ଗୁଣ୍ଠ ଜମିପାଇଁ ଚଳିଯାଉଥିଲେ ସେତକରୁ ଅଧେକର ଦାବିନେଇ ଆସିଚନ୍ତି ସେ । ଚୁଙ୍ଗୁଡ଼ି ସବୁ ଶୁଣିଲାପରେ, ସବୁ ବୁଝିଲାପରେ କାକାଙ୍କୁ ଦେଖି ତା’ର ବେଦନାର୍ଦ୍ର ଅନ୍ତର ତଳେ ଆଶାର ଯେଉଁ ସରୁ ଧାରାଟିଏ ବହି ଯାଇଥିଲା, ନିମିଷକ ମଧ୍ୟରେ ଶୁଷ୍କ ହୋଇଗଲା ଆପେଆପେ । ନିହାତ ଅସହାୟ ହୋଇ ଚାହିଁ ରହିଲା କାକାଙ୍କ ଆଡ଼କୁ । ବାପା ଶେଷଥରପାଇଁ କେତେପଦ କଥା କହୁଚନ୍ତି କାକାଙ୍କୁ । ଅନୁରୋଧ କରୁଚନ୍ତି ତାଙ୍କୁ ଦୟା କରିବାକୁ । ‘‘ବିନୁ, ତତେ ପିଲାଟିଦିନରୁ କୋଳେଇ କାଖେଇ ମଣିଷ କରିଚି । ନିଜ ଆଡ଼େ ନ ଚାହିଁ ତତେ ବଡ଼ କରିଚି, ପାଠ ପଢ଼େଇଚି । ଥରୁଟିଏ ଚିନ୍ତାକର ଦେଖ । ତୋର ତ ଚଳିବାରେ କିଛି ଅସୁବିଧା ହଉନି-। ଟିକେ ଦୟାକର । ଭଗବାନ ମତେ ଏମିତି ଅଥର୍ବ କରି ନଥିଲେ ମୁଁ କୋଉଥିକି ଡରି ନଥାନ୍ତି-। ତା’ ମାନେ ନୁହେଁ ଯେ ମୁଁ ତୋର ଖାଇଦବାକୁ କହୁଚି-। ତୋର ଭାଗ ବୁଡ଼େଇ ଦବାକୁ କହୁଚି । ସିକୁଟା ଟିକେ ପାରିଯାଉ । ଚୁଙ୍ଗୁଡ଼ିଟା ବାହାହୋଇଯାଉ । ଛୁଆଦି’ଟା, କ’ଣ ତୋର ନୁହଁନ୍ତି ? ସେମାନେ ଏବେ କାହା ଦୁଆରେ ହାତ ପତେଇବେ ?’’

 

ବୁଝିଲେ ନାହିଁ ବିନୁକାକା । କିଛି ଶୁଣିଲେ ନାହିଁ । ତାଙ୍କର ଚାହାଣିରେ ଟିକେବି ଲହଡ଼ି ଉଠିଲା ନାହିଁ । ଟିକେବି ଚହଲି ଗଲା ନାହିଁ ତାଙ୍କର ନିଷ୍କମ୍ପ ଓଠ ଦୁଇଫାଳ । ବାପାଙ୍କର ସବୁ କାକୁତି ମିନତି ଶୂନ୍ୟରେ ମିଳେଇଗଲା । ଧୂଆଁ ହୋଇ ଆକାଶରେ ମିଶିଗଲା । ବାପାଙ୍କର ଆକୁଳ ଅନୁରୋଧ ରହିଲା ନାହିଁ !

 

କାକାଙ୍କ କଥା ରହିଲା । ଜମିବାଡ଼ି, ଘର, ବାସନକୁସନ ସବୁଥିରେ ଅଧାଦାବି ନେଇ ଭିନ୍ନେ ହେଲେ ସେ ।

କାନ୍ଧରେ ବୋହି ସହରକୁ ନେଲେ ନାହିଁ । ବିକିଦେଲେ ! ବିକିଦେଲେ ସଉରୀ ପଣ୍ଡାକୁ । ସଉରୀପଣ୍ଡା ଭଲଲୋକ ନୁହେଁ । ବାପାଙ୍କ ସହ ତା’ର ଆଜନ୍ମ ଶତ୍ରୁତା । ସଉରୀ ପଣ୍ଡା ଗାଁ ଦଲାଲ-। ବାପା ମନଦୁଃଖ କଲେ । ମନଦୁଃଖ କଲା ଚୁଙ୍ଗୁଡ଼ି । ତଥାପି କାହାରିପାଇଁ ତା’ର ଏତେଟିକେବି ଅଭିଯୋଗ ନାହିଁ । ସେ ଭାବିନେଇଚି ଦୁଃଖ ତା’ର ପ୍ରାପ୍ୟ । କାନ୍ଦିବା ତା’ର ପେଶା ।

ଏକମାତ୍ର ଅବଲମ୍ବନ ଆଖିରୁ ଲୁହ ଝରେଇବା । ଚୁଙ୍ଗୁଡ଼ି କାନ୍ଦେ ।

କେଇଟା ଦିନପରେ ହାଇସ୍କୁଲ୍‍ ଫାଇନାଲ୍ ପରୀକ୍ଷା ତା’ର । ଅନେକ ପଢ଼ିବାକୁ ଇଚ୍ଛା ହୁଏ । ସୁବିଧା ପାଏନି । ଦିନଯାକ ଏଣୁତେଣୁ ବହୁତ କାମ । ଚାହିଁରହିବାକୁ ହୁଏ ରାତିକୁ ।

କ୍ଲାସ୍ ହଉ ନାହିଁ ।

ଦେଖା ହଉନାହିଁ ତପନ ସହ । ଚୁଙ୍ଗୁଡ଼ି ଭାବେ ତପନ ରାଗୁଥିବ । ମୁହଁ ଫୁଲେଇବ ଦେଖାହେଲେ । ନିଜର ନ ହୋଇବି ନିଜର ଲୋକ ସେଇ ଜଣକ ।

ଶାଶ୍ୱତ ସାର୍ ମଝିରେ ମଝିରେ ଆସନ୍ତି । ପାଠପଢ଼ାରେ ମନ ଦେବାକୁ କହୁଚନ୍ତି । ଶାଶ୍ୱତ ସାର୍‌ ଭଲ । ତାଙ୍କ କଥା ନିଜଲୋକ ପରି ମିଠା । ସେ ଚୁଙ୍ଗୁଡ଼ିକୁ ବେଶିକିଛି କୁହନ୍ତି ନାହିଁ । କୁହନ୍ତି ସିକୁକୁ । ବେଶି ସମୟ କଥା କୁହନ୍ତି ବାପାଙ୍କ ସହ । ତାଙ୍କରି ଆଡ଼େହିଁ ବେଶି ସମୟ ଅନେଇ ରହିଥାନ୍ତି ଶାଶ୍ୱତ ସାର୍‌ ।

ବାପାଙ୍କର ଏବେ ଗୋଟାଏ ନୂଆରୋଗ ବାହାରିଚି । କାକା ଭିନ୍ନେ ହେବାପରେ ମଝିରେ ମଝିରେ ମୁଣ୍ଡ ବୁଲାଏ । ମୁଣ୍ଡ କ’ଣ ହୋଇଯାଏ କୁହନ୍ତି । ଆଖି ନାଲି ଘୁଙ୍ଗୁଡ଼ି ମାରନ୍ତି ସାଙ୍ଗେ ସାଙ୍ଗେ । କେବେକେବେ ବାନ୍ତି ହୁଏ ।

ହାଇ ବ୍ଲଡ଼୍‍ପ୍ରେସର୍ । ଅଧିକ ଚିନ୍ତାରୁ ହୁଏ ।

ବାପାଙ୍କର ଚିନ୍ତାକରିବାକୁ ଅନେକ ସମସ୍ୟା । ଏ ବର୍ଷ ଜମିର ଆୟ ବର୍ଷକ ନିଅଣ୍ଟ ହେବ । ଅନ୍ୟାନ୍ୟ ଖର୍ଚ୍ଚପାଇଁ କି ଉପାୟ ଅଛି ? ଚୁଙ୍ଗୁଡ଼ିର ଏ ବର୍ଷ ସ୍କୁଲ୍‍ପଢ଼ା ଶେଷ ହୋଇଯାଉଚି-। ପାଠ ତ ପଢ଼ାଇ ପାରିବେ ନାହିଁ, ଘରେ ମଧ୍ୟ ରଖିପାରିବେ ନାହିଁ । ତା’ ବାହାଘରଟା ନିହାତି ଜରୁରୀ ହୋଇପଡ଼ିବ ।

ବାପା ଚୁଙ୍ଗୁଡ଼ିକୁ ସାନ୍ତ୍ୱନାଦିଏ, ଭରସାଦିଏ ।

ଏତେ ଚିନ୍ତା ନ କରିବାକୁ ବୁଝାଏ ।

ଚିନ୍ତାକଲେ କିଛି ଲାଭ ହୁଏନା । ଭାବିହେଲେ ସମସ୍ୟାର ସମାଧାନ ହୋଇ ଯାଇପାରେନା, ଏକଥା ବୁଝନ୍ତି ଚୁଙ୍ଗୁଡ଼ିର ବାପା ।

ଚିନ୍ତା ନ କରି ରହିପାରନ୍ତି ନାହିଁ ।

 

ଚୁଙ୍ଗୁଡ଼ିର ପରୀକ୍ଷାଫଳ ବାହାରିବା ଦିନ କି ଉତ୍କଣ୍ଠା ବାପାଙ୍କର !

 

ଚୁଙ୍ଗୁଡ଼ି ପ୍ରଥମ ଶ୍ରେଣୀରେ ପାସ୍ କରିଚି । ଆଖିରେ ଲୁହ ଆସିଗଲା ଚୁଙ୍ଗୁଡ଼ିର । ଠାକୁରଘରେ ପଶି କେତେବେଳ ପର୍ଯ୍ୟନ୍ତ କାନ୍ଦିଲା ସିଏ । ବୋଉ ଥିଲେ ଖୁସି ହୋଇଥାନ୍ତା । ଚିନୁଅପା ଥିଲେ ଖୁସି ହୋଇଥାନ୍ତା ।

 

ତପନ ପାସ୍ କରିଚି । ଦୌଡ଼ି ଦୌଡ଼ି ଆସି ମହାଖୁସିରେ କଥାଟା ଜଣେଇ ଦେଲା ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ତପନର ମୁହଁକୁ ଚାହିଁଲା । ଚାହିଁଲା ତା’ର ନମ୍ବର ଲିଷ୍ଟକୁ । ହସିଲା ।

 

‘‘ତୁ କିନ୍ତୁ କୋଉ କଲେଜରେ ସିଟ୍‌ ପାଇପାରିବୁନି । କୋଉ କଲେଜ ତତେ ନବନି ! ଗଧ !’’

 

ଚୁଙ୍ଗୁଡ଼ି ତପନକୁ ସବୁବେଳେ ଏଇ କଥାରେ ଚିଡ଼ାଏ । ତାକୁ ମଜାଲାଗେ ତପନର ଫୁଲେଇ ଦେଇଥିବା ମୁହଁକୁ ଦେଖିବାକୁ । ଭାରି ସ୍ମାର୍ଟ ଦେଖେଇ ହଉଥିବ । ଦୁଷ୍ଟ ତପନର ମୁହଁ ଉପରେ କରୁଣତାର ଛାଇ ଦେଖିବାକୁ । କଥାଟା କହିଦେଇ ତପନ ମୁହଁକୁ ଚାହିଁ ହୋହୋ ହୋଇ ହସିଲା ଚୁଙ୍ଗୁଡ଼ି । ଏଇ ତପନ ପାଖରେ କେବଳ ସିଏ ହସେ । ହସିପାରେ । ତପନ ତାକୁ ଆପଣାର ଲାଗେ । ଚୁଙ୍ଗୁଡ଼ି ବିଶ୍ୱାସ କରେ । ଅନୁଭବ କରେ ତପନ ତାକୁ ଭଲପାଏ ।

 

ତପନ କିଛି କହୁ ନାହିଁ । ଚୁପ୍‌ହୋଇ ଠିଆ ହୋଇଚି । ବର୍ଷାପୂର୍ବରୁ ମେଘକୁ ଜମାଟ ବାନ୍ଧିବାକୁ ସମୟ ଲାଗୁଚି । ବିଜୁଳି ଝଟକୁଚି ଆକାଶରେ । ଘଡ଼ଘଡ଼ିର ଶବ୍ଦ ଆସିବାକୁ ବେଶି ଡେରି ନାହିଁ । କିନ୍ତୁ ଚୁଙ୍ଗୁଡ଼ି ଏକଥା ଭାବି ନାହିଁ । ଏମିତି ଆଶାକରି ନାହିଁ । ସେହି ପ୍ରଚଣ୍ଡ ବଜ୍ର ଶବ୍ଦକୁ ସହ୍ୟ କରିବାକୁ ନିଜ କାନକୁ ପ୍ରସ୍ତୁତ କରୁନାହିଁ । ଚୁଙ୍ଗୁଡ଼ି । ପ୍ରସ୍ତୁତ ଥିଲେ ଆଉକିଛି ଅସୁବିଧା ହୁଅନ୍ତା ନାହିଁ । ଅଘଟଣ କିଛି ଉପୁଜନ୍ତା ନାହିଁ । କୌଣସି କଥା ଆଉ ଅବାଞ୍ଛିତ ମନେହୁଅନ୍ତା ନାହିଁ-। ଅକସ୍ମାତ୍‌ ବୋଲି ଗୋଟିଏ ଶବ୍ଦ ଅଭିଧାନରେ ନଥାନ୍ତା । ତପନର ଆଖିଦି’ଟା ଅସମ୍ଭବଭାବେ ଲାଲ ଦିଶୁଚି ।

 

–‘‘ସବୁବେଳେ ତୋର ଏଇ ଏକାକଥା ଭଲଲାଗୁନି ମତେ । ମୁଁ ଗଧ ହେଲେ ତୋର କ’ଣ ଗଲା ? ଭଗବାନଙ୍କ ପୃଥିବୀରେ ତ ସମସ୍ତେ ସମାନ ନୁହଁନ୍ତି । ମୂର୍ଖ-ପାଠୁଆ, ଧନୀ-ଗରିବ ସମସ୍ତେ ତାଙ୍କରି ସୃଷ୍ଟି । ତୁ ଫାର୍ଷ୍ଟ ଡିଭିଜନ୍ ପାଇଲୁ ଗର୍ବ କରୁଚୁ । କିନ୍ତୁ ମୁଁ ତୋର ଦରମାଟା ନ ଦେଇଥିଲେ ତୁ କ’ଣ ପଢ଼ିପାରିଥାନ୍ତୁ ? ମନେ ନାହିଁ ତୋର ? ଦରମା ଦବୁ ବୋଲି ମୋଠୁ ପଇସା ନେଇଥିଲୁ ? ନ ହେଲେ କୋଉଦିନରୁ ସ୍କୁଲ୍‍ରୁ ନାଁ କଟେଇ ଜ୍ୟୋତିମାମୁ ପାଖକୁ ପଳେଇ ସାରନ୍ତୁଣି ।’’

 

ଚୁଙ୍ଗୁଡ଼ି ଚମକି ପଡ଼ିଲା । ତପନ ଯେ ଏମିତି କଥାସବୁ କହିପାରେ, ବିଶ୍ୱାସ କରିପାରିଲାନି । ମନେମନେ ଛଟପଟ ହେଲା ! ଓଃ–ତାଠୁ ଟଙ୍କାଟା ଧାରକରି ଯେ ସେ କି ଭୁଲ୍ କରିଚି ! ଚୁଙ୍ଗୁଡ଼ିର ଭିତର ମଣିଷଟା ଅତିଶୟ ଅସ୍ୱସ୍ତିରେ ଚିତ୍କାର କରୁଚି ।

 

ତପନ କହିଲା, ନାଁ କଟିଯାଇଥିଲେ ସିଏ ଜ୍ୟୋତିମାମୁ ପାଖକୁ ଚାଲି ଯାଇଥାନ୍ତା !

 

–ନାଁରେ ତପନ ! ତୁ ପରା ମନାକରିଚୁ ଜ୍ୟୋତିମାମୁଙ୍କ ପାଖୁ ଯିବାକୁ । ତୁ ପରା କୁଆଡ଼େ ଜାଣିଚୁ ସେ ଖରାପ ଲୋକ । ଆଉ ମୁଁ କାହିଁକି ତାଙ୍କ ପାଖୁ ଯାଇଥା’ନ୍ତି ? ନାଁ କଟିଯାଇଥିଲେ ମୁଁ ଯାଇଥାନ୍ତି ତୋରି ପାଖକୁ ! ସତ କହୁଚି !! ଚୁଙ୍ଗୁଡ଼ି ପରିସ୍ଥିତିକୁ ସରଳ କରିବାକୁ, ନିଜକୁ ସହଜ କରିବାକୁ ଏତକ କହିଦେଇ ଦେଖିଲା ତପନ ମୁହଁକୁ । ମୁହଁ ବିକୃତକରି କହୁଚି ସିଏ । ଛି ! ତୁ କାହିଁ ମୋ ପାଖକୁ ଯିବୁ ?

 

–ମୁଁ ପାଠ ନ ପଢ଼ିଲେ ବାପା କହିଥିଲେ ମତେ ବାହା କରେଇଦେବେ । ଆଉ ତୁ ମତେ ଥରେ କହିଥିଲୁ ବାହାହେବୁ ବୋଲି, ମନେ ନାହିଁ ତୋର ?

 

ତପନ ହସୁଚି । ଓଠରେ ତା’ର ବିଦ୍ରୂପର ବିକୃତ ହସ । ତା’ର ସୁନ୍ଦର ବଡ଼ବଡ଼ ଆଖି ଦୁଇଟା ଛୋଟ ଦିଶୁଚି । ସରୁ ଦୁଶୁଚି । ଓଠ ଚିପି ଚିପି କହୁଚି ତପନ–ସତରେ ତୁ ଗୋଟିଏ ବୋକୀଝିଅ ନୁହେଁ । ତୁ ଏକ ନମ୍ବର ଚାଲାକି ଝିଅ । କିନ୍ତୁ ତୁ କ’ଣ ଭାବୁଚୁ ସେ ଚାଲାକି ତୋର ମୋ ପାଖରେବି ଚଳିପାରିବ ? ମୋ ବାପାଙ୍କ ନାଁ ଶୁଣିଚୁଟି ? ଏଠି କୋଉ କଲେଜ ନ ନବ ମତେ କହ ? ମୁଁ ଫେଲ୍ ହୋଇଥିଲେବି ମତେ ସିଟ୍‌ ମିଳିଥାନ୍ତା ! ବୁଝିଲୁ !!

 

ଚୁଙ୍ଗୁଡ଼ି ନିଜ ଓଠର କୃତ୍ରିମ ହସର ଧାରଟିକୁ ଗୋପନ କରି ନେଇ କହିଲା, ‘‘ଭଲକଥା, ମାତ୍ର ତୁ ମତେ ବାହାହେବୁନି କ’ଣପାଇଁ ? ତୁ ମତେ କହିଥିଲୁ, ଭୁଲିଗଲୁ ?’’

 

ତପନ ଜୋରରେ ହସୁଚି ଏଥର । ତା’ର ନହକା ଅଣ୍ଟା ବାଙ୍କି ଯାଉଚି ହସି ହସି ।

 

କହିଥିଲି ବୋଲି ତତେ ବାହାହେବି ? ତୁ କ’ଣ ପାଗଳ ? ତତେ କାହିଁକି ବାହା ହେବି-? ମତେ କ’ଣ ଭଲଝିଅ ମିଳିବେନି ??

 

–ମୁଁ ଖରାପ ଝିଅବୋଲି ତୁ କହୁଚୁ ? ଦେଖ ତପନ ! ତୁ ପଛେ ମତେ ବାହା ନ ହୋ, ମତେ ଖରାପ କଥା କହନା ।

 

–ବାଃ, ମନେମନେ ତୁ ଭଲ ? ଶାଶ୍ୱତ ମାଷ୍ଟର ତୋ ଭାଇକୁ କାହିଁକି ମାଗଣା ପାଠ ପଢ଼ାଏ ? ଏତେ ଧାର୍ମିକ ? ମହାପୁରୁଷ ! ତମ ଘରକୁ ଏତେଥର କୋଉ କାମରେ ଯାଏଁ ସିଏ ? ତୋ ସାଥିରେ ତା’ର କ’ଣ ଏତେ କଥା ?

 

–ତପନ ! ତୁ ବଡ଼ଲୋକ ହେଲେ କ’ଣ ହେବ, ମନଟା ତୋର ନିହାତି ଛୋଟ । ତୋ ବାପାର ପଇସା ଥିଲେ କ’ଣ ହେବ, ତୋ ମୁଣ୍ଡରେ ଖାଲି ଗୋବର । ଛି ! ଏମିତି କଥା ତୁ କହୁଚୁ, କହିପାରୁଚୁ ?’’ ଚୁଙ୍ଗୁଡ଼ି କାନ୍ଦିପାରୁ ନାହିଁ । ଅଥଚ ତା’ କଣ୍ଠନଳୀରେ ଅନେକ କ୍ରନ୍ଦନର ସ୍ତୂପୀକୃତ ଜଡ଼ତା । ଅନେକ ଲୁହ ବରଫ ହୋଇ ଜମିଯାଇଚି ତା’ ତଣ୍ଟି ପାଖରେ, କଥାଗୁଡ଼ାକ କେମିତି ଲଗାଲଗା ।

 

‘‘ଖାଲି ମୁଁ ନୁହେଁ–ସମସ୍ତେ କହିବେ ! ସତକଥା କେବେ ଲୁଚି ରହି ନାହିଁ । ତୁ ଯା ଏଥର-। ମୋର ମ୍ୟାଚ୍‌ ଅଛି, ମୁଁ ଯାଉଚି ।’’

 

ତପନର ବ୍ୟାଡ଼ମିଣ୍ଟନ ମ୍ୟାଚ୍ ଅଛି । ଚୁଙ୍ଗୁଡ଼ି ଜାଣିଥିଲା । ଚୁଙ୍ଗୁଡ଼ିବି ବ୍ୟାଡ଼ମିଣ୍ଟନ ଖେଳେ । ତାକୁ ଖେଳ ଦେଖିବାକୁ ଭଲ ଲାଗେ । ତପନ ଜାଣିଚି । ତାକୁ ଡାକିଲା ନାହିଁ । ତପନ ବ୍ଲୁ ରଙ୍ଗ ବାନିଅନ ପିନ୍ଧିଚି ।

 

ପିନ୍ଧିଚି ଧଳାର ବେଲବଟମ ପ୍ୟାଣ୍ଟ । ମାନୁଚି ତାକୁ ।

 

ହାପ୍‌ ପ୍ୟାଣ୍ଟରେ ତପନ ଛୋଟ ଦେଖାଯାଏ ।

 

ହାପ୍‌ପ୍ୟାଣ୍ଟ ପିନ୍ଧା ତପନ ମୁହଁରୁ ଏମିତି କଡ଼ା କଡ଼ା ବାଧିଲା ପରି କଥା କେବେ ଶୁଣି ନଥିଲା ଚୁଙ୍ଗୁଡ଼ି । ବେଲବଟମ ପିନ୍ଧା ତପନ ମୁହଁରେ ଏଗୁଡ଼ାକ ଅସ୍ୱାଭାବିକ ଶୁଭିଲା ।

 

ତପନକୁ ଏ ଡ୍ରେସ୍ ମାନୁଚି ।

 

ମାନନ୍ତା ମଧ୍ୟ ସିକୁକୁ ।

 

ତପନକୁ ଯେମିତି ହଉ ତା’ ଟଙ୍କାଟା ଫେରେଇବାକୁ ହବ ।

 

ତପନ କହିଲା, ସେ ଟଙ୍କା ନ ଦେଇଥିଲେ ଚୁଙ୍ଗୁଡ଼ି ପଢ଼ିପାରି ନଥାନ୍ତା । ସତକଥା । ଚୁଙ୍ଗୁଡ଼ି କିଛି ଭାବିଲା ନାହିଁ । ମାତ୍ର ତା’ପରର କଥାଗୁଡ଼ାକ ଠିକ୍‌ ବାଧିଲା ଚୁଙ୍ଗୁଡ଼ିକୁ ।

 

ମିଛକଥା କହିଲେ ବାଧେ । କଷ୍ଟହୁଏ ଖୁବ୍‌ ।

 

ଚୁଙ୍ଗୁଡ଼ି ଖୁବ୍‌ କମ୍‌ ମିଛ କୁହେ ।

 

ସବୁବେଳେ ସତ କହିଲେ ଦୁନିଆ ପାଗଳ କୁହେ ।

 

ସାର୍‌ କହିଥିଲେ ସେ ସିକୁକୁ ଭାଇ ବୋଲି ଭାବନ୍ତି । ତାଙ୍କର ଭାଇ, ଉଭଣୀ ବାପା କେହି ନାହାନ୍ତି । ସେଥିପାଇଁ ସେ ଟଙ୍କା ନେଲେ ନାହିଁ । କିନ୍ତୁ ତପନ କହୁଚି ଅନ୍ୟ କଥା । ଶାଶ୍ୱତ ତା’ରି ଆଶାରେ ଟଙ୍କା ନଉ ନାହାନ୍ତି । ତା’ରିପାଇଁ, ତା’ରିପାଖୁ ବାରମ୍ବାର ଆସୁଚନ୍ତି ।

 

ତପନ କହୁଚି, ଏକଥା ସମସ୍ତେ କହିବେ । ତପନ ମିଛ କହୁଚି, ତପନ ମିଛୁଆ । ଏଇ କଥା ଯିଏ ମଧ୍ୟ କହିଲେ ଚୁଙ୍ଗୁଡ଼ି ସେମାନଙ୍କୁ ମିଛୁଆ କହିବ ।

 

ତପନ କଥା ସେ କାନକୁ ନେଲା ସିନା ମନକୁ ନେବ ନାହିଁ । ତପନ ସହ ଆଉ ସେ କେବେ କଥା କହିବ ନାହିଁ । ସେ ତାକୁ ଭୁଲ୍ ବୁଝିଚି । ଖରାପ ଭାବିଚି । ଥାଉ, ଆଉ ନୁହେଁ । ତପନ ମନରେ ଚୁଙ୍ଗୁଡ଼ିପାଇଁ ଘୃଣା ଓ ସନ୍ଦେହର ମଞ୍ଜି ପୋତି ହୋଇସାରିଚି । ସେ ମଞ୍ଜି କେତେବେଳେ ବିରାଟ ଦ୍ରୁମରେ ରୂପାନ୍ତର ହେବ, ସେ କଥାକୁ ଆଉ ଅପେକ୍ଷା କରିବ ନାହିଁ ଚୁଙ୍ଗୁଡ଼ି-। ତପନ ଆଗରେ ଜମାରୁ ସଫେଇ ହେବ ନାହିଁ । ସେ ଯାହା ଭାବୁଚି ଭାବୁ । ଯା ବୁଝୁଚି ବୁଝୁ-

 

ବାପା ସଉରୀପଣ୍ଡା ସହିତ କ’ଣ ଗପ କରୁଚନ୍ତି ।

 

ସଉରୀ ପଣ୍ଡା ଗମ୍ଭୀର ହୋଇ ବସୁଚି । ଖିଲ୍‌ ଖିଲ୍‌ କରି ହସୁଚି ମଝିରେ ମଝିରେ ।

 

ଚୁଙ୍ଗୁଡ଼ିକୁ କିଛି ଭଲ ଲାଗୁନି ।

 

ମନେପଡ଼ୁଚି ତପନ କହୁଥିବା କଥାଗୁଡ଼ାକ ।

 

ମନେପଡ଼ୁଚି ଶାଶ୍ୱତ ସାର୍‌ଙ୍କର ମିଠା ବ୍ୟବହାର ।

 

ପତନ ମିଛ କହିଲା । ଶାଶ୍ୱତସାର୍‌ ଖରାପ, ଏକଥା ଜଣା ନାହିଁ ଚୁଙ୍ଗୁଡ଼ିକୁ ।

 

ଶାଶ୍ୱତ ସାର୍ ଭଲ ।

 

ସଉରୀ ପଣ୍ଡା ହାଇ ମାରୁଚି । ବେଖାତିରରେ ଏଣେତେଣେ ଚାହୁଁଚି । ବାପା ତା’ର ହାତ ଧରୁଚନ୍ତି । କଡ଼ା କହୁଚନ୍ତି ସବୁ । ଚୁଙ୍ଗୁଡ଼ି ଚୁଲିମୁଣ୍ଡରେ ବସିଚି । ଶୁଣାଯାଉନି କିଛି, ପରିଷ୍କାର ବୁଝିହଉନି ।

 

ସଉରୀ ପଣ୍ଡାଟା ଗୋଧିପରି । ମୁହଁଟା ନେଉଳ ପରି ଗୋଜିଆ । ଚିକ୍‌ଚିକ୍‌ ଆଖି । ସଉରୀ ପଣ୍ଡା ହାତଚକିରେ ପାନ ଧରିଚି । ପାନ ଖାଉଚି । ପିଣ୍ଢାଧାରରେ ପୁଚ ପୁଚ ଛେପ ପକାଉଚି । ସଉରୀ ପଣ୍ଡାର ଓଠ ନାଲି ଦୁଶୁଚି । ଦାନ୍ତ କଳା ଦୁଶୁଚି । ବେଶି ଅସନା ଦିଶୁଚି ସଉରୀ ପଣ୍ଡା ।

 

ଚୁଙ୍ଗୁଡ଼ିର ବାପା ଛୋଟା ହେଲେବି ସୁନ୍ଦର । ଚାଲି ନ ପାରିଲେବି ସୁନ୍ଦର ।

 

ବାପାଙ୍କ ମୁହଁରେ କାନ୍ତି ଅଛି । ଆଖିରେ ଜ୍ୟୋତି ଅଛି, କପାଳରେ ବ୍ୟକ୍ତିତ୍ୱର ଛାପ ଅଛି ।

 

ସଉରୀ ପଣ୍ଡାକୁ ଚୁଙ୍ଗୁଡ଼ି ଭଲପାଏ ନାହିଁ ।

 

ତାଙ୍କ ଘରର କାହାକୁ ପ୍ରଶଂସା କରିପାରେ ନାହିଁ । ସମସ୍ତେ ଗୋଟିଏ ଛାଞ୍ଚରେ । ବାଙ୍ଗରା, କଳା ନେଉଳ ଆଖିଆ । ନାକ ଚେପ୍‌ଟା । ଓଠ ଦି’ଟା ମୋଟା ମୋଟା । ଏଇ ସଉରୀ ପଣ୍ଡା କାକାଙ୍କୁ ଭିନ୍ନେହବାକୁ ମତେଇଚି । ଜମି କିଣିନେଇଚି ତାଙ୍କଠାରୁ । ଚୁଙ୍ଗୁଡ଼ିଘର ଜମିରେ, ମଝିରେ ହିଡ଼ ବସେଇ ଚାଷ କରୁଚି ସଉରୀପଣ୍ଡା । ଚୁଙ୍ଗୁଡ଼ି ଖଳାକୁ ଆସୁଥିବା ଫସଲ ଚାଲିଯାଉଚି ସଉରୀ ପଣ୍ଡାର ଖଳାକୁ ।

 

ସଉରୀ ପଣ୍ଡା ପରଘରଭଙ୍ଗା ।

 

ସଉରୀ ପଣ୍ଡା ପରଘର ନିଆଁ ଜଳାଏ ।

 

ସଉରୀ ପଣ୍ଡା ଖଚୁଆ ଟାଉଟର, ଖରାପ ଲୋକ ।

 

ତା’ଠୁ ଖରାପ ତା’ର ପୁଅ ବିବେକ । ସେଇ ନିର୍ବିବେକ ପାଷଣ୍ଡ କୁଳାଙ୍ଗାରରେ ନାଁ ବିବେକା କାହିଁକି ଦେଲା ସଉରୀ ପଣ୍ଡା ?

 

ସଉରୀ ପଣ୍ଡା ବାପାଙ୍କୁ ପ୍ରସ୍ତାବ ଦଉଚି, ଆର ଅଧକ ଜମି ସେ କିଣିନବ । କହିବାକୁ ଆସିଚି ସେଇକଥା । ବାପା ନାହିଁ କରୁଚନ୍ତି ।

 

ବିନୟର ଚାକିରି ଅଛି । ବିନୟ ସହରରେ ଘର କରି ଗଲାଣି । ମାତ୍ର ଗାଁର ମାଟି କାମୁଡ଼ି ପଡ଼ିବାକୁ ଲେଖାଅଛି ତାଙ୍କ କପାଳରେ । ସେୟାବି ଭଲଲାଗୁଚି ତାଙ୍କୁ । ତାଙ୍କ ଭାଗଟା ବିକ୍ରି କରିଦେଲେ ସେ ଚଳିବେ କେମିତି ? ବିଲକୁ ମୁଠାଏ ଧାନମୁଗ ନ ଆସିଲେ ତାଙ୍କର ଛୁଆଦି’ଟା ବଞ୍ଚିବେ କେମିତି ? ଖାଇବେ କ’ଣ ?

 

ବାପା ଶେଷକୁ ସଫାସଫା ମନାକରିଦେଲେ, ଜମି ସେ ବିକିବେ ନାହିଁ ।

 

ସଉରୀ ପଣ୍ଡା ପୁଣି ଖିକ୍‌ ଖିକ୍‌ ହୋଇ ହସୁଚି । ତା’ର ନେଉଳ ଆଖି ଆହୁରି ସାନ ଦିଶୁଚି ହସିଲେ । ମୁହଁ ତା’ର ଭୟଙ୍କର ଦିଶୁଚି ।

 

ସେ ବାପାଙ୍କୁ ଭୟ ଦେଖାଉଚି ଆର ଅଧକ ଜମି ତାଙ୍କଠୁ ପଇସା ନେଇ ନ ବିକିଲେ ମଧ୍ୟ ସେ ଜମିର ଫସଲ ତା’ରି ଖଳାକୁ ଚାଲିଯିବ । କେହି କିଛି କରି ପାରିବେ ନାହିଁ ।

 

ବାପା ଚମକି ପଡ଼ୁଚନ୍ତି ।

 

ସଉରୀ ପଣ୍ଡାକୁ ସମସ୍ତଙ୍କର ଭୟ । ତା’ର ମାମଲତରେ ପଶିବାକୁ ସମସ୍ତଙ୍କର କୁଣ୍ଠା । ଆଉ କିଛି କହୁ ନାହିଁ ସଉରୀ ପଣ୍ଡା ।

 

ବାପା ମୁଣ୍ଡରେ ପାପୁଲି ରଖି ବସିଛନ୍ତି । ମନେମନେ ଉପାୟ ଚିନ୍ତା କରୁଛନ୍ତି । ସ୍ଥିର କରିପାରୁ ନାହାନ୍ତି, କିଛି ଠିକ୍‌ କରିପାରୁ ନାହାନ୍ତି କ’ଣ କରିବେ । କ’ଣ କରିବା ଉଚିତ ହେବ ।

 

ବାପା ଭୟ କରୁଛନ୍ତି ସଉରୀ ପଣ୍ଡାକୁ ।

 

ଖରାପ ଲୋକଙ୍କୁ ସମସ୍ତେ ଭୟ କରନ୍ତି ।

 

ସଉରୀ ପଣ୍ଡା ଖରାପ ଲୋକ ।

 

ସଉରୀ ପଣ୍ଡା ବାପାଙ୍କୁ ଧମକ ଦେଇଚି ଜମି ତାକୁ ନ ବିକିଲେବି ସେ ଜମିର ଫସଲ ତା’ରି ଖଳାକୁ ଚାଲିଯିବ । ଧମକ ଦେଇଚି ତା’ଠୁ ପଇସା ନ ରଖି ଜମି ନ ଦେଲେ ଜମିର ଫସଲ ଚୁଙ୍ଗୁଡ଼ିଘରର ହୋଇ ରହିବନି । ତା’ ଧମକ ଶୁଣି ଚମକି ପଡ଼ୁଛନ୍ତି ବାପା । ଚୁଙ୍ଗୁଡ଼ି ଛାତିତଳେ ବିସ୍ଫୋରଣ ହେଉଚି ।

 

ତା’ ପୁଅ ବିବେକା ଥରେ ଚୁଙ୍ଗୁଡ଼ିକୁ ଏମିତି ଧମକ ଦେଇଥିଲା ।

 

ସେକଥା ମନେକଲେ ଆଜିବି ସାରା ଦେହ କଣ୍ଟକିତ ହୋଇଯାଏ ଚୁଙ୍ଗୁଡ଼ିର । ମନେ ଅଛି । ଠିକ୍‌ ମନେ ଅଛି । କିନ୍ତୁ କାହାରି ଆଗରେ କହି ନାହିଁ ସେକଥା ! ଏମିତିକି ତପନକୁ ମଧ୍ୟ ନୁହେଁ ।

 

ଚୁଙ୍ଗୁଡ଼ି ନିରୀହ ନୀଳ ଶୁଆଟିଏ । ତାକୁ ହାତ ଠାରି ଡାକିଲେ ସେ ବୁଝେ । ପାପୁଲିରେ ବସାଇ ପିଠି ସାଉଁଳେଇ ଦେଲେ ବୁଝେ । ଆଦର ବୁଝେ, ତାକୁ ନାଲିଲଙ୍କା ଖାଇବାକୁ ଦେଲେ ସେ ଖୁସିହୁଏ । ବାଦାମ ମଞ୍ଜି ଦହି ପିଆଇଲେ ଖୁସିହୁଏ । ବୁଝେ ତାକୁ ଆଦର କରାଯାଉଚି । ପୁଣି ତା’ ବେକରେ ଟିପଦେଇ ମୋଡ଼ିଦେଲାବେଳେ ସେ ବୁଝେ । ତା’ର ଶେଷଦିନ ପାଖେଇ ଆସିଲାଣି । କୌଶଳ କରି ଖସିଯାଏ, ଉଡ଼ିଯାଏ ଦୂର ଆକାଶକୁ । ତା’ର ସବୁଜ ଚିକ୍‌କଣ ପର କେବଳ ତା’ରି ହୋଇ ରହେ । ଆଉ କେହି ପାଇପାରନ୍ତି ନାହିଁ । ଯେଉଁ ନିର୍ବୋଧ ବୁଝେ ନାହିଁ, ବେକ ମୋଡ଼ି ରକ୍ତ ନିଗାଡ଼ି ମଲା ଦେହରୁ ପର ସଂଗ୍ରହ କରିବାରେ ଅର୍ଥ କିଛି ନାହିଁ । ସେ ପରରେ ଆଲୁଅ ପଡ଼ିଲେ ଆଉ ଆଗପରି ଝଲସିବ ନାହିଁ ସେ ପର । ସେ ପରରେ ହାତ ଥାପିଲେ ସେଥିରେ କମ୍ପନ ଶବ୍‌ଦାୟିତ ହେବ ନାହିଁ । ଭାରି ନିର୍ଜୀବ ସେ ପରଗୁଡ଼ାକ–ଶୁଆକୁ ପିଞ୍ଜରାରେ ରଖା ପାପୁଲିରେ ବସାଇ ଆଦର କରେ । ସେ ତମକୁ ବିଶ୍ୱାସ କରିବ । ତା’ର ନାଲି ଚଞ୍ଚୁରେ ତମର ଓଠକୁ ରଙ୍ଗେଇ ଦବ ତମର ହୋଇ ରହିଯିବ ସବୁଦିନ ପାଇଁ ।

 

ସ୍କୁଲ୍‍ ଫେରନ୍ତା ବାଟରେ ବାଟ ଓଗାଳି ବିବେକା ଚୁଙ୍ଗୁଡ଼ିକୁ ଡାକିଥିଲା ତାଙ୍କ ଘରକୁ । ଚୁଙ୍ଗୁଡ଼ି ସଫାସଫା ମନାକରିଦେଲା, ସେ କାହା ଘରକୁ ଯାଇ ପାରିବ ନାହିଁ ବୋଲି । ଭାରି ଶାନ୍ତ କାକୁତି ମିଶା ଗଳାରେ ବିବେକା ପୁଣି ଅନୁରୋଧ କରିଥିଲା ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ରାଜି ହୋଇଥିଲା । ବିବେକା କହିଲା, ତା’ ବୋଉ ଡାକିଚି ଚୁଙ୍ଗୁଡ଼ିକୁ । ‘ବୋଉ’ ଶବ୍ଦଟା ପ୍ରତି ଚୁଙ୍ଗୁଡ଼ିର ଦୁର୍ବଳତା ମଜ୍ଜାଗତ, ଚିରନ୍ତନା ସବୁଦିନେ ସେ ଏଇ ଶବ୍ଦଟାକୁ ଝୁରିହୁଏ, ପାଇବ ନାହିଁ ଜାଣି ମଧ୍ୟ ଖୋଜିହୁଏ, ଦୁଃଖରେ, ଯନ୍ତ୍ରଣାରେ କୋଉ ଏକ ଅଶୁଖା କ୍ଷତର ରକ୍ତ କ୍ଷରଣରେ ଜର୍ଜରିତ ହୁଏ, ହୃଦୟ ତା’ର ଅହେତୁକ ନିଃସ୍ୱତାରେ ହାହାକାର କରିଉଠେ ।

 

ବିବେକାର ବୋଉ ତାକୁ ଡାକିଚନ୍ତି ଶୁଣି, ନିଃସଙ୍କୋଚରେ ଚୁଙ୍ଗୁଡ଼ି ପାଦ ବଢ଼ାଇଥିଲା ବିବେକା ସହିତ । ବିବେକା ସାଇକଲ୍‍ରୁ ଓହ୍ଲେଇ ପଡ଼ି, ହାଣ୍ଡଲ ଧରି ଗଡ଼େଇ ଗଡ଼େଇ ଯାଉଚି ।

 

ଚୁଙ୍ଗୁଡ଼ି ଚାଲିଚି ତା’ର ପଛେ ପଛେ ।

 

ମଝିରେ ମଝିରେ ତପନ ଗୋଟେ ଦି’ଟା କଥା କ’ଣ ପଚାରିଚି ଚୁଙ୍ଗୁଡ଼ିକୁ । ଘରେ କେତେବେଳେ କେତେବେଳେ ଓ କେତେ ଘଣ୍ଟା ପାଠ ପଢ଼େ, କୋଉ ମନ୍ତ୍ର ଜାଣିଥିବାରୁ ଚୁଙ୍ଗୁଡ଼ି ଏତେ ଭଲ ନମ୍ବର ରଖିପାରୁଚି । ବାପାଙ୍କ ଗୋଡ଼ ନଥିବାରୁ ଚୁଙ୍ଗୁଡ଼ିର ଅସୁବିଧା ଇତ୍ୟାଦି ପରି ମାମୁଲି କଥା ।

 

ରାସ୍ତାଉପରୁ ସରୁ କିଆ ଗୋହିରିଟା ପାରି ହୋଇଗଲେ ବିବେକାର ଘର । ଏଇ କିଆବୁଦାତଳେ ବିଲୁଆ ରହନ୍ତି ।

 

ଶୀତଦିନେ ପାହାନ୍ତା ପହରରେ ଏଇ ବିଲୁଆ ବାହାରି ଆସନ୍ତି ପଦାକୁ ଭୁକନ୍ତି ହୁକେ–ହୋ–

 

ବୋଉ ଥିଲାବେଳେ ଚୁଙ୍ଗୁଡ଼ି ଡରୁଥିଲା ଏହି ବିଲୁଆ ଭୁକା ଶବ୍ଦକୁ । ସିକୁ ଏବେବି ଡରେ-। ବିଲୁଆ ଭୁକିଲେ ଲାଗିଆସେ ଚୁଙ୍ଗୁଡ଼ି ପାଖକୁ । ଚୁଙ୍ଗୁଡ଼ି ଆଜିକାଲି ଏତେ ଛୋଟ ଛୋଟ କଥାରେ ଡରେ ନାହିଁ ।

 

କିଆ ଗୋହିରିଟା ଯଥେଷ୍ଟ ଲମ୍ବା ।

 

ଗୋଟିଏ ସାହି । ମଝିରେ ଏଇ କିଆ ଗୋହିରିଟା ।

 

ସେହି ମଝିରେ ବିବେକା ହଠାତ୍‌ ବୁଲିପଡ଼ିଥିଲା ଚୁଙ୍ଗୁଡ଼ି ଆଡ଼କୁ । ଚୁଙ୍ଗୁଡ଼ିର ପାଦ ସ୍ଥିର ହୋଇଗଲା । ଗୋହିରି ମଝିରେ ଅଟକିଗଲା ଚୁଙ୍ଗୁଡ଼ି । ସାଇକଲ୍‍ଟା ଚୁଙ୍ଗୁଡ଼ି ଆଗରେ ଆଡ଼କରି ଥୋଇଦେଇ ବିବେକା ଚୁଙ୍ଗୁଡ଼ିର ଗୋଟାଏ ହାତକୁ ଧରି ପକେଇଲା ।

 

ଚୁଙ୍ଗୁଡ଼ି ! ତୁ କେତେ ସୁନ୍ଦର ହୋଇଗଲୁଣି ଏବେ ! ସତରେ ମ ! ତତେ ଦେଖିଲେ ପିଇଦେବାକୁ ଇଚ୍ଛାହୁଏ । ତୁ ଥରେ ଚାହିଁଦେଲେ ଲାଗେ ଯେମିତି ଗିଳି ଦଉଚୁ ! ତୁ ଟିକେ ଦୟା ନକଲେ ମରିଯିବି । ତୋରି ନାଁରେ ଗଳାରେ ରଶି ଦେଇଦେବି । ବିବେକା ତା’ର ହାତଟା ଚୁଙ୍ଗୁଡ଼ି ହାତରୁ ଖସେଇ ନେଇ ନିଜ ବେକକୁ ଚାପିଧରି ଦେଖେଇ ଦଉଚି । ଚୁଙ୍ଗୁଡ଼ି କିଛି ନ ବୁଝିଲା ପରି ଚାହିଁ ରହିଚି ତା’ ଆଡ଼େ । –ଦଉନୁ ! ମୁଁ କ’ଣ କରିବି ? ଜାଣିଚୁ ତୁ, ମୋ ବାପା କେତେ ଗରିବ ମୋ ପାଖରେ ଗୋଟେବି ଫୁଟାପଇସା ନାହିଁ । ତୋ ବାପାରତ ଏତେ ଟଙ୍କା, ସୁନାଜମି ତୁ କ’ଣ ମୋ ଦୟାକୁ ଚାହୁଁଚୁ ? ତୋ ବୋଉ କ’ଣ ମତେ ଏଇଥିପାଇଁ ଡାକୁଥିଲେ ବିବେକାଠାରୁ ନିଜର କଅଁଳ ହାତ ପାପୁଲିଟା ଛଡ଼େଇ ଆଣି ଚୁଙ୍ଗୁଡ଼ି ଶାନ୍ତ କଣ୍ଠରେ ଏତକ କହିଲା ।

 

ବିବେକା ଆହୁରି ଲାଗିଆସିଲା ଚୁଙ୍ଗୁଡ଼ି ପାଖକୁ । ହସୁଚି ସିଏ ।

 

–ତୁ ସତକୁସତ ଭାବିଲୁ କି ବୋଉ ତତେ ଡାକିଚି ବୋଲି ? ସେ ତତେ ଡାକି ନାହିଁ । ସେ ତ ମୋଟରୁ ଏଠି ନାହିଁ । ବୋଉ ମାମୁଘରକୁ ଯାଇଚି । ମୁଁ ତତେ ମିଛ କହି ଡାକି ଆଣିଲି । ତୁ ଡରୁଛୁ କାହିଁକି ଓଲୀଟା–ମୁଁ ତୋଠୁ ଟଙ୍କାପଇସା ମାଗୁ ନାହିଁ । ତୋର ଯେତେ ଦରକାର ସେଗୁଡ଼ା ମୋଠୁ ନେ–ମୁଁ ଦେବି । ଯାହା ମାଗିବୁ ତାହା ଦେବି–

 

ଚୁଙ୍ଗୁଡ଼ି ଡବଡ଼ବ ଆଖିରେ ଚାହିଁ ରହିଲା ବିବେକାର ବିକୃତ ମୁହଁଟାକୁ । କ୍ଷଣକ ଭିତରେ କ’ଣ ଘଟିଯାଉଚି ସେ ବୁଝିପାରୁ ନଥିଲା ଯେମିତି । ସବୁ ଖାଲି ଗୋଳମାଳିଆ ଲାଗୁଥିଲା । ‘‘ମୁଁ ତୋ କଥା କିଛି ବୁଝିପାରୁନି ବିବେକା । ତୁ କ’ଣ କହୁଚୁ ? ତୁ ଥରୁଚୁ କାହିଁକି ଏମିତି ? କ’ଣ ହେଲା ତୋର ? ସତରେ ମୁଁ ତୋ କଥା କିଛି ବୁଝିପାରୁନି ।’’

 

‘‘–ତୁ ଠିକ୍‌ ବୁଝୁଚୁ ମୁଁ କ’ଣ ଚାହୁଁଚି । ମୋ ମନତଳର ଶୋଇପଡ଼ିଥିବା ଇଚ୍ଛାଗୁଡ଼ାକର ହିସାବ କ’ଣ ତା’ ଠିକ୍‌ ଭଲକରି ଜଣାଅଛି ତୋତେ । ମୋ ସହ ଟିକେ ଆମ ଘରକୁ ଆ । କେହି ନାହାନ୍ତି । ଆଜି ଆମଘରେ ।’’ ଭାରି ବିକଳ କଣ୍ଠସ୍ୱର ବିବେକାର । ଭାରି ବିକୃତ ସେ ସ୍ୱର, କୁଶ୍ଚିତ ତା’ର ଚିନ୍ତା, ତା’ର ଆଶା, ତା’ର ଲାଳସା । ଚୁଙ୍ଗୁଡ଼ି କଟମଟ କରି ଚାହିଁରହିଲା ବିବେକାର ଜଳିଳା ଜଳିଳା ଆଖି ଦି’ଟାକୁ । ତା’ରି ଆଖିରେ ବାଘ ମାତିଚି ।

 

ଏଇ ବାଘକୁ ସେ ଦେଖିଥିଲା ଜ୍ୟୋତିମାମୁଙ୍କ ଆଖିରେ ।

 

ସେ ଏକଥାବି ଦେଖିଚି, ବାଘ କେମିତି ରକ୍ତ ଶୋଷି ଚିନୁ ଅପାର ସୁନ୍ଦର ଦୁଧସରର ଶରୀରଟାକୁ ମଢ଼ କରି ପକେଇଦେଲା, ଚାଲିଗଲା ଗୁହା ଭିତରକୁ । ବାଘ ସବୁଦିନେ ଗୁହାଭିତରେ ପଶି ରହେ ନାହିଁ । ବଣରେ ବୁଲେ । ରକ୍ତ ନିଶାରେ ଖୋଜି ବୁଲେ ନୂଆ ଶିକାର ତା’ର ରକ୍ତର ପିପାସା ମେଣ୍ଟାଇବା ପାଇଁ । ମାଂସର ଭୋକ କମେଇବା ପାଇଁ ।
 

 

ଚିନୁଅପା ତଣ୍ଟିରୁ ରକ୍ତ ଖାଇସାରିଲା ପରେ ଜ୍ୟୋତିମାମୁଙ୍କର ପଞ୍ଝା ଛକି ବସିଥିଲା ଚୁଙ୍ଗୁଡ଼ିପାଇଁ । ଚୁଙ୍ଗୁଡ଼ିକୁ ନୂଆ ଶିକାର କରିବାକୁ ଚାହିଁଥିଲେ ଜ୍ୟୋତିମାମୁ । ଶିକାରକୁ ଖେଳେଇଲେ ।

 

ଶିକାର କିନ୍ତୁ ଶିକାରୀଠୁ ବେଶି ଚତୁର ପଡ଼ିଗଲା ।

 

ଶିକାର ଖେଳେଇ ଖେଳେଇ ହାଲିଆ କରିଦେଲା ଶିକାରୀକୁ ।

 

ଜ୍ୟୋତିମାମୁ ହାରିଗଲେ ଚୁଙ୍ଗୁଡ଼ି ପାଖରେ ।

 

ଜ୍ୟୋତିମାମୁଙ୍କ ଆଖିର ବାଘ ଚୁଙ୍ଗୁଡ଼ି ହାତର ହଣ୍ଟର ମାଡ଼ରେ ଗୁହାରେ ନୁହେଁ ପଞ୍ଜୁରୀରେ ପଶିଗଲା ।

 

ଚୁଙ୍ଗୁଡ଼ିକୁ ବାଘ ସହିତ ଖେଳି ଆସିଲାଣି ।

 

–‘‘ମୋର ଡେରି ହଉଚି ବିବେକା–ମୁଁ ଯାଉଚି ।’’

 

ଚୁଙ୍ଗୁଡ଼ି ଦୌଡ଼ିବାକୁ ଲାଗିଲା । ବିବେକା ତା’ର ଗୋଟାଏ ହାତକୁ ଚଟ୍‌କରି ଧରି ପକେଇ ଅଟକେଇ ଦେଲା । ଚୁଙ୍ଗୁଡ଼ି ଝୁଙ୍କିହୋଇ ଛିଡ଼ାହୋଇ ରହିଚି ପାଖରେ ।

 

ଓଃ, କି ରୁକ୍ଷ ହାତଟା ! ଚୁଙ୍ଗୁଡ଼ିର ଗୋଟିଏ କୁସୁମ କୋମଳ ଶୁଷ୍କ ପାପୁଲି ଚିପି ଧରିଚି ବିବେକା ।

 

‘‘ତୁ ମୋ ପାଖରୁ ଖସିପାରିବୁନି ଚୁଙ୍ଗୁଡ଼ି । ତୁ କାହାକୁ କ’ଣ ବୋଲି ଭାବିଚୁ ! ମତେ ତୁ ଚିହ୍ନିଚୁ ! ସାହିର ସବୁଝିଅ–ଆରା, ମିତା, ଶକୁନ୍ତଳା ସମସ୍ତଙ୍କୁ ପଚାରିବୁ, ଚିହ୍ନିଚନ୍ତି ସେମାନେ । ଜାଣିଚନ୍ତି ସେମାନେ । ମୁଁ କାହାରିକୁ ଏମିତି ସହଜରେ ଛାଡ଼ିଦିଏନି । ମତେ ତୁ ମାଇଚିଆ ତପନ ବୋଲି ଭାବୁଚୁକି ? ଏତେ ପାଖରେ ପାଇବି ପାଇପାରିଲାନି ତତେ ।’’

 

ତପନ ! କେତେ ଭଲ ସେ । ଏ କେମିତି ହୋଇପାରିବୁ ତା’ ପରି ! ମୂର୍ଖ କହୁଚି ତପନ ପାଖରେ ପାଇବି ପାଇପାରିଲାନି । ସେ କେମିତି ବୁଝିବ, ତପନ ଦୂରରେ ଥିଲେବି ସେ କେମିତି କେଳ ତା’ର ହୋଇ ରହିଚି !

 

ଛଳଛଳ ହୋଇଯାଏ ଚୁଙ୍ଗୁଡ଼ିର ଆଖି ଏକ ନିବିଡ଼ ଅସହାୟତାରେ ।

 

‘‘ତୁ ତାହାହେଲେ ମତେ ଏମିତି ଛାଡ଼ିବୁନି ?’’

 

‘‘ଏମିତି ନୁହେଁ କି କେମିତିବି ନୁହେଁ ।’’

 

ତପନ ପୁଣି ବିଜୟୀପରି ହସୁଚି ନାଟକର ଖଳନାୟକ ପରି । ହାତଟାକୁ ବେଶି ଜୋରରେ ଜାବୁଡ଼ି ଧରୁଚି ତା’ର ।

 

‘‘ଆଚ୍ଛା !’’ ଚୁଙ୍ଗୁଡ଼ି ଝିଙ୍କାଓଟରା ଆରମ୍ଭ କରିଦିଏ । ଆହୁରି ଜୋରରେ ହାତଦି’ଟାଯାକୁ ଚିପିଧରେ ବିବେକା ! ଅନେକ ସମୟ ଟଣାଓଟରା ଚୁଙ୍ଗୁଡ଼ି ଛଟଛଟ ହୋଇ ସବୁବଳ ଖଞ୍ଜ କରି ତା’ର ହାତଦି’ଟା ତାଠୁ ଖସେଇ ଆଣିବାକୁ ଚେଷ୍ଟାକଲା । ତା’ଠୁ ଖସି ପଳେଇବାକୁ ଚେଷ୍ଟାକଲା ।

 

ଶେଷକୁ ମୁହଁଟା ବଙ୍କେଇ ଆଣିଲା ବିବେକାର ହାତ ଉପରକୁ । ଅନେକଗୁଡ଼ାଏ ଦାନ୍ତ ବେଶ୍ ଗହୀର କରି ଫୁଟିଗଲା ବିବେକାର ହାତ ଉପରେ । ହାତରୁ କିଛିଟା ମାଂସ ଉଠି ଆସିଲା ଚୁଙ୍ଗୁଡ଼ିର ଦାନ୍ତ ସହିତ । ବିବେକା ଛାଡ଼ିଦେଲା ତା’ର ହାତ । ଛାଡ଼ିଦେବାକୁ ବାଧ୍ୟହେଲା । ଚୁଙ୍ଗୁଡ଼ି ଦୌଡ଼ିଲା । ଦୌଡ଼ିଲା ଜୀବନ ବିକଳରେ ଧଇଁସଇଁ ହୋଇ । ପଛରେ ରହିଗଲା କିଆଗୋହିରି, ସରୁରାସ୍ତା ଏବଂ ବିବେକା ।

 

ବିବେକା, ତା’ର ହାତରୁ ହୁଏତ ରକ୍ତ ପୋଛୁଥିବ ।

 

ଚୁଙ୍ଗୁଡ଼ି ଏକା ନିଃଶ୍ୱାସରେ ପହଞ୍ଚିଗଲା ଘରେ ।

 

ପଛକୁ ଥରେବି ଫେରି ଚାହିଁଲା ନାହିଁ ।

 

ତାକୁ ଲାଗୁଥିଲା, ବିବେକା ତା’ର ଲମ୍ବା ହାତଟା ବଢ଼େଇ ତା’ ପଛରେ ସତେବା ଦୌଡ଼ୁଚି । ଦୁଆରମୁହଁରେ ପହଞ୍ଚିଯାଇ ଲମ୍ବା ନିଃଶ୍ୱାସ ନେଲା ଚୁଙ୍ଗୁଡ଼ି ।

 

ପିଣ୍ଢାଉପରେ ବାପାଙ୍କ ପାଖରେ ବସିଥିଲେ ଶାଶ୍ୱତ ସାର୍‌ ଏବଂ ତାଙ୍କର ସେହି ସାଙ୍ଗ ଫଜଲ୍‌ । ଚୁଙ୍ଗୁଡ଼ିର ପାପୁଲିଟା ଜଳିଗଲା ପରି ଲାଗୁଚି ଭୀଷଣ । ସେ ଆଡ଼କୁ ନଜର ଦେଇ ନାହିଁ । କ’ଣ ହୋଇଚି ବୋଲି ଦେଖିବାର ସୁଯୋଗ ପାଇ ନାହିଁ, ଅବସର ପାଇ ନାହିଁ ।

 

ଘରଭିତରକୁ ପଶିଯାଇ ଏକାନ୍ତରେ ହାତଟାକୁ ନିରେଖି ଦେଖିଲା ଚୁଙ୍ଗୁଡ଼ି । ହାତଟା କ୍ଷତାକ୍ତ ହୋଇଯାଇଚି । ଅନେକ ଜାଗାରୁ ରକ୍ତ ବୋହୁଚି । ବିବେକା ନଖରେ ଛଡ଼ାଛଡ଼ି କଲାବେଳେ ରକ୍ତାକ୍ତ କରିଦେଇଚି ହାତଟାକୁ ।

 

ଚୁଙ୍ଗୁଡ଼ି ଏ କଥା କହିଲା ନାହିଁ କାହାକୁ । କହିପାରିଲା ନାହିଁ । କହିବାକୁ ସଙ୍କୋଚ ଲାଗିଲା । ସେ ଅନୁଭବ କଲା, ସେ ତା’ ଅଜାଣତରେ ଯେମିତି ଖୁବ୍‌ ବୟସ୍କ । ହୋଇଯାଇଚି । କେଇମୁହୂର୍ତ୍ତ ତଳର ବାଳିକାରୁ ନାରୀ କିମ୍ବା କିଶୋରୀରୁ ଯୁବତୀ–ସେମିତି କିଛି !

 

ଜ୍ୟୋତିମାମୁଙ୍କର ଏମିତି ବ୍ୟବହାର କଥା ତାକୁ ଅବୁଝା ଲାଗିଲା ବୋଲି ଖୋଲି କହିଦେଇଥିଲା ତପନକୁ । ତପନ ତାକୁ କହିଦେଇଥିଲା, ଜ୍ୟୋତିମାମୁ ଖରାପ ଲୋକ ।

 

ଏଥର ତାକୁ କେହି ବୁଝେଇଦେଲେ ନାହିଁ, ସେ ନିଜେ ବୁଝିଗଲା ।

 

ବିବେକା ଖରାପ ପିଲା ।

 

ତା’ରି ବାପା ଏଇ ସଉରୀ ପଣ୍ଡା ।

 

ବିବେକା ଅକ୍ତିଆର କରିଥିବା ସାହି ଝିଅମାନଙ୍କର ତାଲିକା ଚୁଙ୍ଗୁଡ଼ି ଆଗରେ ବଖାଣିଲା ପରି ସଉରୀ ପଣ୍ଡା ଅତିନିର୍ଲଜ୍ଜ ଭାବରେ ହିସାବ ଦଉଚି ସେ ସଫଳ ହୋଇଥିବା କାମଗୁଡ଼ାକରେ । କେତେଘରେ ନିଆଁ ଜଳେଇଚି, କେତେ ଜଣକୁ ହଇରାଣ କରିଚି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଚି-!

 

ସଉରୀ ପଣ୍ଡା ଯେମିତି ହେଲେ ଜମି ନବ । ନ ବିକିଲେ, ତାକୁ ନ ଦେଲେ ମଧ୍ୟ ।

 

ଏମାନଙ୍କର କିଏ ଅଛି ସଉରୀ ପଣ୍ଡା ବିରୁଦ୍ଧରେ ଲଢ଼ିବାକୁ !

 

ତା’ ବିପକ୍ଷରେ ହାତ ଟେକିବାକୁ

 

ସବୁତକ ଜମି ନେଇ, ଯଦି କେହି ଏମାନଙ୍କୁ ନିଜଘରକୁ ତଡ଼ିଦିଏ କେହି ପଦେ ଉଁଚୁ କହିପାରିବେ ନାହିଁ । ପ୍ରତିବାଦ କିମ୍ବା ପ୍ରତିରୋଧ କରିପାରିବେ ନାହିଁ ।

 

କିଏ ଅଛି ଯେ ?

 

କ’ଣ ତା’ର ଦୁଇଟାଯାକ ଗୋଡ଼ ନଥିବା ଅସମର୍ଥ ବାପା ?

 

ମାଟ୍ରିକ ପଢ଼ୁଥିବା ଚଉଦବର୍ଷର ଭାଇ ସିକୁ ?

 

ଚୁଙ୍ଗୁଡ଼ିର ମନଆକାଶରେ ଝଡ଼ ଉଠେ । ଦୁଃଖର କଳାବଉଦ ଘୋଟିଆସେ ଚତୁର୍ଦ୍ଦିଗ ଅନ୍ଧାରକରି । ମହାପ୍ରଳୟର ପୂର୍ବାଭାସ । ଚାରିଆଡ଼େ ଦୁଃଖର ବାସ୍ନା । ହତାଶାର ଛାଇ । ଚୁଙ୍ଗୁଡ଼ି ଉପାୟହୀନ ହୋଇ ବସିରହେ ।

 

ବାପାଙ୍କ ମୁହଁଟା ସେପାଖ ବାରଣ୍ଡାରୁ ପରିଷ୍କାର ଦେଖାଯାଉଚି ଚୁଙ୍ଗୁଡ଼ିକୁ ।

 

ସେ ବାପାଙ୍କର ଏମିତି ମୁହଁକୁ ମୋଟେ ସହିପାରେ ନାହିଁ ।

 

ଚୁଙ୍ଗୁଡ଼ି ଚୁଲିମୁଣ୍ଡରୁ ଡେଇଁ ଡେଇଁ ଉଠିଆସିଲା ଏପାଖ ପିଣ୍ଡାଉପରକୁ ।

 

‘‘ଟଙ୍କା ଆମର ଦରକାର ! କିଛି ଜମି କମେଇଦିଅ, ବାପା !’’

 

ଚୁଙ୍ଗୁଡ଼ି ସଉରୀ ପଣ୍ଡା ପାଖକୁ ବୁଲି ଠିଆହେଲା ।

 

‘‘ଆପଣ ଯାଆନ୍ତୁ । ମୁଁ ବାପାଙ୍କୁ ବୁଝେଇଦେବି’’

 

ସଉରୀ ପଣ୍ଡା କହିଲା, ଜମି ସେ କବଲା କରି ନେବେ ନାହିଁ । ଖାଲି କାଗଜରେ ବାପାଙ୍କଠାରୁ ବନ୍ଧକ ସୂତ୍ରରେ ନେଇ ପଇସା ଦେଇ ଦଖଲ କରିବେ ଯାହା ।

 

ସଉରୀ ପଣ୍ଡା ଅଧିକ ଚତୁର । କିଣିନେଲେ ଉପଯୁକ୍ତ ପଇସା, ଦରଦାମ୍ ଦେଇ କବଲା କରିବାକୁ ହୋଇଥାନ୍ତା ତାକୁ । ଏମିତିରେ ଅଳ୍ପ କିଛି ତା’ ଦୟାରେ ଦେଇ ଜମି ଦଖଲ କରିବ । ସେ ଜାଣିଚି, ଜମି ତା’ଠୁ ଆଉ ମୁକୁଳେଇ ହବନି । ଅଧା ପଇସାରେ ସବୁ ଜମି ସବୁଦିନ ପାଇଁ ତା’ର ହୋଇଯିବ ।

 

ତଥାପି ରାଜି ହେବାକୁ ହେଲା । ବାଧ୍ୟହୋଇ ରାଜିହେଲେ ଚୁଙ୍ଗୁଡ଼ିର ବାପା । ବହୁତ କଷ୍ଟରେ କହିଲେ, ‘‘ଯାଅ । କାଲି ସବୁ ହବ । ମୁଁ ନାହିଁ କରୁନାହିଁ ।’’

 

କିନ୍ତୁ, ଗଲା ନାହିଁ ସଉରୀ ପଣ୍ଡା । ବସିରହିଲା ସେମିତି । ଗପକଲା ଚୁଙ୍ଗୁଡ଼ି ବାପାଙ୍କ ସହିତ । କେତେକଅଣ ବିଷୟ ଗଳ୍ପର କଥାବସ୍ତୁ ହେଲା ।

 

ରାଗ ନାହିଁ, ଧମକ ନାହିଁ । ବେଶ୍‌ ଆତ୍ମୀୟତା ବୋଳା ସୁନ୍ଦର କଥା ।

 

ଚୁଙ୍ଗୁଡ଼ି କଥା ଆରମ୍ଭ କଲା ସଉରୀ ପଣ୍ଡା ।

 

ଝିଅଟି ଭଲ, ସୁଧାର, ପାରିବାର, ସୁନ୍ଦର, ଗୋଟିଏ ଚାଉଳରେ ଗଢ଼ା ।

 

ବାପା ଯୋଗ ଦେଲେ ‘‘ଗୁଣର, ପାଠୁଆ, କାମିକା’’

 

ନିଜପିଲାମାନଙ୍କର ପ୍ରଶଂସା ଅନ୍ୟ ଆଗରେ ବଖାଣିଲାବେଳେ ବାପାମାନେ ସବୁବେଳେ ଏମିତି ନିର୍ଲଜ୍ଜ ହୋଇଯା’ନ୍ତି କେମିତି ? ସବୁ ବାପା ସେୟା । ସନ୍ତାନର ସଫଳତାରେ ଶିହରୀ ଯା’ନ୍ତି, ଫୁଲି ଉଠନ୍ତି, ମନ ନାଚିଯାଏ ତାଙ୍କର । ସେତିକି ଯେମିତି ତାଙ୍କ ଜୀବନର ସବୁ ପୁଣ୍ୟର ଫଳ । ତାଙ୍କ ଜୀବନର ସବୁଠୁ ବଡ଼ ସଫଳତା ।

 

ସଉରୀ ପଣ୍ଡା ତା’ର ପ୍ରଶଂସା କରୁଚି । ତାକୁ ନୂଆଲାଗୁଚି । ଅନ୍ୟର ପ୍ରଶଂସା ସଉରୀ ପଣ୍ଡା ପାଟିରୁ ଏଇ ନୂଆହୋଇ ଝରୁଚି ।

 

ବାପା ଚୁଙ୍ଗୁଡ଼ିର ପ୍ରଶଂସା କରୁଚନ୍ତି ।

 

ଚୁଙ୍ଗୁଡ଼ି ଲୁଚି ଲୁଚି ଶୁଣିଲା, ଖୁସିହେଲା ।

 

ଆହୁରି କେତେକଅଣ କଥା ପଡ଼ିଲା । ଚୁଙ୍ଗୁଡ଼ିର ବୟସ, ରାଶିନକ୍ଷତ୍ର । ଜାତକ–ଜନ୍ମବାର, କେତେକଅଣ ।

 

ଚୁଙ୍ଗୁଡ଼ିପାଇଁ ପାତ୍ରଟିଏ ଖୋଜିବାକୁ ବାପା କହୁଛନ୍ତି ସଉରୀକୁ ।

 

ସଉରୀ ପଣ୍ଡାର ମୁହଁ ଆଲୋକିତ ଦିଶୁଚି । ସେ ଖୁସି ହଉଚି ।

 

ଯେମିତିହେଉ ଝିଅ ବାହାଘରଟା ଏ ବର୍ଷ ସାରିଦେବାକୁ ବୁଝାଉଚି । ଝିଅକୁ ଗାଁ ଭିତରେ ଆଉ ଏମିତି ରଖିବା ଉଚିତ କିମ୍ବା ସୁନ୍ଦର ହେବନି ବୋଲି କହୁଚି ।

 

ବାପା ଦୟନୀୟ ସୁରରେ କହୁଛନ୍ତି ତାଙ୍କର ଅସୁବିଧା । ତାଙ୍କର ସବୁ ଦୁଃଖ ବଖାଣି ଯାଉଛନ୍ତି ସଉରୀ ପଣ୍ଡା ଆଗରେ ।

 

ଚୁଙ୍ଗୁଡ଼ି ପରି ଝିଅକୁ ସେ ଯାହା ତାହା ହାତରେ ଦେଇପାରିବେ ନାହିଁ । ଜନ୍ମ-ଦୁଃଖିନୀ ସିଏ । ଭଲ, ମନପସନ୍ଦର ବର ନ ମିଳିଲେ ସେ ତାକୁ ବିଷ ଖାଇ ଶୋଇଯିବାକୁ କହିବେ ସିନା, ବାହାଦେବେ ନାହିଁ । ଭଲ ବରଟିଏ ପାଇବାକୁ ହେଲେ ସେମିତି ମନ ଦେଖି ଦାମ ଦେବାକୁ ହୁଏ । ସୁନାଚଢ଼େଇକୁ ବାନ୍ଧିରଖିବାକୁ ସୁନା ଶିକୁଳି ଲୋଡ଼ା । ତାଙ୍କର ଅବସ୍ଥାକୁ ଚାହିଁ ସେ ସୁନା ଶିକୁଳି ଗଢ଼େଇବାର ଆଶା ମନରୁ ପୋଛି ଦେଇଚନ୍ତି ।

 

ତାଙ୍କର ଯୌତୁକ ଦେବାର ଅସାମର୍ଥକୁ ଦେଖି ଚୁଙ୍ଗୁଡ଼ିର ବାହାଘର ବିଷୟ ଚିନ୍ତା କରିବାକୁ ତାଙ୍କର ସାହସ ହେଉ ନାହିଁ ।

 

ଭଗବାନ ଯାହା କରିବେ । ଯାହା ଥିବ ତା’ ଭାଗ୍ୟରେ । ବାପା ଦୁଇ ପାପୁଲି ଯୋଡ଼ି କପାଳରେ ଲଗଉଚନ୍ତି ।

 

ସଉରୀ ପଣ୍ଡା ପୁଣି ତା’ର ଅପରିଚ୍ଛନ୍ନିଆ କଳାକଳା ଦାନ୍ତ ମେଞ୍ଚାକ ଦେଖେଇ ଦେଇ ଖିକ୍‌ ଖିକ୍‌ ହସୁଚି ।

 

ବେଶି ଖୁସିରେ ଆପେଆପେ ଆଁ ହୋଇଯାଉଚି ! ଦୁଇ ମୋଟା ଓଠ ଫାଙ୍କଦେଇ ତା’ର କଳା କଳା ପାନକଷା ଦାନ୍ତଗୁଡ଼ାକ ବେଶି ଅସନା ଦିଶୁଚି ।

 

ତା’ରି ବାହାଘର କଥା ପଡ଼ିଚି । ଖୁସି ଲାଗୁଚି ଚୁଙ୍ଗୁଡ଼ିକୁ ।

 

ବାହାଘର !!

 

ହଁ, ବାହାଘର । ଜଣେ ହବ ବର, ସେ ହବ କନିଆଁ । ହଳଦୀ ଗୁରୁଗୁରୁ ହୋଇ ତା’ ଗୋରା ପାଦରେ ଅଳତା ଲଗେଇବ । ମୁଣ୍ଡରେ ବଡ଼ଟିପା ସିନ୍ଦୂର । କପାଳରେ, ଗାଲରେ ଟୋପି ଟୋପି ଚନ୍ଦନର ଝୋଟି । ପାତଳା ବେଣୀ ମୁଣ୍ଡରେ ପକାଇ, ସେଇ ବର ସହିତ ବେଦି ଉପରେ ହାତ ଛନ୍ଦି ବସିବ ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ିକୁ ସୁନ୍ଦର ମାନିବ କନିଆଁ ସାଜିଲେ ।

 

ଚୁଙ୍ଗୁଡ଼ିକୁ ଲାଜଲାଗିବ କନିଆଁ ସାଜିଲେ ।

 

ସଉରୀ ପଣ୍ଡା ଆଖିରେ ଖୁସିର ବିଜୁଳି ମାରୁଚି । ଓଠରେ ହସର ଫୁଲ ଫୁଟିଚି । ବାପାଙ୍କୁ ଗଦ୍‌ଗଦ୍‌ କଣ୍ଠରେ କହୁଚି ସିଏ ‘‘ଚୁଙ୍ଗୁଡ଼ି ପରି ଝିଅକୁ ବୋହୂ କରି ନବାକୁ ଯୌତୁକ ? କୋଉ ଅମଣିଷ ଭାଗ୍ୟହୀନ ଯୌତୁକ ଦାବି କରିବ ?’’

 

ଚୁଙ୍ଗୁଡ଼ିକୁ ୟା ତା’ ହାତରେ ଦେଲାପରି ପିଲାବି ସେ ନୁହେଁ ।

 

ତା’ ବୋଲି ତାକୁ ବର ଅଭାବ ହେବେ ?

 

ଚୁଙ୍ଗୁଡ଼ିକୁ କେହି ଦେଖୁ ନଥିଲେ । ଲାଜରେ ନିଜେ ନିଜ ପାଖରେ ଝାଉଁଳି ଗଲା । କାନ ଡେରିଲା । କୋଉ ରଜାପୁଅ କଥା କହୁଚି ସଉରୀ ପଣ୍ଡା ।

 

ସଉରୀ ପଣ୍ଡା ଏଥର କଥା ବଦଳେଇ ଦେଲାଣି । ଗପ କରୁଚି ତା’ ନିଜକଥା, ତା’ର ବହୁ ଅର୍ଜିତ ସମ୍ପତ୍ତି କଥା । ତା’ ଘରେ ସାଇତା ଶହ ଶହ ଭରିର ସୁନା ଗହଣା କଥା । ସିନ୍ଦୂକରେ ଥିବା ବିଡ଼ା ବିଡ଼ା ଟଙ୍କା କଥା–କୋଉଠି କେତେ ଟଙ୍କା ଅଛି ସେକଥା । ଛ’ଟା ଗାଁରେ ଥିବା ତା’ର ସର୍ବବ୍ୟାପୀ କ୍ଷମତା କଥା ।

 

ସେ ବାୟୁ–ଉଡ଼େଇ ଦେଇ ପାରିବ, ବଞ୍ଚେଇ ଦେଇପାରିବ ।

 

ସେ ଅଗ୍ନି-ଜାଳିଦେଇପାରିବ । ଜିଆଇ ଦେଇପାରିବ ।

 

ସେ ସବୁ । ତଦ୍ଦ୍ୱାରା ସବୁ ସମ୍ଭବ ।

 

ତା’ ନିଜ ନାଁରେ ନିଜେ ଢୋଲ ପିଟୁଚି ସଉରୀ ପଣ୍ଡା ।

 

ସେ ମିଛ କହୁ ନଥିଲା କିଛି । ବାପାବି ସେ କଥାକୁ ସବୁ ସତ ବୋଲି ଜାଣନ୍ତି । କିନ୍ତୁ ଏ ସବୁ ବାପାଙ୍କ ଆଗରେ କହିବାର ଉଦ୍ଦେଶ୍ୟ ବୁଝିପାରୁ ନଥିଲା ଚୁଙ୍ଗୁଡ଼ି । ସଉରୀ ପଣ୍ଡା ସେମିତି ଗପି ଚାଲିଛି । ସେ ଯୋଉ କାମରେ ହାତ ଦବ, ନିଶ୍ଚୟ ନ କରି ଛାଡ଼ିବ ନାହିଁ ।

 

ସଉରୀ ପଣ୍ଡା ଗପୁଚି ତା’ର ପରିବାର କଥା । ପ୍ରଶଂସା କରୁଚି ସମସ୍ତଙ୍କର ।

 

ଏବଂ, ତା’ର ଏକମାତ୍ର ସନ୍ତାନ ବିବେକାର ।

 

ବିବେକାପାଇଁ ସେ ଠିକ୍‌ କରିଚି ଚୁଙ୍ଗୁଡ଼ିକୁ !

 

ବିବେକା !!

 

ସେଦିନ କିଆଗୋହିରିରେ ଯୋଉ ବିବେକା ତା’ର ହାତ ଧରିପକେଇ ପ୍ରେମ ନୁହେଁ, ତା’ରି ମାଂସ ଭିକ୍ଷା କରିଥିଲା–ଏକାନ୍ତରେ ମିଛ କହି, ସେହି ମାଂସର ଭୋକ ମେଣ୍ଟାଇବାକୁ ଭୁଲେଇ ନେଇଯାଉଥିଲା ତାକୁ ।

 

ସେହି ବିବେକା, ଯାହା ହାତରେ ଚୁଙ୍ଗୁଡ଼ି ଦାନ୍ତର କ୍ଷତ ଆଜିବି ଯନ୍ତ୍ରଣା ଦଉଥିବ । ସେହି ବିବେକା, ଯାହାର କବଳରୁ ସାହିର କୋଉ ଝିଅ, ଆରା, ମିତା, ଶକୁନ୍ତଳା କେହି ହେଲେ ମୁକ୍ତି ପାଇ ନାହାନ୍ତି ।

 

ଚୁଙ୍ଗୁଡ଼ିର ମୁଣ୍ଡଟା ଅକାରଣରେ ବୁଲେଇବାକୁ ଲାଗିଲା ତା’ ସହିତ ବୁଲିଲା ପୃଥିବୀଟା, ଆକାଶଟା ।

 

ବାପାଙ୍କ ଉତ୍ତରକୁ କାନେଇ ରହିଲା ଚୁଙ୍ଗୁଡ଼ି ।

 

ତାଙ୍କର ଆଖି ଉଜ୍ଜ୍ୱଳ ଦିଶୁଚି । ଅବିଶ୍ୱାସ୍ୟ ଆନନ୍ଦରେ ମୁହଁ ତାଙ୍କର ଝଲସୁଚି । ସେ ଯେପରି ବିଶ୍ୱାସ କରିପାରୁ ନାହାନ୍ତି ଆକାଶର ଜହ୍ନଟା କେମିତି ତା’ର ସବୁ ଆଲୁଅ ସାଙ୍ଗରେ ଧରି ଓହ୍ଲେଇ ଆସୁଚି ତାଙ୍କର ହାତ ପାପୁଲିକୁ ।

 

ବିହ୍ୱଳ କଣ୍ଠରେ କହୁଚନ୍ତି ବାପା, ‘‘ତୁମ କଥାରେ ମୁଁ କ’ଣ ଅମତ ହେବି ? ମୋର ତ ମହାଭାଗ୍ୟ ! ମୋ ଚୁଙ୍ଗୁଡ଼ି କ’ଣ ତୁମକୁ ଖୁସି କରିପାରିବ ? ମୋ ଚୁଙ୍ଗୁଡ଼ିକୁ କ’ଣ ତୁମେ ହେଳା କରିବ ?’’

 

ଚୁଙ୍ଗୁଡ଼ି ନିଃଶବ୍ଦରେ ଚିତ୍କାର କରୁଚି ନିଜଭିତରେ ମଣିଷଟା ପାଖରେ, ନା–ନା–ବିବେକାକୁ ସେ ବାହା ହୋଇପାରିବନି । ତା’ର ‘ବର’ ହେବ ବିବେକା । ତାହାହେଲେ ସେ ମରିଯିବ ।

 

ବିବେକାର ପ୍ରଚୁର ପଇସା ଅଛି । ସେ ମାଂସ କିଣିପାରିବ ।

 

ପଇସା ଦେଇ ମନ କିଣିହୁଏନି । ଚୁଙ୍ଗୁଡ଼ିର କିନ୍ତୁ ମନଟିଏ ଲୋଡ଼ା ।

 

ସେତେବେଳେ କିଛି କହିଲା ନାହିଁ ତାକୁ । କାହାକୁବି ! କହିଲେ କିଛି ଫଳ ହେବ ନାହିଁ-। ତାଙ୍କର ଜମିତକ ଜବରଦସ୍ତି ଦଖଲ କରିନବ ସଉରୀ ପଣ୍ଡା । ସେଥିପାଇଁ କିଛି ପଇସା ଦେବ ନାହିଁ । ତା’ ପୁଅର କବଳରୁ ମୁକ୍ତି ପାଇବା ଭାରିକଷ୍ଟ । ସେ ନିଜେ କହିଚି ବାପା କଥା ଦେଇସାରିଚନ୍ତି ।

 

ଏକ ସର୍ବବ୍ୟାପୀ ଅସହାୟତା ତାକୁ କ୍ରମଶଃ ନିଷ୍କ୍ରିୟ କରି ପକାଉଚି । ସେଦିନ ରାତିରେ ଶୋଇପାରିଲା ନାହିଁ ସେ । ଅନେକ ରାତିରେ ସିକୁର ନିଦ ଭାଙ୍ଗିଲା । ପଚାରିଲା ସେ–

 

‘‘ତୋର କ’ଣ ହୋଇଚି ଅପା ? ଦେହ ଭଲ ଲାଗୁନି ? ମୁଣ୍ଡ ଟିପି ଦେବି ?’’

 

–ନାହିଁ । ତୁ ଶୋ । ମୁଁ ଠିକ୍‌ ଅଛି । ଭାବୁଚି ଟିକେ । ଚିନ୍ତା କରୁଚି, ଏବେ କ’ଣ କରିବି ।

 

–ତୁ ପାଠ ପଢ଼ ଅପା ! କଲେଜରେ ନାଁ ଲେଖା ।

 

‘କଲେଜ ଖର୍ଚ୍ଚ କେତେ ଲାଗିବ ଜାଣିଚୁଟି ? ଆଉ ବର୍ଷଟା ପରେ ତୁ ତ ପୁଣି ପଢ଼ିବୁ ।

 

–ଯାହା ହେଲେବି ତୁ ପଢ଼ । କିଛି କଥା ଅଚଳ ରହିଯିବନିମ ! ସବୁ କଟିଯିବ ।

 

ଚୁଙ୍ଗୁଡ଼ି ସିକୁ ମୁଣ୍ଡରେ ହାତ ଥାପୁଡ଼େଇ କହିଲା, ‘‘ତୁ ଶୋଇପଡ଼ ।’’

 

ନିଜେ ସ୍ଥିର କରିନେଲା ମନେମନେ, ସେ ପଢ଼ିବ । ଯେତେ ଅସୁବିଧା ହେଉ । ଯେତେ କଷ୍ଟହଉ । ଯେତେ ସବୁ ଅଘଟଣ ଘଟିଯାଉ ପଛେ !

 

ଆଖି ବୁଜି ନିଶ୍ଚିନ୍ତରେ ଶୋଇବାକୁ ଚେଷ୍ଟାକଲା ସେ ।

 

ବାପା ଡାକିଲେ, ‘‘ଚୁଙ୍ଗୁଡ଼ି !’’

 

‘‘ହଁ, କୁହ ।’’

 

‘‘ଜମି ଟଙ୍କାରେ ଠିକ୍‌ କରିଚି ତୋର କେଇଖଣ୍ଡ ଗହଣା କରିଦେବି ।’’

 

ବାପା ଆଉ କିଛି କହୁ ନାହାନ୍ତି । ଅନ୍ଧାରରେ ଦେଖାଯାଉନି ତାଙ୍କର ମୁହଁ । ନ ହେଲେ ଚୁଙ୍ଗୁଡ଼ି ଦେଖିଥାନ୍ତା ସେଠି କେତେଟା ସନ୍ତୋଷର ଗୋଲାପ ଫୁଟି ମହକୁଚନ୍ତି । ଚୁଙ୍ଗୁଡ଼ି ବୁଝିଲା, ସେଇ ଗହଣା ପିନ୍ଧି ସେ ସଉରୀ ପଣ୍ଡା ଘରକୁ ବୋହୂ ହୋଇଯିବ ।

 

ସେହି ଖୁସିରେ ନିଦ ହଉ ନାହିଁ ବାପାଙ୍କୁ ।

 

ସେହି ଚିନ୍ତାରେ ନିଦ ହଉନି ଚୁଙ୍ଗୁଡ଼ିକୁ । ସେହି ଦୁଃଖରେ ତା’ ଆଖିରୁ ନିଦ ହଜିଯାଇଚି-

 

ସିକୁ ଶୋଇପଡ଼ିଲାଣି ।

 

‘‘ନାହିଁ ବାପା ! ମୋର କିଛି ଅଳଙ୍କାର ଦରକାର ନାହିଁ । ମୋର ଗହଣା ସଉକ ମୋଟେବି ନାହିଁ । ମୋର ଏଇନେ ବହୁତ ପଇସା ଦରକାର । ନାଁ ଲେଖା, ବହିପତ୍ର କିଣା, ଆହୁରି କେତେ କଥା !’’ ଚୁଙ୍ଗୁଡ଼ି ବିଚିତ୍ରଭାବେ ହସୁଚି ।

 

‘‘ପିଲାଳିଆ ବୁଦ୍ଧିରୁ ଏକଥା ତୁ କହୁଚୁ । ତୁ ଆଉ ପଢ଼ିବା ନାଁ ଧରନି । ଯେତିକି ହେଲା ସେତିକି । ଆମର ଆଉ ଦରକାର ନାହିଁ ।’’

 

‘‘ମୁଁ ନିଶ୍ଚୟ ପଢ଼ିବି । ଜମି ପଇସାରେ ଅଳଙ୍କାର ଗଢ଼େଇ ତାକୁ ପିନ୍ଧେଇ ସଉରୀ ପଣ୍ଡା ଘରକୁ ପଠେଇଦେଲେ, ମୁଁ ମୋଟେ ଖୁସିହେବିନି । ମୁଁ ବାହାହେବିନି । ମୁଁ ପଢ଼ିବି । ତମେ ମତେ ମନାକରନି । ମୁଁ ମରିଯିବ !!’’

ଚୁଙ୍ଗୁଡ଼ି ଅଳି କରୁଚି । ଜିଦି କରୁଚି । ସୁଁ ସୁଁ ହୋଇ କାନ୍ଦୁଚି । ଅତିରିକ୍ତ ଭାବାକାଶରେ ବିଛଣାରୁ ଉଠିଆସି ବାପାଙ୍କର ଆଣ୍ଠୁଟା ଜାବୁଡ଼ି ଧରୁଚି ।

ତା’ ମୁଣ୍ଡରେ ହାତ ମାରୁଚନ୍ତି ବାପା । ବୁଝେଇବାକୁ ଚେଷ୍ଟା କରୁଚନ୍ତି । ତାକୁ ପରିଷ୍କାର କରି ଜଣେଇ ଦଉଚନ୍ତି, ପାଠ ପଢ଼ିବାର ଅଯଥାର୍ଥତା । ସଉରୀ ପଣ୍ଡା ଏତେ ବଡ଼ଲୋକ ଯେ ଟଙ୍କା ଗଦାରେ ବସିବ ଚୁଙ୍ଗୁଡ଼ି । ଚୁଙ୍ଗୁଡ଼ି ଭାଗ୍ୟବତୀ । ସବୁଦୁଃଖ ଭୁଲିଯିବ । ଯେତେ କଷ୍ଟ ସେ ପାଇଚି ସବୁ ସେ ପାସୋରିଯିବ । ବିବେକାକୁ ବାହାହେଲେ ସୁଖ ଅଛି, ସମ୍ମାନ ଅଛି ।

ଚୁଙ୍ଗୁଡ଼ି କଇଁକଇଁ ହୋଇ କାନ୍ଦୁଚି । ବୁଝୁନି କୋଉଥିରେ ।

ବାପା ବିବ୍ରତ ହୋଇପଡ଼ୁଚନ୍ତି ।

ଚୁଙ୍ଗୁଡ଼ି ପୁଣି ଜିଦିଧରୁଚି । ଅଳି କରୁଚି ।

କେମିତି କୋଉ ଅସତର୍କ ମୁହୂର୍ତ୍ତରେ ହଁ ବାହାରି ଆସିଲା ବାପାଙ୍କର ଓଠ ଫାଙ୍କରୁ । ସେତିକ ଅସୁଲ କରି ନେଇ ପରମ ନିଶ୍ଚିନ୍ତରେ ନିଜ ବିଛଣାକୁ ଲେଉଟି ଆସିଥିଲା ଚୁଙ୍ଗୁଡ଼ି ।

ମନଟା ଭାରି ହାଲୁକା ଲାଗୁଚି । ଭାରି ଶାନ୍ତି ।

କଲେଜରେ କେତେ ପୁଅ, କେତେ ଝିଅ ! ଭାରି ଗହଳି, ହଇଚଇ । ବୟସର ବାଲି କୃଷ୍ଣଚୂଡ଼ାର ମହକରେ ବାୟୁମଣ୍ଡଳ ସୁବାସିତ । ନିଖୋଜ ହେବାର ବିଚିତ୍ର ଇଚ୍ଛାମାନଙ୍କର ବିଚିତ୍ର ରଙ୍ଗସଭାରେ ଚିର ମୁଖର ।

 

ସମସ୍ତଙ୍କ ମୁହଁ ଉଜ୍ଜ୍ୱଳ । ବୟସର ଅବିର ଛିଟା ଲାଗି ରଙ୍ଗୀନ ।

 

ସମସ୍ତଙ୍କ ଆଖି ପତାରେ ମେଞ୍ଚାମେଞ୍ଚା ସ୍ୱପ୍ନର ପଟୁଆର ।

 

ସେ ସ୍ୱପ୍ନକୁ ବୁଝିବାର ପ୍ରୟାସ କରେ ନାହିଁ ଚୁଙ୍ଗୁଡ଼ି ।

 

ସେମାନଙ୍କ ଗହଳିରେ ମିଶେ । ଗହଳିରେ ହଜିଯାଏନି । ବାରି ହୋଇପଡ଼େ ।

 

ଚୁଙ୍ଗୁଡ଼ି ଘରକାମ କରେ । ବାପାଙ୍କ କଥା ସିକୁକଥା ବୁଝେ । ପାଠ ପଢ଼େ । କଲେଜ ଯାଏଁ । ନିଜକାମରେ ନିଜେ ଥାଏ । ଆଉ କାହା କଥାରେ ମନ ନାହିଁ । କୋଉଥିରେ ଖାତିର ବା ଆଗ୍ରହ ନାହିଁ ଯେମିତି ।

 

କଲେଜରେ କାହାସହ ବିରୋଧ ନାହିଁ ତା’ର । କାହା ବିରୁଦ୍ଧରେ କେବେ କିଛି ଗଳ୍ପ ନିଜ ମନ କାଗଜରେ ଲେଖି ନାହିଁ ସିଏ । କାହାପାଇଁ ତା’ ଛାତି ତଳେ ଈର୍ଷାର କଳାନାଗୁଣୀ ପୋଷି ନାହିଁ ସିଏ ।

 

ମିନତି, ଜୟଶ୍ରୀ, ଅରୁଣ ବ୍ରିଜେଶ, ଅନୂପ, ସରିତା, ଅମରେଶ, ଶାନ୍ତି ସମସ୍ତେ ତା’ର ସାଙ୍ଗ ।

 

ତା’ର ଦଳ ନାହିଁ । ତା’ର ଗୋଠ ନାହିଁ ।

 

ସମସ୍ତଙ୍କ ପାଇଁ ତା’ର ଦରଦ ଅଛି, ଆନ୍ତରିକ ମମତା ଅଛି ।

 

ହେଲେବି ତା’ର ଦଳ ନାହିଁ । କୋଉ ଗୋଟେ ନିର୍ଦ୍ଦିଷ୍ଟ ଗ୍ରୁପ୍‌ରେ ବୋଲି ତାକୁ ବୁଝିହେବନି । ସିଏ ଏକାଏକା । କେମିତି ଗୋଠଛଡ଼ା ।

 

ସୁମିତ୍ରା ମହାପାତ୍ର ତାକୁ କୁହେ ‘‘ସତରେ ଚୁଙ୍ଗୁଡ଼ି ! ତତେ ଦେଖିଲେ ଦୁଃଖ ହୁଏ । ତୋର କେହି ଅନ୍ତରଙ୍ଗ ନାହିଁ । ତୋର କାହାସହ ନିବୁଜ ବନ୍ଧୁତା ନାହିଁ ଯେମିତି ଆମମାନଙ୍କର ଅଛି-। ତୋର କେହି ସାଙ୍ଗ ନାହାନ୍ତି ନା ଚୁଙ୍ଗୁଡ଼ି ?’’

 

ତା’ କଥା ଶୁଣି ଚୁଙ୍ଗୁଡ଼ିର ଅନୁଭବ ଆସିଲା । ଯେମିତି ଗୋଟାଏ ବଡ଼ କ୍ଷତର ଯନ୍ତ୍ରଣା ସେ ସହି ଆସୁଥିଲା, ଅଥଚ କ୍ଷତରସ୍ୱରୂପ ଦେଖିପାରୁ ନଥିଲା ଆଜି ପର୍ଯ୍ୟନ୍ତ । ମନର କୋଉ ନିଭୃତ କୋଣରେ ତା’ର କେଉଁଠି ଅଭାବଟିଏ ମଥା ପିଟୁଥିଲା ଅହରହ, ଅଥଚ ଚୁଙ୍ଗୁଡ଼ି ବୁଝିପାରୁ ନଥିଲା । ସେ ଅଭାବଟା କ’ଣ, ସେ ଦୁଃଖଟା କୋଉଠି ? ସୁମିତ୍ରା ତାକୁ ସେଇ ଅଭାବଟା ଆଙ୍ଗୁଠି ମାରି ଚିହ୍ନେଇ ଦଉଚି ।

 

ଚୁଙ୍ଗୁଡ଼ି ଆଖିବୁଜି ଚିନ୍ତାକରେ କେଇକ୍ଷଣ ।

 

ସୁମିତ୍ରା କହୁଚି, ତା’ର କେହି ଅନ୍ତରଙ୍ଗ ନାହାନ୍ତି । ତା’ର କେହି ସାଙ୍ଗ ନାହାନ୍ତି ।

 

ଚୁଙ୍ଗୁଡ଼ି ସମସ୍ତଙ୍କୁ ନିଜର ଭାବେ । ଆପଣାର ମନେକରେ । ପାଟି ଖୋଲି କୁହେ ନାହିଁ । କିନ୍ତୁ ତାକୁ କେହି ଆପଣାର ମନେକରନ୍ତି ନାହିଁ । କେହି ବିଶ୍ୱାସ କରିପାରନ୍ତି ନାହିଁ । ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ଏକା ରହିଯାଏ । ଚୁଙ୍ଗୁଡ଼ିର ମନଟା ଅକାରଣରେ ବେଦନାର୍ଦ୍ର ହୋଇଯାଏ ।

 

ସୁମିତ୍ରା ପୁଣି କହୁଚି ‘‘ମୋର ଯେମିତି ଦଳ ଅଛନ୍ତି ତୁ ଦେଖୁଥିବୁ, ସୁନନ୍ଦା, ଆହୁତି, ଲୁଣି, ପଲି– । ଆମେ ସାଙ୍ଗହୋଇ ଗୋଟିଏ ଜାଗାରେ ବସୁ । ସାଙ୍ଗହୋଇ ମଜାକରୁ । ଏକା ସାଙ୍ଗରେ କଲେଜ ଆସୁ । ସାଙ୍ଗହୋଇ ଚାଟ୍‍ ଖାଉ ! କଲେଜରୁ ଲୁଚି ସିନେମା ଯାଉ । ସବୁ ଗୋପନୀୟ କଥାଗୁଡ଼ାକ କୁହାକୁହି ହେଉ । ମୁଁ ଗପେ ଫାଇନାଲ୍ ଇଅରର ରମେଶ କଥା–ପଲି କୁହେ ସେଇ ଗୋରା ମେଡ଼ିକାଲ ଷ୍ଟୁଡ଼େଣ୍ଟ୍‍ଟାର କଥା–ତୋର ଏମିତି କିଛି ଦଳ ଅଛି ? ତୋପାଇଁ କେହି ବାହାରିବେ ପଦେ କହିବାକୁ ?’’

 

ଚୁଙ୍ଗୁଡ଼ି ଗୁମ୍‌ମାରି ଛିଡ଼ାହୁଏ । ଭାବେ । କାହାରି ନାଁ ତା’ର ମନେପଡ଼େ ନାହିଁ । ନମିତା, ଅରୁନ୍ଧତି, ପ୍ରୀତିସୁଧା, ଜୟଶ୍ରୀ, ମିନୁ ସମସ୍ତଙ୍କୁ ସେ ତା’ର ସାଙ୍ଗ ବୋଲି ଭାବେ । ସେମାନଙ୍କ ଆଗରେ ଦୁଃଖ କୁହେ । ସେମାନେ ଉପହାସ କରନ୍ତି । ବିଦ୍ରୂପ କରନ୍ତି, ସମାଲୋଚନା କରନ୍ତି । ସେମାନଙ୍କ ସହିତ ଗପକରିଚି ଚୁଙ୍ଗୁଡ଼ି । ତାଙ୍କର ନୋଟ୍ ଲେଖିଦେଇଚି । ତାଙ୍କପାଇଁ ଛବି ଆଙ୍କିଦେଇଚି, ଗୀତ ଲେଖିଦେଇଚି ।

 

ମାତ୍ର ତାଙ୍କ ସହ ମିଶି କେବେ ଚାଟ୍‍ ଖାଇ ନାହିଁ । କଲେଜରୁ ଲୁଚି କେବେ ସିନେମା ଯାଇ ନାହିଁ ତା’ରବି ଏମିତି କିଛି କାହାଣୀ ସେ ଗୋପନୀୟ କରି ରଖି ନାହିଁ । ଯାହା ଶୁଣେଇ ସେ ସେମାନଙ୍କ ଦଳର ଜଣେ ସଭ୍ୟ ହୋଇପାରିବ ।

 

ସେଥିପାଇଁ ସେମାନେ ତା’ର ଦଳର ନୁହଁନ୍ତି ।

 

ଆଉଜଣେ ଚୁଙ୍ଗୁଡ଼ିପାଇଁ ବାହାରିଥିଲା କଲେଜରେ ।

 

ଚୁଙ୍ଗୁଡ଼ି ଜାଣେ, ପିକ୍‌ନିକ୍‌, ଏସ୍‌କରସନ ଇତ୍ୟାଦି ତା’ପାଇଁ ଏକାନ୍ତ ନିଷିଦ୍ଧ । ସେଇଥିପାଇଁ ସେଦିନ ପିକ୍‌ନିକ୍‌ ଯିବ ନାହିଁ ବୋଲି ମନାକରି ଦେଇଥିଲା । ଡିପାଟ୍‍ମେଣ୍ଟର ଲେକଚରର୍ସମାନେ ବାଧ୍ୟ କରିଥିଲେ ଯିବାକୁ ।

 

ଚୁଙ୍ଗୁଡ଼ି ଜାଣିଥିଲା । ପିକ୍‌ନିକ୍‌ରୁ ସେ କିଛି ସ୍ୱାଦ ବାରିପାରିବ ନାହିଁ । ତଥାପି ଯାଇଥିଲା-। ବାଧ୍ୟକରି ନେଇଯାଇଥିଲେ ପିଲାମାନେ । କାରଣ ସେ ନିଜେ ପିକ୍‌ନିକ୍‌ରେ ଖୁସି ହେଉ ବା ନ ହଉ, ଅନ୍ୟମାନଙ୍କୁ ଖୁସି କରିପାରିବ ।

 

ଗୀତ ଗାଇବ ।

 

ଛବି ଆଙ୍କିବ ।

 

କବିତା ଲେଖିବ । ଇନ୍‌ଷ୍ଟ୍ରୁମେଣ୍ଟ ବଜେଇବ ।

 

ପିକ୍‌ନିକ୍‌ । କଲେଜ ପିକ୍‌ନିକ୍‌ । ଚୁଙ୍ଗୁଡ଼ି ପରି ଝିଅ ସେଥିର କିଛି ଅର୍ଥ ଖୋଜି ପାଏନି । କଲେଜରେ ପିକ୍‌ନିକ୍‌ କହିଲେ ଗୋଟିଏ ଦଳକୁ ବୁଝାଏ ନାହିଁ । ସ୍ପଟରେ ପହଞ୍ଚିଗଲା ପରେ ଅନେକଗୁଡ଼ାଏ ଦଳ ଫିଟିଯାଏ । ସବୁଥିରେ ଦୁଇଜଣ–ଚୁଙ୍ଗୁଡ଼ି ଟିକେ ଏକାଏକା ବସିଲା । ଏକା ବସିବାକୁ ଭଲ ଲାଗେ ତାକୁ । ବୋରଡ଼ମ ଯେମିତି ସମସ୍ତଙ୍କୁ ଲଙ୍ଗଳା ଦେହରେ ଡରାଏ, ସେମିତି କିଛି ହେଲା ନାହିଁ ତା’ର । ଫେରୁ ଫେରୁ ରାତି ବାର ।

 

ଚୁଙ୍ଗୁଡ଼ିର ଛାତିଟା ଥରି ଯାଉଥାଏ ଅଜଣା ଆଶଙ୍କାରେ, ପରିଚିତ ଦୁଃଖରେ ।

 

ବାପା ବ୍ୟସ୍ତ ହୋଇପଡ଼ିବେଣି । ସିକୁ ହାତରେ ରୋଷେଇ କରିଥିବ ।

 

ଉଭୟ ଅପେକ୍ଷା କରିଥିବେ ୟାକୁ ।

 

ଫେରିଲାବେଳେ ବସ୍‍ରେ ବସି ଘରକଥା ଭାବୁଥିଲା ଚୁଙ୍ଗୁଡ଼ି ।

 

ବସ୍‍ଟା ରହିଲା ଘରକୁ ଦୁଇମାଇଲ ଦୂରରେ ।

 

ରାତି ବାରଟା । ଚାରିଆଡ଼େ ଶୂନଶାନ୍ । ଅସମ୍ଭବ ନିସ୍ତବ୍ଧତା ।

 

ଚୁଙ୍ଗୁଡ଼ିକୁ ସେଇଠୁ ଓହ୍ଲେଇ ଘରେ ପହଞ୍ଚିବାକୁ ହେବ । ଚୁଙ୍ଗୁଡ଼ି ଭୟରେ ଥରିଗଲା । କହିପାରୁନି କିଛି । ସାଙ୍ଗ ଝିଅମାନେ ଝରକା ଦେଇ ହାତ ହଲଉଚନ୍ତି ।

 

ଚୈତାଳି–ବାଏ–ଚୁଙ୍ଗୁଡ଼ି ବାଏ–

 

ବସ୍‌ଟା ଆକୁ ଛାଡ଼ି ଚାଲିଯିବାକୁ ବସିଲାଣି ।

 

ଚୁଙ୍ଗୁଡ଼ିକୁ ଭୟ ଲାଗୁଚି, ଏକା ଯିବାକୁ । ସାହସ ହେଉନି ଡାକିବାପାଇଁ କାହାକୁ । ଚୁଙ୍ଗୁଡ଼ି ଅସହାୟତାରେ ଥରି ଉଠୁଚି । ଅବୁଝା ନିସ୍ତେଜତାରେ ମୂକ ହୋଇଯାଉଚି ।

 

ତଥାପି କେହି ବୁଝିପାରୁ ନାହାନ୍ତି ।

 

ବୁଝିଲା ଜଣେ ।

 

ତା’ରି ଗ୍ରୁପ୍‍ର ଡେଙ୍ଗା ପତଳା ହୋଇ ପିଲାଟା ।

 

ସେତେବେଳେ ଜାଣି ନଥିଲା ଚିହ୍ନି ନଥିଲା ତାକୁ ସେ ।

 

‘‘କାହିଁ ଠିଆହେଲ ଆଉ ? ଚାଲ–’’

 

ତା’ର ଗମ୍ଭୀର କଣ୍ଠସ୍ୱର । ଚୁଙ୍ଗୁଡ଼ି ଦେଖିଲା, ପତଳା ଡେଙ୍ଗା ହୋଇ ହଳଦୀ ରଙ୍ଗର ସାର୍ଟ୍‍ପିନ୍ଧା ପିଲାଟା ଆସି ଠିଆହୋଇ ଯାଇଚି ତା’ ପାଖରେ । ବସ୍‍ଟା ଛାଡ଼ିଦେଲାଣି । ସବୁ ପିଲାଙ୍କୁ ପେଟରେ ପୂରେଇ ବସ୍‌ଟା ଅନେକ ବାଟ ଆଗେଇ ଗଲାଣି ।

 

ଚୁଙ୍ଗୁଡ଼ି ଭାବିପାରୁନି କ’ଣ କରିବ ।

 

ଉପରେ ଜହ୍ନ ପଡ଼ିଚି । ଚାରିଆଡ଼ ଶୂନଶାନ୍ ।

 

ନିରୁପାୟ ହୋଇ ପାଦ ବଢ଼େଇଲା ଆଗକୁ । ସେ ପିଲାଟା ବେଶ୍‌ କିଛି ବାଟ ଆଗେଇ ଗଲାଣି । ଟିକେ ପଛେଇ ଚାଲିଲା ଚୁଙ୍ଗୁଡ଼ି ।

 

ଦୁଇଜଣଙ୍କ ଭିତରେ ପାଞ୍ଚ ଫୁଟ୍‌ ଦୂରତା । ଚୁଙ୍ଗୁଡ଼ି ଅଜଣା ଭୟରେ ଥରିଯାଉଚି । ମନସ୍ତତ୍ତ୍ୱ ଦୃଷ୍ଟିରୁ ଏ ତା’ର ବିରାଟ ଦୁଃସାହସ ।

 

ପିଲାଟା ତା’ର ଚାଲିବା ବନ୍ଦ କରିଦଉଚି ।

 

ବତିଖୁଣ୍ଟ ପରି ଛିଡ଼ା ହୋଇଯାଉଚି ବାଟ ମଝିରେ ।

 

ଚୁଙ୍ଗୁଡ଼ି ଓ ତା’ ମଧ୍ୟରେ ଦୂରତା କମିଯାଉଚି ଆହୁରି ।

 

ଚୁଙ୍ଗୁଡ଼ି ଓ ତା’ ଭିତରେ ଦୂରତା ଏକ ଫୁଟ୍ ।

 

ଉପରେ ଜହ୍ନ ପଡ଼ିଚି । ଶୀତ ହଉଚି ଚୁଙ୍ଗୁଡ଼ିକୁ ।

 

ତଥାପି ପିଲାଟା କିଛି କହୁ ନାହିଁ । ଥରେବି ପାଟି ଖୋଲି ନାହିଁ । ଆତୁର ଆଖିରେ ଚୁଙ୍ଗୁଡ଼ି ଆଡ଼କୁ ଚାହିଁରହିଛି ଜହ୍ନକୁ, ରାତିକୁ । ରଜନୀଗନ୍ଧା ଫୁଲକୁ ପ୍ରଶଂସା କଲା ନାହିଁ ।

 

ଘରପାଖ ହୋଇ ଆସିଲା ତା’ର । ପିଣ୍ଢା ପାହାଚରେ ଚଢ଼ିଲା ପରେ ସେ ଭାବିଲା ସେହି ନାମହୀନ ପିଲାଟିକୁ ଧନ୍ୟବାଦ ଜଣାଇବ ।

 

ଘର ବାରଣ୍ଡାରେ ଠିଆହୋଇ ଆଶ୍ୱସ୍ତିର ନିଃଶ୍ୱାସ ନେଲା ସେ । ଖୋଜିଲା ସେ ପିଲାଟିର ଛାଇକୁ । ତା’ର ଛାଇର ପଛଟା ଦିଶୁଥିଲା ଅଳ୍ପଦୂରରୁ ।

 

ଫେରିଯାଉଥିଲା ପିଲାଟା ।

 

ଚୁଙ୍ଗୁଡ଼ି ତାକୁ ଧନ୍ୟବାଦ ଜଣାଇ ପାରିଲା ନାହିଁ ସିନା, ମାତ୍ର ତା’ ମନତଳେ ତା’ପାଇଁ ଗୁଡ଼ାଏ ପବିତ୍ରତାର ମହୁ ଝରିଆସିଥିଲା । ତାକୁ ନେଇ ବିଶ୍ୱାସର ମାର୍ବଲ ମୂର୍ତ୍ତିଟାଏ ଗଢ଼ିପକେଇଲା ସିଏ ସେହି ମୁହୂର୍ତ୍ତରେ ।

 

ସୁମିତ୍ରାର ପ୍ରଶ୍ନ ଶୁଣି ମନରେ ଆସିଲା ତା’ ନାଁ । କହିଦେବକି ସୁମିତ୍ରା ଆଗରେ ? ସୁମିତ୍ରା ପୁଣି ପଚାରିଲା ।

 

‘‘ତୋତେ ଦରଦ ଦେଖାଇବାକୁ କିଏ ଅଛି ? କିଏ ଅଛି ତୋର ପକ୍ଷ ନେବାକୁ ?’’

 

କିନ୍ତୁ ତା’ ନାଁ । ସେ ଏମାନଙ୍କ ଆଗରେ କହିପାରିବ ନାହିଁ । କହିବ ନାହିଁ ଏମାନଙ୍କ ସାମ୍ନାରେ ।

 

ଆଶିଷକୁ ସମସ୍ତେ ଦୁଷ୍ଟ ବୋଲି ଜାଣନ୍ତି । ‘ବାନା’ ବୋଲି ଜାଣନ୍ତି ।

 

ଗୁଲିଆ, ଚଗଲା ବୋଲି ଚିହ୍ନନ୍ତି ।

 

କଲେଜରେ ସବୁ ଯେତେ ଗଣ୍ଡଗୋଳ, ଷ୍ଟ୍ରାଇକ୍, ସଙ୍ଗଠନ, ମାରପିଟି ସବୁଥିରେ ଥାଏ ଏଇ ଆଶିଷର ହାତ । ସବୁ ଛାତ୍ର–ଷ୍ଟ୍ରାଇକ୍‌ରେ ନେତୃତ୍ୱ ନିଏ ଏଇ ଆଶିଷ । ତା’ ଉପରେ ଝିଅମାନଙ୍କର ଭଲ ଧାରଣା ନାହିଁ ।

 

ଝିଅମାନଙ୍କ ପାଇଁ ତା’ର ଟିକେବି ଦୟାମାୟା ନାହିଁ ଅନ୍ତରରେ ।

 

ଜୟନ୍ତୀ କୁହେ, ସେ ଥରେ କୋଉ ଝିଅର ରିକ୍‌ସା ପଛେ ପଛେ ସାଇକଲ୍ ଚଳେଇ ସୁବିଧା ଦେଖି ତା’ର ଲମ୍ବା ବେଣୀଟା କାଟି ଆଣିଥିଲା ।

 

ସିନେମା ହଲରେ ଝିଅମାନଙ୍କ ପଛରେ ବସି ସିଗାରେଟ ଚେଂଗିଦିଏ । କ୍ଲାସ୍‍ରେ ଝିଅମାନଙ୍କ ପଛ ସିଟ୍‌ରେ ବସି ସେମାନଙ୍କ ଶାଢ଼ିରେ କାଳି ଛାଟେ ।

 

ବେଙ୍ଗ ଫୋପାଡ଼େ । ବାଟରେ ଦେଖିଲେ ଲୁଚେଇ ଲୁଚେଇ ଠିକ୍‌ ଆଗରେ ଶୂନଫଟକା ଫୁଟାଏ । ଚୁଚୁନ୍ଦ୍ରି ବାଣ ଛାଡ଼େ ।

 

ନମିତା କୁହେ ଝିଅମାନଙ୍କ ଉପରେ ତା’ର ଭାରି ରାଗ । ସେ ପଣକରିଚି, ଝିଅମାନଙ୍କୁ ହଇରାଣ କରିବ ବଞ୍ଚିଥିବା ପର୍ଯ୍ୟନ୍ତ । କାଲୁବାଲୁ କରିବ ସବୁବେଳେ ।

 

ଚୁଙ୍ଗୁଡ଼ି ସେମାନଙ୍କ କଥା ଶୁଣେ, ହସେ ।

 

ତାକୁ ମଜାଲାଗେ ସେ କଥା ଶୁଣିବାକୁ ।

 

ଯାଃ ! ଆଶିଷଟା ଜମାରୁ ଏତିକି ଦୁଷ୍ଟ । ଚୁଙ୍ଗୁଡ଼ି ତା’ ପିଲାବେଳେ ତ ଠିକ୍‌ ଏମିତି ଥିଲା-

 

ଆଶିଷ କ’ଣ ତା’ ଉପରକୁ ବେଙ୍ଗ ଫୋପାଡ଼ିବ ? ଫୋପାଡ଼ୁ ! ସେ ମୋଟେ ଡରିବ ନାହିଁ । ପିଲାଦିନେ ସେ ବେଙ୍ଗ ଧରି ଖେଳୁଥିଲା । ସନ୍ଧ୍ୟା ହଉ ହଉ ବେଙ୍ଗ ପଛରେ ଦୌଡ଼ି ଦୌଡ଼ି ଦଉଡ଼ି ଲଗେଇ ବାନ୍ଧିଆଣୁଥିଲା ଚୁଙ୍ଗୁଡ଼ି । ହଳଦୀ ସିନ୍ଦୂର ପିନ୍ଧେଇ ଘର ଘର ବୁଲାଇ ବେଙ୍ଗ ନଚଉଥିଲା । ଛିଟଲୁଗାରୁ କନା ଚିରି ପିନ୍ଧେଇ ଦଉଥିଲା ବେଙ୍ଗକୁ । କବାଟ କଣରେ ଲୁଚେଇ ରଖିଦଉଥିଲା, ସାଙ୍ଗମାନଙ୍କୁ ଦେଖଉଥିଲା ।

 

‘‘ନୂଆବୋହୂ ଦେଖିବ ? ସିକୁର ନୂଆବୋହୂ ? ମୋ ଭାଉଜ !’’ ସିକୁକୁ ଚିଡ଼େଇ ଚିଡ଼େଇ କନ୍ଦେଇବା ପର୍ଯ୍ୟନ୍ତ ଚୁଙ୍ଗୁଡ଼ି ଏମିତି ବକୁଥିଲା ।

 

ସିକୁ କାନ୍ଦୁଥିଲା ରାହାଧରି ।

 

ଚିନୁଅପା, ବୋଉ ବିରକ୍ତ ହଉଥିଲେ । ବେଙ୍ଗଟାକୁ ଦୁଇ ଟିପରେ ଧରି ଚିନୁଅପା ଫୋପାଡ଼ି ଦଉଥିଲା ପଦାକୁ ।

 

ଆଶିଷ ଦୁଷ୍ଟ ପିଲା । ସମସ୍ତେ ତା’ର ଦୁଷ୍ଟାମି ବିଷୟରେ ଜାଣନ୍ତି ।

 

ସମସ୍ତେ କୁହନ୍ତି ସେୟା, ଚୁଙ୍ଗୁଡ଼ିବି ଜାଣିଚି ସେୟା ।

 

ତଥାପି ଆଶିଷ ଅଭଦ୍ର ନୁହେଁ । ଆଖିଗୁଡ଼ାକ ଉଜ୍ଜ୍ୱଳ, ମୁହଁଟା ପିଲାଳିଆ, କଥାଗୁଡ଼ାକ ମିଠା । ତା’ ଛଡ଼ା ଚୁଙ୍ଗୁଡ଼ିର ତା’ପାଇଁ ଗୋଟାଏ ପବିତ୍ର ଧାରଣା ହୋଇଯାଇଚି ପିକ୍‌ନିକ୍‌ରୁ ଫେରୁଥିବା ରାତିରୁ । ତା’ ପାଖରେ ମହାନ୍‌ ହୋଇଯାଇଚି ଆଶିଷ ।

ଆଶିଷ ଚମତ୍କାର ବକ୍ତୃତା ଦେଇପାରେ । ଭଲ ଗୀତବି ଗାଏ ଏଇ ଆଶିଷ । ପାଠବି ପଢ଼େ ଭଲ । ଚୁଙ୍ଗୁଡ଼ି ଆଶିଷକୁ ଖରାପଭାବେ ନାହିଁ, ନୀଚଭାବେ ନାହିଁ, ବିଶ୍ୱାସ କରେ । ସେ ଦୁଷ୍ଟ କିନ୍ତୁ, ଅଭଦ୍ର ନୁହେଁ ।

ଚୁଙ୍ଗୁଡ଼ି କେବେ କଥା କହି ନାହିଁ ଆଶିଷ ସହ ।

ଦୂରରୁ ଦେଖିଚି, ପାଖରୁ ଦେଖିଚି । ତା’ ସହ ରାତି ବାରଟାରେ ଥରେ ଏକାଏକା ଦୁଇ ମାଇଲ ବାଟ ଚାଲିଚି ।

ତା’ ବିଷୟରେ ଅଜସ୍ର କାହାଣୀ ଶୁଣିଚି ଝିଅମାନଙ୍କଠାରୁ ।

ଆଉ କିଛି ନୁହେଁ ।

ସିକୁ କଲେଜ ଆସିଲା ବେଳକୁ ଗୋଟାଏ ବର୍ଷ ସେଠି କଟେଇ ସାରିଥିଲା ଚୁଙ୍ଗୁଡ଼ି । କଲେଜର ପ୍ରତି ଧୂଳିକଣାକୁ ଏକରକମ ଆପଣାର କରିନେଇଥିଲା, ଛୋଟ ଛୋଟ ଅନୁଭୂତିର ଅନେକ ଶାମୁକା ଗୋଟେଇ ସାରିଥିଲା ତା’ର ଦୁର୍ବଳ ଅଣ୍ଟି ପତେଇ ।

ସିକୁର ହାତ ଧରି ଚୁଙ୍ଗୁଡ଼ି କଲେଜସାରା ବୁଲେଇ ଦେଖେଇ ଦଉଚି ।

ରୁମ୍‍ଗୁଡ଼ାକ ଚିହ୍ନେଇ ଦେଲା । ଏଇଠି ଡ୍ରାମା ହୁଏ, ଏହି ରୁମ୍‍ରେ ଇତିହାସ କ୍ଲାସ୍‍ ହୁଏ, ଏଠି ଇକନମିକ୍‌ସ କ୍ଲାସ୍ । ଏଠି ଲେକଚରସମାନେ ବସନ୍ତି । ଏଇ ସିଟ୍‌ରେ ସେଇ ନିଶୁଆ ମାଷ୍ଟର ସବୁବେଳେ ଆଉଜିବସି ଘୁମାଏଁ ।

 

ଏଥର ସିକୁ ଡାକିଲା ଚୁଙ୍ଗୁଡ଼ିକୁ । ‘‘ଆ ଅପା, ମୁଁ ଏଥରକ ଜଣକୁ ଦେଖେଇ ଦେବି ।’’

 

ଲାଇବ୍ରେରି ଯିବାକୁ ଲମ୍ବା କରିଡ଼ର । ଶେଷଆଡ଼କୁ ଟୁଲ ପକେଇ ବସିଚି ସେହି ପତଳା ହୋଇ ଡେଙ୍ଗା ପିଲାଟା ।

 

‘‘ଏଇ, ଆଶିଷ ଭାଇନା–ସୁନ୍ଦର କବିତା ଲେଖନ୍ତି । ଗୀତ ବୋଲନ୍ତି । ଗିଟାର୍ ବଜାନ୍ତି । ବକ୍ତୃତା ଦିଅନ୍ତି । ଛାତ୍ରନେତା । ତୁ ଚିହ୍ନିଥିବୁ ନିଶ୍ଚୟ । ତାଙ୍କୁ କିଏ ନ ଜାଣେ ଯେ !’’

 

ଚୁଙ୍ଗୁଡ଼ି ଆଶିଷର ମୁହଁକୁ ସିଧାକରି ଚାହିଁଲା ।

 

ଚିହ୍ନିଚି ବୋଲି ମୁଣ୍ଡ ଟୁଙ୍ଗାରିଲା ।

 

ଆଶିଷ କିଛି କହିଲା ନାହିଁ ତାକୁ । ସିକୁ ଆଡ଼କୁ ବୁଲିପଡ଼ି କହିଲା, ‘‘ତମ ଭଉଣୀକି ।’’

 

‘‘ଆମେ ସମସ୍ତେ ଡାକୁ ପାଗିଳୀ । ଭାରି ଏକବାଗିଆ ଲାଗନ୍ତି । ଆମ କଲେଜର ଫେସନବାଲୀମାନଙ୍କ ସହ ମୋଟେ ମିଶିପାରନ୍ତି ନାହିଁ ଯେମିତି ! ଭଲ ଲାଗେ ।’’

 

ନିଜ ଅଜାଣତରେ ହସି ପକେଇଲା ଚୁଙ୍ଗୁଡ଼ି ।

 

କେମିତି ଜାଣିଲା ଆଶିଷ ଯେ ଚୁଙ୍ଗୁଡ଼ି କଲେଜର ଅନ୍ୟ ଝିଅମାନଙ୍କ ସହିତ ମିଶିପାରେନି ବୋଲି । କ’ଣ ସେ ବି ସୁମିତ୍ରା ପରି ତାକୁ ଦେଖି କରୁଣା କରୁଚି ! ଚୁଙ୍ଗୁଡ଼ି ଏକା କଲେଜ ଆସେ, ଏକା ଯାଏଁ । ମନହେଲେ ନିଜେ ନିଜେ ମନକୁ ମନ ହସେ । ବେଳେବେଳେ କୋଉ ଅବୁଝା ଅଥଚ ପରିଚିତ ଦୁଃଖର ଯନ୍ତ୍ରଣାରେ ନିଜେ ନିଜେ କମ୍ପିଯାଏ, ଲୁହ ଢାଳେ ।

 

ଏଇ କଥା ସବୁ ଲକ୍ଷ୍ୟ କରିଚି ଆଶିଷ ।

 

ଆଶିଷ ସେମାନଙ୍କୁ ଫେସନବାଲୀ କହୁଚି ।

 

ଆଶିଷ ଥଟ୍ଟା କରୁଚି ସେମାନଙ୍କୁ । ବିଦ୍ରୂପ କରୁଚି ।

 

‘‘ତମେ ସିକୁର ଭଉଣୀ, ଜାଣି ନଥିଲି ।’’

 

‘‘ସିକୁ ମୋର ଏକମାତ୍ର ଭାଇ, ମୁଁ ବି ତା’ର ଏକମାତ୍ର ଭଉଣୀ ।’’ ଚଟ୍‍କିନି କିଛି ଚିନ୍ତା ନ କରି କହିଦେଲା ଚୁଙ୍ଗୁଡ଼ି ।

 

ଗମ୍ଭୀର ଦିଶିଲା ଆଶିଷର ମୁହଁ । କେମିତି ଏକ ବିଚିତ୍ର ଛାଇ ଘୋଟିଗଲା ତା’ର ସାରା ମୁହଁଟାରେ । ଆଖିଦି’ଟା ଓଦା ଓଦା ।

 

କିଛି ସମୟପାଇଁ ଥମକି ଛିଡ଼ା ହୋଇଗଲା ଆଶିଷ ।

 

ଓଠ ଦି’ଫାଳରେ ବିଚିତ୍ର ଦୁଃଖର ନୀଳ ।

 

‘‘କ’ଣ ହେଲା ?’’ ପଚାରିଲା ସିକୁ ।

 

–‘‘ମୋର କିନ୍ତୁ ଭଉଣୀ ନାହିଁ । ମତେ ‘ଭାଇ’ ବୋଲି କହିବାକୁ କେହି ନାହିଁ । ବଡ଼ ଭାଗ୍ୟବାନ ତୁ । ଜୀବନରେ ମୋର ସବୁଠୁ ବଡ଼ ଦୁଃଖଟା ସବୁଦିନ ପାଇଁ ରହିଯାଇଚି । ଭଉଣୀ କ’ଣ ଜାଣି ନାହିଁ ।

 

‘‘ସେଇଥିପାଇଁ ଅନ୍ୟର ଭଉଣୀ ମୁଣ୍ଡରୁ ବେଣୀ କାଟିପକାଅ, ନା ?’’

 

ଭାରି ଆକସ୍ମିକଭାବେ ଚୁଙ୍ଗୁଡ଼ି ଶବ୍ଦର ଗୋଡ଼ିମୁଠା ଫିଗିଦେଲା ଆଶିଷର ମୁହଁ ଉପରକୁ-। ଚମକି ପଡ଼ୁଚି ଆଶିଷ ।

 

କ’ଣ କହିବାକୁ ଇଚ୍ଛାକରି କହିପାରୁନି । ଓଠ ଦି’ଫାଳ ଥରୁଚି ତା’ର । ଅଥଚ କିଛି ଶବ୍ଦ ଖସୁନି ସେଥିରୁ । ଚୁଙ୍ଗୁଡ଼ିର ଉକ୍ତିକୁ କୋଉ ଶବ୍ଦଗୁଡ଼ାକ ଝରେଇ ଦେଇ ଓଦା କରିଦବ, ଲୁଚେଇଦବ, କିମ୍ବା ବୁଝେଇ ଦେଇପାରିବ, ସେକଥା ହୁଏତ ଚିନ୍ତା କରୁଚି ଆଶିଷ । ନିଜଭିତରେ ସେଇମିତି ଶବ୍ଦଗୁଡ଼ିଏ କଳନା କରୁଚି, ଖଞ୍ଜେଇ ରଖୁଚି ।

 

‘‘ନାହିଁ ଚୁଙ୍ଗୁଡ଼ି ! ତମେ ବୁଝିବନି ! ବୁଝିବନି । ବୁଝିପାରିବନି । ଅନେକ ପ୍ରକାରର ଝିଅଙ୍କୁ ଦେଖି ଦେଖି ଧାରଣା ହୋଇଯାଇଚି, ସବୁଝିଅ ସମାନ । ସମସ୍ତଙ୍କ ମନସ୍ତତ୍ତ୍ୱ ଏକ । ଜୀବନ ଦର୍ଶନ ଏକ । ଫରକ ଖାଲି ଚେହେରାରେ । କିଏ ଟିକିଏ ଗୋରା, କିଏ ମୋଟା, କିଏ ବାଙ୍ଗରି ତ କିଏ ଚେପ୍‌ଟା ନାକୀ ।

 

‘‘ସେମାନେ ସମସ୍ତେ ଚାହାନ୍ତି ଏକ ଜିନିଷ । ଖୋଜନ୍ତି ଗୋଟିଏ କଥା । ସମସ୍ତଙ୍କ ମନର ଫର୍ମୁଲା ଏକା ଇଚ୍ଛାର ଛାଞ୍ଚ ଏକ, ଓଃ–ସେକଥା ଭାବିଲେ ଅଣନିଃଶ୍ୱାସୀ ଲାଗେ !’’ ଆଶିଷ ନିଜ ମୁଣ୍ଡ ହଲଉଚି ମନକୁ ମନ । ପୁଣି କଥା ଯୋଡ଼ୁଚି ।

 

ଅନେକ ଝିଅଙ୍କୁ ଦେଖିଚି । କେହି ଭଉଣୀ ହୋଇପାରିଲେନି । ଭଉଣୀ ବୋଲି ନିଜକୁ ସାର୍ଟିଫିକେଟ୍ ଦେଇ ଅନେକ ମୋ ଚାରିପଟେ ଗୀତ ଗାଇ ଗାଇ କୀର୍ତ୍ତନ କରିଚନ୍ତି, ଅଥଚ ମୁଁ କାହାକୁ ଭଉଣୀ ବୋଲି ଗ୍ରହଣ କରିପାରିଲି ନାହିଁ । ସେମାନଙ୍କ ଆଖିରେ ଛାଇଯାଇଥିବା ଛଳନାର ପରଳକୁ ମୁଁ ଭଲଭାବରେ ଚିହ୍ନିପାରିଚି । ସେଇଥିପାଇଁ ମୁଁ କାହାକୁ ଭଉଣୀ ବୋଲି ଭାବିପାରିଲିନି । ସେ ଭାବନା ମନକୁ ଆସିଲା ନାହିଁ ।

 

ତମକୁ ନେଇ ମୋର ସାଙ୍ଗମାନେ ଯେତେବେଳେ କିଛି ବାଜେ ଆଲୋଚନା କରନ୍ତି, କାହିଁକି କେଜାଣି ମୋ ନିଜ ଅଜାଣତରେ ମୁଁ ଅସହ୍ୟ ହୋଇଉଠେ । ପ୍ରତିବାଦ କରିବାର ଅବୁଝା ଇଙ୍ଗିତ ମୋ ନିଜ ଭିତରେ ମୁଁ ଅନୁଭବ କରେ ।

 

ତୁମକୁ ଭଉଣୀ ବୋଲି କହିବାର ଅଧିକାର ମୋର ନ ଥାଇପାରେ । ମାତ୍ର ତମକୁ ଭଉଣୀ ବୋଲି ଭାବିବାର ଅଧିକାର ମୋର ନିଶ୍ଚୟ ଅଛି । କେହି ମନା କରିପାରିବେ ନାହିଁ । କେହି ଅସ୍ୱୀକାର କରିପାରିବେ ନାହିଁ ।

 

ଆଶିଷ କଥାର ସ୍ରୋତରେ କୋଉଠି ଏକ ପ୍ରଚ୍ଛନ୍ନ ଆକର୍ଷଣର ଲହରୀ ଅନୁଭବ କଲା ଚୁଙ୍ଗୁଡ଼ି । ତା’ କଥାର ଆନ୍ତରିକତାର ପ୍ରଚ୍ଛନ୍ନ ଆକର୍ଷଣରେ କ୍ରମଶଃ ଛନ୍ଦି ହୋଇପଡ଼ିଲା ଚୁଙ୍ଗୁଡ଼ି । ତାକୁ କାହିଁକି ବିଶ୍ୱାସ କରିବାକୁ ଇଚ୍ଛାହେଲା ଚୁଙ୍ଗୁଡ଼ିର ।

 

ତା’ପରେ କିଛି ନ କହି ଖସି ଯାଇଥିଲା ଆଶିଷ । ଚୁଙ୍ଗୁଡ଼ି ମଧ୍ୟ କିଛି କହି ପାରି ନଥିଲା, କିଛି କହିବ କହିବ ହୋଇ ମଧ୍ୟ ।

 

ପର ରାକ୍ଷୀ ପୂର୍ଣ୍ଣମୀରେ ଏକାରକମର ଦୁଇଟା ରାକ୍ଷୀ କିଣିଲା ସିଏ ।

 

ସିକୁକୁ ଆଶିଷ ପାଖରେ ଠିଆକରେଇ ଉଭୟଙ୍କ ହାତରେ ରାକ୍ଷୀଦି’ଟା ବାନ୍ଧି ଦେଇଥିଲା ସିଏ । ‘‘ଆଜିଠୁ ମୋର ଦି’ଭାଇ, ଜଣେ ଆଶିଷ, ଜଣେ ସିକୁ ।’’

 

ହସିଲା ଚୁଙ୍ଗୁଡ଼ି !

 

ଆଶିଷ ଖୁସିହେଲା । ଖୁସିହେଲା ସିକୁ । ଯେତେବେଳେ ଆଶିଷ ଆଖିରୁ କାହିଁକି କେଜାଣି ଲୁହ ଝରୁଥିଲା । ଚୁଙ୍ଗୁଡ଼ି ସେ ଲୁହରୁ କ’ଣ ବୁଝିଲା କେଜାଣି ତା’ର ମନରେ ମମତାର ଫୁଲ ଫୁଟିଲା–ସେ ଫୁଲ ସିକୁର ଅନ୍ତରକୁ ଯେତିକି ମହକିତ କରେ, ସେତିକି ମହକ ଦେବ ଆଶିଷକୁ ।

 

ସିକୁ ଉପହାର ଦେଲା ଚୁଙ୍ଗୁଡ଼ିକୁ ଛୋଟ କାଚର ପାନପତ୍ର ଲକେଟଟିଏ, ଦାମ ଅଶୀ ପଇସା । ଆଶିଷ ଦେଲା ସୁନ୍ଦର ଫାଉଣ୍ଟନଟାଏ । ଦାମ କେତେ ହେବ କଳିବାକୁ ଚାହିଁଲା ନାହିଁ ଚୁଙ୍ଗୁଡ଼ି । ନିପଟ ପର ଆଶିଷ ତା’ର ଅତି ନିକଟତର ବୋଲି ଘୋଷଣା କରିଚି ଏଇ କଲମଟା ଦେଇ । ଏଇଟା ତା’ ଛାତିତଳେ ଥିବା ଭଉଣୀର ମମତାପାଇଁ ପ୍ରତିଦାନ । ତା’ର ରାକ୍ଷୀର ଉପହାର-। ତାକୁ କ’ଣ କୌଣସି ମୂଲ୍ୟଦେଇ କଳନା କରିହୁଏ । ସେ ତ ଅମୂଲ୍ୟ, ଅପୂର୍ବ ।

 

ଚୁଙ୍ଗୁଡ଼ି ଅନୁଭବ କଲା, ତା’ର ଦି’ଭାଇ । ଜଣେ ଆଶିଷ, ଅନ୍ୟ ଜଣକ ସିକୁ । ଖୁସି ହୋଇଯାଏ ଚୁଙ୍ଗୁଡ଼ି । ଅନୁଭବ କରେ, ତା’ର ଦି’ଭାଇ ।

 

ଉଭୟ ତା’ର ନିଜର ତା’ର ଆଦରର ।

 

ଏଥର ଚୁଙ୍ଗୁଡ଼ି ଗପକରେ ଆଶିଷ ସହ । ବେଶ୍‌ ନିର୍ଭୟହୋଇ, ନିଃସଙ୍କୋଚ ହୋଇ, ନିର୍ବିକାର ହୋଇ, ଫର୍ମାଲିଟିର ସମସ୍ତ ବ୍ୟବଧାନ ଏକାବେଳକେ ସଂକୁଚିତ କରିଦେଇ । ଗପକରେ ତା’ ନିଜ କଥା, ଘରକଥା, ବାପାଙ୍କ କଥା, ସିକୁ କଥା, ତା’ର ମରିଯାଇଥିବା ବୋଉକଥା, ଚିନୁଅପା କଥା ।

 

ଗପକରେ ସିକୁ ସହ । ତିନିଜଣ ମିଶି ଗପକରନ୍ତି ।

 

କଲେଜ କ୍ୟାଣ୍ଟିନ୍‍ରେ, କଲେଜ ଆଗ ଗଛମୂଳେ, କଲେଜ ବାରଣ୍ଡାରେ ।

 

ତିନିଜଣ ଏକା ସାଙ୍ଗରେ ମିଶି ଲାଇବ୍ରେରି ଯା’ନ୍ତି ।

 

ଗୋଟାଏ ଟେବ୍ଲରେ ବସନ୍ତି, ପଢ଼ନ୍ତି । ଏଣୁତେଣୁ ଆଲୋଚନା କରନ୍ତି ।

 

ଚୁଙ୍ଗୁଡ଼ି ହସେ । ତାକୁ ଭଲ ଲାଗେ । ସେ ଖୁସିହୁଏ ।

 

ଭଉଣୀ, ଭାଇ, କେତେ ମଧୁର ଶବ୍ଦ ଦୁଇଟା । ଜଣକୁ ଛାଡ଼ି ଅନ୍ୟଟିର ଅର୍ଥ ନାହିଁ, ଅସ୍ତିତ୍ୱ ନାହିଁ । ଜଣେ ଅନ୍ୟ ଜଣକପାଇଁ ପବିତ୍ର ହୋଇଚି, ଚିରନ୍ତନ ହୋଇଚି । ଭଗବାନଙ୍କ ଦୁନିଆରେ ସବୁଠୁ ପବିତ୍ରତମ ସମ୍ପର୍କର ରୂପ ଏଇଟା, ଚୁଙ୍ଗୁଡ଼ି ଏଇକଥାଭାବେ ସେ ଆଶିଷ ସହିତ ଥିଲାବେଳେ, ସିକୁ ସହିତ ଥିଲାବେଳେ ।

 

ଶାଶ୍ୱତ ସାର୍‌ ଏବେବି ମଝିରେ ମଝିରେ ଆସନ୍ତି । ଆସନ୍ତି ତାଙ୍କର ସେହି ମୁସଲମାନ ବନ୍ଧୁ ଫଜଲୁ । ପାଠପଢ଼ା କଥା, ବାପାଙ୍କ ଦେହ କଥା, ପରୀକ୍ଷା କଥା କଲେଜ ଡ୍ରାମା ଓ ଅନ୍ୟ ହାଲ୍‍ଚାଲ୍ ପଚାରି ବୁଝନ୍ତି । ବସନ୍ତି ବାପାଙ୍କ ପାଖରେ । ଗପ କରନ୍ତି । ଚାଲି ଯାଆନ୍ତି । ଆସନ୍ତି ନାହିଁ ଜ୍ୟୋତିମାମୁ ।

 

ତପନ ସହବି ଆଉ ଦେଖା ହୋଇ ନାହିଁ । ଶୁଣିଚି ଖାଲି, ତପନ ଏବେ ଏଠି ନାହିଁ । କୋଉ ବାହାର ଷ୍ଟେଟ୍‍କୁ ଯାଇଚି କ’ଣ ଟ୍ରେନିଙ୍ଗ୍‍ରେ । ସଠିକ୍‌ କିଛି ଜାଣି ନାହିଁ । ତପନର ବାପା ମା’ଙ୍କ ଖବର ରଖିପାରି ନାହିଁ ଚୁଙ୍ଗୁଡ଼ି । ରଖିବା ସମ୍ଭବ ନୁହେଁ । ସେମାନଙ୍କ ପାଖରେ ନିଜକୁ ଭାବିପାରେନା ସେ । ସେମାନଙ୍କ ସହିତ ନିଜକୁ ତୁଳନା କରିବାକୁ ଭୟହୁଏ ଚୁଙ୍ଗୁଡ଼ିର । ତପନ ବିଷୟରେ ଯାହାକୁବି ପଚାରିଲେ ସେମାନେ ପରିହାସ କରିବେ ଚୁଙ୍ଗୁଡ଼ିକୁ । ତା’ର ମସ୍ତିଷ୍କବିକୃତିର ଆଶଙ୍କା କରିବେ ।

 

ବେଳେବେଳେ ଆସେ ସଉରୀ ପଣ୍ଡା । ବାପାଙ୍କ ପାଖରେ ଅନ୍ତରଙ୍ଗ ହୋଇ ବସେ । ପୁଅ ବାହାଘର କଥା ପକାନ୍ତି । ବାପା ଓଠରେ ହସ ଫୁଟାଇ ତା’ ସହିତ ମିଶନ୍ତି । ବୁଝେଇ ଦିଅନ୍ତି, ପାଠପଢ଼ା ସରିଲେ ବାହାଘର ହବ ।

 

ଚୁଙ୍ଗୁଡ଼ି ସମୟ ବଞ୍ଚେଇ ଘଣ୍ଟା ଘଣ୍ଟା ବସି ପାଠ ପଢ଼ାଏ ସିକୁକୁ । ନିଜେ ପଢ଼େ । ସିକୁକୁ ସାଙ୍ଗରେ ନେଇ କଲେଜ ଯାଏଁ ।

 

ସିକୁ ତା’ଠୁ ମାତ୍ର ବର୍ଷଟିଏ ସାନ ।

 

କିନ୍ତୁ ଏବେ ଖୁବ୍‌ ବଡ଼ ହୋଇଗଲାଣି ସେ । ତା’ଠୁଁ ବହୁତ ବଡ଼ ଦେଖାଯାଉଚି । ବାରି ହଉନି ଚୁଙ୍ଗୁଡ଼ିଠାରୁ ସେ ସାନ ବୋଲି । ଚୁଙ୍ଗୁଡ଼ିଠାରୁ ଢେର୍ ଉଚ୍ଚା ଚୁଙ୍ଗୁଡ଼ି ଖୁସିହୁଏ । ଖୁସିଲାଗେ ତା’ ସହିତ କଲେଜ ଗଲେ । ତା’ ସହ ଯୋଉଠିକୁ ଗଲେ ଆଉ ଭୟ ଲାଗେ ନାହିଁ । ନିଜକୁ ଆଉ ଛୋଟ ଲାଗେ ନାହିଁ କୋଉଠି । ବେଶ୍‌ ନିର୍ଭୟ ଲାଗେ । ତା’ ଭାଇ ମଣିଷ ପରି ଦିଶିଲାଣି । ବଡ଼ ହୋଇଗଲାଣି ତା’ର ଟିକି ଭାଇଟା !

 

ଚୁଙ୍ଗୁଡ଼ି ଠାକୁରଘରେ ପଶି ପୂଜାକରେ । ପ୍ରାର୍ଥନା କରେ, ତାକୁ କୋଟି କୋଟି ବର୍ଷ ଆୟୁଷ ଦିଅ ତା’ର ସବୁ ଭଲକର ।

 

ଏବଂ ମଙ୍ଗଳ ହେଉ ଆଶିଷର ।

 

ଆଶିଷର ଶାନ୍ତ ମୁହଁଟା ମନେପଡ଼େ । ତା’ର ଗମ୍ଭୀର ଉଜ୍ଜ୍ୱଳ ଆଖିର ସରଳ ଚାହାଣି ଭଲ ଲାଗେ । ତା’ର କଥା ଆପଣାର ଲୋକପରି ମନକୁ ଛୁଏଁ ।

 

ଆଜିବି ଖୁଦୁରୁକୁଣୀ ପୂଜେ ଚୁଙ୍ଗୁଡ଼ି ।

 

ଫୁଲ ଚଢ଼ାଏ ସିକୁ ନାଁରେ । ଫୁଲ ଚଢ଼ାଏ ଆଶିଷ ନାଁରେ । ଦୁଇଜଣଙ୍କ ନାଁରେ ଦୀପ ଦିଏ ମନ୍ଦିରରେ । ଗଭୀର ଆନ୍ତରିକତା ଦେଇ ଶୁଭ ମନାସେ ଉଭୟଙ୍କର ।

 

ଏଇ ରୁପେଲି ସୂର୍ଯ୍ୟଟାର ଚାରିପଟରେ ଘୂରୁଥିବା ଗୋଲ ପୃଥିବୀଟା ଅନେକ ବଡ଼ । ଏଠି ଅନେକ ଫୁଲ, ଅନେକ ପବନ, ଅନେକ ଲହଡ଼ି ଅନେକ ହସ, ମୁଖରତା, ପ୍ରାଣ ପ୍ରାଚୁର୍ଯ୍ୟ, ଚଢ଼େଇ ଆଉ ସନ୍ତୋଷର ଲମ୍ବା ଲମ୍ବା ରାଜରାସ୍ତା ।

 

ଆକାଶରେ ଦଳଦଳ ପକ୍ଷୀ ଉଡ଼ିଯାଆନ୍ତି । ବଗିଚାରେ ନାଲି ନେଳି ଅସଂଖ୍ୟ ଫୁଲ ଫୁଟେ । ସମୁଦ୍ର ଗୋଟାକ ପରେ ଗୋଟାଏ ଆସି ବେଳା ଉପରେ ମୁଣ୍ଡ ପିଟେ, ଫେରିଯାଏ । କଳାବଉଦ ଉପରେ ଧଳା ବଗମାଳ ଉଡ଼ି ଯାଆନ୍ତି ।

 

ଆଶିଷ ଦେଖେ । ଆଶିଷ କବିତା ଲେଖେ ।

 

ପଢ଼ାଏ ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ଖୁସିହୁଏ । ମନଦେଇ ଆଗ୍ରହ ଦେଇ ପଢ଼େ । ସବୁତକ ବୁଝେ ନାହିଁ । ଯେତିକି ବୁଝେ, ତାକୁ ଭଲ ଲାଗେ ।

 

ଚୁଙ୍ଗୁଡ଼ି ଅନର୍ଗଳ ଗପେ । ଗପେ ଆଶିଷ । ସିକୁ ସହିତ, ଚୁଙ୍ଗୁଡ଼ି ସହିତ ।

 

ଛାତ୍ର ଫେଡ଼େରେସନର ମିଟିଙ୍ଗ୍ ଅଛି କେଉଁଠି । କୋଉ ଆଞ୍ଚଳିକ ସ୍ତରରେ ସଂଗଠନର ଦାୟିତ୍ୱ ତା’ରି ଉପରେ ଦିଆଯାଇଛି । କୋଉ କଲେଜରେ ଉତ୍ସବରେ ଆନ୍ତଃ କଲେଜ ପ୍ରତିଯୋଗିତା ସବୁ ତାକୁଇ ପରିଚାଳନା କରିବାକୁ ହେବ । କୋଉ କ୍ଲବର ବାର୍ଷିକୋତ୍ସବ । ସବୁ ଦାୟିତ୍ୱ ଆଶିଷ ମୁଣ୍ଡରେ । ତାକୁ ସବୁଠି ଯୋଗ ଦେବାକୁ ପଡ଼ିବ ।

 

ଜଣେ କଥା କହି, ଅନେକଙ୍କୁ ପ୍ରଭାବିତ କରିବା ଏକ ବିଚିତ୍ର ପ୍ରତିଭା । ଗୋଟାଏ ମନତଳେ ପ୍ରସ୍ତୁତ ଶବ୍ଦର ଗଜରାହାରରେ ଅନେକଙ୍କ ମନକୁ ସଜେଇ ଦେବା ଏକ ବିଚିତ୍ର କୌଶଳ-। ଗୋଟାଏ ମଣିଷର ଚିନ୍ତାଧାରାକୁ ସହସ୍ର ହୃଦୟରେ ଝଙ୍କୃତ କରିବା କିଛି କମ୍‌ କଥା ନୁହେଁ-। କିନ୍ତୁ ଆଶିଷ କେବଳ ବକ୍ତୃତା ଦେଇ ମଣିଷର ମନ କିଣେ ନାହିଁ, କାମରେ ଦେଖେଇ ଦିଏ-। ନିଜେ କହୁଥିବା କଥାର ସଫଳ ରୂପାନ୍ତର ହୁଏ କାମରେ । ଆଶିଷ ଯାହା କୁହେ, ତାକୁ ପ୍ରାଣଦେଇ ସମ୍ପୂର୍ଣ୍ଣକରେ । କଳ୍ପିତ ପାରିଜାତକୁ, ବାସ୍ତବତାକୁ ରୂପାନ୍ତର କରେ-। ଯାହା କୁହେ ତାହା କରେ । ଯାହା କରିପାରିବ, ତାହାହିଁ କୁହେ ଆଶିଷ । ନିଜ ଉପରେ ତା’ର ଅଗାଧ ବିଶ୍ୱାସ । ଆଉ ଏକ ଗୁଣ ଯୋଗୁଁ ଚୁଙ୍ଗୁଡ଼ିକୁ ତାକୁ ବେଶି ଭଲଲାଗେ ।

 

‘‘ତମେ ଏତେ ସଂସ୍ଥା ସହିତ ଜଡ଼ିତ ହୋଇ ମଧ୍ୟ ଏତେ ଭଲ ରେଜଲ୍‌ଟ କେମିତି କର ଆଶିଷ ? ଏଗୁଡ଼ାରୁ ନିଜକୁ ଦୂରେଇ ରଖିଲେ, ତମେ ଅନେକ ଉନ୍ନତି କରନ୍ତ ନା ?’’ ଚୁଙ୍ଗୁଡ଼ି କୁହେ ଆଶିଷକୁ ।

 

ଆଶିଷ ହୋହୋ ହୋଇ ହସିଉଠେ ଜୋରରେ । ମୁଣ୍ଡ ହଲେଇ ନାହିଁ କରେ । ଗମ୍ଭୀର ହୋଇଯାଇ କୁହେ, ସେ ବରଂ ପାଠପଢ଼ା ଛାଡ଼ିଦେଇ ପାରିବ, ମାତ୍ର ସେ ସବୁ ସଂଗଠନରୁ ନିଜକୁ ପୃଥକ୍‌ କରିପାରିବ ନାହିଁ । ସେଗୁଡ଼ା ତା’ପାଇଁ ତା’ ନିଜ ଜୀବନଠାରୁ ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ, ବେଶି ଜରୁରୀ । ଚୁଙ୍ଗୁଡ଼ି ଆଶ୍ଚର୍ଯ୍ୟ ହୋଇ ଯାଉ ଯାଉ ପଚାରେ, ‘‘ତମକୁ କ’ଣ ମିଳେ ସେ ସବୁରୁ ? ସତ କୁହ !!’’

 

ଦ୍ୱିତୀୟ ଥରପାଇଁ ଉଚ୍ଚସ୍ୱରରେ ହସିଉଠେ ଆଶିଷ ।

 

‘‘ତମେ କ’ଣ ବୁଝିବ ସେଥିରୁ ? ପୃଥିବୀର ଆରମ୍ଭରୁ କେହି ବିପ୍ଳବୀ ହିସାବନିକାଶ କରି ସେଥିରେ ଯୋଗଦିଏ ନାହିଁ । ଲାଭକ୍ଷତିର ହିସାବ କରି ବିଦ୍ରୋହ କରେ ନାହିଁ । ତମେ ରୁଷ ବିପ୍ଳବର ଐତିହାସିକ ପୃଷ୍ଠଭୂମି ବିଷୟରେ କିଛି ଜାଣ ? ଷ୍ଟାଲିନ କ’ଣ କରିଥିଲା, ସେ ବିଷୟରେ କିଛି ଧାରଣା ଅଛି ତୁମର ? ଷ୍ଟାଲିନ ବୁଢ଼ା କ’ଣସବୁ କହିଥିଲା କିଛି ଜଣାଅଛି କି ? ମାର୍କସ ବୁଢ଼ା କାହିଁକି ତା’ ନିଜ ଦେଶରୁ ତଡ଼ାଖାଇ ବ୍ରିଟିଶ ମ୍ୟୁଜିୟମ୍‍ର ଲାଇବ୍ରେରିର କୋଉକୋଣ ଚଉକି ଖଣ୍ଡକୁ ବାଛିଥିଲା କହିପାରିବ ? କାହାଯୋଗୁଁ ତା’ର ସୁନ୍ଦରୀ ପ୍ରିୟମତା ପତ୍ନୀକୁ ଘରବାଲା ରାସ୍ତାକୁ ଘଉଡ଼ାଇ ଦେଇଥିଲା ଜାଣ ? ତା’ର ଛୋଟପୁଅ କେମିତି ଔଷଧ ଟିକେ ନ ପାଇ ମଶାଣିକୁ ଚାଲିଗଲା କହିପାରିବ ? ଲେନିନ୍‌ଙ୍କ ବିଷୟରେ ତୁମର କିଛି ମତ ଅଛି ? ବ୍ରିଟିଶ ଅର୍ଥନୈତିକ ପଦ୍ଧତି ବିଷୟରେ ତମେ କ’ଣ ଚିନ୍ତାକର ? ଫରାସୀ ବିପ୍ଳବର କାରଣ, ଫଳାଫଳ ଅନୁଧ୍ୟାନ କରିଚ-?

 

‘‘ମାର୍କସ ବୁଢ଼ା କ’ଣ ଗଞ୍ଜେଇ ଖାଇ ତା’ ବହି ଲେଖିଥିଲା ? ଯୋଉଥିରେ ସେ ଲେଖିଥିଲା ଯେ ‘ଷ୍ଟେଟ୍’ ଶବ୍ଦାଟା ସୃଷ୍ଟି ହୋଇଚି କେବଳ ଧନୀ ଗୋଷ୍ଠୀପାଇଁ, ପୁଞ୍ଜିପତିମାନଙ୍କ ପାଇଁ । ଗରିବ, ସର୍ବହରାମାନଙ୍କ ପାଇଁ ‘ଷ୍ଟେଟ୍‍’ର ଅର୍ଥ ଖାଲି ଶୋଷଣ, ନିର୍ଯାତନା । ଷ୍ଟେଟ୍ ସେଇ ପୁଞ୍ଜିପତି ଗୋଷ୍ଠୀମାନଙ୍କର ଶୋଷଣର ଏକ ମାଧ୍ୟମ । ସେଥିପାଇଁ ସେ କହିଥିଲା, ‘ଷ୍ଟେଟ୍‍’କୁ ଆମେ ଚାହୁଁ ନାହୁଁ । ଷ୍ଟେଟ୍ ନିଶ୍ଚିହ୍ନ ହେଉ । ‘ଷ୍ଟେ୍‍ଟ’ର ଅସ୍ତିତ୍ୱ ନିଶ୍ଚିହ୍ନ ହେଉ । ଷ୍ଟେଟ୍ ଶବ୍ଦହିଁ ଶ୍ରେଣୀ ସୃଷ୍ଟିକୁ ବେଶି ଉତ୍ସାହ ଯୋଗାଉଚି । ମାର୍କସ କହିଥିଲା–ଏହି ଶ୍ରେଣୀବିଭାଗହିଁ ଶ୍ରେଣୀ ବିବାଦପାଇଁ ଦାୟୀ ଏବଂ ଶେଷରେ ସ୍ୱତଃସ୍ଫୂର୍ତ୍ତ ଭାବରେ ‘ଷ୍ଟେଟ୍’ ଶବ୍ଦର ନିଶ୍ଚିହ୍ନିକରଣ ପାଇଁ ଦାୟୀ ଷ୍ଟେଟ୍ ଉଡ଼ିଯାଉ–ଲିଭିଯାଉ, ନିଶ୍ଚିହ୍ନ ହୋଇଯାଉ । ଏମିତି ଏକ ସଙ୍ଗଠନ ଏକାବେଳକେ ଅନାବଶ୍ୟକ । ମାର୍କସ ବିଶ୍ୱାସ କରୁଥିଲା, ଏ ସବୁ ଛାଏଁ ଛାଏଁ ହବ । ଏଥିପାଇଁ ସଙ୍ଠନ ଆବଶ୍ୟକ ନାହିଁ, ବିଦ୍ରୋହ ଦରକାର ନାହିଁ । ବୋକା ଥିଲା ସେଇଟା । ଲେନିନ୍‌ ଆସିଲା, ଲେନିନ୍‌ ସୁଧାରିନେଲା ମାର୍କସର ଭୁଲ୍‍କୁ । ସଙ୍ଗଠନ ଦରକାର, ଦଳ ଦରକାର । ବିଦ୍ରୋହ ଦରକାର ।

 

‘‘ମଣିଷ କେତେ ଶାନ୍ତିପ୍ରିୟ ତୁମେ ଜାଣ । ଭାରି କଅଁଳ ତା’ର ମନାସେହି କଅଁଳ ଫୁଲପରି ଅନ୍ତର ତା’ର ଚାହେଁ କଅଁଳ ସ୍ପର୍ଶ । ମଣିଷ ଚାହେଁ ମାନମହତ ବ୍ୟବହାର । ତା’ର ଅନ୍ତର କିନ୍ତୁ ସହିପାରେନା କାହାର ଅନାଦର, ଅବହେଳା । ସେ ଭୟଙ୍କର ହୋଇଉଠେ, ତା’ର ବିଦ୍ରୋହୀ ମନକୁ ନେଇ ସେ ବାଜି ପକାଏ ନିଜର ସ୍ଥିତିକୁ ପ୍ରମାଣିତ କରିବାକୁ । ନିଜର ଅସ୍ତିତ୍ୱ ପ୍ରତି ଅନ୍ୟର ସଚେତନତା ଆଣିବାକୁ ।’’

 

ଆଶିଷ ମାର୍କସଠାରୁ ଟିଟୋ ପର୍ଯ୍ୟନ୍ତ ସମସ୍ତଙ୍କୁ ସମାଧିରୁ ଉଠାଇ ଆଣି ଜୀବନ ଦିଏ ଚୁଙ୍ଗୁଡ଼ି ସାମ୍ନାରେ । ଚୁଙ୍ଗୁଡ଼ି ମୁଣ୍ଡରେ କିଛି ପଶେ ନାହିଁ । ସେ ଏସବୁ ଏତେ କିଛି ବୁଝିପାରେ ନାହିଁ ସେ । ତଥାପି ବଡ଼ବଡ଼ ଆଖିରେ ଚାହିଁରହେ ଆଶିଷର ମୁହଁକୁ । ତା’ ମୁହଁ ମଝିରେ ମଝିରେ ରକ୍ତାଭ ହୋଇଯାଏ, ବେଳେବେଳେ ନାକ ଫୁଲିଯାଏ, ଆଖିଗୁଡ଼ାକ ନାଲି ଦେଖାଯାଏ । ସତେବା ସେ ସେହି ମହାନ୍‌ ବିଦ୍ରୋହୀମାନଙ୍କ ସହିତ ସାମନାସାମନି ଆଲୋଚନା କରୁଚି ।

 

ଅନେକଗୁଡ଼ାଏ ଗପିସାରି ପକେଟରେ ହାତ ମାରେ ଆଶିଷ । ନୀଳରଙ୍ଗର ରୁମାଲ କାଢ଼ି ମୁହଁ ପୋଛେ । କପାଳରୁ ଟିପ ମାରି ଝାଳ ପୋଛେ । ପାନିଆ କାଢ଼ି ମୁଣ୍ଡ କୁଣ୍ଡାଏ । ପୁଣି ଚୁଙ୍ଗୁଡ଼ିକୁ ବୁଝାଏ ଆଶିଷ ନିଜର ଅନୁଭୂତିଗୁଡ଼ାକ ବିଷୟରେ । ମିଟିଙ୍ଗ୍‍ଗୁଡ଼ାକର ତାତ୍ପର୍ଯ୍ୟ ବିଷୟରେ ପୁଣି ଅନର୍ଗଳ ବକ୍ତୃତା ଦିଏ ସେ । ଚୁଙ୍ଗୁଡ଼ିକୁ ଭଲ ଲାଗେନି ଏସବୁ ଶୁଣିବାକୁ । ଖାଲି ଶୁଣେ । ମନେକରେ ଏ ଗଣ୍ଡଗୋଳିଆ ଅବସ୍ଥାକୁ ପାଦ ନ ବଢ଼େଇବାକୁ । କ’ଣ ମିଳିବ ଏ ଷ୍ଟ୍ରାଇକ୍‌, ଏତେ ଅନଶନ, ଏ ଫାଲତୁ ଉତ୍ତେଜନାରୁ ? ନିଜର କ୍ଷତି, ଦେଶର କ୍ଷତି, ପରିବାରର କ୍ଷତି ।

 

ଆଶିଷ ଚୁଙ୍ଗୁଡ଼ି କଥାରେ ହସେ ।

 

‘‘ତା’ ବୋଲି ଆମେ ଭୟରେ, କ୍ଷତିର ଡରରେ, ନିଜ ହାତରେ ନିଜକୁ ହତ୍ୟାକରିବା ? ମଣିଷ ପରା ଆମେ ! ସବୁ ଅତ୍ୟାଚାରକୁ, ଅନ୍ୟାୟକୁ ଚୁପ୍‌ହୋଇ, ବିନା ଦ୍ୱିଧାରେ ଅଥର୍ବପରି ସହିନବା ? ମଣିଷ କ’ଣ କୁକୁରକୁବି ‘ଗୁରୁ’ କରିବାକୁ ଅଯୋଗ୍ୟ ? ଏଥିପାଇଁ ବିପ୍ଳବ ଦରକାର । ଜାଗରଣ ଦରକାର । ଉତ୍ତେଜନା ଦରକାର । ଯୋଉ ସମାଜ ଆମକୁ ବଞ୍ଚିରହିବାର ସମ୍ମାନ ଦେଇପାରିବ ନାହିଁ, ଯୋଉ ସମାଜ ଭୁଲିଯିବ ଆମେ ମଣିଷ । ଆମେବି କିଛି ଆବଶ୍ୟକ କରୁ । ଆମେବି କିଛି ଆଶାକରୁ । ଆମରବି କିଛି ଦାବି ଅଛି–ତାକୁ ଆମେ କ’ଣପାଇଁ ସହ୍ୟ କରିନେବା ? ତାକୁ କାହିଁକି ମାଟିରେ ମିଶେଇଦବାନି ? ସେମିତି ଏକ ସମାଜ, ଯେଉଁଠି ଜଣେ ଆକାଶ ଉପରେ ବୁଲି ପାତାଳରେ ଥିବା ମଣିଷ ଉପରକୁ ଛେପ ପକାଏ, ଯେଉଁଠି ବହୁତଳ ବିଶିଷ୍ଟ ପ୍ରାସାଦ ଉପରେ ଜଣେ ଠିଆହୋଇ ତଳେ ଘୁଷୁରୁଥିବା ଭିକାରି ଉପରକୁ ରୁଟି ଫୋପାଡ଼ିବାର ଦୃଶ୍ୟ ଅଙ୍କା ହୋଇଯାଇଚି । ଯୋଉ ସମାଜ କେବଳ ନିରୀହ ତୋଟିରୁ ରକ୍ତ ପାନର ଛବି ଆଙ୍କିପାରେ, ତାକୁ କେଉଁ ଗୌରବ ନେଇ ଆମେ ପ୍ରଶ୍ରୟ ଦେବା କୁହ ତ ? ସବୁ ଦେଖି ସବୁ ଜାଣି ସବୁ ବୁଝି ଆମେ କେମିତି ଆଖିକାନ ହାତ ପାଟି ବୁଜି ରହିପାରିବା ?’’

 

ଚୁଙ୍ଗୁଡ଼ି କୁହେ, ‘‘ଯିଏ ଯାହା କରୁଚି କରୁ । ଷ୍ଟାଲିନ୍‌ ହୋଇଯାଉ, ମାର୍କସ ବନିଯାଉ । ତମେ ସେଥିରେ ମିଶ ନାହିଁ । ସେ ବିପ୍ଳବ, ଉତ୍ତେଜନା, ଦାବି ବାଃ–ସେ ଶବ୍ଦଗୁଡ଼ାକୁ ମୋର ସତରେ ଭାରି ଡର ।’’

 

‘‘–ସେମିତି ଡରିଲେ ବଞ୍ଚିହୁଏ ନାହିଁ । ସେ ଭୟ ରହିଲେ ଏ ଦୁନିଆରେ ଚଳି ହୁଏ ନାହିଁ-। ବଞ୍ଚିବା ଗୋଟାଏ ସଂଗ୍ରାମ ଚୁଙ୍ଗୁଡ଼ି । ଗୋଟାଏ ସୁମଧୁର ମିଳନାତ୍ମକ ନାଟକ ନୁହେଁ । ଜୀବନକୁ ନାଟକ କହୁଥିବା ଲୋକ ଜୀବନକୁ ହୁଏତ ଏତେ ଗଭୀରଭାବେ ବିଶ୍ଳେଷଣ କରି ନାହାନ୍ତି-। ଏତେ ନିବିଡ଼ଭାବେ ଚିହ୍ନି ନାହାନ୍ତି ଜୀବନକୁ । ବଞ୍ଚି ରହିବାକୁ ଯୁଦ୍ଧ କରିବାକୁ ପଡ଼ିବ, ରୀତିମତ ଯୁଦ୍ଧ । ‘ଭୟ’ ଶବ୍ଦଟାକୁ ମୋର ନିହାତ ଘୃଣା–ଆକଣ୍ଠ ଘୃଣା । ତମେମାନେ ସମସ୍ତେ ଏଇ ମନୋଭାବ ନେଲେ ଆଉ କିଛି କରିହେବ ନାହିଁ । ନୂତନ ଆକାଂକ୍ଷିତ କିଛି ଘଟେଇ ହେବ ନାହିଁ । ଅଗ୍ରଗତିର ସ୍ୱପ୍ନ ସୁଦ୍ଧା ଦେଖି ହବନି । ଉନ୍ନତି ଖାଲି ସ୍ୱପ୍ନରେହିଁ ରହିଯିବ ।’’

 

ଆଶିଷ ଟିକେ ରହି ଢୋକ ଗିଳେ । ଗଦ୍‌ଗଦ କଣ୍ଠରେ ଆରମ୍ଭ କରେ । ‘‘ଏଥର ଯୋଉ ଆନ୍ଦୋଳନଟା ହେବାକୁ ଯାଉଚି, ସାଙ୍ଗଠନିକ କାମ ଜୋର୍‌ସୋର୍‌ରେ ଚାଲିଚି, ଖୁବ୍‌ ଗୁରୁତ୍ୱପୂର୍ଣ୍ଣ, ଏଇଟା । ଆନ୍ତଃ ରାଜ୍ୟସ୍ତରୀୟ ସେଇ ପ୍ରସ୍ତାବିତ ଷ୍ଟ୍ରାଇକ୍‌ଟାର ଚୂଡ଼ାନ୍ତ ହେବ ଏଇ ଷ୍ଟ୍ରାଇକ୍‌ ପରେ ପରେ । ସବୁଠାରୁ ଏଇଥରକ ଆନ୍ଦୋଳନଟା ଭଲ ହେବ । ଜମିଯିବ । ସଫଳ ହେବ ମଧ୍ୟ । କାହିଁକି ଜାଣ ? ତୁମକୁ କହି ନାହିଁ, ସିକୁକୁ ଦେଇଚି ଏହାର ନେତୃତ୍ୱ ।’’

 

‘‘ସିକୁକୁ !! ସକ୍‌ ଖାଇଲା ପରି ଚୁଙ୍ଗୁଡ଼ି ଚମକି ପଡ଼େ ଖୁବ୍‌ ଜୋରରେ । ନାହିଁ ଆଶିଷ । ତମେ ଏ କ’ଣ କହୁଚ ? ଏମିତି ଭୁଲ୍ କାହିଁକି କରୁଚ ? ମୋ ପ୍ରତି ଏମିତି ନିର୍ଦ୍ଦୟ କାହିଁକି ହଉଚ ତମେ ? ସିକୁକୁ ସେଥିରୁ ମୁକ୍ତିଦିଅ । ଏତିକି ଦୟାକର ମତେ ! ତାକୁ ତା’ ଭିତରେ ପୂରାଅ ନାହିଁ । ତମକୁ ଅନେକ ନେତା ମିଳିବେ । ଆଶିଷ ! ସେ ରାଜନୀତିର ଖୁଆଡ଼ ଭିତରୁ ତା’ ମୁଣ୍ଡଟା ମୁକୁଳାଇଦିଅ । ମତେ ରକ୍ଷାକର ଆଶିଷ !’’ ଚୁଙ୍ଗୁଡ଼ିର କଥାରେ ଆତୁରତା ଭରିରହିଥିଲା । ମୁହଁଟା ନିମିଷକ ମଧ୍ୟରେ ଅସ୍ୱସ୍ତିର କଳାରେ ନୀଳପଡ଼ିଗଲା ।

 

ଆଶିଷ ଉତ୍ତରରେ ଲମ୍ବାହସ ହସୁଚି ।

 

‘‘ଏତେ ଡରୁଆ ତମେ ? ଭାବିଥିଲି ତମର ସାହସ ଅଛି । ତମକୁ ନେଇ କିଛି ଗୋଟାଏ କରିହେବ ! ଗୋଟାଏ ପରିବାର ଚଳେଇପାରୁଚ ତମେ, କୋଉକଥାକୁ ବିଶ୍ୱାସ କରିପାରୁନା କେମିତି ? ଏଥିପାଇଁ ମୁଁ ସିକୁକୁ ନେଇ ନାହିଁ । ବଡ଼ ଦାୟିତ୍ୱପୂର୍ଣ୍ଣ କାମ ଏଇଟା । ସିକୁ ହୁଏତ ପାରିଥାନ୍ତା, ତମରି ଭାଇ କି ନା ! କିନ୍ତୁ ତା’ ଉପରେ ମୁଁ ଏତେ ଆସ୍ଥାବାନ ହୋଇ ନାହିଁ । ଜାଣ ? ମୁଁ ମୋ ନିଜ ବ୍ୟତୀତ ଆଉ ଦ୍ୱିତୀୟ କାହାରିକୁ ବିଶ୍ୱାସ କରି ନାହିଁ କେବେ । ମାତ୍ର ଆଜି ଅନୁଭବ କରୁଚି, ମୁଁ ଜଣକୁ ବିଶ୍ୱାସ କରୁଚି ଖୁବ୍‌ । ଯାହାକୁ ଏଇ ଷ୍ଟ୍ରାଇକ୍‍ର ଦାୟିତ୍ୱ ସମର୍ପିଦବାକୁ ଚାହୁଁଚି, ଠିକ୍‌ କରିଚି । ତା’ ଉପରେ ମୋର ବହୁତ ବିଶ୍ୱାସ । ମୋର ବିଶ୍ୱାସ, ସେ ଏ କାମ ଠିକ୍‌ ପାରିବ, ସଫଳତାର ସହିତ ସେ କାମ ତୁଲେଇ ପାରିବ ସିଏ ।’’

 

‘‘ସିଏ କିଏ ଜାଣ ଚୁଙ୍ଗୁଡ଼ି ?’’

 

‘‘ଗୋଟାଏ ଝିଅ–ତା’ ନାଁ ଚୈତାଳି ମହାପାତ୍ର, ମୋର ଆଦରର ଭଉଣୀ ଚୁଙ୍ଗୁଡ଼ି !!’’

 

‘‘–ମୁଁ ???’’

 

‘‘ହଁ, ତମେ । ଚମକୁଚ କାହିଁକି ? କ’ଣ ଭୟ ଲାଗୁଚି ??’’

 

‘‘–ଏ କ’ଣ କହୁଚ ଆଶିଷ ? ସତ କହୁଚ ? ତମ ଆନ୍ଦୋଳନର ନେତୃତ୍ୱ ମୁଁ ନେବି ? ମୁଁ ପାରିବି ??’’

 

‘‘ନିଶ୍ଚୟ ! ତମେ ଠିକ୍‌ ପାରିବ ! ନିଜଉପରୁ ବିଶ୍ୱାସ ହରାଉଚ କାହିଁକି କର୍ମବିଶ୍ୱାସ ଉପରୁ ଜୋର କମାଉଚ କାହିଁକି ? ଦୁଃସାହସୀ ହୁଅ, ନିଜର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିପାରିବ । ଅନ୍ତସତ୍ତା ବ୍ରହ୍ମକୁ ବୁଝିପାରିବ । ନିଜର ସୁପ୍ତ ଶକ୍ତିକୁ ଅନୁଭବ କରିପାରିବ । ନିଜେ କ’ଣ, ତାହା ତୁମେ ନିଜେ ଜାଣି ନାହଁ । ବରଗଛର ମଞ୍ଜିଟିକୁ ଶିଶିରେ ପୂରେଇ ସାଇତିଦେଲେ ତା’ର ସାର୍ଥକତା ବୁଝିହୁଏନା । ଓଦା ମାଟିରେ ପଡ଼ି ଖରା ପାଇଲେ ବରମଞ୍ଜିଟି ବଢ଼େ, ଡାଳ ମେଲେଇ ରୂପାନ୍ତରିତ ହୁଏ ବିରାଟକାୟ ଦ୍ରୁମରେ । ତୁମେ ନିଜେ କେତେ ବଡ଼, ତୁମ ଭିତରେ କ’ଣ ଅଛି, ତୁମ ଭିତରେ ଶୋଇଯାଇଥିବା ଚେତନାଟି କ’ଣ ତୁମେ ନିଜେ ଜାଣ ନାହିଁ । ସମତଳ ପଥରେ ଜୀବନଚକ ସବୁବେଳେ ଗଡ଼ିଚାଲିଲେ, ତୁମ ନିଜ ଭିତରର ମଣିଷଟା ସହିତ ତୁମର ବ୍ୟବଧାନ ସବୁଦିନେ ସେମିତି ଯୋଜନ ଯୋଜନ ହୋଇ ରହିଥିବ– । ମନାକର ନାହିଁ ! ତମର କିଛିହେଲେ ଅସୁବିଧା ହେବନି । ମୁଁ ତମ ପାଖେପାଖେ ଥିବି । ତମର ଆଶିଷ ! ତମର ଭାଇ !!’’

 

‘‘କିନ୍ତୁ ଏହା କିପରି ସମ୍ଭବ ଆଶିଷ ?’’ ଚୁଙ୍ଗୁଡ଼ି ଡୋଳା ବଡ଼ବଡ଼ କରେ ।

 

‘‘କାହିଁକି ନୁହେଁ ? ତମର ଶକ୍ତି ଅଛି, ସାହସ ଅଛି, ବ୍ୟକ୍ତିତ୍ୱ ଅଛି–ଆଉ କ’ଣ ଦରକାର-? ତମେ ମନାକର ନାହିଁ ଚୁଙ୍ଗୁଡ଼ି ! ଏ ବିରାଟ ଗୁରୁଦାୟିତ୍ୱ ଲଦିଦେବାକୁ ମତେ ଆଉ କେହି ଦେଖାଯାଉ ନାହାନ୍ତି । ଯଦି ନିହାତ ଅସମ୍ଭବ ବୋଲି ତୁମେ ଭାବୁଚ, ତେବେ ସିକୁକୁ ମତେ ଦିଅ-। ମୋରି ଭାଇ ସିକୁକୁ ମତେ ଦେଇଦିଅ ! ତମ ଦି’ଜଣଙ୍କ ଛଡ଼ା ମୁଁ ଆଉ କାହାରିକୁ ବିଶ୍ୱାସ କରିପାରୁନି । ସତ କହୁଚି !’’

 

‘‘ନା-ଆଶିଷ । ମୁଁ ଯିବି । ମୁଁ ତମ କଥାରେ ରାଜି । ମଲେ ପଛେ ମରିବି ସିକୁର ନାଁ ତୁମେ ଧର ନାହିଁ । ନିହାତ ଛୁଆଟା । ହାତରେ ଖାଇମଧ୍ୟ ଶିଖିନି । ତାକୁ କିଛି ଝିନ୍‌ଝଟରେ ପୂରାଅନା । ତା’ର ଜୀବନ ସବୁବେଳେ ସମତଳ ପଥରେ ଗଡ଼ୁ । ବାହାର ଦୁନିଆର ଝଡ଼ଝଞ୍ଜା ତା’ ଜୀବନର ଶାନ୍ତ ଆକାଶରେ କିଛି ଆନ୍ଦୋଳନ ନ ଆଣୁ । ଦୁଃସାହସ ଆବଶ୍ୟକ ନାହିଁ ତା’ର । ଦରକାର ନାହିଁ ବାହାଦୁରି । ସେ ଯେମିତି ଅଛି, ସେମିତି ଥାଉ । ଭଗବାନ ତାକୁ ଖାଲି ବଞ୍ଚେଇ ରଖନ୍ତୁ । ତା’ର ଆୟୁଷ ଥାଉ । ଭଗବାନ ତାକୁ କୋଟିଏବର୍ଷ ଆୟୁଷ ଦିଅନ୍ତୁ ।’’ ଚିଙ୍ଗୁଡ଼ି ଆପେଆପେ ଦୁଇ ପାପୁଲି ଯୋଡ଼ି ମଥାରେ ଲଗାଏ ସେହି ଅଦୃଶ୍ୟ ଉଦ୍ଦେଶ୍ୟରେ । ଆଶିଷ କଣ୍ଠସ୍ୱର ଅଭିମାନରେ ଭିଜାଭିଜା ଶୁଣାଯାଏ ‘‘ସିକୁପାଇଁ ତୁମେ ଖୁବ୍‌ ବ୍ୟସ୍ତ ହୋଇ ପଡ଼ୁଚ ଦେଖୁଚି-। ସେ ତୁମର ଭାଇ । କିନ୍ତୁ ମୁଁ–’’

 

ଆଉକିଛି କୁହେ ନାହିଁ ଆଶିଷ । ବାକ୍ୟର ଅବଶିଷ୍ଟାଂଶ ବୁଝିବାକୁ କଠିନ ହୁଏ ନାହିଁ ଚୁଙ୍ଗୁଡ଼ି ପକ୍ଷରେ । ଚୁଙ୍ଗୁଡ଼ି ଆକ୍ରମଣ କରିବା ଭଙ୍ଗୀରେ ଚିତ୍କାର କରିଉଠେ ‘‘ଆଶିଷ ! ତମକୁ ତ ମୁଁ ପ୍ରଥମରୁ ମନାକରୁଚି । ମୋ କଥା ତମେ ଟିକେବି କାନକୁ ନେଉ ନାହଁ । ସତରେ ଯେମିତି ତମେ ଏକା ଏ ଦେଶଟାକୁ ଟେକି ଧରିଚ । ତମେ ଯେମିତି ଏକା ଜନ୍ମ ହୋଇଥିଲ ଏଇ ଦେଶକୁ ଉଦ୍ଧାର କରିବାକୁ ! ମୋ କଥା ବା କାହିଁକି ତମେ ଶୁଣନ୍ତ ! ମୁଁ ତ ଆଉ ନିଜ ଭଉଣୀ ହେଇନି–କାନ ମୋଡ଼ି ଦେଇ ପିଠିରେ ବିଧା ମାରି କିଛି କରିବାକୁ ବାରଣ କରିପାରିବି–’’ ଆଶିଷ ଚୁଙ୍ଗୁଡ଼ିର କାନ ଧରେ । ପାଟିରେ ହାତ ଦିଏ । ଗାଲରେ ଛୋଟ ଛୋଟ ଚାପଡ଼ା ମାରେ, କାନ ମୋଡ଼ି କୁହେ, ‘‘ଆଉ କେବେ ଏମିତି କହିବନି ।’’

 

ତମକୁ କିଏ ମନାକରୁଚି ମୋ କାନ ମୋଡ଼ି ପାରିବନି ବୋଲି ? ତମେ କାହିଁକି ମୋ ପିଠିରେ ବିଧା ବସଉନ ? ତମ ସିକୁକୁ ଯଦିତମେ ଏ ସବୁ କର । ମତେବି କରିପାରନ୍ତ, ଯଦି ନିଜର ବେଲି ଭାବନ୍ତ । ରାଗିବନି ଏମିତି କହୁଚି ବୋଲି !’’ ଶେଷବେଳକୁ ହାତ ଯୋଡ଼େ ଆଶିଷ । ତା’ପରେ ପୁଣି ଆରମ୍ଭ ହୋଇଯାଏ ପୁରୁଣା ଭାଷଣ । ଆନ୍ଦୋଳନ ଯୁକ୍ତିଯୁକ୍ତତା ସମ୍ପର୍କରେ ସଫେଇ-

 

‘‘–ନିଜର ଆବଶ୍ୟକତା ନିଜେ ନ ବୁଝିଲେ ଆଉକେହି ତାହା ଆସି ତମ କାନରେ ବୁଝାଇ ଦେବେ ନାହିଁ । ନିଜର ଦାବି ତମେ ଦୁନିଆ ଆଗରେ ଉପସ୍ଥାପିତ ନ କଲେ କେହି ତାହା ମନକୁ ମନ ବୁଝିବେ ନାହିଁ । ଏମିତି ଦିନ ଆସିବାକୁ ବେଶି ଡେରି ଲାଗିବ ନାହିଁ ଯେଉଁଦିନ କି ଅନ୍ୟମାନେ ଭୁଲିଯିବେ ଯେ ତୁମେ ବଞ୍ଚିଚ ! ମଣିଷ ପରି ବଞ୍ଚିରହିବାର ଅଧିକାର ତୁମର ରହିବା ଉଚିତ । ଏକଥା ସେମାନଙ୍କୁ ଜଣେଇ ଦବାକୁ, ଆମର ସ୍ଥିତି ବିଷୟରେ ତାଙ୍କର ସଚେତନତା ଆଣିବାପାଇଁ ଦରକାର ବିପ୍ଳବ–ଏ ସମାଜର ସମ୍ପୂର୍ଣ୍ଣ ରୂପାନ୍ତର । ଆଉ ଏହି ପରିବର୍ତ୍ତନର ମାଧ୍ୟମ ହେବ ଏଇ ଯୁବଶକ୍ତି । ଯୁବଶକ୍ତିହିଁ ପାରିବ, ଏଥିରେ ସଫଳ ହୋଇ ପାରିବ । ଦୁଃସାହସହିଁ ମଣିଷ ଜୀବନର ଆକର୍ଷଣ । ତମେ ମୋଟେ ଭାଙ୍ଗିପଡ଼ ନାହିଁ । ମନରେ କିଛି ଚିନ୍ତା ଅର୍ଥହୀନ ଭାବନାକୁ ପ୍ରଶ୍ରୟ ଦିଅ ନାହିଁ । ମନବଳ ତୁମର ଅଛି । ନିଜ ଉପରୁ ବିଶ୍ୱାସ ତୁଟାଅ ନାହିଁ । ତମେ ସଫଳ ହେବ ।’’

 

ଚୁଙ୍ଗୁଡ଼ି କିଛି ଭାବି ପାରେନା । ଅସ୍ପଷ୍ଟ ହୋଇ ତା’ର ଓଠ ଫାଙ୍କରୁ ବାହାରି ଆସେ ଶବ୍ଦଟିଏ, ‘‘କେଜାଣି !’’

 

ଆଶିଷ ଗମ୍ଭୀର ହୋଇ ସବୁକଥା ବୁଝେଇଦିଏ ଚୁଙ୍ଗୁଡ଼ିକୁ । କୋଉଠିକି ଯିବାକୁ ହେବ, ଶୋଭାଯାତ୍ରା କେଉଁଠୁ ବାହାରି କେଉଁ ପର୍ଯ୍ୟନ୍ତ ଯିବ ବାଟରେ କେଉଁ କେଉଁ ଜାଗାରେ କି’ କି’ ସ୍ଲୋଗାନ ସବୁ ଦିଆଯିବ । କ’ଣ କୋଉଠି କରିବାକୁ ହେବ, କ’ଣ କେମିତି ସତର୍କ ରହିବାକୁ ପଡ଼ିବ ସବୁ କଥା ।

 

ଟିକେ ଅସତର୍କ ରହିଲେ ପୋଲିସ୍ କେମିତି ମିଥ୍ୟା କେସ୍ ଦେଇ ଥାନାରେ ଅଟକାଇ ରଖିବ, ଟିକେ ଅସତର୍କ ହେଲେ ପୋଲିସ୍‍ର ଲାଠି ଚାଲିବ, ଲୁହବୁହା ଗ୍ୟାସ୍‌ ଏମିତିକି ଶେଷଆଡ଼କୁ ଫାୟାରିଙ୍ଗର ଆଶଙ୍କାବି ରହିଚି । ତେଣୁ ଯାହା କିଛି କରିବାକୁ ହବ, ବୁଦ୍ଧି ଖଟେଇ, ସୁଚିନ୍ତିତ ଉପାୟରେ ।

 

ଚୁଙ୍ଗୁଡ଼ି ଟିକେବି ଭୟକଲା ନାହିଁ । ପର ନିଜପ୍ରତି ତା’ର ସେମିତି କିଛି ଲୋଭ ନାହିଁ । ନିଜର ଖୁସିରେ, ନିଜର ଖିଆଲକୁ, ପ୍ରବୃତ୍ତିକୁ ସମ୍ମାନ ଦେଇ ମଧ୍ୟ ସେ ରାଜିହୋଇ ନାହିଁ ଆଶିଷ କଥାରେ ।

 

ସିକୁଟାକୁ ସେଥିରୁ ମୁକ୍ତି କରିବାକୁ, ଆଶିଷକୁ ଖୁସିକରିକାକୁ ।

 

ଗୋଟିଏ ଭାଇକୁ ରକ୍ଷାକରିବାକୁ । ଗୋଟିଏ ଭାଇକୁ ସନ୍ତୁଷ୍ଟ କରିବାକୁ । ସିକୁପାଇଁ ସେ ସବୁ କିଛି କରିପାରିବ । ଆଶିଷପାଇଁ କିଛି କରିବାକୁ ହେଲେ ସେ କଦାପି ପଛେଇବ ନାହିଁ ।

 

ଚୁଙ୍ଗୁଡ଼ି ବିଛଣାରେ ଶୋଇ ସ୍ୱପ୍ନ ଦେଖୁଚି ।

 

ତା’ ବୋଉ ବସିଚି ତା’ ପାଖରେ । ତା’ରି କୋଳରେ ମଥା ରଖି ଶୋଇ ଯାଇଚି ଚୁଙ୍ଗୁଡ଼ି-। ଭାରି ଉଷୁମ ଲାଗୁଚି ତା’ର କପାଳଟା । ଆଗଠୁ ଆହୁରି । ଚିନୁଅପା ଅଳ୍ପଦୂରରେ ଛିଡ଼ାହୋଇଚି-। ଚୁଙ୍ଗୁଡ଼ି ଆଡ଼କୁ ଚାହିଁ ହସୁଚି ସିଏ । ଭାରି ସୁନ୍ଦର ଦେଖାଯାଉଚି ଚିନୁଅପା । ହସିଲେ ଆହୁରି ସୁନ୍ଦର ଦିଶୁଚି ତା’ର ଦୁଇନାଲି ଓଠ, ତା’ର ସୁନ୍ଦର କଳା କଳା ଆଖି । ଚିନୁଅପା ପାଖରେ ଜ୍ୟୋତିମାମୁଙ୍କର ଛାଇ । ଜ୍ୟୋତିମାମୁ ପୁରୁଣା ହସ ଝରଉଚନ୍ତି ଓଠରୁ । ଓଠ ଚିପି ଚିପି ହସୁଚନ୍ତି ସେ । ଭାରି ପରିଚିତ ଲାଗୁଚନ୍ତି, ଆପଣାର ଲାଗୁଚନ୍ତି ।

 

ଚୁଙ୍ଗୁଡ଼ି ଚମକି ପଡ଼ୁଚି । ଜ୍ୟୋତିମାମୁ ତା’ର ପିଠିପଟ ଫ୍ରକ୍‌ତଳେ ହାତଦେଇ ଭିଡ଼ି ନଉଚନ୍ତି । ଫ୍ରକ୍‍ଟା ଚିରିଯାଉଚି ଫଡ଼୍‌ ଫଡ଼୍‌ ହେଇ । ଜ୍ୟୋତିମାମୁ ତାକୁ ଛାତିରେ ଭିଡ଼ିଧରୁଚନ୍ତି । ଚୁଙ୍ଗୁଡ଼ି ଚିତ୍କାର କରୁଚି, ‘‘ଛାଡ଼ିଦିଅ ଜ୍ୟୋତିମାମୁ ! ମରିଗଲି !’’

 

ସେ ଚିତ୍କାର ବାଜୁଚି ତପନର କାନରେ । ଦୌଡ଼ି ଆସୁଚି ସିଏ । ଜ୍ୟୋତିମାମୁଙ୍କ ଛାତିରେ ଛୁରି ପୋତିଦଉଚି ତପନ ।

 

ଚୁଙ୍ଗୁଡ଼ି ହସୁଚି ତପନକୁ ଚାହିଁ ।

 

ତପନ ଚୁଙ୍ଗୁଡ଼ିର ହାତ ଧରି ଦୌଡ଼ୁଚି । ନଈ ଧାରେ ଧାରେ କୁଆଡ଼େ ଅଚିହ୍ନା ରାସ୍ତାରେ ଟାଣିନଉଚି ତାକୁ । ଚୁଙ୍ଗୁଡ଼ି ଦୌଡ଼ୁଚି, ଦୌଡ଼ୁଚି–ତଥାପି ହାଲିଆ ହୋଇଯାଉନି ଦେହ, ଦରଜ ହୋଇଯାଉନି ପାଦ, ମନରେ କ୍ଳାନ୍ତି ଆସୁନି ଟିକେବି ! ହଠାତ୍‌ ତପନ ଲୁଚିଯାଉଚି । ଲୁଚିଯାଉଚି କୋଉଠି ଖୋଜିଖୋଜି ପାଉନି ଚୁଙ୍ଗୁଡ଼ି । ଶୂନ୍ୟଦୃଷ୍ଟିରେ ସେ ଚାହୁଁଚି । ଚାହୁଁଚି ଆକାଶକୁ ଯାହାର ନୀଳ ଶରୀରରେ ଟିକେବି ଛିଦ୍ର ନାହିଁ । ଚାହୁଁଚି ଦୂର ଦିଗ୍‍ବଳୟକୁ, ତପନ ଯଦି ସେଠି ଥାନ୍ତା–ଚୁଙ୍ଗୁଡ଼ିର ହାତହଲା ଦେଖି ନିଶ୍ଚୟ ଲେଉଟି ଆସନ୍ତା । ଚୁଙ୍ଗୁଡ଼ିର ଲୁହ ଝରେଇବାର ସ୍ୱାଧୀନତାକୁ ଆଦୌ ସହ୍ୟ କରିପାରେନି । ଚୁଙ୍ଗୁଡ଼ି ଏତେ ଅସହାୟ ହୋଇ, ଏକାହୋଇ ମନଇଚ୍ଛା କାନ୍ଦୁଚି । ତପନ କୋଉଠି ? କୋଉଠି ଲୁଚିଗଲୁ, ହେ–ତପନ ! ତପନ !! ତପନ !!!

 

ଚୁଙ୍ଗୁଡ଼ି ଡେଇଁପଡ଼ୁଚି ଗଭୀର ନଈ ପାଣିକୁ । ଆସ୍ତେ ଆସ୍ତେ ପାଣିର ପରସ୍ତ ପରସ୍ତ ଗଭୀରତା ଭେଦି ଚୁଙ୍ଗୁଡ଼ିକୁ ମାଟି ଛୁଉଁଚି । ନଈ ପାଣିରେ ବୁଡ଼ି ରହିଥିଲେ ଶାଶ୍ୱତ ସାର୍‌ । ଚୁଙ୍ଗୁଡ଼ିକୁ ଉଠାଇ ଆଣୁଚନ୍ତି ଉପରକୁ ।

 

ଚୁଙ୍ଗୁଡ଼ି ମୁହଁରେ ବାଧ୍ୟତାର ହସ ମାଖି ଫେରି ଆସୁଚି ନିହାତ ପରିଚିତ ରାସ୍ତାଦେଇ ପରିଚିତ ଛକ ମୋଡ଼ର ଜାତକ ଦେଖି ଦେଖି ।

 

ପଛରେ ତା’ର ବିବେକା ।

 

ଚୁଙ୍ଗୁଡ଼ି ନିଦରେ ଶୋଇ ଚିତ୍କାର କରୁଚି–ନା–

 

ସିକୁ ଏକାଥରକେ ଚେଇଁଉଠି ବସି ପଡ଼ୁଚି ବିଛଣାରେ ।

 

‘‘କ’ଣ ହେଲା ଅପା ?’’

 

‘‘–କିଛି ନାହିଁ । ତୁ ଶୋ–’’

 

ଶୋଇପଡ଼ୁଚି ସିକୁ । ତା’ ନିଃଶ୍ୱାସ ଶବ୍ଦ ଶୁଣାଯାଉଚି । ଚୁଙ୍ଗୁଡ଼ି ଚାରିଆଡ଼କୁ ଚାହୁଁଚି । ଭାରି ଏକାଏକା ଲାଗୁଚି ତାକୁ । ଅଜଣା ଭୟର ଜୀବାଣୁ ତା’ ଶିରାରେ ତାକୁ ଯନ୍ତ୍ରଣା ଦଉଚନ୍ତି । ସେ ଯେମିତି ଅନୁଭବ କରୁଚି ।

 

ବିବେକା ଘରର କୋଉ କୋଣରେ ଛପିରହିଚି ସତେବା !

 

ଆଖିବୁଜି ଶୋଇବାକୁ ଚେଷ୍ଟାକରେ ଚୁଙ୍ଗୁଡ଼ି ।

 

ବିବେକା ସେଦିନ ତାକୁ ଏମିତି ସିଧା ସଳଖ ନିଜକୁ ପରିଚିତ କରେଇଦେଲା,

 

ନିଜର କଦର୍ଯ୍ୟ ଲାଳସାକୁ ଏମିତି ଖୋଲାଖୋଲି ଭାବରେ ନିର୍ଲଜ୍ଜ ହୋଇ ଉଲଗ୍ନ କରିଥିଲା, ସେ କଥା ଭାବିଲେ ସାରା ଦେହ ଘୃଣାରେ, ସଙ୍କୋଚରେ ଅବଶ ହୋଇଯାଏ ଚୁଙ୍ଗୁଡ଼ିର ।

 

ଚୁଙ୍ଗୁଡ଼ି ଆଖି ବୁଜିଦେଇ ସେ ବିକୃତ ଦୃଶ୍ୟକୁ ଭୁଲିଯିବାକୁ ଚେଷ୍ଟାକରେ । ନୂଆ ଦୃଶ୍ୟଟିଏ ଯୋଡ଼ି ହୋଇଯାଏ ସେଇଠି ।

 

ଚାରିଆଡ଼େ ଲୋକ ଗହଳି । ହଜାର ହଜାର ଲୋକ । କୋଟି କୋଟି ଛାତ୍ର । ଅସଂଖ୍ୟ ଉତ୍ତୋଳିତ ହାତ । ଅଜସ୍ର ଉତ୍‌ଥିତ ମୁଷ୍ଟି । ସମସ୍ତଙ୍କ ଜ୍ୱଳନ୍ତ ଆଖି ଅଛି ଚୁଙ୍ଗୁଡ଼ି ଉପରେ । ମଞ୍ଚ ଉପରେ ଠିଆ ହୋଇଚି ଚୁଙ୍ଗୁଡ଼ି ।

 

ଅନର୍ଗଳ ବକିଯାଉଚି । ଅନେକ କଥା । ଷ୍ଟାଲିନ ଠାରୁ ଫରାସୀ ବିପ୍ଳବ ପର୍ଯ୍ୟନ୍ତ । ତା’ର ପ୍ରତି ଲୋମକୂପରେ ଅନୁଭବ କରୁଚି ଅପୂର୍ବ ଶିହରଣ । ଯୋଉ ଶିହରଣ ମାର୍କସଙ୍କୁ ପ୍ରବର୍ତ୍ତାଇଥିଲା କମ୍ୟୁନିଷ୍ଟ ମ୍ୟାନିଫେଷ୍ଟୋ ଆଉ ‘କ୍ୟାପିଟାଲ’ ପୁସ୍ତକ ରଚନା କରିବାକୁ । ନିଜ ରକ୍ତକୋଷରେ ଅବିକଳ ସେହି ପୁରୁଣା ନୁପୂରର ଅନୁରଣନ । ଚୁଙ୍ଗୁଡ଼ି ପ୍ରଗଳ୍‍ଭା ବକ୍ତା ହୋଇ ଆକର୍ଷି ନେଉଚି ଅନେକଗୁଡ଼ାଏ ବିଦ୍ରୋହୀ ଅନ୍ତରକୁ । ସେମାନଙ୍କୁ ଉଦ୍‌ବୁଦ୍ଧ କରୁଚି, ଉତ୍ତେଜିତ କରୁଚି, ସାହସ ଦଉଚି, ଉତ୍ସାହ ଦଉଚି । ସେମାନଙ୍କୁ ଦୃଢ଼ କରୁଚି, ଅଟଳ ରହିବାର ଶପଥ ନିଆଉଚି । ଏକ ଅପୂର୍ବ ରୋମାଞ୍ଚରେ କମ୍ପି ଯାଉଚି ଚୁଙ୍ଗୁଡ଼ିର ଅବୟବ ।

 

ଚୁଙ୍ଗୁଡ଼ି କଥା ସମସ୍ତେ ଶୁଣୁଛନ୍ତି । ଶୁଣୁଚି ଆଶିଷ ।

 

ଲମ୍ବା ଧାଡ଼ି । କଳାପତାକା ଧରିଥିବା ଲକ୍ଷଲକ୍ଷ ଉତ୍ତେଜିତ ଛାତ୍ର । ନାନା ସ୍ଲୋଗାନରେ ରାସ୍ତା କମ୍ପି ଯାଉଚି ।

 

ଆଗରେ ଚୁଙ୍ଗୁଡ଼ି । ସେ ଲିଡ଼୍ କରୁଚି ଏ ବିରାଟ ଛାତ୍ର ପଟୁଆରକୁ । ସେ ନେତୃତ୍ୱ ନେଇଚି ଏ ବିରାଟ ଆନ୍ଦୋଳନର । ଚୁଙ୍ଗୁଡ଼ି ପଛରେ ଚାଲିଚନ୍ତି ଅସଂଖ୍ୟ ବିପ୍ଳବୀ ଛାତ୍ର । ପାଖରେ ଆଶିଷ ।

 

ଚୁଙ୍ଗୁଡ଼ିକୁ ଆଦୌ ଭୟଲାଗୁନି । ଟିକେବି ଡରିଯାଉନି ଚୁଙ୍ଗୁଡ଼ି । ପୋଲିସ୍ ଆସୁଚି । ଆନ୍ଦୋଳନରୁ ଓହରି ଯିବାପାଇଁ ନିର୍ଦ୍ଦେଶ ଆସୁଚି । ପରାମର୍ଶ ଆସୁଚି । ପୋଲିସ୍‍ର ଧମକ । ଲାଠି ଚାଲିଚି । ପୋଲିସ୍‍ ମାଡ଼ରେ ଫାଟି ଯାଉଚି ଛାତ୍ରମାନଙ୍କର ଦେହ । ରକ୍ତ ଝରୁଚି । ଅଚେତ ଅବସ୍ଥାରେ ପୁଣି ବୋହିନିଆଯାଉଚି ଥାନାକୁ । ଅଟକ କରି ରଖାଯାଉଚି । ଚୁଙ୍ଗୁଡ଼ି ଖବରକାଗଜ ପଢ଼ୁଚି । କୋଉ କୋଣକୁ ‘‘ମୃଦୁ ଲାଠି ଚାଳନା’’ ଧାଡ଼ିଏ । ଚୁଙ୍ଗୁଡ଼ିର ରକ୍ତ ଗରମ ହୋଇଯାଉଚି ପୁଣି । ପୋଲିସ୍ ବିରୁଦ୍ଧରେ, ପୁଞ୍ଜିବାଦ ଗୋଷ୍ଠୀ ବିରୁଦ୍ଧରେ ସଂଗ୍ରାମ ଚଳାଇବାକୁ ଆନ୍ତରିକତା ବଢ଼ୁଚି ତା’ର ।

 

ଫାୟାରିଙ୍ଗ୍ ହଉଚି । ଗୁଳିଛୁଟୁଚି ପୋଲିସ୍ ରାଇଫଲରୁ । ଆହତ ହଉଚନ୍ତି । ଜେଲ୍ ଯାଉଚନ୍ତି । ତଥାପି ହାରୁ ନାହାନ୍ତି । ପରାଜୟ ସ୍ୱୀକାର କରୁ ନାହାନ୍ତି । ଏକତା କଟି ଯାଉନି । ସଂହତି ଭାଙ୍ଗି ଯାଉନି । ଆନ୍ଦୋଳନ ଚାଲୁ ରହୁଚି । ଚୁଙ୍ଗୁଡ଼ି ଅଗ୍ନିମୟୀ ହୋଇ ଉଠୁଚି ୟା ଭିତରେ । ସେ ନିଜେ ଅନୁଭବ କରୁଚି ଆଶିଷ କଥାର ସତ୍ୟତା ।

 

ଶାଶ୍ୱତ ସାର୍‌ ବାପାଙ୍କୁ ବୁଝେଇ ଦେଲେ ଚୁଙ୍ଗୁଡ଼ି କିଛି ଭଲ କରୁ ନାହିଁ । ପୂର୍ବରୁ ନାରୀ ଜାତିଟା ପ୍ରତି ଯେଉଁ ସ୍ୱତଃସ୍ଫୂର୍ତ୍ତ ମମତା, ଯେଉଁ ସ୍ୱତଃସ୍ଫୂର୍ତ୍ତ ସମ୍ମାନ ସୃଷ୍ଟି ହେଉଥିଲା ହୃଦୟରେ କ୍ରମଶଃ ଆପେଆପେ ତାହା କେମିତି ଲୀନ ହୋଇଯାଉଚି ।

 

ଫକୀରମୋହନଙ୍କର ଗଳ୍ପ ‘ରେବତୀ’ର ବୁଢ଼ୀମା ପରେ ପରେ, ଏଇ ପରିବର୍ତ୍ତନ ସମ୍ଭବ ହୋଇଚି, ଏଇ ପରିବର୍ତ୍ତନର ବୀଜ ଆପେଆପେ ରୋପିତ ହୋଇଚି ସମାଜରେ । ରେବତୀ ଗଳ୍ପର ବୁଢ଼ୀମା ଚରିତ୍ର ପରମ୍ପରାର ପ୍ରତୀକ, ରେବତୀ ଥିଲା ପ୍ରଗତିର ।

 

ସାମ୍ପ୍ରତିକ ସମାଜରେ ପ୍ରଗତିର ଅର୍ଥ ଭିନ୍ନ ହୋଇଗଲାଣି । ଆଜିକାଲି ପ୍ରଗତି କହିଲେ ବ୍ୟଭିଚାରକୁହିଁ ବୁଝିବାକୁ ପଡ଼ିବ ! ଆଉ ନାରୀ ପ୍ରଗତି କହିଲେ, ଆନ୍ଦୋଳନର ନେତୃତ୍ୱ ନେବା ଏକ ମାଧ୍ୟମ ଛଡ଼ା ଆଉ କିଛି ହୋଇପାରେନା । ମାତ୍ର ଚୁଙ୍ଗୁଡ଼ି ପରି ଭଲଝିଅ ଏସବୁ କୁପଥକୁ ପସନ୍ଦ କରିବା ଦୁଃଖର ବିଷୟ । ଝିଅପିଲାଟା ଏ ସୃଷ୍ଟିଛଡ଼ାଙ୍କ ଗୋଷ୍ଠୀରେ ମିଶି ନିଜ ଜୀବନକୁ ନିଜ ହାତରେ ନଷ୍ଟ କରିବା ଠିକ୍‌ ହେଉ ନାହିଁ ।

 

ଆଉ ପାଠଶାଠ ତଦ୍ଦ୍ୱାରା କିଛି ହେବ ନାହିଁ । ସେ ଗୋଷ୍ଠୀର ପିଲାମାନଙ୍କର ଭବିଷ୍ୟତ ବୋଲି କିଛି ନ ଥାଏ । କିଛି ହେଲେ ସମ୍ଭବ ହୁଏ ନାହିଁ ସେମାନଙ୍କ ଦ୍ୱାରା । ବାପାଙ୍କ ମୁହଁ ବିରକ୍ତିରେ ଭାରାକ୍ରାନ୍ତ ହୋଇଯାଉଚି ଶାଶ୍ୱତର କଥା ଶୁଣି । ସେ ଅବିଶ୍ୱାସ ଚାହାଣିରେ ଶାଶ୍ୱତ ମୁହଁକୁ ଚାହିଁ ରହୁଚନ୍ତି । ତା’ ଆଖିରେ ଆଖି ମିଶେଇ ସେ ସେଥିରୁ ପଢ଼ୁଚନ୍ତି, କଥାଟାର ସତ୍ୟାସତ୍ୟ ଗଣନା କରୁଚନ୍ତି, କଳନା କରୁଛନ୍ତି । ଶାଶ୍ୱତ ବୁଝିପାରୁଚନ୍ତି ବାପାଙ୍କ ଚାହାଣିର ଗଣିତକୁ । କଥା ଯୋଡ଼ୁଚନ୍ତି ପୁଣି–‘‘ଗଲାଥର ଯୋଉ ଭୟଙ୍କର ଛାତ୍ର ବିଶୃଙ୍ଖଳା ହୋଇଥିଲା, ତା’ର ନେତୃତ୍ୱ ନେଇଥିଲା ଏଇ ଚୁଙ୍ଗୁଡ଼ି । ତା’ର ସଂଗଠିକା ଥିଲା ଆମ ଚୁଙ୍ଗୁଡ଼ି ।’’ ଶାଶ୍ୱତ ସାର୍‌ ତାଙ୍କ ଡାଇରି ବହି ଭିତରେ ଚାରିଭାଙ୍ଗ ହୋଇ ରହିଥିବା ଖବରକାଗଜଟା ବାପାଙ୍କ ଆଗରେ ମେଲେଇ ଧରନ୍ତି । ଲୁଗା କାନିରେ କାଚପୋଛି ଚଷମା ମଗାନ୍ତି ବାପା । ପ୍ରଥମ ପୃଷ୍ଠାରେ ଚୁଙ୍ଗୁଡ଼ିର ଫଟୋ । ଲମ୍ବା ବିବରଣୀ କୁମାରୀ ଚୈତାଳି ମହାପାତ୍ର–ଶାଶ୍ୱତ ବଡ଼ ପାଟିରେ ଆଉଥରେ ପଢ଼ିଦେଇ ଖବରଟା ଶୁଣେଇ ଦିଅନ୍ତି ବାପାଙ୍କୁ । ଏ ଦୁଃସାହସର ଫଳାଫଳ ବିଷୟରେ ଧାରଣା ଦେଇଦିଅନ୍ତି ବାପାଙ୍କୁ । ଭ୍ରୂଲତାଗୁଡ଼ାକ ଟେକି ହୋଇଯାଉଚି ବାପାଙ୍କର । ଆଖିଗୁଡ଼ାକ ଖୋସି ହୋଇଗଲା ଭ୍ରୂଲତାତଳେ ।

 

ଡାକିଲେ ଚୁଙ୍ଗୁଡ଼ିକୁ । ଜୀବନର ପ୍ରଥମଥର ପାଇଁ ଗାଳିଦେଲେ । ବିରକ୍ତ ହେଲେ, ଆଉ ସେଥିରେ ମୁଣ୍ଡ ନ ଖେଳେଇବାକୁ ସତର୍କ କରାଇ ଦେଲେ । ଚୁଙ୍ଗୁଡ଼ିର ଏପରି କାର୍ଯ୍ୟକଳାପ ଖାଲି ଆଶାତୀତ କିମ୍ବା ଅନୁଚିତ ତା’ ନୁହେଁ, ଏହା ତା’ର ଚରମ ବିଶ୍ୱାସଘାତକତା ମଧ୍ୟ । ବାପା ତାକୁ ଏମିତି କହିବେ ବୋଲି ବିଶ୍ୱାସ କରି ନଥିଲା । ସିକୁ ଆସିଲା । ସାକ୍ଷୀ ଦେଲା । ତା’ ଅପାର ଦୋଷ ନାହିଁ । ସେ ଦୁନିଆ ଛଡ଼ା ଆଶିଷଟା ତାକୁ ମତେଇ ନଷ୍ଟ କରି ଦଉଚି ।

 

‘‘ସିକୁ ! ତୁ ଏ କଥା କହିପାରୁଚୁ ?’’

 

ଚୁଙ୍ଗୁଡ଼ି ବସିଥିବା ଜାଗାରୁ ଠିଆହୋଇପଡ଼ି ସତକୁସତ କାନ୍ଦି ପକେଇଲା ।

 

ସେ ବାପାଙ୍କ ମନରେ ଦୁଃଖ ଦେବାକୁ ଚାହେଁ ନାହିଁ କେବେ । ଚାହେଁ ନାହିଁ ସିକୁକୁ ଦୁଃଖ ଦବାକୁ ।

 

ବାପା ଅସନ୍ତୁଷ୍ଟ ହେଉଚନ୍ତି ।

 

ଶାଶ୍ୱତ ପୁଣି ପଚାରୁଚନ୍ତି ସିକୁକୁ, ଆଶିଷ, ପିଲାଟା ଦେଖିବାକୁ କେମିତି ? ଓଃ, ଚୁଙ୍ଗୁଡ଼ି ମୁଣ୍ଡ ଝିମିଝିମି ହୋଇଗଲା ।

 

ଏମିତି ପ୍ରଶ୍ନକରି ଆଶିଷ ତାଙ୍କର ଜୀବନାଦର୍ଶକୁ କେତେ ସଂକୁଚିତ କରି ନ ଦଉଚନ୍ତି ସତେ ! ତାଙ୍କର ଅନ୍ୟାନ୍ୟ ସାଧାରଣ ଜୀବନାଦର୍ଶକୁ କେତେ ନ୍ୟୂନ ପ୍ରତିପାଦିତ କରୁଚନ୍ତି ନିଜେ ନିଜେ ! କେଡ଼େ ସଂକୀର୍ଣ୍ଣମନାର ପରିଚୟ ଦେଉଚନ୍ତି ।

 

ସିକୁ ଓଠ କାମୁଡ଼ି କାମୁଡ଼ି ହସୁଚି । କହୁଚି ‘‘ଖୁବ୍‌ ଭଲ । ଅପାର ଚଏସ୍‍କୁ ଠିକ୍‌ ଖାପଖାଇଲା ପରି ।’’

 

ଶାଶ୍ୱତ ସାର୍‌ଙ୍କ ମୁହଁଟା ହଠାତ୍‌ କେମିତି ଗମ୍ଭୀର ହୋଇଯାଉଚି । କଳା ଦୁଶୁଚି ଅସମ୍ଭବଭାବେ । ଆଖିଗୁଡ଼ାକରେ କେମିତି ଦୁଷ୍ଟ ଅସହିଷ୍ଣୁତାର ଖରା ଝଲସୁଚି । କିଛି କଥା ନ କହୁଥିଲେବି ଓଠଗୁଡ଼ାକ ଅକାରଣରେ କମ୍ପିଉଠୁଚି ତାଙ୍କର । ନାକପୁଡ଼ା ଫୁଲିଉଠୁଚି ଶାଶ୍ୱତର ।

 

ଆଜି ଏସବୁ ନୂଆ ଦେଖୁନି ଚୁଙ୍ଗୁଡ଼ି ।

 

ତାକୁ ଆଶ୍ଚର୍ଯ୍ୟ ଲାଗୁଚି ।

 

ଚୁଙ୍ଗୁଡ଼ି ବିସ୍ମିତ ହେଉ ହେଉ ଖସିଆସିଲା ସେଠୁ ।

 

କାଲି ପୁଣି ଗୋଟାଏ ମିଟିଙ୍ଗ୍ ଅଛି । ଆନ୍ତଃ ରାଜ୍ୟ ଛାତ୍ର ଆନ୍ଦୋଳନର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ସେଥିରେ । ସବୁ ଦାୟିତ୍ୱ ତାକୁ ଦିଆଯାଇଚି । ତା’ର ଉପସ୍ଥିତ ଏକାନ୍ତ ଜରୁରୀ ।

 

ତଥାପି ସେ ଯିବ ନାହିଁ । ଯିବ ନାହିଁ ବାପାଙ୍କୁ ଖୁସି କରିବାକୁ । ସିକୁକୁ ଖୁସି କରିବାକୁ । ଆଉ ଶାଶ୍ୱତ ?

 

ହଁ, ଶାଶ୍ୱତର ଏ ସବୁ ପସନ୍ଦ ନୁହେଁ । ଏ ସବୁ ଚାହୁଁନାହାନ୍ତି ସିଏ । ତାଙ୍କର ଚାହିଁବା ନ ଚାହିଁବାରେ ଅବଶ୍ୟ କିଛି ଯାଏଁ ଆସେନି ଚୁଙ୍ଗୁଡ଼ିର ।

 

ଚୁଙ୍ଗୁଡ଼ି ମୁହଁ ମାଡ଼ି ଶୋଇଚି । କିଛି ଭଲ ଲାଗୁନି ତାକୁ । କେମିତି ଏକ ଅଶାନ୍ତ ଅବକ୍ଷୟ ତା’ର ସମଗ୍ର ସତ୍ତାକୁ ଆବୋରି ବସିଚି ।

 

ଦୁଆର ମୁହଁରେ ଆଶିଷର ସ୍ୱର ଶୁଣାଯାଉଚି । ଆଶିଷ ଚୁଙ୍ଗୁଡ଼ିର ନାଁ ଧରି ଡାକୁଚି । ବାପା କମ୍ପି ଉଠୁଚନ୍ତି । ମନାକରୁଚନ୍ତି ଯିବାପାଇଁ ।

 

ଚୁଙ୍ଗୁଡ଼ି ଶୁଣୁ ନାହିଁ କାହାରି କଥା । ଦୌଡ଼ି ଯାଉଚି ଆଶିଷପାଖକୁ । ଆଶିଷ ତାକୁ ଡାକୁଚି । ସେ ଅନୁଭବ କରୁଚି, ଖାଲି ଆଶିଷ ନୁହେଁ ଶହ ଶହ ଯୁବନେତା ତାକୁ ହାତ ହଲେଇ ଡାକୁଚନ୍ତି–ଅଜସ୍ର ଉତ୍ତେଜିତ ବିଦ୍ରୋହୀ ଅନ୍ତର ତାକୁ ଆହ୍ୱାନ ଜଣାଉଚି । ସିକୁ ବାରଣ କରୁଚି ।

 

ଆଶିଷ ପାଖରେ ଠିଆହୋଇ କାନ୍ଦିପକାଉଚି ଚୁଙ୍ଗୁଡ଼ି ।

 

ଆଶିଷ ଆଶ୍ଚର୍ଯ୍ୟ ହୋଇଯାଉଚି । ବିଶ୍ୱାସ କରୁନି ।

 

ତମର ମନେଅଛି ତ ? ଆଜି ତମର କୋଉଠିକି ଯିବାର ଥିଲା ଭୁଲିଗଲ ? ତମେ ଘରେ ବସିଚ ? କ’ଣ ହେଇଚି ତୁମର ? ଦେହ ଭଲ ନାହିଁ ?

 

‘‘ମତେ ତମେ କ୍ଷମା କର, ଆଶିଷ, ମୁଁ ଯାଇପାରୁନି’’–ଚୁଙ୍ଗୁଡ଼ିର ତଣ୍ଟି ଅଜଣା କୋହରେ ରୁନ୍ଧି ହୋଇ ଯାଉଚି । ତା’ର ସବୁ ଅସୁବିଧା ଖୋଲି କହିଦଉଚି ଆଶିଷ ଆଗରେ । ଆଶିଷ ବିବ୍ରତ ହୋଇପଡ଼ୁଚି । ‘‘ଏବେ କ’ଣ ହବ ଚୁଙ୍ଗୁଡ଼ି ! ତମେ ଆହୁରି ଥରେ ଭାବ, ଶହେ ଥର ଭାବ, ଆହୁରି କୋଟିଏ ଥର ଭାବ । ଶହ ଶହ ଛାତ୍ର ତମକୁ ଅପେକ୍ଷା କରି ରହିଚନ୍ତି । ଆଜି ସେଇ ସାଧାରଣ ଜନସମାବେଶରେ ତୁମର ଭାଷଣ ଦେବାର ଥିଲା । ଛାତ୍ର ଫେଡ଼େରସନର କାମଗୁଡ଼ାକ ସିନା ତମେ ନ କଲେ ମୁଁ ଚଳେଇ ଦେଇପାରେ; ମାତ୍ର ସେହି ନାଗରିକ ସଭା ? ସେମାନେ ସମସ୍ତେ ତୁମର ଶୁଣିବାକୁ ଆସିଛନ୍ତି । ଚୁଙ୍ଗୁଡ଼ି, ତମେ ଏକଥା ଯେମିତି ନ ଭୁଲ । ଯାହାକିଛି କରିବାକୁ ହେଲେ ଗଣ ସମର୍ଥନ ଥିବା ଆବଶ୍ୟକ । ବିପୁଳ ଜନ ସମର୍ଥନକୁ ନେଇ ଯେକୌଣସି ଦୁଃସାହସ କଲେ ବିଫଳ ହେବାକୁ ହୁଏ ନାହିଁ । ସେହି ଗଣସମର୍ଥନ ପାଇବାପାଇଁ ତୁମର ପଦକ୍ଷେପର ଯୁକ୍ତିଯୁକ୍ତତା, ତୁମ ଆଦର୍ଶର ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଧାରଣା ଦେବାକୁ ହେବ, ବୁଝେଇବାକୁ ହେବ । ତୁମ ଆଦର୍ଶର ଛାଞ୍ଚରେ ସେମାନଙ୍କ ଜୀବନାଦର୍ଶକୁ ସାମିଲ କରିବାକୁ ହେବ-। ଆଉ ଏସବୁ ସକ୍ଷମ ହେବ ସଙ୍ଗଠନରେ । ଆଜି ଦେଖିବ ଚାଲ । ଶହ ଶହ ଜନତା କେମିତି ରୁଣ୍ଡ ହୋଇଚନ୍ତି ଟାଉନ୍ ହଲରେ । ତମେ ଆଉ କିଛି ଭାବ ନାହିଁ । ଆସ–ତୁମେ ଚାଲିଆସ–ତୁମେ ନଗଲେ ସେମାନଙ୍କର ଧାରଣା କ’ଣ ହେବ ? ଯୋଉମାନେ ତୁମକୁ ଚାହିଁ ବସିଚନ୍ତି । ସେମାନେ ଭରସା ପାଇବେ କେମିତି ? ଆସ, ଆସ, ଚୁଙ୍ଗୁଡ଼ି !!’’

 

ଆଶିଷ ଚୁଙ୍ଗୁଡ଼ିର ହାତ ଧରି ଟାଣୁଚି ।

 

ଚୁଙ୍ଗୁଡ଼ି ଆଗକୁ ଆଗକୁ ପାଦ ବଢ଼େଇ ଚାଲିଯାଉଚି ତା’ ସହ ।

 

ଟାଉନ୍ ହଲର ମଞ୍ଚ ଉପରେ ଠିଆହୋଇ ଭାଷଣ ଦଉଚି ଚୁଙ୍ଗୁଡ଼ି । ସମବେତ ଜନତାର କରତାଳିରେ କମ୍ପି ଉଠୁଚି ବାୟୁମଣ୍ଡଳ ।

 

ଆନ୍ଦୋଳନ ସଫଳ ହେଉଚି ।

 

ଚୁଙ୍ଗୁଡ଼ି ସହିତ ହାତ ମିଶାଉଚି ଆଶିଷ । ‘‘ଏ କଥା ଖାଲି ତୁମରି ଲାଗି ସମ୍ଭବ ହେଲା ଚୁଙ୍ଗୁଡ଼ି । କେବଳ ତୁମରି ଲାଗି !’’

 

ଚୁଙ୍ଗୁଡ଼ି ନିଜ ଅନିଚ୍ଛାରେ ହସିଲା ।

 

ଆଶିଷ ଚୁଙ୍ଗୁଡ଼ିର ହାତ ଧରି ଟାଣିନେଲା କଲେଜ କ୍ୟାଣ୍ଟିନ୍‌ ଆଡ଼େ ।

 

ଚୁଙ୍ଗୁଡ଼ି ପ୍ରତିବାଦ କରୁ ନାହିଁ ।

 

ଚୁଙ୍ଗୁଡ଼ି ଆଶିଷକୁ କେବେ ଦିନେ ସନ୍ଦେହ କରି ନାହିଁ ।

 

ଅନୁଭବ କରେ, ସେ ତା’ର ଭାଇ । ଠିକ୍‌ ସିକୁପରି । ସେଇଥିପାଇଁ କେବଳ ତା’ରି ସହ ଚୁଙ୍ଗୁଡ଼ି ଗପିପାରେ । ବାଟରେ ଘାଟରେ ଯୋଉଠି ଦେଖାହେଲେ । କଲେଜ କରିଡ଼ରରେ, ଲାଇବ୍ରେରି ହଲରେ, ଗୋଟିଏ ଟେବ୍ଲରେ, ପଡ଼ିଆ ମଝିରେ ଆଶିଷ କିଛି ପଚାରିଦେଲେ, ଅନ୍ୟ ଝିଅମାନଙ୍କ ପରି ମୁହଁ ବୁଲେଇ ଖସି ନଯାଇ ଉତ୍ତରଦିଏ । ଭଲମନ୍ଦ ଗପକରେ । କିଛିଭାବେ ନାହିଁ-। ଅନ୍ୟକିଛି ତା’ ମୁଣ୍ଡରେ ପଶେ ନାହିଁ । ତା’ ମନକୁ ପାପ ଛୁଏଁ ନାହିଁ ।

 

ଆଜିକାଲି ଶାଶ୍ୱତ ସାର୍‌ ଆସିଲେ ଏଇ ଆଶିଷ କଥାଟା ବେଶି ପଡ଼େ । ବଜାରଦର, ସିକୁର ପାଠପଢ଼ା, ଚୁଙ୍ଗୁଡ଼ିର ପରୀକ୍ଷାଫଳ, ଏମିତି ଅନେକ ବିଷୟ ଭିତରୁ କେବଳ ଗୋଟିଏହିଁ ପ୍ରାଥମିକତା ଲାଭକରେ ।

 

ଚୁଙ୍ଗୁଡ଼ି ନୁହେଁ, ଏଇ ଆଶିଷଟା ଖରାପ ।

 

ଆଶିଷଟା ସୃଷ୍ଟିଛଡ଼ା, ବାରବୁଲା ଛତରା !

 

ଚୁଙ୍ଗୁଡ଼ିକୁ ଅସହ୍ୟ ଲାଗୁଚି । ସହିପାରୁ ନାହିଁ । ଦୌଡ଼ି ଆସୁଚି ବାପାଙ୍କ ପାଖକୁ । ଆଶିଷକୁ ଖରାପ କହିଲେ ସେ ଚୁପ୍ ରହିପାରିବ ନାହିଁ ।

 

ସିକୁର ନିନ୍ଦା କାହା ମୁହଁରୁ ଶୁଣିଲେ ସେ ଚୁପ୍‍ରହି ନ ଥାନ୍ତା ।

 

ଆଶିଷ ତା’ର ଭାଇ, ଠିକ୍‌ ସିକୁପରି ।

 

ଆଶିଷ ଭଲ, ଆଶିଷ ଭଦ୍ର, ଆଶିଷ ମହାନ୍ ।

 

ଶାଶ୍ୱତ ସାର୍‌ କିଛି କହୁ ନାହାନ୍ତି । ମୁହଁଟା ତାଙ୍କର ଗମ୍ଭୀର ଦିଶୁଚି । ଆଖିଗୁଡ଼ାକ ଜଳିଲାପରି ଲାଗୁଚି ।

Unknown

ସିକୁ କହୁଚି, ଆଶିଷ, ଲୋକଟାକୁ ମୁଁ ଆଗରୁ ଚିହ୍ନିଚି । ଜାଣିଚି ସେ କେମିତିଆ, ଝିଅମାନଙ୍କୁ କଳେବଳେ ନଷ୍ଟକରେ ।

 

ମିଛ !! ଆଶିଷ ଏମିତି ହୋଇ ନ ପାରେ । ଆଶିଷର ବ୍ୟକ୍ତିତ୍ୱ ତାକୁ ମୁଗ୍ଧ କରିଚି । ଆଶିଷର ବ୍ୟବହାର ତାକୁ ମୁଗ୍ଧ କରିଚି । ଆଶିଷର ସବୁ ଢଙ୍ଗ ଭଲ ଲାଗିଚି ତାକୁ ।

 

ଆଶିଷର ଭଉଣୀ ନାହିଁ ।

 

ଆଶିଷ ତା’ର ଭାଇ ହୋଇଚି ।

 

ନିଜ ହାତରେ ତା’ ମଣିବନ୍ଧରେ ରାକ୍ଷୀ ବାନ୍ଧି ତାକୁ ସବୁଦିନେ ଭଉଣୀର ମମତା ଦେବ ବୋଲି ପ୍ରତିଜ୍ଞା କରିଚି ଚୁଙ୍ଗୁଡ଼ି ।

 

ରାକ୍ଷୀ ପୂର୍ଣ୍ଣମୀରେ ସେ ଉପହାର ଦେଇଥିବା ନୀଳ ଫାଉଣ୍ଟେନ ପେନ୍‌ଟା ଏବେବି ତା’ ପାଖରେ ସେମିତି ନୂଆହୋଇ ରହିଚି । ସେଇଟାକୁ ସାଇତି ଦେଇଚି ଚୁଙ୍ଗୁଡ଼ି, ବ୍ୟବହାର କରି ପୁରୁଣା ହେଇଯିବା ଭୟରେ ବାହାର କରି ନାହିଁ ।

 

କଲମଟାକୁ ବୋଉର ବାକ୍‌ସରେ ସାଇତି ଦେଇଚି ସିଏ ।

 

ବୋଉର ସେଇ ବାକ୍‌ସରେ ଜ୍ୟୋତିମାମୁ ଦେଇଥିବା କାଚ କୁଣ୍ଢେଇଟା ଅଛି । ସେ କୁଣ୍ଢେଇଟାକୁ ସେ ଭଲପାଏ ।

 

ଭଲପାଏ ଆଶିଷ ଦେଇଥିବା ସେଇ ନୀଳ କଲମଟାକୁ ।

 

ଆଶିଷ ଛୋଟ ନୁହେଁ । ଆଶିଷର ମନଟା ଏତେ ନୀଚ ନୁହେଁ ।

 

ଦୁଷ୍ଟ ହେଲେବି ଭଦ୍ର । ଚଗଲା ହେଲେବି ତା’ର ହୃଦୟ ଅଛି ।

 

ଅନ୍ୟର ଦୁଃଖ ବୁଝେ । ଅନ୍ୟର ଦରଜ ନିଜ ଛାତିରେ ଅନୁଭବ କରେ । ହାତ ତା’ର ଯୋଉପର୍ଯ୍ୟନ୍ତ ପାଏ ସେ କୁଣ୍ଠା କରେନି ସେ ଦୁଃଖକୁ ପୋଛି ଦେବାକୁ । ତା’ ପରିସର ଭିତରେ ଯଦି ହୁଏ, ସେ ଖୁସିହୁଏ ସ୍ନେହ ଦେବାକୁ, ମମତା ଦେବାକୁ । ତଥାପି ଶାଶ୍ୱତ ଆଶିଷର ନିନ୍ଦା ଗାଇଲାବେଳେ ନିଜକୁ ଭୁଲିଯାଉଚି । ଶାଶ୍ୱତ ସାର୍‌ କାହିଁକି ଆଶିଷକୁ ସହିପାରୁ ନାହାନ୍ତି, ବୁଝିପାରେ ନାହିଁ ଚୁଙ୍ଗୁଡ଼ି । ଆଶିଷ, ସ୍ନିଗ୍ଧ ଚେତନାଟିଏ । ଉପରେ ରୁକ୍ଷ ହେଲେବି ଛାତିଟା ପ୍ରବଣତାରେ ଢଳଢ଼ଳ । ସେ ଖୋଜେ ସ୍ନେହ, ସହାନୁଭୂତି, ଆନ୍ତରିକତା ।

 

ତା’ର ମା ଅଛି, ବାପା ଅଛି, ଭାଇ ଅଛି ।

 

ଯୋଉଠି ତା’ର ଅଭାବ ଥିଲା, ସେ ସେହି ସମ୍ପର୍କର ଏକକ ହିସାବରେ ଚାହିଁଲା ଚୁଙ୍ଗୁଡ଼ିକୁ, ଲୋଡ଼ିଲା ଚୁଙ୍ଗୁଡ଼ିର ମମତା ତା’ର ଏକମାତ୍ର ଭଉଣୀ ହିସାବରେ ! ଚୁଙ୍ଗୁଡ଼ି କେମିତି ଅସ୍ୱୀକାର କରିଥାନ୍ତା ? ନିରାଶ କରିଥାନ୍ତା ଆଶିଷକୁ ? ଶାଶ୍ୱତ ସାର୍‌ ପୁଣି କହୁଚନ୍ତି, ‘‘ଆଶିଷଟା ମଦୁଆଟା !

 

ମାତାଲହୋଇ ରାସ୍ତାରେ ଗଡ଼େ । ମଦୁଆମାନଙ୍କର ନିଜତ୍ୱ ବୋଲି କିଛି ନ ଥାଏ । ମାନବିକତା ବୋଲି କିଛି ଅବଶିଷ୍ଟ ରୁହେନି । ଅସମ୍ଭବ, ଅନୁଚିତ ପରି ନାକଗୁଡ଼ାକ ତାଙ୍କର ବିସ୍ମର ହୋଇଯାଏ । ତାଙ୍କ ପାଖରେ ସବୁ ଅନୁଚିତ ସମ୍ଭବ । ଯେ କୌଣସି ପ୍ରକାର ଇତରତାକୁ ସେମାନେ ନିଜ ପ୍ରବୃତ୍ତିରେ ମିଶାଇଦେଇ ପାରନ୍ତି । ସବୁ ଦୁର୍ଗୁଣ ମଧ୍ୟରୁ ସେହି ଭୟଙ୍କର ଗୁଣଟା ଆଶିଷକୁ ମଣିଷରୁ ପଶୁକୁ ରୂପାନ୍ତରିତ କରିଦେଇଚି, ‘‘ମାତାଲ ହୋଇ ରାସ୍ତାରେ ଗଡ଼ୁଚି ଆଶିଷ, କଲେଜରେ ଗଣ୍ଡଗୋଳ କରୁଚି, ଝିଅମାନଙ୍କୁ ହଇରାଣ କରୁଚି, ସେମାନଙ୍କ ପ୍ରତି ଅସୌଜନ୍ୟ ପ୍ରକାଶ କରୁଚି ।’’

 

‘‘ନା, ମିଛ ! ଆଶିଷ ଏତେ ଇତର ନୁହେଁ । ଆଶିଷ ମଦ ଖାଇ କଲେଜରେ ଗଣ୍ଡଗୋଳ କରେ, କିଏ ଦେଖିଚି ? ମିଛ କଥା !

 

ଆଶିଷ କଲେଜରେ ହୋ ହଲ୍ଲାକରି ମଜାକରେ । ସାଙ୍ଗମାନଙ୍କୁ ହସାଏ ।

 

ଗୁଡ଼ାଏ ସହଜ ହସକୁ ନେଇ ଆଶିଷର ପ୍ରତିମୂର୍ତ୍ତି । ଆଶିଷ ଚିହ୍ନାଗୀତର ସହଜ ସୁର ପରି । ପରିଷ୍କାର, ନିର୍ମଳ ଭାରି ଖୁସି ମିଜାଜର ପିଲା ଏଇ ଆଶିଷ ।

 

ଆଶିଷ ସିଗାରେଟ ଖାଏ ବୋଲି ଶୁଣିଥିଲା ଚିଙ୍ଗୁଡ଼ି ।

 

ଦିନକର ଘଟଣା ପରେ ଆଉ କେବେ ସେକଥା ଶୁଣି ନାହିଁ ତା’ ନାଁରେ ।

 

ସେଦିନ କଥା ଠିକ୍‌ ମନେଅଛି ଚୁଙ୍ଗୁଡ଼ିର ।

 

ଲାଇବ୍ରେରି ରୁମ୍‍ରେ ବସି ସିଗାରେଟ ଧରେଇଲା ଆଶିଷ । ଧୂଆଁର ରିଂ କରୁଚି ଆଶିଷ-। ତା’ ପାଟିରୁ ଗୋଟାକ ପରେ ଗୋଟାଏ ରିଂ ବାୟୁମଣ୍ଡଳକୁ ଡେଇଁପଡ଼ୁଚି ।

 

ଚୁଙ୍ଗୁଡ଼ି ଲାଇବ୍ରେରିରେ ପାଣି ଦେଖିଲା, ଅନ୍ୟମାନଙ୍କଠାରୁ ଆଶିଷ ବିଷୟରେ ଶୁଣୁଥିବା କଥାଟାର ସତ୍ୟତା ଉପଲବ୍ଧି କଲା ।

 

ଆଶିଷ ପାଖରେ ଚେୟାରଟେ ଘୁଞ୍ଚେଇ ଦେଇ ବସିପଡ଼ିଲା ଚୁଙ୍ଗୁଡ଼ି । ଆଶିଷ ପ୍ରସ୍ତୁତ ହେଲା ।

 

ଜଳୁଥିବା ସିଗାରେଟଟାକ ତଳେ ପକାଇ ଜୋତାରେ ଚକଟି ଦଉଚି ଆଶିଷ ।

 

ଚୁଙ୍ଗୁଡ଼ି ନିର୍ବିକାର ସବୁଦିନ ପରସ୍ପରର ଖିଅ ମେଲି ଦଉନି ଚୁଙ୍ଗୁଡ଼ି । ଆଶିଷ କିନ୍ତୁ ଜମାରୁ ସହଜ ହୋଇପାରୁନି । କେମିତି ଏକ ଅପରାଧ ବୋଧ ତାକୁ ଚୁଙ୍ଗୁଡ଼ି ନିକଟରେ ଛୋଟ କରି ଦଉଚି । କିଛି କହିବ କହିବ ହୋଇ ଆଶିଷ ଶେଷକୁ ଆରମ୍ଭକଲା ‘‘ଖରାପ ଭାବିଲ ?’’

 

କାହିଁକି ଏମିତି ପଚାରୁଚି, ବୁଝିପାରିଲା ନାହିଁ ଚୁଙ୍ଗୁଡ଼ି ।

 

‘‘ନା ତ ! କାହିଁକି କ’ଣ ହେଲା କି ?’’

 

–ସତରେ ମୁଁ ଦୁଃଖିତ !

 

ଚୁଙ୍ଗୁଡ଼ି ବୁଝିଲା, ସିଗାରେଟଟାଏ ଟାଣି ଦେଇଥିବାରୁ ଆଶିଷ ଅନୁତାପ କରୁଚି । ବାସ୍‌, ଆଉ କ’ଣ ଦରକାର ?

 

‘‘–ନାଇଁ ଆଶିଷ, ମୁଁ ଏମିତି କଥାରେ କିଛି ମନେକରେ ନାହିଁ । କାହାର ବ୍ୟକ୍ତିଗତ ରୁଚି ଉପରେ ମୁଁ ହସ୍ତକ୍ଷେପ କରିବାକୁ ଭଲପାଏନା ! ତାକୁ ନେଇ କିଛି ମନେକରିବା ନ କରିବାର ପ୍ରଶ୍ନ କାହିଁକି ଉଠୁଛି ? ସେଇଟା ମୋର ନିହାତି ବ୍ୟକ୍ତିଗତ ।’’

 

–ସିକୁର ବ୍ୟକ୍ତିଗତ କଥା ନେଇ ତମେ ଏମିତି ଉଦାସୀନ ରୁହ ନା କ’ଣ ?

 

ଚୁଙ୍ଗୁଡ଼ି କେମିତି କେଜାଣି ନିଜ ଭିତରେ ଅନୁଭବ କଲା ସିକୁଠାରୁ ସେ ଆଶିଷକୁ ଭିନ୍ନ ଦେଖିବା ଠିକ୍‌ ହେଉନି । ଅନୁଚ୍ଛ ସ୍ୱରରେ ପ୍ରଶ୍ନ କଲା ସେ ।

 

‘‘ତୁମେ କ’ଣ ମୋ କଥା ଶୁଣିବ ? ମୋ ଖରାପ ଭାବନା ନ ଭାବିବା ଉପରେ ଗୁରୁତ୍ୱ ଦେବ ?’’

 

‘‘–ଏକଥା ତୁମର ଅବିଶ୍ୱାସ ହଉଚି ?’’

 

‘‘ତେବେ ଆଉ କେବେ ଧୂଆଁ ପିଇବନି–ମୋ ଦେହ ଛୁଇଁ ପ୍ରମିଜ୍‌ କର !!’’

 

ଚୁଙ୍ଗୁଡ଼ିର ବଢ଼େଇ ଆସିଥିବା ପାପୁଲି ଛୁଇଁ ପ୍ରମିଜ୍ କରିଦେଲା ଆଶିଷ । ସେଦିନୁ ଆଉକେବେ ତାକୁ ଧୂଆଁ ପିଇବାର ଦେଖିନି ସେ, କେହି ଦେଖି ନାହିଁ ।

 

ଶାଶ୍ୱତ ସାର୍‌ କୁଟିଳ ହସ ହସୁଚନ୍ତି ।

 

ସେ ଆଶିଷ ସହିତ ଚୁଙ୍ଗୁଡ଼ିର ସମ୍ପର୍କକୁ ସନ୍ଦେହ କରୁଛନ୍ତି । କରନ୍ତୁ ।

 

ଖାଲି ଶାଶ୍ୱତ କାହିଁକି, ସାରା ପୃଥିବୀଟା ଏକଜୁଟ ହୁଅନ୍ତୁ ସେ ଡରିବ ନାହିଁ ସେଥିକୁ ସେ ଭ୍ରୂକ୍ଷେପ କରିବ ନାହିଁ ।

 

ଅର୍ଥହୀନ ମିଛକଥାକୁ ଭ୍ରୂକ୍ଷେପ କଲେ ବଞ୍ଚି ହୁଏ ନାହିଁ ।

 

ଆଶିଷ ସହ ସେ ନିର୍ଭୟରେ ଗପକରେ । ସମସ୍ତେ ଦେଖନ୍ତି । କେହି ଖରାପ ମନେକରନ୍ତି ନାହିଁ । କେହି ବାଜେ ରିମାର୍କ ପାସୁ କରନ୍ତି ନାହିଁ । ସୁସୁରୀ ମାରନ୍ତି ନାହିଁ ।

 

ଶାଶ୍ୱତ କହୁଚି, ଚୁଙ୍ଗୁଡ଼ିର ସୋସାଲ ଇମେଜ ନଷ୍ଟ ହୋଇଯାଉଚି ଶାଶ୍ୱତ ହୁଏତ ଶୁଣୁଥିବ, ଆଶିଷ ସହ ଖୁବ୍‌ ମିଶୁଚି ଚୁଙ୍ଗୁଡ଼ି । ଅନେକ ସମୟ ବିତେଇ ଦଉଚି ତା’ ସହ ଗପ କରି କରି ।

 

କିନ୍ତୁ କ’ଣ ଗପକରେ, ଜାଣୁଥିବ ଆଶିଷ ।

 

ଆଶିଷ ସହ ଗପିଗପି ରାସ୍ତାରେ ଚାଲେ ଚୁଙ୍ଗୁଡ଼ି, କିନ୍ତୁ କ’ଣ ଆଲୋଚନା ଚାଲିଯାଏ ବୁଝିଥିବ ଖାଲି ଆଶିଷ ।

 

କୋଉଦିନ କୋଉଠି ଛାତ୍ର ସଙ୍ଗଠନ କରିବାକୁ ହେବ, ଏଥର କେତେଜଣ ଗରିବ ପିଲାଙ୍କୁ ସିପ୍‌ଫ୍ରି ମିଳି ନାହିଁ । ଏମିତି କେତେକଥା–ସମସ୍ୟା ଉପରେ ଆଲୋଚନା ହୁଏ ।

 

ଏମାନଙ୍କ ସହିତ ଯୋଗଦିଅନ୍ତି ଆସୋସିଏନ୍‍ର ଅନ୍ୟ ସଭ୍ୟମାନେ । ମହିଳା ସଭ୍ୟସଂଖ୍ୟା ନଗଣ୍ୟ ।

 

ସେକ୍ରେଟାରୀ ହେଲା ଚୁଙ୍ଗୁଡ଼ି ଆଶିଷ ସଭାପତି ।

 

ଆସୋସିଏନ୍‍ର ନାଁ ‘‘ଅକ୍‌ଟୋପାଶ’’ ।

 

ଆଶିଷ ଏଇ ନାଁଟା ଦେଇଥିଲା ।

 

ଚୁଙ୍ଗୁଡ଼ି ହସି ହସି ବେଦମ ହୋଇଯାଇଥିଲା–‘ତମକୁ କ’ଣ ଆଉ ଭଲ ନାଁଟିଏ ମିଳିଲା ନାହିଁ ଯେ, ଅକ୍‌ଟୋପାଶ, ତିମି କୁମ୍ଭୀର ଦେଲ ଶେଷକୁ ।’’

 

କବିଲୋକ ସିଏ । ଅନେକ ବୁଝେଇ ଦେଇଗଲା ।

 

ସଂସଦର ନାମକରଣର ସାର୍ଥକତା ନେଇ ବକ୍ତୃତା ଆରମ୍ଭ କରିଦେଲା । ଆଶିଷ ।

 

‘‘ଅକ୍‌ଟୋପାଶ୍‌ର ଆଠଟା ହାତ । ଶରୀରଟା ତା’ର ଭାରି ମାଂସଳ, କୋମଳ ମଧ୍ୟ । ଅକ୍‌ଟୋପାଶ୍ ତା’ର ଆଠଟା ହାତରେ ଶତ୍ରୁକୁ ତା’ ନିଜ ଭିତରକୁ ଓଟାରି ନିଏ, ନିଜଭିତରେ ହଜମକରି ଦିଏ । ତା’ର ଶରୀର ମାଂସଳ, କୋମଳ । ମାତ୍ର ଆକ୍ରମଣ କଲାବେଳେ ହାତଗୁଡ଼ାକ କଠିନ, ରୁକ୍ଷ ଭୟଙ୍କର ।

 

‘‘ଆମ ଆସୋସିଏସନ୍‍ର ମୂଳଲକ୍ଷ୍ୟ ମହାନ୍, ସମସ୍ତଙ୍କର ମଙ୍ଗଳ, ସମସ୍ତଙ୍କର ଶାନ୍ତି ଆଉ ସନ୍ତୋଷ । ମାତ୍ର ଏଇ ଶାନ୍ତି ଓ ସମତା ସ୍ଥାପନ କରିବା ପଥରେ ଯେବେ କିଛି ବାଧାବିଘ୍ନ ଉପୁଜେ କୌଣସି ଅପ-ଶକ୍ତି ଯଦି ତା’ର ବିରୋଧକରେ ତାହାହେଲେ ଅକ୍‌ଟୋପାଶ୍‍ର ଆଠଟା ଶକ୍ତ, ରୁକ୍ଷ ଓ ଭୟଙ୍କର ହାତପରି ଭୟଙ୍କର ହୋଇଉଠିବ । ହିଂସା, ବିପ୍ଳବ, ଅତ୍ୟାଚାର, ଅସହଯୋଗ, ବିରୋଧ, ଅନଶନ, ହରତାଳ ଏପରିକି ହତ୍ୟା ଅକ୍‌ଟୋପାଶ୍‍ର ଆଠଟା ଶକ୍ତ ହାତପରି ସମାଜକୁ ଚାପିଆଣିବ ନିଜ ଅକ୍ତିଆର ଭିତରକୁ, ସାମିଲ କରିହବ ତା’ର କଳ୍ପିତ ଶାନ୍ତି ମୈତ୍ରୀ ତଥା ସମସତା ସ୍ଥାପନାରେ ।

 

ଯେଉଁ ସମାଜ ଆମକୁ ବଞ୍ଚିରହିବାର ନିଶ୍ଚିତ ଭରସା ଦେଇପାରେ ନାହିଁ, ତା’ର ପୁନର୍ଗଠନ ନିଶ୍ଚୟ କାମ୍ୟ । ନିହାତି ଜରୁରୀ ମଧ୍ୟ ।

 

ଚୁଙ୍ଗୁଡ଼ି ବୁଝିଯାଏ, ଅକ୍‍ଟୋପାଶ୍ ନାଁଟା ସଂସଦପାଇଁ ସାର୍ଥକ ହୋଇଚି । ଆଶିଷକୁ ଜଣେଇଦିଏ ।

 

ଆଶିଷ ହସେ, ‘‘ମୋର ନାଁ ଚୁଙ୍ଗୁଡ଼ି ହେଲା କାହିଁକି କହିପାରିବ ? ଦୁନିଆରେ ତ କେତେ ନାଁ ଆଖିରେ ପଡ଼େ ।’’

 

ଚୁଙ୍ଗୁଡ଼ିକୁ ଲାଜ ଲାଗେ । କିଛି କହିପାରେ ନାହିଁ । ଭଲ ନାଁ ତା’ ଚୈତାଳି ହେଲେବି ସମସ୍ତେ ଡାକନ୍ତି ଚୁଙ୍ଗୁଡ଼ି । ପିଲାଦିନେ ସେ କାନ୍ଦୁରୀ ଥିଲା । ଚୁଙ୍ଗୁଡ଼ି ମାଛ ପରି ଗୋଡ଼ହାତ ଛାଟି କାନ୍ଦୁଥିଲା ବୋଲି ସମସ୍ତେ ଚୁଙ୍ଗୁଡ଼ି ଡାକୁଥିଲେ ।

 

‘‘–ଆଶିଷ ପୁଣି କହୁଚି ଚୁଙ୍ଗୁଡ଼ି ନାଁଟା ତମପାଇଁ ପୂରାପୂରି ପ୍ରଯୁଜ୍ୟ । ଚୁଙ୍ଗୁଡ଼ି କ’ଣ ଜାଣ-? ସହନଶୀଳତାର ପ୍ରତୀକ । ଯାହାର କିଛି ପ୍ରତିବାଦ ନାହିଁ । ନିରକ୍ତ ଅଭିମାନ ଶୂନ୍ୟ । ଯାହା ନିକଟରେ ଦୁନିଆରେ ସମସ୍ତ ବିବର୍ତ୍ତନବାଦ ଅର୍ଥହୀନ, ନିର୍ଜୀବ ଗୋଡ଼ି ବାଲିରେ ଯାହାର ସମାପ୍ତି-। ସେ ଚୁଙ୍ଗୁଡ଼ି । ତମ ନାଁ ଚୁଙ୍ଗୁଡ଼ି ଯେତେ ଭଲ ଲାଗୁଚି । ଶିକ୍ତା, ଆର୍ଯ୍ୟା, କିମ୍ବା ତନ୍ଦ୍ରା ହୋଇଥିଲେ ତାହା ଲାଗନ୍ତା ନାହିଁ । ତା’ ଛଡ଼ା ଚୁଙ୍ଗୁଡ଼ି ନାଁଟା ଶହେକୁ ଶହେ ଠିକ୍‌ ହୋଇଚି ।’’

 

ଚୁଙ୍ଗୁଡ଼ି ନିଜ ନାଁର ପ୍ରଶଂସା ପ୍ରଥମଥର ପାଇଁ ଶୁଣେ ଆଶିଷର ମୁହଁରୁ । ଖୁସିଲାଗେ ତାକୁ ।

 

କଲେଜରେ ସମସ୍ତେ ଜାଣନ୍ତି ଚୁଙ୍ଗୁଡ଼ି ଆଶିଷର ଭଉଣୀ । ଚୁଙ୍ଗୁଡ଼ି କାହାକୁ ଲୁଚାଏ ନାହିଁ-। ଲୁଚାଇବାର କ’ଣ ଅଛି ଏଥିରେ ଯେ ।

 

ସିକୁ ଏବେ କଥା ଲୁଚେଇବା ଆରମ୍ଭ କଲାଣି ।

 

ଏଇଟା ଚୁଙ୍ଗୁଡ଼ିର ଶେଷକଲେ କରେ । ଆଉ କେଇଟା ମାସପରେ ବି. ଏ. ଫାଇନାଲ୍ ପରୀକ୍ଷା ଦେବ ଚୁଙ୍ଗୁଡ଼ି ।

 

ସିକୁର ଆଉ ବର୍ଷଟେ ଅଛି ।

 

କ୍ଲାସ୍ ସରିଗଲେ ସିକୁ ଏଥର ଆସେ ନାହିଁ ଚୁଙ୍ଗୁଡ଼ି ସହିତ ।

 

ଏଣୁତେଣୁ ମିଛକହି ରହିଯାଏ କଲେଜରେ ।

 

ବେଶି ବୁଲେ । ସାଙ୍ଗଘର ଯାଇଚି କହି ଡେରିରେ ଫେରେ ଘରକୁ ।

 

ଚୁଙ୍ଗୁଡ଼ି କିନ୍ତୁ ଜାଣେ । ଠିକ୍‌ ଜାଣିପାରେ । ଫାର୍ଷ୍ଟ ଇଅରର ସେହି ପାତଳି ବବ୍‌ବାଲୀ ଝିଅଟାକୁ ବେଶି ଦେଖୁଚି ସିକୁ ।

 

କିଛି କୁହେ ନାହିଁ ଚୁଙ୍ଗୁଡ଼ି । ଦୂରରୁ ଦେଖିଚି । ଝିଅଟା ସୁନ୍ଦରୀ । ଗୋରା, ପତଳା । ଛୋଟ ଗୋଲ ମୁହଁ । ବଡ଼ବଡ଼ ଆଖି । ଧାରୁଆ ନାକ, ସରୁ ସରୁ ଲିପ୍‌ଷ୍ଟିକ୍‌ ବୋଳା ଓଠ । ନିଜକୁ ବେଶ୍ ସଜେଇ ସଜେଇ କଲେଜକୁ ଆସେ ।

 

ସିକୁ ସହିତ ତାକୁ ଥରେ ଦି’ଥର ଦେଖିଲାଣି ଚୁଙ୍ଗୁଡ଼ି ।

 

ୟାକୁ ଦେଖିଲେ ସିକୁ ଡରିଯାଉଚି । ଲୁଚିଯାଉଚି, ଖସିଯାଉଚି ।

 

ଚୁଙ୍ଗୁଡ଼ି ଲୁଚେଇ ଲୁଚେଇ ହସୁଚି, ଖୁସିହଉଚି । କିଛି କହୁ ନାହିଁ ।

 

ଏଇ ସିକୁ ! କେତେ ଟିକେ ନଥିଲା । କେତେ କାନ୍ଦୁରା, ଅଝଟିଆ ନଥିଲା !

 

ବୋଉ ବୁଝୁଥିଲା ତା’ର ଅଝଟ ।

 

ଦିନାକେତେ ବୁଝିଚି ଚୁଙ୍ଗୁଡ଼ି, ଏବେବି ସେ ଦାୟିତ୍ୱ ଅଛି ତା’ ଉପରେ । ଆଉ ସେହି ଗୋରୀ ପାତେଳୀ ଝିଅଟା ଚାଲିଆସିଲେ ଚିରଦିନ ବୁଝୁଥିବ ଅଝଟିଆ ସିକୁର ଅଝଟ ।

 

ସେଦିନ କେତେ ଖୁସି ନ ହବ ଚୁଙ୍ଗୁଡ଼ି !

 

ନାଲିଶାଢ଼ି ପିନ୍ଧି ଟିକି ଝିଅଟିଏ ଚାଲିଆସିବ ତା’ର ଭାଉଜ ହୋଇ । ସୁନ୍ଦର ରେଶମୀ କଣ୍ଢେଇଟାଏ । ଚୁଙ୍ଗୁଡ଼ି ତାକୁ ନେଇ ହସିବ, ଖେଳିବ, ଖୁସିହବ ।

 

ଚୁଙ୍ଗୁଡ଼ି ଆବେଗରେ ଆଖି ବୁଜିଦିଏ ।

 

ଏଇ ନାଲିପାଟ ପିନ୍ଧିବାକୁ ବୋହୂ ବେଶରେ କଳ୍ପନା କଲେ ମନରେ ଆସେ ତପନ ।

 

ସ୍କୁଲ୍‍ରେ ପଢ଼ିଲାବେଳେ ଏଇ ତପନ ତାକୁ କହିଥିଲା ନାଲିପାଟ ପିନ୍ଧେଇ ବୋହୂ କରିନବ ବୋଲି ।

 

ଚୁଙ୍ଗୁଡ଼ି ସେକଥା ମନେକରି ହସୁଚି, ମନକୁ ମନ ।

 

ଗୋଟାଏ ଛୋଟ ପିଲାଳିଆ କଳି ପରେ ତପନ ସହ ତା’ର ଆଉ ଦେଖା ହୋଇ ନାହିଁ ।

 

ତା’ ବିଷୟରେ କିଛି ଖବର ମଧ୍ୟ ରଖିପାରି ନାହିଁ ଚୁଙ୍ଗୁଡ଼ି ।

 

ବାହାର ଷ୍ଟେଟ୍‌ରେ କୋଉଠି ରହୁଚି ଏବେ ।

 

ଚୁଙ୍ଗୁଡ଼ି ତା’ର ଠିକଣା ଜାଣି ନାହିଁ । ଜାଣିବାର ଉପାୟ ନାହିଁ ତା’ର । ଜାଣି ମଧ୍ୟ ଲାଭ ନାହିଁ ।

 

ତା’ ପାଖୁ କେବେ ଚିଠି ଲେଖିବ ନାହିଁ ସେ ।

 

ତପନ ବଡ଼ଲୋକ । ତା’ ବାପା ଧନୀ । ଗରିବ ଏଇ ଚୁଙ୍ଗୁଡ଼ି ।

 

ଅନେକ ଚୁଙ୍ଗୁଡ଼ିକୁ ଏଇ ଚାରିବର୍ଷ ଭିତରେ ଭେଟିଥିବ ତପନ ।

 

ତପନ ତାକୁ ଭୁଲିଯାଇଥିବ ।

 

ଚୁଙ୍ଗୁଡ଼ି ଭୁଲି ନାହିଁ, ଭୁଲିପାରି ନାହିଁ ।

 

ତପନ ସହ ସେ ମାଡ଼ଗୋଳ କରିଚି । ତା’ ସହ ବରକୋଳି ବେତକୋଳି ଖାଇଚି । ଉଭୟ ସାଙ୍ଗହୋଇ ଆମ୍ବଗଛକୁ ଟେକା ମାରିଚନ୍ତି ।

 

ସାଙ୍ଗହୋଇ ଲୁଚକାଳି ଖେଳିଚନ୍ତି ।

 

ଚୁଙ୍ଗୁଡ଼ିପାଇଁ ତପନ ମାଡ଼ ଖାଇଚି ସାର୍‌ଙ୍କଠାରୁ ।

 

ତପନପାଇଁ ଚୁଙ୍ଗୁଡ଼ି ମନ ଆକୁଳ ହୋଇଚି ।

 

ଚୁଙ୍ଗୁଡ଼ିର ସବୁ ମନେଅଛି ଗୋଟି ଗୋଟି ହୋଇ ।

 

ମନେଅଛି ତପନ ଯେଉଁଦିନ ତାକୁ ଅପମାନ କରିଥିଲା ।

 

ସେଇଦିନୁ ଚୁଙ୍ଗୁଡ଼ି ଆଉ ଦେଖିନି ତପନକୁ । କିଏ ଜଣେ ତାକୁ କହୁଥିଲା ତପନ ତାକୁଥରେ ଖୋଜୁଥିଲା ବୋଲି । ଚୁଙ୍ଗୁଡ଼ିର ଦେଖା ହୋଇ ନାହିଁ ।

 

ଚାରିବର୍ଷ ହୋଇଗଲା !

 

ଯାହାକୁ ଚୁଙ୍ଗୁଡ଼ି ମନେକରେ, ତା’ ସହିତ ଦେଖାହୁଏ ନାହିଁ ।

 

ଆଉ, ଯାହାକୁ ଦେଖିଲେ ମନ ଭରିଯାଏ ବିରକ୍ତିରେ, ତା’ ସହିତ ନିତି ଦେଖାହୁଏ ।

 

ଏଇ ଶାଶ୍ୱତ ସାର୍‌ !

 

ଆସନ୍ତି, ବସନ୍ତି, ବାପାଙ୍କ ସହିତ ଗପକରନ୍ତି, ତାଙ୍କୁ କ’ଣ ଆଉକିଛି ଗପ କରିବାକୁ ମିଳେ ନାହିଁ ? ଖାଲି ଆଶିଷର ନିନ୍ଦା !

 

ଆସେ ସଉରୀ ପଣ୍ଡା । ପୁଅର ବିବାହ ପ୍ରସ୍ତାବ ନେଇ ।

 

ଚୁଙ୍ଗୁଡ଼ି ମୁହଁକୁ ସିଧା ଚାହେଁ ନାହିଁ କେବେ । ବଙ୍କେଇ ଲୁଚି ଲୁଚି ଚୁଙ୍ଗୁଡ଼ି ମୁହଁକୁ ଚାହେଁ, ଓଠ ଚାଟେ । ଆଖି ଜୁକୁଜୁକୁ କରେ ।

 

ବାପାଙ୍କ ସହିତ ଗପ କରୁଥାଏ ସିନା, ଆଖିଥାଏ ଚୁଙ୍ଗୁଡ଼ି ଉପରେ ।

 

ବାପା କୁହନ୍ତି ଚୁଙ୍ଗୁଡ଼ିକୁ ଚା’ କରି ଆଣିବାକୁ ।

 

ଚୁଲି ମୁଣ୍ଡରେ ପିଢ଼ାଟାଏ ପକେଇ ଗୋଡ଼ ଜାକି ବସେ ଚୁଙ୍ଗୁଡ଼ି । ମୁଣ୍ଡ ରଖେ ଆଣ୍ଠୁ ଉପରେ । କାଉଁରିଆ ଜାଳ ଚୁଲିରେ ପେଲି ଚା’ ତିଆରିକରେ ଚୁଙ୍ଗୁଡ଼ି । ସଉରୀ ପଣ୍ଡା ହାତକୁ ବଢ଼ାଏ ।

 

ଚୁଙ୍ଗୁଡ଼ି ଠିକ୍‌ ଅନୁଭବ କରିପାରେ, ୟା ହାତରୁ ଚା’ କପଟା ନଉ ନଉ ସଉରୀ ପଣ୍ଡାର ହାତଟା ତା’ ହାତକୁ ଆଗ ଛୁଇଁଦିଏ ।

 

ଚୁଙ୍ଗୁଡ଼ିର ହାତରେ ସଉରୀ ପଣ୍ଡାର ଟାଆଁସା ଟିପଗୁଡ଼ାକ କାହିଁକି କେଜାଣି ଟିକେ ବେଶି ଜୋରରେ ଘଷି ହୋଇଯାଏ ।

 

ସେତେବେଳେ ତା’ ମୁହଁକୁ ଚାହିଁବାକୁ ଭୟହୁଏ ଚୁଙ୍ଗୁଡ଼ିକର ।

 

ତା’ ଆଖିରେ ହୁଏତ ବାଘ ମାତିଥିବ ।

 

ଏଇ ବାଘକୁ ସିଏ ଅନେକଠାରେ ଦେଖିଚି । ଏ ବାଘକୁ ସେ ଠିକ୍‌ ଚିହ୍ନିନଉଚି ଏଥର । ତା’ ବାସ୍ନାରୁ, ତା’ ହେଣ୍ଟାଳରୁ ।

 

ଚୁଙ୍ଗୁଡ଼ି ସେଠୁ ଚାଲିଆସେ ।

 

ବାଘ ମୁହଁରୁ ଖସି ଆସେ ।

 

ଚୁଙ୍ଗୁଡ଼ି ବୁଝିଯାଏ, ବୋହୂ କରିବାର ଲୋଭରେ ନୁହେଁ, ନିଜ ଛାତିତଳେ ଲୁଚେଇ ରଖିଥିବା ବାଘଟା ସହିତ ଚୁଙ୍ଗୁଡ଼ିକୁ ଭେଟ କରିଦବାକୁ ସଉରୀ ପଣ୍ଡା ବାରମ୍ବାର ଆସୁଚି ତାଙ୍କ ଘରକୁ । ଚୁଙ୍ଗୁଡ଼ି ସେଇଆ ଲକ୍ଷ୍ୟକରେ ।

 

ସଉରୀ ପଣ୍ଡା ଆଖିରେ ସେହି ମଣିଷ ମାଂସର ଭୋକ ।

 

ଓଠରେ ମଣିଷ ରକ୍ତର ତୃଷା ।

 

ତାକୁ ପଢ଼ିନେଇ କ୍ଷଣକପାଇଁ ଭୟରେ ଶିହରିଯାଏ ସେ ।

 

ଚୁଙ୍ଗୁଡ଼ି ତା’ର ସେ ଭୋକକୁ ବୁଝିବାପାଇଁ ଚେଷ୍ଟାକରେ ନାହିଁ ।

 

ତା’ର ସେ ଶୋଷର ସମୀକରଣ ପାଇଁ ମୁଣ୍ଡବ୍ୟଥା କରେ ନାହିଁ ।

 

ବାଘ ଫେରିଯାଏ । ଫେରିଯାଏ ତା’ର ଗୁମ୍ଫାକୁ ।

 

ଚୁଙ୍ଗୁଡ଼ି ନିଃଶ୍ୱାସ ନିଏ । ଆଶ୍ୱସ୍ତ ହୁଏ ।

 

ଏଥର ବାପା କାହିଁକି କେଜାଣି ବେଶି ଭଲପା’ନ୍ତି ଶାଶ୍ୱତ ସାର୍‌ଙ୍କୁ ।

 

ଘଣ୍ଟା ଘଣ୍ଟା ବସି ଗପକରନ୍ତି ।

 

ସେ ଥିଲାବେଳେ ଗପହୁଏ ତାଙ୍କସହ ।

 

ସେ ଚାଲିଗଲା ପରେ ସିକୁ ସହିତ ଆଲୋଚନା ହୁଏ ତାଙ୍କ ବିଷୟରେ । ଏକା ଥିଲାବେଳେ ବାପା ତା’ରି ପ୍ରଶଂସା କରନ୍ତି ଚୁଙ୍ଗୁଡ଼ି ଆଗରେ ।

 

ଚୁଙ୍ଗୁଡ଼ି ବହୁତ ପଛରେ ଜାଣିଲା, ଶାଶ୍ୱତ ସାର୍‌ଙ୍କ ସହିତ ତା’ର ବାହାଘର ଠିକ୍‌ କରିଚନ୍ତି ବାପା । ଶାଶ୍ୱତ ସାର୍‌ କ୍ଲର୍କ ହେଲେବି ଏମ୍‌. ଏ. ପାସ୍ କରିଚନ୍ତି । କମ୍ପିଟିଟିଭ ପରୀକ୍ଷା ଦଉଚନ୍ତି । ଭଲ ସ୍କଲାର୍ ସଫଳ ହେବାର ଆଶାବି ଅଛି ତାଙ୍କର ।

 

ଗାଁରେ କିଛି ଜମିବାଡ଼ି ଆଉ ଘରବି ଅଛି । ବୁଢ଼ୀମା’ଟି ଛଡ଼ା ନିଜର ବୋଲି କେହି ନାହାନ୍ତି ତାଙ୍କର । ଶାଶ୍ୱତ ସାର୍‌ ଆଗ୍ରହୀ ଅଛନ୍ତି । ନିଜପକ୍ଷରୁ ବାହାଘରର ପ୍ରସ୍ତାବ ଦେଇଚନ୍ତି ଚୁଙ୍ଗୁଡ଼ିର ବାପାଙ୍କୁ ।

 

ଚୁଙ୍ଗୁଡ଼ିକୁ ପିଲାଟିଦିନରୁ, ସ୍କୁଲ୍‍ଛାତ୍ରୀ ଥିବା ଦିନରୁ ଦେଖି ଆସିଚି ଶାଶ୍ୱତ । ତା’ର ସ୍ୱଭାବ, ରୁଚି, ଭଲମନ୍ଦ ସବୁ ଜାଣିଚି ସେ । ଶାଶ୍ୱତ ତାକୁ ଭଲ ପାଇ ପାରିବ । ତାକୁ ଖୁସି କରିବାକୁ ଭୁଲିଯିବ ନିଜକୁ, ସାରା ଦୁନିଆକୁ ।

 

ଚୁଙ୍ଗୁଡ଼ି ବୁଝିଲା, ଏଇ କାରଣପାଇଁ ଶାଶ୍ୱତ ତା’ର ଅନ୍ୟ ପୁରୁଷମାନଙ୍କ ସହିତ ମିଳାମିଶାକୁ ସହ୍ୟ କରିପାରେ ନାହିଁ । କିଛି ନ ବୁଝି, ସତକଥା ନ ଜାଣି ସନ୍ଦେହ କରିଥିଲା ଆଶିଷକୁ ।

 

ସବୁ ଝିଅଗୁଡ଼ାକଙ୍କ ପରି ପୁଅମାନେବି ଏଇଆ । ସମସ୍ତେ ସେମାନଙ୍କ ମଣିଷଟିକ ଏକାନ୍ତଭାବେ କେବଳ ତାଙ୍କର କରି ପାଇବାକୁ ଚାହାନ୍ତି ।

 

ସେଥିରେ କାହାର ଇଞ୍ଚେବି ଅଧିକାର ତାଙ୍କର ଅସହ୍ୟ ହୁଏ । ଦେହ, ମନ, ସବୁଥିରେ ।

 

ଶାଶ୍ୱତ ସେଥିରୁ ବାଦ୍ ଯାଇ ନାହାନ୍ତି ।

 

ଶାଶ୍ୱତ ବାପାଙ୍କୁ ତା’ର ମତ ଜଣେଇ ଦେଇଚି । ସେ ଚୁଙ୍ଗୁଡ଼ିକୁ ଭଲପାଏ । ପସନ୍ଦ କରେ, ତାକୁ ନିଜର କରିବାକୁ ଚାହେଁ ।

 

ଦିନେ ନୁହେଁ, ମାସେ ନୁହେଁ କି ବର୍ଷେବି ନୁହେଁ, ଜୀବନସାରା ତାକୁ କୁଣ୍ଢେଇ କରି ନଚେଇବାକୁ ଚାହେଁ ଶାଶ୍ୱତ ।

 

ପାଖରେ ପାଇବି ଛୁଇଁବନି । କାଚଆଲମାରି ଭିତରେ ସଜେଇଦବ ।

 

ଏଇକଥା ବାପା ନିଜେ ଜଣେଇଦେଲେ ଚୁଙ୍ଗୁଡ଼ିକୁ ।

 

କ୍ଷକଣିପାଇଁ ଲାଜରେ ସଡ଼ିଗଲା ଚୁଙ୍ଗୁଡ଼ି ।

 

ସେଇ ମୁହୂର୍ତ୍ତରେ ଶାଶ୍ୱର ଚେହେରା କେମିତି ଭିନ୍ନ ହେଇଗଲା ଚୁଙ୍ଗୁଡ଼ିପାଇଁ ।

 

ଶାଶ୍ୱତକୁ ପସନ୍ଦ କରିଚନ୍ତି ବାପା । ଶାଶ୍ୱତ କୁଆଡ଼େ ତାକୁ ଭଲପାଏ । ତା’ ଛଡ଼ା ସେ କୋଉଦିନ ଚୁଙ୍ଗୁଡ଼ିକୁ ଅପମାନ କରି ନାହିଁ । ଚୁଙ୍ଗୁଡ଼ି ଆଗରେ ଇତରତା ପ୍ରକାଶ କରି ନାହିଁ–ଯେଉଁଟାକୁ ଚୁଙ୍ଗୁଡ଼ି ଖୁବ୍‌ ଗୁରୁତ୍ୱ ଦିଏ ।

 

ଆଉ କ’ଣ ଦରକାର ? ଚୁଙ୍ଗୁଡ଼ି ଏ ପ୍ରସ୍ତାବରେ ପ୍ରତିବାଦ କଲା ନାହିଁ । ଚୁଙ୍ଗୁଡ଼ିର ଗୋଟିଏ ସର୍ତ୍ତ । ସର୍ତ୍ତ ନୁହେଁ ତ ଅନୁରୋଧ । ବି. ଏ. ପରୀକ୍ଷାଟା ଦେଇସାରିଲା ପରେ ବାହାଘର ହେବ ।

 

ରାଜି ହୋଇଛନ୍ତି ବାପା । ରାଜି ହୋଇଚନ୍ତି ଶାଶ୍ୱତ ସାର୍‌ ।

 

ସେ ବି ଚୁଙ୍ଗୁଡ଼ିର ଉନ୍ନତି ଚାହାନ୍ତି । ତାଙ୍କରିପାଇଁ ଚୁଙ୍ଗୁଡ଼ିର ଭବିଷ୍ୟତର ଉଜ୍ଜ୍ୱଳତା ଟିକେବି ମଳିନ ଦିଶୁ ଚାହାନ୍ତି ନାହିଁ ସେ ।

 

ଶାଶ୍ୱତ ସାର୍‌ ଏବେ ଖୁବ୍‌ କମ୍‌ ଆସନ୍ତି । ଚୁଙ୍ଗୁଡ଼ି କିଛି କୁହେ ନାହିଁ । ଶାଶ୍ୱତ ହସନ୍ତି ଚୁଙ୍ଗୁଡ଼ି ମୁହଁକୁ ଚାହିଁ । ସେ ହସ ଅପୂର୍ବ ଲାଗେ ଚୁଙ୍ଗୁଡ଼ିକୁ । ଶାଶ୍ୱତ ସାର୍‌ ଭାରି ଲାଜକୁଳା । ଆଗରୁ ତାକୁ ଏମିତି ସିଧାସିଧା ମୁହଁକୁ ଚାହିଁ ହସୁଥିବାର କେବେ ଦେଖିନି ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ି ହସେ ନାହିଁ । ତାକୁ ଲାଜ ଲାଗେ ।

 

ଏଇ ଶାଶ୍ୱତ ହେବ ତା’ର ବର । ସେ ହେବ ବଧୂ ।

 

ୟାର ପାଖରେ ସେ ମଥାରେ ଓଢ଼ଣା ପକେଇ ବେଦିରେ ବସିବ ।

 

ୟାରି ହାତ ଉପରେ ହାତ ରଖି ସମସ୍ତଙ୍କ ସାମ୍ନାରେ ତା’ରି ହୋଇଯିବ ।

 

ପୁଣିଥରେ ସେଇକଥା ମନେକରି ଲାଜରେ ଶଢ଼ିଯାଏ ଚୁଙ୍ଗୁଡ଼ି ।

 

କୃଷ୍ଣଚୂଡ଼ା ଗଛମୂଳେ, ସିକୁ ପାଖକୁ ଲାଗି ଠିଆହୋଇ ଗପ କରୁଥିବା ଝିଅଟା ଏମିତି ଲାଜରେ ଶଢ଼ିଯାଉଥିଲା । ସିକୁଟା ଜନ୍ମରୁ ଦୁଷ୍ଟ । ତାକୁ କ’ଣ କହୁଥିଲା କେଜାଣି, ତା’ର ଗୋରା ମୁହଁଟା ଗୋଲାପୀ ପଡ଼ି ଯାଉଥିଲା ଲାଜରେ ।

 

ଚୁଙ୍ଗୁଡ଼ିକୁ ସେ ଆଡ଼କୁ ଯାଉଥିବାର ଦୂରରୁ ଦେଖି ଝିଅଟା ଦୌଡ଼ି ଚାଲି ଯାଉଥିଲା–‘‘ତମ ଅପା !’’

 

ସିକୁ ତା’ର ହାତ ଧରି ଅଟକେଇ ଦଉଚି । –ଆସୁ ! ଏତେ ଛାନିଆ କାହିଁକି ? ସେ କିଛି କହିବନି ! ସେ ଆଶିଷ ଭାଇନା ସହ ଗପ କଲାବେଳେ ତ ମୁଁ ଥାଏ–ମୁଁ କ’ଣ କହିଚି ତାକୁ କେବେ-? ମୁଁ କ’ଣ ମନା କରିଚି ? ଝିଅଟା ଆଖି ବଡ଼ବଡ଼ କରି ହସୁଚି । ‘‘ଅପାଙ୍କୁ ସେମିତି କୁହନ୍ତି-? ଦୁଷ୍ଟ-!’’

 

‘‘ତମ ପାଖରେ ମୋର ଦୁଷ୍ଟାମି ବଢ଼ିଯାଇଚି, ନା ?’’

 

ଝିଅଟା ଆଉ କ’ଣ କହୁଚି, ଶୁଣିପାରିଲା ନାହିଁ ଚୁଙ୍ଗୁଡ଼ି । ସେ ସେ ରାସ୍ତା ଛାଡ଼ି ଅନ୍ୟରାସ୍ତା ଦେଇ ଚାଲୁଚି ।

 

ସିକୁର କଥାଗୁଡ଼ାକ ଧକ୍କା ମାରିଲା ପରି ଲାଗିଲା ତାକୁ । ତା’ର ଜମାରୁ ବିଶ୍ୱାସ ହେଲା ନାହିଁ ସିକୁ ଏକଥା କହୁଚି ବୋଲି !

 

ଲୁଚେଇ ଲୁଚେଇ ଲୁହ ଝରେଇଲା ଚୁଙ୍ଗୁଡ଼ି ।

 

ଶାଶ୍ୱତ ସାର୍‌ଙ୍କ ସହିତ ତା’ର ବାହାଘର ସ୍ଥିର ହୋଇଚି ।

 

ସେ ଚାହୁଁ ନାହାନ୍ତି ଆଶିଷ ସହ ତା’ର କିଛି ସମ୍ପର୍କ ରହୁ ।

 

ସିକୁବି ସେ ସମ୍ପର୍କକୁ ସନ୍ଦେହ କରୁଚି ।

 

ଚୁଙ୍ଗୁଡ଼ି ଆଶ୍ଚର୍ଯ୍ୟ ହୋଇଯାଏ । ଭାଇଭଉଣୀର ସମ୍ପର୍କକୁ କ’ଣ କେବେ କାଟିହୁଏ ? ସିକୁ ସହିତ ତା’ର ସମ୍ପର୍କ କ’ଣ କେବେ କଟିପାରିବ ?

 

କିନ୍ତୁ ଏକଥା କେହି ବୁଝିବେ ନାହିଁ ।

 

ସମସ୍ତଙ୍କ ଇଚ୍ଛାକୁ ସମ୍ମାନଦବ ଚୁଙ୍ଗୁଡ଼ି । ଆଶିଷକୁ ଆଉ ସେ ଦେଖାକରିବ ନାହିଁ । ତା’ ସହିତ ପାଟି ଖୋଲିବ ନାହିଁ । ଦୁଃଖକରୁ ଆଶିଷ । ସମସ୍ତେ ଖୁସି ହୁଅନ୍ତୁ ।

 

ଆଶିଷ ଜାଣୁ, ତା’ ଭଉଣୀ ମରିଯାଇଚି । ନିହାତ ଅସହାୟ, ନିରୁପାୟ ହୋଇ ନିଜେ ନିଜକୁ ହତ୍ୟାକରିଚି ।

 

ନିଜ ଇଚ୍ଛା ବିରୁଦ୍ଧରେ କିଛି କରିବାମାନେ ଚୁଙ୍ଗୁଡ଼ି ମତରେ ଆତ୍ମହତ୍ୟା ଛଡ଼ା ଆଉକିଛି ନୁହ ।

 

ଚୁଙ୍ଗୁଡ଼ି ‘ଅକ୍‌ଟୋପାଶ୍’କୁ ଭୁଲିଯିବ ।

 

ଭୁଲିଯିବ ସିକୁପାଇଁ । ଶାଶ୍ୱତପାଇଁ । ସେମାନଙ୍କୁ ଖୁସି କରିବାକୁ ।

 

କ୍ଲାସ୍ ଏବେ ଆଉ ହଉ ନାହିଁ । କଲେଜ ସସ୍‌ପେଣ୍ଡ ହୋଇଯାଇଚି ତା’ର । ଫାଇନାଲ୍ ପରୀକ୍ଷା ଆଗରେ । ଘରେ ରହି ପରୀକ୍ଷାପାଇଁ ପ୍ରସ୍ତୁତ ହେବାକୁ ଲମ୍ବାଛୁଟି ।

 

ଚୁଙ୍ଗୁଡ଼ି ଭୟରେ ଶିହରି ଯାଏଁ । ତା’ର କିଛି ହେଲେ ବହି ନାହିଁ । ଖଣ୍ଡେ ହେଲେ ବହି କିଣିପାରି ନାହିଁ । ଘରେ ପ୍ରସ୍ତୁତ ହେବ କ’ଣ ? କ’ଣ ପଢ଼ି ପ୍ରସ୍ତୁତ ହେବ କଲେଜରେ, ସାଙ୍ଗମାନଙ୍କଠାରୁ ମାଗିଆଣି, ଲାଇବ୍ରେରିରେ ବସି ଯାହା ଯେମିତି ଚଳେଇ ଦଉଥିଲା । ଚୁଙ୍ଗୁଡ଼ି ଠିକ୍‌ କରିନେଲା ଲାଇବ୍ରେରି ଯିବ । ସେଇ ଲାଇବ୍ରେରିର ମେମ୍ବରସିପ୍‌ ନେଇ ଚୁଙ୍ଗୁଡ଼ି ସେଠିକୁ ପଢ଼ିବାକୁ ଗଲା ।

 

ସବୁଦିନେ ଅବଶ୍ୟ ଲାଇବ୍ରେରି ଯାଏନି ଚୁଙ୍ଗୁଡ଼ି । ତେବେ, ଯୋଉଦିନ ଯାଏଁ, ଦେଖେ, ଶାଶ୍ୱତ ସାର୍‌ଙ୍କର ସେହି ମୁସଲମାନ ବନ୍ଧୁ ଫଜଲୁଙ୍କୁ ।

 

ତାଙ୍କୁ ଦେଖିଲେ ଚିହ୍ନା ଚିହ୍ନା ଲାଗେ । ସେ ଅନେକଥର ଆସିଚନ୍ତି ଚୁଙ୍ଗୁଡ଼ି ଘରକୁ । ଶାଶ୍ୱତ ସହିତ ଆସନ୍ତି । କିନ୍ତୁ କେବେ କଥାବାର୍ତ୍ତା ହୋଇ ନାହିଁ ତାଙ୍କ ସହିତ । ଲାଇବ୍ରେରି ହଲର ସବା କୋଣକୁ ଯୋଉ ଏକାଟିଆ ସିଟ୍‌ଟା, ସେଇଠି ବସି ଥାନ୍ତି ସିଏ । ମନଦେଇ କ’ଣ ପଢ଼ୁଥାନ୍ତି । ତାଙ୍କ ସାମ୍ନାରେ ଲଙ୍ଗଳା ହୋଇ ପଡ଼ିଥିବା ବହିଟାରେ ପୂରାପୂରି ହଜି ଯାଇଥାନ୍ତି, ମଜିଯାଇଥାନ୍ତି । ଚୁଙ୍ଗୁଡ଼ି ସେୟା ଦେଖେ, ସେୟା ଅନୁଭବ କରେ । ଆଉ କୋଉଆଡ଼କୁ ନଜର ନାହିଁ ।

 

ମଝିରେ ମଝିରେ ମୁଣ୍ଡ ଟେକି ଚାହାନ୍ତି । ଏକ ନିଷ୍ପ୍ରଭ ଚାହାଣି ପହଁରାଇ ଆଣନ୍ତି ସମସ୍ତଙ୍କ ଉପରେ । ସାରା ହଲଟା ଉପରେ ।

 

ଉପର ଛାତକୁ ଚାହାନ୍ତି । ପୁଣି ମୁଣ୍ଡ ପୋତିଦିଅନ୍ତି । ବହିର ଅକ୍ଷରଗୁଡ଼ାକ ସହିତ ନିଜକୁ ମିଶାଇଦିଅନ୍ତି ।

 

ଚୁଙ୍ଗୁଡ଼ି ସେଇ ବାଟଦେଇ କାଉଣ୍ଟର୍‍ରୁ ବହି ଆଣି ପଢ଼ି । ପଢ଼ିସାରି କାଉଣ୍ଟର୍‍ରେ ବହି ଜମାକରେ । ସେଇ ବାଟେ, ଫଜଲୁଙ୍କ ବାଟଦେଇ ।

 

ଦିନେ ଫଜଲୁ ଚୁଙ୍ଗୁଡ଼ିକୁ ମୁହଁ ଟେକି ଚାହିଁଲେ । ପଚାରିଦେଲେ–

 

‘‘ତମର ଅନର୍ସ କ’ଣଟା ?’’

 

‘‘ଇଂଲିସ’’

 

ନିତି ବୋଧେ ଆସ ?

 

ନା, ମଝିରେ ମଝିରେ ଆସେ । ଆପଣ ନିତି ଆସନ୍ତି । କ’ଣ ପଢ଼ନ୍ତି ଏତେ ?

 

–ଇତିହାସ । ଇତିହାସ ମୋର ସବ୍‌ଜେକ୍‌ଟ ।

 

ଏବେ ରିସର୍ଚ୍ଚ କରୁଚି ।

 

ଚୁଙ୍ଗୁଡ଼ି ନିଜ ସିଟ୍‌କୁ ଫେରିଆସେ । ସଜାଡ଼ି ହୋଇ ବସେ । ବୁଜି ହୋଇଥିବା ବହିରୁ ଆଙ୍ଗୁଠି ଚିହ୍ନ କାଢ଼ି ପଢ଼ାରେ ମନଦିଏ ।

 

ଫଜଲୁ । ଶାଶ୍ୱତର ବନ୍ଧୁ ।

 

ଗୋଟାଏ ଅଫିସ୍‍ରେ ଦିହେଁ ଚାକିରି କରନ୍ତି । କ୍ଲର୍କ ଚାକିରି ।

 

ଜଣେ ସ୍ୱପ୍ନ ଦେଖୁଚି ରିସର୍ଚ୍ଚ କରି ଡକ୍‌ଟର ଉପାଧି ଯୋଡ଼ିବ ନାଁ ପାଖକୁ । ଏଇ ଗଦାଗଦା ଫାଇଲ୍‍ର ଜୀବନଠାରୁ ବେଶ୍‌ କିଛି ଦୂରକୁ ନିଜକୁ ମୁକୁଳେଇ ନବ ।

 

ଅନ୍ୟଜଣକର ସ୍ୱପ୍ନ ସବୁଠୁ ମଧୁର ।

 

ଆଇ.ଏ.ଏସ୍. ପାଇବ । ପାଇବ ଚୁଙ୍ଗୁଡ଼ି ପରି ସର୍ବଗୁଣସମ୍ପନ୍ନା ସୁନ୍ଦରୀ ସ୍ତ୍ରୀ ।

 

ଚୁଙ୍ଗୁଡ଼ି ଅନୁଭବ କରେ, ସିକୁଟା କେମିତି ଭିନ୍ନେ ପାଲଟି ଯାଇଚି ।

 

ଏଇ ଅଳ୍ପ କେଇଟା ଦିନଭିତରେ ଅନେକ ବଦଳି ଯାଇଚି । ସବୁବେଳେ ଅନ୍ୟମନସ୍କ । ପାଠପଢ଼ା ପ୍ରତି ଆନ୍ତରିକତା ନାହିଁ । ଘର ପ୍ରତି ଆଗ୍ରହ ନାହିଁ । ଖାଇବାରେ ମୋଟେ ଗୁରୁତ୍ୱ ଦଉନି-। ସବୁବେଳେ ଖାପଛଡ଼ା ଢଙ୍ଗ । ଅଜଣା ଅବୁଝା ବ୍ୟବହାର ।

 

ବି.ଏ. ପରୀକ୍ଷା ସିନା ସରିଗଲା, ଚୁଙ୍ଗୁଡ଼ି ମୁଣ୍ଡରେ ଭିଡ଼ ଜମେଇଥିବା ଚିନ୍ତା ସରିଗଲା ନାହିଁ । ଶେଷ ହେଲା ନାହିଁ ଛାତିଭିତରର କୁଢ଼କୁଢ଼ ଦୁଃଖ । ଭାବନାର ଅଡ଼ୁଆ ସୂତାରୁ ଖିଅ କାଢ଼ିହେଲା ନାହିଁ ।

 

ସେ ତ ଶାଶ୍ୱତକୁ ବିଭା ହୋଇଯିବ, ସିକୁର କ’ଣ ହେବ ? କ’ଣ ହେବ ତା’ର ଚାଲିପାରୁ ନ ଥିବା ଅଥର୍ବ ବାପାଟିର ?

 

ତଥାପି ଚୁଙ୍ଗୁଡ଼ି କଳ୍ପନାର ଆମୋଦ ଚାଖେ ।

 

ଶାଶ୍ୱତ ବର ହୋଇ ବସିଚି । ମୁଣ୍ଡରେ ଫୁଲର ମକୁଟ କପାଳରେ ସିନ୍ଦୂର କଲି, ଟୋପି ଟୋପି ଧଳା ଚନ୍ଦନର ଝୋଟି ।

 

ଚୁଙ୍ଗୁଡ଼ି ତା’ରି ନିକଟକୁ ଲାଗି ବୋହୂ ସାଜି ବସିଚି ।

 

ଚୁଙ୍ଗୁଡ଼ିର କଳ୍ପନାରେ ସୁବାସିତ ମଧୁରତା ମିଶି ମନୋରମ ହୋଇଯାଏ ଯେତେବେଳେ ସେ ଚିନ୍ତାକରେ, ପାଖଘର ଭାନୁ ନୂଆଉ’ଙ୍କ ପରି ସେ ବି ଗୋଟାଏ କୁନ୍‌ମୁନ ପୁଅର ସବୁଠୁ ନିଜଲୋକ ହୋଇଯାଇପାରିବ । ତପନ କହିଥିବା ଜିଇଁଲା କୁଣ୍ଢେଇଟିଏ ତା’ରି କୋଳରେ ହସିବ, ବସିବ, ଖେଳିବ ।

 

ତପନଟା କୋଉଠି ଥିବ ଏଇନେ ?

 

ନା–ସେ ତପନ କଥା ଆଉ ଭାବିବ ନାହିଁ ।

 

ତପନ ତାକୁ ଭୁଲ୍ ବୁଝିଚି । ସୁବଦିନେ ସେହି ଭୁଲ୍‍ବୁଝାମଣା ରହିଯାଉ । ତପନ ତାକୁ ଅପମାନ କରିଚି । ତା’ଠୁ ଆଉକିଛି ଆଶାରଖିବ ନାହିଁ ଚୁଙ୍ଗୁଡ଼ି ।

 

ତପନ ସୁଖରେ ରହୁ । ଚୁଙ୍ଗୁଡ଼ିକୁ କ’ଣ ସତରେ ମନେରଖିଥିବ ସେ !

 

ବାପା ପୁଣି ସଉରୀ ପଣ୍ଡାକୁ ଆଉକିଛି ଜମି ବନ୍ଧକ ଦେଇ ଟଙ୍କା ଆଣୁଚନ୍ତି ।

 

ଚୁଙ୍ଗୁଡ଼ି ହାତକୁ ସରୁ ସରୁ ଚାରିପଟ ଚୁଡ଼ି । କାନକୁ ପଥର ବସା ହଳେ ଫୁଲ, ହାତକୁ ମୁଦି, ମୁଣ୍ଡରେ ସିନ୍ଥି, ଆଉ ପାଦକୁ ରୁପାର ମୋଟା ମୋଟା ଘୁଙ୍ଗୁର ଲଗା ପାଝରୀ ।

 

ଚୁଙ୍ଗୁଡ଼ି ତା’ ବାହାଘର ପାଇଁ ଗଢ଼ାଯାଇଥିବା ଗହଣାଗୁଡ଼ାକୁ ଦେଖିଲା । ଦେହରେ ଲଗେଇ ପରଖିଲା । ସୁନ୍ଦର ଲାଗିଲା ତାକୁ । ସବୁଯାକ ଚମତ୍କାର ଲାଗିଲା ଭଲ ଲାଗିଲା ।

 

ଏ ବର୍ଷ ଆଉ ଜମାରୁ ଆୟରେ ମାସଟେ ଚଳିହେବ ନାହିଁ । ସେଗୁଡ଼ାକ ଗହଣା ହୋଇ ଚୁଙ୍ଗୁଡ଼ି ଦେହରେ ଶୋଭାପାଇବେ ।

 

ସିକୁ ଧମନୀରୁ ବାପାଙ୍କ ଧମନୀରୁ ରକ୍ତ ଟାଣି ନେଇ ଚୁଙ୍ଗୁଡ଼ି ଅଳଙ୍କାର ଲଗେଇ ଶାଶୁଘରକୁ ଯିବ, ଯିବ ଶାଶ୍ୱତର ସ୍ତ୍ରୀ ହୋଇ ।

 

ଚୁଙ୍ଗୁଡ଼ିର ବି.ଏ. ପରୀକ୍ଷାଫଳ ବାହାରିଗଲା ।

 

ଚୁଙ୍ଗୁଡ଼ିର ଖୁବ୍‌ ଭଲ ନମ୍ବର ଅଛି । ଖୁବ୍‌ ଭଲରେ ପାସ୍ କରିଚି ଚୁଙ୍ଗୁଡ଼ି । ଇଚ୍ଛାହଉଚି ଆହୁରି ପଢ଼ିବାକୁ । ସାମର୍ଥ୍ୟ ନାହିଁ । ପାଠ ପଢ଼ିବାର ଇଚ୍ଛାକୁ ଆର୍ଥିକ ଅନାଟନ ତଣ୍ଟି ଚିପିଦଉଚି ।

 

ଚୁଙ୍ଗୁଡ଼ି ବାପାଙ୍କୁ ଦେଖି କାନ୍ଦୁଚି । କାନ୍ଦୁଚି ସିକୁକୁ ଦେଖି । ସେମାନଙ୍କୁ ଛାଡ଼ି ସେ ଏଥର ଶାଶ୍ୱତ ଘରକୁ ବୋହୂ ସାଜି ଚାଲିଯିବ ।

 

ତା’ର ପରମ ଆପଣାର ମଣିଷ ଦି’ଟାକୁ ପରକରି, ନିପଟ ପର ଶାଶ୍ୱତର ନିଜର ହୋଇ ଚାଲିଯିବ ।

 

ଚୁଙ୍ଗୁଡ଼ି ଅକ୍‌ଟୋପାଶ୍‍କୁ ଭୁଲିଯିବାକୁ ଚେଷ୍ଟାକରିଚି ।

 

ସାଙ୍ଗଠନିକ କର୍ତ୍ତବ୍ୟ ସବୁକୁ ଭୁଲିଯାଇଚି । ନିଜକୁ ଦୂରେଇ ଦେଇଚି ।

 

ମାତ୍ର ଆଶିଷକୁ ନୁହେଁ ।

 

ତା’ ସହିତ ଘଣ୍ଟା ଘଣ୍ଟା ଗପ ନ କଲେବି ତାକୁ ଭଲଲାଗେ । ଯେଉଁ କେତୋଟି ମିନିଟ୍‌ ଦେଖାହୁଏ, ତା’ର କଥା ଆପଣାର ଲାଗେ ।

 

ଆଶିଷ ଭଲ ଛାତ୍ର, ସେ ଏମ୍‌.ଏ.ରେ ନାଁ ଲେଖେଇ ସାରିଲାଣି । ଚୁଙ୍ଗୁଡ଼ିକୁ ଅନେକ ଲଗଉଚି ସିଏ, ପଢ଼ିବାକୁ । ଅନେକ ବୁଝଉଚି ପାଠ ନ ଛାଡ଼ିବାକୁ । ‘‘ଏତେ ଭଳ ଛାତ୍ରୀ ତମେ, କେମିତି ପାଠପଢ଼ା ଛାଡ଼ିଦବାକୁ ଇଚ୍ଛା ହଉଚି ତମର ?’’

 

ଚୁଙ୍ଗୁଡ଼ି ତା’ ଆଗରେ ନିଜର ଅସୁବିଧା ଗାଇ ଯାଉଚି । ଆଶିଷ କହୁଚି ପଇସାପାଇଁ ପୃଥିବୀରେ କିଛି ଅଟକି ଯିବନି । ତୁମର ଇଚ୍ଛା ଥିଲେ ହେଲା । ଆଶିଷ ଶପଥ କରୁଚି, ତା’ର ସବୁପଢ଼ା ଖର୍ଚ୍ଚ ସେ ତୁଲେଇବ ।

 

ଆଶିଷ ପୁଣି କହୁଚି, ଚୁଙ୍ଗୁଡ଼ି ତା’ର ଭଉଣୀ । ତା’ର ପାଠପଢ଼ା ଦାୟିତ୍ୱ ତା’ ବଡ଼ଭାଇ ନେବ, ଏଥିରେ ସଙ୍କୋଚ କରିବାର କ’ଣ ଅଛି ? କୁଣ୍ଠିତ ହେବାର କ’ଣ ଅଛି ? ଏଇଟା ତ ତା’ର ଦାବି ! ତା’ର ପ୍ରାପ୍ୟ ।

 

ଚୁଙ୍ଗୁଡ଼ି ହାତ ଯୋଡ଼ୁଚି । ଆଜିପର୍ଯ୍ୟନ୍ତ ସୁଖୀ ନ ଥିବା ପୁରୁଣା କ୍ଷତଟାରୁ ରକ୍ତ ଝରୁଚି ତା’ର ।

 

‘‘ମତେ ଆଉ ଦୟା ଦେଖାଅ ନାହିଁ ଆଶିଷ ! ତମ ପାଦ ଧରୁଚି । ଦୟାକରି ମତେ । ନିଜ ଉପରେ ନିର୍ଭରକରି ବଞ୍ଚିରହିବାର ଗୌରବ ଟିକକ ମୋ ନିଜସ୍ୱ ହୋଇ ରହିବାକୁ ଦିଅ । କେହି ଯେପରି ମତେ କେବେ ନକହୁ ତା’ ଲାଗି ମୁଁ ବଞ୍ଚିଚି । ତା’ର ଦୟାରୁ ମୁଁ କିଛିଗୋଟେ ହେଇଚି ।

 

ଚୁଙ୍ଗୁଡ଼ି ତପନକୁ ଭାବି କହିଲା ଏତିକି ।

 

ଆଶିଷ ସେ କଥା ବୁଝିପାରିଲା ନାହିଁ । ମୁହଁ ଫୁଲେଇଲା । ମନଦୁଃଖ କଲା । ଅଭିମାନ କଲା ଚୁଙ୍ଗୁଡ଼ି ଉପରେ, ‘‘ମୁଁ ତ ଆଉ ତୁମର ନିଜ ଭାଇ ନୁହେଁ ।’’

 

‘‘ଜାଣିଚ ଆଶିଷ ମୋର ବାହାଘର ହୋଇଯାଉଚି’’ ଚୁଙ୍ଗୁଡ଼ିର ହଠାତ୍‌ ମନେପଡ଼ିଗଲା ଗୋଟାଏ ବଡ଼କଥା ଏତେବେଳ ପର୍ଯ୍ୟନ୍ତ ଆଶିଷକୁ କହିପାରି ନାହିଁ ।

 

ଓ, ସେଇଥିପାଇଁ ତେବେ ପାଠପଢ଼ାକୁ ଖାତିର କରାହଉନି ।

 

‘‘ଆଉ କୋଉ ଅସୁବିଧା ପାଇଁ ନୁହେଁ ।’’

 

ଚୁଙ୍ଗୁଡ଼ି ଆଶିଷ ସାମ୍ନାରେ ଠିଆହୋଇ ଦୁଇ ପାପୁଲିରେ ମୁହଁ ଲୁଚେଇ କାନ୍ଦି ପକେଇଲା-

 

ଆଶିଷ ଅନ୍ୟଆଡ଼େ ଚାହିଁ କହିଲା ‘‘ସବୁ ଝିଅମାନଙ୍କର ନିଜ ବାହାଘର କଥା ଶୁଣି କାନ୍ଦିବା ଗୋଟେ ପୁରୁଣା ଫେସନ । ଦେଖୁଚି, ତମେବି ବାଦ୍‍ଯାଇନ ସେଥିରୁ । ସତରେ ଭାରି ହସ ଲାଗେ, ମଜାଲାଗେ ଭାବିଲେ ।

 

ଚୁଙ୍ଗୁଡ଼ି କିଛି ଉତ୍ତର ଦେଉ ନାହିଁ । ତା’ ଆଖିର ଲୁହ ସୁଅରେ ଏବେବି ବନ୍ଧ ପଡ଼ିନାହିଁ । ଆଶିଷ ପୁଣି କହୁଚି–‘ଏଣିକି ଭାବୁଚି ଆଉ ଷ୍ଟ୍ରାଇକ୍‌ ଫାଇକ୍‌ରେ ମୁଣ୍ଡ ନ ଖେଳେଇ କ୍ୟାରିଅର୍ ନେଇ ବେଶି ସିନ୍‌ସିୟର ହେବି । ଏମିତିକି ଅକ୍‌ଟୋପାଶ୍‍ରୁବି ମୁଁ ମୋର ମେମ୍ବରସିପ୍‌ ଉଇଥ୍‌ଡ଼୍ର କରିସାରିଲାଣି । ତମେ କହିଲ, କ’ଣ ମିଳିବ ସେଥିରୁ ଆମକୁ ? ନିଜେ ଭଲରେ ରହିଲେ ଗଲା । କୋଉ ଶଳା ତ ପିଠିରେ ପଡ଼ିବେନି । ଆମେ କାହିଁକି କାହାଲାଗି ସଫର୍ କରିବୁ ? କୋଉ ପ୍ରଧାନମନ୍ତ୍ରୀ ହୋଇଯିବାର ସମ୍ଭାବନା ଅଛିକି ଆମର ? ସେଦିନ ବସ୍‍ପୋଡ଼ି ଗଣ୍ଡଗୋଳରେ ତ ଦେଖିଲ, ସମସ୍ତେ ଖସିଗଲେ ଅଥଚ ଧରାପଡ଼ିଲେ ଆମେ ଦି’ଜଣ । ଜେଲ୍‍ଗଲି ମୁଁ ଏକା ! ସେମାନେ ଗଣ୍ଡଗୋଳ କରିବେ, ତାଙ୍କରି ଲାଗି ଗଣ୍ଡଗୋଳ ଆରମ୍ଭ ହେବ, ଅଥଚ ଧରା ପଡ଼ିବୁ ଆମେ । ଆଉ ଉପରେ ସମସ୍ତଙ୍କର ଧାରଣା ଖରାପ ହେବ !

 

ଚୁଙ୍ଗୁଡ଼ି ବଡ଼ବଡ଼ ଆଖିରେ ଆଶ୍ଚର୍ଯ୍ୟ ହୋଇ ଚାହିଁରୁହେ ଆଶିଷ ମୁହଁକୁ । ଏଇ ଆଶିଷ କହୁଥିଲା, ତା’ ରକ୍ତକୋଷରେ ମିଶିରହିଚି ବିପ୍ଳବର ବନ୍ଧ । ଶେଷ ରକ୍ତ ବିନ୍ଦୁଥିବା ପର୍ଯ୍ୟନ୍ତ ସେ ବିଦ୍ରୋହ କରିବ ଅନ୍ୟାୟ ବିରୁଦ୍ଧରେ । ଅନ୍ୟପାଇଁ ଜୀବନଦେବ । ଅନ୍ୟପାଇଁ ସହ୍ୟ କରିବାରେହିଁ ଜୀବନର ସାର୍ଥକତା ।

 

ଚୁଙ୍ଗୁଡ଼ି ବୋକାହୋଇ ଚାହିଁରହେ ଆଶିଷ ଆଡ଼କୁ ।

 

ଆଶିଷ ହସୁଚି ‘ସତ କହୁଚି ଚୁଙ୍ଗୁଡ଼ି, ତମ ରାଣ । ମୁଁ ଆଉ କୋଉ ବାଜେ କଥାରେ ପଶିବି ନାହିଁ ଦେଖିବ !

 

ଚୁଙ୍ଗୁଡ଼ି ଫେରିଆସିବାକୁ ବାହାରିଲାବେଳେ ଆଶିଷ କୁହେ ।

 

‘‘ଆମରି ଆଉ ବୋଧେ ଦେଖା ହେବନି । ଯଦି ତୁମର ବାହାଘର ନହୁଏ–‘‘ଆଶିଷ ଆଉ କ’ଣ କହିବାକୁ ଯାଇ କହିପାରେନି ।

 

ଚୁଙ୍ଗୁଡ଼ି ସେକଥା ବୁଝେ ନାହିଁ, ବୁଝିବାକୁ ଚେଷ୍ଟାକରେ ନାହିଁ ।

 

ସବୁଠାରେ ନାଁ ଲେଖାଇବା ତାରିଖ ଚୁଙ୍ଗୁଡ଼ିର ଆଉ ଅଧିକ ପଢ଼ିବା ଆଶା ଧୂଆଁହୋଇ ଶୂନ୍ୟରେ ମିଳାଇଗଲା । ବହିପତ୍ର ଖାତା । କଲମକୁ ଚାହିଁଦେବାମାତ୍ରେ ଆଜିକାଲି ଚୁଙ୍ଗୁଡ଼ିର ମନ ବିଚିତ୍ର ବେଦନାରେ ହାହାକାର କରିଉଠେ ।

 

ଶାଶ୍ୱତ ବାହାଘରଟା ଆଉ କିଛିଦିନ ଘୁଞ୍ଚେଇ ଦେବାକୁ କହିଚନ୍ତି ।

 

ଚୁଙ୍ଗୁଡ଼ି ନିର୍ବିକାର, ପ୍ରତିକ୍ରିୟାଶୂନ୍ୟ ।

 

ଶାଶ୍ୱତ ଚାଲିଯାଉଚନ୍ତି କମ୍ପିଟିଟିଭ୍‌ର ଭାଇଭା ଭସ ଦେବାକୁ ।

 

ଚୁଙ୍ଗୁଡ଼ି ମନଟା ରଙ୍ଗୀନ ହୋଇଯାଉଚି ଅଦେଖା ଖୁସିର ନିଶାରେ ମନଟା ତା’ର ଆହୁରି ରଙ୍ଗୀନ ହୋଇଯାଇଥିଲା, ଯୋଉଦିନ ଶାଶ୍ୱତର ଶେଷ ଫରୀକ୍ଷା ଫଳ ବାହାରିଲା ।

 

ଚୁଙ୍ଗୁଡ଼ିର ବାପା ଅନୁଭବ କଲେ, ତାଙ୍କର କଟିଯାଇଥିବା ଗୋଡ଼ ଦି’ଟା ପୁଣି କଅଁଳି ଯାଇଚି ।

 

ଶାଶ୍ୱତ ଆଇ.ଏ.ଏସ୍. ପାଇଚନ୍ତି । ଚାକିରିରୁ ରିଜାଇନ୍ ଦେଇ ସାରିଚି । ଶାଶ୍ୱତ ଆଜି ଜଣେ ସାଧାରଣ କିରାଣି ନୁହେଁ ଜଣେ ଉଚ୍ଚପଦସ୍ଥ ଅଫିସର । ଭାରତ ସରକାରଙ୍କର ସର୍ବୋଚ୍ଚ କ୍ଷମତାପ୍ରାପ୍ତ ପ୍ରଶାସନିକ ଅଫିସର ।

 

ଶାଶ୍ୱତ ଗଲାବେଳେ ଚୁଙ୍ଗୁଡ଼ି ଘରକୁ ଆସିପାରି ନଥିଲା । ସମୟ ହୋଇ ନଥିଲା ତା’ର-। ତରତର ହୋଇ ଚାଲିଯାଇଥିଲା । ତାଙ୍କର ସେହି ବନ୍ଧୁ ଜଣକ କହିଦେଇଥିଲେ, ଶାଶ୍ୱତ ଟ୍ରେନିଙ୍ଗ୍‍ରେ ଯାଇଚି । ସିଆଡ଼ୁ ସିଆଡ଼ୁ ଯିବ ଗାଁକୁ । ସେଇଠୁଁ ମା’କୁ ଧରି ଯିବ କୋଉ ପୋଷ୍ଟ୍ ଜାଗାକୁ । ସେତେବେଳେ ଏଇବାଟେ ଆସିପାରେ ।

 

ଆସିପାରେ !

 

ଚମକି ଉଠିଲେ ଚୁଙ୍ଗୁଡ଼ିର ବାପା ।

 

–ହଁ ଆସିପାରେ ! ଗଲାବେଳେ ସେ ସେୟା କହୁଥିଲେ ।

 

ଫଜଲୁ ଦାନ୍ତ ଚିପି ଚିପି ହସୁଚନ୍ତି ।

 

ଚୁଙ୍ଗୁଡ଼ି କିଛି କହୁ ନାହିଁ ।

 

ଅନେକ ଦିନ ପର୍ଯ୍ୟନ୍ତ ଚାହିଁରହିଲେ ଚୁଙ୍ଗୁଡ଼ିର ବାପା ।

 

ଶାଶ୍ୱତ କିନ୍ତୁ ଆଉ ଫେରିଲା ନାହିଁ ।

 

ଅନେକ ଦିନ ପରେ ବୁଝିଗଲେ, ଶାଶ୍ୱତ କ୍ଲର୍କ ସିନା ଚୁଙ୍ଗୁଡ଼ିକୁ ସ୍ତ୍ରୀ କରିବାକୁ ରାଜି ହୋଇଥିଲା, ମାତ୍ର ଆଇ.ଏ.ଏସ୍. ଶାଶ୍ୱତ ନୁହେଁ ।

 

କଲେକ୍‍ଟରଙ୍କ ଭଉଣୀ ସହିତ ଶାଶ୍ୱତର ବାହାଘର ହେଲା । ଏ କଥାବି ଜଣେଇଥିଲେ ତାଙ୍କର ସେହି ବନ୍ଧୁ ଫଜଲୁ ।

 

ଚୁଙ୍ଗୁଡ଼ି ନିର୍ବିକାର । କିଛି ପ୍ରତିକ୍ରିୟା ନାହିଁ ତା’ର ।

 

ଖୁସି ନୁହେଁ କି ଦୁଃଖବି ନାହିଁ । ଚୁଙ୍ଗୁଡ଼ି ବାପାଙ୍କର ମୁଣ୍ଡରୋଗଟା ବଢ଼ିଯାଇଚି ।

 

ବ୍ଲଡ଼୍‍ପ୍ରେସର୍ ବଢ଼ିଯାଇଚି ।

 

ହତାଶ ହୋଇ ଯାଇଚନ୍ତି ସେ । ଅସହାୟ ହୋଇ ପଡ଼ୁଚନ୍ତି ।

 

ଚୁଙ୍ଗୁଡ଼ି ମନଦୁଃଖ କରୁ ନାହିଁ । ତେବେ ସେ ନିଜେ ନିଜର ଗମ୍ଭୀରତାକୁ ଅନୁଭବ କରୁଚି-। ଏ ଦୁନିଆକୁ ଯେତିକି ଯେତିକି ଚିହ୍ନୁଚି ସେ, ସେତିକି ସେତିକି ଦୁର୍ବୋଧ୍ୟ ହୋଇଯାଉଚି-। ଏ ପୃଥିବୀଟାରେ ଯେତିକି ଯେତିକି ପ୍ରବେଶ କରୁଚି, ସେତିକି ବେଶି ଦୁର୍ବୋଧ୍ୟ, ଅବୁଝା ହୋଇଯାଉଚି-। ଅର୍ଥ କ’ଣ ସବୁକିଛି ? କ୍ଷମତା କ’ଣ ସବୁକିଛି ? ଅର୍ଥ କ’ଣ ଜୀବନ ? କ୍ଷମତା କ’ଣ ମନୁଷତ୍ୱ ? ଚୁଙ୍ଗୁଡ଼ି କିଛି ଭାବିପାରେ ନାହିଁ । –ସବୁ ଗୋଳିଆ ମୋଳିଆ ହୋଇଯାଏ ।

 

ଚୁଙ୍ଗୁଡ଼ି ଭାଙ୍ଗିପଡ଼ୁ ନାହିଁ । ଅସୀମ ଧୈର୍ଯ୍ୟ ତା’ର ।

 

ଶେଷକୁ ସେ ଠିକ୍‌ କରି ନେଲା, ଚାକିରି କରିବ ।

 

ସିକୁର ପଢ଼ାଟା ଆଗ ଦେଖିବାକୁ ହେବ ।

 

ଚାକିରି କରିବ ଭାବିଲା ସିନା, ମିଳୁଚି କୋଉଠି ?

 

ସବୁକଥା ଖାଲି ଭାବିଦେଲେ ଯଦି ସମାଧାନ ହୋଇଯାଉଥାନ୍ତା, ତେବେ ଆଉକିଛି ଅସୁବିଧା ନଥାନ୍ତା । ଦୁନିଆରେ ସମସ୍ୟା ବୋଲି କିଛି ନଥାନ୍ତା ।

 

ଶାଶ୍ୱତ ସହ ତା’ର ବାହାଘର ସ୍ଥିର ହୋଇଥିଲା । ସେ ନିଜେ ଆଶିଷକୁ ତା’ ନିଜପାଇଁ ବାଛି ନଥିଲା, ବାପା ତାକୁ ତା’ପାଇଁ ସ୍ଥିର କରିଥିଲେ । ତାହା ହୋଇପାରିଲା ନାହିଁ ।

 

ଚୁଙ୍ଗୁଡ଼ିର ନିର୍ଦ୍ଧାରିତ ଜୀବନର ବ୍ୟବସ୍ଥିତ ଦିଗରେ ଏ ଥିଲା ଏକ ବିଚ୍ୟୁତ । ତା’ ସ୍ଥିରୀକୃତ ଜୀବନ ଝଙ୍କାରରେ ଏ ଥିଲା ଏକ ଭୟଙ୍କର ବିସ୍ଫୋରଣ ।

 

ଚୁଙ୍ଗୁଡ଼ି ନିଜର କର୍ତ୍ତବ୍ୟ ସ୍ଥିର କରିନେଲା । ସେ ଏଥର ଜୀବନ ନୁହେଁ, ଜୀବିକାର ସନ୍ଧାନରେ ଲାଗିପଡ଼ିଲା । ସେଥିରୁ ସେ ଚାଖିବ ଜୀବନର ସ୍ୱାଦ । ଆଘ୍ରାଣ କରିବ ବଞ୍ଚିରହିବାର ବାସ୍ନା ।

 

ବାପା ଉପରେ କିଛି କୁହନ୍ତି ନାହିଁ । ତାଙ୍କର ଶୁଖି ଯାଇଥିବା ମୁହଁରୁ ତାଙ୍କର ଉଦାସିଆ ଆଖିରୁ ଚୁଙ୍ଗୁଡ଼ି ବୁଝେ, ସେ ମୋଟେ ସୁଖୀ ନୁହନ୍ତି ।

 

ଚୁଙ୍ଗୁଡ଼ିପାଇଁ ତାଙ୍କର ଦୁଃଖ । ଶାଶ୍ୱତର ପ୍ରତାରଣା ପାଇଁ ସେ ମର୍ମାହତ ।

 

ଚୁଙ୍ଗୁଡ଼ି କାନ୍ଥକୁ ଆଉଜି ଛିଡ଼ାହୁଏ, ଅନ୍ଧାରରେ ଚୁପ୍‍କରି ଶେଯରେ ଶୁଏ । ଶାଶ୍ୱତ ତାକୁ ପ୍ରତାରଣା କରିଚି ? ନିଜେ ନିଜକୁ ପ୍ରଶ୍ନକରେ ଚୁଙ୍ଗୁଡ଼ି ।

 

ଜ୍ୟୋତିମାମୁ ପ୍ରତାରଣା କରିଥିଲା ଚିନୁ ଅପାକୁ । ଚିନୁଅପା ତାଙ୍କୁ ଝୁରି ଝୁରି କାନ୍ଦିଥିଲା-। ଚୁଙ୍ଗୁଡ଼ି ଶୁଣିଥିଲା ସମସ୍ତଙ୍କ ମୁହଁରୁ ଜ୍ୟୋତି ଚିନୁଅପାକୁ ଠକିଦେଲା । ମାତ୍ର ଚୁଙ୍ଗୁଡ଼ି କିପରି ଠକିଗଲା ! ସେ ତ ଶାଶ୍ୱତକୁ ନିଭୃତରେ କାମନା କରି ନଥିଲା ? ଶାଶ୍ୱତପାଇଁ କେବେଦିନେ ବାପାଙ୍କଠାରୁ ଗାଳିଖାଇ ନଥିଲା । ଚିନୁଅପାକୁ ଜ୍ୟୋତିମାମୁଙ୍କୁ ନେଇ ଗାଁରେ ଯେଉଁ ଗୁଜବ ସେମିତି ତ କେବେ ଶାଶ୍ୱତକୁ ତାକୁ ନେଇ ପ୍ରଚାରିତ ହୋଇନି !!

 

ତଥାପି ବାପାଙ୍କ ଦୁଃଖରେ ଦୁଃଖକରେ ଚୁଙ୍ଗୁଡ଼ି । ବାପାଙ୍କର ଛମଛମ ଆଖି ଦେଖି ନିଜେ ଅସହାୟ ହୋଇଯାଏ ।

 

ଚୁଙ୍ଗୁଡ଼ି ନିଜ ଲୁହଗୁଡ଼ାକ ନିଜ ପାପୁଲିରେ ତୋଳିନିଏ । ଓଠରେ ହସ ଫୁଟାଏ । ବାପାଙ୍କୁ ବୁଝାଏ, ‘‘ଶାଶ୍ୱତ ତା’ ଶଶୁରଠାରୁ ଲକ୍ଷେ ଟଙ୍କା ଯୌତୁକ ଆଣିଚି । ଶାଶ୍ୱତର ସ୍ତ୍ରୀ ସହିତ ଆଉ ଲକ୍ଷେ ଟଙ୍କା ମିଶାଇଲାରୁ ତା’ ଜୀବନ, ଶାଶ୍ୱତର ଜୀବନ ସହିତ ସମାନ ହେଲା । କି ନିର୍ବୋଧତା ! ଗୋଟିଏ ଛେଳିଛୁଆ ସହିତ ପାଞ୍ଚଲକ୍ଷ ଟଙ୍କା ଦେଇଥିଲେବି ଶାଶ୍ୱତ ସେଇ ଛେଳିଛୁଆଟାକୁ ବାହା ହେଇପଡ଼ିଥାନ୍ତା ! ବାପା, ତମେ କ’ଣ ଭାବୁଚ, ମୁଁ ଏମିତି ନିର୍ବୋଧକୁ ନେଇ କେବେ ସୁଖୀ ହୋଇପାରିଥାନ୍ତି ?’’

 

ଚୁଙ୍ଗୁଡ଼ି ପାପୁଲିରେ ନାକ ଘୋଡ଼େଇ ଫେଁ ଫେଁ ହୋଇ ହସେ । ଉତ୍କୁଳିତ ଝରଣାର ହସ-

 

ବାପାଙ୍କ ଓଠରେ ବାସିହସର ଫୁଲଟିଏ ଫୁଟେ । ସାଙ୍ଗେ ସାଙ୍ଗେ ପାଖୁଡ଼ା ବିଛେଇ ଝଡ଼ିପଡ଼େ ।

 

ସେ ବୋକା ଆଖିରେ ଚୁଙ୍ଗୁଡ଼ି ମୁହଁକୁ ଚାହିଁ ରହନ୍ତି ।

 

ଚୁଙ୍ଗୁଡ଼ିଟା ଆଜିକାଲି ଏତେ ହସେ କାହିଁକି ? କେମିତିବା ହସେ । କାହିଁକି ହସେ– । ଜୀବନ ଦୁଃଖିନୀ ସିଏ ।

 

ସେ ହୁଏତ ହସେ ତା’ ନିଜ ଭାଗ୍ୟକୁ ଉପହାସ କରି ।

 

ସେ ହୁଏତ ହସୁଥିବ ତା’ର ଅବାଧ୍ୟ ଲୁହ ଝରଣାଗୁଡ଼ାକୁ ହସର ବନ୍ଧଦେଇ ଅବରୋଧ କରିବାପାଇଁ । ବାପା ତା’ରି ଆଡ଼କୁ ଚାହାନ୍ତି, ଆଶ୍ଚର୍ଯ୍ୟ ହୋଇ, ନିର୍ବାକ୍ ହୋଇ ।

 

ଶାଶ୍ୱତ ଆଉ ଆସିବ ନାହିଁ । ନ ଆସିବାବି ସ୍ୱାଭାବିକ । କାହିଁକି ବା ଆସନ୍ତା ? ଆଶିଷ ଗପକବିତା ଲେଖେ । ଚମତ୍କାର ଲେଖା ତା’ର । ଶୈଳୀ, ଭାଷାରେ ଖୁଣ ନାହିଁ । ଭାବ କିନ୍ତୁ ଗୋଟିଏ । ଅଭିପ୍ସା ସେଇ ଗୋଟିଏ । ଝିଅମାନଙ୍କୁ ନିହାତ କଦର୍ଯ୍ୟକରି ଲେଖିବା ତା’ର ଅଭ୍ୟାସ । ତା’ପରେ ନାରୀ ଚରିତ୍ର ନିହାତ ଇତର; ଉଲଗ୍ନ । ନାରୀର ସଂକୀର୍ଣ୍ଣତା ପ୍ରତାରଣା ଦୁର୍ବଳତା ସବୁକୁ ତା’ରି ଗପ କବିତାଗୁଡ଼ାକରେ ଉପସ୍ଥାପନା କରିବା ତା’ର ଏକ ବିଚିତ୍ର କୌତୁହଳ । ବେଳେବେଳେ ବିରକ୍ତ ହୁଏ ଚୁଙ୍ଗୁଡ଼ି । ରାଗିଯାଏ ।

 

‘‘ତମେ କ’ଣ ତମ ଜୀବନରେ ଗୋଟିଏ ବୋଲି ଭଲଝିଅକୁ ଭେଟିନ ଆଶିଷ ? ‘‘ହଁ, ଜଣକୁ । କେବଳ ଜଣକୁ ।’’

 

ସେ କିଏ ?

 

ତମେ ନିଜେ !

 

ଆଶିଷ ତାକୁ ଅନେକ ଥର କୁହେ, ତମେ ମତେ ଗୋଟାଏ ପ୍ଲଟ୍ ଦିଅ ତ, ଯେଉଁଥିରେ ପୁରୁଷର ଦୋଷ ଥିବ, ପୁରୁଷ ପଟରୁ ପ୍ରତାରଣା ଥିବ–ଦେଖ ମିଛ କହିବନି, ତମେ ବୁଝିଥିବା ଜାଣିଥିବା, ଚିହ୍ନିଥିବା କାହାଣୀମାନଙ୍କ ଭିତରୁ ଏମିତି ପ୍ଲଟ୍‍ଟିଏ ଖୋଜିଦବ, ମୁଁ ଗପ ଲେଖିବି, ଲେଖିବି ତମରିପାଇଁ ।

 

ଶାଶ୍ୱତର କଥାଟା ଆଶିଷକୁ କହିଲେ କେମିତି ହୁଅନ୍ତା ? ସୁନ୍ଦର ଗପଟିଏ ଲେଖିଦିଅନ୍ତା ସିଏ ।

 

କିନ୍ତୁ ନା ଚୁଙ୍ଗୁଡ଼ି ଏକଥା କାହାରିକୁ କହିପାରିବ ନାହିଁ । ସମସ୍ତେ ତାକୁ କରୁଣା କରିବେ-। ସେମାନଙ୍କର ଦୟା ତାକୁ ବେଶି ଅସହାୟ, ବେଶି ଦୁର୍ବଳ କରିପକାଇବ ।

 

ଯାହାକୁ ସେ ଏକଥା କହିପାରିଥାନ୍ତା ସେ ନାହିଁ ।

 

ପାଞ୍ଚବର୍ଷ ହୋଇଗଲା ତା’ ସହ ଦେଖା ହୋଇ ନାହିଁ ଚୁଙ୍ଗୁଡ଼ିର ।

 

ତପନ ଏଇନେ କୋଉଠି, ଜାଣିନି ଚୁଙ୍ଗୁଡ଼ି । କ’ଣ କରୁଚି, ସେକଥା ବୁଝିନି ।

 

ଶାଶ୍ୱତ ଚୁଙ୍ଗୁଡ଼ି ଘରକୁ ଆସୁଥିଲେ । ଗପ କରୁଥିଲେ ବାପାଙ୍କ ସହ ।

 

ତାଙ୍କର ପଙ୍ଗୁ ଗତିହୀନ ଜୀବନର କେତେଗୁଡ଼ାଏ ମୁହୂର୍ତ୍ତ ତାଙ୍କରି ଉପସ୍ଥିତିରେ ମୁଖରିତ ହେଉଥିଲା । ସେ ବାପାଙ୍କୁ ଖବରକାଗଜ ପଢ଼ାଉଥିଲେ । ତାଙ୍କ ପାଖରେ ଅନ୍ତରଙ୍ଗ ହୋଇ ବସୁଥିଲେ । ୟାଡ଼ୁସାଡ଼ୁ ନାନା ଆଲୋଚନା କରୁଥିଲେ ।

 

ଭଲ ଲାଗୁଥିଲା ଚୁଙ୍ଗୁଡ଼ିକୁ । କେହି ପାଖରେ ନଥିଲେ ବାପା ଛଟପଟ ହୁଅନ୍ତି । ତାଙ୍କର ନିଃସ୍ୱତା କେମିତି ବେଶି ବାଧେ ତାକୁ, ସେକଥା ଅନୁଭବ କରିପାରେ ଚୁଙ୍ଗୁଡ଼ି । ବାପା ଏକା ଥିଲାବେଳେ ଆକାଶକୁ ଚାହାନ୍ତି । ଆକାଶକୁ ଚାହିଁ ହାଇ ମାରନ୍ତି ।

 

ଚୁଙ୍ଗୁଡ଼ି ନିଜର ନୁହେଁ, ବାପାଙ୍କର ଆଜିକାଲିକା ନିଃସଙ୍ଗ ଚାହାଣି ଦେଖି ଆଘାତ ପାଏ, ଆହତ ହୁଏ, ଦୁଃଖକରେ ।

 

ଶାଶ୍ୱତର ସେହି ମୁସଲମାନ ବନ୍ଧୁ ଜଣକ ମଝିରେ ମଝିରେ ଆସନ୍ତି । ବାପାଙ୍କ ପାଖରେ ସପ ପକେଇ ବସନ୍ତି । ଅନର୍ଗଳ ଗପକରନ୍ତି । ଖବରକାଗଜ ପଢ଼ନ୍ତି । ଅନେକ ଦରକାରୀ ଅଦରକାରୀ କଥା ଆଲୋଚନା ହୁଏ । ସେ ପଚାରନ୍ତି ଚୁଙ୍ଗୁଡ଼ି କଥା । ବୁଝନ୍ତି ସିକୁର ପାଠପଢ଼ା କଥା ।

 

ବେଳେବେଳେ ପଡ଼େ ଶାଶ୍ୱତ କଥା ।

 

ସେ ଖୁବ୍‌ ଖୁସିରେ ଅଛି । ଖୁବ୍‌ ଭଲରେ ଅଛି । ଚୁଙ୍ଗୁଡ଼ି ସେକଥା ଶୁଣେ । ତା’ର କିଛି ଭାବାନ୍ତର ସୃଷ୍ଟି ହୁଏ ନାହିଁ । ନିହାତ ପ୍ରତିକ୍ରିୟାହୀନ ଭାବରେ ଚୁଙ୍ଗୁଡ଼ି ତା’ ନିଜ କାମରେ ଲାଗିଥାଏ-

 

ଫଜଲୁ ଚାଲିଯାଆନ୍ତି ।

 

ଚୁଙ୍ଗୁଡ଼ି ଝରକା ଦେଇ ଚାହେଁ । ସିକୁଟା ଖଳାରେ ଅଛି । ସପ ପକେଇ ବହି ମେଞ୍ଚାଏ ଖେଳେଇ ଦେଇ ଲେପଟାଇ ପଡ଼ି କ’ଣ ଲେଖୁ ଲେଖୁ ତାଙ୍କରି ଆଡ଼କୁ ଚାହୁଁଚି ।

 

ସିକୁଟା ଫଜଲୁ ଦାକୁ ଭଲପାଏ ନାହିଁ । ତାକୁ ଦେଖିଲେ କେମିତି ଚୁପ୍‌ ହୋଇଯାଏ । ସେ ଘରକୁ ଆସିଲେ ସେ ଚାଲିଯାଏ ବାହାରକୁ । କେମିତି ଛାଡ଼ି ଛାଡ଼ି ରୁହେ ।

 

‘‘ଅପା, ମୁସଲମାନମାନଙ୍କୁ ତୋର ଘୃଣା ହୁଏନି ?’’

 

ଅକସ୍ମାତ୍‌ ଚୁଙ୍ଗୁଡ଼ିକୁ ପଚାରିଦିଏ ସିକୁ । ଚୁଙ୍ଗୁଡ଼ି କୁହେ, କାହିଁକି ? ସେମାନେ କ’ଣ ମଣିଷ ନୁହନ୍ତି ? ଆମଠାରୁ ସେ କୋଉଥିରେ ଭିନ୍ନ କହିପାରିବୁ ?

 

‘‘ନାହିଁ ଯେ ! କିନ୍ତୁ ଫଜଲୁଦା ଆମଘରେ ଏମିତି ଜମେଇଲାଣି, ମତେ ଭଲ ଲାଗୁନି । ଆମ ସମାଜ, ଆମ ଚଳଣି–ଆମେ ବ୍ରାହ୍ମଣ ।

 

ଠିକ୍‌ ଅଛି, ତୁ ତାଙ୍କସହ କଥା ନ କହ !

 

କାହିଁକି ଅପା ? ତୋର ଯଦି ତାଙ୍କ ସହ ଏମିତିକିଛି ଜରୁରୀ କଥା ରହୁଚି, ତୁ ତାଙ୍କୁ ଆଉ କୋଉଠିକୁ ଡକେଇ ପଠାଉନୁ–?

 

‘‘ଓଃ ସିକୁ ! ବନ୍ଦକର । ଦୟାକରି ଚୁପ୍‍କର ।’’ ଚୁଙ୍ଗୁଡ଼ି ନିଃଶବ୍ଦରେ ଚିତ୍କାର କରେ । ସିକୁ କାନରେ ସେକଥା ବାଜେ ନାହିଁ । ସିକୁ ସେକଥା ଶୁଣିପାରେ ନାହିଁ । ସେକଥା ଜାଣିପାରେ ନାହିଁ ।

 

ଚୁଙ୍ଗୁଡ଼ି କ୍ଷଣକପାଇଁ ଚୁପ୍‌ ହୋଇଯାଏ ।

 

ସିକୁ ଚାହେଁ, ବୁଝେ । ଅପାକୁ ଦୁଃଖ ଲାଗିଲା ।

 

କଳେଇ ଭୟମିଶା ଗଳାରେ ପଚାରେ, ‘‘ତୁ ରାଗିଲୁକି ଅପା ? ମୋ ସୁନା ଅପା !’’

 

ଚୁଙ୍ଗୁଡ଼ି ମୁହଁ ଉପରେ ଜବରଦସ୍ତ ହସ ଖେଳାଏ । ହସି ହସି ଲୋଟିପଡ଼େ ‘‘ନାରେ ପାଗଳା–’’ ଚୁଙ୍ଗୁଡ଼ି ଆହୁରି ଜୋରରେ ହସେ । ତା’ର ମନଭିତରେ ସିକୁପାଇଁ ଫୁଟିଆସିଥିବା କଳିର ବାସ୍ନା ଯେମିତି ସିକୁ ନାକରେ ନବାଜୁ । ତା’ ଛାତି ଭିତରେ ଥିବା ରୁଦ୍ଧ ପ୍ରତିବାଦର ଶବ୍ଦ ଏଇ ହସର ଢେଉରେ ବାଜି ଲୀନ ହୋଇଯାଉ । ସିକୁ ନଜାଣୁ, ଚୁଙ୍ଗୁଡ଼ି ମନଦୁଃଖ କରିଥିଲା ବୋଲି ।

 

ସିକୁ ଅପା ପଛରେ ଗୋଡ଼ାଏ–‘‘ସତ କହିବି ? ସେ ଲୋକଟାକୁ କାହିଁକି ମତେ ମୋଟେବି ଭଲ ଲାଗେନି ।’’

କାହିଁକି ଭଲଲାଗେନି ବୋଲି ପଚାରେ ନାହିଁ ଚୁଙ୍ଗୁଡ଼ି । ଭଲ ନ ଲାଗିବାର କାରଣଟା ଖୋଜି ଖୋଜି ବାହାର କରିବାର ଆଗ୍ରହ ପ୍ରକାଶ କରେ ନାହିଁ ।

ଫଜଲୁଙ୍କୁ ସେ ମୋଟେଇ ଗୁରୁତ୍ୱ ଦେଇ ନାହିଁ । ସେ ବୁଝେ ନାହିଁ ତାଙ୍କୁ ନେଇ ବ୍ୟଗ୍ରତା, ଚଞ୍ଚଳତା ।

ଚୁଙ୍ଗୁଡ଼ି ଦୁଆରବନ୍ଧକୁ ଆଉଜି ରହି ରାସ୍ତା ଉପରକୁ ଚାହେଁ । ସାଇକଲ୍, ରିକ୍‌ସା, ମଝିରେ ମଝିରେ ମୋଟରକାର୍‌, ଜିପ୍‌, ଗୋଟାଏ ଦି’ଟା ବସ୍ ଯା’ ଆସ କରୁଚି ।

ଆଗକୁ ଏସବୁ ନଥିଲା । ଏ ରାସ୍ତାଟା ଏତେ ଓସାରିଆ ନଥିଲା । ଏମିତି କଳା ନଥିଲା-

ଶେଥା ହୋଇ ଅଙ୍କାବଙ୍କା ରାସ୍ତାଟା ମୋଡ଼ି ମୋଡ଼ି ଉଠିଥିଲା ନାଳ ଉପରକୁ । ନାଳବନ୍ଧ ସହିତ ମିଶିଯାଇଥିଲା ଟାଉନ୍ ଆଡ଼କୁ । ଟିକେ ବାଙ୍କିଗଲେ ଗାଁ । ସ୍କୁଲ୍‍, ସେପଟେ ଗାଁ ହାଟ–ମଲ୍ଲୀକାପୁର ମେଳଣ ପଡ଼ିଆ ।

ଏଇ ରାସ୍ତା ଉପରେ ପାଦ ଥୋଇ, ଦଉଡ଼ି ଦଉଡ଼ି ଚୁଙ୍ଗୁଡ଼ି ମେଳଣ ଦେଖି ଯାଇଚି । ବହିବ୍ୟାଗ୍ କାନ୍ଧରେ ଝୁଲାଇ ତା’ କିଶୋରୀଦିନରୁ ସ୍କୁଲ୍‍କୁ ଯାଇଚି । ଜ୍ୟୋତିମାମୁ ଆସିଲେ ତାଙ୍କ ସାଇକଲ୍ ଆଗରେ ବସି ହାଟକୁ ଯାଇଚି ।

 

ସେଦିନଗୁଡ଼ାକ କେତେ ସୁନ୍ଦର ନଥିଲା ସତେ ! ଭାବି ହୁଏନି ଆଜି । ଭାବିଲେ ବିଶ୍ୱାସ ହୁଏନି ।

 

ଜ୍ୟୋତିମାମୁଙ୍କ ସହିତ ଗାଁ ହାଟକୁ ଯାଏଁ ଚୁଙ୍ଗୁଡ଼ି ।

 

ଗାଁ ହାଟର ଗୁଡ଼ିଆ ଦୋକାନ ଆଗରେ ପଡ଼ିଥିବା ପଟା ଯୋଡ଼େଇ ବେଞ୍ଚ୍‍ଟା ଉପରେ ବସେଇ ଦେଇ ଦୋକାନ ଆଡ଼କୁ ମୁହଁ ବୁଲେଇ ଠିଆହୋଇ ପଡ଼ନ୍ତି ଜ୍ୟୋତିମାମୁ ।

 

ଧାଡ଼ି ଧାଡ଼ି ହୋଇ ଥାଳିରେ ଥାକଥାକ ସଜା ହୋଇଥିବା ମିଠେଇ ଜଲବିକୁ ଆଙ୍ଗୁଠି ଦେଖେଇ ପଚାରନ୍ତି–

 

‘‘କ’ଣ ଖାଇବୁ ?’’

 

ଚୁଙ୍ଗୁଡ଼ି ଜ୍ୟୋତିମାମୁଙ୍କ ମୁହଁକୁ ଚାହେଁ । ତାଙ୍କ ଚାହାଣିରେ ବିଜୟୀର ବିଜୁଳି । ତାଙ୍କ ଓଠରେ ଦର୍ପିତ ହସ । ଚୁଙ୍ଗୁଡ଼ିକୁ ଲାଗେ ଜ୍ୟୋତିମାମୁ ତା’ର ଖୁବ୍‌ ବଡ଼ଲୋକ । ଠାକୁରଙ୍କଠୁବି ଆହୁରି । ଚୁଙ୍ଗୁଡ଼ି ଗାଲରେ ପାପୁଲି ରଖି ଘଡ଼ିଏ ଚିନ୍ତା କରେ । ଚୁଙ୍ଗୁଡ଼ିକୁ ନିଜହାତରେ ମିଠେଇ, ଗଜା ଖୁଆଇ ଦିଅନ୍ତି ଚୁଙ୍ଗୁଡ଼ି ପାଟିରେ ।

 

ସେଦିନର ସାତ ଆଠବର୍ଷ ବୟସ୍କା ବୋକୀଝିଅ ଚୁଙ୍ଗୁଡ଼ି ଦିନେ ଆତ୍ମହତ୍ୟା କଲା ସେହି ଜ୍ୟୋତିମାମୁଙ୍କ ଆଗରେ । ଚୁଙ୍ଗୁଡ଼ିର ସେଦିନ କଥା ଠିକ୍‌ ମନେଅଛି ଆଜିବି ।

 

ଜ୍ୟୋତ୍ସ୍ନାୟିତ ଫୁଲଝରିର ରାତିରେ, କୋଠରୀର ଅନ୍ଧାର ଭିତରେ ଚୁଙ୍ଗୁଡ଼ି ଜ୍ୟୋତିମାମୁଙ୍କୁ ନୁହେଁ ଆଉ ଏକ କୁତ୍ସିତ ଭୟଙ୍କର ଭିନ୍ନେ ମଣିଷକୁ ଆବିଷ୍କାର କରି ଚମକି ପଡ଼ିଥିଲା ।

 

ସେ ମଣିଷଟା ସହ ଆଗରୁ ତା’ର ପରିଚୟ ନଥିଲା । ଦିନର ଆଲୁଅରେ ଭାରି ଚିକଚିକ ସରଳ, ନିରୀହ ତା’ର ମୁହଁ । ରାତିର ଅନ୍ଧକାରରେ ସେ ମୁହଁରୁ ସବୁ ରଙ୍ଗ ଧୋଇଯାଏ । ନିବୁଜ ଅନ୍ଧାରରେ ତା’ ଦେହରୁ ସବୁ ମାଂସ ଝରିଯାଏ । ତା’ରି ରକ୍ତମାଂସ କଙ୍କାଳଟାକୁ ଦେଖି ଚୁଙ୍ଗୁଡ଼ି ବୁଝିଥିଲା, ସବୁ ପୁରୁଷ ଏକ ।

 

କୂଅମୂଳର ଗନ୍ଧରାଜ ଫୁଲଗଛରେ କଢ଼ ହେଲାଣି । ଆଉ କେଇଟା ଦିନରେ ଫୁଟି ମହକିବ । ଏ ଗଛର ଚାରା ବାପା ଆଣିଥିଲେ । ବୋଉ ଲଗେଇ ଥିଲା । ତା’ ମୂଳରେ ପାଣିଢ଼ାଳି ବଞ୍ଚେଇଥିଲା । ବୋଉ ନାହିଁ ।

 

ବାପା ଅଛନ୍ତି । ବାପା ଚୁଙ୍ଗୁଡ଼ିର ପିଠିରେ ପାପୁଲି ସାଉଁଳନ୍ତି । ଚୁଙ୍ଗୁଡ଼ିର ଆଖି ଛଳଛଳ ହୋଇ ଆସେ କି ଏକ ଅପାର୍ଥିବ ସାନ୍ତ୍ୱନାର ଆବେଗରେ !

 

ତା’ର କିଛି ନ ଥାଇବି ସବୁକିଛି ଥିବାର ଅନୁଭବ ଆସେ ।

 

ଚୁଙ୍ଗୁଡ଼ି ଚେଇଁରହି ସ୍ୱପ୍ନ ଦେଖେ ।

 

ସିକୁଟା ଏମ.ଏ. ପାସ୍‍ କରି ସାରିଚି । ଭଲ ଚାକିରି ପାଇଚି । ତା’ର ଦୀନହୀନ ଶୂନ୍ୟଘରେ, କୋଉ ସୁନାନାକୀ ଝିଅଟିର ଗୋରା ଗୋରା ପାଦର ନୂପୁର ଶବ୍ଦରେ ମୁଖରିତ ହୋଇଯାଉଚି ।

 

ବାପାଙ୍କ ମୁହଁଉପରୁ ସେଇ ସବୁଦିନିଆ ଉଦାସୀ ମେଘର ଭସା ବଉଦଗୁଡ଼ାକ ଆଡ଼େଇ ହୋଇ ଯାଇ ଖୁସିର ଖରା ଝଟକୁଚି ।

 

ବିଜ୍ଞାପନ ଦେଖି ଅନେକଗୁଡ଼ାଏ ଅଫିସ୍‍କୁ ଆବେଦନ କରିଚି ଚୁଙ୍ଗୁଡ଼ି । କେଉଁଠାରୁ ଉତ୍ତର କିଛି ଆସି ନାହିଁ । ଚୁଙ୍ଗୁଡ଼ି ପ୍ରତୀକ୍ଷା କରୁଚି । ଘଣ୍ଟାରେ ଚାରିଟା ବାଜିଲେ ସେ ଦାଣ୍ଡଦରଜା ପାଖୁ ଯାଏଁ । ଦୁଆରବନ୍ଧକୁ ଆଉଜି ବସି ଚାହିଁରହେ ସେଇ କଳାନାଗୁଣୀପରି ଲମ୍ବି ଯାଇଥିବା ପିଚୁଢ଼ଳା ରାସ୍ତା ଉପରକୁ ।

 

ଖାକିରଙ୍ଗର ପୋଷାକ ପିନ୍ଧି କାନ୍ଧରେ ବ୍ୟାଗ୍ ପକେଇ ସାଇକଲ୍‍ରେ ସବୁଘର ସାମ୍ନାରେ ଅଟକି ଅଟକି ଡାକବାଲା ଚୁଙ୍ଗୁଡ଼ି ଘର ଆଗ ଦେଇ ଯାଏଁ । ଚୁଙ୍ଗୁଡ଼ି ଧୀରେ ମୁଣ୍ଡ ହଲେଇ ପଚାରେ ଆମର ଚିଠି ଅଛି ?

 

ଡାକବାଲା ବାଁ ହାତଟା ହଲେଇ ହଲେଇ ସାଇକଲ୍ ଛୁଟେଇ ଦିଏ ଆଗକୁ । କେବେକେବେ ଅଟକି ରହି ଗୋଲାପୀ ଗୋଲାପୀ ଲଫାଫା ହଲାଏ ।

 

ଚୁଙ୍ଗୁଡ଼ି ସନ୍ଦେହୀ ଆଖିରେ ଚାହେଁ । ଲଫାଫା ଉପରେ ସିକୁର ନାଁ । ଝିଅପିଲା ହାତଅକ୍ଷର ।

 

ଅନେକ ବର୍ଷ ତଳେ ଚିନୁଅପା ନାଁରେ ଏମିତି ଲଫାଫା ଚିଠିସବୁ ଆସୁଥିଲା । ଜ୍ୟୋତିମାମୁ ଲେଖୁଥିଲେ ।

 

ଆଜି ଆସୁଚି ସିକୁ ଠିକଣାରେ ।

 

ଚିଠିଟା ନିଃସନ୍ଦେହରେ ପ୍ରେମପତ୍ର । ବୟସର ଉଷ୍ଣ ଅନୁଭୂତି ଏସବୁ । ଚୁଙ୍ଗୁଡ଼ି କିନ୍ତୁ ଖିଆଲ କରିନି ତା’ ନିଜର ଏମିତି କିଛି ଉଷ୍ଣ ଅନୁଭବ ଅଛି କି ନାହିଁ ।

 

ବ୍ଲାଉଜ୍ ଭିତରେ ସନ୍ତର୍ପଣରେ ଚିଠିଟା ଲୁଚେଇ ଆଣି ଘର ଭିତରୁ କବାଟ ଦେଇଦିଏ ଚୁଙ୍ଗୁଡ଼ି ।

 

ତା’ ଦୁଇ ଆଖିରେ ସନ୍ଦେହର ନୀଳବିଷ । ମନତଳେ ଅଜଣା ଆମୋଦ ।

 

ଚିଠିଟା ଯଥେଷ୍ଟ ଲମ୍ବା । ଥରେ ନୁହେଁ, ଅନେକ ଥର ପ୍ରଥମ ସମ୍ବୋଧନର ଧାଡ଼ିଠାରୁ ଶେଷପର୍ଯ୍ୟନ୍ତ ପଢ଼ିଗଲେବି ସବୁକଥା ବୁଝିପାରିଲା ନାହିଁ ଚୁଙ୍ଗୁଡ଼ି । ହୃଦୟ କେମିତି ଫାଟେ, ମନରେ ଶୂନ୍ୟତା, କେମିତି ଢେଉମାରେ, ସିକୁ କେମିତି ସେ ଝିଅଟାର ମନର ଧୂସର ମରୁରେ ଓଏସିସ୍‌ ହୋଇ ଠିଆହୋଇଚି; କିଛିହେଲେ ଚୁଙ୍ଗୁଡ଼ି ମୁଣ୍ଡରେ ପଶିଲା ନାହିଁ । ତପନ ଅନେକ ଥର କହିଥିବା କଥାଟାକୁ ଚୁଙ୍ଗୁଡ଼ି ବିଶ୍ୱାସ କଲା । ସେ ଖୁବ୍‌ ନିର୍ବୋଧ, ଖୁବ୍‌ ବୋକୀ ! ଚିଠିଟାର ଶେଷକୁ ଗୋଲ ଗୋଲ ଦୁଇଟା ଅକ୍ଷରକୁ ନେଇ ଗୋଟିଏ ଛୋଟ ନାଁ ‘ରୋଜି’ ।

 

ରୋଜି । ଝିଅଟାର ନାଁ ରୋଜି । ସିକୁର ପ୍ରେମିକା । ଚୁଙ୍ଗୁଡ଼ିର ଭାବୀ ଭାଉଜ । ଚୁଙ୍ଗୁଡ଼ି ଚିଠିଟାକୁ ଚାରିଭାଙ୍ଗକରି ଲଫାଫାରେ ପୂରାଇ ନୂଆକରି ଅଠାଦେଇ ଯୋଡ଼ି ରଖିଦେଲା ।

 

ପଢ଼ିବସିଲାବେଳେ ଖାତାରେ ଲୁଚେଇରଖି ସେଇ ଚିଠିଟା ଦୋହରାଇ ଦୋହରାଇ ପଢ଼ୁଚି ସିକୁ । ଚୁଙ୍ଗୁଡ଼ି ଚୁପ୍‌କରି ଅପସରି ଯାଏଁ ତା’ ନିକଟରୁ ।

 

ବିଛଣାରେ ଗଡ଼ିଗଡ଼ି ଚେଇଁରହି ଚୁଙ୍ଗୁଡ଼ି ସ୍ୱପ୍ନ ଦେଖେ ସେଇ ଝିଅଟାକୁ । ସେହି ପାତଳୀ ଗୋରୀ, ସୁନ୍ଦରୀ ଝିଅଟା ଏ ଘରୁ ସେଘର, ବାରଣ୍ଡାରେ ଏପଟ ସେପଟ ହେଉଚି ।

 

ତା’ର ଚାକିରିଟା ହେଇଗଲେ ସେ ଏଠି ରହିପାରିବ ନାହିଁ । ଘରଠୁ ଦୂରକୁ ଚାଲିଯିବ । ବାପାଙ୍କ କଥା ବୁଝିବାକୁ ବୋହୂଟିଏ ନିହାତ ଦରକାର । ଅବୁଝା ସିକୁଟାକୁ ସ୍ନେହ ଦେବାକୁ ତା’ର ଭାଉଜଟିଏ ଦରକାର ।

 

ଚୁଙ୍ଗୁଡ଼ି ସବୁଦିନେଭାବେ ବାପାଙ୍କୁ କହିବ । ଜଣେଇଦେବ ସିକୁ କଥା !

 

ରୋଜିକୁ ବୋହୂକରି ଆଣିବାକୁ ବୁଝେଇଦବ ।

 

ରୋଜି ବିଷୟରେ ଅଧିକ କିଛି ଜାଣେ ନାହିଁ ଚୁଙ୍ଗୁଡ଼ି । ଦେଖିଚି ଯାହା ।

 

ସିକୁକୁ ସେ ବିଷୟରେ କିଛି ପଚାରିବାକୁ ତାକୁ ଖରାପ ଲାଗୁଚି ।

 

ସିକୁକୁ ଅନେକ ସମୟରେ ଲେଡ଼ିଜ ହଷ୍ଟେଲ୍‍ର ଗେଟ୍‌ପାଖରେ ଦେଖି ଦେଖି ଚୁଙ୍ଗୁଡ଼ି ବୁଝେ, ରୋଜି ହଷ୍ଟେଲ୍‍ରେ ରୁହେ ! ସିକୁ ବେଶ୍‌ ଲମ୍ବା, ଗୋରା, ସୁନ୍ଦର । ଦେଖିଲେ ତା’ ବୟସ ତୁଳନାରେ ବେଶି ବଡ଼ ଜଣାପଡ଼େ । ହେଲେବି ମୁହଁଟା ଶାନ୍ତ, ପିଲାଳିଆ । ଚୁଙ୍ଗୁଡ଼ି ସିକୁର ପୁରୁଣା ଫଟୋ ଦେଖେ । ଖୁସିହୁଏ । କେଡ଼େଟିକେ ନଥିଲା ସିଏ ! ଆଉ ସିଏ ନିଜେ ? ମାତ୍ର ଗୋଟିଏ ବର୍ଷ ବଡ଼ ସିକୁଠାରୁ ! ଏବେ ସିକୁଟା ତା’ଠାରୁ ଢେର୍ ବଢ଼ିଗଲାଣି । ଯେ କେହି ଦେଖିଲେ କୁହେ ସିକୁ ତା’ଠାରୁ ବଡ଼ ବୋଲି ।

 

ଚୁଙ୍ଗୁଡ଼ିର ଆଖିଦିଟା ତା’ ନିଜ ଅଜାଣତରେ ଜକେଇ ଆସେ । ବୋଉ ଥିଲେ !

 

ସିକୁ ଭଲ ଛାତ୍ର, ଖୁବ୍‌ ଭଲ ଛାତ୍ର । ବର୍ଷଟିଏ ପରେ ଏମ.ଏ. ପାସ୍ କରିବ । ବର୍ଷଟିଏ ପରେ ।

 

ବର୍ଷେ ! ଚୁଙ୍ଗୁଡ଼ି ଆଖିବୁଜି ଦିଏ । ବର୍ଷେ ପୂରିବାର ଠିକ୍‌ ପରଦିନଟା କାହିଁ କେତେ ଦୂରରେ । ଚାହିଁରହିଲେ ଆଖି ପାଏନା । ନ ଚାହିଁଲେ ସୁଖର ଦିନ ସରିଗଲା ପରି କାହିଁ କେତେବେଳେ ଚାଲିଯାଏ । ଆଖିପିଛୁଳାକେ ବର୍ଷବର୍ଷ ପୁରୁଣା ହୋଇଯାଏ । ଦିନଗୁଡ଼ାକ ଅତୀତ ହୋଇଯାଏ ।

 

ଚିନୁଅପା ମରିବାର ଚଉଦବର୍ଷ ହୋଇଗଲା । ବୋଉ ମରିବାବି ସେତିକି ହେବ । କିନ୍ତୁ ଚୁଙ୍ଗୁଡ଼ିକୁ ଲାଗେ ତା’ ବୋଉ ଯେମିତି କାଲି ମରିଚି ! ଆଠବର୍ଷର ସିକୁ ତା’ରି କୋଳକୁ ଆଉଜି ବସିଚି । ତା’ରି ଛାତିରେ ମୁଣ୍ଡ ଗୁଞ୍ଜି କାନ୍ଦୁଚି । ବାପା ଦୃଷ୍ଟିହୀନ ଦୃଷ୍ଟିରେ ବଲବଲ କରି ଚାହୁଁଚନ୍ତି । କାନ୍ଦୁ ନାହାନ୍ତି, ହସୁ ନାହାନ୍ତି । ଠିକ୍‌ କାଲି ଯେମିତି ଏକଥା ଘଟିଥିଲା । ଠିକ୍‌ କାଲି !

 

କାନ୍ଦର କରାକ ସ୍ରୋତ ସେହି ଦିନଠାରୁ ପାଦେବି ବଢ଼ି ନାହିଁ । ସମୟର ସଦାଚଞ୍ଚଳ ପଦପାତ ଠିକ୍‌ ସେହି ମୁହୂର୍ତ୍ତରେ ସ୍ତବ୍ଧ ହୋଇଯାଇଛି ।

 

ରାକ୍ଷୀ ପୂର୍ଣ୍ଣିମା ।

 

ସିକୁ ହାତରେ ରାକ୍ଷୀ ପିନ୍ଧେଇଲା ଚୁଙ୍ଗୁଡ଼ି । ଏଇ ତିଥିରେ ତା’ର ମନେ ପଡ଼େ ଆଉଜଣଙ୍କ କଥା ।

 

ସବୁ ବର୍ଷପରି ଦୁଇଟା ରାକ୍ଷୀ କିଣିଚି ଚୁଙ୍ଗୁଡ଼ି । ଅନ୍ୟ ରାକ୍ଷୀଟା ଆଶିଷ ଠିକଣାରେ ପଠେଇ ଦେଇଥିଲା ସେ । ଆଶିଷର ଭଉଣୀ ନାହିଁ । ଚୁଙ୍ଗୁଡ଼ି ତା’ର ଭଉଣୀ ।

 

ଦୁଇମାସ ବିତିଗଲାଣି, ଆଶିଷ କିଛି କହୁ ନାହିଁ ଯେ ! ଏଇ ଦୁଇମାସ ଭିତରେ ଥରୁଟେ ଦେଖାବି କରିନି ।

 

ଅନେକ ଦିନ ପରେ ଚିଠି ଆସିଲା । ୟାଡ଼ୁସାଡ଼ୁ କେଇଧାଡ଼ି ଲେଖିସାରିଲା ପରେ ଧାଡ଼ିଏ, ‘‘ତମ ରାକ୍ଷୀ ପାଇଚି । ଏତେ ପରିଶ୍ରମ କରି ପଠାଇଚ ଯେତେବେଳେ, ଧନ୍ୟବାଦ ନବ ।’’ ଚୁଙ୍ଗୁଡ଼ିର ମୁଣ୍ଡ ଝାଇଁ ଝାଇଁ ହୋଇଯାଏ । ଆଶିଷ ପରା ତା’ ମୁଣ୍ଡ ଛୁଇଁ କହିଥିଲା, ଚୁଙ୍ଗୁଡ଼ିକୁ ସେ ନିଜ ଭଉଣୀ ପରି ଭଲପାଏ । ଆଉ ଆଜି ରାକ୍ଷୀଟାପାଇଁ ଧନ୍ୟବାଦ ଜଣାଉଚି ? ଚୁଙ୍ଗୁଡ଼ିର ପରିଶ୍ରମଗୁଡ଼ାକ ଧନ୍ୟବାଦର ମୂଲ୍ୟଦେଇ କିଣିନେଇଚି ଆଶିଷ । ମାତ୍ର ତା’ର ସ୍ନେହ ମମତାର ମୂଲ୍ୟ ଦେବାକୁ କେମିତି ଭୁଲିଗଲା ? ନାଁ ଜାଣି ଜାଣି ଆଡ଼େଇଗଲା ?

 

ସଉରୀ ପଣ୍ଡାଠୁ ଜମି ବନ୍ଧକ ପଇସା ଶେଷ ହେବାକୁ ବସିଲାଣି । ଚୁଙ୍ଗୁଡ଼ିର ଆଖି ଆଗରେ କ୍ରମଶଃ ଅନ୍ଧାହି ଜମାଟ ବାନ୍ଧି ତାକୁ ଅନ୍ଧ କରିଦେବାକୁ ବସିଲାଣି । ଆଉ କେଇଟା ଦିନ ବା ଏମିତି ଚଳିହେବ ?

 

କେତେଟା ପ୍ରାଇଭେଟ ଫର୍ମ୍‍ର ବିଜ୍ଞାପନ ଦେଖି ବାପାଙ୍କୁ ନ ପଚାରି ସିକୁକୁ ନ କହି ଆବେଦନ କରି ପକେଇଲା ଚୁଙ୍ଗୁଡ଼ି ।

 

ଉଚ୍ଚ ଶିକ୍ଷାର ଇଚ୍ଛା ଯେତେ ଅଦମ୍ୟ ହେଲେବି ଛାତିଭିତର ପଞ୍ଜୁରୀରେ ଅବାଧ୍ୟ ପିଲାକୁ କାନ ମୋଡ଼ି ‘ଚୁପ୍’ କରିଦେଲା ପରି ବନ୍ଦକରି ତାଲା ଦେଇଦେଲା ଚୁଙ୍ଗୁଡ଼ି । ପୁଣି ଅବିରତ ପ୍ରତୀକ୍ଷା-। ଠିକ୍‌ ଚାରିଟା ବାଜିଲେ ଦାଣ୍ଡଦୁଆର ମୁହଁରେ ଠିଆହୋଇ ଡାକବାଲାକୁ ଚାହିଁରହିବା ଚୁଙ୍ଗୁଡ଼ିର ଦୈନିକ କାର୍ଯ୍ୟ ତାଲିକାରେ ଲିପିବଦ୍ଧ ହୋଇଗଲା ।

 

ଏଇଟା କମ୍ପାନୀର ପଞ୍ଚମ ବ୍ରାଞ୍ଚ ଅଫିସ୍ । ଆଉ କେତୋଟି ଶାଖା ମଧ୍ୟ ଖୋଲିବାର ଅଛି-। ଏଇଟା ନୂଆ ଅଫିସ୍ । କର୍ମଚାରୀମାନଙ୍କ ନୂଆ କଲୋନି ତିଆରି ହୋଇଚି । ସେଇଠି ରୁହନ୍ତି କମ୍ପାନୀ ଲୋକ । କମ୍ପାନୀ ଘଣ୍ଟାରେ ନ’ଟା ବାଜିଲେ କମ୍ପାନୀରେ ଲୋକ ଗହଳି ହୁଏ । ସେ ଗହଳି କମିଯାଏ ଦିନ ପାଞ୍ଚଟାରେ ଅପେକ୍ଷାକୃତ ନିର୍ଜନ ମାଳ ଅଞ୍ଚଳରେ ଏଇ ଶାଖାଟି ଖୋଲାଯାଇଚି-। ଚାରିଆଡ଼େ ପାହାଡ଼, ଜଙ୍ଗଲ । ପାହାଡ଼ର ସବୁଜ ବଳୟ ଚାରିଆଡ଼େ । ଧ୍ୟାନମଗ୍ନ ତପସ୍ୱୀର ବକ୍ଷସ୍ଥଳରେ ମୁଖର ତା’ର ଛୋଟ ଚନ୍ଦନ ବିନ୍ଦୁଟିଏ ଏଇ ଅଫିସ୍ ।

 

ଏଇ ଅଫିସ୍‍ର ମ୍ୟାନେଜର ତରୁଣବାବୁ । ତରୁଣବାବୁ ବଙ୍ଗାଳୀ । ନାଁଟା ତରୁଣ ହେଲେବି ତରୁଣବାବୁ ପ୍ରୌଢ଼ । ଏଇ ବ୍ରାଞ୍ଚ ଅଫିସ୍‍ର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରନ୍ତି, ହେପାଜତ କରନ୍ତି, ପରିଚାଳନା କରନ୍ତି ।

 

ତାଙ୍କୁ ଛାଡ଼ି, ଅଫିସ୍‍ରେ କାମ କରେ, ପହଲି ରାଉତ, ପିଅନ କେଇଜଣ, ମାଳୀ, ଚପରାସି ଆଉ ଅଡ଼ର୍ଲିରଘୁ । କମ୍ପାନୀ ଗେଷ୍ଟହାଉସ୍‍ର ତତ୍ତ୍ୱାବଧାରକ ଚିନ୍ତା । ଅଫିସ୍ ଫାଇଲ୍ କାମରେ ଏଠି ଚାରିଜଣ ମହିଳା କର୍ମଚାରୀବି ନିଯୁକ୍ତି ପାଇଚନ୍ତି ।

 

ପ୍ରଥମରେ ନିଯୁକ୍ତି ପାଇଥିବା ମିସ୍ ଅରୁଆ କେରଳୀ ଝିଅ । ନଡ଼ିଆ ବଣରେ ଶୋଇରହି ସାଗର ଲହରୀ ଗଣିବାର ସ୍ୱପ୍ନ ଦେଖି ପାହାଡ଼ ଉପରେ ଭସା ବଉଦର ବାସ୍ତବତାରେ ହଜିଯାନ୍ତି । ଦେହର ରଙ୍ଗ ଗାଢ଼ ଚିକ୍‌କଣ କଳା । ମନେହୁଏ ଟିପ ଲଗେଇ ପୋଛି ଆଣିଲେ ମେଞ୍ଚାଏ କଳା ସତେବା ଉଠି ଆସିବ ହାତରେ । କିନ୍ତୁ ଗଠଣ ସୁନ୍ଦର । ତୀକ୍ଷ୍ଣ ନାକ । ବଡ଼ବଡ଼ ଟଣା ଆଖି, ପାତଳ ଓଠ, ଦୀର୍ଘଦେହ ।

 

ଇରା ଟେରୀ । ଗୋଟାଏ ଆଡ଼କୁ ଚାହିଁଲେ ଅନ୍ୟ ଆଡ଼େ ଚାହିଁଥିଲା ପରି ଜଣାପଡ଼େ । ଭାରି ଅସୁବିଧା ଲାଗେ ତାଙ୍କୁ କିଛି କହିବାକୁ । ସବୁବେଳେ ନାଲିଶାଢ଼ି ପିନ୍ଧନ୍ତି । ଛୋଟ ଛୋଟ କଥାରେ ଟିକେ ବେଶି ହସନ୍ତି । ବେଶି ଗପନ୍ତି । ହେଁହେଁ ଫେଁଫେଁ ହୁଅନ୍ତି ।

 

ଆଉଜଣେ ହେଲେ ମିସେସ୍‌ ହ୍ୟାରିସନ । ତାଙ୍କୁ ଚିହ୍ନିବାରେ କିଛି ଅସୁବିଧା ନାହିଁ । କିଛି ଦ୍ୱନ୍ଦ୍ୱରେ ପଡ଼ିବାକୁ ହେବ ନାହିଁ । ତାଙ୍କର ବବକଟ୍‌ ବାଳ । ମିସେସ୍‌ ହ୍ୟାରିସନ ଖ୍ରୀଷ୍ଟିଆନ । ଛାତିରେ କ୍ରସ୍ ପକାନ୍ତି । ବେଶି ସାଜିସୁଜି ଆସନ୍ତି । ତାଙ୍କର ଅତିରିକ୍ତ ମେକପ୍‌ ତାଙ୍କ ଗୋରା ମୁହଁକୁ ମାନେ ।

 

ଏଇ ତିନିଜଣଙ୍କୁ ଛାଡ଼ିଦେଲେ ବ୍ରାଞ୍ଚ ଅଫିସ୍‍ରେ ଅନ୍ୟ ଯେଉଁଝିଅଟି କାମ କରେ ତାକୁ ମନେରଖିଲା ପରି କିଛି ନାହିଁ । ଯିଏ ଟିକେ ବେଶି ଗମ୍ଭୀର, ଚୁପ୍‌ଚାପ୍‌ । ଏମାନଙ୍କଠାରୁ ଯିଏ ଟିକିଏ ବେଶି କ’ଣ ଭାବିଲା ପରି ଲାଗେ । ମୁହଁରେ ଗୁଡ଼ାଏ କଳାବାଦଲ ଲାଖିରହି ଉଦାସିଆ କରିଦେଇଚନ୍ତି । ସେହିଁ ଚୁଙ୍ଗୁଡ଼ି ।

 

ଏଇ ଖାଲିଥିବା ପୋଷ୍ଟ୍‍ଟାପାଇଁ ଆବେଦନ କରିଥିଲା ଚୁଙ୍ଗୁଡ଼ି । ସୁତରାଂ ଚୁଙ୍ଗୁଡ଼ି ଏଇ ପରିବାରର ସର୍ବଶେଷ ନୂତନ ସଭ୍ୟା ।

 

ହେଉ ପଛେ କମ୍ପାନୀ ଚାକିରି ! ବିଜ୍ଞାପନଟା ଦେଖିଦେଇ ଚୁଙ୍ଗୁଡ଼ି ଆବେଦନ କରିଥିଲା-। ଦରମା ଅଙ୍କଟା ସନ୍ତୋଷଜନକ । କମ୍ପାନୀ ଚାକିରିରେ ବୋନସ୍ ଅଛି ।

 

ଟିକେ ପରିଶ୍ରମ । ସରକାରୀ ଚାକିରିରେ ଖାତାରେ ନାଁ ଦସ୍ତଖତ ମାରି ନିଶ୍ଚିନ୍ତରେ ନିଜକାମ କରିହବ । ଆରାମରେ ଟେବ୍ଲ ଉପରେ ଗୋଡ଼ ଛନ୍ଦି ଘୁମେଇ ହବ । କମ୍ପାନୀ ଚାକିରିରେ ସେତକ ନାହିଁ ।

 

ଆଉ, ସେତକ ନାହିଁ ବୋଲି ଚୁଙ୍ଗୁଡ଼ି ବେଶି ଆକୃଷ୍ଟ ହୋଇ ପଡ଼ିଥିଲା ସେଇ ଚାକିରିଟା ପ୍ରତି । ଚୁଙ୍ଗୁଡ଼ି ମନେକରେ କର୍ମମୁଖରତାହିଁ ଜୀବନର ସଂଜ୍ଞା । ପରିଶ୍ରମହିଁ ଗତିଶୀଳତାର ପ୍ରତୀକ । ଆଉ ଗତିହିଁ ଜୀବନର ଲକ୍ଷଣ । ଯେତେଦିନ ପର୍ଯ୍ୟନ୍ତ ହାତରେ କାମ ଥାଏ ମୁଣ୍ଡରେ କର୍ତ୍ତବ୍ୟର ଚାପା ଥାଏ, ଜଞ୍ଜାଳର ବୋଝ ଥାଏ ଚୁଙ୍ଗୁଡ଼ି ଅନୁଭବ କରେ ଜୀବନକୁ ।

 

ତା’ର ପ୍ରତ୍ୟୟ ଆସେ ସେ ଜିଇଁଛି । ଆଉ ସେ କର୍ତ୍ତବ୍ୟର ଚାପ ମୁଣ୍ଡଉପରୁ ଓହ୍ଲେଇଗଲେ; ସେ କାମର ଜଞ୍ଜାଳ ହାତରୁ ତୁଟିଗଲେ ସେ କେମିତି ସ୍ଥବିର ଶୋଇପଡ଼ିବ, କେମିତି ନିର୍ଜୀବ ହୋଇଯିବ, ସେକଥା ମନେକରି ନିଜେ ନିଜେ ଚମକି ପଡ଼େ । ଭୟରେ ଶିହରି ଉଠେ ।

 

କମ୍ପାନୀ ଚାକିରିରେ ଜୀବନ ଅଛି । ଚୁଙ୍ଗୁଡ଼ି ଗ୍ରହଣ କରିବାକୁ ରାଜି ହୋଇଗଲା ।

 

ବାପା ଖୁସିହେଲେ ନାହିଁ । ଝିଅ ତାଙ୍କର ଚାକିରି କରିବ, ପୁଣି କୋଉ କୋଟିପତିର ବ୍ୟକ୍ତିଗତ ଫାର୍ମରେ । ସେ ନିଜକୁ ଅଧିକ ଅସମର୍ଥ ମନେକଲେ । ଚୁଙ୍ଗୁଡ଼ିକୁ ଡାକି, ପାଖରେ ବସାଇ ବୁଝାଇଥିଲେ । ‘‘ପିଲାଲୋକ ତୁ ! ସବୁ କଥା ଭାବିଚିନ୍ତି କରିବା ଭଲ ।’’

 

ଚୁଙ୍ଗୁଡ଼ି ରାତିଏ ଭାବିଥିଲା । ଉଜାଗର ରହି ଗୋଟିଏ ରାତି ଚିନ୍ତା କରିଥିଲା । ବାସ୍‌ ସେତିକି । ବାପାଙ୍କ କଥାରେ ଜୀବନର ପ୍ରଥମ ଥରପାଇଁ ଅବାଧ୍ୟ ହୋଇଥିଲା ସେ । କିଛି ଶୁଣି ନଥିଲା । ତାଙ୍କର ବାରଣ ମାନି ନଥିଲା । ନିଯୁକ୍ତିପତ୍ର ପାଉପାଉ ଦରକାରୀ ଜିନିଷପତ୍ର କେଇଖଣ୍ଡ ବାନ୍ଧି ଚାଲି ଆସିଥିଲା ଏଠିକି । ଘରଠାରୁ କେଇ ଶହ କିଲୋମିଟର ଦୂରକୁ । ବେଶ୍‌ ଭଲ ଲାଗିଥିଲା ଏ ଜାଗା । ଭଲ ଲାଗିଥିଲା କାମ କରିବାକୁ ।

 

ତରୁଣବାବୁ ଚୁଙ୍ଗୁଡ଼ିର କାମ ଦେଖନ୍ତି । ଖୁସିହୁଅନ୍ତି, ମୁଗ୍ଧ ହୁଅନ୍ତି । ସକାଳ ନ’ଟାଠାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଟେବ୍ଲ ଉପରେ ମୁହଁ ଗୁଞ୍ଜି ବସିଥିବ, ବସି କାମରେ ଲାଗିଥିବ । କୋଉଆଡ଼କୁ ନଜର ନାହିଁ । ଆଗ୍ରହ ନାହିଁ । ହେଁହେଁ ଫେଁଫେଁ ନାହିଁ । ଭାରି କାମିକା, ଭାରି କର୍ତ୍ତବ୍ୟପରାୟଣା । ଅନ୍ୟମାନଙ୍କ ପରି ଲଞ୍ଚ୍‍ବ୍ରେକ୍‌ରେ ଘଣ୍ଟାକୁ ଅନେଇ ବସେ ନାହିଁ । ଏକା ଜାଗାରେ ଫାଇଲ୍‍ଧରି ନିଜ କାମରେ ବୁଡ଼ିଯାଇଥାଏ । କ୍ଳାନ୍ତି ନାହିଁ । ଅବସାଦ ନାହିଁ । ସେହି କାମହିଁ ଜିଇଁରହିବାର ମାଧ୍ୟମ । ବଞ୍ଚିବାର ସାନ୍ତ୍ୱନା । ଠିକ୍‌ ଅଫିସ୍ ଖୋଲୁ ଖୋଲୁ ଚୁଙ୍ଗୁଡ଼ି ପହଞ୍ଚିଯାଏ । ଘଣ୍ଟା ସହିତ ପାଦ ମିଳେଇ କାମରେ ଆଗେଇଯାଏ ସେ ।

 

ଅଫିସ୍ ଆଓ୍ୱାରର ସୀମିତ ସମୟ ମଧ୍ୟରେ ତଥାପି ସରେ ନାହିଁ ସବୁକାମ । ବଳିପଡ଼େ-। ବାକିରହିଯାଇଥିବା ଫାଇଲ୍‍ଗୁଡ଼ାକ ସାଙ୍ଗରେ ନେଇଆସେ ଘରକୁ । ଷ୍ଟୋଭ୍‍ରେ ରୋଷେଇ ବସେଇ ସେ କାମ ସବୁ ସାରିଦିଏ ।

 

ନୂଆ କଲୋନିରେ ତିରିଶଟି କ୍ୱାଟର୍ । ଧାଡ଼ି ଧାଡ଼ି ଘର । ସବା କଡ଼କୁ ଥିବା ଘରଟା ଚୁଙ୍ଗୁଡ଼ିର । ଦି’ବଖରା ଘର । ରୋଷେଇଘର, ଗାଧୁଆଘର । ଘର ଆଗରେ ବଗିଚାପାଇଁ କେଇ ହାତ ଜାଗା । ଘର ଚାରିକଡ଼େ ତାରବାଡ଼ । ଆଗରେ ସାନ ଲୁହାଗେଟ୍‌ । ମାସ ଶେଷକୁ ଛ’ ଖଣ୍ଡ ଶହେ ଟଙ୍କିଆ ନୋଟ୍ । ତା’ର ଆଠ ପର୍ସେଣ୍ଟ ବୋନସ୍ !

 

ଆଉକ’ଣ ଦରକାର ତା’ର ?

 

ଆଉ ବା ଅଧିକ କ’ଣ ସେ ଚାହିଁଥିଲା ?

 

ଏତେଦିନ ପରେ ଚୁଙ୍ଗୁଡ଼ି ବୁଝିଲା, ଅର୍ଥନୈତିକ ସ୍ୱାଧୀନତାରେ ହତାଶ ମଣିଷ ବଞ୍ଚିରହିବାର ସାନ୍ତ୍ୱନା ପାଏ !

 

ପ୍ରଥମ ମାସର ଦରମା ଛ’ଟା ଶହେଟଙ୍କିଆ ନୋଟ୍‍କୁ ଛ’ଶହ ଥର ଗଣିଗଣିକି ଏକ ବିଚିତ୍ର ଆବେଗରେ ଛାତିରେ ଚାପିଧରିଥିଲା ଚୁଙ୍ଗୁଡ଼ି ।

 

ବୋଉଥିଲେ ଖୁସି ହୋଇଥାନ୍ତା । ଚୁଙ୍ଗୁଡ଼ି ଆଖିରେ ମୁକ୍ତା ବିନ୍ଦୁର ସଜଳତା ।

 

ନିଜ ହାତରେ ଘର ସଜାଡ଼େ ଚୁଙ୍ଗୁଡ଼ି ।

 

ଆଡ଼ମ୍ବର ନାହିଁ । ପରିପାଟୀ ନାହିଁ ।

 

ବାହାର ଘରେ କେତେଖଣ୍ଡ ବେତଚୌକି । କାନ୍ଥରେ ଖଣ୍ଡେ ଦି’ଖଣ୍ଡ ନିଜ ହାତଅଙ୍କା ପେଣ୍ଟିଙ୍ଗ୍ । ଚୁଙ୍ଗୁଡ଼ି ସୁନ୍ଦର ଛବି ଆଙ୍କୁଥିଲା । ଏବେ ସେସବୁ ଛାଡ଼ିଦେଇଚି । ଘର ଆଗର ଜାଗା କେଇହାତରେ ଛୋଟ ସବୁଜ ଲନ୍‌ । ଗେଟ୍‍ପାଖକୁ ଲମ୍ବି ଯାଇଥିବା ସାନ ନାଲିମାଟିର ଅଣଓସାରି ରାସ୍ତା ଦୁଇ କଡ଼ରେ ମଲ୍ଲୀଗଛ ଦୁଇଧାଡ଼ି । ନିଜ ହାତରେ ଚୁଙ୍ଗୁଡ଼ି ପାଣିଦିଏ ସେଥିରେ ।

 

ଚୁଙ୍ଗୁଡ଼ିର ଆଖି ସନ୍ତୋଷରେ ବୁଜିହୋଇ ଆସେ ।

 

ଏଇ ତା’ର ବର୍ତ୍ତମାନର ପରିପୂର୍ଣ୍ଣ ଜୀବନ । ସ୍ୱପ୍ନର ରଙ୍ଗୀନ ବାସ୍ତବତା ।

 

ଚୁଙ୍ଗୁଡ଼ି ଠାରୁ ଦୁଇଟା ସିଟ୍‌ ଛାଡ଼ିଦେଲେ ଇରାର ସିଟ୍‌ ।

 

ଇରା ଟିକେ ବେଶି ଗପୁଡ଼ି । ସମସ୍ତେ କୁହନ୍ତି । ଚୁଙ୍ଗୁଡ଼ିବି ବୁଝେ ସେୟା । ଏଥିପାଇଁ ଇରା ସବୁରି ମୁହଁରେ ଆଲୋଚିତା, ସମାଲୋଚିତା ମଧ୍ୟ । ଚୁଙ୍ଗୁଡ଼ି କିନ୍ତୁ ଏ ବିଷୟ ନେଇ କେବେ କିଛି କହି ନାହିଁ ତାକୁ । ଚୁଙ୍ଗୁଡ଼ିକୁ ଭଲଲାଗେ ତା’ର ଶେଷହୀନ ଗଳ୍ପର ବିଚିତ୍ର ଲହରୀ ମାଳାକୁ ଗଣିବାକୁ ।

 

ଚୁଙ୍ଗୁଡ଼ି ତା’ କିଶୋରୀ ବୟସରେ ଏମିତି ଗପୁଡ଼ି ଥିଲା ।

 

ସବୁବେଳେ ପିମ୍ପୁଡ଼ିପରି ଲାଗୁଥିଲା ଜ୍ୟୋତିମାମୁଙ୍କ ସାଥିରେ । ଜୋକଭଳି ତାକୁ ଛାଡ଼ିଦଉ ନଥିଲା ।

 

ଜ୍ୟୋତିମାମୁ ତାଙ୍କୁ ଗପ କହୁଥିଲେ, ସେ ଶୁଣୁଥିଲା, ଚୁଙ୍ଗୁଡ଼ି ଗପୁଥିଲା, ଜ୍ୟୋତିମାମୁ ଶୁଣୁଥିଲେ । ଜ୍ୟୋତିମାମୁଙ୍କ ଛଡ଼ା କେହି ଆଉ ତା’ର ଏଇ ଅନାବନା ଗଳ୍ପର ମଧୁରତା ଖୋଜି ପାଉ ନଥିଲେ ବୋଧେ । ତା’ର ଅଜସ୍ର ଅର୍ଥହୀନ ଗଳ୍ପର ଅସରା ଖିଅକୁ ମନଯୋଗ ଦେଇ ବୁଝିବାକୁ ଶୁଣିବାକୁ ଧୈର୍ଯ୍ୟ ଆଉ କାହାର ଏତେ ବେଶି ନଥିଲା ।

 

ଚୁଙ୍ଗୁଡ଼ି ଯେ ଭୀଷଣ ଗପୁଡ଼ି–ତପନ ଦିନେ ଏଇ କଥାଟା ବୁଝେଇ ଦେଇଥିଲା ତାକୁ । ଚୁଙ୍ଗୁଡ଼ି ଚିଡ଼ି ଯାଇଥିଲା । ରାଗିଯାଇ ତପନ ସହ ସାଙ୍ଗେ ସାଙ୍ଗେ କଟି ପକେଇ ଦେଇଥିଲା ।

 

ତପନ ସାଙ୍ଗେ ସାଙ୍ଗେ ଭୁଲ୍ ମାଗିନେଇ ଚୁଙ୍ଗୁଡ଼ିକୁ କୁହେ, ‘‘ତୁ ସତକୁସତ ରାଗିଗଲୁ କି ଚୁଙ୍ଗୁଡ଼ି ? ତୋତେ ମୋ ରାଣ ! ତୁ ସେମିତି ଚୁପ୍‌ଚାପ୍ ରହନା !’’

 

‘‘–ମୋ କଥା ଯଦି ତତେ ଏତେ ଖରାପ ଲାଗୁଚି ମୁଁ ତତେ ଆଉ କେବେ ଦିନେବି ପାଟି ଖୋଲିବିନି । ହଁ, ସତକହୁଚି ।

 

‘‘ଚୁଙ୍ଗୁଡ଼ି ! ମୋ ସୁନାଟା ପରା । ତୁ କଥା କହ । ତୁ ଗପୁଡ଼ି ହେଲେ କ’ଣ ହେଲା ? ତୋର ସେହି ଗପତ ମତେ ଭଲ ଲାଗେ । ତୁ ଯେତେ ପୁରୁଣା ଘଷରା କଥାସବୁ ଗପିଲେବି ସେସବୁ ମୋ କାନକୁ ନୂଆ ନୂଆ ଶୁଭେ । ଏଣିକି ମୁଁ ତତେ ଆଉ କିଛି କହିବିନି । ତୁ ଜୀବନସାରା ଯେତେ ଯାହା ଗପିଲେବି ମୁଁ ନିଦ ଭୁଲି ଜୀବନସାରା ଚାହିଁବସିଥିବି ସେ ସବୁକୁ ଶୁଣିବାକୁ ।’’

 

ତଥାପି ଚୁଙ୍ଗୁଡ଼ି ଚୁପ୍‌ହୋଇ ବସେ । ଗୁମ୍‌ହୋଇ ତପନକୁ ପଛକରି ମୁହଁ ତଳକୁ ପୋତେ-

 

ତପନ ଆଉ ବେଶି ସହିପାରେ ନାହିଁ । ଆଉ ଅପେକ୍ଷା କରିପାରେ ନାହିଁ ।

 

ଚୁଙ୍ଗୁଡ଼ିର ଅଣ୍ଟାରେ ହାତ ମାରି କୁତ୍‌କୁତ୍‌ କରେ ।

 

ଚୁଙ୍ଗୁଡ଼ି ହସେ ।

 

ଚୁଙ୍ଗୁଡ଼ି ତପନ କଥା ମନେକରି ଅନ୍ୟମନସ୍କ ହୋଇଯାଏ । ହଠାତ୍‌ ତାକୁ ଆନମନା ଦେଖି ଇରା ତାକୁ ହଲେଇ ଦିଏ ।

 

‘‘ତମକୁ ନିଦ ଲାଗୁଚି କି ? ସତରେ ମ ! ଏଇଯୋଉ ଖରାତାତି ବାହାରେ ଏପ୍ରିଲ ମାସର ତାତିଲା ଖରା । ଚାରିଆଡ଼ ତ ପାହାଡ଼ ଘେରା । ପଥର ତାତୁଚି । ତାତି ନିଆଁ ବାହାରୁଚି । ଚାହିଁଲେ ଆଖି ପୋଡ଼ି ଯାଉଚି । ଆଉ ଘର ଭିତରେ ଯୋଉ ମୁଣ୍ଡଉପରେ ଛାଏଁ ମୁଦି ହୋଇଯାଉଚି-

 

ସତେ ମ ! ଯୋଉ ନିଦ ।

 

ନିଜକଥାଟା ଇରାମୁହଁରୁ ଶୁଣି ହସିପକେଇଲା ଚୁଙ୍ଗୁଡ଼ି । ଟେବ୍ଲଉପରେ ପର୍ବତ ପ୍ରମାଣେ ଫାଇଲ୍ । ଗଦାଗଦା କାମ, ତା’ ଉପରେ ପୁଣି ନିଦ ! ନିଦର ବାପାବି ତ ପାଖ ପଶିବନି । ଆଉ ପାଖରେ ଇରାପରି ଗୋଟିଏ ଝିଅ ଯଦି ଥିବ ତାହାହେଲେ ତ କଥା ସରିଲା । ମୁଣ୍ଡ ଉପରେ ବିଜୁଳି ପଙ୍ଖା ଛାଡ଼ି ନିଜେ ବାୟୁଦେବତା ଆଲଟ କଲେବି, ନିଦ୍ରାଦେବୀ ପାଖ ପଶିବାକୁ ଭୟକରିବେ ।

 

ଇରାର ଗପ ଛିଡ଼ି ନାହିଁ । ନିଦ ଉପରେ ଆହୁରି କାହାଣୀ ସାଇତିଛି ଇରା ।

 

‘‘ତମେ ହସୁଚକି ଚୈତାଳି ? ସତରେ ମ, କେତେଲୋକ ତ ଠିଆ ହଉ ହଉ ଶୋଇପଡ଼ିବେ । ବସୁ ବସୁ ଘୁଙ୍ଗୁଡ଼ି ମାରିବେ ।

 

କଥା କହୁ କହୁବି ଢୋଳଉଥିବେ । ମୋ ବୋଉ ତ ଚୁଲିରେ ଭାତହାଣ୍ଡି ବସେଇଦେଇ ବସି ଢୋଳଉଥିବ–ସାଙ୍ଗେ ସାଙ୍ଗେ ଘୁଙ୍ଗୁଡ଼ି–ଖୁବ୍‌ ଉଚ୍ଚସ୍ୱରରେ ହସୁଚି ଇରା । ହସୁ ହସୁ ଜିଭ କାମୁଡ଼ୁଚ । ତରୁଣ ବୁଢ଼ା କାନରେ ଏ ହସ ପଡ଼ିଲେନା– ।

 

ଇରା ତା’ ନିଜ ସିଟ୍‌କୁ ଚାଲିଯାଉଚି ।

 

ଚୁଙ୍ଗୁଡ଼ି ପୁଣି ଲାଗିଯାଉଚି ତା’ କାମରେ ।

 

ସିକୁ କାହିଁକି ଆଜିକାଲି ନିୟମରେ ଚିଠି ଦିଏ ନାହିଁ ବୁଝି ପାରେନି ଚୁଙ୍ଗୁଡ଼ି । ଅନେକ ଦିନର ବ୍ୟବଧାନ ପରେ ସିକୁଠୁ ଖାପଛଡ଼ା କେଇଧାଡ଼ି ମିଳେ । ସେ ଭଲ ଅଛି । ପରୀକ୍ଷାପାଇଁ ପଢ଼ାପଢ଼ି ନେଇ ବ୍ୟସ୍ତ ରହୁଥିବାରୁ ଚିଠି ଦେଇପାରି ନାହିଁ । ବାପାଙ୍କ ଦେହ କେତେବେଳେ ଭଲ ରହୁନି । ଏ ମାସରେ କିଛି ଅଧିକ ଟଙ୍କା ପଠେଇ ପାରିଲେ ଭଲ ହୁଅନ୍ତା । ନୂଆହୋଇ ରହିଥିବା ପୂଝାରି ଟୋକା ବେଶ୍‌ ଭଲ କାମ କରୁଚି । ବାସ୍‌ !

 

ଚୁଙ୍ଗୁଡ଼ି ଦୀର୍ଘନିଃଶ୍ୱାସ ଛାଡ଼େ । ବାପାଙ୍କ ଦେହ ଭଲ ରହୁନି । ସିକୁଟା ତାଙ୍କ କଥା ଠିକ୍‌ରେ ବୁଝୁ ନଥିବ । ଚାକରଟା ଠିକ୍‌ରେ ଯତ୍ନ ନେଉ ନଥିବ ତାଙ୍କର । ଯେତେହେଲେ ପର ପିଲାର ସେବା ଯତ୍ନ କିପରି ନିଜ ମଣିଷ ସହିତ ସମାନ ହେବ ? ବାପାଙ୍କର ବୟସ ହେଲାଣି । ଅନ୍ତର ତାଙ୍କର ଖୋଜୁଥିବ ନିଜଲୋକର ଆଦର ଯତ୍ନ । ତାଙ୍କର ଭିତର ମଣିଷ ଝୁରି ହଉଥିବ–କୋଉ ଆପଣାର ଲୋକର ସ୍ନେହ ସ୍ପର୍ଶପାଇଁ ।

 

ଚୁଙ୍ଗୁଡ଼ି କିନ୍ତୁ ନିରୁପାୟ ହୋଇଯାଇଚି । ମନେ ପଡ଼ିଯାଉଚି ବାପାଙ୍କର ମୁହଁ । ଆଖିରେ ନାଚି ଯାଉଚି ନିଜ ଘରଟା ।

 

ଚୁଙ୍ଗୁଡ଼ି ଛୁଟି ମାଗି ଦରଖାସ୍ତ ଲେଖିଲା ।

 

ପାଦ ଚିପି ଚିପି ତରୁଣବାବୁଙ୍କ ଚେମ୍ବର ନିକଟରେ ଠିଆହେଲା । ତରୁଣବାବୁଙ୍କ ମୁହଁଟା ମୋଟା ଲେନ୍‌ସ୍‍ର ଚଷମାତଳେ ଭାରି ଗମ୍ଭୀର ଲାଗେ । ଭାରି ଓଜନିଆ ଲାଗେ । ଚାହିଁବାକୁ ଭୟହୁଏ ଚୁଙ୍ଗୁଡ଼ିର । ମାତ୍ର ତରୁଣବାବୁ ଭଲ । ଭଦ୍ର, ଉଦାର; ଚୁଙ୍ଗୁଡ଼ି କେଇକ୍ଷଣ ସେମିତି ଠିଆହୋଇ ରହିବାପରେ ମୋଟା ପରଦାର ଗୋଟାଏ କଡ଼କୁ ଆଡ଼େଇ କୋଠରୀରେ ପାଦଦେଲା-

କ’ଣ ଗୋଟାଏ ଫାଇଲ୍ ଦେଖୁଥିଲେ ତରୁଣବାବୁ ।

ଚୁଙ୍ଗୁଡ଼ି ଧୀର କଣ୍ଠରେ କହିଲା ‘କ୍ଷମାକରିବେ’ । ମୁଣ୍ଡ ଟେକି ଚାହିଁଲେ ସେ–କୁହ !

ଚୁଙ୍ଗୁଡ଼ି ପାଟିଦେଇ କିଛି କହିଲା ନାହିଁ । ନିଃଶବ୍ଦରେ ଛୁଟି ଦରଖାସ୍ତଟା ଟେବ୍ଲ ଉପରେ ଥୋଇଦେଇ ଅନୁମତି ପାଇଁ ଅପେକ୍ଷା କରି ରହିଲା । ଦରଖାସ୍ତଟା ଦେଖିସାରି ତରୁଣ ମୁହଁ ଟେକି ପଚାରିଲେ ।

‘‘ଏକାଥରକେ ମାସେ ଛୁଟି ?’’

‘‘ବାପାଙ୍କର ଦେହ ଭଲ ନାହିଁ । ତାଙ୍କ ପାଖରେ ରହିବା ଜରୁରୀ ହୋଇ ପଡ଼ିଚି । ସାନଭାଇର ଫାଇନାଲ୍ ପରୀକ୍ଷା । ଆଉ କେହି ନାହାନ୍ତି ଘରେ ।’’

–ବାବାଙ୍କ ଦେହ ଭଲ ନାହିଁ ତୁମେ ଯାଅ–ଟିକେ ବୁଲିଆସ । ଦେଖିଆସ । ଦିନେ କି ଦୁଇଦିନ । ମାସେ ରହିବା କ’ଣ ଦରକାର ? ଯଦି ମନ ଖରାପ ହଉଚି ପାଖକୁ ନେଇଆସ । ମାସେ ଛୁଟି ଦବାତ ପୂରାପୂରି ଅସମ୍ଭବ । ମୋର ଉପାୟ ନାହିଁ ।

 

ଚୁଙ୍ଗୁଡ଼ି କାକୁତି ମିଶା ସୁରରେ କହିଲା ‘‘ମାସେ ନ ହେଲେ ପନ୍ଦର ଦିନ ଘରକୁ ଯିବା ନିହାତ ଦରକାର ।’’

 

ତରୁଣ ଦେଖିଲେ, ଚୁଙ୍ଗୁଡ଼ି ଆଖିରେ ଚିକ୍‌ଚିକ୍‌ ହୋଇ ଅଜସ୍ର ମୁକ୍ତାବିନ୍ଦୁର ସଜଳତା । ଆଖି ଚିରି ଯେମିତି ବହି ଆସିବ ଗଙ୍ଗାଯମୁନାର ଧାର ହୋଇ ଅବାରିତ ଅଶ୍ରୁଧାର । ଓଠ କାମୁଡ଼ି ନିଜ ଆଖିଲୁହକୁ ପିଇନଉଚି ଚୁଙ୍ଗୁଡ଼ି । କମ୍ପି ଉଠୁଚି ଓଠ । ନାକପୁଡ଼ା ଫୁଲି ଉଠୁଚି ।

 

ତରୁଣ ତା’ ମୁହଁରୁ ବେଦନାର ସ୍ୱାକ୍ଷର ଦେଖିଲେ । ତା’ ଆଖି ଲୁହରୁ ପଢ଼ିଲେ ତା’ର ଛାତି ତଳର ଯନ୍ତ୍ରଣାର ଭାଷା । ତା’ ଓଠର ଅବୁଝା ସ୍ପନ୍ଦନରୁ ବୁଝିଲେ ତା’ ଆକୁଳତାର ଗଭୀରତା ଓ ଆନ୍ତରିକତା ।

 

‘‘ସପ୍ତାହକ ପାଇଁ ଘରକୁ ଯାଅ । ଠିକ୍‌ ସାତଦିନ ରହି ଫେରିଆସିବ । ତମ ବାପାଙ୍କର କିଛି ହୋଇ ନ ଥିବ । କିଛି ହେବ ନାହିଁ । ଯାଅ–ଟିକେ ବୁଲିଆସ । ମନ ଭଲ ଲାଗିବ । ଭଗବାନଙ୍କୁ ଡାକୁଚି, ବାବା ତୁମର ଶୀଘ୍ର ସୁସ୍ଥତା ଫେରିପାନ୍ତୁ ।

 

ଚୁଙ୍ଗୁଡ଼ି ଧନ୍ୟବାଦ ଜଣାଇ କୋଠରୀରୁ ବାହାରି ଆସିଲା ।

 

ଜନ୍ମସ୍ଥାନର ଗୋଟାଏ ସ୍ୱତନ୍ତ୍ର ଆକର୍ଷଣ ରହିଚି । ସେଠି ପାଦ ଥାପିବାରେ ଏକ ଅହେତୁକୀ ବିଚିତ୍ର ଆନନ୍ଦ ଅଛି, ଏକ ସ୍ୱତଃସ୍ଫୂର୍ତ୍ତ ରୋମାଞ୍ଚ ଅଛି । ସେହି ଆନନ୍ଦର ଆବେଗରେ ଥରିଯାଉଥିଲା ଚୁଙ୍ଗୁଡ଼ି ।

 

ନିରାପଦ ଆଉ ନିଶ୍ଚିତ ।

 

ଆର ମୋଡ଼ ଘୂରିଗଲେ ତାଙ୍କର ଗାଁ । ନାଳକଡ଼ର ଆକାଶୀ ରଙ୍ଗର କୋଠାଟା ଦିଶିଲାଣି । ସେଠୁ ବୁଲିଗଲେ ତାଙ୍କ ଘର ଦେଖାଯିବ ।

 

ବାପା ଆଶ୍ଚର୍ଯ୍ୟ ହୋଇଯିବେ । ସିକୁଟା ଖୁସିରେ ଡେଇଁବ । ଘରକୁ ଚିଠି ଦେଇ ନାହିଁ । କାହାକୁ କିଛି ନ ଜଣାଇ ସେମିତି ଚାଲିଆସି ଚମକେଇ ଦବ ସମସ୍ତଙ୍କୁ ।

 

ବାପା ସତକୁସତ ଆଶ୍ଚର୍ଯ୍ୟ ହୋଇଗଲେ । ଖୁସିରେ ଚିତ୍କାର କରି ହାତ ଦୁଇଟାକୁ ଆଗକୁ ବଢ଼େଇ ଦେଇ ଗଦଗଦ ସୁରରେ କ’ଣ ଯେମିତି କହିଗଲେ ସେ । ଚୁଙ୍ଗୁଡ଼ି ତାଙ୍କ ଛାତିରେ ଲୋଟିପଡ଼ି ଅବୋଧ୍ୟ କିଶୋରୀଟା ପରି ଆବେଗରେ କାନ୍ଦି ପକେଇଲା । ବାବା ତାଙ୍କର ହାତ ଚୁଙ୍ଗୁଡ଼ି ମୁଣ୍ଡରେ ସାଉଁଳେଇଲେ । ଚୁଙ୍ଗୁଡ଼ିର ପିଠିରେ ତାଙ୍କ ହାତ ପାପୁଲି ସ୍ୱର୍ପୀୟ ମମତାର ଲିପି ଲେଖିଗଲା । ଚୁଙ୍ଗୁଡ଼ି ଗଭୀର ପ୍ରଶାନ୍ତିରେ ଆଖି ବୁଜିଦେଲା ।

 

‘ବାପା’ ଅକ୍ଷର ଦୁଇଟା ଏକ ବିଶେଷ ମଧୁରତାର ଉତ୍ସ । ସେ ଉତ୍ସରେ ସବୁ ଦୁଃଖ ଦୈନ୍ୟ କ୍ଳେଶ ଯେମିତି ଅସମ୍ଭବଭାବେ ନିଶ୍ଚିହ୍ନ ହୋଇଯାଏ । ସେଇ ଶବ୍ଦର ଅପୂର୍ବ ମୋହରେ ସାରା ଜୀବନର ଯେତେ ଅସହିଷ୍ଣୁ ମୁହୂର୍ତ୍ତରେ ବୋଝ ସବୁ ହାଲୁକା ହୋଇଯାଏ । ସେହି ‘ବାପା’ ବୋଲାଉଥିବା ମଣିଷଟିର ଶିରାଳ ପାପୁଲିଟିରେ ଯୁଗଯୁଗର ଈପ୍ସିତ ଶାନ୍ତି । ସାନ୍ତ୍ୱନା ଲୁଚି ରହିଥାଏ-! ସେଇ ମଣିଷଟିର ଓଠ ଫାଙ୍କର ପ୍ରତିଟି ଶବ୍ଦ କେମିତି ଏତେ ମିଠା ! ଏତେ ହୃଦୟସ୍ପର୍ଶୀ-। ଏତେ ଦୁଲ୍ଲର୍ଭ, ଏତେ ସ୍ୱର୍ଗୀୟ ।

 

ଚୁଙ୍ଗୁଡ଼ି ସେହି ମୁହୂର୍ତ୍ତରେ ନିଜକୁ ସବୁଠାରୁ ଭାଗ୍ୟବତୀ ମନେକଲା ।

ସିକୁଟା ଘରେ ନଥିଲା । ଫେରିଲା ରାତିରେ । ଖୁସିହେଲା । ଦୁଇ ହାତରେ ଟେକିଧରି ବୁଲେଇ ବୁଲେଇ ଖଟ ଉପରେ ବସେଇ ଦେଲା ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ହସି ହସି ପାଟିକଲା ‘‘ପଡ଼ିଯିବିରେ– ।’’

‘‘ବାପା ଝଡ଼ିଯାଇଚନ୍ତି । ତୁ ଘର ଛାଡ଼ି ଏତେ କୁଆଡ଼େ ଯାଉଚୁ ? ଏବେ ତ କ୍ଲାସ୍ ହଉନି–ଶେଷ ସେମିଷ୍ଟାର ତ ଏବେ । ତା’ ଛଡ଼ା ରାତି ପର୍ଯ୍ୟନ୍ତବି ତୋର ବାହାରେ କି କାମ ?’’

‘‘ବାପାଙ୍କୁ ଟିକେ ଜର ହୋଇଥିଲା । ଏବେ ତ ପୂରା ଫାଇନ୍‌ । ଚୁଙ୍ଗୁଡ଼ିର ଆନ୍ତରିକ ସେବା ଯତ୍ନ ତାଙ୍କୁ ଆହୁରି ସତେଜ କରିଦେଲା । ସୁସ୍ଥ କରିଦେଲା ।

ଦୁଇଦିନ ପରେ ଚୁଙ୍ଗୁଡ଼ି ଠିକଣାରେ ଆସି ପହଞ୍ଚିଲା ଦୁଇଖଣ୍ଡ ଚିଠି ।

ଗୋଟିଏ ଦେଇଚି ଅଫିସ୍‍ର ଇରା । କଲୋନିର ତା’ର ଏକମାତ୍ର ବାନ୍ଧବୀ ଇରା ।

‘‘କଲୋନି ଭଲ ଲାଗୁନି । ଅଫିସ୍ ଭଲ ଲାଗୁନି, ଅନ୍ୟ କାହାରି ସହିତ ଗପ କରିବାକୁ ଭଲ ଲାଗୁନି ।’’

ଇରାଟା ଗପୁଡ଼ି । କେତେକଅଣ ଲେଖିଥିବ ସିଏ । ଚୁଙ୍ଗୁଡ଼ି ଚିଠିଟାକୁ ଚାରିଭାଙ୍ଗ କରି ପଛେ ପଢ଼ିବାକୁ ଥୋଇଦେଲା । ଅନ୍ୟ ଚିଠିଟାର ଅକ୍ଷରଗୁଡ଼ାକ ଚିହ୍ନା ଚିହ୍ନା, ପରିଚିତ, କିନ୍ତୁ ହଠାତ୍‌ ମନେପଡ଼ୁନି କାହାର ।

 

ଚିଠିଟା ଖୋଲିଲା ଚୁଙ୍ଗୁଡ଼ି ।

ଆଶିଷ ଚିଠି ଦେଇଚି । ଖୁସି ହୋଇଲା ଚୁଙ୍ଗୁଡ଼ି ।

କିନ୍ତୁ ଇଏ କି ଚିଠି ଲେଖିଚି ସେ ?

ଚିଠି ତ ନୁହେଁ, ଚୁଙ୍ଗୁଡ଼ି ସହିତ ବିତିଯାଇଥିବା ଦିନଗୁଡ଼ାକୁ ନେଇ ଗପ ଲେଖିଚି ଆଶିଷ-। ଚଳଚ୍ଚିତ୍ରର ପର୍ଦ୍ଦାଉପରେ ଘଟଣାସବୁ ଗୋଟାକ ପରେ ଗୋଟାଏ ହୋଇ ନାଚିଗଲାପରି ଆଶିଷ ପ୍ରତିଟି ଘଟଣାକୁ ତା’ରି ଆଗରେ ପୁଣିଥରେ ନୂଆକରି ତୋଳି ଧରିଚି । କିନ୍ତୁ ଅତ୍ୟଧିକ ଭାବପ୍ରବଣତା ସେଗୁଡ଼ିକୁ କେମିତି ଭିନ୍ନେ କରି ଦେଇଚି । କେମିତି ବିକୃତ ହୋଇଯାଇଚି ସେସବୁର ରୂପ । କୁତ୍ସିତ ହୋଇଯାଇଚି ।

ଚିଠିଟାକୁ ପଢ଼ି ଶେଷ କଲାବେଳକୁ ଚୁଙ୍ଗୁଡ଼ି ଦେହ ଘୃଣାରେ କଣ୍ଟକିତ ହୋଇଯାଇଥିଲା-

ଏ କ’ଣ ଲେଖିଚି ଆଶିଷ ? ଏ ଆଶିଷର ଅକ୍ଷର, କିନ୍ତୁ ଏ ଆଶିଷର ଭାଷା ନୁହେଁ । ଆଶିଷ ତ ଏ ଭାଷା ତାକୁ କେବେ ଚିହ୍ନେଇ ଦେଇ ନଥିଲା ।

ତା’ ସହ ଏକକ ଜୀବନ ଗଠନ କରିବାର ସ୍ୱପ୍ନ ତ କେବେ ଦେଖି ନଥିଲା ଚୁଙ୍ଗୁଡ଼ି । ଆଶିଷବି ଏ କଥା କେବେ ତାକୁ କହି ନାହିଁ । ଏମିତି ପ୍ରସ୍ତାବ କେବେ ଦେଇ ନାହିଁ । କିଛି ସ୍ନେହ ମମତା ଭାଇ ଭଉଣୀର ନିର୍ମଳ ଆନ୍ତରିକ ପ୍ରେମ ଆଉ ରାକ୍ଷୀ ପୂର୍ଣ୍ଣିମାକୁ ଗୋଟାଏ ରାକ୍ଷୀ । ଏଇତ ଥିଲା ତାଙ୍କର ସମ୍ପର୍କ । ଆଶିଷ ତାକୁ ସ୍ନେହ କରୁଥିଲା ନିଜ ଭଉଣୀ ପରି । ପ୍ରତିବଦଳରେ ଚୁଙ୍ଗୁଡ଼ି ଅନ୍ତରରେ ତା’ପାଇଁ ବିକଶି ଉଠିଥିଲା ଶୁଭକାମନାର ଅଜସ୍ର ସୁରଭିତ କୁସୁମ କଳିକା । ସେହି ଶୁଭ୍ର ସ୍ତବକର ମୁଖରିତ ସୌରଭରେ ନିଜେ ମୁଗ୍ଧ ହୁଏ ଚୁଙ୍ଗୁଡ଼ି । ଅନୁଭବ କରେ ଆଶିଷ ତା’ର ଆପଣାର ।

ସେଇ ପବିତ୍ର ସମ୍ପର୍କକୁ ଆଜି ନିଜେ ଆଶିଷ ଏ କି ବିକୃତ ରୂପ ଦେଉଚି ?

ଯେଉଁ ଆଶିଷର ଭଉଣୀ ବୋଲି ଚୁଙ୍ଗୁଡ଼ି ଦିନେ ଗର୍ବରେ ଫୁଲି ଉଠୁଥିଲା, ସେଇ ଆଶିଷ ଆଜି ଚୁଙ୍ଗୁଡ଼ିର ପ୍ରତାରଣାର କାହାଣୀ । ଚୁଙ୍ଗୁଡ଼ି ତାକୁ ପ୍ରେମ କରୁଥିଲା, ପ୍ରତିଶ୍ରୁତି ଦେଇଥିଲା । ଚୁଙ୍ଗୁଡ଼ି ତାକୁ ଧୋକା ଦେଇଚି । ଚୁଙ୍ଗୁଡ଼ି ତାକୁ ପ୍ରତାରଣା କରିଚି । ଓଃ–

ଚୁଙ୍ଗୁଡ଼ି ନିଜ ମୁଣ୍ଡଟାକୁ ଚାପି ଧରିଲା ।

ଆଶିଷ କ’ଣ ସତରେ ତାକୁ ପ୍ରେମ କରୁଥିଲା ? କାହିଁ କେବେ ତ ଜଣାଇ ନାହିଁ ସେକଥା ? ଚୁଙ୍ଗୁଡ଼ି ତ କେଉଁ ଅତର୍କିତ ମୁହୂର୍ତ୍ତରେ ଏହାର ପ୍ରଥମ ସରଗମର ସୂତ୍ର ପାଇ ନାହିଁ । ଚୁଙ୍ଗୁଡ଼ି ତାକୁ ନିହାତ ନିଃସ୍ୱାର୍ଥପରଭାବେ, ପାର୍ଥିବଭାବେ ସ୍ନେହ କରିଥିଲା ନିଜ ଭାଇପରି । ତା’ ସମ୍ପର୍କର ଏକକ ଥିଲା ଏକାନ୍ତ ପବିତ୍ର, ନିର୍ମଳ । ଆଶିଷ ଆଉ ତା’ ଭିତରେ ଥିବା ସେହି ଅନାବିଳ ସମ୍ପର୍କକୁ ଅବୋଧ୍ୟ କରିଦେଇଚି ଆଶିଷ ।

ତା’ ପରି ଏକ ଭୟଙ୍କର ଚରିତ୍ରପାଇଁ ଚୁଙ୍ଗୁଡ଼ିର ଆଉକିଛି ହେଲେ ଭୂମିକା ଅବଶିଷ୍ଟ ରହିଲା ନାହିଁ । ତା’ର ଅନୁଚିତ ବ୍ୟବହାର ପାଇଁ ସେ ଲୁହ ଝରାଇବ ନାହିଁ । ତା’ପାଇଁ ସେ ତା’ ଅନ୍ତର ତଳେ ଅକାରଣରେ ରାଶି ରାଶି ବେଦନାର ସ୍ରୋତକୁ ପ୍ରବହମାନ ହେବାକୁ ଦେବ ନାହିଁ ।

 

ଚିଠିଟାକୁ ଚିରି ଟିକିଟିକି କରି ଝରକା ଦେଇ ଉଡ଼େଇଦେଲା । ତା’ ସହିତ ଅନ୍ତରରେ ତା’ପାଇଁ ଫୁଟିଥିବା ଅଜସ୍ର ଠିକ୍‌ ବୁଝାମଣାର ଫୁଲର ବାସି ପାଖୁଡ଼ା ସେଇ ଚଇତି ପବନରେ ଉଡ଼ି ନିଶ୍ଚିହ୍ନ ହୋଇଗଲା ।

 

ସିକୁ ଡାକରେ ଚମକି ଚାହୁଁଚି ଚୁଙ୍ଗୁଡ଼ି ।

 

ସିକୁର ଅନେକ ବନ୍ଧୁ ଆସିଚନ୍ତି । ସମସ୍ତେ ନମସ୍କାର କରୁଚନ୍ତି ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ହସି ହସି ସେମାନଙ୍କୁ ବସିବାକୁ କହୁଚି । ବିସ୍କୁଟ୍ ମିକ୍‌ଶ୍ଚର୍ ଦେଇ ଆସୁଚି ।

 

ସେମାନେ ସିକୁ ସହିତ ଗପ କରୁଚନ୍ତି । ହସ ଶୁଭୁଚି ।

 

ଚୁଙ୍ଗୁଡ଼ି ମଝିରେ ମଝିରେ ସେମାନଙ୍କ ପାଖକୁ ଯାଉଚି । ବସୁଚି ଟିକେ । ବାପାଙ୍କ ପାଖକୁ ଉଠିଆସୁଚି । ତାଙ୍କର ମୁଣ୍ଡ ଚିପି ଦଉଚି । ତାଙ୍କୁ ଚା’ କରି ଦଉଚି ।

 

ତାକୁ ଭଲ ଲାଗୁଚି ଏ ଘର । ଏ ଘରର ସବୁ ଜିନିଷ ।

 

ସଉରୀ ପଣ୍ଡାକୁ ଡକେଇ ପଠେଇଥିଲା ଚୁଙ୍ଗୁଡ଼ି ।

 

ସେହି ପୁରୁଣା ରଙ୍ଗେଲୀ ଗାମୁଛା ପିନ୍ଧି ସଉରୀ ପଣ୍ଡା ବାରଣ୍ଡା ଡେଇଁ ଘରେ ପଶୁଚି । ଚୁଙ୍ଗୁଡ଼ିର ଆଖିରେ ଆଖି ମିଶେଇ ହସୁଚି ।

 

‘‘–ମତେ ତମଘରକୁ ପୁଣି କାହିଁକି ଡକେଇଲ ଝିଅ !’’

 

‘‘ଏଇ ଭଙ୍ଗାକାନ୍ଥ ଘେରା କୁଡ଼ିଆଟାକୁ ତମେ ଘର କହୁଚ ?’’

 

‘‘–ନାଇଁମ, ମୁଁ କହୁଥିଲି, ମୋ କଥା କିପରି ତୁମର ମନେପଡ଼ିଲା ଏତେ ଦିନେ !’’

 

ସଉରୀ ପଣ୍ଡା ମୁହଁରେ ପୂର୍ବର ସେହି କୁଟିଳ ହସ ଚହଟୁଚି ।

 

ଚୁଙ୍ଗୁଡ଼ି ଆହୁରି ରହସ୍ୟପୂର୍ଣ୍ଣ ଅର୍ଥପୂର୍ଣ୍ଣ ହସ ହସି କହୁଚି ‘‘ତମକୁ ତ ନିଶ୍ଚିତ ସ୍ମରଣ କରିବାକୁ ହବ ମଉସା ! ଆଜି ନ ହେଲେ କାଲି ! କାଲି ନ ହେଲେ ଆଉ ଦିନେ !!’’

 

ଚୁଙ୍ଗୁଡ଼ି ହସରେ ପ୍ରଚ୍ଛନ୍ନ ଦୁଷ୍ଟାମି । ସଉରୀ ପଣ୍ଡା କିଛି କହୁନି । ଚୁଙ୍ଗୁଡ଼ି ସେମିତି ହସୁଚି । ସେ ହସର ଆଲୁଅ ପଡ଼ି ସଉରୀ ପଣ୍ଡାର ମୁହଁ କଳା ଦିଶୁଚି ।

 

ଚୁଙ୍ଗୁଡ଼ି ବାରଣ୍ଡାରେ ସପ ଦଉଚି ସଉରୀ ପଣ୍ଡାକୁ ।

 

କାନ୍ଥକୁ ଆଉଜି ପରମ ନିଶ୍ଚିନ୍ତରେ ବସୁଚି ସଉରୀ ପଣ୍ଡା । ଚୁଙ୍ଗୁଡ଼ି ଅଳ୍ପ ବ୍ୟବଧାନ ରଖି ସେହି ଏକା ସପ ଉପରେ ବସିଯାଉଚି ବେଶ୍‌ ନିର୍ଭୟ ହୋଇ ।

 

ସଉରୀ ପଣ୍ଡା ତା’ ଫଟା ପାଦରୁ ବାଁ ହାତରେ ଧୂଳି ଝାଡ଼ୁଚି ।

 

ଚୁଙ୍ଗୁଡ଼ି କଥା ଆରମ୍ଭ କଲା ।

 

‘‘ମୋର ତମ ପାଖରେ ନିହାତ ଜରୁରୀ କାମ ଅଛି । ସେଇଥିପାଇଁ ମୁଁ ଡକେଇଥିଲି ।’’

 

ସଉରୀ ପଣ୍ଡାର ଆଖି ଚିକ୍‌ଚିକ୍‌ ଦିଶୁଛି । କିଛି ଦୁର୍ଲ୍ଲଭ ପଦାର୍ଥ ହାତପାଆନ୍ତାରେ ମିଳିଯିବାର ଆନନ୍ଦରେ ସଉରୀ ପଣ୍ଡା ଓଠ ଚାଟୁଚି ।

 

ଚୁଙ୍ଗୁଡ଼ି ତା’ ମୁହଁକୁ ସିଧାକରି ଚାହିଁ ହସି ପକେଇଲା ।

 

‘‘ଆମର ଯୋଉ ଜମିଗୁଡ଼ାକ ତମେ ବାପାଙ୍କ ଠାରୁ ବନ୍ଧକ ସୂତ୍ରରେ ଦଖଲ କରିଥିଲ, ସେଗୁଡ଼ାକ ମୁଁ ଫେରେଇ ଆଣିବାକୁ ଚାହୁଁଚି । ସେଥିପାଇଁ ମୁଁ ଉପଯୁକ୍ତ ଦାମ ଦେଇ ଦେବାକୁ ରାଜି ଅଛି ।’’

 

ସଉରୀ ପଣ୍ଡାର ସରସ ହୋଇ ଆସୁଥିବା ମୁହଁଟା ହଠାତ୍ ପୋଡ଼ିଗଲା ।

 

କ୍ଷଣକପାଇଁ ଚୁପ୍‌ ହୋଇଗଲା ସଉରୀ ପଣ୍ଡା ।

 

ଚୁଙ୍ଗୁଡ଼ି ପୁଣି କଥା ଯୋଡ଼ିଲା ।

 

‘‘ମୁଁ ସବୁକଥା ଓକିଲ ଠାରୁ ବୁଝିଆସିଚି । ସେ ଜମି ତମେ ଆମକୁ ଭଲରେ ଫେରେଇ ଦେଲେ ଭଲହେବ ।

 

‘‘ତମର ଜମିର ଅଭାବ ନାହିଁ । ସେତକ ଜମିପ୍ରତି ଅଯଥା ଲୋଭ ନ କଲେ ମଙ୍ଗଳ ହୁଅନ୍ତା ।

 

ସଉରୀ ପଣ୍ଡାର ଆଖି ଦୁଇଟା ହଠାତ୍‌ ହିଂସ୍ର ହୋଇଉଠିଲା । କିଛି କହିବାକୁ ଯାଇ ଚୁପ୍‌ ହୋଇଗଲା ଯେମିତି ।

 

‘‘ସେ ଜମି ମୁଁ କେତେବର୍ଷ ତଳେ ରଖିଥିଲି । ଅନେକ ବର୍ଷ ହେଲାଣି ମୋ ଦଖଲରେ ଅଛି । ସେ ଜମି ମୁଁ କେମିତି ଫେରେଇବି ?’’

 

–ବିନ କାକାଙ୍କ ପାଖରୁ ସେ ଜମିର ଅଧା ଅଂଶ କିଣିଥିଲ । ଆର ଅଧକ ବାପାଙ୍କଠାରୁ ଜବରଦସ୍ତ ବନ୍ଧକ ଲେଖି ଦଖଲ କଲ । ଯାହା ତମ ଦୟା ହୋଇଥିଲା ମନଇଚ୍ଛା ଦେଇଥିଲ । ବର୍ତ୍ତମାନ ସେ କଥା ଛାଡ଼ । ମୁଁ ସେସବୁର ଉପଯୁକ୍ତ ପାଉଣା ଦେଇ ଫେରେଇ ଆଣିବାକୁ ରାଜି ଅଛି, ପ୍ରସ୍ତୁତ ଅଛି ।’’

 

ଅଭିଜ୍ଞ ଓକିଲ ପରି ଚୁଙ୍ଗୁଡ଼ି ସଉରୀ ପଣ୍ଡା ଆଗରେ ଅନେକ କଥା ଗାଇ ଯାଉଚି ।

 

ସଉରୀ ପଣ୍ଡା ସେଦିନ ଚାଲିଗଲା ପରେ ଚୁଙ୍ଗୁଡ଼ି ମନେମନେ ସନ୍ତୋଷର ହସ ହସିଥିଲା ।

 

ସେହି ପିଣ୍ଢା ଉପରେ ବସି ଦିନେ ସେ ତାଙ୍କର ସବୁ ଜମି ବା ଜବରଦସ୍ତ ନିଜର କରିବାର ପ୍ରସ୍ତାବ ଦେଇଥିଲା । ଆଉ ଆଜି ସେଇ ଜାଗାରେ ଚୁଙ୍ଗୁଡ଼ି ତା’ର ସମ୍ପତ୍ତି ତା’ଠୁ ଫେରାଇ ଆଣିବାର ପ୍ରସ୍ତାବ ଦେଇଚି । ପ୍ରସ୍ତାବ ନୁହେଁ ତ ଧମକ । ଜମି ରେଜିଷ୍ଟ୍ରି ହୋଇନାହିଁ ସଉରୀ ପଣ୍ଡା ନାଁରେ । କବଲା କରି ନବାକୁ ଆବଶ୍ୟକ ପଡ଼ୁଥିବା ଉପଯୁକ୍ତ ପାଉଣା ହାର ସଉରୀ ପଣ୍ଡା ଦେଇ ନାହିଁ । ସେହି ଭୟରେ ଜମି କବଲା ନ କରି ବନ୍ଧକ ଲେଖି ସଉରୀ ପଣ୍ଡା ଜମି ଦଖଲ କରିଥିଲା । ସେ ସବୁକୁ ପୁଣି ଫେରେଇ ଆଣିବ ଚୁଙ୍ଗୁଡ଼ି । ସଉରୀ ପଣ୍ଡା ସେଥିପାଇଁ ଯାହା ଦାବି କରିବ ଦେଇ ଦବ ଚୁଙ୍ଗୁଡ଼ି । ତାଙ୍କର ସମ୍ପତ୍ତି ଛଡ଼େଇ ନେଇଥିଲା ସଉରୀ ପଣ୍ଡା । ସେ ଜମି ପୁଣି ଫେରେଇ ଆଣିବ । ଫେରେଇ ଆଣିବାର ଅଧିକାର ତା’ର ଅଛି । ଫେରେଇ ଆଣିବାର କ୍ଷମତା ଭଗବାନ ତାକୁ ଦେଇଚନ୍ତି ।

 

ସଉରୀ ପଣ୍ଡା ଅତି କଷ୍ଟରେ ରାଜିହେଲା । ରାଜିହେଲା ନିରୁପାୟ ହୋଇ । କିନ୍ତୁ ତା’ର ଯୁକ୍ତି ଅନ୍ୟ ରକମର । ସେ ଯେଉଁ ସମ୍ପତ୍ତି ବିନ କାକାବଙ୍କ ଠାରୁ କିଣିଚି ତା’ ସହିତ ଚୁଙ୍ଗୁଡ଼ି ବାପାଙ୍କର ସମ୍ପତ୍ତି ଏକାଠି ଅଛି । ରେକର୍ଡ଼ ଭିନ୍ନେ ହୋଇ ନାହିଁ । ଚୁଙ୍ଗୁଡ଼ି ବାପାଙ୍କର ଭାଗଟା ଫେରେଇ ଦେଲେ, ସେ ଅନ୍ୟ ଭାଗଟା ଉପରେ ଆକ୍ରମଣ କରିପାରନ୍ତି । ସେଇ ଆଶଙ୍କାରେ ସଉରୀ ପଣ୍ଡା ଜିଦି ଧରି ବସିଲା, ଯଦି ଫେରେଇବ ତ ଦୁଇ ଭାଇଙ୍କର ସମ୍ପତ୍ତି । ବନ୍ଧକ ସମ୍ପତ୍ତି ଫେରେଇବାର ଇଚ୍ଛାଥିଲେ ବିନ କାକାଙ୍କର ଭାଗଟା ସଉରୀ ପଣ୍ଡା ଠାରୁ କିଣିବାକୁ ପ୍ରସ୍ତୁତ ଥିବା ଦରକାର ।

 

ଚୁଙ୍ଗୁଡ଼ି ସେୟାହିଁ ଚାହିଁଥିଲା ।

 

ତା’ର ଦୁଇବର୍ଷ ଚାକିରି ଜୀବନର ସମସ୍ତ ଉପାର୍ଜନକୁ ସମର୍ପି ଦେଇ ତା’ ପୂର୍ବପୁରୁଷର ପୈତୃକ ସମ୍ପତ୍ତିତକ ଫେରାଇ ଆଣିଲା ସେ ।

 

ବାପା ଆନନ୍ଦରେ ଗଦଗଦ ହୋଇ ଚୁଙ୍ଗୁଡ଼ିକୁ ଛାତିରେ ଚାପିନେଲେ । ସିକୁ ମୁହଁରେ ପ୍ରଶାନ୍ତିର ହସ ଚହଟିଲା । ଚୁଙ୍ଗୁଡ଼ିର ଓଠରେ ସନ୍ତୋଷର ମଧୁରତା ।

 

ଚୁଙ୍ଗୁଡ଼ି କିନ୍ତୁ ଚକିତ ହୋଇଗଲା । ସଉରୀ ପଣ୍ଡା ପରି ଲୋକ କିପରି ସବୁଯାକ ସମ୍ପତ୍ତି ଫେରାଇ ଦେବାକୁ ରାଜିହେଲା ?

 

ପରେ ସିକୁ ମୁହଁରୁ ତା’ର କାରଣଟା ଶୁଣିଲା ।

 

ସଉରୀ ପଣ୍ଡାର ପ୍ରଚୁର ଟଙ୍କା ଦରକାର । ହଠାତ୍‌ । ଏକାଥରେ ଏତେଗୁଡ଼ାଏ ଟଙ୍କା ତା’ ହାତରେ ନଥିଲା ।

 

ସେ ଟଙ୍କାବି ତା’ର ଦରକାର ତା’ର ଏକମାତ୍ର ପୁତ୍ର ବିବେକାପାଇଁ ।

 

‘‘ତଳ ସାହିର ରୁପା ପାଲୁଣୀକୁ ଚିହ୍ନିଥିବୁ ?’’–ସେ ଆତ୍ମହତ୍ୟା କରିଥିବା ଘଟଣାକୁ ପୋଲିସ୍ ହତ୍ୟା ପ୍ରମାଣିତ କରିଚନ୍ତି ? ସେ ଅନ୍ତଃସତ୍ତ୍ୱା ଥିଲା । ଆଉ ପୋଲିସ୍ ଏଥିପାଇଁ ଗିରଫ୍ କରିଚନ୍ତି ବିବେକା ପଣ୍ଡାକୁ, ସଉରୀ ପଣ୍ଡାର ଏକମାତ୍ର ପୁଅକୁ ।

 

ଚୁଙ୍ଗୁଡ଼ିର ଭ୍ରୂଲତା ଦୁଇଟା କପାଳ ଉପରକୁ ଉଠିଗଲେ । ରୁପା ପାଲୁଣୀର କଳା ମୁଗୁନିପଥରର ସୁନ୍ଦର ମୁହଁଟା ତା’ ଆଖି ଆଗରେ ନାଚିଗଲା ବିବେକାର ଜଳିଲା ଜଳିଲା ଆଖିଦି’ଟା । ଯୋଉ ଜମିକୁ ଜବରଦସ୍ତ ବାପାଙ୍କଠାରୁ ଛଡ଼େଇନେଇ ବିନକାକା ବିକି ଦେଇଥିଲେ ସଉରୀ ପଣ୍ଡାକୁ, ସେ ଜମି ସହିତ ନିଜ ଅଂଶତକ ଫେରି ପାଇଲା ପରେ ବାପାଙ୍କର ରୋଗା ମୁହଁ ପ୍ରଫୁଲ୍ଲ ଦିଶିଲା, ସତେଜ ଦିଶିଲା ।

 

ସାତ ଦିନ ସାତ ରାତି । ଯେମିତି ସାତୋଟି ମୁହୂର୍ତ୍ତ । କୁଆଡ଼େ ଉଡ଼ିଗଲା । କେମିତି ସରିଗଲା ଜାଣିହେଲା ନାହିଁ । ଏଇ ସାତଦିନ ଭିତରେ ଗୋଟିଏ ବୋଲି ମୁହୂର୍ତ୍ତ କ୍ଳାନ୍ତି ଦେଲା ନାହିଁ-। ଫେରିଲା ବେଳକୁ ଚୁଙ୍ଗୁଡ଼ିର ମନ କେମିତି ଆନନ୍ଦରେ ଉଡ଼ୁଥିଲା । ତଥାପି ତା’ର ଅନେକ କର୍ତ୍ତବ୍ୟ ଆହୁରି ବାକି ଅଛି ।

 

ନାଳବନ୍ଧ କଡ଼କୁ ଲାଗି ସେଇ ସୁନ୍ଦର ଘରଟା ଯେମିତି ହଉ କିଣିବ ଚୁଙ୍ଗୁଡ଼ି ।

 

ଇରା ପ୍ରଥମେ ଆସିଲା ।

 

‘‘କ’ଣ ଇରା ଅପା, ଖବର କ’ଣ ? ସବୁ ଭଲ ତ !’’

 

ଇରା ଗପ ଯୋଡ଼ି ଦଉଚି କୋଉଠୁ କୋଉ ପର୍ଯ୍ୟନ୍ତ । ତରୁଣବାବୁ ଚୁଙ୍ଗୁଡ଼ିର କାମ ଲାଗି କେମିତି ପ୍ରଶଂସା କରୁଥିଲେ । ଚୁଙ୍ଗୁଡ଼ି ନାହିଁ ବୋଲି କାମ କେମିତି ବାକି ରହିଯାଉଚି ସେ କଥା କହୁଥିଲେ ।

Unknown

 

ଚୁଙ୍ଗୁଡ଼ି ଲଞ୍ଚ୍ ଆଓ୍ୱାରରେ ବାହାରକୁ ଆସେ ନାହିଁ । ସେମିତି ସିଟ୍‌ରେ ବସି କାମ କରୁଥାଏ । ଏଇ ନିଷ୍ଠା ଆନନ୍ଦ ଦିଏ ତରୁଣବାବୁଙ୍କୁ । ତରୁଣବାବୁ କୁହନ୍ତି, ହେଡ଼୍‌ ଅଫିସ୍‍ରେ ନୂଆ ସୃଷ୍ଟି ହୋଇଥିବା ପୋଷ୍ଟ୍‍ଟା ଚୁଙ୍ଗୁଡ଼ିର ଥୁଆ ।

 

ସାହେବଙ୍କର ଲୋଡ଼ା ଜଣେ ପରିଶ୍ରମୀ ନିଷ୍ଠାପର କର୍ମଚାରୀ । ଦରମା ଟଙ୍କା ଆଶ୍ଚର୍ଯ୍ୟଭାବେ ସନ୍ତୋଷଜନକ । ମାତ୍ର ସାହେବଙ୍କର ମନମୁତାବକ କାମ ଦରକାର ।

 

ତରୁଣବାବୁ ନିଶ୍ଚିତ ହୁଅନ୍ତି, ଚୁଙ୍ଗୁଡ଼ି ସେ କାମ ପାରିବ । ତାକୁ ସେ ପରାମର୍ଶ ଦେଲେ ଆବେଦନ କରିବାକୁ । ତରୁଣବାବୁ ଚୁଙ୍ଗୁଡ଼ିପାଇଁ ରେକମେଣ୍ଡ କରିଛନ୍ତି । ଚୁଙ୍ଗୁଡ଼ି ପାଖରେ ଠିଆହୋଇ ସେ ତାକୁ ଆହୁରି କର୍ମଠ ହେବାକୁ ଉପଦେଶ ଦିଅନ୍ତି । କୁହନ୍ତି ଟାଇପ୍‌ଟା ଶିଖିନବାକୁ । ଚୁଙ୍ଗୁଡ଼ି ଲାଗିପଡ଼େ ଟାଇପ୍‌ ଶିଖିବାରେ ।

 

କମ୍ପାନୀର ଅନ୍ୟ ଝିଅମାନେବି ସମସ୍ତେ ଆବେଦନ କରିଚନ୍ତି । ଟାଇପ୍‌ର ସ୍ପିଡ଼୍‌ ବଢ଼ାଉଚନ୍ତି । ସାହେବଙ୍କର ହାତବାରିଶି ହେବାର ରଙ୍ଗୀନ ନିଶାରେ ସମସ୍ତଙ୍କ ଆଖି ତନ୍ଦ୍ରାଛନ୍ନ । ଚୁଙ୍ଗୁଡ଼ିର ପ୍ରଥମେ ସାହସ ହୋଇ ନଥିଲା ।

 

ତାଙ୍କୁ ଆଜିପର୍ଯ୍ୟନ୍ତ ଦେଖି ନାହିଁ ଚୁଙ୍ଗୁଡ଼ି । ଏତେଗୁଡ଼ାଏ କମ୍ପାନୀର ମାଲିକ ।

 

ଚୁଙ୍ଗୁଡ଼ିର ଉନ୍ନତି ଦେଖି ଖୁସି ହଉଚନ୍ତି ତରୁଣବାବୁ । ତାଙ୍କର ମରି ଯାଇଥିବା ଝିଅ ଶାନ୍ତି ଥିଲା ଏଇ ଚୁଙ୍ଗୁଡ଼ି ପରି ।

 

ପାହାଡ଼ ଉପରେ ବଉଦ ଭାସେ । ସବୁଜ ପାହାଡ଼ ଉପରେ ପାଉଁଶ ରଙ୍ଗର ବଉଦ ଝୁଲିପଡ଼େ । ସନ୍ଧ୍ୟା ନଇଁଆସେ ସେହି ନିର୍ଜନ ନୂଆ କଲୋନି ଉପରକୁ ।

 

ଚୁଙ୍ଗୁଡ଼ି ଘର ଆଗରେ ମଲ୍ଲୀଫୁଲ ଚହଟେ । ଆକାଶରେ ଜହ୍ନ ଉଠେ । ବାହାର ବାରଣ୍ଡା ଉପରେ କାନ୍ଥକୁ ଆଉଜି ବସି ଚୁଙ୍ଗୁଡ଼ି ଜହ୍ନଦେଖେ । କେଜାଣି କାହିଁକି ଜହ୍ନ ଦେଖିଲେ ସେ ନିହାତ ଭାବପ୍ରବଣ ହୋଇଯାଏ । ସେ ପ୍ରବଣତା କବିତା ଲେଖିବାର ନୁହେଁ–ନିଜକୁ ସମ୍ପୂର୍ଣ୍ଣରୂପେ ନିଜ ପାଖରେ ସମର୍ପଣ କରିଦେଇ ସ୍ୱାଧୀନଭାବେ ଲୁହ ଝରେଇବାର ।

 

ଜ୍ୟୋତିମାମୁ କହିଥିଲେ ଭାରି ଗତାନୁଗତିକ ଏଇ ଜହ୍ନ ଦେଖିବାର ଅନୁଭୂତି । ଚୁଙ୍ଗୁଡ଼ି ଏ କଥା ବିଶ୍ୱାସ କରେ ନାହିଁ । ଯେତେ ଦେଖିଲେବି ଏଇ ପୁରୁଣା ଜହ୍ନଟା ତା’ ଆଖିକୁ ନୂଆଲାଗେ-। ବିଚିତ୍ର ଦିଶେ । କାହିଁ କେତେ ଯୁଗରୁ ରୁପାଥାଳି ପରି ଜହ୍ନଟା ଆକାଶରେ ଲାଗି ରହିଚି-

 

ଚୁଙ୍ଗୁଡ଼ି ପିଲାଟିଏ ହୋଇଥିଲା । ଅଝଟ କଲେ ବୋଉ କାଖେଇ ନେଉଥିଲା ଦୁଆର ମଝିକୁ । ଉପରକୁ ହାତ ଠାରି ଦେଖେଇ ଦଉଥିଲା ‘ଜହ୍ନମାମୁ’ !

 

ଚୁଙ୍ଗୁଡ଼ି ଚମକି ପଡ଼ୁଚି । ଜହ୍ନ ଭିତରେ ଜ୍ୟୋତିମାମୁଙ୍କର ମୁହଁ ଦିଶୁଚି । ସେଇଠୁ ହାତ ବଢ଼େଇ ସେ ଚୁଙ୍ଗୁଡ଼ିର ତଣ୍ଟିକୁ ଚିପି ଧରୁଚନ୍ତି ।

 

ଚୁଙ୍ଗୁଡ଼ି ଆଖି ବୁଜି ମୁହଁ ତଳକୁ ପୋତିଲା । ଏ ଜହ୍ନଟା ତାକୁ ଅକସ୍ମାତ୍‌ ଅସହ୍ୟ ଲାଗିଲା-

 

ଘରଗୁଡ଼ାକରେ ଲାଇଟ୍‌ ଜଳୁଚି । ବାହାର ବାରଣ୍ଡାରେ ପର୍ଦ୍ଦା ଫାଙ୍କ ଦେଇ ଚେନାଏ ଆଲୁଅ ପଡ଼ିଚି ସେଠି । ଉପରେ ଗ୍ରୀଷ୍ମ ଆକାଶର ଜହ୍ନ । ଜହ୍ନ ଆଲୁଅରେ ପାହାଡ଼ଗୁଡ଼ାକ ଗାଧୋଇ ପଡ଼ିଚନ୍ତି । ମଗ୍ନ ହୋଇ, ସ୍ଥାଣୁ ହୋଇ ବସିରହିଚନ୍ତି । ଚୁଙ୍ଗୁଡ଼ି ଘରଆଗ ବଗିଚାରେ ରାଶିରାଶି ମଲ୍ଲୀଫୁଲ ହସି ଉଠୁଚନ୍ତି ସେଇ ଚଇତି ଜ୍ୟୋତ୍ସ୍ନା, ଆଉ ଚଇତି ପବନର ବିଚିତ୍ର ପରଶରେ ।

 

ଗେଟ୍‍ରେ କାହାର ଛାଇ ! ଗେଟ୍‍ଖୋଲି କେହିଜଣେ ଭିତରେ ପଶୁଚି !

 

ଚୁଙ୍ଗୁଡ଼ି ଟେକି ହୋଇ ଚାହିଁଲା ଇରା ଆସୁଚି । ସିଧା ଯାଇ ମଲ୍ଲୀଫୁଲ ତୋଳୁଚି । ଅଣ୍ଟିରେ ପୂରେଇ ବସୁଚି ଚୁଙ୍ଗୁଡ଼ି ପାଖରେ । ‘‘ଏ ଫୁଲ ଯୋଉ ବାସନା ନା–

 

ଚୁଙ୍ଗୁଡ଼ି ପିନ୍‌ ମାରି ଫୁଲସବୁ ଗୁଞ୍ଜି ଦଉଚି ଇରାର ବେଣୀରେ ।

 

ଇରା କହିଲା, ‘‘ଜାଣିଲୁଣିନା, ଆମ ଅଫିସ୍‍ରେ ଯୋଉ ନିତ୍ୟାନନ୍ଦବାବୁ କାମ କରୁଥିଲେ, ତାଙ୍କର ସ୍ତ୍ରୀ କାଲି ମରିଗଲେ । କ’ଣ ପିଲାପିଲି ହବା ଥିଲା । ଓଃ, କି ଦୁଃଖ କହିଲୁ ? ବିଚରା ନିତିଆଟା କେମିତି କଥା କୁହେ କହିଲୁ ? ଫାଇଲ୍‍ଟା ମାଗିବ ଯେ, ସତେବା କଥାରେ ମାଛି ମରିବନି । ଭାରି ମାଇଚିଆ ମାଇଚିଆ ଲାଗେ । ଭାରି ଦୁଃଖ ଲାଗୁଚି । ସ୍ତ୍ରୀ ତାଙ୍କର ଗାଁରେ ଥିଲା । ଶାଶୁତ ଅସଲ ଘୋଡ଼ୀ । ସମସ୍ତେ କୁହନ୍ତି ତାଙ୍କ ସ୍ତ୍ରୀ ଭାରି ଭଲ । ଶାନ୍ତ, ସୁଧାର । ହେଲେ କ’ଣ ହବ ? ଶାଶୁଟା ତ ମୁଖରା ।

 

ମୋଟେ କୁଆଡ଼େ ସହିପାରେ ନାହିଁ ବୋହୂକୁ । ଏ ପିରିଅଡ଼୍‌ରେ ତ ତାକୁ କାମ କରେଇଥିବ । ଗଧପରି ଖଟେଇଥିବ । କେଆର୍ ଟେଆର୍ ଅଭାବରେ ତ–ଏ ପୁଅଟିଏ ହୋଇଚି । ହେଲେ କ’ଣ ହବ ? ତାକୁ ଜିଆଁଇବ କିଏ ? ମା’ ତ ଦୁଇଦିନର ଛୁଆକୁ ଏକା କରି ଛାଡ଼ି ନିଶ୍ଚିନ୍ତରେ ଆଖି ବୁଜିଲା ।

 

କ’ଣ ହେଲା ଜାଣିଚୁନା ତା’ର ? କି ଅସୁବିଧା ଜାଣିଚୁ ନା ? ଟିଟାନସ । ଧନୁଷ୍ଟଙ୍କାର । ଓଃ, ଭୟଙ୍କର ରୋଗ କହିଲୁ ? ଜାଣିଚୁ ନା । ମୁଁ ଯେତେବେଳେ ପିଲାଟିଏ ହୋଇଥିଲି, ମୋ ପିଇସୀଙ୍କର ଭାଣିଜୀକୁ ମୋ ବୋଉ ଆଣିଥାଏ ମୋ କାକା ପୁଅର ବାହାଘରକୁ । ମାଛ ଗଦା ହୋଇଥାଏ ଯେ କାହିଁରେ କ’ଣ ଦୁଆରେ କେତେ ପିଲା ଗଦା ହୋଇଥା’ନ୍ତି ମାଛ ଦେଖିବାକୁ । ସେଇ ପିଇସୀର ଭାଣିଜୀ ତ ଦୌଡ଼ି ଆସିଲା ମାଛ ଦେଖିବାକୁ । ଦୌଡ଼ି ଦୌଡ଼ି ଯେମିତି ଦୁଆରକୁ ଡେଇଁ ପଡ଼ିଚି, କ’ଣ ଆଉ କହିବି, ଗୋଡ଼ରୁ ତ ଫାଳେ–ଓଃ, କି ରକ୍ତ ! ଜଙ୍ଘଟାରୁ ଫାଳେ ମାଉଁସ ଚାଲିଯାଇ ଥିଲା । ମୋ ମାଉସୀବି ଆସିଥାଏ ସେଇଠିକି । ସାଙ୍ଗେ ସାଙ୍ଗେ ସମସ୍ତେ ମିଶି ତାକୁ ବ୍ୟାଣ୍ଡେଜ୍ କରିଦେଲେ । ହେଲେ କ’ଣ ହବମ ! ତା’ ପରଦିନ ତ ଶେଷ ! ସତମ ! ଏତେ ବଡ଼ ସୁନ୍ଦରିଆ ଡଉଲ ଡାଉଲ ଝିଅଟା ମରିଗଲା । ଡାକ୍ତର କହିଲେ ଟିଟାନସ ।

 

ବାହାଘର ଭୋଜିକୁ ଆଉ କିଏ ପଚାରେ ? ସମସ୍ତେ ଦୁଃଖରେ ବୁଡ଼ିଗଲେ । ସତରେମ, ତମେ କ’ଣ କହିଲେ ବିଶ୍ୱାସ କରିବ କି ? ମୋ କାକାପୁଅ ବାହାଘରକୁ ଯୋଉ ଭୋଜି-! ଶୁଭୁଚି ! ଏଇ ଭୋଜି କଥା କହିଲେ ମନେପଡ଼ୁଚି ପିଲାଦିନ କଥା । ସବୁବର୍ଷ ସ୍କୁଲ୍‍ର ଗଣେଶପୂଜାର ଫିଷ୍ଟ୍ ଦାୟିତ୍ୱ ମୋ ଉପରେ ।

 

ହେଲେ କ’ଣ ହବ, ମତେ ମୋଟେ ସାଜସଜ୍ଜା ଆସେ ନାହିଁ । ଆମରି ସାଙ୍ଗରେ ପଢ଼ୁଥାଏ, ସେହି କାଳିଆ ହୋଇ ଲମ୍ବା ଟୋକା, ନାଁ ତା’ର କ’ଣ ତମେ ଜାଣିଚନା ? ଅବିନାଶ । ଭାରି ସୁନ୍ଦର ସଜାଏ । ଲିଚୁ ଲାଇଟ୍ ଦେବଦାରୁ ଗଛର ପତ୍ର, ନିମପତ୍ର ଦେଇ ସୁନ୍ଦର ସଜାଏ । ମତେ ସିଏ କିନ୍ତୁ ଭାରି ଚିଡ଼ାଏ । କୁହେ, ମୋ ବାହାକୁ ସିଏ ଡେକୋରେସନ କରିବ ! ହେଃ-ହେଃ-ଇରା ମୁହଁରୁ ଅଜସ୍ର ହସର ମଲ୍ଲୀ ଝରେଇ ଦଉଚି । ଚୁଙ୍ଗୁଡ଼ି କିଛି କହୁ ନାହିଁ ଗପୁଡ଼ି ଇରା ନିତ୍ୟାନନ୍ଦବାବୁଙ୍କ ପାଖରୁ ଯାଇ ବର୍ତ୍ତମାନ ବାହାଘର ଡେକୋରେସନ ପାଖରେ ପହଞ୍ଚି ଯାଇଚି ।

 

ଚୁଙ୍ଗୁଡ଼ି ମନକୁ ମନ ହସି ପକେଇଲା । ଜାଣିଚନା ଚୈତାଳି, ମୁଁ ଆଜି କାହିଁକି ଆସିଚି ?

 

ଗୋଟାଏ ଖୁବ୍‌ ମଜାର ଖବର । ଖୁବ୍‌ ଗୋଟାଏ ଶୁଭ ଖବର ତମକୁ ଜଣେଇବାକୁ ! ଦେଖେ ତ ମୋ ମନକୁ, ସେକଥା କେମିତି ଏତେବେଳ ହେଲାଣି ନ କହି ରହିଚି ! ପାସୋରି ଯାଇଚି ।

 

ତମର ହେଡ଼୍ ଅଫିସ୍‍ର ଚାକିରିଟା ହୋଇଯାଇଚି । ତରୁଣବାବୁ ଏବେ ଖବର ପାଇଲେ-। ଅଡର୍ ଆସିଯିବ କାଲି ଆଡ଼କୁ । ମିଠା ଦିଅମ ଚୈତାଳି !!

 

ଇରା ହସି ହସି ଉଠୁଚି । ଚାଲି ଯାଉଚି ତା’ ନିଜଘରକୁ । ଚୁଙ୍ଗୁଡ଼ିର ମନଟା ନାଚି ଉଠୁଚି ଆନନ୍ଦରେ ।

 

ଚୁଙ୍ଗୁଡ଼ି ପ୍ରଥମେ ଖବରଟା ଚିଠି ଲେଖି ଜଣେଇ ଦେଲା ବାବାଙ୍କୁ, ସିକୁକୁ । କିଛି କମ୍‌ କଥା ନୁହେଁ । ପାଞ୍ଚୋଟି ଯାକ ବ୍ରାଞ୍ଚ ଅଫିସ୍‍ର ସବୁ ଅଫିସ୍ ଷ୍ଟାପ୍‌ ଏଇ ଚାକିରିଟା ପାଇଁ ଦରଖାସ୍ତ କରିଥିଲେ । ସବୁ ପ୍ରକାର ସୁବିଧା ସୁଯୋଗ, ମୁଣ୍ଡ ଚକର୍ ଖାଇଲା ପରି ତାଙ୍କର ମୋଟା ଦରମାର ରଙ୍ଗୀନ ନିଶା ସମସ୍ତଙ୍କ ଆଖିରେ ସ୍ୱପ୍ନର ଅଞ୍ଜନ ବୋଳି ଦେଇଥିଲା ।

 

ଚୁଙ୍ଗୁଡ଼ି ଆଶା କରି ନଥିଲା । ତରୁଣବାବୁ ଆଶ୍ୱାସନା ଦେଇଥିଲେ, ମିଳିଯାଇପାରେ !

ସାହେବ ତ ଚୁଙ୍ଗୁଡ଼ି ପରି କାମିକା କର୍ତ୍ତବ୍ୟପରାୟଣ, କର୍ମୀଟିଏ ଚାହିଁଥିଲେ ।

ସତକୁସତ ଚୁଙ୍ଗୁଡ଼ିକୁହିଁ ମିଳିଗଲା ଚାକିରିଟା । ଚୁଙ୍ଗୁଡ଼ି ଅନୁଭବ କରୁଥିଲା, ସତେକି ସେ ରାଜ୍ୟ ଜୟ କରିଚି ।

ହାତ ପାପୁଲିରୁ ଅନେକ ଦୂରରେ ଚିକ୍‌ଚିକ୍‌ କରୁଥିବା ନିହାତ ଦୁର୍ଲଭ ଜହ୍ନଟା ତା’ ପାପୁଲି ଉପରେ ଓହ୍ଲେଇ ପଡ଼ିଚି ତା’ର ସବୁ ଆଲୁଅ ସାଥିରେ ଧରି । ତଥାପି କୋଉଠି କେମିତି ଦୁଃଖ ରହିଯାଏ । ସବୁ ଖୁସି ଦେଇ ହସିହୁଏ ନାହିଁ । ସବୁ ଆନନ୍ଦ ମଝିରେ ମଝିରେ ଟିକେ ଫାଙ୍କ । ହସ ଭିତରେବି ବେଦନାର ପ୍ରଚ୍ଛନ୍ନ ଯନ୍ତ୍ରଣା ।

ବୋଉର ମୁହଁଟା ଦିଶିଯାଉଚି ଶୂନ୍ୟରେ ।

ଶେଷଥର ପାଇଁ ସେହି ବଣ ପାହାଡ଼ ଘେରା ନୂଆ ଅଫିସ୍, ନୂଆ କଲୋନିକୁ ଦେଖୁଥିଲା ଚୁଙ୍ଗୁଡ଼ି । ତିନିବର୍ଷର ଏଇ ପରିଚିତ ପୃଥିବୀଟାକୁ ଏମିତି ଛାଡ଼ି ଚାଲିଯିବାକୁ ତାକୁ କଷ୍ଟ ଲାଗୁଥିଲା । ଏଇ ଘର ଦି’ବଖରା, ରାସ୍ତା, ଅଫିସ୍ ରୁମ୍‌, ପାହାଡ଼, ସବୁକିଛି କେମିତି ତା’ର ଆପଣାର ହୋଇଯାଇଚନ୍ତି । ଏଇ ପାହାଡ଼ ଉପରେ ବଉଦ ଭାସେ । ବର୍ଷା ଝରେ । ଶୀତଦିନେ ପରସ୍ତ ପରସ୍ତ କୁହୁଡ଼ି ଜମେ । ମଝିରେ ମଝିରେ ବରଫ ପଡ଼େ । ସବୁ ଭଲ ଲାଗେ ଚୁଙ୍ଗୁଡ଼ିକୁ । ଏ ଜାଗାପାଇଁ କେମିତି ଏକ ପ୍ରଚ୍ଛନ୍ନ ଆକର୍ଷଣ ନିଜ ଭିତରେ ଅନୁଭବ କରିଚି । ଏ କଲୋନିର ଗୋଡ଼ି ମାଟିକୁ ସେ ନିବିଡ଼ ଆନ୍ତରିକତା ଦେଇ ନିଜର କରିଦେଇଚି । ଆପଣାର ବୋଲି ଅନୁଭବ କରିଚି । ସେ କିନ୍ତୁ ଏ ଜାଗା ଛାଡ଼ି ଚାଲିଯିବ । ଚାଲିଯିବ, ତା’ର ଉନ୍ନତିପାଇଁ ଚାଲିଯିବ ସିନା, ଭୁଲିପାରିବ ନାହିଁ ଏ ଜାଗାର ମମତା ଏବଂ ଭୁଲିପାରିବ ନାହିଁ ଇରାକୁ ।

ଇରା ଅନ୍ୟମାନଙ୍କ ସହିତ ଆସୁଚି ।

ଚୁଙ୍ଗୁଡ଼ି ସେମାନଙ୍କୁ ଘରେ ବସେଇ ପାମ୍ପଡ଼ ଭାଜୁଚି ।

ସାଙ୍ଗମାନଙ୍କ ସହିତ ଗପକରି ହସି ହସି ଗଡ଼ିଯାଉଚି ଚୁଙ୍ଗୁଡ଼ି ।

‘‘ଚୈତାଳି, ତୁମେ ଚାଲିଯିବ, ଆମକୁ ଭୁଲିଯିବ, ନା ? କିନ୍ତୁ ସତ କହୁଚି, ତମକୁ ଆମେ ସବୁବେଳେ ମନେକରିବୁ । ତମ ସହିତ ମୋର ସବୁ ହସ, ଗପ ଚାଲିଯିବ–’’ ଇରା କହୁଚି ।

ଅରୁଣା କହୁଚି, ତୁମେ ସତରେ ଚାଲିଯିବ ନା କ’ଣମ, ଚୈତାଳି ? ସତରେ ତମପାଇଁ କ’ଣ ଲାଗୁଚି, ଦୁଃଖ ଲାଗୁଚି ।

ଚୁଙ୍ଗୁଡ଼ି ହସିଲା । ଏଇ ଅରୁଣା, ଏକା ଅଫିସ୍‍ରେ କାମ କରୁଥିଲେବି, ଏକା କଲୋନିରେ ପାଖାପାଖି ରହୁଥିଲେବି କେବେ ଦିନେ ମନ ଖୋଲି କଥା କହି ନାହିଁ ଚୁଙ୍ଗୁଡ଼ି ସହିତ । ଯେତେବେଳେ ବା କିଛି କୁହେ, ଉପହାସ କରି, ବିଦ୍ରୂପ କରି ।

ସିଏ ଦୁଃଖ କରୁଚି ଚୁଙ୍ଗୁଡ଼ିର ଅନୁପସ୍ଥିତିକୁ କଳ୍ପନା କରି । ଅରୁଣା, ତମ କଥାବି ମୋର ବହୁତ ମନେପଡ଼ିବ । ମୁଁ ମଝିରେ ମଝିରେ ନିଶ୍ଚୟ ଆସିବି ତମମାନଙ୍କ ପାଖୁ । ତମମାନଙ୍କର ଆନ୍ତରିକତା ମତେ ଏଠିକି ଟାଣି ଆଣିବ ।

‘‘ମୋର ଦୁଃଖ ହୁଏ ତମପାଇଁ । ତମପରି ଶାନ୍ତ ସରଳ ଝିଅ ସେ ଚାକିରିଟା ଯେ କେମିତି ଗ୍ରହଣ କରିବାକୁ ରାଜିହେଲା ଭାରି ଆଶ୍ଚର୍ଯ୍ୟ ଲାଗୁଚି ମତେ ।’’

 

‘‘କାହିଁକି ଅରୁଣା, କ’ଣ ଖରାପ ଚାକିରି ସେଇଟା ? କି ଅସୁବିଧା ଅଛି ସେଥିରେ ? ତମେବି ତ ସେଥିପାଇଁ ଆବେଦନ କରିଥିଲ ।’’

 

‘‘–କରିଥିଲି । ଆବେଦନ କଲେ କ’ଣ ହେବ, ଚାକିରି କେବେ କରି ନଥାନ୍ତି ! ସେ ଛତରା ପାଖରେ ଦିନରାତି କାରବାର ହେବାକୁ କୋଉ ଭଲଘରର ଝିଅ ରାଜିହେବନି ।’’

 

କାହାକଥା ତମେ କହୁଚ ଅରୁଣା ?

 

‘‘ସେହି ଲମ୍ପଟ ଏମ୍‌.ଡ଼ି. କଥା ଲୋକଟା ନିହାତ ବାଜେ, ଲମ୍ପଟ, କ୍ୟାରେକ୍ଟର୍‍ଲେସ୍‌ ।’’

 

ଓଃ !’ ଚୁଙ୍ଗୁଡ଼ି ଦେହରେ ଏକାସାଙ୍ଗରେ ଲକ୍ଷେ ବିଦ୍ୟୁତ ଭୋଲ୍‌ଟେଜ୍‍ର ଧକ୍କା ଲାଗିଲା । ସାହେବ ଜଣେ ଲମ୍ପଟ । ପାଜି ! କ୍ୟାରେକ୍ଟର୍‍ଲେସ୍‌ !

 

ତା’ରି ପାଖରେ ଚୁଙ୍ଗୁଡ଼ି କାମ କରିବ । ତା’ରି ପାଖରେ କାରବାର ହବ । ତା’ରି ଆଦେଶକୁ, ତା’ରି ଇସାରାକୁ ଅପେକ୍ଷା କରି ରହିବ । ଚୁଙ୍ଗୁଡ଼ିର ଆଖି ଆଗରେ ସମସ୍ତ ଆଲୋକ ହଠାତ୍ ନିର୍ବାପିତ ହୋଇଗଲା ଯେମିତି । ଚାରିଆଡ଼େ ଖାଲି ଅନ୍ଧାର, ଅନ୍ଧାର । ପୃଥିବୀର ସବୁ ଶବ୍ଦ ମିଳେଇ ଆସିଲା କ୍ରମଶଃ । ସେ ଯେମିତି ହୋଇଗଲା ବଧିର ।

 

ତା’ର ଅନ୍ଧ ଆଖିରେ ଖାଲି ଦିଶିଲା ଗୋଟିଏ ପରେ ଗୋଟିଏ ମୁହଁ ।

 

ସେ ମୁହଁ ଜ୍ୟୋତିମାମୁଙ୍କର, ସେ ମୁହଁ ବିବେକାର, ସେ ମୁହଁ ସଉରୀପଣ୍ଡାର, ଆଶିଷର–

 

ଆଉ କିଛି ଦେଖିପାରୁନି ଚୁଙ୍ଗୁଡ଼ି । କ୍ରମଶଃ ନିସ୍ତେଜ ହୋଇ ପଡ଼ୁଚି । ତା’ର ମନେ ହଉଚି ତା’ ଚାରିପଟରେ ଖାଲି ଲମ୍ପଟମାନଙ୍କର ବିରାଟ ଏକ ଶୋଭାଯାତ୍ର–

 

ସେହିମାନଙ୍କ ମଝିରେ ଚୁଙ୍ଗୁଡ଼ି ତା’ର ବାକ୍‌ଶକ୍ତି, ଜୀବନ ଶକ୍ତି ହରେଇ ସତେବା ମରିଯିବ, ଶେଷ ହୋଇଯିବ ।

 

ତା’ର ଦାନାପାଣିରେ ଚୁଙ୍ଗୁଡ଼ି ନିଜ ପେଟରେ ଦାନା ଦେଉଚି । ଚୁଙ୍ଗୁଡ଼ିର ପରିବାର ଜିଇଁଚନ୍ତି । ସେଇଥିରେ ଚୁଙ୍ଗୁଡ଼ି ତା’ ନିଜ ପରିବାରକୁ ପ୍ରତିଷ୍ଠା କରେଇ ପାରିଚି । ତା’ରିପାଇଁ ସିକୁ ଏମ୍‌.ଏ. ପାସ୍ କରିପାରିଚି । ନୂଆକରି ଅଧ୍ୟାପକ ହୋଇଚି । ତା’ରିପାଇଁ ବାପା ତା’ର ସ୍ୱଚ୍ଛନ୍ଦରେ ଅଛନ୍ତି । ତା’ରିପାଇଁ ଚୁଙ୍ଗୁଡ଼ି ନାଳକଡ଼ର ସେଇ ସୁନ୍ଦର ଦୋତାଲା କୋଠାଟା କିଣିବାର କଳ୍ପନା ଓ ଚେଷ୍ଟା ଚଳେଇଚି ।

 

କିନ୍ତୁ ତାକୁ ଏ ପର୍ଯ୍ୟନ୍ତ ଦେଖିବାର ସୌଭାଗ୍ୟ ହୋଇ ନାହିଁ ଚୁଙ୍ଗୁଡ଼ିର ।

 

ସୌଭାଗ୍ୟ ?

 

ଚୁଙ୍ଗୁଡ଼ି ନିଜେ ନିଜକୁ ପ୍ରଶ୍ନକରେ । ସୌଭାଗ୍ୟ ହେଉ, ବା ଦୁର୍ଭାଗ୍ୟ ହେଉ, ସେ ଯୋଗଟା ଖୁବ୍‌ ନିକଟରେ ଯୁଟିବାର ଚୁଙ୍ଗୁଡ଼ି ଭାଗ୍ୟରେ ଲିପିବଦ୍ଧ ହୋଇ ସାରିଲାଣି । ସେ ଲମ୍ପଟ ହୁଅନ୍ତୁ, କ୍ୟାରେକ୍ଟର୍‍ଲେସ୍ ହୁଅନ୍ତୁ, ନର୍କର କୀଟ ହୁଅନ୍ତୁ ପଛକେ ସେ ଚୁଙ୍ଗୁଡ଼ିର ନମସ୍ୟ, ପୂଜ୍ୟ । ତାଙ୍କ ପାଖରେ ଚୁଙ୍ଗୁଡ଼ି ଋଣୀ, ଆଜୀବନ ଋଣୀ । ଚୁଙ୍ଗୁଡ଼ି ଅରୁଣା କଥାର କିଛି ଉତ୍ତର ଦେଲା ନାହିଁ-

 

ଇରାକୁ କହିଲା, ‘‘ତମେ ମୋ ପାଖୁ ଚିଠି ଲେଖିବ । ତମ କଥା ମୁଁ ମୋ ଜୀବନରେ କେବେ ଭୁଲିପାରିବିନି । ସବୁ ଖବର ଲେଖି ମୋ ପାଖୁ ଚିଠି ଲେଖିବ । ଭୁଲିବନି ଯେମିତି !’’

 

ଚୁଙ୍ଗୁଡ଼ିର ଛାତିଟା ଧଡ଼ ଧଡ଼ କରୁଚି ଅସମ୍ଭବଭାବେ । ନିଃଶ୍ୱାସଟା କେମିତି ଜୋରରେ ବହୁଚି । ଚୁଙ୍ଗୁଡ଼ି ନିଜକୁ ବିଶ୍ୱାସ କରିପାରିଲାନି । ପୃଥିବୀକୁ ବିଶ୍ୱାସ କରିପାରିଲାନି ।

 

ପ୍ରଥମ ଦିନ, ଯୋଉଦିନ ବ୍ରାଞ୍ଚ ଅଫିସ୍ ଛାଡ଼ି, ହେଡ଼୍ ଅଫିସ୍‍କୁ ଆସିଲା । କିଛି କାମ ନଥିଲା ତା’ ହାତରେ ।

 

ସାହେବ ଛୁଟିରେ ଥିଲେ ।

 

ଆଜି ନିର୍ଦ୍ଧାରିତ ରୁମ୍‍ରେ ବସି ଚୁଙ୍ଗୁଡ଼ି ଫାଇଲ୍‍ଗୁଡ଼ାକୁ ଦେଖୁଥିଲା । ଦେଖୁଥିଲା ପାଖରେ ଥୁଆ ହୋଇଥିବା ଛୋଟିଆ ଟାଇପ୍‌ ମେସିନ୍‌ଟାକୁ । ତା’ରି ରିଡ଼୍‌ରେ ଲେଖା ଯାଇଥିବା ଅକ୍ଷରଗୁଡ଼ାକ ନେଇ ଚୁଙ୍ଗୁଡ଼ି ପ୍ରତିଦିନ ଯୁଦ୍ଧକରିବ ।

 

ଗଦାଗଦା ଫାଇଲ୍ ଦେଇ ସେ ନିଜ ଭବିଷ୍ୟତକୁ ସ୍ୱପ୍ନରେ ରଙ୍ଗୀନ କରିଦବ ।

 

କଲିଙ୍ଗବେଲ୍ ବାଜିଲା ।

 

ଚପରାସି କହିଲା, ସାହେବ ଡାକୁଚନ୍ତି । ଏବେ ଦିଲ୍ଲୀରୁ ପହଞ୍ଚିଲେ । ଚୁଙ୍ଗୁଡ଼ି ସନ୍ତର୍ପଣରେ ଉଠିଲା । ତା’ ନୂଆ ସାହେବଙ୍କୁ ସେ ଏଇ ପ୍ରଥମ ଥର ଭେଟିବ ।

 

ପାଦ ଚିପି ଚିପି ଲୁଗାର କାନିଟାକୁ ବେକ ଚାରିପଟରେ ଜୋରରେ ଗୁଡ଼େଇ ଧରି ଚୁଙ୍ଗୁଡ଼ି ପର୍ଦ୍ଦା ଆଡ଼େଇ ଭିତରେ ପଶିଲା ।

 

ତଳକୁ ଚାହିଁ ଚାହିଁ ଚୁଙ୍ଗୁଡ଼ି ଭାବୁଥିଲା ଅରୁଣାର କଥା ।

 

ଅରୁଣାର କଣ୍ଠ ପ୍ରତିଧ୍ୱନିତ ହୋଇ ଉଠୁଥିଲା ତା’ର କର୍ଣ୍ଣକୁହରରେ । ‘ଲୋକଟା ନିହାତ ପାଜି, ଲମ୍ପଟ ।

 

ଚୁଙ୍ଗୁଡ଼ି ଅଗ୍ନିପରୀକ୍ଷା ନେବା ଭଙ୍ଗୀରେ ମୁଣ୍ଡ ଉଠାଇ ରିଭଲ୍‍ଭିଂ ଚେୟାର ଉପରେ ବସିଥିବା ସାହେବଟିକୁ ଚାହିଁଲା ।

 

ତ–ପ–ନ ।

 

ଅସ୍ପଷ୍ଟ ସ୍ୱରରେ ଚୁଙ୍ଗୁଡ଼ି ଆହୁରି ଥରେ କହି ଉଠିଲା–ତପନ ! ଯେଉଁ ତପନ ଅନେକ ବର୍ଷତଳେ ବାଲି ଖେଳୁ ଖେଳୁ ହଜି ଯାଇଥିଲା, ଯୋଉ ଧୂଳି ମଳିଆ ହାପ୍‌ପ୍ୟାଣ୍ଟ ପିନ୍ଧା ଅନେକ ବର୍ଷତଳେ ଚୁଙ୍ଗୁଡ଼ି ଆଖିରେ ମୁଠାଏ ବାଲି ଛାଟି ଦେଇ କୋଉଠି ଲୁଚିଯାଇଥିଲା, ସେଇ ତପନ ଚୁଙ୍ଗୁଡ଼ି ଆଗରେ !

 

ଚୁଙ୍ଗୁଡ଼ି ବିଶ୍ୱାସ କରିପାରିଲା ନାହିଁ ।

 

ପାଦେ ପାଦେ ଆଗେଇ ଯାଉଚି ତପନ ପାଖୁ । ତପନବି ସବୁ ଭୁଲି ଚାହିଁ ରହିଚି ଚୁଙ୍ଗୁଡ଼ିର ସେହି ଛଳଛଳ, ଶାନ୍ତ ସୁନ୍ଦର ମୁହଁଟିକୁ ।

 

ଅତି ପିଲାବେଳୁ ଏ ମୁହଁକୁ ଚିହ୍ନିଚି ତପନ । ଏଇ ମୁହଁକୁ ନେଇ କେତେ ସକାଳ ସନ୍ଧ୍ୟା ବିତେଇ ଦେଇଚି ଛୋଟ ବୁଝା ଅବୁଝା କବିତା ଲେଖି । ଆଜି ଅନେକ ବର୍ଷପରେବି ସେ ମୁହଁ ଠିକ୍‌ ସେମିତି ଅଛି । କିଛି ବଦଳି ନାହିଁ । ଏଇ ମୁହଁ ଉପରେ କନା ବାନ୍ଧି ତପନ ଖେଳିଚି । ମତେ ଛୁଁ ଖେଳ ନିଜଠାରେ କା’ନେଇ ଏକ ମୁହଁକୁ ଚାହିଁ ଖତେଇ ହେଇ ଚିଲାମାରି ଦୌଡ଼ିଚି ।

 

ଏଇ ଆଖିରେ ଛଳଛଳ ଲୁହଟୋପାକୁ ଦେଖି ନିଜ ଆଖିରେ ଲୁହର ଶ୍ରାବଣ ସୃଷ୍ଟି କରିଚି ତପନ । ନିଜ ପାପୁଲିରେ ଏଇ ଆଖିରୁ ନିଜେ ଗୋଟେଇ ନେଇଚି ଦୁଃଖର ଲୁହ, ପୋଛି ଦେଇଚି ହତାଶାର ଦାଗ, ଲିଭେଇ ଦେଇଚି ଶୂନ୍ୟତାର ଚିହ୍ନ । କେଇଫୁଟ୍ ଦୂରରେ ସେଇ ମୁହଁ ।

 

ଚୁଙ୍ଗୁଡ଼ିର ବୟସ ଯେମିତି କମି କମି ଯାଉଚି । ତା’ ସହିତ ତପନରବି । ସେମାନେ ହାତ ଧରାଧରି ହୋଇ ସ୍କୁଲ୍‍ ପାଖ ନାଳ କଡ଼ରେ ଦୌଡ଼ୁଚନ୍ତି ।

 

–ଏଇ, ତପନ ! ମୁଁ ପଡ଼ିଗଲେ ନା, ଦେଖିବୁ !

 

–ମୁଁ ଅଛି ପରା, ତୁ ଜମାରୁ ପଡ଼ିବୁନି !

 

ସେ ପାଖ ସୁନ୍ଦରୀ ଗଛରେ ଆମ୍ବ ଫଳିଚି, ତୁ ଅଣ୍ଟି ଦେଖା, ମୁଁ ଚଢ଼ିବି ।

 

: ଏଇ, ତପନ ତୁ ଗଛରେ ଚଢ଼ନା–ପଡ଼ିଯିବୁ । ତୋତେ ମୋ ରାଣ ତପନ ! ତୁ ଗଛରୁ ପଡ଼ିଲେ ପରା ମୋ ଗୋଡ଼ ଭାଙ୍ଗିଯିବ !

 

: ତୁ ଭାରି ଗପୁଡ଼ି ଚୁଙ୍ଗୁଡ଼ି । ତୋ ପାଖରେ ବସିଲେ ମୁଣ୍ଡ ବିନ୍ଧିବ ।

 

ହେଲା । ଆଉ ତୋ ସହ କିଛିବି କଥା କହିବିନି । କେବେବି କଥା କହିବିନି । ଆଜିଠୁ ତୋ ସାଙ୍ଗରେ ମୋର କଟି ! କଟି ! କଟି !

 

–ମୋ ସୁନାଟା ପରା ! ରାଗେନି । ତୁ ଯେତେ ଗପିଲେବି ମୁଁ ଜୀବନସାରା ଚାହିଁ ବସିବି ସେ ଗପ ସବୁ ଶୁଣିବାକୁ ।

 

ଜୀବନସାରା ! ତୁ ରାଗେନି–

 

ତୋ ଖେଳ ଦେଖିଲେ ରାତି ହୋଇଯିବ । ଗାଁ ବାଟ କିଆ ଗୋହିରି ପାଖରେ ଭୂତ ଅଛି-। ଡାଆଣୀ ଅଛି ।

 

–ମୁଁ ଯିବି ତୋ ସାଙ୍ଗରେ । ତତେ ଛାଡ଼ି ଆସିବି । ମୁଁ ଥିଲେ ଭୂତ ଆସିବନି ।

 

–ଯଦି ଆସେ ?

 

–ମତେ ଖାଇଦବ ।

 

-ନା, ମତେ ।

 

-ନା ମତେ ।

 

–ହଉ ହେଲା ବାବା, ଆମ ଦିହିଁଙ୍କି ଖାଇଦବ ।

 

–ତୋର ମା’ ଅଛି । ବାପା ତୋର କାର୍‍ରେ ବୁଲୁଚି ।

 

ମୋର ମା’ ନାହିଁ । ବାପା ତ ନିଜ ଗୋଡ଼ରେ ଠିଆ ହୋଇ ପୃଥିବୀଟାକୁ ଦେଖିବି ପାରେନି ।

 

–କାନ୍ଦେନି ଚୁଙ୍ଗୁଡ଼ି । ମୁଁ କେବେ ତୋ ମନରେ ଦୁଃଖ ଦେବିନି ।

 

–ମୋ ହାତ ଛାଡ଼ । ଚିମୁଟୁଚୁ ଏତେ ଜୋରରେ, କାଟୁଚି, ଆଃ ।

 

ତୁ ଆଗ କାନ୍ଦ ବନ୍ଦକର । ହସ । ହସ ଆଗ । ତା’ପରେ ଯାଇ ଛାଡ଼ିବି ।

 

–ତୁ ଆସି ନଥିଲୁ କାଲି, ମୁଁ ମାଡ଼ ଖାଇଲି ।

 

–ତୁ ସବୁଦିନେ ଅଙ୍କ ଟିପୁଚୁ, ଗଧ ! ମୁଁ ଆଜି ତତେ ଖାତା ଦେବିନି । ତୁ ନିଲଡ଼ାଉନ୍‌ ହ, ମୁଁ ହସିବି, ଭାରି ମଜା ହବ ।

 

‘‘ମୁଁ ମାଡ଼ ଖାଇଲେ ତୋର ମଜା, ତୁ ଖୁସିହବୁ ମୁଁ ଜାଣିଚି । ମୁଁ ମରିଗଲେ ତୋର ଭଲ, ମୁଁ ଜାଣିଚି ।’’

 

–ସତରେ ? ଜାଣିଚୁ ? ଆଉ କ’ଣ କ’ଣ ସବୁ ଜାଣିଚୁ, କହିଲୁ ? ବାଃ, ଏତେ କଥା ଜଣା ଅଛି ତତେ ? ଯା–ଖାତା ଆଣ, ମୁଁ ତତେ ବୁଝେଇ ଦେବି । ପୂରା ସହଜ ଅଙ୍କଗୁଡ଼ାକ । ଥରେବି ଦେଖିଚୁ, ସତ କହିଲୁ ? ଥରେବି ଚେଷ୍ଟା କରିଚୁ ?

 

–ମୋ ସୁନା ଚୁଙ୍ଗୁଡ଼ି ପରି କିଏ ହେବମ !

 

ତପନ ମୁଣ୍ଡ ଟେକି ଚାହିଁଚି । ଚୁଙ୍ଗୁଡ଼ି ଆଖିରେ ଟଳଟଳ ଲୁହ । ସେ ଲୁହ କାହିଁକି ?

 

ଆବେଗର ? ଅନୁରାଗର ? ଅନୁରକ୍ତିର ? ଘୃଣାର ? ଭୟର ? ନା ଅସହାୟତାର ବୁଝିପାରିଲା ନାହିଁ ତପନ ।

 

ତପନ ଚମକି ଉଠିଲେ । ପ୍ରକୃତିସ୍ଥ ହେଲେ । ବାଁ ହାତରେ ରୁମାଲ ନେଇ ମୁହଁଟା ପୋଛି ଦେଇ ଆଖି ଭିତରେ ଲୁହର ଅବାଧ୍ୟ ସଜଳତାକୁ ସନ୍ତର୍ପଣରେ ଗୋପନ କରିନେଲେ ।

 

‘‘ଏଇ ଚାରିଟାଯାକ ଫାଇଲ୍‍ର ସବୁଗୁଡ଼ାକ କାମ ସାଙ୍ଗେ ସାଙ୍ଗେ ସାରିଦିଅ । ଏଇ ଚିଠିତକ ଟାଇପ୍ ହବ । ଆଉ କେତେଟା ଡ୍ରାଫ୍‍ଟ୍ ଡାକିନିଅ । ହଁ, ଯେମିତି ଏଇ ଆଓ୍ୱାର ଭିତରେ ସବୁଯାକ କାମ ସରିଯାଏ । ଯାଅ–

 

ତପନଙ୍କ ସୁର ଗମ୍ଭୀରତାର ଚରମ ସୀମାରେ ! ସତେବା ଆଦେଶ ଦେବାର ଚରମ ଭଙ୍ଗୀ ।

 

ଚୁଙ୍ଗୁଡ଼ିର ଆଖି ଦୁଇଟା ତା’ ନିଜ ଅଜାଣତରେ ବିସ୍ଫାରିତ ହୋଇଉଠିଲା ।

 

ତପନର ଏ ନୂଆ ସ୍ୱର । ଏ ଅନ୍ୟ ଏକ ତପନ ।

 

ଚୁଙ୍ଗୁଡ଼ି କ୍ଷଣକପାଇଁ ସ୍ତବ୍ଧ ହୋଇଯାଇ ପର୍ଦ୍ଦା ଆଡ଼େଇ ନିଜ ସିଟ୍‌କୁ ଆସିଲା । ଚାଲି ଆସିଲା ତା’ର ନିଜର ଏକମାତ୍ର ବନ୍ଧୁ ସେହି ଟାଇପ୍‌ ମେସିନ୍‌ଟା ପାଖୁ । କାହିଁକି କେଜାଣି ନିଜର ଶତ ସାବଧାନତା ସତ୍ତ୍ୱେ କେଇଟୋପା ଲୁହ ଝରି ଆସିଲା ତା’ର ଆଖି କୋଣରୁ । ଟାଇପ୍‌ ମେସିନ୍‍ଟା ଉପରେ ସେ ଲୁହ ଟୋପା ଶୁଖିଗଲା । କେହି ଦେଖିଲେ ନାହିଁ । କେହି ଜାଣିଲେ ନାହିଁ-

 

ଚୁଙ୍ଗୁଡ଼ିର ଟିପ ସ୍ଥିର ହୋଇଯାଉଚି ଟାଇପ୍ ମେସିନ୍‍ର ଅକ୍ଷର ଉପରେ । ଜବରଦସ୍ତ ସେସବୁକୁ ଟପଟପ କରି ଅକ୍ଷର ଉପରେ ଚାପି ଚାପି ଟାଇପ୍ କରୁଚି ସେ । ଅକାରଣରେ କାନ୍ଦମାଡ଼ୁଚି । ନିଜକୁ ନିଜ ନିୟନ୍ତ୍ରଣରେ ରଖିପାରୁ ନାହିଁ ଯେମିତି । ତା’ କିଶୋରୀ ଦିନର ପୁରୁଣା ମଣିଷଟାକୁ ଦେଖିଲା ପରେ ତା’ ମନଟା ସେଇ ପୁରୁଣା ଦିନକୁ ଫେରିଯାଉଚି । ମନ ଝୁରିହଉଚି ତା’ ଠାରୁ ସେହି ଅନାବିଳ ପୁରୁଣା ମମତା ପାଇବାପାଇଁ ।

 

ତପନର ତା’ର ନିହାତ ଛୋଟିଆ ଘଟଣାଟିକୁ ନେଇ ଭୁଲ୍‍ବୁଝାମଣା ସୃଷ୍ଟି ହୋଇଥିଲା ।

 

ତା’ପରେ ଆଉ ଦେଖାହୋଇ ନଥିଲା ତା’ ସହ ।

 

ସେଦିନ ହଜିଯାଇଥିବା ସତର ଅଠରବର୍ଷର କିଶୋରଟି ଆଜି ଛବିଶ ସତେଇଶବର୍ଷର ତରୁଣ ହୋଇ ଠିଆ ହୋଇଚି ତା’ ଆଗରେ ।

 

କିନ୍ତୁ ସିଏ ଯେମିତି ହାତ ହଲେଇ ନାହିଁ କରୁଚି । ମୁଁ ସିଏ ନୁହେଁ, ମୁଁ ସିଏ ନୁହେଁ, ମୁଁ ଆଉ ଜଣେ !

 

ଚୁଙ୍ଗୁଡ଼ି ତା’ପରେ କେତେ ନ ଖୋଜିଚି ତପନକୁ !

 

କେତେଥର ଝୁରି ନ ହୋଇଚି ତପନକୁ ! କେବଳ ଟିକେ ବୁଝେଇ ଦବାକୁ । କେଇପଦ କଥା କହିଦବାକୁ ତାକୁ ।

 

–ତପନ ! ମୋ ଉପରେ ରାଗିଚୁ । ଦେଖ, ମୁଁ ଭୁଲ୍ ମାଗୁଚି । ମତେ କ୍ଷମା କରିଦେ । ଆଉ ଦିନେବି କିଛି କହିବିନି ତତେ । ସେଦିନ ମୋ କଥା ତତେ ଏତେ ବାଧିବ ଜାଣିଥିଲେ ମୁଁ କେବେ ଏମିତି କହି ନ ଥାନ୍ତି । ଦେଖ, କିନ୍ତୁ ତୁ ମୋ ଉପରେ ଜମାରୁ ରାଗିବୁନି ।

 

ତପନର ଦେଖା କିନ୍ତୁ ପାଇ ନଥିଲା ସେ । ଆଉ ଆଜି ଏମିତି ସମୟରେ ଦେଖାହେଲା, ଯେତେବେଳେ ଚୁଙ୍ଗୁଡ଼ି କହିପାରୁନି କିଛି କଥା, କିଛି ପାସୋରି ନଥିଲେବି ନିର୍ବାକ୍ ହୋଇଯାଉଚି । ଏଥିପାଇଁ ତପନ ତାକୁ ବାଧ୍ୟ କରିଚି ।

 

ତପନ ତାକୁ ଚିହ୍ନିପାରିଲା ନାହିଁ କେମିତି ?

 

ଚୁଙ୍ଗୁଡ଼ି ମନକୁ ମନ ହସି ପକେଇଲା । ନିହାତ କରୁଣ ରଙ୍ଗହୀନ ହସଟିକେ ।

 

ତପନ ତାକୁ ଠିକ୍‌ ଚିହ୍ନିପାରିଚି ।

 

ତପନ ବଦଳି ଯାଇଚି । ବଦଳି ଯିବା ସ୍ୱାଭାବିକ ।

 

ତପନ ବର୍ତ୍ତମାନ ତା’ର ସହପାଠୀ ନୁହେଁ, ସ୍କୁଲ୍‍ ସଙ୍ଗୀ ନୁହେଁ । ଅନ୍ତରଙ୍ଗ କିଶୋର ବନ୍ଧୁ ନୁହେଁ ।

 

ସେ ତା’ର ମାଲିକ, ତା’ର ପ୍ରଭୁ । ତା’ର ଆଦେଶଦାତା, ଅନ୍ନଦାତା, ଚୁଙ୍ଗୁଡ଼ି ତା’ର କର୍ମଚାରୀ । ତା’ରି ଇସାରାକୁ ଅପେକ୍ଷା କରି ରହିଥିବା ସାଧାରଣ ବେତନଭୋଗୀଟିଏ ।

 

ଚୁଙ୍ଗୁଡ଼ି ନିଜକୁ ସଂଯତ କରିନେଉ ନେଉ ଲାଗିପଡ଼ିଲା କାମଗୁଡ଼ାକ ସାରି ଦେବାରେ । ଗୋଟାଏ ବାଜିଯିବ । ତରତର କରି ଟାଇପ୍ କରି ଦଉଚି ଚିଠିଗୁଡ଼ାକ ।

 

ସାହେବ କହିଚନ୍ତି, ଏଇ ପ୍ରଥମ ଆଓ୍ୱାର ଭିତରେ କାମଗୁଡ଼ାକ ସାରିବାକୁ ହେବ । ଚୁଙ୍ଗୁଡ଼ିକୁ ସେ କଥା ମାନିବାକୁ ପଡ଼ିବ ।

 

ଚୁଙ୍ଗୁଡ଼ି ନିଜ ହାତରେ ତା’ କପାଳ ଉପରେ ଝୁଲି ପଡ଼ିଥିବା ଅଲରା ବାଳଗୁଡ଼ାକ ଟେକି କାନ ପଛରେ ଗୁଞ୍ଜି ଦେଲା । ମୁହଁଟା ଲୁଗାକାନିରେ ପୋଛିଦେଇ ଚାହିଁଲା ।

 

ଆହୁରି ଗଦାଏ କାଗଜ ।

 

ସବୁଗୁଡ଼ାକ ସାରିବାକୁ ହେବ ।

 

ସିକୁଟା ଚିଠି ନଦେଲେ ମନଟା ଗୋଳେଇ ହୁଏ । ଛାତିଟା ବେଦନାର୍ଦ୍ର ହୋଇଯାଏ । ବାପାଙ୍କ ଅସୁସ୍ଥତା ଦିନକୁଦିନ ବଢ଼ୁଥିବାର ଶୁଣିଥିଲା ଚୁଙ୍ଗୁଡ଼ି ।

 

ଛୁଟି ମିଳିପାରୁ ନାହିଁ ।

 

ଅଫିସ୍‍ରୁ ଅନେକଗୁଡ଼ାଏ ଟଙ୍କା ଆଡ଼୍‌ଭାନ୍‌ସ୍ ଆଣିଚି ସେ । ବାପା ମନା କଲେ । ମନାକଲା ମଧ୍ୟ ସିକୁ ।

 

ଚୁଙ୍ଗୁଡ଼ିର କିନ୍ତୁ ଏକା ଜିଦ୍‌ । ଅସମ୍ଭବ ନିଶା । ସେ ନାଳକଡ଼କୁ ଲାଗିଥିବା ସେହି ସୁନ୍ଦର ଗ୍ରେ ରଙ୍ଗର ଘରଟାକୁ ସେ କିଣିବ । କମ୍ପାନୀର ବୋନସ୍ ଟଙ୍କାଟା ବଳିପଡ଼େ ଚଳିବାକୁ ।

 

ଟଙ୍କାପାଇଁ ମଣିଷର ମୋହ ଅନନ୍ୟ । ସେହି ମୋହରେ ଛନ୍ଦିହୋଇ ଚୁଙ୍ଗୁଡ଼ି ତପନର ଶତ ଦୁର୍ବ୍ୟବହାର ସତ୍ତ୍ୱେ ଚାକିରି ଛାଡ଼ି ଚାଲିଯାଇ ପାରୁ ନାହିଁ ।

 

ଚୁଙ୍ଗୁଡ଼ି ସ୍ୱପ୍ନ ଦେଖେ ସେହି ସୁନ୍ଦର ଘରଟାର ।

 

ଆଉ ଅଳ୍ପ କେତେ ଟଙ୍କା ମିଳିଗଲେ କିଣିଦିଅନ୍ତା ଚୁଙ୍ଗୁଡ଼ି । ଚୁଙ୍ଗୁଡ଼ି ତା’ ଚାରିପଟର ନିକଟତମ ଛୋଟିଆ ସୌରମଣ୍ଡଳ ଉପରେ ଆଖି ବୁଲାଏ ।

 

ହାତରେ ଦୁଇପଟ ମୋଟା ମୋଟା ସୁନାଚୁଡ଼ି, ବେକରେ ସୁନା ଚେନ୍‍ଟିଏ, କାନରେ–ଦି’ପଟ ନିଦା ରିଂ, ଆଙ୍ଗୁଟିରେ ମୁଦିଟିଏ, ବାସ୍‌ । ସେତକ ବଦଳରେ ତାକୁ କେତେ ମିଳିବ ମନେମନେ କଳିନେଲା ଚୁଙ୍ଗୁଡ଼ି । ତା’ ସଞ୍ଚିତ ଅର୍ଥରେ ସେତକ ମିଶିଗଲେ ଅନେକଦିନର ସ୍ୱପ୍ନ ତା’ର ବାସ୍ତବରୂପ ନେବ । ଘରଟା ତା’ର ନିଜର ହୋଇଯିବ ।

 

ଘରଟା ଯେ ବିକ୍ରିହବ ସେକଥା ବହୁ ପୂର୍ବରୁ ବୁଝି କିଣିବ ବୋଲି ଠିକ୍‌ କରୁଥିଲା ଚୁଙ୍ଗୁଡ଼ି-। ଧୀରେ ଧୀରେ କାନରୁ, ବେକରୁ ସେ ସବୁକୁ ଉଜେଇଁ ଦେଇ ଭ୍ୟାନିଟିବ୍ୟାଗ୍‍ରେ ଥୋଇଲା ଚୁଙ୍ଗୁଡ଼ି । ରିକ୍‌ସାଟାଏ ଡାକି ଉଠିଗଲା ବଣିଆ ଦୋକାନକୁ ।

 

ଚୁଙ୍ଗୁଡ଼ି ପାହାଚ ପାହାଚ ଚଢ଼ି ଉପରକୁ ଉଠିଲା । ଝଲମଲ ଦିଶୁଚି ନୂଆ ନୂଆ ଅଳଙ୍କାରଗୁଡ଼ାକ ସୋ-କେଶ ଭିତରେ । କାଚଭିତରେ ଯତ୍ନରେ ମଡ଼େଲ୍ ଦେହରେ ଖଞ୍ଜା ହୋଇଚି ଅନେକ ଅଳଙ୍କାର । ଚୁଙ୍ଗୁଡ଼ି ସବୁ ଚାହିଁ ଚାହିଁ ଦେଖୁଚି । ଚୁଙ୍ଗୁଡ଼ିକୁ ଦେଖି ଦୋକାନ ମାଲିକ ହାତ ହଲେଇ ବକ୍ତୃତା ଆରମ୍ଭ କରିଦେଲା । କ’ଣ କିଣିବେ ଆଜ୍ଞା ! କ’ଣ ଆପଣଙ୍କର ପସନ୍ଦ ହେଲା କୁହନ୍ତୁ ତ ! ଆପଣଙ୍କର ପସନ୍ଦକୁ ଆଖିରେ ରଖି ତ ଆମେ ଜିନିଷ ଗଢ଼ୁଚୁ । ଦେଖନ୍ତୁ ଆଜ୍ଞା କୋଉ ଡିଜାଇନ୍ ଆପଣଙ୍କର ମନକୁ ପାଇବ । ନ ହେଲେ ଅଡ଼ର୍ ପାଇଲେ ମନମୁତାବକ ଜିନିଷ ଯୋଗେଇ ଦବୁ ସାଙ୍ଗେ ସାଙ୍ଗେ ।

 

ଚୁଙ୍ଗୁଡ଼ି କିଛି କହିଲା ନାହିଁ, ମନେମନେ ଭାବିଲା, ତା’ର ଏ ସବୁ କ’ଣ ହେବ ?

 

ସେଠି କ୍ଷଣେ ଛିଡ଼ାହୋଇ ଭିତରକୁ ଆଗେଇଗଲା । ସେଠି ସୁନା ବିକ୍ରି ହୁଏ, ଚୁଙ୍ଗୁଡ଼ି ଜାଣେ ।

 

ଚୁଙ୍ଗୁଡ଼ି ଚମକି ପଡ଼ିଲା ।

 

‘‘କେତେ ହେବ ? ଦେଖି ଦେଲେ ଟିକେ ଶୀଘ୍ର ।’’

 

ଦୁଇଟା ଟିକିଟିକି ନୀଳ ପଥରବସା ଫୁଲକୁ ହାତ ପାପୁଲିରେ ରଖି ଦୋକାନୀ ଉଦ୍ଦେଶ୍ୟରେ ପ୍ରଶ୍ନ କରୁଚନ୍ତି ଜ୍ୟୋତିମାମୁ ।

 

ଚୁଙ୍ଗୁଡ଼ି କ୍ଷଣକପାଇଁ ବିସ୍ମିତ ହୋଇଯାଇ ପୁଣି ସହଜ ହୋଇଯାଉଚି ।

 

ଜ୍ୟୋତିମାମୁ ବଲବଲ କରି ଚାହିଁ ରହିଚନ୍ତି ଚୁଙ୍ଗୁଡ଼ି ଆଡ଼କୁ । କିଛି ହେଲେ କହିପାରୁ ନାହାନ୍ତି । ଚିହ୍ନି ନ ପାରିଲା ପରି ଅଭିନୟ କରୁଚନ୍ତି । କିଛି ଯେମିତି କହିବାକୁ ସାହସ ହେଉ ନାହିଁ ତାଙ୍କର ।

 

ତାଙ୍କର ଏଇ ଅପ୍ରସ୍ତୁତ ଅବସ୍ଥାକୁ କଳନା କରି ଚୁଙ୍ଗୁଡ଼ି ଜ୍ୟୋତିମାମୁଙ୍କ ଆଖିରେ ଆଖି ମିଶେଇ ହସି ପକେଇଲା ।

 

–ନମସ୍କାର ଜ୍ୟୋତିମାମୁ ! କ’ଣ ସବୁ ଭଲ ତ ? କାଚଆଖି ଲଗେଇଚ କି ? ଚିହ୍ନିପାରୁନା । ନା କ’ଣମ ! ମୁଁ ପରା ଚୁଙ୍ଗୁଡ଼ି । ଏତେ ଶୀଘ୍ର ଭୁଲିଗଲ ?

 

ଜ୍ୟୋତିମାମୁଙ୍କର ମୁହଁଟାବି କେମିତି ସହଜ ହୋଇ ସରସ ଦିଶିଲା ।

 

ଜ୍ୟୋତିମାମୁ ବିଦ୍ରୂପ ମିଶା କଣ୍ଠରେ କହିଲେ, ଖୁବ୍‌ ଧନୀ ହୋଇଯାଇଚୁ ୟା ଭିତରେ, ଶୁଣୁଚି ।

 

‘‘ବିଲ୍‍କୁଲ୍ ଠିକ୍‌ ଶୁଣିଚ । ତମ ଖବର ଆଉ କ’ଣ ଟିକେ କୁହମ ! ସେ କାନଫୁଲ ଦି’ଟା କାହାର ବିକିବାକୁ ଆଣିଥିଲ ? କ’ଣ ମାଈଁଙ୍କର ?

 

ଜ୍ୟୋତିମାମୁଙ୍କର ମୁହଁଟା କେମିତି କଳା ଦିଶିଲା । କୁଣ୍ଠିତ କଣ୍ଠରେ କହିଲେ ସେ–‘ହଁ’ ଏଇ ହଠାତ୍‌ ଟଙ୍କା କିଛି ଦରକାର ପଡ଼ିଲା ଯେ–

 

‘‘କେତେଟଙ୍କା ମୂଲ ହେଲା ଫୁଲ ଦି’ଟାର ?

 

ଜ୍ୟୋତିମାମୁ ସଙ୍କୋଚରେ ଏତେ ଟିକେ ହୋଇଯାଉ ଯାଉ ସେମିତି ଜଡ଼ିତ କଣ୍ଠରେ କହିଲେ,–ସାନ ଫୁଲଦି’ଟା, ଦୁଇଶ ଟଙ୍କା ହେବ ।

 

–ଜ୍ୟୋତିମାମୁ ଖୁବ୍‌ ସୁନ୍ଦର ଲାଗୁଚି ସେ ଦି’ଟା । ମତେ ଦିଅନ୍ତିନି ! ଏଇ ସାଙ୍ଗେ ସାଙ୍ଗେ ଦୁଇଶ ଟଙ୍କା ମୁଁ ଦେଇ ଦଉଚି ତମକୁ । ନିଜଲୋକର ଜିନିଷ ନିଜଲୋକ ପିନ୍ଧିବ, କ’ଣ କହୁଚ ? ସେଇଠି, କାନରେ ନୀଳ ପଥରବସା ଫୁଲଦି’ଟା ପିନ୍ଧୁ ପିନ୍ଧୁ ଚୁଙ୍ଗୁଡ଼ି ଭାବୁଥିଲା, ଜ୍ୟୋତିମାମୁଙ୍କଠାରେ ତା’ର ଏ ଏକ ଛୋଟ ପ୍ରତିଶୋଧ । ତା’ ଆଖି ପରଦାରେ ନାଚିଗଲା ଚିନୁଅପାର ଲୁହ ଛଳଛଳ ଆଖିଦି’ଟା । ପୁଣି ନ’ ଦଶବର୍ଷର ଛୋଟ ଶାନ୍ତ ସରଳ ଅବୁଝା କିଶୋରୀଟିର ଆକୁଳ ଚିତ୍କାର । ‘ମତେ ଛାଡ଼ିଦିଅ–ମରିଯିବି । ମୋ ଫ୍ରକ୍‌ ଚିରିଗଲା ଛାଡ଼ିଦିଅ, ଆଃ–ମରିଯିବି ।

 

ବ୍ୟାଗ୍‌ଭିତରୁ ଦୁଇଶହ ଟଙ୍କା ଭିକାରିକୁ ଦାନ କଲା ଭଙ୍ଗୀରେ ଜ୍ୟୋତିମାମୁଙ୍କ ଥରିଲା ଥରିଲା ହାତକୁ ବଢ଼େଇ ଦେଲା ଚୁଙ୍ଗୁଡ଼ି ।

 

ଜ୍ୟୋତିମାମୁ ହସୁଚନ୍ତି । ମଳିନ ହସ ।

 

ତୁ ୟା ଭିତରେ ଖାଲି ଧନୀ ନୁହେଁ, ବେଶ୍‌ ବୁଦ୍ଧିଆବି ହୋଇଯାଇଚୁ ଦେଖୁଚି । କାହାଠୁ ଏତେ ବୁଦ୍ଧି ଶିଖିଲୁ କିଲୋ ? ଚୁଙ୍ଗୁଡ଼ି କିଛି ନ କହି ସ୍ଥିରଦୃଷ୍ଟିରେ ଜ୍ୟୋତିମାମୁଙ୍କ ମୁହଁକୁ ଚାହିଁ ରହିଲା । ସେହି ଆଖିକୁ ଚାହିଁ ଜ୍ୟୋତିମାମୁ ଅନୁଭବ କଲେ, ଚୁଙ୍ଗୁଡ଼ିର ଓଠ ନିଷ୍କମ୍ପ ଥିଲେବି ଅନେକ କଥା ଯେମିତି କହିଯାଉଚି ।

 

–କାହିଁକି ଜ୍ୟୋତିମାମୁ ! ତମେ କ’ଣ ମତେ କିଛି ବୁଦ୍ଧି ଶିଖେଇ ନାହଁ ।

 

ଜ୍ୟୋତିମାମୁଙ୍କର ଗୋରାମୁହଁ କଳା ଦିଶୁଚି । ଚୁଙ୍ଗୁଡ଼ିର ମୁହଁକୁ ଚାହିଁବାର ସାହସ ତାଙ୍କର ହେଉ ନାହିଁ ।

 

ଆଉ ଯେତେବେଳେ ଚାହିଁଲେ, ଦେଖିଲେ ଚୁଙ୍ଗୁଡ଼ି ଦାନ୍ତରେ ଓଠ କାମୁଡ଼ି କାମୁଡ଼ି ହସୁଚି-

 

ସେ ହସରେ ଅଜସ୍ର ବିଦ୍ରୂପ ଉପହାସ ଆଉ ଅବମାନନାର ତୀର ଛୁଟିଆସି ଗଳିଯାଉଚି ଜ୍ୟୋତିମାମୁଙ୍କର ଛାତିରେ । ଫୁଟିଯାଉଚି ଜ୍ୟୋତିମାମୁଙ୍କର କଲିଜା ।

 

ସେ ମୁହଁ ତଳେଇ ନେଇ କହୁଚନ୍ତି–ମୁଁ ଯାଉଚି ଚୁଙ୍ଗୁଡ଼ି ! ମୋ ଉପରେ ରାଗ ରଖିବୁନି ।

 

ଚୁଙ୍ଗୁଡ଼ିର ଉତ୍ତରକୁ ଅପେକ୍ଷା ନ କରି ଜ୍ୟୋତିମାମୁ ଦୋକାନ ବାରଣ୍ଡାରୁ ପାହାଚ ଦେଇ ରାସ୍ତା ଉପରକୁ ଚାଲି ଯାଉଚନ୍ତି । ମିଳେଇ ଯାଉଚନ୍ତି ଲୋକଗହଳି ଭିତରେ । ଚୁଙ୍ଗୁଡ଼ି ଆଉ କିଛି କହୁ ନାହିଁ ।

 

ଜ୍ୟୋତିମାମୁ ଚାଲିଗଲେଣି ।

 

ରାସ୍ତା ଉପରେ ଆଉ ତାଙ୍କର ଚିହ୍ନବର୍ଣ୍ଣ ନାହିଁ ।

 

ଭଲ । ସେ ହଜିଯାଆନ୍ତୁ । ମିଳେଇ ଯାଆନ୍ତୁ ।

 

ଚୁଙ୍ଗୁଡ଼ି ତାଙ୍କର ଅପରିଚିତ ହୋଇଯିବାକୁ ଚାହେଁ । ତାଙ୍କଠାରୁ ସେ ଆଉ କିଛି ଆଶା ରଖି ନାହିଁ ।

 

ଜ୍ୟୋତିମାମୁ ଚାଲିଗଲା ପରେ ଚୁଙ୍ଗୁଡ଼ି ନିଜ ଗହଣାତକ ବିକ୍ରି କରିଦେଇ ଘରକୁ ଫେରିଲା ।

 

ରାତିରେ ସେଦିନ ଶୋଇ ଶୋଇ ଅନେକ ବେଳ ପର୍ଯ୍ୟନ୍ତ ଭାବିହେଲା ନିଜର ହଜି ଯାଇଥିବା ଅତୀତକୁ ।

 

ନିଜର ମନେ ହୋଇଥିବା ଲୋକଗୁଡ଼ାକ ପର ହୋଇଗଲେ ଭଲ ଲାଗେ ନାହିଁ । ତଥାପି ସମୟେ ସମୟେ ନିରୁପାୟ ହୋଇଯିବାକୁ ହୋଇଯାଏ । ସମୟହିଁ ଏଥିପାଇଁ ଦାୟୀ ।

 

ଚିନୁଅପା ଭଲ ପାଉଥିଲା ଜ୍ୟୋତିମାମୁଙ୍କୁ । ନିଜର ଭାବୁଥିଲା । ଭାବୁଥିଲା, ତାଙ୍କୁ ପାଇଲେ ସେ ସବୁଠାରୁ ଖୁସିହବ । ଜ୍ୟୋତିମାମୁ ତା’ଠୁ ଅଧିକ ସୁଖୀହେବେ ମନେକରି ତାକୁ ଛାଡ଼ି ଆଉଜଣକୁ ବାହାହେଲେ । ଚିନୁଅପାକୁ ପର କରିଦେଲେ । ଚିନୁଅପା ସେଇଥିପାଇଁ ମରିଗଲା ।

 

କିନ୍ତୁ ଆଜି ଚୁଙ୍ଗୁଡ଼ି ବୁଝିଲା, ଜ୍ୟୋତିମାମୁ ମଧ୍ୟ ସୁଖୀ ହୋଇ ନାହିଁ । ସ୍ତ୍ରୀ କାନରୁ ଫୁଲଦି’ଟା ବଜାରରୁ ବିକ୍ରି କରିବାକୁ ଆଣିଥିବା ଲୋକକୁ ଚୁଙ୍ଗୁଡ଼ି କଦାପି ସୁଖୀ କହିପାରିବ ନାହିଁ ।

 

ଚୁଙ୍ଗୁଡ଼ି ପଇସାକୁ ଆଗରୁ ବିଶ୍ୱାସ କରୁ ନଥିଲା ।

 

ଏ ବିଶ୍ୱାସ ତା’ ଛାତିଭିତରେ ସୃଷ୍ଟି କରିଚନ୍ତି ଦୁଇଜଣ ।

 

ଜଣେ ଜ୍ୟୋତିମାମୁ ଚିନୁଅପାର ଶୁଦ୍ଧ ପବିତ୍ର ପ୍ରଣୟକୁ ବେଖାତିର କରି ଯୌତୁକ ଲୋଭରେ ଅନ୍ୟ ଝିଅକୁ ସ୍ତ୍ରୀ କରି ଆଣିଲା ।

 

ଶାଶ୍ୱତ ଚୁଙ୍ଗୁଡ଼ି ଠାରୁ ସବୁ ପାଇବାର ପ୍ରତିଶ୍ରୁତି ପାଇଥିଲେବି ସେଇ ଅର୍ଥର ମମତାରେ ଅନ୍ଧ ହୋଇ ମାନବିକତା ହରେଇ ପଶୁ ହୋଇଯାଇଥିଲା ।

 

ଅର୍ଥ ପାଖରେ ଚିନୁଅପା ପରି ଅନେକଙ୍କର ପ୍ରେମ, ଚୁଙ୍ଗୁଡ଼ି ପରି ଅନେକଙ୍କର ରୂପ-ଗୁଣ ମୂଲ୍ୟହୀନ ।

 

ଖାଲି ମୁହଁକୁ ଚାହିଁଦେଲେ, ଆଖିରେ ଆଖିରେ ଆଖି ମିଶେଇ ଦେଲେ ଯଦି ସବୁକଥା, ଅନ୍ତର ତଳର ସବୁ ଭାବନାର ଆଦାନ–ପ୍ରଦାନ ସମ୍ଭବ ହୋଇପାରୁଥାନ୍ତା, ତେବେ ଗୋଟିଏ ହୃଦୟ ଆଉ ଗୋଟିଏ ହୃଦୟର ଆକୁଳତା ବୁଝିବାପାଇଁ କିଛି ଅସୁବିଧା ନ ଥାନ୍ତା ।

 

ନିତି ଦେଖାହୁଏ, ହଁ ଦେଖାହୁଏ, ଆଉ କିଛି ନୁହେଁ ।

 

ତଥାପି ସେତିକିରେ ତପନ ପା’ନ୍ତି ଅଶେଷ ସାନ୍ତ୍ୱନା ।

 

ପ୍ରିୟ ମଣିଷଟିକୁ ନିକଟରେ ଦେଖି ପାରିବାରେବି ସାନ୍ତ୍ୱନା ଅନେକ ଅପରିସୀମ ।

 

ଚୁଙ୍ଗୁଡ଼ି କିନ୍ତୁ ଏକଥା ବିଶ୍ୱାସ କରେ ନାହିଁ ।

 

ତପନ ଦିନେ ତା’ର ସବୁଠୁ ପ୍ରିୟ ମଣିଷ ଥିଲା । ସେ ତାକୁ ସ୍ନେହ କରୁଥିଲା, ତାକୁ ଆଦର କରୁଥିଲା । ନିହାତ ଆବିଳତାହୀନ ଭଲ ପାଇବା ଥିଲା ସେମାନଙ୍କ ଭିତରେ । ଆଜି ସେହି ଲୋକଟା ତାକୁ ଦେଖି ନ ଦେଖିଲା ପରି ରହୁଚି । ଚିହ୍ନି, ନ ଚିହ୍ନିଲା ପରି ବ୍ୟବହାର ଦେଖାଉଚି ।

 

ଚୁଙ୍ଗୁଡ଼ି ଆଜି ଆଉ ଅଧିକ କିଛି ଆଶା କରୁନି ତପନଠାରୁ । ସେମାନଙ୍କ ଭିତରେ ଅତୀତରେ ରାଜୁତି କରୁଥିବା ସମ୍ପର୍କ ପ୍ରଣୟ କି ନୁହେଁ ସେ କଥା ବୁଝିନାହିଁ ଚୁଙ୍ଗୁଡ଼ି । ଆଜି ମଧ୍ୟ ବୁଝୁନାହିଁ । ଛ’ସାତବର୍ଷ ବୟସରେ ଅବୁଝା କିଶୋର କିଶୋରୀ ଦୁଇଟି ମଧ୍ୟରେ ନିବିଡ଼ ବନ୍ଧୁତ୍ୱର ଅଶେଷ ଭଲପାଇବାର ଯେଉଁ ସ୍ରୋତ ପ୍ରବାହିତ ହୁଏ ତାକୁ କ’ଣ ପ୍ରଣୟର ସ୍ରୋତସ୍ୱିନୀ କହିହୁଏ ?

 

ସେହି ଅବୁଝା କିଶୋର ବୟସରେ ଯେଉଁ ମତାନ୍ତର ସୃଷ୍ଟି ହୁଏ ତାକୁ କ’ଣ ମନାନ୍ତର କହିହୁଏ ?

 

ତାହାହେଲେ ତପନ ସେହି କଥାକୁ ଏମିତି ଗୁରୁତ୍ୱ ଦେଇ ବସିଚି କାହିଁକି ?

 

ତପନର ତା’ ସହ ଏତେ ପିଲାବେଳୁ ବନ୍ଧୁତ୍ୱ ଥିଲା ।

 

ତପନ କାନ୍ଧରେ ହାତ ଛନ୍ଦି ଚୁଙ୍ଗୁଡ଼ି ଗପ କହୁଥିଲା । ତପନ କହୁଥିଲା ଚୁଙ୍ଗୁଡ଼ିକୁ । କ୍ଲାସ୍‍ରୁ ଖସିଆସି ଲୁଚିଲୁଚି ସେମାନେ ଇଟିକିଲି ମିଟିକିଲି ଖେଳିଚନ୍ତି । ଭାରି ଭଲଥିଲା ସେ ଦିନଗୁଡ଼ାକ ! କିଏ କ’ଣ ପଦେ କହିଦେଲେ ନୂଆ ବହିଖଣ୍ଡେ ବା ପେନ୍‌ସିଲ୍ ଟାଏ ପାଇଲେ, ସେକଥା ତପନ କାନରେ ନ କହିଲେ ଚୁଙ୍ଗୁଡ଼ିକୁ ତର ମିଳୁ ନଥିଲା । ତାକୁ କିଛି ଭଲ ଲାଗୁ ନଥିଲା-

 

ତପନ ବଡ଼ଲୋକ ! ତପନ ଆହୁରି ବଡ଼ବଡ଼ ହୋଇଯାଇଚି । ଗରିବ ଚୁଙ୍ଗୁଡ଼ି ସମସ୍ତଙ୍କ ପାଖରେ ଧନୀ ହୋଇଥିଲେବି ତପନ ପାଖରେ ଆହୁରି ଦୀନହୀନ ହୋଇଯାଇଚି ।

 

ତପନ ତା’ର ମାଲିକ । ତା’ର ଆଦେଶକର୍ତ୍ତା ।

 

ଚୁଙ୍ଗୁଡ଼ି ତା’ଠୁ ଆଉ କ’ଣ ସେହି କିଶୋର ବୟସର ଚପଳତା ବ୍ୟବହାର ଆଶା କରିବା ଉଚିତ ? ଚୁଙ୍ଗୁଡ଼ି ସେ କଥା ଚାହିଁ ନାହିଁ ।

 

ତେବେ ତପନ ତାକୁ ପୂର୍ବପରି ତୁ’ କହିବାରେ ତ କିଛି ବାଧା ନାହିଁ । ଚୈତାଳି ନ ଡାକି ଚୁଙ୍ଗୁଡ଼ି ବୋଲି ତ ଡାକିପାରନ୍ତେ ! ଚୁଙ୍ଗୁଡ଼ି ମନକୁ ମନ ହସି ପକେଇଲା ତା’ ନିଜକଥା ମନେକରି ତପନକୁ ଆପଣ ସମ୍ବୋଧନ ନ କଲାବେଳେ ମଧ୍ୟ ତା’ର ତଣ୍ଟି ଅଠା ଅଠା ହୋଇଯାଉଚି ।

 

ଚୁଙ୍ଗୁଡ଼ି କେତେଥର ଭାବିଚି, କେହି ଚପରାସି, ନଥିଲାବେଳେ ତପନର ଚେମ୍ବରରେ ପଶି ତପନ ପାଖକୁ ଲାଗି ଠିଆହବ । ତା’ ଆଖିକୁ ପଛପଟୁ ଛକି ଛକି ଯାଇ ଚାପି ଧରିବ ନ’ ବର୍ଷିଆ ଦୁଷ୍ଟ ଝିଅଟିଏ ହୋଇଯାଇ । ପଚାରିବ, ‘‘କିଏ କହିଲୁ ଦେଖି !’’ ନ ହେଲେ କାନ ଧରି ପଚାରିବ, ‘ଏବେ ଅଙ୍କଖାତା ଦରକାର ହଉନି ପରା !

 

କିଛି କହିପାରେନି ସେ । ତପନର ଗମ୍ଭୀର ଥମଥମ ମୁହଁ, ଜଳିଲା ଜଳିଲା ଆଖି, ନିଥର ଓଠ ଦେଖି ସେ ସବୁ କିଛି କହିପାରେ ନାହିଁ ଚୁଙ୍ଗୁଡ଼ି । କହିବାପାଇଁ ସାହସ ସଞ୍ଚୟ କରିପାରେ ନାହିଁ ।

 

ଗଦାଗଦା କାମ । ଅନେକ ଦାୟିତ୍ୱ, ବହୁତ ପରିଶ୍ରମ ।

 

ତରୁଣବାବୁ ଠିକ୍‌ କହୁଥିଲେ ।

 

ନାଳକଡ଼ର ସେହି ସୁନ୍ଦର ଘରଟା କିଣିସାରିଲାପରେ, ଚୁଙ୍ଗୁଡ଼ିର ଜୀବନଯାତ୍ରା କେମିତି ସମତଳ ହୋଇଯାଇଚି । ଛନ୍ଦପାଦରେ ଜୀବନ ନାହିଁ । ନୂତନତ୍ୱର ଗନ୍ଧ ନାହିଁ । ଖାଲି ରୁଚିହୀନତାର ନିରୁଭେଜକ ବାୟୁମଣ୍ଡଳ ତାକୁ ଅଣନିଃଶ୍ୱାସୀ କରିଦଉଚି । ନାଳ କଡ଼କୁ ସେଇ ସୁନ୍ଦର ଘରଟା– । ଚିକ୍‌ଚିକ୍‌, ଉଜ୍ଜ୍ୱଳ ଆକାଶୀ ରଙ୍ଗର । ମାଲିକଙ୍କ ସହିତ ଲାଗିଲାଗି ଘରଟା ନିଜର କରିନେଲା । ଏଇଟା ଥିଲା ତା’ର କୋଉ ପୁରୁଣା ଦିନର ସ୍ୱପ୍ନ । ଏଇ ଘରଟା ତିଆରି ହେବାଦିନରୁ ଚୁଙ୍ଗୁଡ଼ି ଦେଖିଆସିଚି ।

 

ସେହି ବାଟଦେଇ ସ୍କୁଲ୍‍ଗଲାବେଳେ, ସେହିଘର ଆଗରେ ତା’ର ଚଞ୍ଚଳ ପାଦଦି’ଟା ଆପେଆପେ ସ୍ଥିର ହୋଇଯାଉଥିଲେ । ଘର ଆଗରେ ସୁନ୍ଦର ଫୁଲ ବଗିଚା । ଚୁଙ୍ଗୁଡ଼ି ଘରଟାକୁ ନିରେଖି ନିରେଖି ଅନେକ କଥା ଭାବିଚାଲେ । କଳ୍ପନାର ବିଚିତ୍ର ଜାଲ ବୁଣି ସେଥିରେ ନିଜ ଗୋଡ଼ ଛନ୍ଦିପଡ଼େ । ତାଙ୍କର ଏମିତି ଗୋଟେ ଘର ଥା’ନ୍ତା ! କେତେ ଖୁସି ନ ହୁଅନ୍ତା ଚୁଙ୍ଗୁଡ଼ି !

 

ଆଜି ସେଇ ଘରଟା ଚୁଙ୍ଗୁଡ଼ିର ହୋଇ ଯାଇଚି ।

 

ଇରା ଚିଠି ଲେଖୁଚି । ଅନେକ କଥା । ୟାଡ଼ୁସାଡ଼ୁ, ସମସ୍ତଙ୍କ କଥା । ନିତ୍ୟାନନ୍ଦବାବୁଙ୍କର ପୁଅର ସ୍ୱାସ୍ଥ୍ୟକଥା, ମିସ୍ ଅରୁଣାର କୋଉ ପଞ୍ଜାବୀ ଟୋକା ସହିତ ଗୁପ୍ତ ସମ୍ପର୍କ କଥା, ଆହୁରି ଅନେକ କଥା ।

 

ନିୟମରେ ନ ହେଲେବି ଚିଠି ଦିଏ ସିକୁ । ବାପାଙ୍କ ଦେହ ଭଲ ରହୁନି । ଘର ଭଲ ଲାଗୁନି । ଭାରି ନିଛାଟିଆ ।

 

ଚୁଙ୍ଗୁଡ଼ି ହସେ ମନେମନେ । ଆଉ କେଇଟା ଦିନ ଭିତରେ ତାଙ୍କର ନିଛାଟିଆ ଘରଟା ମୁଖରତାରେ ଫାଟିପଡ଼ିବ । ସୁମଧୁର ମୁଖରତାରେ ରଙ୍ଗୀନ ହୋଇଉଠିବ । ଏଇକଥା ଭାବି ଭାବି ମନକୁ ମନ ହସେ ଚୁଙ୍ଗୁଡ଼ି । ତା’ ଓଠରେ ହରଷର ବିଜୁଳି ଚମକେ ।

 

ସବୁକଥା କହିହୁଏ ନାହିଁ । ଭାବି ହୁଏ । ସବୁକଥା ଦେଖେଇ ହୁଏ ନାହିଁ, ଯୁକ୍ତିକରି ପ୍ରମାଣ କରାଯାଇପାରେ ନାହିଁ ।

 

ଅନୁଭବ ଦେଇ ବୁଝିବାକୁ ହୁଏ ।

 

ତାଙ୍କର ଚୁଙ୍ଗୁଡ଼ି ସହିତ ସ୍ୱତଃସ୍ଫୂର୍ତ୍ତ ସମ୍ପର୍କ ।

 

ତାଙ୍କର ଚୁଙ୍ଗୁଡ଼ି ସହିତ ଏତେ ନିବିଡ଼ ବୁଝାମଣା ଥିଲା, ଅଚ୍ଛେଦ୍ୟ ବନ୍ଧୁତା ଥିଲା, ଅନ୍ତରଙ୍ଗ ମମତା ଥିଲା । ସେ କ’ଣ ସେ କଥା ଭୁଲିଯାଇଚି ?

 

ଚୁଙ୍ଗୁଡ଼ି ତାଙ୍କର ଏତେ ଆପଣାର ଥିଲା, ଏତେ ନିକଟର ଥିଲା, ସେ କଥା କ’ଣ କିଛି ମନେପଡ଼େ ନାହିଁ ତା’ର ?

 

ତପନ ବୁଝିପାରନ୍ତି ନାହିଁ ଚୁଙ୍ଗୁଡ଼ିକୁ । ଚୁଙ୍ଗୁଡ଼ି ତାଙ୍କ ଉପରେ ରାଗିଚି ? ଅଭିମାନ କରିଚି-?

 

ପିଲାଟି ଦିନରୁ ଭାରି ଖୁମାଣି ଅଭିମାନୀ ଏଇ ଝିଅଟା । ନିମିଷକର ଭୁଲ୍ ବୁଝାମଣାକୁ ସେ ହୁଏତ ଗଣ୍ଠିକରି ବସିଚି । ନ ହେଲେ ସେ କ’ଣ କରିଛି କହନ୍ତା ନାହିଁ ତାକୁ ?

 

ତାକୁ ଦେଖିଲେ, ଇଚ୍ଛାହୁଏ ନିକଟରେ ବସେଇ ସେଇ ପୁରୁଣା କଥାଗୁଡ଼ାକ ଗପିଯିବାକୁ-

 

ଚୁଙ୍ଗୁଡ଼ିର ଉଦାସୀ ମୁହଁ ସେ କେବେ ସହିପାରନ୍ତି ନାହିଁ । ଆଜି ସେଇ ମୁହଁ ତାଙ୍କ ଛାତିତଳେ ବେଦନାର ଅସରନ୍ତି ବୋଝ ଲଦିଦିଏ । ଆଗ ଆଖିରୁ ତା’ର ଲୁହ ପୋଛିଦେଇ ପାରୁଥିଲେ ସେ । ଆଜି କିଛି ଉପାୟ ନାହିଁ ।

 

ଚୁଙ୍ଗୁଡ଼ି ତାଙ୍କର ଏତେ ନିକଟର ଥିଲା ।

 

ଆଜିବି ନିକଟରେ ଅଛି । କିନ୍ତୁ ମନେହୁଏ ସେ ଯେପରି ତାଙ୍କଠାରୁ ଯୋଜନ ଯୋଜନ ଦୂରରେ । ସେ ଯେମିତି ଦୂର ଆକାଶର ଜହ୍ନ ଉପରେ ବସି ବୁଲୁଚି । ତା’ର ଛାଇକୁ ପୋଖରୀ ଜଳରେ ଦେଖି ତପନ କଳି ନଉଚନ୍ତି ତା’ର ଉପମାହୀନ ସ୍ନିଗ୍‌ଧତାକୁ, ଅପରୂପା ଔଜଲ୍ୟକୁ, ଶୀତଳତାକୁ । ଦୂରରେ ରହି ସେ ତାଙ୍କୁ ମୁଗ୍ଧ କରୁଚି, ସମ୍ମୋହିତ କରୁଚି । ତପନ ଭାବୁଚନ୍ତି, ଚୁଙ୍ଗୁଡ଼ି ତାଙ୍କୁ ଭୁଲିଯାଇଚି । ତା’ର କୈଶୋରର ଚପଳଛନ୍ଦା ଛୋଟବଡ଼ ସ୍ମୃତିର ଶାମୁକାକୁ ସେ ତୋର ଛିଣ୍ଡା ଅଣ୍ଟିରେ ରଖି କୋଉଠି ହଜେଇ ଦେଇଚି ।

 

କିନ୍ତୁ କୈଶୋରକୁ ଯେଉଁ କେତେ ଜଣ ନିର୍ବୋଧତା ବୋଲି ଭାବନ୍ତି ସେମାନଙ୍କ ମଧ୍ୟରେ ତପନଙ୍କର ନାମ ନାହିଁ ।

 

ଚୁଙ୍ଗୁଡ଼ିକୁ ଯେ ସେ ସେଦିନ ହିସାବନିକାଶ କରି ଲାଭକ୍ଷତିର ଫର୍ଦ୍ଦ ପ୍ରସ୍ତୁତ କରି ଭଲ ପାଇଥିଲେ ସେକଥା ନୁହେଁ । ମାତ୍ର ସେ ଭଲ ପାଇବାରେ ଦୃଢ଼ତା ଥିଲା, ସ୍ଥିରତା ଥିଲା । ସେଥିରେ ଚିରନ୍ତନତାର ସ୍ୱପ୍ନ ଦେଖୁଥିଲେ ତପନ । ଚୁଙ୍ଗୁଡ଼ିଟା ନିହାତ ବୋକୀ, ପିଲାଳିଆ । ସେ କିଛି ବୁଝିପାରି ନଥିଲା ସେଦିନ । ଆଉ, ଆଜିବି ଯଦି ତପନଙ୍କର ଅନ୍ତରର ଆନ୍ଦୋଳନକୁ କିଛି ଅନୁଭବ କରିପାରୁ ନାହିଁ, ତାକୁ ବା ସେ କେମିତି ଦୋଷ ଦେଇପାରିବେ ?

 

ଚୁଙ୍ଗୁଡ଼ି ତାଙ୍କୁ ଅପରିଚିତା ପରି ବ୍ୟବହାର ଦେଖାଉଚି । ସାଧାରଣ ଅଧସ୍ତନ କର୍ମଚାରିଣୀଟି ଏ ହୋଇ ନିରବରେ କରିଯାଉଚି ତାଙ୍କର ସବୁକାମ । ସେ ବୁଝେ ନାହିଁ ତପନକୁ । ସେଥିପାଇଁ ତପନ ନିଜ ଅନ୍ତରର ଅନ୍ତରତମ ପ୍ରଦେଶର କୋମଳତା ଟିକକ ଢାଙ୍କି ରଖି ଚୁଙ୍ଗୁଡ଼ି ଉପରେ ଶାସନ ଜାହିର କରନ୍ତି ।

 

ହେଡ଼୍‌ ଅଫିସ୍‍କୁ ଆସିଲା ଦିନରୁ ଚୁଙ୍ଗୁଡ଼ି ଆଠ ଦଶ ଥର ଛୁଟିପାଇଁ ଆବେଦନ କରିଚି । ମାତ୍ର କୋଉଥର ହେଲେ ତା’ର ଛୁଟି ମଞ୍ଜୁର ହୋଇପାରି ନାହିଁ । ନିହାତ ନିଷ୍ଠୁର ଭାବରେ ଚୁଙ୍ଗୁଡ଼ିକୁ ଆଘାତ ପରେ ଆଘାତ କରି ଚାଲିଚନ୍ତି ତପନ ।

 

ପ୍ରଚୁର କାମ । ଟିକେ କେତେବେଳେ ଫୁରୁସତ୍‍ବି ମିଳେନି । ଅଫିସ୍‍ର ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଆହୁରି ଅପେକ୍ଷା କରିବାକୁ ହୁଏ । ଅନେକ ଚିଠି ଡ୍ରାଫ୍‌ଟ୍‌ ନେବାକୁ ହୁଏ । ସବୁ ବ୍ରାଞ୍ଚଅଫିସ୍ ପାଇଁ ଆରେଞ୍ଜମେଣ୍ଟ କରିବା ଦାୟିତ୍ୱବି ତା’ରି ଉପରେ ।

 

ତପନ ନାମକୁ ମାତ୍ର ମାଲିକ । ସବୁ ଦାୟିତ୍ୱ କିନ୍ତୁ ଚୁଙ୍ଗୁଡ଼ି ଉପରେ ।

 

କ୍ଳାନ୍ତି, ଅସୁସ୍ଥତା, ମାନସିକ ଅସ୍ଥିରତା, କୋଉଥିର ହେଲେ ମୂଲ୍ୟ ଦିଅନ୍ତି ନାହିଁ ତପନ । ଚୁଙ୍ଗୁଡ଼ିର ମନ ବିଷାକ୍ତ ହୋଇଯାଏ ।

 

ତପନ କ’ଣ ଭୁଲିଗଲେ ଚୁଙ୍ଗୁଡ଼ି ତା’ ନିଜ ଘରକୁ, ତା’ ବାପାଙ୍କୁ ତା’ ପ୍ରାଣର ସିକୁକୁ କେତେ ଭଲପାଏ !!

 

ଏଥର ଚୁଙ୍ଗୁଡ଼ି ସ୍ଥିର ହୋଇ ରହିପାରିଲା ନାହିଁ । ସହିପାରିଲା ନାହିଁ ତପନର ଉପେକ୍ଷା ।

 

ବାପା ତା’ର ସିରିଅସ । ଟେଲିଗ୍ରାମ୍ ମିଳିଚି ସିକୁଠାରୁ ।

 

ଚୁଙ୍ଗୁଡ଼ିକୁ ଯିବାକୁ ହବ । କୌଣସିମତେ ନ ଯାଇ ରହିପାରିବ ନାହିଁ ସେ । ତପନ ତା’ର ଛୁଟି ଦରଖାସ୍ତ ନାମଞ୍ଜୁର କରିଦେଇଚନ୍ତି ।

 

ଚୁଙ୍ଗୁଡ଼ି ହାତରେ ଟେଲିଗ୍ରାମ୍‍ଟା ଧରି ପୁଣିଥରେ ଚାହିଁଲା ତପନଙ୍କର ଚେମ୍ବର ଭିତରକୁ-। ଆଖି ବୁଜି ଚଉକିରେ ଆଉଜି ବସିଥିଲେ ତପନ ।

 

ସାର୍‌ !

 

ଚମକି ଚାହିଁଲେ ତପନ । ଚୁଙ୍ଗୁଡ଼ି ।

 

ଟେଲିଗ୍ରାମ୍‍ଟା ଟେବ୍ଲ ଉପରେ ଦେଖେଇ ଧରିଚି ଚୁଙ୍ଗୁଡ଼ି । ତପନ ଦେଖୁଚନ୍ତି । ଦେଖୁଚନ୍ତି ଚୁଙ୍ଗୁଡ଼ିର ମୁହଁକୁ । ଚୁଙ୍ଗୁଡ଼ି ମୁହଁ ତଳକୁ କରି ଛିଡ଼ାହୋଇଚି । ବଜ୍ର ବିଦ୍ୟୁତ ନ ଥାଇ ତା’ ଆଖି କୋଣରୁ ଝରିଯାଉଚି ଲୁହର ଅସରା ଅସରା ସୁଅ ।

 

ତପନ ଦେଖୁଚନ୍ତି ସେ ଲୁହକୁ । ସେ ଲୁହର ଟୋପାସବୁ କ୍ରମଶଃ ନଈ ହୋଇ ବହି ଯାଉଚନ୍ତି । ସେହି ନଈ ପୁଣି ମିଶିଯାଉଚି ଅଶାନ୍ତ ଏକ ଅନ୍ତର ସାଗର ଦେହରେ । ସେ ସାଗରର ଫେନଚୂଡ଼ ବିଚ୍‍ମାଳା ଦେହରେ ଗୋଟିଏ ସାନ ହୁଲି ଡଙ୍ଗା ଉପରେ ଦିଓଟି ପିଲା । ପୁଅଟିକୁ ଏଗାରବର୍ଷ ଝିଅଟି ଆଠବର୍ଷର । ଜଣେ କାନ୍ଦୁଚି । ଅନ୍ୟ ଜଣକ ଲୁହ ପୋଛିଦଉଚି ତା’ ଆଖିରୁ ।

 

ତପନ ଏକ ବିଚିତ୍ର ଆବେଗରେ ନିଜ ଅଜାଣତରେ ସିଟ୍‌ ଛାଡ଼ି ଛିଡ଼ା ହୋଇ ପଡ଼ୁଚନ୍ତି ।

 

ପୁଣି ପର ମୁହୂର୍ତ୍ତରେ ନିଜକୁ କଠିନ କରି ନଉଚନ୍ତି ସେ । ନିଜ ଆଖିର ସଜଳତାକୁ ପ୍ରଚ୍ଛନ୍ନ ରଖି ତପନ ଶେଷ ନିଷ୍ପତ୍ତି ଜଣେଇ ଦଉଚନ୍ତି, ଏବେ ଛୁଟିଦବା ନିହାତ ଅସମ୍ଭବ । କେଇଟା ନୂତନ ପ୍ଲାନ୍ ସଂକ୍ରାନ୍ତୀୟ ଅନେକ କାମ ବାକି ରହିଚି ଯେଉଁଗୁଡ଼ାକ ନିତାନ୍ତ ଜରୁରୀ ଆଉ ଶୀଘ୍ର ମଧ୍ୟ ସାରିବାକୁ ହବ ।

 

ଚୁଙ୍ଗୁଡ଼ି ଗଭୀର ଦୁଃଖରେ ଭାଙ୍ଗି ପଡ଼ୁ ପଡ଼ୁ କୋଠରୀରୁ ବାହାରି ଗଲା ।

 

ତପନ ନିଜ ଚିନ୍ତାରେ ବୁଡ଼ିଗଲେ । ଚୁଙ୍ଗୁଡ଼ି ତାଙ୍କ ଆଖିରୁ ଲୁଚିଗଲେ ତାଙ୍କର ନିଜକଥା ମନେପଡ଼େ ।

 

ମାଟ୍ରିକ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାସ୍‍କଲା ପରେ ଚୁଙ୍ଗୁଡ଼ି ତାଙ୍କୁ ଥଟ୍ଟା କରିଥିଲା । ତପନ ପ୍ରଥମରୁହିଁ ଏଇ ଆଶଙ୍କା କରିଥିଲେ । ଚୁଙ୍ଗୁଡ଼ି ପ୍ରତିଭାମୟୀ ଛାତ୍ରୀ । ନିଜକୁ ନେଇ ଗର୍ବକଲାପରି ଅନେକ କଥା ଭଗବାନ ତାକୁ ଦେଇଚନ୍ତି । ତପନର ନିଜକୁ ନେଇ ଗର୍ବ କଲାପରି କିଛି ନାହିଁ । ଚୁଙ୍ଗୁଡ଼ିପରି ଆଦର୍ଶବାଦୀ ଦୃଢ଼ମନା ଝିଅ ପାଖରେ ବାପାର ଐଶ୍ୱର୍ଯ୍ୟ ନେଇ ଠିଆ ହେବାର ସାହସ ନଥିଲା ତାଙ୍କର ।

 

ମାଟ୍ରିକ ପଢ଼ାପରେ ବାପାଙ୍କର ବିଜିନେସ୍‍ରେ ମିଶିବାକୁ ବାପା ତାଙ୍କୁ ପ୍ରବର୍ତ୍ତାଇଥିଲେ । ଉପଦେଶ ଦେଇଥିଲେ, ପରାମର୍ଶ ଦେଇଥିଲେ । କିନ୍ତୁ ତାଙ୍କର ଜିଦ୍‌ ଅନ୍ୟ ପ୍ରକାରର । ଜାପାନରେ ଟ୍ରେନିଙ୍ଗ୍ ନେଇ ଟେକନିକାଲ ଏଣ୍ଟରପ୍ରାନେଟ ହୋଇ ଫେରିଲେ । ତା’ପରେ ବାପାଙ୍କର ଇଣ୍ଡଷ୍ଟ୍ରିରେ କେତୋଟି ନୂଆ ସେକ୍‌ସନ ଆଉ ଡିପାଟ୍‍ମେଣ୍ଟ ଖୋଲି ସବୁ ଇଣ୍ଡଷ୍ଟ୍ରି ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର୍ ବନିଗଲେ !

 

ତାଙ୍କର ଏ ସଫଳତା ପଛରେ ସେହି ଗମ୍ଭୀର ନୀଳ ଆଖି ଦୁଇଟାର ଭୂମିକା କିଛି କମ୍ ନୁହେଁ । ସେହି ଜ୍ୱାଳାମୟୀ ଚପଳ ଛନ୍ଦାଟିର ନିରବ ପ୍ରେରଣା କିଛି କମ୍‌ ନୁହେଁ । ତାକୁ ତପନ ଅନୁଭବ କରିଚନ୍ତି, ସ୍ୱୀକାର କରୁଚନ୍ତି ।

 

ତପନ ଚୁଙ୍ଗୁଡ଼ି ନିକଟରେ ବେଶି ଗମ୍ଭୀର ହୁଅନ୍ତି । ନିଜକୁ ବେଶି ଦୃଢ଼ କରନ୍ତି । ହିସାବ କରି କଥା କୁହନ୍ତି । ତାଙ୍କର ନରମି ଯାଉଥିବା ବ୍ୟକ୍ତିତ୍ୱକୁ ସଂଯମତାର ଚରମ ସୀମାରେ ରଖନ୍ତି ।

 

ସେ ତା’ ନିକଟରେ କଦାପି ନିଜର ଦୁର୍ବଳତା ଦେଖାଇବେ ନାହିଁ । ଆତ୍ମାଭିମାନୀ ଚୁଙ୍ଗୁଡ଼ି ତାକୁ ଅପମାନିତ କରିପାରେ । ବେଶି କଠିନ ନ ହେଲେ ହୁଏତ ତାଙ୍କର ଦୁର୍ବଳତା ଧରାପଡ଼ିଯାଇପାରେ ।

 

ତପନ ଏକଥା ଭାବି ନଥିଲେ ।

 

ଏମିତି ଯେ ଘଟିଯିବ, କଳ୍ପନା ସୁଦ୍ଧା କରି ନଥିଲେ ।

 

ଖବରଟା ଶୁଣି କ୍ଷଣକପାଇଁ ସ୍ତବ୍ଧ ହୋଇଗଲେ ସେ । ଚୁଙ୍ଗୁଡ଼ିପାଇଁ ଅନ୍ତର ତାଙ୍କର ଆକୁଳତାରେ ଭରିଗଲା ।

 

ଚୁଙ୍ଗୁଡ଼ିର ବାପା ମରିଗଲେ ।

 

ଚୁଙ୍ଗୁଡ଼ି ଗାଁକୁ ଯାଇ ଫେରି ଆସିଲା ।

 

ପୁଣି କାମରେ ଲାଗିଯାଇଚି । କିନ୍ତୁ ତା’ ମୁହଁ ଉପରେ ଲାଗିଥିବା ଆଭାଟିକକ ମଉଳି ଯାଇଚି । ଖୁବ୍‌ ଉଦାସୀ ଦିଶୁଚି ତା’ର ସୁନ୍ଦର ମୁହଁଟା ।

 

ଆଖିରୁ ତା’ର ଲୁହ ଝରୁ ନାହିଁ । ଆଖିକୋଣରୁ ଚିବୁକ ପର୍ଯ୍ୟନ୍ତ କେମିତି ଲୁହର ଦାଗ ରହିଯାଇଚି । ତପନ ଦେଖନ୍ତି, କିଛି କହିପାରନ୍ତି ନାହିଁ ।

 

ଇଚ୍ଛାହୁଏ ମୁଣ୍ଡରେ ହାତ ସାଉଁଳେଇ ଆଖି ପୋଛି ଦବାକୁ । ତା’ ପିଠିରେ ପାପୁଲି ଥାପି ଯୁଗଯୁଗର ସାନ୍ତ୍ୱନା ବାଣୀ ଶୁଣେଇବାକୁ ତା’ର ଅସହାୟତାକୁ ଦୂରକୁ ଠେଲିଦେଇ ତା’ର ଏକାନ୍ତ ଆପଣାର ମଣିଷଟି ହୋଇଯାଇ ତା’ର ସେହି ଉଦାସୀ ଶୁଖିଲା ଆଉ ନିଷ୍କମ୍ପ ଓଠ ଉପରେ–

 

ସାହସ ହୁଏ ନାହିଁ । ଦର୍ପିତ ବ୍ୟକ୍ତିତ୍ୱ ତାଙ୍କର ବାଧାଦିଏ । ଚୁଙ୍ଗୁଡ଼ିକୁ ଦେଖିଲେ ଦୁଃଖହୁଏ । କେମିତି ହଠାତ୍‌ ବଦଳି ଯାଇଚି । ତା’ ଶୂନ୍ୟ ଜୀବନ ଉପରେ ପୁଣି ଏକ ସର୍ବହୀନତାର ଭୂମିକମ୍ପ ହୋଇଯାଇଚି ଯେମିତି । ତପନ ସବୁ ବୁଝନ୍ତି । ଅନୁଭବ କରନ୍ତି ତା’ର ସବୁ ବେଦନାକୁ ।

 

ଚୁଙ୍ଗୁଡ଼ି ତା’ ବାପାଙ୍କୁ ଶେଷ ଦେଖା କରିପାରିଲା ନାହିଁ । ତପନଙ୍କ ପାଖରେ ସେ କେତେ କାକୁତି ମିନତି ହୋଇଚି । ତପନ କିଛି ଶୁଣି ନାହାନ୍ତି । ତାକୁ ଛୁଟି ମିଳି ନାହିଁ । ତପନ ନିଜକୁ ଦୋଷୀ ମନେକରନ୍ତି । ଚୁଙ୍ଗୁଡ଼ିର ଦୁଃଖପାଇଁ ନିଜକୁ ଦାୟୀ ମନେକରନ୍ତି ।

 

ତପନ ଅସୁସ୍ଥତାକୁ ମାନନ୍ତି ନାହିଁ । ଚୁଙ୍ଗୁଡ଼ି ଜାଣିଥିଲା, ତାକୁ ଛୁଟି ମିଳିବ ନାହିଁ । ଅଫିସ୍ କରିବାକୁହିଁ ହେବ । ସେଇଥିପାଇଁ କ୍ଳାନ୍ତ ଅବଶ ଅସୁସ୍ଥ ଦେହଟାକୁ ଘୋଷାରି ନେଇ ଅଫିସ୍ ଯାଇଥିଲା ଚୁଙ୍ଗୁଡ଼ି । ଛାତି ତଳେ ଅନେକ ଦୁଃଖରେ, ଜୀବନର ଗୋଟାଏ ବଡ଼ ଦୁର୍ଲ୍ଲଭ ପଦାର୍ଥକୁ ସବୁଦିନ ପାଇଁ ହରାଇଥିବାର ଯନ୍ତ୍ରଣାରେ ଝାଉଁଳି ଯାଇଥିବା ଗୋଟାଏ ମନ ।

 

କାଲିଠାରୁ ମୁଣ୍ଡଟା ଟଣ ଟ୍ଟଣ ହୋଇ ବିନ୍ଧୁଚି । ଦେହଟା କସ୍‌ମସ୍‌ ଲାଗୁଚି । ଗୋଡ଼ହାତ ଭୀଷଣ ବିନ୍ଧୁଚି । ପାଦ ଦରଜ ଲାଗୁଚି । ନିଜ ହାତ ପାପୁଲିକୁ ବେକରେ ଲଗେଇ ପରୀକ୍ଷାକଲା ସେ । ତା’ ଦେହରେ ତାତି ଅଛି, ଭୋକ ହେଉଚି, ଅଥଚ ସକାଳେ ରୋଷେଇ କରିବାକୁ ଇଚ୍ଛା ହେଲା ନାହିଁ ।

 

ତା’ ଜୀବନଟା ବାପାଙ୍କ ଅନୁପସ୍ଥିତିରେ କେମିତି ପାଣ୍ଡୁର ହୋଇଗଲା । କେମିତି ହାହାକାର କଲା ।

 

ପାଦ ଘୋଷାରି ଘୋଷାରି ଅଫିସ୍‍ରେ ପହଞ୍ଚିଲା ବେଳକୁ ଟେବ୍ଲ ଉପରେ ଗଦାଗଦା ଫାଇଲ୍ । ଚୁଙ୍ଗୁଡ଼ିର ମୁଣ୍ଡ ଚକ୍କର କାଟିଦେଲା । ଭାରି କ୍ଳାନ୍ତ ଲାଗିଚି, ଅବସନ୍ନ ଲାଗୁଚି । ମୋଟେ ଇଚ୍ଛା ହଉନି ସେଇ ବିରକ୍ତିକର ଠକ୍‌ ଠକ୍‌ ଶବ୍ଦ କରି ଟାଇପ୍ କରିବାକୁ । ଏତେ ପେଣ୍ଡିଂ କାମ ଦେଖିଲେ ମୁଣ୍ଡ ବେଶି ବେଶି ବିନ୍ଧୁଚି । ତପନ ପୁଣି ତା’ ଉପରେ ଗଦାଗଦା କାମ ଦେଇଯାଉଚନ୍ତି । ଫାଇଲ୍ ପଠେଇ ଦଉଚନ୍ତି । ଡ୍ରାଫ୍‌ଟ୍‌ ଡାକିବାକୁ ଡକେଇ ନଉଚନ୍ତି ତାଙ୍କରି ଟେବ୍ଲ ପାଖକୁ ।

 

ଡାକୁଚନ୍ତି ଅନର୍ଗଳ । ଚୁଙ୍ଗୁଡ଼ି ସେ ସବୁକୁ ଗାର, ବିନ୍ଦୁ ସିଧା ବଙ୍କା ରେଖା ଦେଇ ଠାର ମାରି ପେନ୍‍ସିଲ୍‍ରେ ଟିପି ନଉଚି । ତାଙ୍କର ଦଶପଦ କଥାକୁ ପଦକରେ ଟିପି ଦଉଚି । ଗଦାଗଦା ଟାଇପ୍ କରୁଚି । ଚପରାସି ହାତରେ ପଠେଇ ଦଉଚି ତପନ ପାଖୁ ।

 

ଆଉ ଅଳ୍ପ କେଇଟା ବାକି ଅଛି । ଚୁଙ୍ଗୁଡ଼ିର ହାତ ଆଉ ଚଳୁ ନାହିଁ । ଆପେଆପେ ଶିଥିଳ ହୋଇ ସ୍ଥିର ହୋଇଯାଉଚି । ଆଖିପତା ଆପେଆପେ ଯୋଡ଼ି ହୋଇ ଆସୁଚି । ଜର ବଢ଼ିଚି-। ଉପାସିଆ ପେଟରେ ବେଶି ଦୁର୍ବଳ ଲାଗୁଚି ତାକୁ । ଆଖିପତା ମୁଦି ହୋଇ ଆସୁଚି ଛାଏଁ ଛାଏଁ-। ଚୁଙ୍ଗୁଡ଼ି ଦୁଇ ପାପୁଲିରେ ଛକ ପକେଇ ସେଥିରେ କପାଳ ଥୋଇଦେଲା ।

 

ଉପରେ ଫ୍ୟାନ୍‍ଟା ଘୂରୁଚି ଫୁଲ୍‌ ସ୍ପିଡ଼୍‌ରେ ।

 

ସୁନ୍ଦର ଫୁଲ ବଗିଚାଟିଏ । ବଗିଚା ମଝିରେ ଟିକି ଝରଣାଟିଏ । ସେ ଝରଣାକୂଳରେ ଛୋଟ ଝୁମ୍ପୁଡ଼ି ଗଛମୂଳେ ବସିଚି ଚୁଙ୍ଗୁଡ଼ିର ବୋଉ । ଚୁଙ୍ଗୁଡ଼ି ତା’ର କୋଳରେ ମଥାରଖି ଶୋଇଯାଇଚି । ତା’ରି ଚୂଳ ଭିତରେ ତା’ ବୋଉର ଉଷୁମ ମମତାମୟୀ ପରଶ ।

 

ଚିତ୍କାର ଶୁଣି ଚମକି ଛିଡ଼ା ହୋଇପଡ଼ିଲା ଚୁଙ୍ଗୁଡ଼ି ।

 

ଆଗରେ ତା’ର ତପନ । ଆଖି ନାଲି ନାଲି ଚୁଙ୍ଗୁଡ଼ି ଉଦ୍ଦେଶ୍ୟରେ ଗର୍ଜି ଯାଉଚନ୍ତି । ହାତରେ ଧରିଥିବା ଦୁଇ ତିନିଟା କାଗଜକୁ ଚୁଙ୍ଗୁଡ଼ି ଉପରକୁ ଫୋପାଡ଼ି ଦେଇ ଚିତ୍କାର କରି ଉଠୁଚନ୍ତି ତପନ ।

 

ଏଗୁଡ଼ାକ କ’ଣ ହୋଇଚି ? ଆଖିଥିବା ଲୋକ କ’ଣ ଏମିତି କରିବା କଥା ? ଅକ୍ଷରଗୁଡ଼ାକ ତା’ ଉପରେ ତା’ ଉପରେ ଚଢ଼ିଯାଇଚି–ଛି ଛି ! ହଜାରେ ମିଷ୍ଟେକ୍‌ ! ଏଣେ ସୁସ୍ଥିଲୋକ ଚାକିରି ଛାଡ଼ି ଘରେ ଶୋଇବା କଥା । ଏଣେ ଟଙ୍କାପାଇଁ ଲୋଭ ଛାଡ଼ିବନି କି କାମରେ ମନ ଲାଗିବନି ।

 

ଚୁଙ୍ଗୁଡ଼ି ତପନର ମୁହଁକୁ ଚାହିଁବାକୁ ସାହସ କରିପାରିଲାନି ।

 

ଛାତି ଭିତରର ସବୁ ନିରାଶା ବାମ୍ପ ହୋଇ ତା’ର ଆଖିବାଟେ ବାହାରି ଆସୁଚନ୍ତି ।

 

ସବୁ ଯନ୍ତ୍ରଣା ଲୁହ ହୋଇ ଝରିଯାଉଚି ।

 

କାକୁତି ମିଶା କଣ୍ଠରେ ଚୁଙ୍ଗୁଡ଼ି ହାତଯୋଡ଼ି କହୁଚି, ‘‘ମୁଁ ଏଇ ବର୍ତ୍ତମାନ ଆଉଥରେ କରିଦଉଚି । ମୋର ଭୁଲ୍ ହୋଇ ଯାଇଚି । ମୋର ଟେମ୍ପରେଚର୍ ଅଛି । ସେଇଥିପାଇଁ ଭୁଲ୍ ହୋଇଗଲା ।

 

କାହାର ଟେମ୍ପରେଚର୍ କମେଇବାକୁ ଆମେ ଏଠି ଚାକିରି ବ୍ୟବସ୍ଥା କରି ନାହୁଁ ।

 

ସେମିତି ଆଉରି କେତେ କଥା ଗର୍ଜି ଗର୍ଜି ତପନ କୋଠରୀରୁ ଚାଲିଗଲେ ।

 

ଫୋପାଡ଼ି ଦେଇଥିବା କାଗଜଗୁଡ଼ାକ ଫ୍ୟାନ୍ ପବନରେ ଫଡ଼ ଫଡ଼ ହୋଇ ଉଡ଼ୁଛନ୍ତି ! ସେହି ଅବିନ୍ୟସ୍ତ କାଗଜଗୁଡ଼ିକୁ ସ୍ଥିରଦୃଷ୍ଟିରେ ଘଡ଼ିଏ ଚାହିଁ ରହିଲା ଚୁଙ୍ଗୁଡ଼ି ।

 

ଆଖିରୁ ଆପେଆପେ ଝରି ଆସିଲା କେରିକେରି ଲୁହର ସ୍ରୋତ ଆସ୍ତେ ଆସ୍ତେ କାଗଜଗୁଡ଼ାକୁ ଗୋଟାଇ ନେଇ ଟେବ୍ଲ ଉପରେ ସଜାଡ଼ି ରଖିଲା ଚୁଙ୍ଗୁଡ଼ି ।

 

ମାଲିକର ଚାକର ପ୍ରତି ଏଇ ବ୍ୟବହାରଟା ଆଦୌ ଅସ୍ୱାଭାବିକ ନୁହେଁ । ମାତ୍ର ତପନଠାରୁ ଏ ପ୍ରକାର ବ୍ୟବହାର ଏକାବେଳକେ ଆଶାତୀତ, କଳ୍ପନାତୀତ । ତାହା ଚୁଙ୍ଗୁଡ଼ିର ବିଶ୍ୱାସଠାରୁ ଅନେକ ଦୂରରେ । ଚେୟାରଟାରେ ଦେହ ଲଦିଦେଇ ନିଜ ପାପୁଲିରେ ମୁହଁ ଲୁଚେଇ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲା ଚୁଙ୍ଗୁଡ଼ି ।

 

ଏ ବିରାଟ ପୃଥିବୀରେ ତାକୁ ସ୍ନେହ କରିବାକୁ କେହି ନାହିଁ । ମା’ ନାହିଁ, ବାପା ନାହିଁ, ଭଉଣୀ ନାହିଁ । ତା’ ବଞ୍ଚିରହିବାର ଆକର୍ଷଣ କେବଳ ସିକୁ । ତା’ରିପାଇଁ ଚୁଙ୍ଗୁଡ଼ି ସବୁ ସହିଯିବ । ସକୁକିଛି ସହିପାରିବ ତା’ରି ମଙ୍ଗଳପାଇଁ ତା’ରିପାଇଁ ସବୁକିଛି କରିପାରିବ ମଧ୍ୟ ।

 

ଏତେବଡ଼ ତାଜା କ୍ଷତଟାକୁ ନିମିଷରେ ଏଡ଼ାଇଦେଇ ଚୁଙ୍ଗୁଡ଼ି, କାମଗୁଡ଼ାକ ଆଉଥରେ ଠିକ୍‌ କରି, ସଂଶୋଧନ କରି ସାରି ଦେବାକୁ ଲାଗିପଡ଼ିଲା ।

 

ତପନ ଦଶଦିନ ପାଇଁ ବାହାରକୁ ଯାଇଚନ୍ତି ।

 

ଚିଠି ଦେଇଚି ଇରା । ଚିଠିଟା ପାଇବା ବେଳରୁ ଚୁଙ୍ଗୁଡ଼ିର ମନରେ ହଜିଯାଇଚି । ମୁଣ୍ଡଟା ଚକ୍କର କାଟୁଚି ।

 

ସିକୁର ବାହାଘର ହେଉଚି ଆସନ୍ତା ଅଠର ତାରିଖରେ । ତା’ ବାହାଘରରେ ଯୋଗ ଦେବାକୁ ଇରାର ଭାରି ଇଚ୍ଛା । ଚୁଙ୍ଗୁଡ଼ି ସହିତ ସାଙ୍ଗହୋଇ ତା’ ଘରକୁ ଯିବାକୁ ଚିଠିରେ ଲେଖିଚି ଇରା ।

 

ସିକୁର ବାହାଘର କଥା ଆଲୋଚନା କରି ଇରା ସହିତ ଅନେକ ଉତ୍ତେଜିତ ମୁହୂର୍ତ୍ତକୁ ହତ୍ୟା କରିଚି ଚୁଙ୍ଗୁଡ଼ି ।

 

ସିକୁର ବାହାଘର !

 

ଚୁଙ୍ଗୁଡ଼ି ଜାଣି ନାହିଁ । କିଛି ଜାଣି ନାହିଁ ।

 

ତା’ର ଏକମାତ୍ର ଆଦରର ଭାଇ ସିକୁର ବାହାଘର । ତାହା ପୁଣି ଚୁଙ୍ଗୁଡ଼ିର ବିନା ଅନୁମୋଦନରେ, ବିନା ଜାଣତରେ । ଚୁଙ୍ଗୁଡ଼ି ଭାବିପାରେ ନାହିଁ । ବିଶ୍ୱାସ କରିପାରେ ନାହିଁ, ନିହାତ ଅସମ୍ଭବ ! ଏମିତି କେବେ ହୋଇପାରିବ ନାହିଁ ।

 

ଇରା ହୁଏତ କୋଉଠାରୁ କିଛି ଭୁଲ୍ ସମ୍ବାଦ ଶୁଣିଥିବ ।

 

ସିକୁ ! ତେଇଶବର୍ଷର ସୁନ୍ଦର ଯୁବକ । ନୂଆକରି ଅଧ୍ୟାପକ ହୋଇଚି ।

 

ଚୁଙ୍ଗୁଡ଼ିର କୌଣସି କଥା କିନ୍ତୁ ସେ ଅମାନ୍ୟ କରିନି ଆଜିପର୍ଯ୍ୟନ୍ତ ।

 

ତା’ ଅଜାଣତରେ ସିକୁର ବାହାଘର !

 

ଚୁଙ୍ଗୁଡ଼ି ଉଚ୍ଚସ୍ୱରରେ ମନକୁ ମନ ହସିବାକୁ ଲାଗିଲା ।

 

ତପନ ନାହାନ୍ତି, ନ ହେଲେ ଦିନଟେପାଇଁ ଘଟଣାଟା ବୁଝି ଆସିଲେ ଭଲହୁଅନ୍ତା ।

 

ନ ହେଲେ ସିକୁ ସହିତ ଏଇ ଗୁଜବଟାକୁ ନେଇ ସୁନ୍ଦର ଗୁଲିକରି ହୁଅନ୍ତା । ମଜା କରି ହୁଅନ୍ତା ।

 

ଦୁଇଦିନ ପରେ ସିକୁଠାରୁ ମିଳିଲା ଚିଠିଟେ ।

 

‘‘ଅପା, ତୁ ତ ଘରେ ରହୁନୁ, ଏତେବଡ଼ ଘରଟା ମତେ କେମିତି ଲାଗୁଥିବ ଥରେ ଭାବୁଚୁ ? ତୁ ମୋର ଅନେକ କରିଚୁ ଜାଣିଚି, ତୋର ଛୁଟି ମିଳିବାର ଅସୁବିଧା । ସେଇଥିପାଇଁ ତତେ ଆଉ ହଇରାଣ କରିବାକୁ ଇଚ୍ଛା କଲି ନାହିଁ । ଅଠର ତାରିଖରେ ରୋଜି ତୋର ଭାଉଜ ହୋଇ ଆସିବ । ପ୍ରଣାମ ନେବୁ । ଦେହ ଭଲ ଥିବ ତୋର ।’’

 

ଚୁଙ୍ଗୁଡ଼ି କ’ଣ କରିବ ହଠାତ୍‌ ଭାବିପାରିଲା ନାହିଁ । ହଠାତ୍‌ କରି ସିକୁର ଚିଠିଟାକୁ ବିଶ୍ୱାସ କରିବାକୁ କଷ୍ଟ ହୋଇଥିଲା ତାକୁ । ଏ ତ ସିକୁର ଭାଷା ନୁହେଁ । ଏ ତ ସିକୁର ଲେଖା ନୁହେଁ ।

 

କେତେ କେତେ ଦିନ କେତେ କେତେ ରାତି ସିକୁର ବାହାଘରର କଳ୍ପନା କରି କି ଏକ ମଧୁର ନିଶାରେ ମତୁଆଲ ହୋଇଯାଇଚି ତା’ର ମନ । ଅଥଚ–

 

ସିକୁ ତାକୁ ପରୋକ୍ଷରେ ମନା କରିଦେଇଚି ତା’ ବାହାଘରକୁ ଯିବାକୁ । ଚୁଙ୍ଗୁଡ଼ିର ଅନ୍ତର ଭିତରର କୋମଳତା ଟିକକୁ କିଏ ଯେମିତି ନିଆଁ ଲଗେଇ ପୋଡ଼ିଦଉଚି ।

 

ସିକୁଟା ପିଲାଟାଏ । ବୁଦ୍ଧି ହୋଇ ନାହିଁ । ପାଗଳାଟା ! ଚୁଙ୍ଗୁଡ଼ି ନିଜକୁ ନିଜେ ବୁଝେଇଦିଏ ।

 

ସେ ତା’ କଥା କିଛି ଧରିବ ନାହିଁ । ତା’ ଉପରେ ଅଭିମାନ କରିବା ଅର୍ଥ ଅନ୍ୟାୟ କରିବା । ନିଜ କରିବାରେ ଚରମ ଅବହେଳା କରିବା ।

 

ରୋଜିକୁ ପ୍ରେମ କରୁଥିଲା ସିକୁ ତା’ କଲେଜପଢ଼ା ଦିନରୁ । ତା’ରି ମଥାରେ ସିନ୍ଦୂର ଦେବ ସେ । ରୋଜି ଝିଅଟାକୁ ଦେଖିଚି ଚୁଙ୍ଗୁଡ଼ି । ବେଶ୍‌ ଭଲ ଝିଅଟିଏ । ଯେତେହେଲେ, ପ୍ରେମକରି ବାହାହଉଚି ତ ସେହି ଲଜ୍ଜା ଓ ଆଶଙ୍କାରେ ସିକୁ ଏମିତି ଲେଖିଚି ।

 

ସିକୁ ତା’ରି ଅନୁଗତ । ଅନୁରକ୍ତ । ତାକୁ ସେ କେବେ ଅନ୍ୟଥା ମନେକରିପାରିବ ନାହିଁ-

 

ଚୁଙ୍ଗୁଡ଼ି ନିଜ ମନକୁ ବୁଝେଇଦେଲା । ନିଶ୍ଚୟ ଯିବ ସେ । ବଜାରରେ ଶହେଟା ଦୋକାନ ବୁଲିବୁଲି ଭାଉଜପାଇଁ ସୁନ୍ଦର ମନକୁ ପାଇଲା ପରି ଗହଣା ସେଟ୍‌ଟାଏ କିଣିଲା ।

 

ଚିକ୍‌ଚିକ୍‌ ଧଳା ପଥର ବସା ନେକ୍‌ଲେସ୍, କାନର, ମୁଦି ଆଉ ପଥର ବସା ବାହୁଟି ଦି’ଟା ।

 

ବାହୁଟି ଦି’ଟା ସବୁଠୁ ଚମତ୍କାର !

 

ଚୁଙ୍ଗୁଡ଼ି ନିଜ ହାତର ସୁନାଚୁଡ଼ି ଦି’ପଟ ବିକ୍ରି କରିଦେଲା ପରେ ସେ ହାତରେ ଚୁଡ଼ି ଆଉ ଲଗେଇ ନାହିଁ । ଦି’ଟା ଫୁଙ୍ଗୁଳା ହାତ–ବାଁ ହାତରେ କଳାଫିତା ଲଗା ଘଡ଼ିଟେ ।

 

ଗହଣା କେଶ୍‌ଟା ହାତରେ ଧରି ଚୁଙ୍ଗୁଡ଼ି ଲକ୍ଷେ ଥର କଳ୍ପନାରେ ତା’ର ଭାଉଜର ରୂପକୁ ଦେଖିବାକୁ ଲାଗିଲା ।

ଖୁବ୍‌ ସୁନ୍ଦର ମାନିବ ତାକୁ ଏସବୁ ।

ଆଉଥରେ ଆନନ୍ଦର କଳ୍ପିତ ମହଲରେ ବିଚରଣ କରି ଶିହରି ଉଠିଲା ଚୁଙ୍ଗୁଡ଼ି ।

ଚୁଙ୍ଗୁଡ଼ି ମୁହଁରୁହିଁ କଥାଟା ଶୁଣିଥିଲା ଇରା ତା’ର ଏକମାତ୍ର ଅନ୍ତରଙ୍ଗ ବାନ୍ଧବୀ ହିସାବରେ ।

ତମେ ପୁଅମାନଙ୍କୁ ଅବିଶ୍ୱାସ କର ବୋଲି ଶୁଣିଚି । କାହିଁକି କହିପାରିବ ?

ଚୁଙ୍ଗୁଡ଼ି ଅନ୍ୟମନସ୍କ ହୋଇଯାଏ । ଗମ୍ଭୀର ହୋଇଯାଏ । –କ’ଣ ହେଲା ତୁମର ?

‘‘ସତ କହିବ ? ମୁଁ ମୋ ଜୀବନରେ ଗୋଟିଏ ବୋଲି ପୁରୁଷକୁ ଭେଟିନି ଯାହାକୁ କି ମୁଁ ବିଶ୍ୱାସର ଚନ୍ଦନ ଦେଇ ମୋ ମନଭିତରେ ପୂଜା କରିପାରିବି । ମୁଁ ଜାଣିବା ଭିତରେ ସେହି ଜାତିଟାରେ କେହି ଜଣେ ହେଲେ ନିଃସ୍ୱାର୍ଥପର ନାହିଁ, ନିଷ୍କପଟ ନାହିଁ । ସମସ୍ତେ ମୁଖାଧାରୀ ହିଂସ୍ର ଇତର ପଶୁ ।

ଜଣକୁ ଭେଟିଥିଲି । ସେ ଏମାନଙ୍କ ବ୍ୟତିକ୍ରମ ପରି ମନେହୋଇଥିଲା । ସେଥିପାଇଁ ତାକୁ ଛାଡ଼ି ରହିପାରିବାର ସ୍ୱପ୍ନ ଦେଖିବା କଠିନ ଥିଲା । ଅସମ୍ଭବ ଥିଲା । ସେ ହଜିଗଲା, ଅକସ୍ମାତ୍-। ମନେମନେ ତାକୁ ଅନେକ ଖୋଜିଚି, ପାଇନି ।

 

–ତମେ କ’ଣ ତାକୁ ପ୍ରେମ କରୁଥିଲ ?

 

‘‘ହୁଏତ । ଦି’ଟା ନିରୀହ ଶାନ୍ତ ଅନାବିଳ ହୃଦୟର ନିବିଡ଼ ସ୍ନେହ ସମ୍ପର୍କକୁ, ନିବିଡ଼ ଆନ୍ତରିକତାର ବିନିମୟକୁ ଯଦି ପ୍ରେମ କୁହାଯିବ, ତାହାହେଲେ ମୁଁ ତାକୁହିଁ ପ୍ରେମ କରୁଥିଲି, କେବଳ ତାକୁ !

 

–କେବକାର କଥାମ ଏଟା ? ସେ ଦୁଷ୍ଟଟାର ନାଁ କ’ଣ ?

 

‘‘ଆମେ ଯେତେବେଳେ ପ୍ରଥମ କରି ଭେଟିଲୁ ସେତେବେଳେ ମୋର ବୟସ ଥିଲା ପାଞ୍ଚ ।’’

 

ହସି ହସି ଲୋଟିପଡ଼ୁଚି ଇରା ।

 

‘‘ତମେ ତାହାହେଲେ ଓଳିଆରୁ ଗଜା । ଆମେ କହୁ ବଗ ସତରେ ଏକାଦଶୀ କରିଚି ! ପାଞ୍ଚବର୍ଷ ବୟସରୁ–ହିଃ-ହିଃ-ହିଃ । ଇରା ହସରେ ଫାଟିପଡ଼ୁଚି ।

 

‘‘ତା’ ନାଁ କଣ କୁହମ ଟିକେ !

 

‘‘ନାଁ ତା’ର ଅଜଣା ରହିଯାଉ ସମସ୍ତିଙ୍କ ପାଇଁ । ତମକୁ କିନ୍ତୁ ନିଶ୍ଚୟ ଦିନେ ଦିନେ କହିବ-। ଏବେ ନୁହେଁ । ସମୟ ଆସିଲେ, ସୁବିଧା ମିଳିଲେ ।

 

ତା’ପରେ, ଚୁଙ୍ଗୁଡ଼ି ହେଡ଼୍ ଅଫିସ୍‍କୁ ଚାଲିଯିବାର ଅଳ୍ପ କିଛିଦିନପରେ ଚୁଙ୍ଗୁଡ଼ିଠାରୁ ଗୋଟିଏ ସାନ ଚିଠି ପାଇଥିଲା ଇରା ।

 

‘‘ସେ ଦୁଷ୍ଟଟାକୁ ଆଖିରେ ଦେଖୁଚି । ଅନେକ ଦିନପରେ ତାକୁ ପାଖରେ ପାଇଚି । ମାତ୍ର ସେ ମୋଠୁ କୋଟି କୋଟି ମାଇଲ ଦୂରରେ । ସେ ହେଉଚନ୍ତି ଆମରି ସାହେବ, ତପନ ମହାପାତ୍ର । ଆଜିପର୍ଯ୍ୟନ୍ତ ଜାଣି ନଥିଲି ବରଂ ଭଲ ଥିଲା ଏକ ପ୍ରକାର ।

 

ତପନ ଆସୁ ନାହାନ୍ତି । ବାହାରେ ତାକୁ ଆହୁରି କିଛିଦିନ ରହିବାକୁ ପଡ଼ିବ । ତାକୁ କିନ୍ତୁ ଯେମିତି ହେଉ ଘରକୁ ଯିବାକୁ ହେବ । ତପନ ଥିଲେ ଛୁଟିପାଇଁ ଅନୁରୋଧ କରିଥାନ୍ତି ।

 

ତପନ କ’ଣ ଶୁଣିଥାନ୍ତେ ତା’ର କାକୁତି ? କେବେ ନୁହେଁ । ଗତଥର କେତେ କରି ବୁଝେଇଲା । କଥାରେ ବିନୟ ଅନୁରୋଧ, ଆଖିରେ କାକୁତି, ଓଠରେ ନିରୀହ ଭାଷା ନେଇ ଚୁଙ୍ଗୁଡ଼ି ବୁଝେଇବାକୁ ଚେଷ୍ଟା କରିଥିଲା ତପନକୁ । ତା’ର ଛୁଟି ନିହାତି ଦରକାର । ତପନ ନାହିଁ କରିଦେଇଥିଲା ସିଧା ସିଧା । ଚୁଙ୍ଗୁଡ଼ି ତଳଟାରେ ବସିପଡ଼ି ତପନର ପାଦ ଧରିଥିଲା । ଦିନଟିଏ, ମାତ୍ର ଦିନଟିଏ । ତପନ ଶୁଣି ନଥିଲେ କିଛି । ତା’ର ଲକ୍ଷେ ଅନୁରୋଧ ବାମ୍ଫ ହୋଇ ପବନରେ ମିଳେଇଗଲା । ତପନର କାନରେ ବାଜିଲା ନାହିଁ ।

 

ହୃଦୟରେ ପ୍ରବେଶ କରିପାରିଲା ନାହିଁ । ଚୁଙ୍ଗୁଡ଼ି ଫେରିଯାଇଥିଲା ନିରାଶ ହୋଇ ।

 

ତପନ ଥିଲେ କେବେ ଛୁଟି ଦିଅନ୍ତେ ନାହିଁ ।

 

ସିକୁର ବାହାଘର । ସେ ଯିବ ନାହିଁ, ଏକଥା ଅସମ୍ଭବ ।

 

ଚୁଙ୍ଗୁଡ଼ି ତପନର ବ୍ୟବହାରରେ ମର୍ମାହତ ।

 

ଭଲ ନ ପାଆନ୍ତୁ, କେବଳ ମାଲିକ ହିସାବରେବି ଅଧସ୍ତନ କର୍ମଚାରୀ ପ୍ରତି ଯେତିକି ଦୟା ସହାନୁଭୂତି ରହିବା କଥା ସାଧାରଣ ଭଦ୍ରତା ଦୃଷ୍ଟିରୁ ସେତକ ମଧ୍ୟ ପାସୋରି ଦେଲାଣି ତପନ-। ଆତ୍ମୀୟ ହିସାବରେ ନ ହେଉ, ଜଣେ ସାଧାରଣ ଝିଅ ହିସାବରେ ଯେତିକି ସୌଜନ୍ୟ ପ୍ରକାଶ ପାଇବା କଥା ଜଣେ ଭଦ୍ରଲୋକର ବ୍ୟବହାରରେ ତାହାର ଘୋର ଅଭାବ ।

 

ତପନ ନାହାନ୍ତି । ଏଇଟା ହୁଏତ ଏକ ସୁଯୋଗ ।

 

ଚୁଙ୍ଗୁଡ଼ି ନିଶ୍ଚୟ ଯିବ । ସିକୁର ବାହାଘର ତାକୁ ବାଦ୍ ଦେଇ ହୋଇପାରିବ ନାହିଁ ।

 

ସେଦିନ ପାଞ୍ଚଟା ପର୍ଯ୍ୟନ୍ତ ଅଫିସ୍‍ରେ ରହି ସବୁକାମ ସାରିଦେଲା । ଅଧିକ ଦିନକପାଇଁ ସବୁ ବନ୍ଦୋବସ୍ତ କରିଦେଲା ସେ । ଶେଷକୁ ଛୁଟି ଦରଖାସ୍ତଟା ତପନର ଟେବୁଲ ଉପରେ ଓ୍ୱେଟ୍‌ ଦେଇ ରଖିଦେଇ ଚାଲିଆସିଲା ।

 

ଆଉ ଗୋଟାଏ ମୋଡ଼ ବୁଲିଗଲେ ଘର ।

 

‘‘ରିକ୍‌ସା ! ଜୋରରେ ଚଲା’’ ଚୁଙ୍ଗୁଡ଼ିର ମନଟା କି ଏକ ବିଚିତ୍ର ଆନନ୍ଦରେ ଚଞ୍ଚଳ ହୋଇଉଠୁଚି ।

 

ଏ ରାସ୍ତା ତା’ର ଆପଣାର । ଏ ଅଞ୍ଚଳର ଗୋଡ଼ିମାଟି ତା’ର । ତା’ର ଅତି ନିଜର ।

 

ସୁଟ୍‌କେଶ୍‍ଟା ହାତରେ ଧରି ଫକ୍‌କରି ରିକ୍‌ସାଉପରୁ ଡେଇଁପଡ଼ିଲା ଚୁଙ୍ଗୁଡ଼ି ।

 

ସିକୁର ବାହାଘର । ସେ ଆସିଯାଇଚି ।

 

ସିକୁଟା ବାଇଆଟା । ଡାକିବାକୁ ସଙ୍କୋଚ କରି ଚୁପ୍‌ହୋଇ ରହିଯାଇଚି । ଘର ସଜାଇ ନାହିଁ । କିଛି ନାହିଁ । ଚୁଙ୍ଗୁଡ଼ିକୁ ଛାଡ଼ିଦେଲେ, ତା’ର ବା ନିଜର ଆଉ କିଏ ଅଛି ଯେ !

 

ସିକୁର ଖୁସିରେ ତା’ର ଖୁସି । ସିକୁର ଭଲ ଦେଖିଲେ ତା’ର ସନ୍ତୋଷ । ସିକୁର ମଙ୍ଗଳହିଁ ତା’ର ଚରମ ପ୍ରାପ୍ତିର ଲକ୍ଷ୍ୟ ।

 

ଚୁଙ୍ଗୁଡ଼ି ଦୁଆରବନ୍ଧ ଉପରେ ପାଦ ଦଉଦଉ ଶୁଣିଲା, ଘର ଭିତରେ ଭୀଷଣ ପାଟି । ଯୁକ୍ତିତର୍କ ଚାଲିଚି ଜୋରରେ ।

 

ସିକୁର ପାଟି ଶୁଭୁଚି । ଅନ୍ୟ ଜଣଙ୍କର ପାଟି ଚିହ୍ନା ଚିହ୍ନା ଲାଗୁଚି । ଠିକ୍‌ ମନେପଡ଼ୁ ନାହିଁ-। ସେ ଚିତ୍କାର କରି କହୁଚନ୍ତି, ‘‘ମୁଁ ତମକୁ ପୋଲିସ୍‍ରେ ଦେବି । କିଛି ନ ଭାବି ଏମିତି ଆଗେଇ ଯିବା ତମର ମୂର୍ଖାମି ଛଡ଼ା କିଛି ନୁହେଁ । ତମ ଭଉଣୀ ଶୁଣିଲେ ଯା ନାହିଁ ତା’ କରିବେ । ତାକୁ ନ ଜଣାଇ ଏକଥା ହୋଇପାରିବ ନାହିଁ । ମୁଁ କେବେ ଅନୁମତି ଦେଇପାରିବି ନାହିଁ ।’’

 

‘‘କାହିଁକି ? ଅପାକୁ ତ ମୁଁ ସେଇଥିପାଇଁ ଡାକି ନାହିଁ । ଏକରକମ ନାହିଁ କରି ଚିଠି ଲେଖିଦେଇଚି ତା’ ପାଖୁ । ତା’ର ମରହଟ୍ଟୀ ମନନେଇ ଏସବୁକୁ ସେ ଭଲ ଆଖିରେ ଦେଖିପାରିବ ନାହିଁ । ଆଉ ବାହାଘରଟା ସରିଲାପରେ ସେ ଆଉ କ’ଣଟା କରିପାରିବ ଯେ ?

ଚୁଙ୍ଗୁଡ଼ିର ଘରଭିତରକୁ ଲମ୍ବି ଆସୁଥିବା ପାଦଟା ସଂକୁଚିତ ହୋଇ ସ୍ଥିର ହୋଇଗଲା । ପର୍ଦ୍ଦା ସେପଟେ ସ୍ତବ୍ଧ ହୋଇ ଛିଡ଼ା ହୋଇଗଲା ଚୁଙ୍ଗୁଡ଼ି । କେମିତି ଏକ ଅବୋଧ୍ୟ କୌତୁହଳ ହେଉଥିଲା ନିଜ କାନକୁ ଅବିଶ୍ୱାସ କରିବାର । ସିକୁର ପାଟି ନୂଆ ଶୁଣା ଯାଉଥିଲା ତା’ କାନକୁ । ସିକୁ ପୁଣି କହୁଚି, ‘‘ଅପା ଯଦି ଏଥିରେ ଅଶାନ୍ତି ହୁଏତ, କ’ଣ ଯାଏଁ ଆସେ ସେଥିରୁ ? କ’ଣଟା ଅସୁବିଧା ହବ ? ଯଦି ଆବଶ୍ୟକ ପଡ଼େ, ତା’ ଠାରୁ ସମସ୍ତ ସମ୍ପର୍କ ମୁଁ ଛିନ୍ନ କରିଦେଇପାରିବି ।’’

ଅନ୍ୟଜଣଙ୍କ ଚିହିଁକି ଉଠୁଛନ୍ତି–‘‘ସେଇତ ଅସୁବିଧା । ସବୁ ସମ୍ପତ୍ତି ଘରବାଡ଼ି ଅଛି ତମ ଭଉଣୀଙ୍କ ନାଁରେ । ସେ ଏଥିରେ ଖୁସି ନ ହେଲେ ସେ ତମର ସର୍ବସ୍ୱ ନେଇଯାଇପାରିବେ, ଆଉ ତମ ଚାକିରିର କେଇଟା ଟଙ୍କାକୁ ସମ୍ବଳ କରି–ସେକଥା ସମ୍ଭବ ନୁହେଁ ।’’

ଆପଣ ତାକୁ ଚିହ୍ନି ନାହାନ୍ତି । ଚୁଙ୍ଗୁଡ଼ିଅପା ଏକଥା କରିବ ନାହିଁ । ଯଦି କରିବ ବୋଲି ଆପଣ ଆଶଙ୍କା କରୁଚନ୍ତି ତାହାହେଲେ ମୁଁ ତାକୁ ପ୍ଲାନ୍ କରି ଅକ୍ତିଆର କରିପାରିବି । ତାକୁ କହିବି ସେ ସବୁ ସମ୍ପତ୍ତି, ଘର ସବୁ ମୋ ନାଁକୁ ଟ୍ରାନ୍‌ସ୍‌ଫର୍ କରିଦଉ । ନହେଲେ ତା’ ପଛରେ ଭିଜିଲାନ୍‌ସ ଲାଗିପାରେ । ତା’ ଛଡ଼ା, ଆହୁରିବି ଗୋଟାଏ କଥା କହିଦେଲେ ଅପା ଆଉ ଏ ଗାଁ ମାଡ଼ିବନି । ବିବେକାକୁ ତା’ର ଭାରି ଭୟ, ଭୀଷଣ ଘୃଣା । ତା’ ନାଁରେ ତାକୁ ନେଇ କିଛି ଗୋଟାଏ ମନଗଢ଼ା କଥା କହିଦେଲେ ସେ ଆଉ ଏଠି ପାଦ ଥୋଇବ ନାହିଁ । ଚୁଙ୍ଗୁଡ଼ିର କାନଦି’ଟା ବଧିର ହୋଇଯାଉଚି-। ଦୁଇ ପାପୁଲିରେ କାନକୁ ଚାପିଧରି ଚୁଙ୍ଗୁଡ଼ି ବସି ପଡ଼ୁଚି ତଳ ପାହାଚଟାରେ-

ସିକୁର ପାଟି ଆଉ ଶୁଭୁ ନାହିଁ । ଗାଧୁଆଘରେ ପାଣିଢ଼ଳା ଶବ୍ଦ ଭାସି ଆସୁଚି ।

ଚୁଙ୍ଗୁଡ଼ି କରୁଣ ଚାହାଣିରେ ଉପରକୁ ଚାହୁଁଚି । ଚାହୁଁଚି ଆକାଶକୁ । ଚାହୁଁଚି ଶୂନ୍ୟକୁ । ତା’ ଇଚ୍ଛା ହଉଚି ବଡ଼ ପାଟିରେ ଚିତ୍କାର କରିବ କିଛି ସମୟ କାନ୍ଦି ନେବାକୁ ।

ଚପଲ ଘୋଷାରି ଘୋଷାରି ପଦାକୁ ବାହାରି ଆସୁଚନ୍ତି ଫଜଲୁଦା ।

କିଏ– ? ଚୁଙ୍ଗୁଡ଼ି ।

ଚୁଙ୍ଗୁଡ଼ି ନିର୍ବାକ୍‌ ନିସ୍ପନ୍ଦ ହୋଇ ଅନେଇ ରହିଚି ଫଜଲୁର ମୁହଁକୁ ‘‘ଫଜଲୁଦା !’’

ଚୁଙ୍ଗୁଡ଼ି ଆଖିରେ ଛଳଛଳ ଲୁହକୁ ଯେତେ ଲୁଚେଇବାକୁ ଚେଷ୍ଟାକଲେବି ଦେଖିନେଲେ ସେ ।

‘‘ତମେ ସବୁ ଦେଖି ଦେଇଚ ଭାବୁଚି । କିନ୍ତୁ ମତେ ତମେ ବିଶ୍ୱାସ କର ଚୁଙ୍ଗୁଡ଼ି ! ମୁଁ ଏଥିରେ ମୋଟେ ଖୁସି ନୁହେଁ ।’’

–କିନ୍ତୁ ସିକୁ କାହିଁକି ଭାବୁଚି, ଆପଣମାନେ କାହିଁକି ଆଶଙ୍କା କରୁଚନ୍ତି ମୁଁ ଏଥିରେ ଅମଙ୍ଗ ହେବି ବୋଲି ? ସିକୁର ସୁଖର ସ୍ୱପ୍ନକୁ ବାସ୍ତବତାଠାରୁ ଦୂରେଇ ଦେବି ବୋଲି ? କାହିଁକି ଏମିତି ଧାରଣା କରୁଚନ୍ତି ଆପଣମାନେ ???

 

–କାରଣ ରେଜିୟା ମୋରି ଭଉଣୀ । ତାକୁ ଜୋର୍‌କରି ସିନ୍ଦୂର ଦେଇ ତମ ଭାଇ ‘ରୋଜି’ କରିବାକୁ ଚାହୁଁଚନ୍ତି ।

 

ଚୁଙ୍ଗୁଡ଼ିର ମଥାଉପରେ ଆକାଶଟା ଅକସ୍ମାତ୍‌ ଛିଣ୍ଡିପଡ଼ିଲା ଯେପରି ।

 

ସତକଥା । ଚୁଙ୍ଗୁଡ଼ି ଏ ବିବାହକୁ ସମର୍ଥନ କରିପାରିବ ନାହିଁ । ଆଉ କ’ଣ ସବୁ କହୁଚନ୍ତି ଫଜଲୁଦା । ଚୁଙ୍ଗୁଡ଼ି ଆଉ କିନ୍ତୁ କିଛି ଶୁଣିପାରୁ ନାହିଁ ।

 

ସୁଟ୍‌କେଶର ଚାବିଖୋଲି ଗହଣା ବାକ୍‌ସଟା ଫଜଲୁ ଆଡ଼କୁ ବଢ଼େଇଦେଇ କହିଲା, ‘‘ରୋଜି ମିଶ୍ର ବା ରେଜିୟା ଖାତୁନ୍‌ ଯିଏ ମୋର ଭାଉଜ ହେବ, ଏଇଟା ତା’ରି ! ଦେଇଦେବେ । ଏତିକି କରିବେ ଦୟାକରି । ମତେ କ୍ଷମା କରିବେ । ମୁଁ ଛୁଟିନେଇ ଆସିନି । ରହିପାରିବି ନାହିଁ । ବଧୂବେଶରେ ମୋ ସୁନା ଭାଉଜର ଆଞ୍ଜୁଳାଏ ଜହ୍ନ ଆଲୁଅପରି ମୁହଁକୁ ଦେଖିପାରିବାର ଭାଗ୍ୟ ମୋର ନାହିଁ । ଚୁଙ୍ଗୁଡ଼ି ହାତ ପାପୁଲିରେ ଆଖିପୋଛିଲା ।

 

‘‘ମୋର ଗୋଟିଏ ଅନୁରୋଧ ରଖିବେ । କଥାଦିଅନ୍ତୁ !! ଆପଣଙ୍କୁ ବିଶ୍ୱକର୍ତ୍ତାଙ୍କ ରାଣ । ସିକୁକୁ ମୋ ଆସିବା ଖବର ଜଣାଇବେ ନାହିଁ ।’’

 

ଗହଣା ବାକ୍‌ସଟା ହାତରେ ଧରି ଫଜଲୁ ଚୁଙ୍ଗୁଡ଼ି ମୁହଁକୁ ଚାହିଁଲେ ।

 

ଆଖିରେ ଟଳଟଳ ଲୁହ । ତଥାପି ଚୁଙ୍ଗୁଡ଼ି ହସୁଚି ।

 

‘‘ନମସ୍କାର ଫଜଲୁଦା ! ଯାଉଚି !!’’

 

ଚୁଙ୍ଗୁଡ଼ିକୁ ଛାଡ଼ିଥିବା ରିକ୍‌ସାବାଲା ପଇସା ମାଗୁଚି ।

 

ଚୁଙ୍ଗୁଡ଼ି କହୁଚି, ପୁଣି ବସ୍‍ଷ୍ଟାଣ୍ଡ ଯିବା ।

 

ରିକ୍‌ସାଟା ଆଖିରୁ ଲୁଚିଗଲା ପରେ ଫଜଲୁ ଭାବିଲେ, ଚୁଙ୍ଗୁଡ଼ି ଏମିତି ସହଜ ସରଳ ମଣିଷଟିଏ ବୋଲି ଧରିନେବାରେ ଅନେକ ଭୁଲ୍ ହୋଇଯାଉଚି । ସେ ହୁଏତ କୋଟ୍‍ର ଆଶ୍ରୟନେଇ ସବୁ ଭଣ୍ଡୁର କରିଦେବାକୁ ବସିଯିବ । ସେ ହୁଏତ ସିକୁକୁ ନିଜ ସମ୍ପତ୍ତିରୁ ଭିନ୍ନ କରିଦବାର ନିଶାରେ ଏଠୁ ଚାଲିଯାଇଚି । ଅଭିମାନରେ । ଦୁଃଖରେ ନୁହେଁ । ପ୍ରତିଶୋଧ ନେବାର ଅସମ୍ଭବ କ୍ରୋଧରେ ।

 

ଚୁଙ୍ଗୁଡ଼ି ଇଚ୍ଛାକଲେ ନିମିଷକରେ ସିକୁ କାଙ୍ଗାଳ ହୋଇଯିବ ।

 

ଚୁଙ୍ଗୁଡ଼ିର ଶେଷକଥାଟାକୁ ରକ୍ଷାକରି ଫଜଲୁ ଚୁଙ୍ଗୁଡ଼ିର ଆସିଥିବା ଖବରଟା ଜଣାଇଲେ ନାହିଁ ସିକୁକୁ । ଗହଣା ଦେଇଥିବା କଥା ମଧ୍ୟ କହିଲେ ନାହିଁ । ସେତକ ତାଙ୍କ ଭଉଣୀ ଭାଇର ଉପହାରସ୍ୱରୂପ ପାଇଲେ ତାଙ୍କର ଗୌରବ ବଢ଼ିବ ।

 

ଫଜଲୁ କହିଲେ ସିକୁକୁ । ଚୁଙ୍ଗୁଡ଼ି ଏ ବିବାହ କରେଇ ଦେବ ନାହିଁ ବୋଲି ଏଣେତେଣେ ଗପୁଚି କହିବୁଲୁଚି ।

 

ତମେ ଗୋଟାଏ ଚିଠି ତାକୁ ଲେଖ । ତାଙ୍କ ନାଁରେ ଥିବା ସବୁ ସମ୍ପତ୍ତି ସେ ଯଥାଶୀଘ୍ର ତୁମ ନାଁରେ କରିଦଉ । ରାଗିବ ନାହିଁ । ଅନୁରୋଧକରି ଲେଖିବ । ଉପଦେଶ ଦେଇ, ବୁଝେଇ ଲେଖିବ । ତାଙ୍କ ନାଁରେ ଏତେଗୁଡ଼ା ସମ୍ପତ୍ତି ରହିଲେ ତାଙ୍କର ଅସୁବିଧା । ଚିଠିଟା ଆଜି ଲେଖ । ଏକ୍‌ସ୍‌ପ୍ରେସ ଡାକରେ ପଠେଇଦେଲେ ଆଜି ପାଇଯିବେ ।

 

ସିକୁ ତାଙ୍କ କଥାର ଯଥାର୍ଥତା ବୁଝି ରାଜି ହୋଇଗଲା ।

 

ଚୁଙ୍ଗୁଡ଼ି ଆକାଶକୁ ଚାହିଁଲା ।

 

ଆକାଶର ରଙ୍ଗ ନୀଳ । ଅନନ୍ତ ବ୍ୟାପ୍ତ ନୀଳ । ଏଇ ଆକାଶ କୋଉଠି ସରିଚି ଜାଣିହୁଏନି । ଏ ଆକାଶର ଆରମ୍ଭ ବିଷୟରେ କିଛି ଭାବିହୁଏନି ।

 

ସେହି ନୀଳ ଆକାଶର ଛାତିମଝିରେ ଜହ୍ନ ପଡ଼ିଚି ।

 

ଜହ୍ନ ଦେଖିବାକୁ ସବୁଦିନେ ଭଲ ଲାଗେ ଚୁଙ୍ଗୁଡ଼ିକୁ । ଏ ବିଶାଳ ଦୁନିଆରେ, ଯେତେବେଳେ ତା’ର ହୋଇ କେହି ଜଣେବି ନାହାନ୍ତି ବୋଲି ସେ ଅନୁଭବ କରେ, ତା’ର ଦରଦୀ ସ୍ନେହ-କାଙ୍ଗାଳ ମରି ଯାଉଥିବା ଅନ୍ତରଟିକୁ କେହି ବୁଝିପାରୁ ନ ଥିବାର ଦୁଃଖରେ ଯେତେବେଳେ ସେ ନିଜକୁ ହଜେଇଦିଏ, ଏଇ ଜହ୍ନ ତାକୁ ଆଶ୍ୱାସ ଦିଏ ଏଇ ଜହ୍ନ ତା’ର ସାକ୍ଷୀ ହୁଏ ।

 

ଆଜି କିନ୍ତୁ ଜହ୍ନକୁ ଚାହିଁ ସେ କ୍ରମଶଃ ଅସହ୍ୟ ହୋଇଯାଉଚି । ଛାତିଭିତରର କୋହ ଆଖିର ଲୁହ ହୋଇ ଝରିଆସୁଚି ଗାଲ ଚିବୁକ ଦେଇ । କାନରେ ବାଜୁଥିଲା ସିକୁ ଗଳାର ଭାଷାଗୁଡ଼ାକ ।

 

ଚୁଙ୍ଗୁଡ଼ି ନିଜ କାନକୁ ଅବିଶ୍ୱାସ କରିବାର ବିଚିତ୍ର କୌତୁହଳ କରୁଥିଲା ।

 

ସିକୁର ଉଦ୍ଦେଶ୍ୟମୂଳକ ଚିଠିଟା ପାଇବା ପୂର୍ବରୁ ଏଠି ପହଞ୍ଚି ସାଙ୍ଗେ ସାଙ୍ଗେ ସବୁ ସମ୍ପତ୍ତି, ଘରବାଡ଼ିର କାଗଜପତ୍ରରେ ଦସ୍ତଖତ କରି ପଠେଇ ଦେଇଚି ଚୁଙ୍ଗୁଡ଼ି । ସିକୁ ରୋଜିକୁ ନେଇ ସୁଖରେ ରହୁ । ଭଗବାନ ତା’ର ସବୁ ମଙ୍ଗଳ କରନ୍ତୁ ।

 

ଆଜି ରାତିଟା ପାହୁ ପାହୁ ଚୁଙ୍ଗୁଡ଼ିର ଗତାନୁଗତିକ ଜୀବନର ଆରମ୍ଭ ହୋଇଯିବ । କ୍ୱାଟର୍‍ରୁ ଅଫିସ୍ । ଅଫିସ୍‍ରୁ ଘର । ତପନର ଚିଡ଼ାଚିଡ଼ା ଆଦେଶ । ଅଜସ୍ର ବିରାମହୀନ ପରିଶ୍ରମ ପରେବି ଅସନ୍ତୋଷ ।

 

ସିକୁର ମଙ୍ଗଳ ହେଉ । ଭଗବାନ ତାକୁ ଖୁସିରେ ରଖନ୍ତୁ । ବିଲମଝିର ପଥରମୁଣ୍ଡି ତାକୁ ସବୁଥିରେ ସାହା ହୁଅନ୍ତୁ ।

 

ସବୁଦିନପାଇଁ ସିକୁର ଦୁଆର ବନ୍ଦ ହୋଇଗଲା ଚୁଙ୍ଗୁଡ଼ିପାଇଁ । ବଞ୍ଚିବାର ଆକର୍ଷଣ ତା’ର ଆଉ ଟିକେବି ନାହିଁ । ସବୁଆଡ଼ ଅନ୍ଧାର । ରାତି ଆସିବ, ଯିବ । ତା’ର ଚିର ଅନ୍ଧାରିତ । ଦୁଃଖର ସହର ଭିତରୁ ଅନ୍ଧାର କଟିବ ନାହିଁ ।

 

ସିକୁ ! ତା’ର ପ୍ରାଣର ! ତା’ର ଆଦରର ।

 

ଘରଚଟିଆଟିଏ ଡେଣା ଫଡ଼ ଫଡ଼ କରି ଉଡ଼େ । ତା’ର ଛୋଟିଆ ଡ଼େଣାରେ ମାଟି ଉପରେ ଛୋଟିଆ ଛାଇଟିଏ କରି ଏଡ଼ାଳରୁ ସେଡ଼ାଳ ବୁଲେ । କୁଟାକାଠି ସାଉଁଟି ଆଣି ନୀଡ଼ କରେ । ଅଣ୍ଡା ଦିଏ ଦୁଇଟି । ଏକାରକମର ଦିଓଟି ଛୁଆ ଫୁଟନ୍ତି । ମା’ ଘରଚଟିଆଟି ଛଡ଼ିଯାଏ ଦୂର ଆକାଶକୁ । ଆଉ ଫେରେ ନାହିଁ । ଶାବକ ଦିଓଟି ଅସହାୟ ହୋଇଯାଆନ୍ତି । ଗୋଟିଏ ବୋଧଦିଏ ଅନ୍ୟଟିକୁ । ନିଜ ଚଞ୍ଚୁରେ ପୋକ ଆଣି ଗୁଞ୍ଜିଦିଏ ଅନ୍ୟଟିର ପାଟିରେ । ନିଜର ପରତଳେ ଉଷୁମ ରଖେ ତା’ର ଦେହକୁ । ନିଜ ପର ବିଛେଇ ବର୍ଷାପାଣିରୁ ଅଲଗା ରଖେ । ନୂଆ ନୀଡ଼ ପାତେ ତା’ର ଖୁସିପାଇଁ ।

 

ଧୀରେ ଧୀରେ ଚଢ଼େଇଟି ଉଡ଼ିଶିଖେ । ନିଜ ଚଞ୍ଚୁରେ ଆହାର ନେଇ ଉଡ଼ିଶିଖାଏ ତାକୁ-। ସାଙ୍ଗେ ସାଙ୍ଗେ ଫୁରକିନା ଉଡ଼ିଯାଏ ଦୂର ଡାଳକୁ । ନିଜେ ଯେତେବେଳେ ଚରିବା ଶିଖିଲା, ଉଡ଼ିବା ଶିଖିଲା, ସେତେବେଳେ ତା’ରି ସ୍ନେହମୟୀ ବୟସ୍କା ଦେଖେଇ ହୋଇଥିବା ପକ୍ଷୀଟିକୁ ଖୁମ୍ପିଖାମ୍ପି ଅସ୍ଥିରକରି ଘଉଡ଼ାଇ ଦେଲା ତା’ ନିଜ ତିଆରି ନୀଡ଼ଟିରୁ, ତା’ର ବହୁଚେଷ୍ଟା, ଯତ୍ନରେ ପ୍ରସ୍ତୁତ ନୀଡ଼ଟିରୁ ।

 

ଚୁଙ୍ଗୁଡ଼ି ନିଜ ଅଜାଣତରେ କାନିରେ ଲୁହ ପୋଛେ ।

 

ଶୁଖିଲା ମୁହଁ ଦୁଃଖରେ ଭାରାକ୍ରାନ୍ତ ଛାତି ଆଉ ଅବଶ ଦେହକୁ ଘୋଷାରି ନେଇ ଚୁଙ୍ଗୁଡ଼ି ଅଫିସ୍ ରୁମ୍‍ରେ ପାଦ ଦେଲା ।

 

ସମୁଦ୍ରଟା ନିମିଷକରେ ଶୁଖି ଯାଇଥିଲେ, ପ୍ରତିଦିନ ପୂର୍ବପଟେ ଉଇଁ ଆସୁଥିବା ସୂର୍ଯ୍ୟଟା ପଶ୍ଚିମ ଦିଗରେ ଉଦୟ ହୋଇଥିଲେ ବୋଧହୁଏ ଚୁଙ୍ଗୁଡ଼ି ଏମିତି ବିସ୍ମିତ ହୋଇ ନଥାନ୍ତା ।

 

ତା’ ସିଟ୍‌ରେ ଆଉଜଣେ କର୍ମଚାରୀ ।

 

ଚୁଙ୍ଗୁଡ଼ି ପିଅନକୁ ଡକେଇ ପଚାରିଲା ।

 

ପିଅନ ବଢ଼େଇ ଦେଲା ଖଣ୍ଡେ କାଗଜ । ଚୁଙ୍ଗୁଡ଼ି ଏକା ନିଃଶ୍ୱାସରେ ପଢ଼ିଲା ସେଇଟାକୁ-

 

ତା’ର ଆଉ ଚାକିରି ନାହିଁ । ତପନ ତା’ର ଚାକିରି ଛଡ଼େଇ ନେଇଚନ୍ତି । ଅପରାଧ–ଛୁଟି ମଞ୍ଜୁରପାଇଁ ଅପେକ୍ଷା ନ କରି ସେ ଅଫିସ୍‍ରେ ଅନୁପସ୍ଥିତ ରହିଥିଲା ।

 

ଚୁଙ୍ଗୁଡ଼ିର ପାଦତଳୁ ଚଟାଣଟା ଧୀରେ ଧୀରେ ପାତାଳକୁ ଖସିଯାଉଚି । କ୍ରମଶଃ ନିସ୍ତେଜ ହୋଇଯାଉଚି ଚୁଙ୍ଗୁଡ଼ି । ଏକ ଅଦ୍ଭୁତ ନିଷ୍କ୍ରିୟତା ତା’ର ସମଗ୍ର ଶରୀରକୁ ଆବୋରି ବସି ତାକୁ ଅବଶ କରି ଦଉଚି ।

 

ତା’ ଆଖିରେ ବର୍ତ୍ତମାନ ଗୋଟିଏ ରାସ୍ତା । ତପନକୁ ଦେଖା କରିବ । ଶେଷଥର ପାଇଁ ତପନ ପାଖରେ ନିଜର ଚରମ ଅସହାୟତାର ଇସ୍ତାହାର ଦେବ ।

 

ତପନକୁ ଦେଖାକରିବାକୁ ହେଲେ ଅପେକ୍ଷା କରିବାକୁ ହୁଏ ।

 

ଚୁଙ୍ଗୁଡ଼ି ଉପାସ ପେଟରେ ଅପେକ୍ଷା କଲା ଦିନ ଚାରିଟା ପର୍ଯ୍ୟନ୍ତ ।

 

କାର୍‌ର ଚାବିକୁ ଆଙ୍ଗୁଳିରେ ଘୂରାଇ ଘୂରାଇ ତପନ ତାଙ୍କ ଚେମ୍ବରରେ ପଶିଲେ । ଭାରି ବେପରୁଆ ତାଙ୍କର ଚାଲି, ତାଙ୍କର ଢଙ୍ଗ ।

 

କିଛି ନ ଭାବି, ଟିକେବି କିଛି ଚିନ୍ତା ନ କରି ବାୟାଣୀ ପରି ଚୁଙ୍ଗୁଡ଼ି ପଶିଗଲା ତପନଙ୍କ ରୁମ୍‍ରେ, ଝଡ଼ପରି ।

 

ତପନ ବିରକ୍ତ ହେଲାପରି ଚାହିଁଲେ ।

 

‘‘ମତେ ଦୟାକରନ୍ତୁ ସାର୍‌ । ମୁଁ ମରିଯିବି । ମୋର ଆଉ ଜିଇଁ ରହିବାର କିଛି ଅବଲମ୍ବନ ନାହିଁ । କିଛି ରାହା ନାହିଁ ।’’

 

–ସମସ୍ତଙ୍କୁ ରାହା ଯୋଗେଇବାକୁ ଆମର ବିଶେଷ ସଂସ୍ଥା କିଛି ନାହିଁ । ଭାରି ବିଦ୍ରୂପମିଶା ସୁର ତପନର ।

 

‘‘ମୋ କଥା ଟିକେ ବିଚାର କରନ୍ତୁ ସାର୍‌ । ଟିକେ ଦୟାକରନ୍ତୁ ! ଟିକେ ଶୁଣନ୍ତୁ ମୋ କଥା । ଆପଣଙ୍କ ପାଦ ଧରୁଚି ।’’

 

–‘‘ଦେଖ । ତମକୁ ଚାକିରିରୁ ବହିଷ୍କାର କରାଯାଇଚି । ପୁଣି ତମର ବାକି ପଇସା ଯାହା କମ୍ପାନୀ ଉପରେ ଥିଲା, ତାହା ମଧ୍ୟ ଆଉ ଫେରିପାଇବ ନାହିଁ । ତାହାକୁ କ୍ଷତିପୂରଣ ବାବଦକୁ କମ୍ପାନୀ ନିଜର କରିବ । ଆଉ ତମର ଏମିତି ଅପରାଧ ପାଇଁ ତମ ନାଁରେ ଚୋରିକେସ୍‌ବି ଦିଆଯାଇଥାନ୍ତା । ସେତିକିରୁ ତମକୁ ବାଦ୍ ଦିଆଯାଇଚି । ତମେ ଏଥର ଯାଇପାର । ତମର କୌଣସି କଥା ମୁଁ ଶୁଣିପାରିବି ନାହିଁ । ଅଯଥା ବକ୍‌ ବକ୍‌ ନ କଲେ ଉଭୟଙ୍କର ମଙ୍ଗଳ ହେବ ।’’

 

ତପନ ତା’ର କୌଣସି କଥା ଶୁଣିବ ନାହିଁ କହୁଚି ।

 

ଚୁଙ୍ଗୁଡ଼ି ମୁଣ୍ଡଟା ପୁଣି ଚକ୍କର କାଟୁଚି ।

 

ଲୁହରେ ପେଜୁଆ ଦିଶୁଥିବା ଆଖିର ଝାପ୍‌ସା ଆଲୁଅରେ ତପନର ମୁହଁଟା ଅସ୍ପଷ୍ଟ ଦିଶୁଚି । ଆସ୍ତେ ଆସ୍ତେ ନିଶ୍ଚିହ୍ନ ହୋଇଯାଉଚି । ସେଠି ଦଶ ବାରବର୍ଷର କିଶୋରଟିର ଶାନ୍ତ । ସରଳ ମୁହଁଟିଏ ତା’ ଆଡ଼କୁ ଅନେଇ ରହିଚି କହୁଚି, ‘‘ତୁ ଯେତେ ଗପିଲେବି, ପୃଥିବୀର ସବୁ କଥା କହିଲେବି ମୁଁ ଜୀବନସାରା ଚାହିଁ ବସିଥିବି ସେ ସବୁକୁ ଶୁଣିବାପାଇଁ ।’’

 

ତପନ ପୁଣି ଗର୍ଜି ଉଠୁଚନ୍ତି ।

 

‘‘ତମେ ଏଥର ଯାଇପାର ।’’

 

ଚୁଙ୍ଗୁଡ଼ିର କିଛି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ତପନ ।

 

କାନଟା ଭାଏଁଭାଏଁ କରୁଚି । ଚାରିଆଡ଼ ଅନ୍ଧାର । ସେଇ ଅନ୍ଧାରର ପରିସୀମା ବହୁତ ଦୂରରେ । ଦିଗ୍‌ବଳୟର ପର ପର୍ଯ୍ୟନ୍ତ ଲମ୍ବିଯାଇଚି । ସେହି ଅନ୍ଧାରି ଭିତରେ ଅନ୍ଧହୋଇ କାହାର ସାହାରାପାଇଁ ହାତ ବଢ଼େଇବାର ଉପାୟ ନାହିଁ ଚୁଙ୍ଗୁଡ଼ିର ।

 

ସିକୁ ପାଖକୁ ଆଉ ଯାଇପାରିବ ନାହିଁ ସେ । ତା’ପାଇଁ ଚୁଙ୍ଗୁଡ଼ିର ସବୁ କର୍ତ୍ତବ୍ୟ ଶେଷ ହୋଇଯାଇଛି ।

 

ଇରା ଥରେ କହିଥିବା କଥା ଆଜି ମନେପଡ଼ୁଚି ଚୁଙ୍ଗୁଡ଼ିର । ଗୋଟିକିଆ ଜୀବନରେ ପ୍ରାପ୍ତିର ଛନ୍ଦନାହିଁ । ଗୋଟିଏ ତାରରେ ମୂର୍ଚ୍ଛନା ତୋଳି ହୁଏ ନାହିଁ ।

 

ଏକା ଜିଇଁ ହୁଏ ନାହିଁ । ବଞ୍ଚିବାପାଇଁ, କେହି ତମକୁ ଭଲପାଉ ନ ପାଉ, ତମେ ଜଣକୁ ଏକାନ୍ତ ନିବିଡ଼ଭାବେ ଭଲ ପାଇବାକୁ ପଡ଼ିବ । ସ୍ନେହ କରିବାକୁ ପଡ଼ିବ । ସେହି ଭଲ ପାଇବାର ନିଶାରେ ତମେ ସବୁ ଦୁଃଖକୁ ପାସୋରି ଯିବ । ସେ ଦୁଃଖ ନକମୁ ପଛେ ଭୁଲି ହୋଇଯିବ । ତମେ ବଞ୍ଚିଯିବ ।

 

ଚୁଙ୍ଗୁଡ଼ି କ’ଣ ବଞ୍ଚିବାକୁ ଚାହିଁ ନଥିଲା ?

 

ଚୁଙ୍ଗୁଡ଼ି ଭଲ ପାଇଥିଲା ସିକୁକୁ, ଜ୍ୟୋତିମାମୁଙ୍କୁ, ବୋଉକୁ, ବାପାଙ୍କୁ, ଚିନୁଅପାକୁ, ଆଶିଷକୁ ଆଉ ତପନକୁ । କେହି ତା’ର ନିଜର ହୋଇ ରହିଲେ ନାହିଁ । ତାକୁ ସ୍ନେହ ଦିଅନ୍ତୁ ନ ଦିଅନ୍ତୁ ତା’ର ସ୍ନେହକୁ, ତା’ର ଭଲ ପାଇବାକୁ ଖୋଜିଲେ ନାହିଁ, ଲୋଡ଼ିଲେ ନାହିଁ । ସମସ୍ତେ ଖାଲି ତାକୁ ପ୍ରତାରଣା କରିଚନ୍ତି । ଗୋଟି ଗୋଟି ହୋଇ କେବଳ ଠକି ଆସିଚନ୍ତି ତାକୁ ଜୀବନସାରା । ପାଞ୍ଚବର୍ଷ ବୟସରୁ ବୋଉ, ଚିନୁଅପା ଦି’ଜଣଯାକ ଠକିଦେଇ ସବୁଦିନ ପାଇଁ ଦୂରେଇ ଗଲେ ।

 

ବୋଉର ଚିରା ଅଣଓସାରି ପଣତର ଉଷ୍ଣତାରୁ ଟିକେ, ତା’ଠୁ ଟିକେ ସ୍ନେହସ୍ପର୍ଶ ଛଡ଼ା ତ ଆଉ ବେଶି କିଛି ଆଶା କରି ନଥିଲା ଚୁଙ୍ଗୁଡ଼ି ?

 

ଏମିତି କାହିଁକି ହେଲା ? ତା’ ଭଲ ପାଇବାରେ ତ ଫାଙ୍କି ନଥିଲା ? ମିଛ ନଥିଲା ? ଛଳନାର ଗରଳ ପିଇ ତ ସେ ସେମାନଙ୍କୁ ଭଲପାଇ ନଥିଲା ?

 

ଏ ବିରାଟ ପୃଥିବୀଟାରେ ତା’ର ନିଜର ହୋଇ କେହି ନାହାନ୍ତି । ତା’ର ବୋଲି କିଛି ନାହିଁ ।

 

ତପନ ତାକୁ ଟିକେ ଦୟାକରିଥିଲେ, ତା’ର ଚାକିରିଟା ଏମିତି ନୃଶଂସ ହୋଇ ଛଡ଼େଇ ନ ନେଇଥିଲେ ଜୀବନକୁ ବାଜିମାରି ବଞ୍ଚି ଯାଇଥାନ୍ତା କେଇଟା ଦିନ ।

 

ଦୁନିଆରେ ସବୁଠୁ ବଡ଼କଥା ମନଟାକୁ ଭରିବା । କିନ୍ତୁ ତା’ଠୁ ବଡ଼କଥା ଦିନଗୁଡ଼ାକୁ ଭରିବା ।

 

ଚାକିରିଟା ଥିଲେ, ଚୁଙ୍ଗୁଡ଼ି ତା’ର ଶୂନ ମନକୁ ବେଖାତିର କରି ଦିନଗୁଡ଼ାକୁ ଭରି ପାରିଥାନ୍ତା । ଅସହ୍ୟ ମୁହୂର୍ତ୍ତଗୁଡ଼ାକୁ କଟେଇ ପାରିଥାନ୍ତା ।

 

ଚୁଙ୍ଗୁଡ଼ି ବାଁହାତ ପାପୁଲିରେ ଅଲରା ମୁଣ୍ଡବାଳ ସବୁକୁ କପାଳ ଉପରୁ ଟେକିଟାକି କାନପଛରେ ଗୁଞ୍ଜିଦେଲା । ଧୀରେ ଧୀରେ ଚାଲିଆସି ଅଫିସ୍ ଆଗ ବଡ଼ କ୍ରୋଟନ ବୁଦାଟା ତଳେ ଠିଆହେଲା ।

 

ଆରପଟେ ତପନର ଗାଡ଼ି ଥୁଆ ହୋଇଚି । ବାହାଦୁର ଠିଆ ହୋଇଚି । ଗଲା ଅନେକ କିଛିଦିନ ଧରି ଚୁଙ୍ଗୁଡ଼ିର ରିକ୍‌ସାଟାବି ଠିକ୍‌ ଏଇ ଗେଟ୍‌ ପାଖରେ ଅଟକୁଥିଲା । ରିକ୍‌ସାବାଲାକୁ ପର୍ସ୍‍ରୁ ଖୁଚୁରା ପଇସା ଦେଇ ଚୁଙ୍ଗୁଡ଼ି ଏଇ ଅଫିସ୍ ଭିତରେ ପଶୁଥିଲା ।

 

ତପନର ବିରାଟ ବଡ଼ ଇଣ୍ଡଷ୍ଟ୍ରି । ହଜାରେ ସେକ୍‌ସନ । ଦେଶୀ ବିଦେଶୀ କେତେ ଲୋକ ଆସନ୍ତି, ଯାନ୍ତି ।

 

ଆଜିବି ଲୋକମାନଙ୍କର ଯିବା ଆସିବା ସେମିତି ଚାଲିଚି । କିନ୍ତୁ ଚୁଙ୍ଗୁଡ଼ି ପ୍ରତିଦିନ ବସୁଥିବା ଚଉକି ଉପରେ ବସିଚି ଗୋଟାଏ ଧେଡ଼ିଆ ମିଲିଟାରୀକଟ ବାଳ ରଖିଥିବା ଲୋକ ।

 

ଚୁଙ୍ଗୁଡ଼ିର ଭିତରଟା କିଛି ନ ଥିବାର ଶୂନ୍ୟତାରେ ହାହାକାର କରିଉଠିଲା ।

 

ଦେହଟା କାହିଁକି ଅବଶ ଲାଗୁଚି । ମନଟା କେମିତି ଶୂନ୍ୟତାରେ ଭରିଯାଉଚି ।

 

ପାଦକୁ ତା’ର ଇଚ୍ଛାବିରୁଦ୍ଧରେ ଜବରଦସ୍ତ ଘୋଷାରି ଘୋଷାରି ରିକ୍‌ସା ଅଟକାଇ ବସିଲା ଚୁଙ୍ଗୁଡ଼ି । ଶେଷଥର ପାଇଁ ସେ କ୍ରୋଟନ ଗଛଟାକୁ ଥରେ ଚାହିଁଦେଇ ସଜାଡ଼ି ହୋଇ ବସିଲା ।

 

ଏଇନେ ତାକୁ ରୁମ୍‍କୁ ଫେରିବାକୁ ପଡ଼ିବ ।

 

ସେଠି ଖଟରେ ଶୋଇ ଇରା ପାଖୁ ଖଣ୍ଡେ ଚିଠି ଲେଖିବାକୁ ହେବ ।

 

ସୁରେଇରେ ଭରିଥିବା ପାଣିରୁ ଗ୍ଲାସେ ପିଇନବ ସେ ।

 

ତା’ପରେ ? ତା’–ପ–ରେ ?

 

ତା’ପରେ କ’ଣ କରିବ ସେ ? କୁଆଡ଼େ ଯିବ ?

 

ଆକାଶକୁ ଚାହିଁଲା । ଚାହିଁଲା ତା’ ଚାରିପଟର ବିସ୍ତୃତ ପୃଥିବୀଟାକୁ, ଚାହିଁଲା ମାଟିକୁ ।

 

ପାଦତଳେ ମାଟି ଶକ୍ତ ନୁହେଁ । ମୁଣ୍ଡଉପରେ ଆକାଶ ମେଘାଚ୍ଛନ୍ନ । ଯେକୌଣସି ମୁହୂର୍ତ୍ତରେ ଝଡ଼ ଆସିପାରେ । ପୃଥିବୀଟା ଧୂସର । ଖାଲି ଧୂସର ।

 

ଏଥିରେ ଫୁଲ ଫୁଟେ ନାହିଁ । ଏଠି କୌଣସି ଦିନ କୋଇଲି ଗାଇନାହିଁ । ଏଠି କେବେ କେହି ହସି ନାହିଁ ।

 

ଏତେଦିନ ଚାକିରି କଲା ଭିତରେ ଚୁଙ୍ଗୁଡ଼ି ତା’ ନିଜପାଇଁ କିଛି କରି ନାହିଁ । ତା’ର ନିଜର ହୋଇ ଯେତିକି ଜିନିଷ ଅଛି ସେତକ ଗୋଟାଏ ସୁଟ୍‌କେଶ ଭିତରେ ରହିବାକୁ ଯଥେଷ୍ଟ !

 

ଚୁଙ୍ଗୁଡ଼ି ବାଁ ହାତରେ ସୁଟ୍‌କେଶଟା ଧରି ଘରୁ ବାହାରି ଆସିଲା ପଦାକୁ ।

 

ଆଗରେ ଅସରନ୍ତି ପଥ । ଠିକଣା ଜାଣିନି ଚୁଙ୍ଗୁଡ଼ି । ଚାଲିବାକୁ ହେବ । ଏ ଦୁର୍ଗମ ପଥ ଅତିକ୍ରମ କରିବାକୁ ହେବ ତାକୁ ଏକାଏକା । କାହାରି ସ୍ନେହ ନାହିଁ, ସହାନୁଭୂତି ନାହିଁ, ସଙ୍ଗ ନାହିଁ, ସାନ୍ନିଧ୍ୟ ନାହିଁ, ପାଥେୟ କରିବାକୁ ।

 

ରାସ୍ତାଉପରେ ଚୁଙ୍ଗୁଡ଼ିକୁ ସୁଟ୍‌କେଶ ଧରି ଛିଡ଼ା ହୋଇଥିବା ଦେଖି ଖାଲି ରିକ୍‌ସାଗୁଡ଼ାକ ଧିମେଇ ଯାଉଥିଲେ ।

 

‘‘ହଁ ରହ, ଯିବା ।’’ ଦୀର୍ଘନିଃଶ୍ୱାସ ଛାଡ଼ି ରିକ୍‌ସାରେ ବସିଲା ଚୁଙ୍ଗୁଡ଼ି ।

 

‘‘କୋଉଠିକି ଯିବେ ଦିଦି ?’’

 

କୋଉଠିକି ? ସତେ ତ ! କୋଉଠିକି ଯିବ ସିଏ ?

 

କୋଉଠିକି ଯିବ ସେକଥା ନିଜେ ଜାଣି ନାହିଁ ଚୁଙ୍ଗୁଡ଼ି । ଠିକ୍‌ କରି ନାହିଁ । ସେମିତି ସ୍ଥିରୀକୃତ ସ୍ଥାନ କିଛି ନାହିଁ । ସେମିତି କେହି ନାହାନ୍ତି ଚୁଙ୍ଗୁଡ଼ିର, ଯେ କି ତାକୁ ଈପ୍ସିତି ବୋଲି ମନେକରିବ ଏମିତିକି ଟିକେ ଆଶ୍ରା ଦେବାକୁ ।

 

କିଛି ଚିନ୍ତା ନକରି କହିପକେଇଲା, ଷ୍ଟେସନ୍ ।

 

ସେ ଏଠୁ ବହୁତ ଦୂରକୁ ଚାଲିଯିବାକୁ ଚାହେଁ, ବହୁତ ଦୂରକୁ । ତପନ ଦିନେ ତାକୁ କହିଥିଲା, ତତେ ଛାଡ଼ି ମୁଁ ମୁହୂର୍ତ୍ତଟିଏବି ରହିପାରିବି ନାହିଁ, ସତ କହୁଚି ! ତୁ ଦିନେ ନଥିଲେ ଲାଗୁଚି ଯେମିତି ବର୍ଷଟେ ହେବ ତତେ ଦେଖିନି । ତୁ ଫୁଟେ ଛାଡ଼ି ବସିଲେ ମତେ ଲାଗୁଚି ତୋ ମୋ ଭିତରେ ଯେମିତି ମାଇଲିଏ ବ୍ୟବଧାନ– !!

 

‘‘ଚୁପ୍‌କର କହୁଚି ! ସାବିତ୍ରୀ ଗପ ଜାଣିଚୁଟି ? ସତ୍ୟବାନଙ୍କର ଜୀବନପାଇଁ ସାବିତ୍ରୀ କେମିତି ଯମ ସହିତ ଯାଇଥିଲା ଜାଣିଚୁ ତ ! ମୋର ଜୀବନ ଭିକ୍ଷା କରିବା ଦରକାର ନାହିଁ, ମୁଁ ଖାଲି ତୋ ସହିତ ଯିବି ।’’

 

ଚୁଙ୍ଗୁଡ଼ି ଆପେଆପେ ହାତ ପାପୁଲିରେ କାନ ବନ୍ଦ କରିଦେଲା, ଏତେଗୁଡ଼ାଏ ମିଛକଥା କେମିତି କହିପାରିଥିଲା ତପନ !

 

ଚୁଙ୍ଗୁଡ଼ି କାନ୍ଦିବାରେ ଲାଗିଚି । ନିଜ ପଣତକାନିରେ ଲୁହର ଗଜରାକୁ ସାଉଁଟି ନଉଚି ସେ ।

 

ଚୁଙ୍ଗୁଡ଼ି ତାଙ୍କୁ ବୁଝିପାରିଲା ନାହିଁ ।

 

ଚୁଙ୍ଗୁଡ଼ି ବୁଝିପାରିଲା ନାହିଁ ତାଙ୍କର ରୁଦ୍ଧ ଅପ୍ରକାଶ୍ୟ ଅଭିମାନ । ଚୁଙ୍ଗୁଡ଼ି ଉପରେ ତାଙ୍କର ରାଗର ଚିହ୍ନ ନାହିଁ, ଅଛି ଅଜସ୍ର ଅଭିମାନ । ଚୁଙ୍ଗୁଡ଼ି ବୁଝିଲା ନାହିଁ, ତାଙ୍କ ଅନ୍ତରରେ ଆଜିବି ତା’ପାଇଁ ସ୍ନେହର ଅସରା ଫଲ୍‌ଗୁ ପ୍ରବାହିତ ହୁଏ । ତାଙ୍କ ମନରେ ତାକୁ ଛାଡ଼ି ଆଉ କାହାରିପାଇଁ ଇଞ୍ଚେବି ସ୍ଥାନ ନାହିଁ । ତା’ ଛଡ଼ା ସେ କାହାକୁ ଭଲ ପାଇପାରିବେ ନାହିଁ । କାହାକୁ ଭଲ ପାଇପାରି ନାହାନ୍ତି ।

 

ତା’ ପାଖରେ ଅଭିଯୋଗ କରିବାକୁ କିଛି ନାହିଁ । କିନ୍ତୁ ସେ ଚାହାନ୍ତି ଚୁଙ୍ଗୁଡ଼ି ତାଙ୍କ ପାଖରେ ଅଭିଯୋଗ କରୁ । ଅଭିମାନ କରୁ । ଅତୀତର ସେ ଅଧିକାର ନେଇ, ସେଇ ଏକା ଜୋର ଦେଇ ସେ ତପନର କାନ ଧରି ତାଙ୍କୁ ତା’ର କରିନେଉ ।

 

ଚୁଙ୍ଗୁଡ଼ିକୁ ଆଗରେ ଦେଖିଲେ ସବୁବନ୍ଧ ଭାଙ୍ଗିଯାଏ । ସବୁ ଦମ୍ଭ ଫିଟିପଡ଼େ । ତପନ ନିଜକୁ ଭାରି ଅସହାୟ ମନେକରନ୍ତି । ସତେବା ତରଳିଯିବେ, ସତେବା ହାରିଯିବେ ନିଜକୁ କ୍ଷଣିକ ଭିତରେ ଶାସନ କରିନିଅନ୍ତି ତପନ । ନିଜକୁ ବେଶି ଦୃଢ଼ କରନ୍ତି । ଅଧିକ କଠିନ କରନ୍ତି ।

ଚାକିରିଟାକୁ ରକ୍ଷା କରିବାକୁ ଅନୁରୋଧ କଲାବେଳେ ଚୁଙ୍ଗୁଡ଼ିର ଓଠଦି’ଟା ଥରୁଥିଲା । ତା’ ସହିତ ତପନଙ୍କର ଅନ୍ତରର ସବୁଗୁଡ଼ା ତନ୍ତ୍ରୀବି ଥରିଯାଇଥିଲା ।

ଚୁଙ୍ଗୁଡ଼ି ସାମ୍ନାରେ ସେ ଏମିତି ଅସହାୟଭାବେ ଉଲଗ୍ନ ହୋଇଯିବାକୁ ଚାହାନ୍ତି ନାହିଁ । ଚୁଙ୍ଗୁଡ଼ିର ଦୂରଛଡ଼ା ଭାବଠାରୁ ତା’ର ଖୋଲାଖୋଲି ଉପେକ୍ଷା ବେଶି ଯନ୍ତ୍ରଣା ଦେବ ତାଙ୍କୁ । ଚୁଙ୍ଗୁଡ଼ି ତାଙ୍କୁ ଅପମାନ କଲେ ସେ ଆଘାତ ଆଉ ସହିପାରିବାର ମନୋବଳ ନାହିଁ ତାଙ୍କର ।

କାହିଁକି ସେ ବୁଝେ ନାହିଁ କିଛି ? ସେ କ’ଣ ଭାବେ ତପନ ଗୋଟାଏ ମେସିନ୍‌ ? ତା’ ମନରେ କଷ୍ଟ ହୁଏ ନାହିଁ ? ତା’ର କିଛି ଇମୋସନ ନାହିଁ ? ଫିଲିଙ୍ଗ୍‍ସ୍‌ ନାହିଁ ?

ଚୁଙ୍ଗୁଡ଼ି କିଛି ବୁଝିଲା ନାହିଁ ।

ତା’ର ଏ ପ୍ରକାର ଉଦାସୀନତାକୁ, ଏ ପ୍ରକାର ବିଚିତ୍ର ଦମ୍ଭକୁ ସହ୍ୟ କରିପାରନ୍ତି ନାହିଁ ତପନ ।

ତାଙ୍କ କମ୍ପାନୀରୁ ଚାକିରିଟା ଛଡ଼େଇ ନେଇ ଚୁଙ୍ଗୁଡ଼ିର ମନତଳୁ ସେ ଦମ୍ଭର ପାହାଡ଼ ଉପରୁ ପଥର ଖସେଇ ଦେଉଚନ୍ତି ତପନ ।

ଚୁଙ୍ଗୁଡ଼ି ଆସିଥିଲା । ଅନୁନୟ କଲା, ଅନୁରୋଧ କଲା, କେତେ କାକୁତି ମିନତି ହେଲା । କିନ୍ତୁ ତପନ ଏସବୁ ମୋଟେ ଚାହିଁ ନଥିଲେ । ମୋଟେ ଆଶା କରି ନଥିଲେ । ସେ ଚାହାନ୍ତି, ଚୁଙ୍ଗୁଡ଼ି ତାଙ୍କୁ ଅନୁରୋଧ ନୁହେଁ, ଆଦେଶ ଦେଉ ‘‘ଏଇ ତପନ ! ନହେଲେ ଦେଖିବୁ !’’

ଚୁଙ୍ଗୁଡ଼ି ତା’ର ଅଧିକାର, ଜୋର କମେଇଦଉ ମୋଟେ ଇଚ୍ଛା କରି ନଥିଲେ ତପନ ।

ଚୁଙ୍ଗୁଡ଼ି ତାଙ୍କ ପରିଧିରୁ ଦୂରେଇ ଯାଉଚି ।

ସେମିତି ପାଦରେ ଚାଲିଚାଲି ସେ ହୁଏତ ଦିଗ୍‌ବଳୟର ପରପାର ପର୍ଯ୍ୟନ୍ତ ଚାଲିଯିବ । ଲମ୍ବେଇ ଦେଇଥିବା ହାତଗୁଡ଼ାକ ପୁଣି ଫେରିଆସିବ । ପହଞ୍ଚି ପାରିବ ନାହିଁ ତା’ ଆଖିତଳର ଶୁଖିଲା ନୀଳପୁଅଟାରେ ଅନେକଦିନରୁ ସାଉଁଟା ଉବୁଟୁବୁ ସବୁଜ ସ୍ୱପ୍ନଗୁଡ଼ାକ ଖୁନ୍ଦି ଦେବାକୁ !

ଅନେକ ସମୟ ପର୍ଯ୍ୟନ୍ତ ଶେଯରେ ଗଡ଼ିଗଡ଼ି ତପନ ଉଠିଲେ । ଆଖି କୋଣରେ ଝରି ଶୁଖିଯାଇଥିବା ଲୁହର ଦାଗଗୁଡ଼ାକ ପୋଛିଦେଇ ବାହାରକୁ ଆସିଲେ ।

ସେ ଆଉ ପାରୁ ନାହାନ୍ତି । ନିଜକୁ ଠକିବାରେ ଅନେକ କଷ୍ଟ । ନିଜପାଖରେ ଅଭିନୟ କରିବାରେ ଅନେକ ଯନ୍ତ୍ରଣା । କି ଲାଭ ଏଥିରେ ?

ସେ ଆଜି ଚୁଙ୍ଗୁଡ଼ି ପାଖକୁ ଯିବେ । ଯିବେ, ତା’ର ବୁଜିହୋଇ ଯାଇଥିବା ହାତ ପାପୁଲିରେ ସାରା ଜୀବନର ହିସାବକିତାବ ଲେଖିଦବାକୁ !

ପ୍ଲାଟ୍‍ଫର୍ମ୍‍ରେ ଅନେକ ଚଳଚଞ୍ଚଳ ପଦପାତ । କୋଳାହଳମୟ ମୁଖରିତ ଷ୍ଟେସନ୍ । ଚୁଙ୍ଗୁଡ଼ିର ମନ ଭିତରେ ବିରାଟ ଶୂନ୍ୟତା ।

 

ଟିକଟପାଇଁ ଲମ୍ବା କିଉର ଶେଷର ମେଞ୍ଚାଏ ଉଦାସୀ ନିଃଶ୍ୱାସର ଏକ ସ୍ତୂପପରି ଠିଆହୋଇଚି ଚୁଙ୍ଗୁଡ଼ି ।

 

ଷ୍ଟେସନ୍‍ର କୋଳାହଳ ଭିତରେ ଚୁଙ୍ଗୁଡ଼ି ହଜି ନ ଯାଇ ନିଜେ ନିଜକୁ ପଚାରୁଥିଲା, ସେ କୁଆଡ଼େ ଯିବ ?

 

ଜଣ ଜଣ କରି ଯାତ୍ରୀ ଟିକଟ କରିସାରିଲେଣି ।

 

ଏଥର ଚୁଙ୍ଗୁଡ଼ିର ପାଳି ।

 

ଚୁଙ୍ଗୁଡ଼ି ଶହେଟଙ୍କିଆ ନୋଟ୍ ଖଣ୍ଡେ ବଢ଼େଇଧରିଚି କାଉଣ୍ଟର୍ ପାଖରେ ।

 

–କୋଉ ପର୍ଯ୍ୟନ୍ତ ?

 

ସତେ ତ ! କୋଉ ପର୍ଯ୍ୟନ୍ତ !

 

–ଏଇ ଗାଡ଼ିଟାର ଶେଷ ଷ୍ଟପେଜ ପର୍ଯ୍ୟନ୍ତ–

 

ଦୀର୍ଘନିଃଶ୍ୱାସ ନେଲା ଚୁଙ୍ଗୁଡ଼ି ।

 

ଚୁଙ୍ଗୁଡ଼ି ତା’ ଜୀବନର ଏଇ ଅଦ୍ଭୁତ ବିପର୍ଯ୍ୟୟକୁ ବିଶ୍ୱାସ କରିପାରୁ ନଥିଲା । ଏ ବିରାଟ ପୃଥିବୀଟାରେ ତା’ର ବୋଲି କେହି ଜଣେ ନାହିଁ । ତା’ର ହୋଇ କିଛି ନାହିଁ । ତାକୁ ସ୍ନେହ କରିବାକୁ କେହି ନାହାନ୍ତି । ତା’ରବି ଏମିତି କିଛି ନାହିଁ ଯାହାକୁ ସମ୍ବଳ କରି ସେ ଖାଲି ଜିଇଁ ରହିପାରିବ ! ଟିକେ ଆଶ୍ରୟ, ଟିକେ କର୍ମପନ୍ଥା ଏନ୍‌ଗେଜ୍‍ମେଣ୍ଟ୍ ।

 

ମୁଁ ଆସିଚି ।

 

ଚୁଙ୍ଗୁଡ଼ି ଚମକିପଡ଼ି ଗଛକୁ ଚାହିଁଲା । ଆଗରେ ମହାବଳ ବାଘକୁ କିମ୍ବା ମୃତ୍ୟୁକୁ ଦେଖିଥିଲେ ହୁଏତ ସେ ଏତେ ଭୟ ପାଇ ନ ଥାନ୍ତା ।

 

ଆଗରେ ତପନ ।

 

ଚୁଙ୍ଗୁଡ଼ି ଦୁଇ କମ୍ପିତ ହାତ ଯୋଡ଼ି ନମସ୍କାର ଜଣେଇଲା ।

 

–କୁଆଡ଼େ ଯାଉଚ ?

 

ଚୁଙ୍ଗୁଡ଼ିର ଆଖିରେ ଆଖିରେ ଲୁହ । ସେ ନିର୍ବାକ୍‌ ନିସ୍ପନ୍ଦ ହୋଇ ଠିଆ ହୋଇ ରହିଚି ପିତୁଳାଟିପରି ।

 

ତମଠୁ ମୁଁ କିଛି ଆଦାୟ କରିବାକୁ ଆସିଚି । ଚୁଙ୍ଗୁଡ଼ି ନିରବ । ଭାବୁଚି ଅନେକ କଥା । ଚାକିରିରୁ ତଡ଼ିଦେଲାପରେ, ବାକି ଦରମା ପ୍ରାପ୍ୟଟଙ୍କାତକ ଜବତ କଲାପରେ, ଚୋରିକେସ୍ ଦେଇ ପୋଲିସ୍‍ରେ ଦେବାର ଧମକ ଦେଲାପରେ ତା’ ପାଖରେ ଆଉ କ’ଣ ଦେଖି ମାଗିବାକୁ ଆସିଚନ୍ତି ତପନ ?

 

–କ’ଣ ଭୁଲିଗଲ ?

 

ଚୁଙ୍ଗୁଡ଼ି ଦେହରେ ହଠାତ୍‌ ବିଦ୍ୟୁତ ସ୍ରୋତ ହୋଇଗଲା ଯେପରି । ତା’ର ମନେପଡ଼ିଗଲା, ଦଶବର୍ଷ ତଳର କଥା । ସ୍କୁଲ୍‍ ଦରମାଟା ଦବାକୁ ଅସହାୟ ହୋଇ କୋଡ଼ିଏ ଟଙ୍କା ଧାର ଆଣିଥିଲା ତପନଠାରୁ । ଅନେକ ଥର ଭାବିଚି ଫେରେଇ ଦବାକୁ । ସାହସ ହୋଇ ନାହିଁ । ତପନ ପୁଣି କହୁଚନ୍ତି, କ’ଣ, ମନେକରିପାରୁନ ? ଚୁଙ୍ଗୁଡ଼ିର ମୁହଁଟା ହଠାତ୍‌ କେମିତି ପୋଡ଼ିଗଲା । ସେ ଦୁଃଖ, ଭୟ ଓ ସଙ୍କୋଚର ଜଡ଼ିସଡ଼ି ଅତିଧୀର ଗଳାରେ ଉତ୍ତର ଦେଲା ‘‘ଫେରେଇଦେବି ସାର୍’’

 

–କ’ଣ ନେଇଥିଲ ମନେ ଅଛି ତ ?

 

‘‘କୋଡ଼ିଏ ଟଙ୍କା ସାର୍‌ ।’’

 

ତପନ ଘଡ଼ିଏ ଥମ୍‌କି ଛିଡ଼ା ହୋଇପଡ଼ିଲେ । ସ୍ତବ୍ଧ ହୋଇ ଚୁଙ୍ଗୁଡ଼ି ମୁହଁକୁ ନିରେଖି ନିରେଖି ଦେଖିଲେ ।

 

ଚୁଙ୍ଗୁଡ଼ି ଏଇଆ ବୁଝିଲା ? ଚୁଙ୍ଗୁଡ଼ି ମନର ପରିଧି ଭାବନାର ପରିସୀମା ମୋଟରୁ ଏଇ ପର୍ଯ୍ୟନ୍ତ । ଚୁଙ୍ଗୁଡ଼ି କ’ଣ ତା’ର ଚିକ୍‌ଚିକ୍‌ ନୀଳ ଆଖିରେ କିଛି ସ୍ୱପ୍ନ ଦେଖି ନାହିଁ କେବେ ? ଚୁଙ୍ଗୁଡ଼ି କ’ଣ ତପନଠାରୁ କିଛି ଆଶା ରଖି ନାହିଁ ?

 

ସତରେ ଚୁଙ୍ଗୁଡ଼ିଟା ବଦଳି ନାହିଁ । ସେମିତି ବୋକୀ ହୋଇ ରହିଯାଇଚି ।

 

ତପନ ପୁଣି କହୁଛନ୍ତି, ‘‘ତମେ ଆଉ କ’ଣ ମୋଠୁ କିଛି ନେଇନ ?’’

ତପନ ଚୁଙ୍ଗୁଡ଼ି ପାଖକୁ ଲାଗି ଆସୁଚି । ତା’ ଆଖିରେ ମୁଗ୍ଧ ଚାହାଣି । ସେ ଚାହାଣିର ଉତ୍ତାପ ବାଜି ଚୁଙ୍ଗୁଡ଼ି ଅସହ୍ୟ ହୋଇଉଠୁଚି । ସବୁକିଛି ଛଡ଼େଇ ନେଲାପରେ ତପନ ତାହାହେଲେ ସମୁଦ୍ରର ତୃଷ୍ଣାଦେଇ ଦୌଡ଼ି ଆସିଚନ୍ତି ଚୁଙ୍ଗୁଡ଼ିକୁ ସର୍ବସ୍ୱାନ୍ତ କରିଦେବାକୁ ? ଏତେଦିନ ଧରି ଅଶେଷ ନିର୍ଯାତନା ଦେଇ ଦେଇ ତାହାହେଲେ ସେ ଭାବିଥିଲେ ଚୁଙ୍ଗୁଡ଼ି ତାଙ୍କ ନିକଟରେ ଆତ୍ମସମର୍ପଣ କରିଦଉ ? ଆଜି କରଛଡ଼ା ହୋଇଯାଉଚି ଦେଖି ଧାଇଁ ଆସିଚନ୍ତି ଈପ୍ସିତ ଲାଳସାକୁ ଚରିତାର୍ଥ କରିବାକୁ ? ଛି ! ତପନ ଏମିତି ଇତର ହୋଇପାରିଲା କେମିତି ? ସେ ଅତୀତରେ ଜାଣିଥିବା ତପନ ଥିଲା ପବିତ୍ର, ନିଷ୍କଳଙ୍କ, ନିଷ୍କଳଙ୍କ ଚନ୍ଦ୍ରମା । ଶୀତଳ ସୂର୍ଯ୍ୟ ! ଆଉ ଆଜି ! ଏତେଦିନ ପର୍ଯ୍ୟନ୍ତ ତପନ ତା’ର କୁତ୍ସିତ ଲାଳସାକୁ କେମିତି ଗୋପନ ରଖିପାରିଥିଲେ ? ଏତେ ବର୍ଷ ତା’ ନିକଟରେ ଚଳିଆସିଥିଲେବି ଘୃଣାକ୍ଷରେ, ତାଙ୍କର କେଉଁ ଅସତର୍କ ମୁହୂର୍ତ୍ତରେ ମଧ୍ୟ ଚୁଙ୍ଗୁଡ଼ି ଏ କଥାର ବିନ୍ଦୁବିସର୍ଗ ଜାଣିପାରି ନଥିଲା । ଚୁଙ୍ଗୁଡ଼ି ତପନର କୌଣସି ବ୍ୟବହାରରୁ କେଉଁଦିନ ଅନୁଭବ କରି ନାହିଁ ଯେ ତପନ ତା’ର ଦେହଟାକୁ ଲୋଭିଲା ଆଖିରେ ଦେଖୁଚନ୍ତି ।

ଚୁଙ୍ଗୁଡ଼ି କ୍ରମଶଃ ଜଡ଼ ହୋଇଯାଉଚି ।

ତପନ ତାକୁ ଏତେ ଚିହ୍ନିଥିଲା । ଏତେ ଅନ୍ତରଙ୍ଗଭାବେ ବୁଝିଥିଲା । ସେ କ’ଣ ଜାଣିଲା ନାହିଁ ଚୁଙ୍ଗୁଡ଼ି କ’ଣ ଚାହେଁ ? ତା’ର ଲୋଡ଼ା ମନଟିଏ । ଚୁଙ୍ଗୁଡ଼ି ଝୁରିହୁଏ ମନଟିଏ ପାଇଁ । ଦରଦୀ, ମମତା ଓ ଅନୁରାଗରେ ଜୁଡ଼ୁବୁଡ଼ୁ ମନଟିପାଇଁ ।

ତପନ ପୁଣି କହୁଚନ୍ତି, କୁହ, ନିରବ କାହିଁକି ? ତମେ କ’ଣ ମୋଠୁ ଆଉକିଛି ନେଇନା-? ସେଇ ଆଠବର୍ଷତଳେ ମୋର କ’ଣ କିଛି ନଷ୍ଟ ହୋଇନି ତମରିପାଇଁ ? ମୁଁ କ’ଣ କିଛି ହଜେଇ ଦେଇନି ତମପାଖରେ ?

 

ଏ କ’ଣ କହୁଚନ୍ତି ତପନ ? ଚୁଙ୍ଗୁଡ଼ି ଯେ ବିଶ୍ୱାସ କରିପାରୁନି । ବଡ଼ବଡ଼ ଆଖିରେ ଚାହିଁରହିଚି ତପନର ମୁହଁକୁ ।

 

ତପନ ପୁଣି ସ୍ୱରରେ ଆନ୍ତରିକତା ଦେଇ କହୁଚନ୍ତି ।

 

ମୋର ସେହିଦିନରୁ ଯାହା ତମେ ନେଇଯାଇଚ, ନେଇଯାଇ ମତେ ସର୍ବହରା ଅସହାୟ କରିଦେଇଚ ତା’ର ସୁଧ କେତେ ହେବ ? ତା’ର ସୁଧମୂଳ ହିସାବକଲେ କେତେ ହେବ ?

 

ଚୁଙ୍ଗୁଡ଼ି କିଛି ବିଶ୍ୱାସ କରୁନି । କିଛି କହୁ ନାହିଁ ସେ । ତପନ ତାକୁ ଯଥେଷ୍ଟ ଅପମାନ ଦେଇଚି । ତା’ ଉପରେ ଯଥେଷ୍ଟ ପ୍ରତିଶୋଧ ନେଇଚି । ତା’ ମନରେ ଅଜସ୍ର କ୍ଷତ ତପନପାଇଁ ।

 

ତପନ ଚୁଙ୍ଗୁଡ଼ିର କାନ୍ଧଉପରେ ହାତଥୋଇ ଝୁଙ୍କେଇ ଦେଲା । ‘‘କହ ! କହ ! ଯାହା ପଚାରୁଚି କହ ! ଚୁଙ୍ଗୁଡ଼ି–ଚୁଙ୍ଗୁଡ଼ି ଚୁ–ଙ୍ଗୁ–ଡ଼ି ଚୁଙ୍ଗୁ–ଡ଼ି ।’’

 

ଏଥର ଚମକି ପଡ଼ିଲା ଚୁଙ୍ଗୁଡ଼ି । ଦଶବର୍ଷପରେ ପରିଚିତ ମଣିଷଟାର ପରିଚିତ କଣ୍ଠରେ ପରିଚିତ ଡାକ ।

 

‘‘ଚୁଙ୍ଗୁଡ଼ି, ତତେ ମୁଁ ବହୁତ ଦୁଃଖ ଦେଇଚି ।

 

ବହୁତ କଷ୍ଟ ଦେଇଚି । ତୁ ରାଗିଥିବୁ । ମୁଁ କିନ୍ତୁ ତୋ ଉପରେ ରାଗ ରଖି ଏସବୁ କରିନି-। ଏମିତି ନକଲେ ତୁ ମୋଠୁ ଦୂରେଇ ଯିବୁ ତତେ ଆଉ ପାଇହବନି, ତୁ ମୋର ହୋଇ ରହିବୁନି, ଏଇ ଡରରେ ସବୁଥିପାଇଁ କ୍ଷମା ମାଗିନଉଚି । ତୋ ପାଦ ଧରୁଚି । ଚୁଙ୍ଗୁଡ଼ି ! ଦଶବର୍ଷତଳେ ତୁ ମୋଠୁ ଯାହାସବୁ ନେଇଥିଲୁ ତା’ର ସୁଧମୂଳ ମତେ ଶୁଝିଦେ ! ନହେଲେ ମୁଁ କାଙ୍ଗାଳ ହୋଇଯିବି–ମରିଯିବି ।’’

 

ଚୁଙ୍ଗୁଡ଼ି ! ଆଉ ଭଲଲାଗୁନି ଏକାଏକା ! ଦୁନିଆଟା ଦିନକୁଦିନ ବେଶି ଦୁଃଖୀ ହୋଇଯାଉଚି । ଭାରି ଏକାଏକା ନିଃସଙ୍ଗ ଲାଗୁଚି ।’’

 

‘‘ଆପଣଙ୍କୁ ସେତକ ଶୁଝିବାର ଭାଗ୍ୟ ମୋର ନାହିଁ ।’’

 

‘‘ଚୁଙ୍ଗୁଡ଼ି ! ତୁ କ’ଣ ମତେ ତପନ ବୋଲି ଡାକିପାରିବୁନି ? ତୁ ନେଇଚୁ, ତୁ ଶୁଝିବୁନିତ ଆଉ କିଏ ଶୁଝିବ ? ତୋର ରାଗ ମୋ ଉପରେ କମି ନାହିଁ ? ତୋର ତପନକୁ ତୁ କ୍ଷମା କରିପାରୁନୁ ? ଯାହାର ପିଠିରୁ ବେତଦାଗ ତୁ ତୋ କୁନି ପାପୁଲି ବୁଲେଇ ଲିଭେଇ ଦଉଥିଲୁ ଭୁଲିଗଲୁ ସବୁ ?

 

‘‘ତୋ ପାଦଧରୁଚି–’’

 

ସତକୁସତ ଚୁଙ୍ଗୁଡ଼ି ପାଖରେ ନଇଁପଡ଼ିଲେ ତପନ । ଦୁଇଗୋଡ଼କୁ ପାଗଳଙ୍କପରି ଜାବୁଡ଼ି ଧରିଚନ୍ତି ସେ ।

 

‘‘ତପନ !! ଇଏ କ’ଣ ହେଉଚି ? ତୋଠୁ ମୁଁ ଯାହା ପାଇଥିଲି ତାକୁ କ’ଣ ଦିନକରେ ଶୁଝି ହୁଏ ? ମୁହୂର୍ତ୍ତକରେ ଶୁଝିହୁଏ ?’’ ଚୁଙ୍ଗୁଡ଼ିର କମ୍ପିତ କଣ୍ଠସ୍ୱର ।

 

–ନା–ତୁ ଜୀବନସାରା ଶୁଝିବୁ ! ଜୀବନସାରା !

 

ଚୁଙ୍ଗୁଡ଼ି କିଛି କହିପାରୁ ନାହିଁ ।

 

ନା–ସେ ତପନକୁ ଅବିଶ୍ୱାସ କରିପାରିବେ ନାହିଁ ଯେତେ ଚେଷ୍ଟାକଲେବି ।

 

ଠିକ୍‌ ସ୍କୁଲ୍‍ଦିନର ଦୁଷ୍ଟଟୋକା ତପନ ପରି ଆଜି ତପନ ଚୁଙ୍ଗୁଡ଼ିର ହାତକୁ ଧରି ଘୋଷାରି ଘୋଷାରି ଉଦ୍ମାଦପରି ନେଇଗଲା ତା’ ଗାଡ଼ି ପର୍ଯ୍ୟନ୍ତ ।

 

ଚୁଙ୍ଗୁଡ଼ି ଆଖି କୋଣର ଲୁହ ଆଇନାରେ ତପନର ଲୁହ ଚିକ୍‌ଚିକ୍‌ କରୁଚି ।

 

‘ତୁ କାନ୍ଦୁଚୁ କାହିଁକି ଚୁଙ୍ଗୁଡ଼ି’ ତପନ ହାତପାପୁଲି ତା’ ମଥାରେ ଥୋଇଲା । ହାତଟା ତା’ର ମଥାଉପରୁ ନିଜ ମୁହଁ ଉପରକୁ ଖସେଇଆଣି ଚାପିଧରିଚି ଚୁଙ୍ଗୁଡ଼ି । ଆହୁରି ଅନେକ ଲୁହ ଝରେଇ ଦେଇ ନିଶ୍ଚିନ୍ତ ହୋଇଯିବ ସେ । ବେଦନାର ବୋଟ୍‌ ଛାତିଉପରୁ ହାଲୁକା ହୋଇଯିବ । ତପନ ହାତରେ ଚୁଙ୍ଗୁଡ଼ିର ସଜଳ ଆଖିର ସ୍ପର୍ଶ ।

 

କିନ୍ତୁ ସେ ଲୁହ ଦୁଃଖର ନୁହେଁ । ଅନୁଶୋଚନା ବା ଅନୁତାପର ନୁହେଁ । ସେ ଲୁହ ପୂର୍ଣ୍ଣତାର, ମୁଖରତାର ଓ ଆକାଶର ନୀଳିମା ବୋଲି ଗୁଡ଼ାଏ ଖୁସିର ଫୁଲ ଝଡ଼ିପଡ଼ିବାର ।

Image